Unknown

 

 

 

 

 

 

 

 

 

 

 

ଦୃଷ୍ଟାନ୍ତ-ପୁରୁଷ ଈଶ୍ଵରଚନ୍ଦ୍ର

ଚିତ୍ତରଞ୍ଜନ ଦାସ

 

ଡକ୍ଟର ସାବିତ୍ରୀ ଦାଶ ଓ ଡକ୍ଟର ଗୌରାଙ୍ଗ ଚରଣ ଦାଶ...

 

ଦୂରରୁ ଥାଇ ମଧ୍ୟ ସବୁବେଳେ ଦେଖୁଛି ଯେ, ସାହିତ୍ୟ ଭିତରେ କ’ଣ ସବୁ ବୃହତ୍ତର ସନ୍ଧାନରେ ଉଭୟଙ୍କର ଏତେ ଏତେ ଶ୍ରଦ୍ଧା ଓ ପ୍ରଚେଷ୍ଟା, ଏତେ ଏତେ ପ୍ରଚେଷ୍ଟା ଏବଂ ଶ୍ରଦ୍ଧା: ସାହିତ୍ୟର ଦର୍ପଣ ଉପରେ ଜୀବନକୁ ଦେଖିବା ଓ ଜୀବନର ଦର୍ପଣ ଉପରେ ସାହିତ୍ୟକୁ ।

 

ତେବେ ଆଦୌ କ୍ଳାନ୍ତି ଆସେ ନାହିଁ ।

 

......‘‘ଦୃଷ୍ଟାନ୍ତ-ପୁରୁଷ ଈଶ୍ୱରଚନ୍ଦ୍ର’’ଙ୍କର ଏହି ଜୀବନଚରିତକୁ

 

ତେଣୁ ଦୁହିଙ୍କ ହାତରେ-

☆☆☆

 

ସୂଚୀପତ୍ର

 

୧.

ଅବତରଣିକା

୨.

ଅଙ୍କୁରୋଦ୍‍ଗମର କାଳ

୩.

ଆତ୍ମ-ପ୍ରୟୋଗରୁ ଆତ୍ମ-ଆବିଷ୍କାର

୪.

ସଂଗ୍ରାମଦ୍ଵାରା ସମାଜ-ସଂସ୍କାର

୫.

ଅନ୍ୟର ହିତ-ସର୍ବଜନହିତ

୬.

ବଙ୍ଗଳା ଭାଷା ଓ ବଙ୍ଗଳା ସାହିତ୍ୟ

୭.

ବହୁ ସାଗରର ସମାହାର

୮.

ଜୀବନର ଶେଷ ଚରଣରେ

୯.

ପରିଶିଷ୍ଟ

☆☆☆

 

ଅବତରଣିକା

 

ଖୁବ୍ ପିଲାଦିନେ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଆମ ସାହିତ୍ୟ ବହିରେ ଗୋଟିଏ ବିଷୟରୂପେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ସଂକ୍ଷିପ୍ତ ଜୀବନକାହାଣୀଟିଏ ଥିଲା । ସାହିତ୍ୟବହିର ଲେଖକ ଶ୍ରୀ ମଧୁସୂଦନ ରାଓ । ଓଡ଼ିଆ ସାହିତ୍ୟରେ ତାଙ୍କୁ ଭକ୍ତକବି ବୋଲି କୁହାଯାଏ । ସେତେବେଳେ ଚାଟଶାଳୀର ସେହି ସ୍ତରମାନଙ୍କରେ ପିଲାଙ୍କ ସାହିତ୍ୟ-ବହି କହିଲେ ମଧୁସୂଦନଙ୍କଦ୍ଵାରା ଲିଖିତ ତିନୋଟି ବହିକୁ ହିଁ ବୁଝାଉଥିଲା । ପ୍ରଥମେ ବାଳବୋଧ, ତା'ପରେ ସାହିତ୍ୟ-କୁସୁମ ଏବଂ ଶେଷରେ ସାହିତ୍ୟ-ପ୍ରସଙ୍ଗ । ଏହି ବହି ତିନୋଟିରେ ଦୁନିଆଯାକ ପ୍ରସଙ୍ଗ ରହିଥିଲା । ଯେତେଦୂର ମନେପଡ଼ୁଛି, ଲିସ୍‍ବନ ଭୂମିକମ୍ପ ଥିଲା, ଅର୍ଥଗମ୍ଭୀର ଦୀର୍ଘ କବିତାମାନ ରହିଥିଲା । ନଦୀ ପ୍ରତି, ଆକାଶ ପ୍ରତି, ପୃଥିବୀ ପ୍ରତି ସମେତ ଜୀବନଚିନ୍ତା ଭଳି ଦାର୍ଶନିକ ଅବସାଦଦ୍ଵାରା ଭରପୂର ଅତିଭୟଙ୍କର ଦୀର୍ଘ କବିତାଟିଏ ମଧ୍ୟ ରହିଥିଲା । ଆମ ନିତାନ୍ତ ଚପଳ ପିଲାମାନଙ୍କୁ ସେହିସବୁ ଗହନ ଭାବମୟତା ମଧ୍ୟକୁ ପ୍ରବିଷ୍ଟ କରାଇ ପାରିବାରେ ହାତ ଦେଇ ପାରିବା ନିମନ୍ତେ ଆମ ସାହିତ୍ୟ-ଶିକ୍ଷକମାନଙ୍କୁ ଯେ ପ୍ରକୃତରେ କେତେ ଚପଳମତି ହେବାକୁ ପଡ଼ିଥିବ, ବଡ଼ ହୋଇ ଏକ ସର୍ବବୋଧ୍ୟ ଅର୍ଥରେ ଓଡ଼ିଆ ସାହିତ୍ୟ ମଧ୍ୟକୁ ପ୍ରବେଶ କରିବା ପରେ ମୁଁ ଏକାଧିକ ସମୟରେ ସେହିକଥା ହିଁ ଭାବିଛି ଓ ଆଚମ୍ବିତ ବି ହୋଇଛି । ସେତେବେଳେ ଏହିପରି ସାହିତ୍ୟ ପାଇଁ କୌଣସି ସହଚର ବହି ନଥିଲା ।

 

ଆମ ସାହିତ୍ୟ-ଶିକ୍ଷକମାନେ ଆମକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିଲେ: କ୍ଲାସଉଠା ପରୀକ୍ଷା, କେନ୍ଦ୍ର-ପରୀକ୍ଷା, ପୁଣି ବୃତ୍ତି-ପରୀକ୍ଷା । ସେହି ଅନୁସାରେ ପିଲାମାନଙ୍କୁ ମଣ ବି କରିବାକୁ ପଡ଼ୁଥିଲା । ସେତେବେଳେ ସାହିତ୍ୟ-ଶିକ୍ଷକମାନଙ୍କୁ କ'ଣ ପାଇଁ ପଣ୍ଡିତ ବୋଲି କୁହାଯାଉଥିଲା କେଜାଣି ? ହଁ, ଆମ ସାହିତ୍ୟ-ପୁସ୍ତକରେ କେତୋଟି ଜୀବନୀ ମଧ୍ୟ ଥିଲା । ବିଖ୍ୟାତ ବ୍ୟକ୍ତିମାନଙ୍କର ଜୀବନୀ । କେତୋଟି ନାମ ଏବେ ମଧ୍ୟ ହେତୁରେ ରହିଛି : ସାର୍ ସୟଦ୍ ଅହମ୍ମଦ୍ ଖାଁ, ରାମତନୁ ଲାହିଡ଼ୀ, ହାଜୀ ମହମ୍ମଦ ମହସିନ୍ । ନିଶ୍ଚୟ ଉପର ମହଲର ଏକ ସୁଚିନ୍ତିତ ନ୍ୟାୟକଳ୍ପନା ଅନୁସାରେ କେଉଁମାନଙ୍କର ଜୀବନୀ ପଢ଼ାଯିବ ସେକଥାଟିକୁ ସ୍ଥିର କରାଯାଉଥିଲା । ଏବଂ ଉପର ମହଲରେ ସାହେବମାନେ ଥିଲେ । ସାହିତ୍ୟବହିର ବିଷୟ-ନିର୍ବାଚନରେ ମଧ୍ୟ ସେଇମାନେ ନ୍ୟାୟ କରୁଥିଲେ ଏବଂ ନୀତିନିର୍ଦ୍ଧାରଣ କରି ଦେଉଥିଲେ । ଓଡ଼ିଶାରେ ପିଲାମାନଙ୍କର ବିଦ୍ୟାଳୟରେ କଣସବୁ ପଢ଼ାଯିବ ବା ନଯିବ, ତାହା କଲିକତାରୁ ନିଷ୍ପତ୍ତି ହେଉଥିଲା-। ୧୮୫୭ ମସିହା ପର୍ଯ୍ୟନ୍ତ କଲିକତା ହିଁ ବ୍ରିଟିଶ୍ ଭାରତର ରାଜମହକୁମା ହୋଇ ରହିଥିଲା-

 

ସେହି ସମୟରେ ଆମର ଏହି ଉପକୂଳାଞ୍ଚଳ ଓଡ଼ିଶାରେ ନୂତନ ସାହିତ୍ୟ ବୋଲି ଯାହାକିଛିର ଉନ୍ମେଷ ଘଟିଥିଲା, ତାହା ଯାବତୀୟ ଅର୍ଥରେ କଲିକତାର ତତ୍କାଳୀନ ବଙ୍ଗଳା ସାହିତ୍ୟର ଚଳନ୍ତି କ୍ଷେତ୍ରଟିରୁ ହିଁ ମୁଖ୍ୟ ପ୍ରେରଣା ଲାଭ କରିଥିଲା । ରାଧାନାଥ, ମଧୁସୂଦନ ଏବଂ ଫକୀରମୋହନ ସୁନିଶ୍ଚିତ ଭାବରେ ଓଡ଼ିଆ ଭାଷାରେ ସେଯାଏ ଲେଖା ହୋଇଥିବା ସାହିତ୍ୟ ଭିତରୁ ଯାହା ପଢ଼ିଥିବେ ବା ପଢ଼ିଥିଲେ, ସେମାନେ ବଙ୍ଗଳା ସାହିତ୍ୟରୁ ତାହାର ସାତ ବା ସତରଗୁଣ ଅଧିକ ପାଠ କରିଥିଲେ । ଆପେ ମଧ୍ୟ କିଛି ଲେଖିବାର ପ୍ରେରଣା ସେମାନେ ସେହିଠାରୁ ହିଁ ଲାଭ କରିଥିଲେ । କବିବର ରାଧାନାଥ ବଙ୍ଗଳା ପତ୍ରିକାରେ କେତୋଟି କବିତା ମଧ୍ୟ ଲେଖିଥିଲେ ଏବଂ ସେଥିଲାଗି ପରିଚିତ କେତେକ ବଙ୍ଗୀୟ ଲେଖକଙ୍କଠାରୁ ବହୁତ ପ୍ରଶଂସା ପାଉଥିଲେ । ମଧୁସୂଦନ ବ୍ରାହ୍ମ ଥିଲେ । କଲିକତା ସହର ହିଁ ସେହି ବିଶେଷ ଧର୍ମାଚାରଟିର ଗୋଟାପଣେ ପ୍ରେରଣାପୀଠ ହୋଇ ରହିଥିଲା । ଏବଂ, ସେନାପତି ଫକୀରମୋହନ ଆପଣାର ସର୍ବପ୍ରଥମ ସାହିତ୍ୟିକ କ୍ରିୟାଶୀଳତାରେ ବଙ୍ଗଳା ପତ୍ରିକାରେ ସଂପାଦକଙ୍କୁ ପତ୍ରଲେଖି ମଧ୍ୟ ପଠାଉଥିଲେ । ସେଗୁଡ଼ିକ ସମ୍ପୃକ୍ତ ପତ୍ରିକାମାନଙ୍କରେ ପ୍ରକାଶିତ ହେଉଥିଲା । ଅର୍ଥାତ୍, ପରେ ଓଡ଼ିଆ ସାହିତ୍ୟର ଏକାବେଳେକେ ଅନ୍ୟତମ ଚର୍ଚ୍ଚାମାନଙ୍କରେ ମଧ୍ୟ ଏହି ତିନି ରଥୀଙ୍କୁ ନେଇ ଯେକୌଣସି ଆଲୋଚନାର ପରିବେଷଣ ସମୟରେ ଆତ୍ମ ସ୍ଥାନୀୟ ଭୂମିରୁ ସେମାନେ ନିଜଲାଗି କେତେ କ'ଣ ବିହନ ଆଦୌ ସଂଗ୍ରହ କରିଛନ୍ତି କି ନାହିଁ ସେଦିଗଟିକୁ ଘାଣ୍ଟି ଦେଖିବା ପୂର୍ବରୁ ସେମାନଙ୍କର କଲିକତାଆଡ଼ୁ ସଂଗ୍ରହ କରି ଆଣିଥିବା ସୂତ୍ରଗୁଡ଼ିକର ଯେ ପ୍ରାୟ ଏକପାଖିଆ ହୋଇ ଅବତାରଣାଟିଏ କରାଯାଏ ଏବଂ ତାହାକୁ ହିଁ ସମୀଚୀନ ବୋଲି ମାନି ନିଆଯାଏ, ସେଥିରେ ଆମେ କେହିହେଲେ ମୋଟେ ଆଚମ୍ବିତ ହେଉନାହିଁ ।

 

କେବଳ ସାହିତ୍ୟରେ ନୁହେଁ, ଅନ୍ୟ ଯାବତୀୟ କ୍ଷେତ୍ରରେ ମଧ୍ୟ ଊନବିଂଶ ଶତାବ୍ଦୀର ସେହି ସମଗ୍ର ଉଦ୍‍ବେଳନର ବହୁ ଚକିତକାରୀ ସାମୂହିକ ନବୋନ୍ମେଷର କ୍ଷେତ୍ରରେ ବଙ୍ଗଳାରେ ମଧ୍ୟ ଅସଲ ବନ୍ୟା ଏବଂ ଅସଲ ଉତ୍ତେଜନାଗୁଡ଼ିକ ସେହି ପଶ୍ଚିମରୁ ଆସିଥିଲା । ଇଂରାଜ-ଶାସନକୁ ମାଧ୍ୟମ କରି କଲିକତା ସହରର ଜୀବନଟା ସତେଅବା କେତେ ନା କେତେ ଅଭାବନୀୟ ମାର୍ଗରେ ସଂକ୍ରାମିତ ହେବାରେ ଲାଗିଥିଲା । ନୂଆ ଶାସକମାନେ ହେଉଛନ୍ତି ସେହି ସିଆଡ଼ର, ସେମାନଙ୍କର ଶାସନଟା ଚାଲିବା ନିମନ୍ତେ ନୂଆ ପ୍ରକାରର ଶିକ୍ଷା,–ଶିକ୍ଷାର ବିଷୟମାନେ ମଧ୍ୟ ନୂଆ,–ଦେଶର ଜିଅନ୍ତା ଗ୍ରହଣଶୀଳ ମନଟା ଲାଗି ସତେଅବା ଟିକିଏ ଥିର ହୋଇ ନିଜର ବିବେକକୁ ଲଗାଇ ନିଷ୍ପତ୍ତିମାନ ଗ୍ରହଣ କରିବାକୁ ତର ହିଁ ସହୁନଥିଲା । ସେହି ପ୍ଲାବନ ତଥା ଆଲୋଡ଼ନକୁ ଆମେ ସଂପୃକ୍ତ ସମସ୍ତେ ବଙ୍ଗଦେଶରେ ଓ ବଙ୍ଗଦେଶର ବାହାରେ ରେନେସାଁସ୍ ବୋଲି କହୁଛୁ ଏବଂ ଏବେ ମଧ୍ୟ ସେହି ମୁଦ୍ରାଟିଦ୍ଵାରା ସେହି କାଳର ସବୁକିଛି ସିଧା ଠକ୍ କରି ବୁଝି ମଧ୍ୟ ଯାଉଛୁ । ପୁରୁଣାମାନେ ସତେଅବା ପାଦତଳେ ରହିଥିବା ଯୁଗଯୁଗର ମୂଳଦୁଆଗୁଡ଼ାକ ସମ୍ପୂର୍ଣ୍ଣ ଭାବରେ ଭୁଷୁଡ଼ି ପଡ଼ୁଥିବାର ନିଶ୍ଚୟ ଅନୁଭବ କରିଥିବେ । ସେମାନଙ୍କୁ ରକ୍ଷଣଶୀଳ ବୋଲି କହି ନୂଆ ହାଉଆର ପକ୍ଷଟା ତଥାପି ଯାହା ଏକ ନୂତନ ପୂର୍ଣ୍ଣବାର୍ତ୍ତା ନେଇ ଆସୁଛି, ତାହାକୁ ହିଁ ପରମ କାମ୍ୟବତ୍ ଗ୍ରହଣ କରି ନେଇଥିଲେ । ଯାହା ରହି ଆସିଥିଲା, ଏମାନେ ସେଗୁଡ଼ାକୁ ନାକ ହିଁ ଟେକିଥିବେ । ସତେଯେପରି, ସେମାନେ ଯେଉଁ ନୂଆ ଆକର୍ଷଣଗୁଡ଼ିକୁ ଅନୁଭବ କରୁଥିଲେ ଏବଂ ଉଲ୍ଲସିତ ଅନୁଭବ କରୁଥିଲେ, ଏଥର ତାହାରି ସମୟଟା ପ୍ରାୟ ବିଧିନିର୍ଦ୍ଦିଷ୍ଟ ଭାବରେ ଆସି ଉପଗତ ହୋଇଗଲା ବୋଲି ପୂର୍ଣ୍ଣ ସନ୍ତର୍ପଣରେ ସ୍ଵୀକାର କରି ନେଇଥିବେ ।

 

ଆମ ଓଡ଼ିଶାକୁ ସେତେବେଳେ ନୂଆ ବୋଲି ଯାହାକିଛି ଆସିଲା, ତାହା ସେହି କଲିକତାଆଡ଼ୁ ଆସିଲା । ବଙ୍ଗପ୍ରଦେଶରେ ସେତେବେଳେ ଯାବତୀୟ ତାତ୍ପର୍ଯ୍ୟରେ ରାଜା ରାମମୋହନ ଏବଂ ଋଷିର ଆଖ୍ୟାରେ ପରିଗଣିତ ବଙ୍କିମଚନ୍ଦ୍ରଙ୍କର ଯୁଗ । ଅଥଚ, ସେହି ପ୍ରଥମ ସଂପର୍କର ସେତୁଗୁଡ଼ିକ ଯେତେ ଆମ ଓଡ଼ିଶାଆଡ଼େ ପଡ଼ିଲା ସେତେବେଳେ ଏହି ଉଭୟଙ୍କର କୌଣସି ରଚନାକୁ ଓଡ଼ିଆରେ ଅନୁବାଦ କରିବା ସକାଶେ ଆମର ପୁରୋଗାମୀମାନେ ପ୍ରାୟ ଆଦୌ ମନ କରିନାହାନ୍ତି କାହିଁକି କେଜାଣି ? କେବଳ ଫକୀରମୋହନ ଏହି ଦିଗରେ ଏକ ପ୍ରୟୋଜନ ଅନୁଭବ କରିଛନ୍ତି । ଫକୀରମୋହନ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ଦୁଇଟି କୃତିର ଓଡ଼ିଆକୁ ଅନୁବାଦ କରିଛନ୍ତି । ସେହି ଅନୁବାଦ ଗୋଟିଏ ଗୋଟିଏ ପୂର୍ଣ୍ଣ ପୁସ୍ତକର ଆକୃତିରେ ସମ୍ଭବତଃ ଏପର୍ଯ୍ୟନ୍ତ କାହାରି ଆଖିରେ ପଡ଼ିନାହିଁ । ବିଦ୍ୟାସାଗରଙ୍କର ସେହି ମୂଳ ପୁସ୍ତକ ଦୁଇଟିର ନାମ ଜୀବନଚରିତ (୧୮୪୯) ଓ ଚରିତାବଳୀ (୧୮୫୬) । ଫକୀରମୋହନଙ୍କ ବିଷୟରେ ମୁଁ ଯେତେବେଳେ ସେହି କଥାଟିକୁ ଜାଣିବାକୁ ପାଇଲି, ସେତେବେଳେ ପ୍ରକୃତରେ କାହିଁକି ଟିକିଏ କେମିତି କେମିତି ଲାଗିଥିଲା । ଏବଂ, ସେଇଥିରୁ ହିଁ ବିଦ୍ୟାସାଗରଙ୍କୁ ଯଥାସମ୍ଭବ ନିକଟତର କରି ଜାଣିବାକୁ ଅର୍ଥାତ୍ ଅଧ୍ୟୟନ ତଥା ଆକଳନ କରିବା ନିମନ୍ତେ ଅଭିଳାଷଟିଏ ହୋଇଥିଲା । ସତେ ଯେପରି ଅଭ୍ୟସ୍ତ ଅନୁମାନସୂତ୍ରଗୁଡ଼ିକର କିଞ୍ଚିତ ବାହାରେ ବୋଲି ଅନୁଭବ ହେଲା । ତେଣୁ ଆକର୍ଷଣ ବୃଦ୍ଧି ପାଇଲା । ଯେତିକି ଯେତିକି ଅଧିକ ସଂଖ୍ୟାର ପୁସ୍ତକମାନଙ୍କରୁ ତାଙ୍କୁ ଜାଣିଲି, ତଥ୍ୟମାନଙ୍କଦ୍ଵାରା ଅଧିକ ପୁଷ୍ଟ ହେଲି, ବିଦ୍ୟାସାଗର ସତେଅବା ସେତିକି ଅଲଗା ପରି ଲାଗିଲେ ।

 

ରାଜା ରାମମୋହନ ରାୟ ଇଂରାଜୀ, ଫରାସୀ ସମେତ ଏକାଧିକ ଗ୍ରନ୍ଥ ଲେଖିଛନ୍ତି; ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ କେବଳ ଉପନ୍ୟାସ ବା ପ୍ରବନ୍ଧ ସାହିତ୍ୟ ଯେ ଲେଖିଛନ୍ତି, ତା' ନୁହେଁ, ସାମୂହିକ ତତ୍କାଳୀନ ଜାଗରଣଗୁଡ଼ିକରେ ମଧ୍ୟ ବହୁତ ପ୍ରେରଣାପ୍ରଦ ଭୂମିକା ଗ୍ରହଣ କରିଛନ୍ତି । ତଥାପି ରାମମୋହନଙ୍କୁ ଜଣେ ସମାଜ-ସଂସ୍କାରକ ଏବଂ ବଙ୍କିମଚନ୍ଦ୍ରଙ୍କୁ ଜଣେ ତୁଙ୍ଗ ଉଚ୍ଚତାର ସାହିତ୍ୟକାର କହିଲେ ସମସ୍ତେ ମୋଟାମୋଟି ସେମାନଙ୍କ ବିଷୟରେ ବୁଝିଯାଆନ୍ତି ସିନା,–କିନ୍ତୁ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କୁ ଆମେ ସେହିପରି କୌଣସି ଗୋଟିଏ ପରିଚୟରେ ସମ୍ବୋଧିତ କରିଦେଲେ ତଥାପି ତାଙ୍କ ବିଷୟରେ ସବୁକଥା କହି ଦିଆଗଲା ବୋଲି ଆଦୌ କାହିଁକି ମନେ ହୁଏନାହିଁ କେଜାଣି ? ସଂସ୍କୃତ ସାହିତ୍ୟରେ ଅଗାଧ ଅବଗାହୀ, ଶିକ୍ଷାର ପ୍ରୟୋଗରେ ସର୍ବଦା ହିଁ ଜଣେ ଅଗ୍ରଗାମୀ, ବିଧବାବିବାହର ଆନ୍ଦୋଳନରେ ପ୍ରାୟ ଏକମାତ୍ର ସେନାପତି, ଦାନରେ ଅତୁଳନୀୟ,–ଏବଂ ସର୍ବୋପରି, ଜୀବନର ନାନା ଔଜ୍ଜ୍ୱଲ୍ୟରେ ସିଏ କେତେ ନା କେତେ ଉପରକୁ ଉଠିଛନ୍ତି, କିନ୍ତୁ ତଳ ଛାଡ଼ିନାହାନ୍ତି । ଏକାଧାରରେ ଅସାଧାରଣ ଓ ସାଧାରଣ । ଜୀବନ ସହିତ ନିବିଡ଼ ଭାବରେ ବାନ୍ଧି ହୋଇ ରହିବାରେ ତାଙ୍କ ଭଳି ଏକାବେଳେକେ କିଏ ଏତେ ଭଳି ମଣିଷଙ୍କ ସହିତ ଆପଣାକୁ ନେଇ ସାମିଲ୍ କରିଛି ! ପୁଣି, ଭାରତବର୍ଷ କହିଲେ ପାରମ୍ପରିକ ଅର୍ଥରେ ଯାହାକିଛି ମୂଲ୍ୟସନ୍ତକକୁ ବୁଝାଏ, ସେଠାରେ ଈଶ୍ଵରଚନ୍ଦ୍ରଙ୍କର ପଟାନ୍ତର ଦ୍ଵିତୀୟ କେହି ନାହାନ୍ତି; ପୁନଶ୍ଚ, ନୂତନ ସମସାମୟିକତାର ଯାନଟି ଉପରେ ବସି ଇଉରୋପୀୟ ମୂଲ୍ୟବୋଧ ବୋଲି ସେ ଯାହାକିଛିର ପରିଚୟ ପାଉଥିଲେ, ସେଗୁଡ଼ିକୁ ମଧ୍ୟ ସେ କେଡ଼େ ଅକାତର ଭାବରେ ଗ୍ରହଣ ବି କରି ପାରୁଥିଲେ । ନ୍ୟାୟତଃ କୌଣସି ହୀନମନ୍ୟତା ନଥିଲା, କୌଣସି ଉଗ୍ରମନ୍ୟତା ମଧ୍ୟ ନଥିଲା । ମୁଗ୍ଧତା ନଥିଲା, ଘୃଣା ମଧ୍ୟ ନଥିଲା । ସମ୍ମାନ ଦେଇ ପାରୁଥିଲେ, ଆଦୌ ଲୁଚୁନଥିଲେ । କେଡ଼େ ବଡ଼ ବଡ଼ ପ୍ରତିପତ୍ତିସମ୍ପନ୍ନ ପଦସ୍ଥ ଭାରତୀୟଙ୍କ ତୁଳନାରେ ସର୍ବଦା ବିଦ୍ୟାସାଗର ହିଁ ଅଧିକ ଖାତିର ମଧ୍ୟ ପାଉଥିଲେ । ଏପରି ଯେ ପ୍ରାୟ ସବୁ ଅବସରରେ ହେଉଥିଲା, ତାହାର ଶ୍ରେୟ ଆମେ ଆଗ କାହାକୁ ଦେବା,–ସେହି ଗୋରା ଭୂମ୍ୟଧିକାରୀ ଶାସକମାନଙ୍କୁ ନା ସ୍ଵୟଂ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କୁ ?

 

ଏହିପରି ଭାବରେ ଯେତେ ଅଧିକ ଅଧ୍ୟୟନ ଏବଂ ଆଲୋକପାତଦ୍ଵାରା ବିଦ୍ୟାସାଗର ନାମକ ସେହି ପରିଚିତିଟିର ନିକଟତର ହେଲି, ମୁଁ ସେତିକି ସେତିକି ଆକର୍ଷିତ ହେଲି ଏବଂ ମାୟାରେ ପଡ଼ିଲି । ତାଙ୍କୁ ଜଣେ ନିରୋଳା ପୁଣ୍ୟାତ୍ମାପୁରୁଷ ବୋଲି ପୂଜା କରି ସିଏ ସତକୁସତ ଜଣେ ମହାନ୍ ଆତ୍ମା ବୋଲି କହିବାକୁ କ'ଣ ପାଇଁ ଆଦୌ ଇଚ୍ଛା ହେଲାନାହିଁ । ବରଂ ଅଧିକ ଏବଂ ଅଧିକ କତିକୁ ଆସିବାକୁ ଏକ ନିତାନ୍ତ ମନୁଷ୍ୟସୁଲଭ ଅଭିଳାଷ ମୋ' ଭିତରେ ସାହସର ଉଦ୍ରେକ କରାଇଥିଲା । ମଧୁବାବୁଙ୍କର ସେହି ଲେଖାଟିରୁ ପିଲାଦିନେ ଯେତିକି ପଢ଼ିଥିଲି, ସେଥିରୁ ପାଠ୍ୟପୁସ୍ତକର ଗୋଟିଏ ବିଷୟରୂପେ ହିଁ ତାଙ୍କୁ ସେତିକି ନିତାନ୍ତ ଝାପ୍‍ସା ଭାବରେ ଏକ ପ୍ରୟୋଜନବଶତଃ ସ୍ମରଣରେ ରଖିଥିଲି । କିନ୍ତୁ ଏବେ ଯାଇ ସତକୁସତ ସମଗ୍ର ପର୍ବତଟିକୁ ଦେଖିବାର ସୁଯୋଗ ଲାଭ କଲି । ସିଏ ବଙ୍ଗଳାରେ ଜନ୍ମ ହୋଇଥିଲେ ଏବଂ ତତ୍କାଳୀନ ଉଦ୍ୟମଗୁଡ଼ିକର କ୍ଷେତ୍ରରେ ଅତୁଳନୀୟ ଦକ୍ଷତାର ପରିଚୟ ଦେଇଥିଲେ,–ଏଇଟା ଆଉ ମନେ ରହିଲାନାହିଁ । ବସ୍ତୁତଃ ପାଖରେ ପାଇଲେ ଆଉ ଭଳି ଭଳି ସୀମାସନ୍ତକ ଦେଇ ମନେ ରଖିବାକୁ ବୋଧହୁଏ ଅବକାଶ ରହେନାହିଁ ।

 

ଏବେଯାଏ ମଧ୍ୟ ଓଡ଼ିଆ ଭାଷାରେ ମନବୋଧ ହୋଇ ପାରିବାପରି ବିଦ୍ୟାସାଗରଙ୍କ ଜୀବନୀପୁସ୍ତକଟିଏ ଲେଖା ହୋଇନାହିଁ । ସେପାଖରେ ବଙ୍ଗଳା ହେଉଛି ଓଡ଼ିଶାର ପଡ଼ିଶା ଏବଂ ଏପାଖରେ ଆମେ ଓଡ଼ିଶାରେ ବଙ୍ଗଳାର ପଡ଼ିଶା ଏବଂ ମଝିରେ ମେଦିନୀପୁର ଜିଲ୍ଲା । ସେହି ଜିଲ୍ଲାର ବୀରସିଂହ ଗ୍ରାମରେ ଈଶ୍ଵରଚନ୍ଦ୍ରଙ୍କର ଜନ୍ମ । ତାଙ୍କର କେତେକ ଜୀବନୀଗ୍ରନ୍ଥରୁ ଜାଣି ହେଉଛି ଯେ ତାଙ୍କୁ ପ୍ରାୟ ପ୍ରୌଢ଼ ବୟସ ହେବା ପର୍ଯ୍ୟନ୍ତ ଏକାଧିକ ଅବସରରେ ବହୁ ତୁଣ୍ଡରେ ତାଙ୍କୁ 'ଉଡ଼େ' ବୋଲି କହି ବିଦ୍ରୂପ-ସମ୍ଭାଷଣ କରାଯାଉଥିଲା ଏବଂ ଯୋଗକୁ ସ୍ଵୟଂ ବିଦ୍ୟାସାଗର ମଧ୍ୟ ସେଥିରେ ବିଚଳିତ ନହୋଇ ଆହ୍ଲାଦରେ ହିଁ ସମ୍ବୋଧନଟିକୁ ଗ୍ରହଣ କରି ନେଉଥିଲେ । ତେଣୁ, କ'ଣ ସତକୁସତ ଏକ କାରଣ ଅଛି, ଯେଉଁଥିପାଇଁ ଓଡ଼ିଆ ଭାଷାରେ ତାଙ୍କର ଜୀବନୀଟିଏ ଲେଖାହୋଇ ପାରିନାହିଁ ! କେବଳ କେତେଜଣ ଶିଶୁହିତୈଷୀ ଲେଖକ ଉପଭୋଗ୍ୟ ତଥାକଥିତ ମହାନ୍ ବ୍ୟକ୍ତିମାନଙ୍କର ଜୀବନରୁ ପିଲାମାନଙ୍କର ସ୍ମୃତିରେ ସୁମାରି କରି ରଖିବାକୁ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ଜୀବନକଥାକୁ ନେଇ କିଛି ଲେଖିବାକୁ ଶ୍ରଦ୍ଧା କରିଛନ୍ତି । କିନ୍ତୁ ମୁଖ୍ୟତଃ ସେହି ଶିଶୁ ଅଥବା କିଶୋରମାନଙ୍କର ହଜମ ହେଲାଭଳି ।

 

ଖାଲି ବହିମାନଙ୍କରେ ନୁହେଁ, ଲୋକମାନଙ୍କର ମୁଖରେ ମଧ୍ୟ କେତେ କେତେ କାହାଣୀ ସଂପୃକ୍ତ ପାଠକମଣ୍ଡଳୀମାନଙ୍କୁ ବିଶେଷ ଭାବରେ ମୁଗ୍ଧ କରି ରଖିବାକୁ ବେଶ୍ ପ୍ରୟାସ କରି ଆସିଛି-। ତେଣେ, ତଥ୍ୟ ପରେ ତଥ୍ୟକୁ ସଂଗ୍ରହ କରି ଆଣି ବରେଣ୍ୟ ଜୀବନୀଲେଖକମାନେ ତାହାରିଦ୍ଵାରା ହିଁ ଆମକୁ ପୋତି ପକାଇବା ନିମନ୍ତେ ଚେଷ୍ଟା କରିଛନ୍ତି । ପ୍ରସ୍ତୁତ ପୁସ୍ତକଟିରେ ନିଶ୍ଚୟ ତଥ୍ୟ ରହିଛି, ମାତ୍ର ତଥ୍ୟ ପରିବେଷଣକୁ ହିଁ ମୁଖ୍ୟତଃ ଅଭିପ୍ରାୟ କରି ଧରି ସେପରି ମୋଟେ କରା ଯାଇନାହିଁ-। ଏବଂ, ଅନ୍ଦାଜ କରାଯାଇ ପାରୁଥିବା ସର୍ବବିଧ ନ୍ୟାୟରେ, ସକଳ ତଥ୍ୟର ନାୟକରୂପେ, ଆଗରେ ଜଣେ ବ୍ୟକ୍ତି ହିଁ ରହିଛି : ବାଟ ଚାଲୁଛି, ପାହାଚ ପାହାଚ ହୋଇ ରହିଥିବା ସମ୍ଭାବନାଚୟକୁ ବାସ୍ତବରୂପେ ପ୍ରକଟ କରିନେଉଛି । କେବଳ ତଥାକଥିତ ନିଜର ପ୍ରୀତ୍ୟର୍ଥେ ନୁହେଁ, ସତେଅବା ସମଗ୍ର ଜଗତର କୌଣସି ପ୍ରତୀକ୍ଷିତ ଇଚ୍ଛାପୂରଣ ଲାଗି ସବୁକିଛି କରୁଛି । କାହାର ନିମିତ୍ତବତ୍ ହୋଇପାରିଛି ବୋଲି ଏତେ ଏତେ ବଳ ସତକୁସତ ପାଉଛି ଏବଂ ଏତେ ଏତେ ସାହାସ କରିପାରୁଛି । ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ସେହିଭଳି ଏକ ନିମିତ୍ତର ଜୀବନକୁ ବଞ୍ଚିବାଲାଗି ପୃଥିବୀକୁ ବିଧାତାଙ୍କର ଆଦେଶଟିଏ ବହନ କରି ଆସିଥିଲେ କି ? ଖୁବ୍ ସଂଗ୍ରାମ ଓ ସଂଘର୍ଷ କଲେ-। ଏତେ ବଳ ସେ କେଉଁଠାରୁ ପାଇଥିଲେ କେଜାଣି ? ଜୀବନର ଅଧିକ ମାର୍ଗ ତାଙ୍କୁ ପ୍ରାୟ ଏକୁଟିଆ ସଂଘର୍ଷ କରିବାକୁ ହେଲା । ରୀତିମତ ଏକ ସ୍ରୋତ ବିରୁଦ୍ଧରେ ସଂଘର୍ଷ । ପ୍ରତିଷ୍ଠିତଟି ସହିତ ଏକ ସଂଘର୍ଷ ବଳରେ ଏକ ଅନ୍ୟ ଦିଗ୍‍ବଳୟର ଉନ୍ମୋଚନ, ଏକ ଅନ୍ୟ ସାମାଜିକ ବିବେକର ପ୍ରତିଷ୍ଠା ଲାଗି ସିଏ ଏହି ଦେଶନାମକ ନିୟତିଠାରୁ ଅଭୟ ପାଇ ଏକଦା ଆସି ଏଠାରେ ଜୀବନଟିଏ ବଞ୍ଚିଲେ,–ଆଗାମୀ ଅନେକ ଅନେକ ଅବିଶ୍ଵାସକୁ ପୂରାପଣେ ଚାକ୍ଷୁଷ କରି ଆଣିଲେ-। ଆମେ ସେହି ବ୍ୟକ୍ତିଟିକୁ ଖୋଜିବା । ଆମେରିକାର ରାଲ୍‍ଫ୍ ୱାଲ୍ଡୋ ଏମର୍‍ସନ ଏକଦା ଯେଉଁ representative menଙ୍କ କଥା କହିଥିଲେ, ତାହାରି ଅନ୍ଵେଷଣ କରିବା-। ଏକ ସମୁଚିତ ଜୀବନୀ-ପୁସ୍ତକ ସଚରାଚର ତାହାହିଁ କରିବାଲାଗି ପ୍ରୟାସ କରିଥାଏ । ଦୃଷ୍ଟାନ୍ତପୁରୁଷମାନଙ୍କୁ ଆମର ବୋଧଗମ୍ୟ ହୋଇ ପାରୁଥିବା ଏକ ବିନ୍ୟାସରେ ଆମ ସମ୍ମୁଖରେ ଉତ୍ତୋଳିତ କରି ଧରିବାକୁ ଚେଷ୍ଟା କରୁଥିବା ବେଳେ ତାହା ଆମ ଭିତରେ ଅନେକ ଅନାବିଷ୍କୃତ ବ୍ୟକ୍ତି-ପରିଚୟର ଉଦବୋଧନ ନିମନ୍ତେ ଆମକୁ ଉଦ୍‍ବୋଧକ ଆଣିଦିଏ । ଆମେ ନିଜର ମଧ୍ୟ ଅଧିକରୁ ଅଧିକ କତି ହୋଇ ଆସୁଥିବା ପରି ଅନୁଭବ କରୁଥାଉ ।

☆☆☆

 

-୨-

Unknown

ଅଙ୍କୁରୋଦ୍‍ଗମର କାଳ

 

ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ବଂଶନାଆଁ ହେଉଛି ଈଶ୍ୱରଚନ୍ଦ୍ର ବନ୍ଦୋପାଧ୍ୟାୟ । ଖାଣ୍ଟି ବ୍ରାହ୍ମଣ ବଂଶରେ ଜାତ ହୋଇଥିଲେ ସେ । ତାଙ୍କ ବଂଶର ମଉରସୀ ବାସସ୍ଥାନ ଥିଲା ବନମାଳିପୁର-। ମେଦିନୀପୁର ଜିଲ୍ଲାରେ । ତାଙ୍କ ବାପାଙ୍କ ବାପାଙ୍କ ବାପା ଭୁବନେଶ୍ୱର ବିଦ୍ୟାଳଙ୍କାର-। ବିଦ୍ୟାଳଙ୍କାରଙ୍କର ପାଞ୍ଚ ପୁଅ । ଯୌଥ ପରିବାରର ଆନନ୍ଦ ତଥା ଯୌଥ ପରିବାରଗୁଡ଼ିକର ସମସ୍ୟା । ଘରର କର୍ତ୍ତାଙ୍କର ଇହଧାମତ୍ୟାଗ ସହିତ ବଡ଼ ଦୁଇପୁଅଙ୍କ ହାତରେ ପ୍ରାୟ ସବୁଯାକ କର୍ତ୍ତୃତ୍ୱର ରଜ୍ଜୁ । ଏବଂ, ସେଥିରୁ ନାନାବିଧ ଅମେଳ, ଖିଟ୍‍ଖିଟ୍‍,–ବୁଝାମଣାର ଅଭାବ ଏବଂ ଦୂରତାର ସୃଷ୍ଟି । ମଝିଆଁ ଭାଇ ରାମଜୟଙ୍କ ଚିତ୍ତ ସମ୍ଭବତଃ ସେଇଥିରେ ବିରକ୍ତ ହୋଇ ଉଠିଥିଲା ଏବଂ ତାହାରିଦ୍ୱାରା ସଂସାର ପ୍ରତି ବୈରାଗ୍ୟ ଜାତ ହେଲା ଓ ସେ ଘର ଛାଡ଼ି ନିରୁଦ୍ଦେଶ ହେଲେ-। ତାଙ୍କର ପତ୍ନୀ ଏବଂ ଦୁଇପୁତ୍ରଙ୍କୁ ପରିତ୍ୟାଗ କରି ଚାଲିଗଲେ ।

 

ପତିତ୍ୟକ୍ତା ଦୁର୍ଗା ଏପରି ଅବଲମ୍ବନହୀନ ଭାବରେ ଶ୍ୱଶୁର ଘରେ ଆଉ କିଭଳି ଓ କେତେଦିନ ଶାନ୍ତିରେ ରହି ପାରିଥାନ୍ତେ ? ଯାଆମାନଙ୍କର ତଡ଼ନା ମଧ୍ୟ ବୃଦ୍ଧି ପାଉଥିଲା । ସିଏ ବାପଘର ଚାଲିଯିବା ପାଇଁ ସ୍ଥିର କଲେ । ସେହି ଜିଲ୍ଲାର ବୀରସିଂହ ଗ୍ରାମକୁ । ସାଙ୍ଗରେ ଦୁଇ ପୁଅ ଏବଂ ଚାରିଜଣ ଝିଅ । ବଡ଼ ପୁଅର ନାମ ହେଉଛି ଠାକୁର ଦାସ । ବାପା ଉମାପତି ତର୍କାଳଙ୍କାର, ସମ୍ପୂର୍ଣ୍ଣ ଭାବରେ ଜରାଗ୍ରସ୍ତ । ଅସଲ କର୍ତ୍ତୃତ୍ୱ ବଡ଼ପୁଅ ଓ ତା'ର ସହଧର୍ମିଣୀଙ୍କ ହାତରେ । ସଂସାରର ଆଚାରଦ୍ୱାରା ବାଧ୍ୟ ହୋଇ ସିନା ସେମାନେ ଏହି ନବାଗତମାନଙ୍କୁ ଘରେ ସ୍ଥାନ ଦେଇଥିଲେ । କେତେଦିନ ଏହି ଅଧିକା ମନୁଷ୍ୟଗୁଡ଼ିକଙ୍କୁ ସଂସ୍ଥାନ ଯୋଗାଇବେ ! ବାହାରକୁ ହୁଏତ କିଛି ଜଣା ପଡ଼ୁନଥିଲା, କିନ୍ତୁ ଭିତରେ କ'ଣ ସବୁ ବେଶ୍‍ ଚାପି ହୋଇ ରହିଥିଲା । ବୁଢ଼ା ବାପା ସମାଧାନଟିଏ କରି ଝିଅ ଓ ତା' ପିଲାଙ୍କ ଲାଗି ଅଲଗା ଖଣ୍ଡେ ଘର ତିଆରି କରାଇ ଦେଇଥିଲେ । କଷ୍ଟେ ମଷ୍ଟେ ଅଲଗା ସଂସାରଟି ଗଢ଼ି ଉଠିଲା । ମାଆ ଅରଟରେ ସୂତା କାଟିଲେ, କିଛି ଅନ୍ନବ୍ୟବସ୍ଥାର ଯୋଗାଡ଼ କରିପାରିଲେ । ହଁ, ବାପା ମଧ୍ୟ ବେଳେ ବେଳେ କିଛି ଅର୍ଥ ସହାୟତା କରୁଥିଲେ । କିନ୍ତୁ ତାହା କିପରି ବା କୁଳେଇ ପାରନ୍ତା ? ପୁଅ ଠାକୁରଦାସଙ୍କୁ ଇତି ମଧ୍ୟରେ ଚଉଦ ପନ୍ଦର ବର୍ଷ ବୟସ ହୋଇଗଲା । ସେ ସ୍ଥିର କଲେ କଲିକତା ଯିବେ, ରୋଜଗାରର ଯୋଗ୍ୟ ହେବେ ଏବଂ ତାହାରିଦ୍ୱାରା ହୁଏତ କିଛି ସମ୍ଭବ ହେବ ।

 

କଲିକତା ଆସି ଜଣଙ୍କ ଘରେ ଆଶ୍ରୟ ପାଇଥିଲେ । ତଥାପି ଗାଆଁରେ ଥିବା ଅନ୍ୟମାନଙ୍କର ଗୁଜରାଣ ପାଇଁ ତ କିଛି ପଠାଇବାକୁ ହିଁ ହେବ ! ଏକମାତ୍ର ବାଟ ହେଉଛି, କିଛି ଇଂରାଜୀ ଭାଷା ଶିକ୍ଷା କରିବେ, ତା'ପରେ କାହା ଦୋକାନରେ ଯାଇ ହିସାବ ଦେଖିପାରିବେ । ଆଶ୍ରୟଦାତାଙ୍କର ସାହାଯ୍ୟରେ ତାଙ୍କ ଇଂରାଜୀ ଶିକ୍ଷାର ଏକ ବନ୍ଦୋବସ୍ତ ହୋଇଗଲା । ସନ୍ଧ୍ୟାପରେ କାହାପାଖକୁ ଯିବେ ଏବଂ ଶିକ୍ଷାଲାଭ କରିବେ । ତେଣୁ ଫେରୁ ଫେରୁ ଅଧିକାଂଶ ସମୟରେ ଢେର ରାତି ହୋଇଯାଏ । ସେତେବେଳେ ବାହାର ଲୋକଙ୍କ ଖାଇବା ସରିଥାଏ ଏବଂ ତେଣୁ ବିନା ଆହାରରେ ରହିବାକୁ ହୋଇଥାଏ । ମାଗଣାରେ ରହିବା, ମାଗଣାରେ ଖାଇବା,–ତେଣୁ ଅଭିଯୋଗ କାହାକୁ କରନ୍ତେ ! ଭାଗ୍ୟକୁ ଆଉ ଜଣେ ବଦାନ୍ୟ ବ୍ୟକ୍ତି ମିଳିଥିଲେ । କଥା ହେଲା ଯେ ଠାକୁରଦାସ ତାଙ୍କରି ଘରେ ରହିବେ ଓ ହାତରେ ରାନ୍ଧି ଖିଆପିଆ କରିବେ । ଗୃହସ୍ୱାମୀଙ୍କର ନିୟମିତ ରୋଜଗାର ବିଶେଷ କିଛି ନଥିଲା ଏବଂ ତେଣୁ ସେ ଏହି ବାଳକଟିକୁ ପ୍ରଥମେ କିଛି ପଇସା ଦେବାକୁ ଆଦୌ ସମର୍ଥ ହେଉନଥିଲେ । ତେଣୁ ପୁନର୍ବାର ସେହି ଅନାହାରରେ କାଳ କଟାଇବାର ଦୁର୍ଦ୍ଦଶା । ତାଙ୍କ ପାଖରେ ପିତଳଥାଳୀ ଏବଂ ସାନ ଢାଳଟିଏ ସମ୍ବଳରୂପେ ଯାହା ରହିଥିଲା, ତାହାକୁ ସିଏ ବିକି କିଛି ଧନ ସଂଗ୍ରହ କରିବାକୁ ଚେଷ୍ଟା କଲେ,–ମାତ୍ର ଏହି ଛାର ପଦାର୍ଥଗୁଡ଼ିକକୁ ଜଣେ ଅଜଣା ମନୁଷ୍ୟଠାରୁ କିଣିବା ସକାଶେ କୌଣସି ଦୋକାନୀ ରାଜି ହେଲେନାହିଁ ।

 

ଏହିପରି ଦିନକର ଦି'ପହରର ଖରାରେ ଠାକୁରଦାସ ଖାଲିପେଟରେ ରାସ୍ତାରେ ଯାଉଥାନ୍ତି,–ତାଙ୍କୁ ଭାରି ଶୋଷ ହେବାରୁ ଗୋଟିଏ ଦୋକାନ ପାଖରେ ଯାଇ ଠିଆ ହୋଇ ରହିଲେ-। ଦୋକାନରେ ବସିଥିବା ମହିଳା ଜଣଙ୍କ ତାଙ୍କ ପଇତାରୁ ତାଙ୍କୁ ବ୍ରାହ୍ମଣଘରର ପିଲା ବୋଲି ଚିହ୍ନିଲେ । ତାଙ୍କୁ କିଛି ଉଖୁଡ଼ା ଓ ପାଣି ଆଣି ଦେଲେ । ସିଏ ଯେପରି ବିକଳ ହୋଇ ଉଖୁଡ଼ାଗୁଡ଼ିକୁ ପାଟି ଭିତରକୁ ପକାଇ ଦେବାରେ ଲାଗିଥାନ୍ତି, ସେଥିରୁ ମହିଳା କ'ଣ ଅନୁମାନ କଲେ କେଜାଣି, ସେ ସକାଳୁ କ'ଣ କିଛି ଖାଇନାହାନ୍ତି ବୋଲି ପ୍ରଶ୍ନଟିଏ କଲେ । ଏବଂ, ସବୁ ଜାଣି ପାଖ ଦୋକାନରୁ ଦହି କିଛି ମଧ୍ୟ ଆଣିଦେଲେ । ଠାକୁରଦାସ ଉଦରଶାନ୍ତି କରିଥିଲେ । 'ଯେଉଁଦିନ ଦରକାର ହେବ ସେଦିନ ଏଠାକୁ ଆସି ଜଳଯୋଗ କରିଯିବ ।' –ମହିଳା ଏହିପରି କହି ତାଙ୍କୁ ବିଦାୟ ଦେଲେ-

 

ତାଙ୍କର ତ ଏହିପରି କିଛି ଚଳି ବି ଯାଉଥିଲା, ମାତ୍ର ତେଣେ ଗାଆଁରେ ଅନ୍ୟମାନେ କିପରି ଦିନ କାଟୁଥିବେ, ଠାକୁରଦାସ କଳ୍ପନା କରିବା ମାତ୍ରକେ ଖୁବ୍‍ ଅଧିର ହୋଇ ପଡ଼ୁଥିଲେ । ଆଶ୍ରୟଦାତାଙ୍କ ପାଖରେ ଅନୁନୟ କରି ଗୋଟିଏ ଚାକିରି ସ୍ଥିର କଲେ । ମାସିକ ବେତନ ଦୁଇଟଙ୍କା-। ହଁ, ସ୍ଥିର କଲେ, ସେ ଏଥିରୁ ନିଜପାଇଁ ମୋଟେ କିଛି ଖର୍ଚ୍ଚ କରିବେନାହିଁ, ସମ୍ପୂର୍ଣ୍ଣ ପରିମାଣଟିକୁ ଗାଆଁକୁ ପଠାଇ ଦେଉଥିବେ । ସେତିକିବେଳେ ଆଉ ଏକ ମୀମାଂସାକାରୀ ଘଟଣାଟାଏ ଘଟିଲା-। ସାତ ଆଠବର୍ଷ ପରେ ପିତା ରାମଜୟ ପୁନର୍ବାର ପାରିବାରିକ ସଂସାରକୁ ଲେଉଟି ଆସିଥିଲେ-। ଦ୍ୱାରକା ଏବଂ ବଦ୍ରୀନାଥ ଆଦି ବହୁ ତୀର୍ଥ ଦର୍ଶନ କରି ଫେରିଥିଲେ । ସେଇଠାରୁ ହିଁ ଏହି ବୀରସିଂହ ଗ୍ରାମରେ ହିଁ ସେମାନଙ୍କର ସମ୍ପୂର୍ଣ୍ଣ ସଂସାରଟିର ଡେରା ପଡ଼ିଥିଲା । ରାମଜୟ ଜଣେ ଅତ୍ୟନ୍ତ ସାହସୀ ପୁରୁଷ ଥିଲେ । ତାଙ୍କର ସମ୍ପୂର୍ଣ୍ଣ ନାମଟି ହେଉଛି ରାମଜୟ ତର୍କଭୂଷଣ । ଅତ୍ୟନ୍ତ ସ୍ପଷ୍ଟବାଦୀ, ଏକାବେଳେକେ ସିଧା ଏବଂ ରୋକ୍‍ଠୋକ୍‍ । କିଛିଦିନ ସକାଶେ ଗ୍ରାମ ବୀରସିଂହରେ ଅତିବାହିତ କରି ଏବଂ ସ୍ୱସଂସାରଟି ଲାଗି ପ୍ରତ୍ୟୟଯୋଗ୍ୟ ମୂଳଦୁଆଟିଏ ପକାଇ ରାମଜୟ ମଧ୍ୟ କଲିକତାରେ ଯାଇ ପହଞ୍ଚିଲେ । ସେଠାରେ ନିଜର ଜଣେ ବନ୍ଧୁଙ୍କ ଘରେ ପୁଅ ଠାକୁରଦାସଙ୍କୁ ଆଣି ରଖାଇଦେଲେ । ଆଗଠାରୁ ଅଧିକ ଭଲ ଚାକିରିଟିଏ ମଧ୍ୟ ଯୋଗାଡ଼ ହୋଇ ଯାଇଥିଲା-। ବେତନ ମାସକୁ ଆଠଟଙ୍କା । ରହିବା ଏବଂ ଭୋଜନର ବ୍ୟବସ୍ଥା ବିନାଶୁଳ୍କରେ ତାଙ୍କରି ଘରେ-। ସେତେବେଳକୁ ଠାକୁରଦାସ ତେଇଶି ଚବିଶି ବର୍ଷର ହୋଇ ଯାଇଥିଲେ । ତାଙ୍କର ବିବାହ ମଧ୍ୟ ସେତିକିବେଳେ ହୋଇଗଲା । ପତ୍ନୀଙ୍କର ନାମ ଭଗବତୀ, ତାଙ୍କର ବାପା ହେଉଛନ୍ତି ରାମକାନ୍ତ ତର୍କବାଗୀଶ । ଭଗବତୀ ଦେବୀଙ୍କ ଗର୍ଭରୁ ପ୍ରଥମ ସନ୍ତାନଟି ଜାତ ହୋଇଥିଲା ୧୮୨୦ ମସିହା ସେପ୍ଟେମ୍ବର ମାସ ୨୬ ତାରିଖ ଦିନ । କଥାଟିଏ ଶୁଣିବାକୁ ମିଳେ ଯେ ସେହି ସନ୍ତାନଟିକୁ ଗର୍ଭରେ ଧାରଣ କରୁଥିବା ସମୟରେ ଭଗବତୀ ପ୍ରାୟ ଉନ୍ମାଦଗ୍ରସ୍ତ ହୋଇ ଯାଇଥିଲେ । ଯେତେ ଉପଚାର କରାଯାଉଥିଲେ ମଧ୍ୟ ଉନ୍ମାଦ ଯାଉନଥିଲା । ତାନ୍ତ୍ରିକ ପଣ୍ଡିତମାନଙ୍କୁ ପଚରା ଯିବାରୁ କୁଆଡ଼େ ଜାଣିବାକୁ ମିଳିଥିଲା ଯେ, ଗର୍ଭରେ ରହିଥିବା ପୁତ୍ରସନ୍ତାନଟି ଭୂମିଷ୍ଠ ହେବା ପରେ ଯାଇ ଏହି ରୋଗ ଛାଡ଼ିଯିବ । ସେମାନଙ୍କ ଭିତରୁ କେହି ଏପରି ଭବିଷ୍ୟବାଣୀ ମଧ୍ୟ କରିଥିଲେ ଯେ ଗର୍ଭରେ ଥିବା ଶିଶୁଟି ଜଣେ ଅସାଧାରଣ ମହାନ୍‍ ପୁରୁଷ ହେବ । ବିଧାତାଙ୍କର ଅପାର କରୁଣା ଯେ ପୁତ୍ରଟିର ଜନ୍ମ ହେବା ପରେ ମାଆଙ୍କର ରୋଗ ସତକୁସତ ଛାଡ଼ି ଯାଇଥିଲା ।

 

ପୁଅର ଜନ୍ମ ହେବା ସମୟରେ ଠାକୁରଦାସ ଘରେ ନଥିଲେ । କୌଣସି କାର୍ଯ୍ୟରେ ଆଉ ଗୋଟିଏ ଗ୍ରାମକୁ ଯାଇଥିଲେ । ସେଦିନ ମଙ୍ଗଳବାର, ସେଠାରେ ହାଟ ହୁଏ । ମଧ୍ୟାହ୍ନଭୋଜନ ପରେ ଠାକୁରଦାସ ସେହି ହାଟକୁ ଯାଇଥିଲେ । ସନ୍ଧ୍ୟାସୁଦ୍ଧା ଫେରି ଆସିଥାଆନ୍ତେ-। କିନ୍ତୁ ବାପା ରାମଜୟଙ୍କର ତର ସହିନଥିଲା । ସିଏ ଆପେ ସମ୍ବାଦଟିକୁ ପୁଅପାଖରେ ନେଇ ପହଞ୍ଚାଇବେ ବୋଲି ମନସ୍ଥ କରି ଘରୁ ବାହାରିଗଲେ । ପୁଅ ସହିତ ଅଧବାଟରେ ଭେଟ ହୋଇଥିଲା । ପୁଅକୁ କହିଲେ, ଘରେ ଗୋଟିଏ ଅଣ୍ଡିରା ବାଛୁରୀ ଜନ୍ମ ହୋଇଛି । ଏହି ଖବରଟା ଦେବାଲାଗି ବାପା ଅପେକ୍ଷା କରି ପାରିଲେ ନାହିଁ ଯେ, ବାପା ଅଧୀର ହୋଇ ଘରୁ ବାହାରି ଆସିଲେ ! ଅବଶ୍ୟ ଏକଥା ମଧ୍ୟ ସତ ଯେ ପ୍ରାୟ ସେହି ସମୟକୁ ତାଙ୍କ ଘରର ଗୋଟିଏ ଗାଈର ବାଛୁରୀ ହେବାର ଥିଲା । ଏବଂ, ଠାକୁରଦାସ ମଧ୍ୟ ଘରେ ପହଞ୍ଚି ପ୍ରଥମେ ଗୁହାଳଆଡ଼କୁ ବଙ୍କିଗଲେ ନୂଆ ବାଛୁରୀଟିକୁ ଦେଖି ଆସିବେ ବୋଲି । ଏତେବେଳେ ଯାଇ ବାପାଙ୍କ ମୁହଁରୁ ଅସଲ ସତକଥାଟି ବାହାରିଥିଲା । ସିଏ ହସି ହସି କହିଥିଲେ, ପୁଅରେ ତେଣେ ନୁହେଁ, ଏଣେ ଆମ ଘରଭିତରେ । ଏଣେ ମୋ' ସହିତ ଆ,–ଅଣ୍ଡିରା ବାଛୁରୀଟିକୁ ଦେଖାଇ ଦେବି-। ବାପାପୁଅ ଗୃହମଧ୍ୟକୁ ପ୍ରବେଶ କରିଥିଲେ । ସଦ୍ୟ ଭୂମିଷ୍ଠ ହୋଇଥିବା ପିଲାଟିଆଡ଼କୁ ଅଙ୍ଗୁଳିନିର୍ଦ୍ଦେଶ କରି ଦେଇଥିଲେ । ଏବଂ କହିଥିଲେ,–ଏଇ ଶିଶୁଟିକୁ ମୁଁ କାହିଁକି ଅଣ୍ଡିରା ବାଛୁରୀ ବୋଲି କହୁଛି ଜାଣିଛୁ-? ପିଲାଟି ଠିକ୍‍ ଅଣ୍ଡିରା ବାଛୁରୀ ପରି ଏକଜିଦିଆ ହେବ । ଯାହା ବୁଝୁଥିବ ସେଇଆ-। ମୋଟେ କାହାରି କଥା ସେ ଶୁଣିବ ନାହିଁ । ଯାହା କହିବ, ତାହାହିଁ କରିବ । ମୋଟେ କାହାରିକୁ ହେଲେ ଡରିବ ନାହିଁ । ଏବଂ, ତା'ପରେ ପୁଣି କହିଥିଲେ, ପିଲାଟି କ୍ଷଣଜନ୍ମା ହେବ, ଅପ୍ରତିଦ୍ୱନ୍ଦ୍ୱୀ ହୋଇ ବାହାରିବ । ଚତୁର୍ଦ୍ଦିଗରେ ନାଆଁ କରିବ, ଯଶ ଅର୍ଜିବ । ଏବଂ, ଦୟାର ଅବତାର ହେବ-। ଆମ ବଂଶର ନାଆଁ ରଖିବ । ତା' ନାଆଁ ରହିଲା ଈଶ୍ୱରଚନ୍ଦ୍ର ।

 

ରାମଜୟ ତର୍କଭୂଷଣଙ୍କର ପ୍ରଥମ ନାତି ଈଶ୍ୱରଚନ୍ଦ୍ର । ଏବଂ ଠାକୁରଦାସଙ୍କର ସର୍ବପ୍ରଥମ ପୁତ୍ର । ତାଙ୍କର ସର୍ବମୋଟ ସାତ ପୁଅ ଏବଂ ତିନୋଟି ଝିଅ ।

 

+ + + +

 

ଜୀବନର ସର୍ବପ୍ରଥମ କେତୋଟି ବର୍ଷ ଈଶ୍ୱରଚନ୍ଦ୍ରଙ୍କର ସେହି ବୀରସିଂହ ଗାଆଁରେ ହିଁ କଟିଥିଲା । ଅର୍ଥାତ୍‍ ସେହି ଗ୍ରାମଜୀବନର ପ୍ରଥମ ମାଟିଦ୍ୱାରା ହିଁ ତାଙ୍କ ଜୀବନବାଚୀ ପ୍ରାୟ ସବୁକିଛିର ମୂଳଦୁଆମାନ ନିର୍ମିତ ହୋଇଥିଲା । ଏବେ ତ ଯେଉଁମାନେ ବଡ଼ ବଡ଼ ଆଖିର ବିବିଧ ସ୍ୱପ୍ନମାନ ନେଇ ଗାଆଁରୁ ସହରଗୁଡ଼ିକୁ ଆସିଲେଣି, ସେମାନେ ଗାଆଁକୁ ଝୁରିହେବା ପରି କେତେ ଭଳି ଭାବାଳୁତାମାନ ପ୍ରକଟ କରୁଛନ୍ତି । ସମ୍ଭବତଃ ଗାଆଁକୁ ସତକୁସତ ଛାଡ଼ି ଆସିଛନ୍ତି ଏବଂ ସେହି କଥାଟିକୁ ସମସ୍ତଙ୍କଠାରୁ ଲୁଚାଇ ରଖିବାକୁ ହିଁ ଭାବପ୍ରବଣ ବିଳାପଗୁଡ଼ିକର ଅବତାରଣା କରିବାରେ ଏତେ ଅନୁରକ୍ତି ଦେଖାଉଛନ୍ତି । ଈଶ୍ୱରଚନ୍ଦ୍ରଙ୍କର ବାଲ୍ୟକାଳରେ ବ୍ୟାପାରମାନେ ଆଦୌ ସେତେ ବାଟ ଯାଇନଥିଲେ । ସେତେବେଳେ ମଧ୍ୟ ଗାଆଁରୁ କତିପୟ ବ୍ୟକ୍ତି ସହରରେ ଆବିର୍ଭୂତ ହେଉଥିଲେ ସିନା, କିନ୍ତୁ ଦୃଷ୍ଟିଗତ ସଂବେଦନାର ନାଡ଼ଗୁଡ଼ିକ ନିତାନ୍ତ ସ୍ୱାଭାବିକ ଭାବରେ ଗାଆଁସହିତ ହିଁ ଜଡ଼ିତ ହୋଇ ରହିଥିଲା । ସେହି ଗାଆଁରେ ଥିବା ପାଠଶାଳାମାନଙ୍କରେ ହିଁ ଗାଆଁପିଲାଙ୍କର ସର୍ବବିଧ ଖଡ଼ିଛୁଆଁ ହେଉଥିଲା । ଗାଆଁର ଅବଧାନ ହିଁ ସଂସାରକୁ ବାହାରିବାର ସର୍ବପ୍ରଧାନ ପ୍ରଚକ୍ଷୁମାନଙ୍କୁ ଯୋଗାଇ ଦେଉଥିଲେ । ଏବଂ ସେହି ନିୟମରେ ଈଶ୍ୱରଚନ୍ଦ୍ରଙ୍କର ପ୍ରଥମ ବିଦ୍ୟାଶିକ୍ଷା ବୀରସିଂହ ଗ୍ରାମର ଚାଟଶାଳୀରେ ହେଲା । ଶାସ୍ତ୍ରୋକ୍ତି ଅନୁସାରେ ପ୍ରଥମ ପାଞ୍ଚବର୍ଷର ପାରିବାରିକ ଲାଳନ ପରେ ସେ ଆସି ପାଠଶାଳାରେ ଭର୍ତ୍ତି ହେଲେ । ପାଠପଢ଼ାରେ ଈଶ୍ୱରଚନ୍ଦ୍ରଙ୍କର ସର୍ବଦା ମନ ଲାଗୁଥିଲା ସତ, କିନ୍ତୁ ଶାଠଗୁଡ଼ିକର କ୍ଷେତ୍ରରେ ମଧ୍ୟ ସିଏ ଅତ୍ୟନ୍ତ ଯୁଗପତ୍‍ ଭାବରେ ବାରି ହୋଇ ପଡ଼ିଲେ । ପ୍ରାୟ ଗୋଟା ଗାଆଁଟି ସକାଶେ ସେ ବହୁ ଉତ୍ପାତ ତଥା ଅଭାବନୀୟ ଉପଦ୍ରବର କାରଣ ହୋଇ ରହୁଥିଲେ । ଗାଆଁର ବାରି ଏବଂ ତୋଟାରେ ଥିବା ଫଳ ତାଙ୍କର ଅତ୍ୟାଚାରରୁ ମୁକ୍ତ ରହୁନଥିଲା । ଯେତେ ଜାଗ୍ରତ ହୋଇ ରହୁଥିଲେ ମଧ୍ୟ ଗ୍ରାମବାସୀ ତାଙ୍କ କବଳରୁ ନିସ୍ତାର ପାଉନଥିଲେ । ଗାଆଁର ଲୋକମାନେ ଯେଉଁଠି ଲୁଗାପଟା ଖରାରେ ଶୁଖାଇବାକୁ ନେଉଥିଲେ, ଗୁଣବନ୍ତ ଈଶ୍ୱରଚନ୍ଦ୍ର କ'ଣ ସବୁ ମଜା ଉପଲବ୍ଧ ହେବ ଭାବି ହୁଏତ କାଠି ସାହାଯ୍ୟରେ ମନୁଷ୍ୟର ମଳକୁ ନେଇ ସେଗୁଡ଼ିକରେ ବୋଳି ଦେଇ ଆସୁଥିଲେ । କେବେ ଧାନବିଲ ବାଟେ ଯାଉଥିବା ସମୟରେ ଈଶ୍ୱରଚନ୍ଦ୍ରଙ୍କର ଖିଆଲ ଭିତରେ କ'ଣ ସବୁ ଆସି ପ୍ରବେଶ କରୁଥିଲା କେଜାଣି, ଶିଂଷା ସମେତ କିଛି କଞ୍ଚାଧାନକୁ ଗଛରୁ ଦୁହିଁ ଆଣି ପାଟିମଧ୍ୟକୁ ପକାଇ ଦେଉଥିଲେ,–କେତେ କେଣ୍ଡା ଧାନକୁ ଛିଣ୍ଡାଇ ପକାଇ ମାଟି ଉପରକୁ ବି ଫିଙ୍ଗି ଦେବାରେ ଲାଗି ଯାଉଥିଲେ । ଥରେ ଦୁଇଥର ଧାନର ଶିଂଷା ତଣ୍ଟିରେ ମଧ୍ୟ ଲାଗିଥିବ ଏବଂ ସେତେବେଳେ ବିପଦ ବି ଉପସ୍ଥିତ ହୋଇଥିବ । ଜେଜେମାଆଙ୍କୁ ତାଙ୍କ ପାଟିଭିତରେ ଆଙ୍ଗୁଠି ପୂରାଇ ଓ ଅଇ କରାଇ ତେବେ ଯାଇ ତାହାକୁ ବାହାର କରିବାକୁ ପଡ଼ିଥିବ । ପାଠରେ ଭଲ, ଭାରି ଆଗ୍ରହ, ଅଥଚ ଦୁଷ୍ଟାମିରେ ଆଦୌ କିଛି ବି କମ୍‍ ନୁହେଁ । କ୍ଷୁଦ୍ର ବାଳକ ଈଶ୍ୱରଚନ୍ଦ୍ର ତାଙ୍କର ସେହି ଯୁଗରେ ମଧ୍ୟ ଅନେକଙ୍କୁ ଭାରି ବିସ୍ମିତ କରି ପକାଇଥିବେ । ସଚରାଚର ଉତ୍ତମ ମଣିଷମାନେ ତ ଯିଏ ପାଠରେ ଭଲ, ସେହି ପିଲାକୁ ସୁଧୀର ବୋଲି ହିଁ କହିଥାଆନ୍ତି । ମାତ୍ର ଗୋଟିଏ ଗୋଟିଏ ପିଲାଙ୍କର ସ୍ୱଭାବରେ କ'ଣସବୁ ଆଖି ଏବଂ ଉପାଦାନ ରହିଥାଏ ଯେ, ସେମାନେ ପାଠରେ ଯେଉଁଭଳି, ଆଚରଣରେ ଆମ ବହୁତଙ୍କର ପ୍ରତ୍ୟାଶା ମୁତାବକ ଆଦୌ ସେଭଳି ପରିଚୟ ଦେଇ ପାରନ୍ତିନାହିଁ । ବଡ଼ ମଣିଷମାନଙ୍କର ସବୁଯାକ ଗଣିତକୁ ସତେଅବା ପାଣି ଫଟାଇ ଦେଇଥାଆନ୍ତି । ପୁନଶ୍ଚ, ଗୋଟିଏ ପିଲା ପାଠରେ ଆଗ୍ରହୀ ହେଲେ ଯେ ସ୍ୱଭାବରେ ଖଳ ହେବ ଓ ଖଳତା କରି ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିବାରୁ ସମ୍ଭବତଃ କିଛି ମଜା ପାଇବ, ଏପରି ସୂତ୍ରଟିଏ ବାହାର କରି ନିଜର ମନକୁ ବୁଝାଇ ଦେବାର ପ୍ରକୃତରେ କୌଣସି ଅବକାଶ ମଧ୍ୟ ମିଳେନାହିଁ ।

 

ଏକ ଉଲ୍ଲେଖ ବି ରହିଛି, ପାଠଶାଳାକୁ ଯିବା ବାଟରେ ଗୋଟାଏ ଅଦଉତି କରି ଈଶ୍ୱରଚନ୍ଦ୍ର ସାହିର ଗୋଟିଏ ପରିବାରର ଦୁଇଜଣ ସ୍ତ୍ରୀଲୋକଙ୍କୁ ବିରକ୍ତ କରାଇବାର କାମନା କରି ପୂରା ଖୁରି ଖାଇବା ପରି ସେମାନଙ୍କର ଘର ସାମନାରେ ମଳମୂତ୍ର ତ୍ୟାଗ କରୁଥିଲେ ଏବଂ ବିଚାରୀ ଶାଶୁ ଏବଂ ବୋହୂ ଦୁଇଜଣଙ୍କୁ ତା'ପରେ ଜାଗାଟିକୁ ପରିଷ୍କାର କରିବାକୁ ହେଉଥିଲା । ଘର ଆଗଟାରେ ହିଁ ମଳମୂତ୍ର ପକାଇ ରଖିବାକୁ କିପରି କୌଣସି ସ୍ତ୍ରୀଲୋକର ଇଚ୍ଛା ମଧ୍ୟ ହୁଅନ୍ତା ! ଦିନେ ବୋହୂଟି ମନରେ ବହୁତ ରୋଷ ଜାତ ହେବାରୁ ସିଏ ଦୁଷ୍ଟ ପିଲାଟିକୁ ଭଲ କରି ପଦେ ଶୁଣାଇଦେବ ବୋଲି ମନସ୍ଥ କରି ତା' ମୁହଁ ଉପରେ ହିଁ ସାହସ କରି କହିଥିଲା–ହଇରେ ପୁଅ, ତୁ ପରା ବାହ୍ମୁଣଘରର ପିଲା, ତୁ ପ୍ରତିଦିନ ଇସ୍କୁଲକୁ ଯିବା ବାଟରେ ଘର ଆଗଟାକୁ ମଇଳା କରି ଚାଲିଯାଉଛୁ, ତୋତେ ସରମ ବି ମାଡ଼ୁନାହିଁ । ଯଦି ଆଉଥରେ ଏହିପରି କରୁ, ତେବେ ମୁଁ ତୋ' ଅବଧାନଙ୍କ ଆଗରେ ଯାଇ ନିଶ୍ଚୟ ସବୁ କହିଦେବି,–ତୋ' ଜେଜେମାଆଙ୍କୁ କହିଦେବି, ଶାସ୍ତି ଦିଆଇବି । ସେକଥା ଶୁଣି ଶାଶୁ ଆପତ୍ତି କରି ଉତ୍ତର କୁଆଡ଼େ ଦେଇଥିଲେ, ଥାଉ ବୋହୂ ଥାଉ, ଏ ପିଲାଟିକୁ ତୁ କେବେହେଲେ କିଛି କହିବୁ ନାହିଁ । ଏହି ପିଲାଟି ମୋଟେ ଅନ୍ୟ ଯିଏସିଏ ପରି ନୁହେଁ-। ତା'ର ଅଜା ବୈରାଗ୍ୟ ଆସିବାରୁ ବାରବର୍ଷ କାଳ ବାବାଜୀ ହୋଇ ଘର ଛାଡ଼ି ଚାଲି ଯାଇଥିଲେ, ତୀର୍ଥ ତୀର୍ଥ ବୁଲିଥିଲେ । ସାକ୍ଷାତ୍‍ ଋଷିତୁଲ୍ୟ ଥିଲେ । ମୁଁ ତାଙ୍କ ମୁହଁରୁ କେତେଥର ଶୁଣିଛି ଯେ ଏହି ପିଲାଟି ବଡ଼ ହୋଇ କେଡ଼େବଡ଼ ଜଣେ ମଣିଷ ହେବ । ବୋହୂ, ତୁ ଆଉ ତା' ଉପରେ କେବେହେଲେ ବିରକ୍ତ ହେବୁନାହିଁ । ତୁ ଥା', ମୁଁ ନିଜେ ଏହି ମଇଳାଟାକୁ ପରିଷ୍କାର କରିଦେଉଛି-। ହଁ, ପିଲାଟି ବଡ଼ ହେଉ, ତେବେ ଯାଇ ତୁ ତା'ର ପରିଚୟ ପାଇବୁ, ତାକୁ ଜାଣିବୁ ! ସାନ ଈଶ୍ୱରଚନ୍ଦ୍ର ସେତେବେଳେ ସେହିଠାରେ ଯଦି ଉପସ୍ଥିତ ରହିଥିବେ, ତେବେ ବୁଢ଼ୀଙ୍କର ଏକଥାଗୁଡ଼ିକୁ ନିଶ୍ଚୟ ଶୁଣିଥିବେ । ଏବଂ, ତାହା ଶ୍ରବଣ କରି ତାଙ୍କ ମନରେ କିଭଳି ପ୍ରତିକ୍ରିୟା ହୋଇଥିବ କେଜାଣି-!

 

ବାଳକ ଈଶ୍ୱରଚନ୍ଦ୍ରର ହାତଲେଖା ବଙ୍ଗଳା ଅକ୍ଷରଗୁଡ଼ିକ ମଧ୍ୟ କେତେ ସୁନ୍ଦର । ଅଦ୍‍ଭୂତ କିସମର ସ୍ମୃତି ଶକ୍ତି । ବଡ଼ମାନେ ସତକୁସତ ଭାରି ଅବାକ୍‍ ହୋଇ ଯାଇଥିବେ । ଆଗକୁ ଯାଇ ତା'ର ପୃଥିବୀଟି ନିଶ୍ଚୟ ଅନ୍ୟ ପ୍ରକାରର ହେବ ବୋଲି ଖୁବ୍‍ କଳ୍ପନା କରି ପାରୁଥିବେ ଓ ଖୁସି ହେଉଥିବେ । ସେହି ଗ୍ରାମ-ପାଠଶାଳାରେ ସିଏ ତିନିବର୍ଷ ପାଠ ପଢ଼ିଥିଲେ ତାଙ୍କୁ ଆଠବର୍ଷ ହେବାଯାଏ । ଦିନେ ଚାଟଶାଳୀର ମାଷ୍ଟ୍ରେ ଆଜ୍ଞା ବାପା ଠାକୁରଦାସଙ୍କୁ କହିଥିଲେ, ବାବୁଟିର ଏଠା ପାଠପଢ଼ା ସମାପ୍ତ ହୋଇଯାଇଛି । ଆପଣ ତାକୁ ସାଙ୍ଗରେ କଲିକତା ନେଇ ଯାଆନ୍ତୁ । ସେଠାରେ ସିଏ ଇଂରାଜୀ ଶିକ୍ଷା କରିବ, ଜୀବନରେ ଅଧିକ ଉନ୍ନତି କରିବ । ପରେ ସେ କଥାଟି ପଡ଼ିବା ମାତ୍ରକେ ମାଆ ଭଗବତୀ ଦେବୀ ଭୋ' ଭୋ' କାନ୍ଦିବାକୁ ଆରମ୍ଭ କଲେ । ସେପର୍ଯ୍ୟନ୍ତ ଗାଆଁର ଜଣେ ହେଲେ ପିଲା ପାଠ ପଢ଼ିବାକୁ କଲିକତା ଯାଇନଥିଲା । ବ୍ରାହ୍ମଣଘରର ପୁଅପିଲାମାନେ ସଧାରଣତଃ ସଂସ୍କୃତ ଟୋଲରେ ଯାଇ ପଢ଼ୁଥିଲେ । ବାହାରକୁ କେହି କେହି ଗଲେ ମଧ୍ୟ ସେସବୁ ସ୍ଥାନରେ ଥିବା ଟୋଲ୍‍ମାନଙ୍କରେ ହିଁ ଭର୍ତ୍ତି ହେଉଥିଲେ । ଜଣେ ଜଣେ ଜମିଦାରୀ ସିରସ୍ତାମାନଙ୍କୁ ବୁଝିବା ମୁତାବକ ଆପଣାକୁ ମଣ ବି କରୁଥିଲେ । ସେହି ସମୟରେ ରାମଜୟଙ୍କର ପରଲୋକ ହେଲା ଏବଂ ବାପାଙ୍କର ଅନ୍ତିମ କୃତ୍ୟଗୁଡ଼ିକୁ ସମ୍ପନ୍ନ କରି ଠାକୁରଦାସ ଯେତେବେଳେ କଲିକତା ବାହାରିଲେ, ପୁଅ ଈଶ୍ୱରଚନ୍ଦ୍ରକୁ ମଧ୍ୟ ସାଥିରେ ନେଇଗଲେ । ସାଙ୍ଗରେ ଆଉଜଣେ ଲୋକ । ବୀରସିଂହରୁ କଲିକତା ସମାନ ଦୁଇଦିନର ବାଟ । ପଦବ୍ରଜ ହିଁ ଏକମାତ୍ର ସାଧନ । ପଥ ଚାଲିବାରେ ପୁଅ ଯେତେବେଳେ ଥକି ଯାଉଥିବ, ସାଙ୍ଗରେ ଯାଉଥିବା ଏହି ଲୋକଟି ତାକୁ ଖଣ୍ଡେ ବାଟ କାନ୍ଧେଇ ନେଇ ପାରିବ । ହଁ, ଗ୍ରାମ ପାଠଶାଳାର ଶିକ୍ଷକ ମଧ୍ୟ ସେହି ଗହଣରେ ରହିଥିଲେ ।

 

ଗାଆଁ ରାସ୍ତା ଛାଡ଼ି ସମସ୍ତେ ପ୍ରଧାନ ରାସ୍ତାକୁ ଆସିବା ପରେ ମଝିରେ ମଝିରେ ରାସ୍ତାର ଗୋଟିଏ କଡ଼ରେ ପୋତା ହୋଇ ରହିଥିବା ଖାସ୍‍ ପଥରଗୁଡ଼ିକ ଉପରେ ହିଁ ବାଳକ ଈଶ୍ୱରଚନ୍ଦ୍ରଙ୍କର ଆଖି ପଡ଼ି ଯାଇଥିଲା । ପିଲାଟି କିଛି ଅନୁମାନ କରି ପାରୁନଥାଏ । ଶେଷକୁ ବାପାଙ୍କୁ ପଚାରି ଜାଣିଲେ ଯେ, ଏଗୁଡ଼ିକ ହେଉଛନ୍ତି ପଥର ଦୂରତାସୂଚକ ଗୋଟିଏ ଗୋଟିଏ ପଥର,–milestone: ଗାଆଁଲୋକେ କହୁଥିବା ଗୋଟିଏ କ୍ରୋଶ ହେଉଛି ଦୁଇ ମାଇଲ । ଆମର କ୍ରୋଶ, ଇଂରେଜମାନଙ୍କର ଦେଶରେ ମାଇଲ । ସେହି ମାଇଲଗୁଡ଼ିକର ହିସାବ ଦେବାପାଇଁ ପଥରମାନେ ପୋତା ହୋଇଛନ୍ତି । ଏବଂ, ସେହି ଅନୁସାରେ ପ୍ରଥମ ମାଇଲ୍‍ଟି ପରେ ଏକ ବୋଲି ଲେଖାହୋଇଛି; ତା'ପରେ ଦୁଇ, ଦୁଇ ପରେ ତିନି ଓ ସେହିପରି ଆଗକୁ ଆଗକୁ । ପୁଣି, ଦଶ ପରେ ଏଗାର ଏବଂ ବାର । ସେତେବେଳେ ଈଶ୍ୱରଚନ୍ଦ୍ର ତ ଇଂରେଜୀ ପଢ଼ିନଥିଲେ ଓ ତେଣୁ ଇଂରେଜୀରେ ଲେଖା ହୋଇଥିବା ସଂଖ୍ୟାଗୁଡ଼ିକୁ ଚିହ୍ନି ପାରୁନଥିଲେ । ସଂଖ୍ୟାର ଧାରଣା ସିନା କରି ପାରୁଥିଲେ ଓ ବଙ୍ଗଳା ଭାଷାରେ ସଂଖ୍ୟାଗୁଡ଼ିକୁ ଚିହ୍ନି ପାରୁଥିଲେ, କିନ୍ତୁ ବର୍ତ୍ତମାନ ଯାଇ ଇଂରେଜୀରେ ଲିଖିତ ସଂଖ୍ୟାଗୁଡ଼ିକୁ ଦେଖିବାର ସୁଯୋଗଟିଏ ଲାଭ କଲେ । ଭାରି ଖୁସି ହୋଇ ଯାଇଥିବେ, ପରେ ପରେ ପଥରମାନଙ୍କୁ ଭେଟି ସେ ଏକରୁ ନଅଯାଏ ବେଶ୍‍ ଦେଖିପାରିଲେ–ଏକରେ ନଅ ଊଣେଇଶି ବୋଲି ମଧ୍ୟ ଇଂରାଜୀ ସଂଖ୍ୟାସନ୍ତକଗୁଡ଼ିକରୁ ବାରି ବି ନେଲେ । କଲିକତା ପାଖ ହୋଇ ଆସୁଥାଏ;–ହଠାତ୍‍ ବାପାଙ୍କୁ ଅବାକ୍‍ କରିଦେଇ କହିଲେ, ବାପା, ମୁଁ ଇଂରାଜୀ ସଂଖ୍ୟାମାନଙ୍କୁ ପୂରା ଶିଖିଗଲି । ସେଦିନ ବାଳକ ଈଶ୍ୱରଚନ୍ଦ୍ର ତାଙ୍କ ବାପାଙ୍କୁ ନିଶ୍ଚୟ କେତେ ନା କେତେ ଆଡ଼କୁ ଭାବି ଯିବାନିମନ୍ତେ ଅବକାଶ ଆଣି ଦେଇଥିବେ । ହଁ, ଏହିପରି ପଥ ଅତିକ୍ରାନ୍ତ ହେଉ ହେଉ ୧୯ ସଂଖ୍ୟାଟିକୁ ଚିହ୍ନଟ କରି ଦେଉଥିବା ପଥରଟି ମଧ୍ୟ ପଡ଼ିଲା । ଈଶ୍ୱରଚନ୍ଦ୍ର ସତେଅବା ନୂଆ ସତ୍ୟଟିଏ ଆବିଷ୍କାର କରିଥିବା ପରି ବାପାଙ୍କୁ କହିଥିଲେ: ବାପା, ଏଠି ଯେଉଁ ଦୁଇଟି ସଂଖ୍ୟା ଏକାଠି ଲେଖାଯାଇଛି, ଏପାଖଟି ତ ଏକ ଓ ସେପାଖଟି ନଅ,–ତେବେ ଦୁଇଟିଯାକ ଏକାଠି ଏହିପରି ପାଖପାଖ ହୋଇ ଲେଖା ହୋଇଥିଲେ ସେଇଟି ତେବେ କ'ଣ ଊଣେଇଶି ? ବାପା ହଁ ବୋଲି କହିଥିଲେ । ଦୁଷ୍ଟ ଛୁଆଟା ବେଶୀ ବାହାଦୁରୀ କରି ମିଛ କଥା କହୁନାହିଁ ତ ! ସେ କିଞ୍ଚିତ୍‍ ଉପାୟ ପ୍ରୟୋଗ କରି ପୁଅର ପରୀକ୍ଷା ନେଲେ । ପୁଅ ସେହି ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଗଲା । ଏବଂ, ସେହି ବାଟ ଚାଲିବାର ଅବକାଶରେ ହିଁ ଈଶ୍ୱର ଖଣ୍ଡେ କାଗଜରେ ୧ ରୁ ୧୦ ଯାଏ ଇତିମଧ୍ୟରେ ଲେଖି ବି ପକାଇଥିଲା । ସେଇଟିକୁ ମଧ୍ୟ ବାପାଙ୍କୁ ଦେଖାଇଲା । ସେହି ଗହଣରେ ତାକୁ ପାଠ ପଢ଼ାଇଥିବା ଶିକ୍ଷକ ମଧ୍ୟ ଥିଲେ । ନିଜ ଛାତ୍ରଟିର ଏହି ବିଚକ୍ଷଣତାର ପରିଚୟ ପାଇ ସିଏ ପୂରା ଗଦ୍‍ଗଦ ହୋଇ ପଡ଼ିବା ହିଁ ସମ୍ପୂର୍ଣ୍ଣ ସ୍ଵାଭାବିକ । ଛୁଆଟିକୁ ସେ ତତ୍‍କ୍ଷଣାତ୍‍ ଗେଲ କରି ପକାଇଲେ । ତା'ଉପରେ ବହୁ ଆଶୀର୍ବଚନ ଆଣି ଅଜାଡ଼ି ଦେଇଥିଲେ ।

 

ବାପା ଓ ପୁତ୍ର କଲିକତାରେ ଯାହାଙ୍କ ଘରେ ଆଶ୍ରୟ ନେଇଥିଲେ, ତାଙ୍କର ବଡ଼ ଦୋକାନଟିଏ । ସବୁ ଗ୍ରାହକ ତ ନଗଦ କିଣନ୍ତି ନାହିଁ । ଯୋଉମାନେ କାଳିରେ ଜିନିଷ ଖରିଦ କରି ନିଅନ୍ତି, ସେମାନଙ୍କ ଦେୟ ପରିମାଣଗୁଡ଼ିକୁ ତେଣୁ ଗୋଟିଏ ଖାତାରେ ଲେଖିକରି ରଖାଯାଏ ଏବଂ ପରେ କାଗଜ ଦେଖାଇ କ୍ରେତାମାନଙ୍କର ଘରକୁ ଯାଇ ବକେୟାଗୁଡ଼ିକୁ ଆଦାୟ କରିବାକୁ ହୋଇଥାଏ । ଗୃହମାଲିକର ଦୋକାନରେ ସେହି କାମଟି ଠାକୁରଦାସ ବନ୍ଦୋପାଧ୍ୟାୟଙ୍କର । ଦରମା ମାସକୁ ଦଶଟଙ୍କା । ନିକଟରେ ପାଠଶାଳାଟିଏ ଥିଲା । ଈଶ୍ୱରଚନ୍ଦ୍ର ସେହି ପାଠଶାଳାକୁ ପାଠ ପଢ଼ିଗଲେ । ତିନିମାସ ଗଲେ, କିନ୍ତୁ ତା'ପରେ ଅସୁସ୍ଥ ହୋଇ ବିଛଣାରେ ପଡ଼ିଲେ । ସାଧ୍ୟମତେ କବିରାଜି ଚିକିତ୍ସା କରାଗଲା, ମାତ୍ର ବେରାମଟା ତେବେ ସୁଦ୍ଧା ଯାଉନଥାଏ । ସମ୍ବାଦ ପାଇ ଜେଜେମାଆ ବୀରସିଂହରୁ ଆସି କଲିକତାରେ ପହଞ୍ଚିଲେ ଏବଂ କ'ଣ ସବୁ ଚିନ୍ତା କରି ଛୁଆଟାକୁ ସାଙ୍ଗରେ ଗାଆଁକୁ ନେଇ ଯାଇଥିଲେ । ସେଠାରେ କୌଣସି ଔଷଧର ଉପଚାର କରିବାକୁ ପଡ଼ିନଥିଲା । ସାତ ଆଠଦିନ ପରେ ସବୁ ଅସୁସ୍ଥତା ଦୂର ହୋଇ ଯାଇଥିଲା । ବିବରଣୀ କହୁଛି ଯେ ଥରେ ନୁହେଁ, ଏକାଧିକ ଥର ଠିକ୍‍ ସେହିଭଳି ଘଟିଛି । ଈଶ୍ୱରଚନ୍ଦ୍ର ବାରମ୍ବାର ଅସୁସ୍ଥ ହୋଇ ପଡ଼ନ୍ତି ଏବଂ ଯେତେପ୍ରକାର ଚିକିତ୍ସା କରାଗଲେ ମଧ୍ୟ ଅସୁସ୍ଥତା ଦୂର ହୁଏନାହିଁ । ବାପା ତାଙ୍କୁ ଗାଆଁକୁ ପଠାଇ ଦିଅନ୍ତି ଏବଂ ସେଠାରେ ମାତ୍ର କିଛିଦିନ ଅନ୍ତେ ଶରୀର ସୁସ୍ଥ ହୋଇଯାଏ । ଗାଆଁର ପରିବେଶରେ ଅଭ୍ୟସ୍ତ ଏବଂ ଅଲିଅଳ ହୋଇ ପଡ଼ିଥିବା ଦେହଟା ସହରଟାରେ ମୋଟେ ଏକ ଅନ୍ୟମତି ଗୁଳାରେ ମଙ୍ଗି ରହି ପାରେନାହିଁ । ବାଧ୍ୟ ହୋଇ ସମ୍ଭବତଃ କାହାର ଆଦେଶ ପାଳନ କରିବା କରୁଥିବା ପରି ବରାଦୀ ଗୋଟିଏ ରୁଟିନ୍‍କୁ ମାନି ଚଳୁଥାଏ ସିନା, କିନ୍ତୁ ଭିତରଟା ତଥାପି ମାନି ନେଇ ପାରେନାହିଁ । ଗାଆଁକୁ ଆସିଲେ ସତକୁସତ ନିଜର ମାଆ ପାଖକୁ ବାହୁଡ଼ି ଆସିବାପରି ଅନୁଭବ ହୁଏ, ଏକ ପ୍ରସନ୍ନତା ହିଁ ଦେହକୁ ଶକ୍ତି ଦିଏ, ତଥାପି ସବୁକିଛି ସ୍ଵାଭାବିକ ଲାଗେ । ସ୍ଵାଭାବିକ ଲାଗିବା,–ତାହାହିଁ କ'ଣ ପ୍ରକୃତରେ ଦେହର ସୁସ୍ଥ ରହିବା ସକାଶେ ଅସଲ ଚାବିକାଠି କି ?

 

ଏବଂ, ସେତେବେଳର କଲିକତାରେ ଯେଉଁ ସାଧାରଣ ଅଳ୍ପବଳମାନେ ସେମାନେ ଜନ୍ମ ହୋଇଥିବା ଗାଆଁମାନଙ୍କରେ ଆଗକୁ ଭରସା ପାଇବା ଭଳି ସେପରି କିଛି ଦେଖି ପାରୁନଥିଲେ ଏବଂ ଯେଉଁ ଆଉଭଳି ଯୁଗଟି ଆସି ଏଠି ଏହି ଦେଶରେ ହାବୁଡ଼ିଗଲାଣି, ଲକ୍ଷ୍ମୀ ଏଣିକି ସେହି ସହରରେ ହିଁ ରହିବେ ଏବଂ ଯାବତୀୟ ଭାଗ୍ୟପରିବର୍ତ୍ତନର ଆଶା ସେହି ସହରରେ ହିଁ କରାଯାଇ ପାରିବ ବୋଲି ପ୍ରାୟ ଏକ ବିକଳ୍ପ ପ୍ରତ୍ୟୟଦ୍ଵାରା ପରିଚାଳିତ ହେଉଥିଲେ, ଗାଆଁଠାରୁ ନିରାଶ ହୋଇ ସେମାନେ ପ୍ରତୀକ-ସହର କଲିକତାକୁ ହିଁ ବାହାରି ଆସୁଥିଲେ । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଯାହିତାହି ଭିତରେ ଯେକୌଣସି ପ୍ରକାରେ ପଡ଼ି ରହୁଥିଲେ । ଏବଂ, ବାଳକ ଈଶ୍ୱରଚନ୍ଦ୍ର କଲିକତାରେ ସେହିପରି ଏକ ଅସ୍ଵାଭାବିକ ପରିସ୍ଥିତି ଭିତରେ ହିଁ କାଳଯାପନ କରୁଥିଲେ । ନିଜର ଅନ୍ୟ ଭଳି ଅଭ୍ୟସ୍ତ ଶରୀରଟିକୁ ଆଦୌ ଏଠା ଅନ୍ୟ ପରିବେଶ ସହିତ ରାଜି କରାଇ ପାରୁନଥିଲେ-। ନଳା ଓ ନର୍ଦ୍ଦମାରେ ନାକ ଫାଟି ପଡ଼ିବାପରି ମନେ ହେଉଥିବ, ଏଠି ସେଠି ଅବସ୍ଥିତ ସାନ ବଡ଼ ଗଡ଼ିଆ ଏବଂ ପୁଷ୍କରିଣୀରେ ସର୍ବବିଧ କର୍ମ ତଥା ଅକର୍ମ ସମ୍ପାଦନ ନିମନ୍ତେ ଲୋକମାନେ ବାଧ୍ୟ ହେଉଥିବେ । ମାଛି ଏବଂ ମଶାମାନେ ରାତି ଦିନ ନିର୍ବିଶେଷରେ ମନୁଷ୍ୟମାନଙ୍କର ଶାନ୍ତିଭଙ୍ଗ କରିବାଲାଗି ସର୍ବତ୍ର ମହଜୁଦ ହୋଇ ରହିଥିବେ । ବାପ ପୁଅ ତ ପର ଘରେ ଯେକୌଣସି ପ୍ରକାରରେ ମୁଣ୍ଡ ଗୁଞ୍ଜି ରହୁଥିଲେ । ଆପଣାର ଅବସ୍ଥା ଦୃଷ୍ଟିରୁ ଅନ୍ୟ ଚାରା ହିଁ ନଥିଲା । ଈଶ୍ୱରଚନ୍ଦ୍ର ନିଜେ ମନେ ପକାଇ କୌଣସି ଅବସରରେ କହିଛନ୍ତି, ଦେଢ଼ହାତ ଓସାର ଏବଂ ଦୁଇହାତ ଲମ୍ବର ଏକ ନିତାନ୍ତ ସଂକୀର୍ଣ୍ଣ ଜାଗାରେ ତାଙ୍କୁ ପ୍ରତିଦିନ ରାତିରେ ଶୋଇବାକୁ ହେଉଥିଲା । ତକିଆର ପ୍ରଶ୍ନ ହିଁ ନଥିଲା, ତେଣୁ ଦୁଆରବନ୍ଧ ଉପରେ ହିଁ ମୁଣ୍ଡ ଦେଇ କାମ ଚଳି ଯାଉଥିଲା । ନ୍ୟାୟତଃ ସେହି ମାପର ମସିଣା ଖଣ୍ଡେ ଏବଂ ତାହାହିଁ ରାତି ଶୋଇବାର ତାଙ୍କ ବିଛଣା-। ଶୋଇବା ଜାଗା ଏବଂ ଭୋଜନ ପ୍ରସ୍ତୁତ କରିବାର ଜାଗା ରାସ୍ତାକଡ଼ର ନର୍ଦ୍ଦମାଠାରୁ ଦୂର ନୁହେଁ, ଅଧିକାଂଶ ସମୟରେ ସେଥିରୁ ଲାଙ୍ଗୁଡ଼ା ପୋକମାନେ ମଧ୍ୟ ସତେଅବା ଏକ ସଂଘବଦ୍ଧ ଅଭିଯାନରେ ସଢ଼ା ପଙ୍କ ଭିତରୁ ବାହାରି ଉପରକୁ ଉଠି ଘର ଭିତରକୁ ପ୍ରବେଶ କରିବାର ଏକ ଦୁର୍ବିନୀତ ଆଡ଼ମ୍ବରରେ ଖୁବ୍‍ ତତ୍ପର ହୋଇ ଉଠନ୍ତି । ଅନ୍ତେବାସୀ ମନୁଷ୍ୟମାନେ ଭୋଜନ କରୁଥିବା ସମୟରେ ମଧ୍ୟ ସେମାନେ କେବେହେଲେ ନିରସ୍ତ୍ର ହୋଇ ରହି ଯାଆନ୍ତିନାହିଁ ଏବଂ ସେଥିପାଇଁ ମଝିରେ ମଝିରେ ଢାଳରୁ ମୁନ୍ଦାଏ ମୁନ୍ଦାଏ ପାଣି ଢାଳିଦେଇ ସେମାନଙ୍କର ଦାଉରୁ ନିଜକୁ ରକ୍ଷା କରିବାକୁ ମଧ୍ୟ ହୋଇଥାଏ-। ଘର ଭିତରେ ସାଧାରଣତଃ ଖରା ବି ପଡ଼େନାହିଁ ଓ ଦିନେ ଦିନେ ଅନ୍ଧାରରୁ ଉଦ୍ଧାର ପାଇବା ସକାଶେ ଦିନବେଳେ ମଧ୍ୟ ଦୀପଟିଏ ଜାଳି ରଖିବାକୁ ପଡ଼ିଥାଏ । ଘର ଭିତରେ ଅସରପାମାନଙ୍କର ଅବାଧ କାରବାର ଲାଗି ରହିଥାଏ-। ଘରଟାଯାକ ଭାରି ସନ୍ତସନ୍ତିଆ ।

 

କଲିକତାରେ ବାପାଙ୍କର ବେତନ ମାସିକ ଦଶଟଙ୍କାରୁ କେବେହେଲେ ଉପରକୁ ଯାଇନଥିଲା । ଏବଂ ଏଣେ ମସ୍ତକ ଉପରେ ରହିଥିବା ପରିବାରର ବୋଝ ବୃଦ୍ଧି ପାଇବାରେ ଲାଗିଥିଲା । ସ୍ତ୍ରୀ, ଏତେଗୁଡ଼ିଏ ପୁତ୍ର ଓ କନ୍ୟା,–ପାଖରେ ବଡ଼ ପୁଅ ଓ ତା'ର ପାଠପଢ଼ା । ଏମାନଙ୍କୁ ନେଇ ଭବିଷ୍ୟତର ଚିନ୍ତା ମଧ୍ୟ ରହିଛି, କିଛି କଳ୍ପନା ମଧ୍ୟ କ'ଣ ପାଇଁ ରହିନଥିବ । ତେଣୁ ଯେତେ କମରେ ସମ୍ଭବ ଅତ୍ୟନ୍ତ ସଚେତନଭାବରେ ଚଳିବାକୁ ହେଉଥିଲା । ବାପାଙ୍କର ତ ସମୟ ମିଳେନାହିଁ । ତେଣୁ ଗୃହକରଣାର ସମସ୍ତ ଭାର ବାଳକ ଈଶ୍ଵରଚନ୍ଦ୍ର ଉପରେ ନ୍ୟସ୍ତ ହୋଇ ରହିଥିଲା । ସିଏ ବଜାର କରୁଥିଲେ–ଏବଂ ସେହି କାର୍ଯ୍ୟଟି ତାଙ୍କୁ ଭାରି ଭଲ ବି ଲାଗୁଥିଲା । ସେହି ଭଲ ଲାଗିବାଟା ପ୍ରକୃତରେ ଜୀବନଯାକ ରହି ଯାଇଥିଲା । ନିଜ ସମୟରେ ଜଣେ ପ୍ରତିଷ୍ଠିତ ଏଡ଼େ ବଡ଼ ବ୍ୟକ୍ତି ରୂପେ ବିଖ୍ୟାତ ହେବା ପରେ ମଧ୍ୟ ସିଏ ବଜାର ସଉଦା ସ୍ଵୟଂ କରୁଥିଲେ, ସଉଦାତକ ନିଜେ ବୋହି କରି ବଜାରରୁ ଘରକୁ ଆଣୁଥିଲେ । ତାଙ୍କ ପିତାମାତା ଯେତେବେଳେ ଶେଷ ଅବସ୍ଥାରେ ଯାଇ କାଶୀବାସ କରିଥିଲେ, ସେଠାରେ ଥିବା ସମୟରେ ପୁଅ ହିଁ ବଜାରରୁ ସକଳ ସାମାଗ୍ରୀ କିଣି ଘରକୁ ବୋହି ଆଣୁଥିଲେ । କୌଣସି କୁଣ୍ଠା ନଥିଲା । ବରଂ ଏଡ଼େ ବଡ଼ ମଣିଷଙ୍କୁ ଭୃତ୍ୟମାନଙ୍କ ପରି ଏସବୁ କାର୍ଯ୍ୟ କରୁଥିବାର ଦେଖିଲେ ତାଙ୍କୁ ଜାଣିଥିବା ଅନ୍ୟମାନେ ବେଳେବେଳେ ହୁଏତ ଲଜ୍ଜା ଅନୁଭବ କରୁଥିଲେ ଏବଂ ଏହି ବିଚିତ୍ର ଲୋକଟିକୁ ସେହି ଭୂମିକାରେ ଦେଖି ଖୁବ୍ ବିସ୍ମିତ ହେଉଥିଲେ । ଈଶ୍ଵରଚନ୍ଦ୍ର ସେହିଭଳି ବ୍ୟକ୍ତିମାନଙ୍କୁ ଦେଖି ନିଜେ କିପରି ଅନୁଭବ କରୁଥିଲେ କେଜାଣି ?

 

ହଁ, ସେହି ବାଳକ ଅବସ୍ଥାରେ ବଜାରରୁ ସଉଦା ବୋହି ଆଣି ରାନ୍ଧିବାର ସମ୍ପୂର୍ଣ୍ଣ ଦାୟିତ୍ୱଟି ମଧ୍ୟ ତାଙ୍କ ଉପରେ ନ୍ୟସ୍ତ ହୋଇ ରହିଥିଲା । ବିବରଣୀରୁ ମିଳୁଛି ଯେ ଦୁଇବେଳାର ରୋଷେଇକାମ ମଧ୍ୟ ତାଙ୍କ ଉପରେ ରହୁଥିଲା । ଅନ୍ୟ ସାନଭାଇମାନେ ଗାଆଁରୁ ଆସି କଲିକତାରେ ସେହି ବସାରେ ରହିବା ପରେ ମଧ୍ୟ ଈଶ୍ଵରଚନ୍ଦ୍ର ହିଁ ନିୟମିତ ଭାବରେ ରନ୍ଧାବଢ଼ା କାମଟିକୁ କରୁଥିଲେ । ସାହାଯ୍ୟ କରିବାକୁ ଚାକର କିମ୍ବା ଚାକରାଣୀ ଆସିବାର ପ୍ରଶ୍ନ ନଥିଲା । ବଡ଼ ଅନ୍ଧାରରୁ ଉଠି ସେ ପ୍ରତିଦିନ କିଛି ସମୟ ନିମନ୍ତେ ପାଠ୍ୟପୁସ୍ତକରୁ କିଛି ଅଭ୍ୟାସ କରୁଥିଲେ,–ତା'ପରେ ଯାଇ ଗଙ୍ଗାନଦୀରେ ସ୍ନାନ କରି ଆସୁଥିଲେ । ତେଣୁ ଫେରନ୍ତି ପଥରେ ମାଛ ଓ ଆଳୁ ପୋଟଳ ଆଦି ପରିବା ମଧ୍ୟ କିଣି ଆଣୁଥିଲେ । ଘରେ ପହଞ୍ଚି ଆଗ ମସଲା ବଟା, ତା'ପରେ ଚୁଲି ଲଗାଇବା, ମୁଗଡାଲି ରାନ୍ଧିବା ଏବଂ ମାଛ ଦେଇ ଝୋଳ ତରକାରୀ ତିଆରି କରିବା । ତା'ପରେ ବସାରେ ରହୁଥିବା ଚାରିଜଣ ଲୋକଙ୍କର ଭୋଜନ ଆରମ୍ଭ ହୋଇଯାଉଥିଲା । ତା' ପଛକୁ ଅଇଁଠା ବାସନଗୁଡ଼ିକୁ ସଫା କରିବାର ପାଳି । ରନ୍ଧା ବାସନକୁ ବି ତ ଅବଶ୍ୟ ମାଜିବାକୁ ହେବ । ପ୍ରତିଦିନ ବାସନମାନଙ୍କୁ ମାଜି ମାଜି ଈଶ୍ଵରଚନ୍ଦ୍ରଙ୍କର ହାତ ଆଙ୍ଗୁଠିର ନଖଗୁଡ଼ିକ ମଧ୍ୟ ପୂରା ଘୋରି ହୋଇ ଯାଇଥିଲେ । ଲଙ୍କା ହଳଦୀ ବାଟିବା ଫଳରେ ପାପୁଲିଟା ମଧ୍ୟ ସର୍ବଦା ହଳଦୀବର୍ଣ୍ଣ ହୋଇ ରହିଥାଏ-। ତଥାପି, ଅବସ୍ଥା ଦୃଷ୍ଟିରୁ ହୁଏତ ଭାଗ୍ୟର କଥା ଯେ ସେପରି କିଛି ବେଶୀଗୁଡ଼ାଏ ରାନ୍ଧିବାକୁ ପଡ଼ୁନଥିଲା । ସବୁଦିନେ ହୁଏତ ଭାତ ମଧ୍ୟ ରନ୍ଧା ହେଉନଥିଲା । ଏବଂ, ଭାତ ଜୁଟିଲେ ମଧ୍ୟ ସମସ୍ତେ ପେଟ ପୂରାଇ ଖାଇବାପାଇଁ ମୋଟେ ଯଥେଷ୍ଟ ହେଉନଥିଲା । ପୁନଶ୍ଚ, ଭାତ ଯଥେଷ୍ଟ ହେଲେ ମଧ୍ୟ ବ୍ୟଞ୍ଜନ ହୋଇ ପାରୁ ନଥିବାରୁ ଖାଲି ଲୁଣରେ ହିଁ ଚଳାଇ ନେବାକୁ ପଡ଼ୁଥିଲା-। ମାଛ ରନ୍ଧାହେବା ଦିନ ସତକୁସତ ଝୋଳ ହିଁ ମୁଖ୍ୟ ଏବଂ ମାଛ ନାମକୁ ମାତ୍ର ବି ହେଉଥିଲା । ଅଥବା, ସକାଳ ଓଳିଟା କେବଳ ଝୋଳରେ କାମ ଚଳାଇ ଦେଇ ମାଛକୁ ରାତି ସକାଶେ ସାଇତି ରଖିବାକୁ ପଡ଼ୁଥିଲା । ବେଳେ ବେଳେ ଦୁଇବେଳା ତୁଚ୍ଛା ଝୋଳରେ କାମ ଚଳାଇ ନେଇ ତହିଁଆର ଦିନକୁ ମାଛରେ ଆମ୍ବୁଲ ପକାଇ ଏକ ଭିନ୍ନ ଚମତ୍କାର ସ୍ଵାଦଦ୍ଵାରା ମନକୁ ତୃପ୍ତ କରି ରଖିବାର ରୀତିଟି ମଧ୍ୟ ଖୁବ୍ ଚଳୁଥିଲା । ଏବଂ, ଯେଉଁଦିନ ଯାହା ରନ୍ଧା ହେଉ ଅଥବା ରନ୍ଧା ନହେଉ ପଛକେ, ଈଶ୍ଵରଚନ୍ଦ୍ରଙ୍କୁ ହିଁ ପାଚକର ମହତ୍ କର୍ତ୍ତବ୍ୟଟିକୁ ତୁଲାଇବା ହେଉଥିଲା । ଭାଗ୍ୟର କଥା, ଭାଇ ଏବଂ ପିତୃଦେବଙ୍କ ଲାଗି ଆହାର ପ୍ରସ୍ତୁତ କରିବାରେ ସେ ସତକୁସତ ଆନନ୍ଦ ହିଁ ଅନୁଭବ କରୁଥିଲେ-। ନହେଲେ ଭିତରେ ଭାରି ଛଟପଟ ହେବାକୁ ବାଧ୍ୟ ହେଉଥାନ୍ତେ ଏବଂ ବାହାରେ ଯେତେ ଲୁଚାଇ ରଖିବାର ପ୍ରୟାସ କରୁଥିଲେ ମଧ୍ୟ ଭିତରେ କଷ୍ଟ ହିଁ ପାଉଥାନ୍ତେ ।

 

ପୁଅ ଈଶ୍ଵରଚନ୍ଦ୍ର କଲିକତା ଆସିବାର ମାର୍ଗରେ କିପରି ଆପଣାର ବୁଦ୍ଧିଗତ ଅନ୍ତର୍ଦୃଷ୍ଟିକୁ ପ୍ରୟୋଗ କରି ମାଇଲଷ୍ଟୋନ୍‍ଗୁଡ଼ିକରୁ ହିଁ ଇଂରେଜୀ ସଂଖ୍ୟାଙ୍କଗୁଡ଼ିକୁ ଶିଖିପାରିଛି, ଠାକୁରଦାସ କଲିକତାରେ ବେଶ୍ କେତେଜଣଙ୍କ ସହିତ କଥୋପକଥନରେ ସେହି ବିରଳ ବିଚକ୍ଷଣତାର ପ୍ରସଙ୍ଗଟି ଅବଶ୍ୟ ଉଲ୍ଲେଖ କରିଥିବେ । ଏବଂ, ସେକଥା ଶୁଣି ସମସ୍ତେ ତାଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ନିଜର ପୁଅକୁ ସିଏ ଅବଶ୍ୟ ଇଂରାଜୀଭାଷା ପଢ଼ିବାର ଉପାୟଟିକୁ ଗ୍ରହଣ କରନ୍ତୁ । ସେତେବେଳେ ହେୟାର୍ ସାହେବଙ୍କର ସ୍କୁଲରେ ଖୁବ୍ ବିଶେଷ ଭାବରେ ହିଁ ଇଂରାଜୀ ଭାଷାର ଶିକ୍ଷା ପ୍ରଦାନ କରାଯାଉଥିଲା । ସେଠାରେ ପଢ଼ିଲେ ପିଲାମାନଙ୍କୁ କୌଣସି ବେତନ ଦେବାକୁ ପଡ଼ୁନଥିଲା । ଏବଂ, ଯଦି ପୁଅ ସେଠାରେ ପଢ଼ି ନିଜ ଯୋଗ୍ୟତାର ସମ୍ୟକ୍ ପରିଚୟ ଦେଇ ପାରିବ, ତେବେ ତା'ପରେ ସିଏ ହିନ୍ଦୁ କଲେଜରେ ମଧ୍ୟ ନାମ ଲେଖାଇବାର ସୁଯୋଗ ପାଇଯିବ । ହିନ୍ଦୁ କଲେଜରେ କୌଣସି ଦରମା ନଥିଲା । ଏବଂ, ଯାହା ହେଉ ପଛକେ, ସେଠାରୁ ଉତ୍ତୀର୍ଣ୍ଣ ହୋଇ ବାହାରିବା ପରେ ଜୀବନରେ ଉନ୍ନତି କରିବାର ଅର୍ଥାତ୍ ଅର୍ଥ-ଉପାର୍ଜନର ବହୁ ପ୍ରଶସ୍ତବାଟ ଅବଶ୍ୟ ଖୋଲିଯିବ । ହଁ, ମୋଟାମୋଟି ଇଂରାଜୀ ଭାଷାରେ ଜ୍ଞାନ ରହିଥିଲେ ଓ ହାତର ଅକ୍ଷର ଭଲ ହୋଇଥିଲେ କିଛି ହିସାବକିତାବର କିଛି କାଇଦା ଆୟତ୍ତ କରିନେଇ ସେ ଖୁବ୍ ସହଜରେ ସାହେବମାନଙ୍କ ଅଫିସରେ ଚାକିରିଟାଏ ପାଇଯିବ ।

 

ଠାକୁରଦାସଙ୍କ ମନ ବୋଧହୁଏ ମାନୁନଥିଲା । ନିଜ ବାଲ୍ୟସମୟରେ ଦୁର୍ଭାଗ୍ୟ ହେତୁ ସେ ଯେତେ ମନ ରହିଥିଲେ ମଧ୍ୟ ଉତ୍ତମରୂପେ ସଂସ୍କୃତଭାଷା ଶିକ୍ଷା କରି ପାରିନଥିଲେ । ତେଣୁ, ସବୁବେଳେ ସ୍ଵପ୍ନ ଦେଖୁଥିଲେ ଯେ ବଡ଼ପୁଅ ସଂସ୍କୃତ ଶିକ୍ଷା କରିବ, ସେହି କ୍ଷତିଟିର ପୂରଣ କରିପାରିବ । ତେଣୁ ଶୁଭାକାଙ୍କ୍ଷୀ ସମସ୍ତଙ୍କୁ ଉତ୍ତର ଦେଇ କହିଥିଲେ ଯେ, ପୁଅ ଈଶ୍ଵରଚନ୍ଦ୍ର ଭଲ ଚାକିରି କରି ମୋ'ର ଦୁଃଖମାନଙ୍କୁ ଦୂର କରିବ ବୋଲି କ'ଣ ମୁଁ ତାକୁ ଗାଆଁରୁ କଲିକତାକୁ ଆଣିଛି-? ମୁଁ ତ ସର୍ବଦା ସେଇ ଗୋଟିଏ ମାତ୍ର ଆଗ୍ରହ ପୋଷଣ କରିଛି ଯେ ମୋ' ଛୁଆ ସଂସ୍କୃତ ଶିକ୍ଷା କରିବ, ପ୍ରବୀଣ ହେବ ଏବଂ ଅଧ୍ୟୟନ ସମାପ୍ତ କରି ଆମ ନିଜ ଗାଆଁ ବୀରସିଂହରେ ଗୋଟିଏ ସଂସ୍କୃତ ଟୋଲ ଆରମ୍ଭ କରିବ, ଗ୍ରାମର ପିଲାମାନେ ସେଠାରେ ସଂସ୍କୃତ ଭାଷା ଅଧ୍ୟୟନ କରିବେ-। ଆଉ ଆଉ ଗାଆଁରୁ ମଧ୍ୟ ବିଦ୍ୟାର୍ଥୀମାନେ ଆସିବେ, ଆବାସିକ ହେବେ । ଏବଂ, ଗୁରୁଙ୍କର ଗୃହ ତରଫରୁ ହିଁ ସେମାନଙ୍କର ସକଳ ଖର୍ଚ୍ଚକୁ ବହନ କରାଯିବ । ପ୍ରକୃତରେ ଏକ ବିଚିତ୍ର ଉଚ୍ଚାକାଂକ୍ଷା ବୋଲି କହିବାକୁ ହେବ । କେବଳ ଗୋଟିଏ ପୁରୁଷ ପୁରୁଷ ଅନୁକ୍ରମରେ ଚଳି ଆସୁଥିବା ଏକ ପରମ୍ପରା ବୋଲି କହିଲେ ଆଦୌ ସବୁକଥା କହି ହେବନାହିଁ । ଏହାକୁ ଆମେ ଯାବତୀୟ ଅର୍ଥରେ ଗୋଟିଏ ନିର୍ଦ୍ଦିଷ୍ଟ ଜୀବନଦୃଷ୍ଟି ବୋଲି ମଧ୍ୟ କହିପାରନ୍ତେ । ମୁଁ ନିଜେ ଯେଉଁ ଜ୍ଞାନର ଅର୍ଜନ କରିଛି, ତାହାର କେବଳ ମୁଁ ଏକାକୀ ଆଦୌ ଅଧିକାରୀ ନୁହେଁ । ଏବଂ, ସେହି ଜ୍ଞାନକୁ ପଣ୍ୟ କରି ମୁଁ ଯେଉଁ ଧନ ଉପାର୍ଜନ କରିବି, ସେଥିରେ ମୋ’ ପରିବାରଟିର ଅବଶ୍ୟ ପୋଷଣ ହେବ,–ମାତ୍ର ତାହା ତଥାପି ଯଥେଷ୍ଟ ହେବନାହିଁ । ମୁଁ ସେହି ଜ୍ଞାନର ବିତରଣ କରିବି ଏବଂ ଏକ ଅନ୍ତର୍ଗତ ସ୍ଵାଭାବିକ କର୍ତ୍ତବ୍ୟବୋଧଦ୍ଵାରା ଅନୁପ୍ରେରିତ ହୋଇ ତାହା କରିବି । ସବାଆଗ ନିଜର ଗ୍ରାମରେ ହିଁ ସେଥିଲାଗି ଏକ ଭିତ୍ତିର ନିର୍ମାଣ କରିବାକୁ ସମ୍ମତ ହୋଇ ପାରୁଥିବି । ସବୁକିଛି ସ୍ଵତଃପ୍ରବୃତ୍ତ, ସବୁକିଛି ନିଃଶୁଳ୍କ,–କୃତଜ୍ଞତାସୂଚକ ଏକ ମନୁଷ୍ୟୋଚିତ ଦାୟପରିଶୋଧ ସ୍ୱରୂପ । ଏହାକୁ ସମାଜ ପାଖରେ ଗୋଟିଏ ଦାୟପରିଶୋଧ ବୋଲି କହିଲେ ତଥାପି ଖୁବ୍ କମ୍ ହୁଏତ କୁହାହେବ । ଏହା ହେଉଛି ଈଶ୍ଵରଙ୍କ ପାଖରେ ହିଁ ଏକ ଦାୟପରିଶୋଧ । ସମାଜ ପାଖରେ, ତେଣୁ ଈଶ୍ଵରଙ୍କ ପାଖରେ-। ସମାଜରେ ବାସ କରୁଥିବା ଜଣେ ତଥାକଥିତ ନାସ୍ତିକ ମଧ୍ୟ ତାହାକୁ ଅସ୍ଵୀକାର କରିବନାହିଁ-

 

ଆମ ଶାସ୍ତ୍ରୀୟ-ସାମାଜିକ ପରମ୍ପରାରେ ଏହି ରୀତିଟାକୁ କାହିଁକି କେବଳ ବ୍ରାହ୍ମଣମାନଙ୍କର ଗୋଟିଏ ଏକାଧିକାରରେ ପରିଣତ କରି ରଖି ସଙ୍କୁଚିତ କରି ଦିଆଗଲା କେଜାଣି-? ସ୍ଵୟଂ ବ୍ରାହ୍ମଣମାନେ ହିଁ ତ କ'ଣସବୁ ମନ୍ଦ ଖଳଭାବନାର ବଶବର୍ତ୍ତୀ ହୋଇ ସେପରି ଗୋଟିଏ ଭିଆଣକୁ ଆଣି ସମାଜ ଉପରେ ଲଦିଦେଲେ । ଯଦି କର୍ମ ଅନୁସାରେ ବର୍ଣ୍ଣର ସର୍ଜନା ହେଲା, ତେବେ ବ୍ୟବସ୍ଥାପକମାନେ କ'ଣ ପାଇଁ ବିତରଣର ଏହି ଧର୍ମଟିକୁ କେବଳ ଗୋଟିଏ ବର୍ଣ୍ଣର ଏକାଧିକାର କରି ରଖିବା ନିମନ୍ତେ ମନ କଲେ ? ନିଜ ସମେତ ଆମ ସମସ୍ତଙ୍କୁ କୃପଣ ହେବାର ଦୁର୍ବୁଦ୍ଧିଟାଏ ଶିଖାଇଲେ ଏବଂ ବର୍ଣ୍ଣନିର୍ବିଶେଷରେ ଆମ ସଭିଙ୍କୁ ହିଁ କେବଳ ଜ୍ଞାନର କ୍ଷେତ୍ରରେ ନୁହେଁ, ବିତ୍ତ, ନ୍ୟାୟଅନ୍ୟାୟର ବୋଧ, କର୍ତ୍ତବ୍ୟ ଓ ଅଧିକାରର ପ୍ରାୟ ସକଳ ଅବସର–ସବୁଭଳି ଅବକାଶରେ ହିଁ ଆମକୁ ଗୋଟାଏ ଗୋଟାଏ ବଣିଆ କରି ରଖିଲେ ଏବଂ ଯାହାଦ୍ୱାରା କି ଆମେ ପ୍ରାୟ ସକଳ ପାରସ୍ପରିକତାର ବର୍ଜନ କରି କାତର ଏବଂ ବର୍ବର ହୋଇ ରହିଲୁ ! ନିଜର ପିତୃକୁଳ ଓ ମାତୃକୁଳର ବର୍ଣ୍ଣନା କରି ଈଶ୍ୱରଚନ୍ଦ୍ରଙ୍କ କୁଟୁମ୍ବର ଯେତେ ଯେତେ ବ୍ୟକ୍ତିଙ୍କର ନାମୋଲ୍ଲେଖ ରହିଛି, ସେମାନଙ୍କର ନାମସହିତ ପାରିବାରିକ ଲାଞ୍ଜଟି ପରିବର୍ତ୍ତେ ସେମାନଙ୍କର ଅଧ୍ୟୟନସମ୍ବନ୍ଧୀ ସନ୍ତକମାନେ ହିଁ ଯୋଡ଼ା ହୋଇ ରହିଥିବାର ଦୃଷ୍ଟିଗୋଚର ହେଉଛି । କିଏ ତର୍କଭୂଷଣ ତ ଆଉକିଏ ନ୍ୟାୟବାରିଧି, ଆଉକିଏ ବିଦ୍ୟାବାଗୀଶ । ପାରିବାରିକ ସଂଜ୍ଞାସୂଚନାଟିକୁ ଛାଡ଼ି ସମସ୍ତେ ସଂସ୍କୃତ-ଅଧ୍ୟୟନଦ୍ୱାରା ଅର୍ଜନ କରିଥିବା ଉପାଧିଟିକୁ ହିଁ ବ୍ୟବହାର କରିଛନ୍ତି । ଈଶ୍ୱରଚନ୍ଦ୍ର ବନ୍ଦୋପାଧ୍ୟାୟ ଆପେ ମଧ୍ୟ ଆମ ସମସ୍ତଙ୍କ ନିମନ୍ତେ ବିଦ୍ୟାସାଗର ନାମରେ ହିଁ ଅଧିକ ପରିମାଣରେ ପରିଚିତ ହୋଇଛନ୍ତି । ସିଏ ବନ୍ଦୋପାଧ୍ୟାୟ ଥିଲେ ବୋଲି ସୁନିଶ୍ଚିତ ଭାବରେ ଅନେକ ଅନେକ ବ୍ୟକ୍ତିଙ୍କୁ ଜଣା ହିଁ ନଥିବ ! ସେମାନେ ପ୍ରାୟ କୌଣସି ନିୟମଧର୍ମର ବାରଣକୁ ମାନି ସାଂସାରିକ ବିତ୍ତଅର୍ଜନର ମାପକାଠିରେ ଦରିଦ୍ର ହିଁ ଥିଲେ । ନିଜ ଇଚ୍ଛାରେ ଦାରିଦ୍ର୍ୟକୁ ବରଣ କରିଥିଲେ, ବିତ୍ତରେ ଅଳପ ହୋଇ ରହିବାକୁ ଅର୍ଥାତ୍‍ ଜଣେ ବୈଶ୍ୟ ପରି ନହୋଇ ବ୍ରାହ୍ମଣର ଜୀବନବ୍ରତଟିଏ ସ୍ଵୀକାର କରିବାକୁ ସେମାନେ ଧର୍ମ ବୋଲି ମାନି ନେଇଥିଲେ । ଗାଆଁମାନଙ୍କରେ ପାଠଶାଳା ଦେଇଥିଲେ, ନିଜର ବିଦ୍ୟାର୍ଥୀମାନଙ୍କ ସହିତ ଯଥାସମ୍ଭବ ଏକାନ୍ନବର୍ତ୍ତୀ ହୋଇ ରହିବାକୁ ହିଁ ଜଣେ ଶିକ୍ଷକର ଅସଲ ଧର୍ମାଚରଣ ବୋଲି ବିଶ୍ୱାସ କରୁଥିଲେ । ଯେଉଁ ସମାଜରେ ବିଦ୍ୟାଧିକାରୀ ବ୍ରାହ୍ମଣଧର୍ମୀମାନେ ବିତ୍ତରେ ମନ ବଳାନ୍ତି ନାହିଁ, ସେହି ସମାଜରେ ଅନ୍ୟ କର୍ମମାନ କରୁଥିବା ବର୍ଣ୍ଣଗୁଡ଼ିକ ମଧ୍ୟ ଆପଣାକୁ ହୁଏତ କେବେହେଲେ ହୀନତର ବୋଲି ଅନୁଭବ କରିବାର ଅବକାଶ ମଧ୍ୟ ପାଉନଥିବେ । ଗୋଟିଏ ସମଗ୍ର ଭିତରେ ପ୍ରତ୍ୟେକେ ପରସ୍ପରର ନିକଟବର୍ତ୍ତୀ ହୋଇ ରହିଥିବେ । ସେଠାରେ ମଧ୍ୟ ଖୁବ୍‍ ଅସମାନତା ରହିଥିବ ସତ, କିନ୍ତୁ ତାହା ସେପରି କୌଣସି ଗାତ୍ରଦାହର କାରଣ ହେଉନଥିବ । ହଁ, କେବଳ ଯୁଗେ ଯୁଗେ ଏହି ସ୍ୱେଚ୍ଛାଦରିଦ୍ର ଜ୍ଞାନବାନ୍‍ ବ୍ରାହ୍ମଣମାନେ କହି ପାରୁଥିବେ,–ସେମାନେ ଆପଣାର ସେହି ଜ୍ଞାନ ଅର୍ଜନର ଧର୍ମବତ୍‍ ପ୍ରୟାସରୁ ସତକୁସତ କ'ଣ ସବୁ ନିର୍ଭର ପାଇବାରେ ଲାଗିଥାଆନ୍ତି ଯେ ବିତ୍ତଶାଳୀର କୁଢ଼କୁଢ଼ ବିତ୍ତକୁ ଆଖି ଆଗରେ ଦେଖୁଥିଲେ ମଧ୍ୟ ସେହି କାରଣରୁ ଈର୍ଷାପରାୟଣ ହୁଅନ୍ତିନାହିଁ ଏବଂ ନିଜ ପାଖରେ ସେତେ ବିତ୍ତ ନାହିଁ ବୋଲି କୌଣସି ଗ୍ଳାନିବୋଧର ପାଲରେ ଆଦୌ ପଡ଼ି ଯାଆନ୍ତିନାହିଁ ।

 

ଠାକୁରଦାସ ବନ୍ଦୋପାଧ୍ୟାୟଙ୍କର ଇଚ୍ଛା ମୁତାବକ ହିଁ ବ୍ୟବସ୍ଥା ହୋଇଥିଲା । ପୁଅ ଈଶ୍ୱର କଲିକତାର ସଂସ୍କୃତ କଲେଜରେ ହିଁ ନାମ ଲେଖାଇବ । ତେବେ ସେ ଉତ୍ତମରୂପେ ସଂସ୍କୃତ ଅଧ୍ୟୟନ କରିପାରିବ । ଏବଂ, ଯଦି ସିଏ ତା'ପରେ ଚାକିରି କରିବାପାଇଁ ମନ କରିବ, ତେବେ ଗୋଟିଏ ବିଶେଷ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ ସିଏ କୋର୍ଟକଚେରିରେ କୌଣସି ମନୋମତ ଚାକିରି ମଧ୍ୟ ପାଇପାରିବ । ଏହିପରି ବିଚାରାଦିକୁ ଉଚିତ ମର୍ଯ୍ୟାଦା ଦେଇ ୧୮୨୯ ମସିହା ଜୁନ୍‍ମାସରେ ଠାକୁରଦାସ ପୁଅକୁ ସଂସ୍କୃତ କଲେଜରେ ଭର୍ତ୍ତି କରାଇଥିଲେ । ନଅବର୍ଷ ବୟସରେ । ପ୍ରତିଦିନ ସକାଳ ନଅଟାରେ ସେଠାକୁ ଯାଇ ଉପରଓଳି ଚାରିଟାବେଳେ ଆସିବାକୁ ହୁଏ । ବାପା ନିଜେ ଛାଡ଼ିଦେଇ ଆସନ୍ତି ଓ ପୁନର୍ବାର ନିଜେ ଯାଇ ଘରକୁ ଆଣନ୍ତି । କ୍ଷୁଦ୍ରାକୃତି ବାଳକଟି, ମୁଣ୍ଡଟା ତେଣୁ କେଡ଼େ ବଡ଼ ହୋଇ ଦେଖା ଯାଉଥାଏ । ଅନାଇ ଦେବାମାତ୍ରକେ ଚେହେରାଟା ବେଶ୍‍ ବିଚିତ୍ର ଲାଗେ । ପିଲାମାନେ ଥଟ୍ଟା କରନ୍ତି । କ'ଣ ସବୁ ଢଗ ବୋଲି ଚିଡ଼ାଇବାରେ ମଜା ବି ପାଆନ୍ତି । ଈଶ୍ୱରଚନ୍ଦ୍ର ରାଗନ୍ତି ସିନା,–ମାତ୍ର ତାକୁ ରାଗିବାର ଦେଖିଲେ ପିଲାଏ ମଧ୍ୟ ସତେଅବା ଏକ ବିଜୟ ହାସଲ କରିଥିବା ପରି ଅଧିକ ଉତ୍ସାହରେ ଆହୁରି ଚିଡ଼ାନ୍ତି । ପଛେ ପଛେ ଲାଗିଯାଆନ୍ତି । ପ୍ରତ୍ୟହ ରାତ୍ରିରେ ବାପାଙ୍କ ପାଖରେ ପାଠ ଦେବାକୁ ହୁଏ । କିଞ୍ଚିତ୍‍ ଏପାଖ ସେପାଖ ହୋଇଗଲେ କଠୋର ଶାସ୍ତି ବି ମିଳେ । ରାନ୍ଧିବା, ବାସନ ଧୋଇବା ଆଦି କାମ ପୂର୍ବବତ୍‍ କରିବାକୁ ପଡ଼ୁଥାଏ । ଆଗ ଅନ୍ୟମାନଙ୍କର ଭୋଜନ କରାଇ ତା'ପରେ ଯାଇ ଆପେ ଖାଇହୁଏ । ହଁ, ଖାଇବା ସମୟରେ ଗୋଟିଏ ଭାତ ମଧ୍ୟ ଥାଳୀର କଡ଼ରେ ପଡ଼ିବାର ପ୍ରଶ୍ନ ହିଁ ନାହିଁ । ବାପାଙ୍କର ଆଖିରେ ପଡ଼ିଗଲେ ପିଠି ଉପରେ ମାଡ଼ର ପ୍ରୟୋଗ ଆରମ୍ଭ ହୋଇଯାଏ । ନିଜେ ଖାଇସାରି ରୋଷେଇ ଘରଟିକୁ ପରିଷ୍କାର କରିବାକୁ ମଧ୍ୟ ପଡ଼େ । ଆମେ ଅବଶ୍ୟ ସ୍ମରଣ ରଖିବା ଯେ, ସେକାଳର ସେହି କଠୋର ଶାସନହେତୁ ନହେଲେ ମଧ୍ୟ ଈଶ୍ୱରଚନ୍ଦ୍ର ନିଜର ଜୀବନଯାକ କଦାପି ନିଜର ଆହାରକୁ ନଷ୍ଟ କରୁନଥିଲେ । ଯେତିକି ଖାଇବେ, କେବଳ ସେତିକି ଗ୍ରହଣ କରୁଥିଲେ ।

 

ଆପଣାର ଦୈନନ୍ଦିନ କାର୍ଯ୍ୟ ସାରି ଘରକୁ ଫେରୁ ଫେରୁ ଠାକୁରଦାସଙ୍କର ବହୁତ ରାତି ହୋଇ ଯାଉଥିଲା । କ୍ଳାନ୍ତି ବଶତଃ ପୁଅ ପଢ଼ୁପଢ଼ୁ ଶୋଇପଡ଼ିଛି ଏବଂ ଆଲୁଅ ସେହିପରି ଜଳୁଛି ଯଦି ଦେଖୁଥିଲେ, ସେହି ନିଦ ଭିତରେ ହିଁ ମାଡ଼ ଅଜାଡ଼ି ହୋଇ ପଡ଼ୁଥିଲା । ଈଶ୍ୱରଚନ୍ଦ୍ର ଭୋ ଭୋ ହୋଇ କାନ୍ଦିବା ଶବ୍ଦ ଶୁଣି ପଡ଼ୋଶୀମାନେ ବି ବେଳେବେଳେ ଦଉଡ଼ି ଆସୁଥିଲେ ଏବଂ ଠାକୁରଦାସଙ୍କୁ ତାଙ୍କର ସେହି ନିର୍ଦ୍ଦୟତା ସକାଶେ ଭର୍ତ୍ସନା କରୁଥିଲେ । ବିଚରା ପୁଅ ଅଧିକ ମାଡ଼ର ଭୟରେ ପୁନର୍ବାର ପଢ଼ି ବସୁଥିଲା । ନିଦ ଆସିବ ଓ କାଳେ ଢୁଳାଉ ଢୁଳାଉ ଆଖି ଲାଗିଯିବ ବୋଲି ଭୟ କରି ସେ ଦିନେ ଦିନେ ଦୀପରେ ଦିଆ ଯାଇଥିବା ତେଲକୁ ନେଇ ଆଖିରେ ଲଗାଇ ଦେଉଥିଲେ । ମାତ୍ର ଦୁଷ୍ଟ ନିଦଟା ତଥାପି ଛାଡ଼ି ଯାଉନଥିଲା । ପୁନଶ୍ଚ, ପାହାନ୍ତା ପହରକୁ ବାପାଙ୍କ ଡାକ ଶୁଣି ଉଠିବାକୁ ହେଉଥିଲା । ସେତେବେଳେ ବାପା ପୁଅକୁ ଶ୍ଳୋକ ମୁଖସ୍ଥ କରାଉଥିଲେ । ଘରେ ମାଡ଼ ଖାଉଥିଲେ ମଧ୍ୟ ସ୍କୁଲରେ ସାଙ୍ଗମାନଙ୍କ ଭିତରେ ସବୁବେଳେ ସିଏ ସବାଆଗରେ ରହୁଥିଲେ । ଶିକ୍ଷକ ପଚାରୁଥିବା ପ୍ରଶ୍ନମାନଙ୍କର ଅତି ଚମତ୍କାର ଏବଂ ନିର୍ଭୁଲ ଉତ୍ତର ଦେଇ କେବଳ ଶିକ୍ଷକଙ୍କୁ ନୁହେଁ, ଶ୍ରେଣୀରେ ସହପାଠୀମାନଙ୍କୁ ମଧ୍ୟ ଆଚମ୍ବିତ କରୁଥିଲେ । ସେହି ଶିକ୍ଷାନୁଷ୍ଠାନରେ ସେ ସର୍ବମୋଟ ବାରବର୍ଷ ପଢ଼ିଥିଲେ । କେତେ ପୁରସ୍କାର ପାଇଥିଲେ, ବୃତ୍ତି ମଧ୍ୟ ପାଉଥିଲେ । ବୃତ୍ତି ଟଙ୍କାରେ ସାଙ୍ଗମାନଙ୍କୁ ମିଠାଇ କିଣି ଖୁଆଉଥିଲେ ।

 

ସେହି ଦୁଇପତ୍ର ସମୟରୁ ହିଁ ତାଙ୍କର ଚିତ୍ତ ଅନ୍ୟମାନଙ୍କ ନିମନ୍ତେ ସର୍ବଦା ଖୋଲା ହୋଇ ରହିଥିଲା । ବିଦ୍ୟାଳୟର କୌଣସି ସହପାଠୀର ଲୁଗା ନଥିଲେ ଲୁଗା କିଣି ଦେଉଥିଲେ । ଏକାବେଳେକେ ସରୁ ଫିନ୍‍ଫିନ୍‍ ଲୁଗା । ଆପେ ମୋଟା ହିଁ ପିନ୍ଧୁଥିଲେ । ମାଆ ଭଗବତୀ ନିଜେ ଅରଟରେ ସୂତା କାଟି ଲୁଗା ବୁଣାଇ ପୁଅ ସକାଶେ କଲିକତା ପଠାଇ ଦେଉଥିଲେ । କୋଉ ସରୁ ଆଉ ଫିନ୍‍ଫିନ୍‍ ଲୁଗା ତାହାର ସମକକ୍ଷ ବି ହୋଇ ପାରୁଥାଆନ୍ତା ! ଦଶହରା ଛୁଟିରେ ଗାଆଁକୁ ଆସିଲେ ଈଶ୍ୱରଚନ୍ଦ୍ର ଗରିବ ଦୁଃଖୀମାନଙ୍କୁ କେତେଭଳି ସହାୟତା କରୁଥିଲେ । କାହାର ପିନ୍ଧା ଲୁଗା ନାହିଁ, ହୁଏତ ଆପେ ଗାମୁଛା ପିନ୍ଧି ନିଜର ଧୋତିଟିକୁ ତାକୁ ପିନ୍ଧିବାପାଇଁ ଦାନ କରୁଥିଲେ । ଗାଆଁରେ କାହାର ବେରାମ ହେଲେ ନିଜେ ସେଠାରେ ଯାଇ ଶୁଶ୍ରୂଷା କରୁଥିଲେ । ରୋଗୀର ମଳମୂତ୍ର ପରିଷ୍କାର କରିବାରେ ଏତେ ଟିକିଏ ମଧ୍ୟ ଘୃଣା ଅନୁଭବ କରୁନଥିଲେ । ରାତି ରାତି ଅନିଦ୍ରା ହୋଇ ରୋଗୀ ପାଖରେ ଚେଇଁ ରହୁଥିଲେ । ତାଙ୍କ ଦେହକୁ କାଳେ ରୋଗଟା ସଂକ୍ରାମିତ ହୋଇ ଆସିବ ବୋଲି ତାଙ୍କ ମନଭିତରେ କୌଣସି ଆଶଙ୍କା ହିଁ ହେଉନଥିଲା । ସେହି ସେବାଗୁଣଟି ତାଙ୍କୁ ନିଜ ଗ୍ରାମରେ ଏବଂ କଲିକତାରେ ବହୁତଙ୍କର ପ୍ରିୟ କରିଥିଲା । ପାଠର ସାଙ୍ଗ ଏବଂ ବିଦ୍ୟାଳୟର ଶିକ୍ଷକମାନେ ତାଙ୍କୁ କେଡ଼େ ଆପଣାର ବୋଲି ଭାବି ଖୁବ୍‍ ଆଦର କରୁଥିଲେ ।

 

ସଂସ୍କୃତ କଲେଜରେ ଈଶ୍ଵରଚନ୍ଦ୍ର ଶୈଶବର ପ୍ରଥମ କେତେବର୍ଷ ବ୍ୟାକରଣ ଅଧ୍ୟୟନ କରିଥିଲେ । ସେତେବେଳେ ସେହି ଅନୁଷ୍ଠାନରେ ଇଂରାଜୀ ଭାଷା ଶିକ୍ଷାଦାନର ବ୍ୟବସ୍ଥା ରହିଥିଲା ଏବଂ ଜଣେ ସାହେବ ସେଥିପାଇଁ ନିଯୁକ୍ତ ହୋଇ ରହିଥିଲେ । ମାତ୍ର ଇଂରାଜୀ ଶିଖିବା ବାଧ୍ୟତାମୂଳକ ନଥିଲା । ଯିଏ ଇଚ୍ଛା କରିବ, କେବଳ ସେଇ ଇଂରାଜୀ ଶ୍ରେଣୀରେ ଯାଇ ଯୋଗଦେବ । ବ୍ୟାକରଣ ସହିତ ଈଶ୍ଵରଚନ୍ଦ୍ର ଇଂରେଜୀ ମଧ୍ୟ ଶିଖିବାକୁ ଆରମ୍ଭ କରି ଦେଇଥିଲେ ଏବଂ ତିନିବର୍ଷ ପଢ଼ିବା ପରେ ଯେଉଁ ପରୀକ୍ଷାରେ ବସିଲେ ସେଥିରେ ବିଶେଷ କୃତିତ୍ଵ ପ୍ରଦର୍ଶନ କରି ପୁରସ୍କାର ମଧ୍ୟ ଲାଭ କରିଥିଲେ । ବ୍ୟାକରଣ ପରେ କାବ୍ୟ । ସେଥିରେ ମଧ୍ୟ ଆପଣାର ଏକ ଅନନ୍ୟ କୁଶଳତା ପ୍ରଦର୍ଶନ କରି ପାରିଥିଲେ । ସେତେବେଳେ ତାଙ୍କୁ ମାସକୁ ପାଞ୍ଚାଟଙ୍କା ଲେଖାଏଁ ବୃତ୍ତି ମିଳୁଥିଲା । ସେହି ଟଙ୍କାକୁ ଆଣି ଈଶ୍ଵରଚନ୍ଦ୍ର ବାପାଙ୍କୁ ଧରାଇ ଦେଉଥିଲେ । କଥିତ ଅଛି ଯେ ବାପା ତାଙ୍କୁ ଦିନେ କହିଥିଲେ ଯେ ସେହି ଅର୍ଥଦ୍ଵାରା ସିଏ ଗାଆଁରେ ଜମି କିଣିବେ ଓ ଉକ୍ତ ଜମିରେ ସଂସ୍କୃତ ଟୋଲ୍‍ଟିଏ ବସାଇବା ନିମନ୍ତେ ଘର ତିଆରି କରିଦେବେ । ଗାଆଁର ଲୋକମାନେ ଯେପରି ଲେଖିପଢ଼ି ଶିଖିବେ, ତାହାର ବ୍ୟବସ୍ଥା କରାଯିବ । ଏସବୁ କାର୍ଯ୍ୟ ପରେ ବାପ ଆଉ ପୁଅଠାରୁ ତା'ର ବୃତ୍ତି ଅର୍ଥ ଗ୍ରହଣ କରିନାହାନ୍ତି ଓ ସେଥିରେ ସେ ନିଜପାଇଁ ବହିପତ୍ର କିଣିବ ବୋଲି ପରାମର୍ଶ ଦେଇଛନ୍ତି । ପୁଅ ଈଶ୍ଵରଚନ୍ଦ୍ରଙ୍କର ସମ୍ଭବତଃ ସେହି ସମୟରୁ ହିଁ ପୁସ୍ତକମାନ କ୍ରୟ କରି ନିଜର ଗୋଟିଏ ଗ୍ରନ୍ଥାଗାର ସମ୍ଭବ କରିବାର ନିଶା ଲାଗି ଯାଇଥିଲା ।

 

ଏବଂ, ସେହି ସମୟରୁ ହିଁ ସଂସ୍କୃତରେ କବିତା ଲେଖିବା ମଧ୍ୟ ଆରମ୍ଭ ହୋଇଥିଲା । ଛୁଟିରେ ଗ୍ରାମକୁ ଯାଇଥିବା ସମୟରେ ଗ୍ରାମର ପଣ୍ଡିତମାନଙ୍କ ସହିତ ସଂସ୍କୃତରେ ବହୁ କିସମର ଚର୍ଚ୍ଚାମାନ କରି ସିଏ ସେମାନଙ୍କୁ ଚକିତ କରୁଥିଲେ । ଅଞ୍ଚଳ ଗୋଟାକରେ ତାଙ୍କର ପ୍ରଶଂସା ରଟିବାକୁ ଲାଗିଲା । ବିଦ୍ୟାଳୟରେ ବାର୍ଷିକ ପରୀକ୍ଷାମାନଙ୍କରେ ଈଶ୍ଵରଚନ୍ଦ୍ର ପ୍ରାୟ ନିୟମିତ ଭାବରେ ପ୍ରଥମ ସ୍ଥାନ ଅଧିକାର କରନ୍ତି, ଥାକ ଥାକ ବହି ପୁରସ୍କାର ପାଆନ୍ତି । ତଥାପି ସେତେବେଳେ ମଧ୍ୟ, ତାଙ୍କର ଜଣେ ସାନଭାଇ ଲେଖିଥିବା ଏକ ବିବରଣ ଅନୁସାରେ: ଭାଇ ସେତେବେଳେ ମଧ୍ୟ ବସାର ଆମ ସମସ୍ତଙ୍କ ଲାଗି ରନ୍ଧାବଢ଼ା କାମ କରୁଥିଲେ । ଘରେ ଚାକର ଚାକରାଣୀ କେହି ନଥିଲେ । ରନ୍ଧାବଢ଼ା କରିବା, ସମସ୍ତଙ୍କୁ ଖାଇବାକୁ ଦେବା, ବାସନମାନଙ୍କୁ ଧୋଇ ମାଜି ପୁନର୍ବାର ଘରଟିକୁ ସଫା କରି ରଖିବା,–ସବୁ ସେହି ନିତ୍ୟନୈମିତ୍ତିକ ପୂର୍ବବତ୍ । ରାନ୍ଧୁଥିବା ସମୟରେ ମଧ୍ୟ ହାତରେ ବହି ରହିଥାଏ । କଲେଜ ଯାଉଥିବା ସମୟରେ ହାତରେ ବହିଟିଏ ଖୋଲା ଥାଏ; ଆଗକୁ ପାଦ ପକାଇବା ସଙ୍ଗେ ସଙ୍ଗେ ଈଶ୍ଵରଚନ୍ଦ୍ର ପୂର୍ଣ୍ଣମନସ୍କ ଭାବରେ ବହିର ପୃଷ୍ଠାମାନ ବି ଓଲଟାଇବାରେ ଲାଗିଥାନ୍ତି । ତାଙ୍କ ସଂସ୍କୃତ-ଅଧ୍ୟୟନର କ୍ରମରେ ନାନାବିଧ ବିଷୟ ମଧ୍ୟକୁ ସଂପ୍ରସାରଣ ଘଟିବାରେ ଲାଗିଥାଏ । କାବ୍ୟ ପରେ ଅଳଙ୍କାର, ତା'ପରେ ବେଦାନ୍ତ ଏବଂ ସ୍ମୃତିଶାସ୍ତ୍ର । ଇତିମଧ୍ୟରେ ସେ ପାଉଥିବା ବୃତ୍ତି-ଅର୍ଥର ପରିମାଣ ମଧ୍ୟ ପଞ୍ଚାଟଙ୍କାରୁ ଆଠଟଙ୍କା କେତେଅଣାକୁ ବୃଦ୍ଧି ପାଇ ଯାଇଥିଲା । ଏବଂ, ତା'ପରେ ନ୍ୟାୟ ଓ ଜ୍ୟୋତିଷ । ତା' ସହିତ ଦର୍ଶନଶାସ୍ତ୍ରରେ ଏକ ପ୍ରବନ୍ଧ ଲେଖି ଏକଶହ ଟଙ୍କା ପୁରସ୍କାର ପାଇଲେ ଓ ବିଦ୍ୟାର୍ଜନର ପ୍ରଶସ୍ତି ବିଷୟରେ ଏକ ସଂସ୍କୃତ ପଦ୍ୟମାଳା ରଚନା କରି ଆହୁରି ଶହେ ଟଙ୍କା । ଏବଂ ପଛକୁ ପଛ ଆହୁରି କେତେ ନା କେତେ ପୁରସ୍କାର ।

 

ଜଣେ ଛାତ୍ର ହିସାବରେ ସେହି ସଂସ୍କୃତ କଲେଜରେ ପଢ଼ୁଥିବା ସମୟରେ କୌଳିକ ବିବାହକାର୍ଯ୍ୟଟି ମଧ୍ୟ ସମ୍ପନ୍ନ ହୋଇ ଯାଇଥିଲା । ସେତେବେଳେ ଈଶ୍ଵରଚନ୍ଦ୍ରଙ୍କର ବୟସ ଷୋହଳ ଏବଂ ପତ୍ନୀ ଦୀନମୟୀ ନିଶ୍ଚୟ ସେହି ତୁଳନାରେ ଆହୁରି କିଛି କମ୍ ବୟସର ହୋଇଥିବେ । ବିବାହ ସ୍ଥିରୀକୃତ ହୋଇଯିବା ପରେ କନ୍ୟାର ବାପା ଠାକୁରଦାସଙ୍କୁ ପ୍ରସଙ୍ଗକ୍ରମେ କହିଥିବାର ଉଲ୍ଲେଖ ମଧ୍ୟ ରହିଛି : ବନ୍ଦୋପାଧ୍ୟାୟ ମହାଶୟ, ତୁମର ସେପରିଗୁଡ଼ାଏ ଧନସମ୍ପତ୍ତି କିମ୍ବା ଟଙ୍କାକଉଡ଼ି ନାହିଁ । କିନ୍ତୁ, ତୁମର ପୁଅ ଜଣେ ଅତ୍ୟନ୍ତ ବିଦ୍ଵାନ୍ ମଣିଷ ଏବଂ ମୁଁ କେବଳ ସେହି କାରଣରୁ ହିଁ ମୋ'ର ଏତେ ଆଦରର ଝିଅକୁ ତା' ହାତରେ ସମର୍ପଣ କରିବାକୁ ସ୍ଥିରକଲି । ସଂସ୍କୃତ କଲେଜର ବିଦ୍ୟାଧ୍ୟୟନ ୧୮୪୧ ମସିହାରେ ସମ୍ପୂର୍ଣ୍ଣ ହୋଇ ଯାଇଥିଲା । କଲେଜ ତରଫରୁ ଏକ ଔପଚାରିକ ପ୍ରମାଣପତ୍ର ଅବଶ୍ୟ ପ୍ରାପ୍ତ ହୋଇଥିଲା । ତା' ସହିତ ତାଙ୍କର ଅଧ୍ୟାପକବୃନ୍ଦ ମଧ୍ୟ ଏକତ୍ର ନାମସ୍ଵାକ୍ଷର କରି ତାଙ୍କୁ ଏକ ସ୍ଵୀକୃତିପତ୍ର ପ୍ରଦାନ କରିଥିଲେ । ସେହି ଚିଟାଉଟିରେ ହିଁ ସେମାନେ ସମ୍ଭବତଃ ସର୍ବପ୍ରଥମେ ଈଶ୍ଵରଚନ୍ଦ୍ରଙ୍କ ନାମ ସହିତ 'ବିଦ୍ୟାସାଗର' ନାମକ ଅନ୍ୟ ଉପାଧିଟିକୁ ଯୋଡ଼ି ଦେଇଥିଲେ ।

 

ଆନୁଷ୍ଠାନିକ ପାଠପଢ଼ା ସରିବାର ଅବ୍ୟବହିତ ପରେ ହିଁ ଚାକିରି,–ଈଶ୍ଵରଚନ୍ଦ୍ର ଫୋର୍ଟ ଉଇଲିୟମ୍ କଲେଜରେ ବଙ୍ଗଳା ବିଭାଗର ସିରସ୍ତାଦାର୍,–ଏବର ଭାଷାରେ ହେଡ଼୍‍ପଣ୍ଡିତ, ବେତନ ମାସକୁ ପଚାଶ ଟଙ୍କା । ଏହି 'ଫୋର୍ଟ କଲେଜରେ ଛାତ୍ର ମାନେହେଲେ ଗୋରା ସାହେବମାନେ । ସେମାନେ ଉଚ୍ଚ ଚାକିରିର ପ୍ରତ୍ୟାଶାରେ ବିଲାତରୁ ଭାରତବର୍ଷକୁ ଆସୁଥିଲେ ଏବଂ କାର୍ଯ୍ୟତଃ ସେଥିଲାଗି ଯୋଗ୍ୟ ବିବେଚିତ ହେବା ପୂର୍ବରୁ ସେମାନଙ୍କୁ ଗୋଟିଏ ସ୍ଥାନୀୟ ଅର୍ଥାତ୍ ଭାରତୀୟ ଭାଷା ଆୟତ୍ତ କରିବାକୁ ପଡ଼ୁଥିଲା । ମୁଖ୍ୟତଃ ବଙ୍ଗଳା ଓ ହିନ୍ଦୀ । ଏକ ପରୀକ୍ଷାରେ ବସି ଅନୁରୂପ ପ୍ରମାଣ ଦେବାକୁ ହେଉଥିଲା । ଏହିଠାରେ ସାହେବମାନଙ୍କୁ ବଙ୍ଗଳା ଶିଖାଉ ଶିଖାଉ ଈଶ୍ଵରଚନ୍ଦ୍ର ଆପେ ମଧ୍ୟ ଇଂରାଜୀ ଏବଂ ହିନ୍ଦୀଭାଷାରେ ବେଶ୍ ପ୍ରବୀଣତା ଅର୍ଜନ କରି ନେଇଥିଲେ । ଜଣେ ଶିକ୍ଷକରୂପେ ସେ ସମ୍ପୃକ୍ତ ସମସ୍ତଙ୍କର ତଥା କର୍ତ୍ତୃପକ୍ଷଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିଥିଲେ । ମାତ୍ର, ଗୋଟିଏ ବିଷୟରେ କେବେହେଲେ ମସ୍ତକ ନତ କରୁନଥିଲେ ଅର୍ଥାତ୍ ନିୟମବାହାର ହେଉନଥିଲେ । ବିଚରା ଗଜା ସାହେବଗୁଡ଼ିକ, ବଡ଼ ବଡ଼ ସ୍ଵପ୍ନ ତଥା ଅଭିଳାଷମାନ ପୋଷଣ କରି ସେମାନେ ଏହି ଦୂର ଭୂଇଁଟିକୁ ଆସୁଥିଲେ ସିନା, ପରୀକ୍ଷାରେ ସଫଳ ହୋଇ ନପାରିଲେ ସେମାନଙ୍କୁ ବହୁତ ଦୁଃଖମନରେ ପୁନର୍ବାର ବାହୁଡ଼ି ଯିବାକୁ ମଧ୍ୟ ପଡ଼ୁଥିଲା । ସେଥି ନିମନ୍ତେ କଲେଜର ସବାବଡ଼ କର୍ତ୍ତା ଏକଦା ଛାତ୍ରମାନଙ୍କର ପରୀକ୍ଷା ନେବାରେ ଟିକିଏ ସହାନୁଭୂତି ସହିତ ବିଚାର କରିବା ସକାଶେ ତାଙ୍କୁ ଅନୁରୋଧ କରିଥିଲେ । ଅର୍ଥାତ୍, ସ୍ଥଳବିଶେଷରେ କେହି ଯଥେଷ୍ଟ ଯୋଗ୍ୟତା ନ ଦେଖାଇଥିଲେ ମଧ୍ୟ ବିଦ୍ୟାସାଗର ତାକୁ କିଞ୍ଚିତ୍ କମ୍ କଠୋର ହୋଇ ପାସ୍ କରାଇ ଦେବାକୁ ଚେଷ୍ଟା କରିବେ । ଈଶ୍ଵରଚନ୍ଦ୍ର ଆଦୌ ରାଜି ହୋଇ ନଥିଲେ ।

 

ସେହି ପଦରେ ପ୍ରାୟ ସାଢ଼େ ଚାରିବର୍ଷ ନିଯୁକ୍ତ ହୋଇ ରହିବା ପରେ ଈଶ୍ଵରଚନ୍ଦ୍ର ସଂସ୍କୃତ କଲେଜରେ ଆସିଷ୍ଟାଣ୍ଟ୍ ସେକ୍ରେଟରୀ ପଦରେ ନିଯୁକ୍ତ ହୋଇ ସେଠାକୁ ଚାଲି ଯାଇଥିଲେ । ମାସିକ ଦରମା ସେଇ ପଚାଶ ଟଙ୍କା । ସେତେବେଳକୁ ପୁଅର ବାରମ୍ବାର ଅନୁରୋଧରେ ପିତା ଠାକୁର ଦାସ ମଧ୍ୟ ଚାକିରି ଛାଡ଼ି ଗାଆଁରେ ଯାଇ ରହିଲେଣି । ତାଙ୍କ ପାଖକୁ ମାସିକ କିଛି ଅର୍ଥ ପଠାଇବାକୁ ହେଉଥିଲା । କଲିକତାର ବସାରେ ମଧ୍ୟ ନଅଜଣଙ୍କର ଗୋଟିଏ ବେଶ୍ ଆକୃତିର ସଂସାରର ଦାୟିତ୍ଵ । ପିଲାଦିନ ପରି ତାହାର କାର୍ଯ୍ୟଗୁଡ଼ିକୁ ଏକାକୀ ତୁଲାଇବା ପାଇଁ ତାଙ୍କ ପାଖରେ ଅବଶ୍ୟ ସେତେ ସମୟ ନଥିଲା । କିନ୍ତୁ ସେଠାରେ ସମସ୍ତେ ପାଳି କରି ସଂସ୍ଥାନଟିର ସବୁଯାକ କାର୍ଯ୍ୟ କରୁଥିଲେ ଓ ଈଶ୍ଵରଚନ୍ଦ୍ର ମଧ୍ୟ ସେହି ନିର୍ଘଣ୍ଟଟିରେ ସ୍ଵୟଂ ସାମିଲ ହୋଇ ରହିଥିଲେ । ତଥାପି, ସଂସ୍କୃତ କଲେଜ ତ ତାଙ୍କ ବିଦ୍ୟାଶିକ୍ଷାର ପ୍ରଥମା ଜନନୀ ସ୍ୱରୂପ ଏବଂ ତେଣୁ ତାହା ପ୍ରତି ତାଙ୍କର ଏକ ଖାସ୍ ମାୟା ରହିବା ଅତ୍ୟନ୍ତ ସ୍ଵାଭାବିକ । ଈଶ୍ଵରଚନ୍ଦ୍ର ସବାଆଗ ସେଠାରେ ପ୍ରାୟ ଏକ ନିୟମବତ୍ ଚଳି ଆସୁଥିବା କେତେକ ବିଶୃଙ୍ଖଳାକୁ ଦୂର କରିବାକୁ ଚେଷ୍ଟା କରିଥିଲେ । ଅନୁଷ୍ଠାନରେ କାର୍ଯ୍ୟରତ ଜଣେ ଜଣେ ଶିକ୍ଷକ ଶ୍ରେଣୀଘରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଚେୟାର୍‍ଟି ଉପରେ ବସି ହାଉଲେ ହାଉଲେ ନିଦରେ ଶୋଇ ପଡ଼ୁଥିଲେ ଏବଂ, ସମ୍ଭବତଃ ସେହିପରି ବରାଦଟିଏ ରହିଥିବାରୁ କେହିଜଣେ ଛାତ୍ର ହାତରେ ପଙ୍ଖାଟିଏ ଧରି ତାଙ୍କୁ ବ୍ୟଜନ କରିବାରେ ଆସି ଲାଗିଯାଉଥିଲା । ବିଦ୍ୟାସାଗର ଆସିବା ପରେ ତାଙ୍କରି ଆଦେଶରେ ସେହି କୁରୀତିଟିକୁ ଉଠାଇ ଦିଆ ଯାଇଥିଲା । ନିର୍ଦ୍ଧାରିତ ସମୟ ସାଢ଼େ ଦଶଟା ସୁଦ୍ଧା ସବୁ ଶିକ୍ଷକ ଏବଂ ଛାତ୍ରମାନେ ବିଦ୍ୟାଳୟରେ ଅବଶ୍ୟ ପହଞ୍ଚିବେ ବୋଲି ପୁନର୍ବାର ନିୟମ ହେଲା । ପୁନଶ୍ଚ, ଶିକ୍ଷାନୁଷ୍ଠାନ ଚାଲିଥିବା ପର୍ଯ୍ୟନ୍ତ ଶିକ୍ଷକ କିମ୍ବା ଛାତ୍ର ଆପଣା ମନ ଅନୁସାରେ କଦାପି ଘରକୁ ଯାଇ ପାରିବେ ନାହିଁ ବୋଲି ସମସ୍ତଙ୍କୁ ଚେତାଇ ଦିଆଗଲା ।

 

ଏକ ବିଶେଷ ମାୟା ହେତୁ ଅନୁଷ୍ଠାନଆଡ଼କୁ ଏକ ବିଶେଷ ଅନୁରକ୍ତି ତଥା ଆନୁଗତ୍ୟ ଅନୁଭବ କରି ଈଶ୍ଵରଚନ୍ଦ୍ର କେତେକ ସମଗ୍ରତର ସଂସ୍କାରର ପ୍ରସ୍ତାବ ଦେଇ ଉପରିସ୍ଥ କର୍ତ୍ତାମାନଙ୍କ ପାଖକୁ ଗୋଟିଏ ଆବେଦନପତ୍ର ପ୍ରେରଣ କରିଥିଲେ । ବ୍ୟବସ୍ଥାରେ କିଛି ଆବଶ୍ୟକ ସୁଧାର ଏବଂ ତେଣୁ ପରିବର୍ତ୍ତନ, ପାଠ୍ୟ ସାମଗ୍ରୀରେ ମଧ୍ୟ କିଛି ଅଦଳବଦଳ,–ଛାତ୍ରମାନଙ୍କର ସମୁଚିତ ବିଦ୍ୟାଗତ ଦକ୍ଷତାଲାଭ ଦୃଷ୍ଟିରୁ କେଉଁଆଡ଼େ କିପରି ଅଗ୍ରାଧିକାର ଦିଆଯିବ, ସେହି ବିଷୟରେ କିଛି ତୁଳନାତ୍ମକ ବିଚାର,–ଦରଖାସ୍ତରେ ମୁଖ୍ୟତଃ ସେହିଭଳି କଥାର ଉତ୍ଥାପନ କରା ଯାଇଥିଲା । ଉପର ସ୍ତର କର୍ତ୍ତା ବିଶେଷ ସହାନୁଭୂତି ପ୍ରଦର୍ଶନ କରିନଥିଲେ । ଏତେ ଉତ୍ସାହକୁ ଲଗାଇ କିଛି ପରିବର୍ତ୍ତନ କରାଯିବା ଉଚିତ ବୋଲି ନିବେଦନ କରିଥିବା ଈଶ୍ଵରଚନ୍ଦ୍ରଙ୍କର ମନଟା ଏକାବେଳେକେ ଭାଙ୍ଗି ପଡ଼ିଲା । ସେ ଆପଣାର ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫାପତ୍ରରେ ଲେଖା ହୋଇଥିଲା, "ଏହି ଅନୁଷ୍ଠାନରେ ନିଜର ଏହି ପଦଟିରେ ନିଯୁକ୍ତି ପାଇବା ସମୟରେ ମୁଁ ତଦ୍ଦ୍ଵାରା ଏଠାରେ ଯାହାସବୁ କରିବା ପାଇଁ ସୁଯୋଗ ପାଇବି ବୋଲି ଆଶା ପୋଷଣ କରିଥିଲି, ଦେଖୁଛି, ସେହି ସୁଯୋଗ ମୋତେ ମିଳି ପାରିବନାହିଁ ।" ତାଙ୍କ ଇସ୍ତଫାପତ୍ର ଗୃହୀତ ହୋଇ ଯାଇଥିଲା ।

☆☆☆

 

-୩-

Unknown

ଆତ୍ମ-ପ୍ରୟୋଗରୁ ଆତ୍ମ-ଆବିଷ୍କାର

 

ମାସକୁ ପଚାଶ ଟଙ୍କା, ମୋଟେ ଅଳପ ନୁହେଁ । ପରିଚିତମାନେ ଶୁଣି ଭ୍ରୂକୁଟି କରି ନିଜଭିତରେ କଥା ହେଲେ, ବିଦ୍ୟାସାଗର ଚାକିରିଟାକୁ ତ ଛାଡ଼ିଦେଲେ, ବର୍ତ୍ତମାନ ଚଳିବେ ପୁଣି କିପରି । ଘର ବି କିଭଳି ଚାଲିବ ? ବିଦ୍ୟାସାଗର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ପରିବା ବିକିବି, ଦୋକାନ କରି ଡାଲିଚାଉଳ ବିକିବି । ମାତ୍ର, ଯେଉଁ ଚାକିରିରେ ସମ୍ମାନ ନମିଳେ, ସେହି ଚାକିରି କଦାପି କରିବି ନାହିଁ । ଆଉଜଣକ ସହିତ ଭାଗୀଦାର ହୋଇ ସିଏ ଛାପା ଯନ୍ତ୍ରଟିଏ କିଣିଲେ ଓ ବହି ଛପାଇବା କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ସେଥିପାଇଁ ଛଅଶହ ଟଙ୍କା ଋଣ ଆଣିବାକୁ ପଡ଼ିଲା । ସେଥିରେ ବାହାରର କିଛି ଛାପା ହେଲା, ତାଙ୍କ ନିଜର ବହିଟିଏ ମଧ୍ୟ ବାହାରିଲା । ତାଙ୍କର ସର୍ବପ୍ରଥମ ରଚନା,–ସଂସ୍କୃତରୁ ଅନୁବାଦ ବେତାଳ-ପଞ୍ଚବଂଶତି । ଋଣ କରାଯାଇଥିବା ଟଙ୍କା ମଧ୍ୟ ଅଚିରେ ଶୁଝି ହୋଇଯାଇଥିଲା ।

 

ଅଳ୍ପ କେତେ ମାସ ପରେ ଆଉଗୋଟିଏ ଚାକିରିରେ ମାସିକ ଅଶୀଟଙ୍କା ବେତନରେ ଫୋର୍ଟ ଉଇଲିଅମ୍ କଲେଜରେ ଯୋଗ ଦେଇଥିଲେ । ୧୮୫୦ ଖ୍ରୀଷ୍ଟାବ୍ଦରେ ସଂସ୍କୃତ କଲେଜ ସାହିତ୍ୟ ଶ୍ରେଣୀ ନିମନ୍ତେ ଜଣେ ଅଧ୍ୟାପକ ଆବଶ୍ୟକ ହେବାରୁ ସେଠାରେ ପୁନର୍ବାର ତାଙ୍କୁ ନିଯୁକ୍ତ କରି ଆଣିବା ନିମନ୍ତେ ଉପରର ପଦସ୍ଥମାନେ ଚିନ୍ତା ମଧ୍ୟ କରିଥିଲେ । ହଁ, ଈଶ୍ଵରଚନ୍ଦ୍ର ଏହି ସର୍ତ୍ତରେ ସେଠାକୁ ଆସିବାକୁ ଇଚ୍ଛା କରିଥିଲେ ଯେ ଅଧ୍ୟାପନା ସହିତ ତାଙ୍କୁ ପୂର୍ଣ୍ଣ କଲେଜଟିର ପ୍ରିନ୍ସପାଲ୍ କାର୍ଯ୍ୟ ତୁଲାଇବାର କ୍ଷମତା ପ୍ରଦାନ କଲେ ସେ ଆସିବେ । ତାହା ହିଁ ହେଲା ଏବଂ ସେ ଉକ୍ତ କାର୍ଯ୍ୟରେ ଯୋଗ ଦେବା ପରେ ସିଏ ସେହି କଲେଜରେ କ'ଣସବୁ ପରିବର୍ତ୍ତନ କରିବାକୁ ବିଚାର କରୁଛନ୍ତି, ସେଗୁଡ଼ିକୁ ଏକତ୍ର କରି ଲେଖି ଗୋଟିଏ ରିପୋର୍ଟ ପ୍ରସ୍ତୁତ କରିବାପାଇଁ ଅନୁରୋଧ କରାଯାଇଥିଲା । ରିପୋର୍ଟଟି ଉପସ୍ଥାପିତ ହୋଇଥିଲା ଏବଂ ୧୮୫୧ ମସିହା ଆରମ୍ଭରେ ହିଁ ବିଦ୍ୟାସାଗର କଲେଜର ପ୍ରିନ୍ସପାଲ୍ ପଦରେ ଅଧିଷ୍ଠିତ ହେଲେ । ମାସିକ ବେତନ ଦେଢ଼ଶହ ଟଙ୍କା ରହିଲା ।

 

ଦୃଷ୍ଟିସମ୍ପନ୍ନ ବିଦ୍ୟାସାଗରଙ୍କୁ ଏହାଦ୍ଵାରା ଆପଣାର ଯୋଗ୍ୟତାଚୟର ପରିଚୟ ଦେବାର ଅଭୂତପୂର୍ବ ଏକ କ୍ଷେତ୍ର ପ୍ରାୟ ସେହିଠାରୁ ହିଁ ମିଳି ଯାଇଥିଲା । ସିଏ କେବଳ ଭରଣ ଭରଣ ଜ୍ଞାନ ଯେ ନିଜ ଭିତରେ ଗଦା କରି ରଖିଥିଲେ ତା' ନୁହେଁ, ତାଙ୍କର ଅସରନ୍ତି ସ୍ଵପ୍ନମାନ ଥିଲା ଆପଣାର ସ୍ଵାଭାବିକ ଜୀବନଧର୍ମର ଏହି କ୍ଷେତ୍ରରେ । ସଂସ୍କୃତଶିକ୍ଷାର ଉନ୍ନତି, ସେହି କଳ୍ପେ ନୂଆ ନୂଆ ବହୁ ପରିବର୍ତ୍ତନ,–ଦେଶରେ ଉଚ୍ଚଶିକ୍ଷା ନିମନ୍ତେ ଏକ ମଜବୁତ ମୂଳଦୁଆର ନିର୍ମାଣ,–ଏବଂ, ତାହାରି ସହିତ ଦେଶକୁ କ୍ଷେତ୍ରରୂପେ ବ୍ୟବହାର କରି ଏବଂ ନିଜକୁ ନିମିତ୍ତ କରି ପଛକୁ ପଛକୁ କେତେ କେତେ ଯେ ସମ୍ଭାବନାର କ୍ଷେତ୍ର ତାଙ୍କ ଆଗରେ ପଛକୁ ପଛ ଉନ୍ମୁକ୍ତ ହୋଇ ଆସିଥିବ, ସିଏ ସେତେବେଳେ ନିଜେ ମଧ୍ୟ କଳନା କରି ପାରିନଥିବେ । ଭାରତବର୍ଷରେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର କହିଲେ ପରବର୍ତ୍ତୀ କାଳମାନଙ୍କରେ ବସ୍ତୁତଃ ଯାହାକିଛି ବୁଝାଇ ଆସିଛି ଏବଂ ଏବେ ମଧ୍ୟ ବୁଝାଉଛି, ତାହାର ଜନ୍ମମୁହୂର୍ତ୍ତଟି ହିଁ ଉପଗତ ହୋଇ ଆସିଥିଲା । ଶିକ୍ଷାର ସଂଜ୍ଞାୟତନଟିରେ ସିଏ କେତେ କେତେ ନୂଆ ସାହସ ଏବଂ ନୂଆ ଯୋଜନାମାନ ଆଣି ତା' ଉପରେ ସତକୁସତ ଯୋଡ଼ି ଦେଲେ । କେବଳ ଗୋଟିଏ କଲେଜ ନୁହେଁ, ତାଙ୍କ ଆଗରେ କ୍ରମୋନ୍ମୋଚିତ ହୋଇ ଯାଉଥିବା ଭାରତବର୍ଷ ନାମକ ସମଗ୍ର ଭୂମିଟିକୁ ନେଇ । ସେଥିରେ କଲିକତା ତଥା ବୀରସିଂହ କୌଣସି ଗୋଟିକୁ ମଧ୍ୟ ବାଦ୍ ଦେବାର ପ୍ରକୃତରେ ଅବକାଶ ହିଁ ନଥିଲା ।

 

ସେପର୍ଯ୍ୟନ୍ତ କେବଳ ବ୍ରାହ୍ମଣ ଓ ବୈଦ୍ୟ ଘରର ପିଲାମାନେ ସଂସ୍କୃତ କଲେଜରେ ଛାତ୍ରରୂପେ ଗୃହୀତ ହେଉଥିଲେ । ଇଂରେଜ କର୍ତ୍ତାମାନଙ୍କୁ ସେହି ରୀତିଟି ଆଦୌ ଭଲ ଲାଗୁନଥିଲା, କିନ୍ତୁ ସେମାନେ କାଳେ ପାରମ୍ପରିକ ଧାରଣା ଉପରେ ଆଘାତ ପହଞ୍ଚିବ ଏବଂ ପଣ୍ଡିତମାନଙ୍କର ଚିତ୍ତରେ ଅସନ୍ତୋଷ ସୃଷ୍ଟି କରିବ ବୋଲି ଉପରୁ ଆଦେଶ ଦେଇ କିଛି ଲଦି ଦେବାକୁ ନିରାପଦ ମନେ କରୁନଥିଲେ । ବିଦ୍ୟାସାଗର ଅଧ୍ୟକ୍ଷ ପଦରେ ଆସି ବସିବାପରେ ଯାଇ କିଛି ଭରସା ପାଇଲେ ଏବଂ ଅନୁରୂପ ଏକ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଅଧ୍ୟକ୍ଷ ରାଜି ହୋଇ ଯାଇଥିଲେ । ଏପରିକି ନିମ୍ନତମ ଶୂଦ୍ରବର୍ଣ୍ଣର ପିଲାମାନେ ଛାତ୍ର ହେବାର ଅଧିକାର ଲାଭ କଲେ ସେ କୌଣସି ଅନିଚ୍ଛା ପ୍ରକାଶ କରିବେ ନାହିଁ ବୋଲି ଲେଖି ଜଣାଇ ଦେଲେ । ତଥାପି, ପରବର୍ତ୍ତୀ ଏକ ସୋପାନ ରୂପେ ପ୍ରଥମେ କାୟସ୍ଥ ପିଲାଙ୍କ ନିମନ୍ତେ ସେହି ସୁଯୋଗଟି ପ୍ରଦାନ କରାଗଲେ ତାହା ଏକ ଅଧିକ ବିଜ୍ଞତାର କଥା ହେବ ଓ ଅହେତୁକ ଭାବରେ ଶାନ୍ତିଭଙ୍ଗର କାରଣ ହେବନାହିଁ ବୋଲି ପରାମର୍ଶ ଦେଇଥିଲେ । ଉପର ସ୍ତରର ବ୍ୟକ୍ତିମାନେ କଥାଟିକୁ ବୁଝିଲେ ଏବଂ ସେହିପରି ହିଁ ହୋଇଥିଲା ।

 

ଏହିପରି ଛୋଟ ଓ ବଡ଼ ବହୁ ବହୁ ପରିବର୍ତ୍ତନ । ସଂସ୍କୃତ ତ କାଳକାଳରୁ ପ୍ରାୟ ଏକ ରକ୍ଷଣଶୀଳତାର ପରିଚାୟକ ହୋଇ ରହିଥିଲା । ତଥାକଥିତ ପବିତ୍ରତାର କେତେଗୁଡ଼ିଏ ତଥାକଥିତ ସମ୍ଭ୍ରମର ରକ୍ଷା କରିବାର ଆଭିପ୍ରାୟରେ ତାହାକୁ ସତେଅବା କୌଣସି ବିଶେଷ ଖାସ୍ ଉଆସ ଭିତରେ ଅଲଗା କରି ରଖାଯିବାର ଘୋର ଉଦ୍ୟମ କରାଯାଇ ଆସିଥିଲା । ଈଶ୍ଵରଚନ୍ଦ୍ର ତାହାକୁ ସେହି ଦମ୍ଭପୂର୍ଣ୍ଣ ଆତ୍ମନିର୍ବାସନରୁ ମୁକ୍ତ କରି ଏକାଧିକ ସୁଚିନ୍ତିତ ପଦକ୍ଷେପଦ୍ଵାରା ସତେଅବା ଏକ ପରିବର୍ତ୍ତିତ ସମୟର ମୁଖ୍ୟସ୍ରୋତର ଅନ୍ତର୍ଗତ କରି ଆଣିବାଲାଗି ଚିନ୍ତା କରୁଥିଲେ-। ତାହାକୁ ଅନ୍ତଃପୁରର ଏକମନ୍ୟତାରୁ ଲୋକଜୀବନର ପରିଧି ମଧ୍ୟରେ ଆଣି ପ୍ରତିଷ୍ଠିତ କରିବାର ଉଦ୍ୟମମାନ କରିଥିଲେ । ଭାଗ୍ୟର କଥା ତାଙ୍କ ଉପରର କର୍ତ୍ତାବର୍ଗ ତାଙ୍କଠାରେ ଅତୁଟ ବିଶ୍ୱାସ ରଖିଥିଲେ । ସମୟ ସମୟରେ ଲୋକମାନଙ୍କ ସକାଶେ ଅତିବେଶୀ ହୋଇ ଯାଉଥିବା ପରି ପରିବର୍ତ୍ତନ ଦେଖିଲେ କାତର ହୋଇ ପଡ଼ୁଥିବା ମହଲମାନଙ୍କରେ ବୋଧ ହେଉଥିଲେ ମଧ୍ୟ ବିଦ୍ୟାସାଗର ମହାଶୟଙ୍କର ସକଳ ପ୍ରୟାସରେ ଯେ ସାଧୁତାର କୌଣସି ଅଭାବ ନାହିଁ, ସେହି କଥାଟିକୁ ସେମାନେ ଖୁବ୍‍ ଉପଲବ୍ଧି କରି ପାରୁଥିଲେ । ଏକଦା କାଶୀରେ ଥିବା ସମଗୋତ୍ରୀୟ ଏକ ସଂସ୍କୃତ କଲେଜର ଅଧ୍ୟକ୍ଷ କଲିକତା ଆସିଥିବା ଅବକାଶରେ ସେଠାରେ ଅବସ୍ଥିତ ସଂସ୍କୃତ କଲେଜକୁ ମଧ୍ୟ ପରିଦର୍ଶନ କରିବାକୁ ଆସିଲେ । ଏଠାରେ ବିଦ୍ୟାସାଗରଙ୍କ ସହିତ ସଂପୃକ୍ତ ନାନା ବିଷୟରେ ଦୀର୍ଘ ଆଲୋଚନା ହୋଇଥିଲା । କିଛି ମତ ମିଳିଲା ଏବଂ କିଛି ମତ ମିଳି ବି ନଥିଲା-। କାଶୀର ଅଧ୍ୟକ୍ଷ ସାହେବ ଥିଲେ ଏବଂ କାଶୀ ବାହୁଡ଼ିଯିବା ପରେ କଲିକତାର କଲେଜ ପରିଦର୍ଶନ ଏବଂ ଶ୍ରୀଯୁକ୍ତ ବିଦ୍ୟାସାଗରଙ୍କ ସହିତ ତାଙ୍କର ହୋଇଥିବା ମତ ବିନିମୟ ବିଷୟରେ ସେଠାରୁ ଲିଖିତ ଭାବରେ ମନ୍ତବ୍ୟ କିଛି ପଠାଇ ଦେଇଥିଲେ । ବିଦ୍ୟାସାଗର ଆପଣାର ବିଶେଷ ବିଚାରଗୁଡ଼ିକଦ୍ଵାରା ପରିଚାଳିତ ହୋଇ ଯେଉଁ ନୂତନ ପ୍ରବର୍ତ୍ତନଗୁଡ଼ିକୁ କଲିକତା ସଂସ୍କୃତ କଲେଜରେ କରାଉଛନ୍ତି, ସେଥିରୁ କେତୋଟିକୁ ନେଇ କିଛି ଟୀକା କରାଯାଇଥିଲା, କିଛି ପ୍ରତିମନ୍ତବ୍ୟ ମଧ୍ୟ ଦିଆ ଯାଇଥିଲା । ତେଣୁ, କିଛି ଅଦଳବଦଳ କରିବା ନିମନ୍ତେ ପରାମର୍ଶ ମଧ୍ୟ ଥିଲା । ବିଦ୍ୟାସାଗର ରାଜି ହେଲେନାହିଁ । ପୁଣି ବେଦାନ୍ତ ଓ ସାଂଖ୍ୟଦର୍ଶନ କଲେଜରେ ପାଠ୍ୟବିଷୟ ହୋଇ ରହିବା ଅନାବଶ୍ୟକ ବୋଲି ଈଶ୍ୱରଚନ୍ଦ୍ରଙ୍କର ବିଚାରଟିକୁ କାଶୀ କଲେଜର ଗୋରା ଅଧ୍ୟକ୍ଷ ଆଦୌ ଗ୍ରହଣୀୟ ବୋଲି ସ୍ଵୀକାର କରିନଥିଲେ । ବିଦ୍ୟାସାଗର ତ ସେହି ଦୁଇଟିକୁ ଗୋଟିଏ ଗୋଟିଏ ଭ୍ରାନ୍ତ ଦର୍ଶନ ବୋଲି ମତ ଦେଉଥିଲେ; ଏବଂ, କେବଳ ପଦସ୍ଥ ସାହେବମାନଙ୍କର ଭାବନାରେ ନୁହେଁ, ଭାରତୀୟ ପାରମ୍ପରିକ ପାଣ୍ଡିତ୍ୟର ଭାବାପ୍ରବଣତାରେ ମଧ୍ୟ ତାହା ପ୍ରକୃତରେ ଗୋଟିଏ ଝଟିକାକୁ ହିଁ ଡାକି ଆଣିଥିଲା ।

 

ସୁଖର କଥା, ବିଦ୍ୟାସାଗରଙ୍କର ଟାଣ ଅବଶ୍ୟ ରହିଲା ଏବଂ ପାଠ୍ୟଖସଡ଼ା ସମ୍ପର୍କରେ ତାଙ୍କରି ଅବଧାରଣା ଅନୁସାରେ ସବୁ କାର୍ଯ୍ୟକାରୀ ହେଲା । ଇଂରାଜୀ ଭାଷା ବାଧ୍ୟତାମୂଳକ ହେଲା-। ଗଣିତଶାସ୍ତ୍ର ଆଗରୁ ସଂସ୍କୃତରେ ପଢ଼ା ଯାଉଥିଲା, ଏଣିକି ଛାତ୍ରମାନେ ତାହାକୁ ଇଂରାଜୀରେ ଅଧ୍ୟୟନ କରିଥିଲେ । କ୍ରମେ ଅନୁଷ୍ଠାନରେ ଛାତ୍ରସଂଖ୍ୟା ବଢ଼ିଲା ଏବଂ ଛାତ୍ରମାନେ ପରୀକ୍ଷାରେ ମଧ୍ୟ ଅଧିକ ସଫଳତା ଦେଖାଇ ପାରିଲେ । ଇତିହାସରେ ଯେଉଁମାନେ କିଛି ନୂତନ ପ୍ରବର୍ତ୍ତନର ନିମିତ୍ତ ହୋଇ ବାହାରନ୍ତି, ସେମାନଙ୍କୁ ପ୍ରକୃତରେ ସକଳ ଅର୍ଥରେ ଆପଣାକୁ ଏକ ବ୍ୟତିକ୍ରମରୂପେ ତିଆରି କରିନେବାକୁ ହୋଇଥାଏ । ଏବଂ, ଏକ ବ୍ୟତିକ୍ରମ ହୋଇ ପାରିବାକୁ ହେଲେ ଅପାର ସାହସର ଆବଶ୍ୟକତା ମଧ୍ୟ ରହିଥାଏ । ଅସଲ ବିପଦ ତ ଏଇଥିପାଇଁ ରହିଥାଏ ଯେ, ଅଧିକାଂଶ ମନୁଷ୍ୟ ନୂଆକୁ ବେଶ୍‍ ବୁଝିପାରୁଥାନ୍ତି, ଏଥର ସେହି ନୂଆର ସମୟ ଆସି ପହଞ୍ଚିଲା ବୋଲି ସେମାନଙ୍କ ଭିତରୁ ସୋଦରବତ୍‍ ଆର ବିବେକଟି ସତେଅବା ଖେଞ୍ଚାଟାଏ ମାରି କହି ବି ଦେଉଥାଏ-। ତଥାପି ସେମାନେ ଆଗକୁ ପାଦ ପକାଇବାକୁ କୁଣ୍ଠା ପ୍ରଦର୍ଶନ କରନ୍ତି ଏବଂ କାହିଁକି କେଜାଣି କାହାପାଇଁ ଅପେକ୍ଷା କରି ରହିଥାଆନ୍ତି । ତଳର ଭୂଇଁଟା ଭୁଷୁଡ଼ି ପଡ଼ିଲେ ସେମାନେ ସମ୍ଭବତଃ ଆପେ ମଧ୍ୟ ଭୁଷୁଡ଼ି ପଡ଼ିବେ ବୋଲି ଭୟ କରୁଥାନ୍ତି କି ? ବଡ଼ ଯନ୍ତ୍ରଣାଦାୟକ ହୋଇ ରହିଥାଏ ସେମାନଙ୍କର ସେହି ପ୍ରପୀଡ଼ିତ ଅନ୍ତସ୍ମରଣଟା । ଭୀରୁର ଯନ୍ତ୍ରଣା ଦୂର ହୁଏ ସିଏ ସତକୁସତ ସାହସୀ ହୋଇପାରିଲେ । ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଜଣେ ସାହସୀ ମନୁଷ୍ୟ ଥିଲେ । ଆପଣାକୁ କେତେ ନିଜର କରିପାରିଲେ ଏବଂ ତଥାକଥିତ ନିଜର ଏହି ବ୍ୟକ୍ତି-ଆୟତନର ବାଡ଼ଟି ଭିତରେ କେତେ ଦୂରକୁ ଦେଖିଲେ ଏବଂ କେଡ଼େ ସମଗ୍ରତର ଭାବରେ ଦେଖିଲେ ଯେ ଭୀରୁତା କଟିଯାଏ ଓ ସାହସଲାଗି ଜାଗାଟିଏ ଛାଡ଼ି ଦେଇହୁଏ, ସଦା-ସାହସର ସେହି ସହଜ ଦୃଷ୍ଟାନ୍ତରୂପୀ ବିଦ୍ୟାସାଗର ଆମକୁ ସେହି କଥାଟିକୁ ଆମର ହୃଦବୋଧ ହେବାଭଳି କହିଦେଇ ପାରନ୍ତେ ।

 

ତଥାପି ସାହସୀ ମଣିଷଙ୍କର ଜୀବନଟିର ହିଁ ଦର୍ପଣବତ୍‍ ହୋଇ ରହିଥାଏ ତଥା ଆମ ପୃଥିବୀର ଅଧା ଭୀରୁ ଓ ଅଧା-ସାହସୀମାନଙ୍କୁ ବହୁତ କିଛି ଅବଶ୍ୟ କହି ପାରିବାର ସାମର୍ଥ୍ୟ ରଖିଥାଏ । ଈଶ୍ୱରଚନ୍ଦ୍ରଙ୍କର ସାହସୀ ଜୀବନ ମଧ୍ୟ ଆମଲାଗି ଏକ ଦର୍ପଣବତ୍‍ ହୋଇ ରହିଛି । ସେହି ସଂସ୍କୃତ କଲେଜରେ ଏକ ଘଟଣାରୁ ଆମକୁ ନଜିରଟିଏ ଖୁବ୍‍ ମିଳିଯାଇ ପାରିବ । ଆଗକୁ କୁହାଯାଇଛି, ଅଧ୍ୟକ୍ଷ ଈଶ୍ୱରଚନ୍ଦ୍ର ହିଁ ସଂସ୍କୃତ କଲେଜରେ ବ୍ରାହ୍ମଣେତର ଅନ୍ୟ ଘରର ଛାତ୍ରମାନଙ୍କୁ ଅଧ୍ୟୟନ କରିବାପାଇଁ ଦୁଆର ଖୋଲାଇ ଦେଇଥିଲେ । ସମଗ୍ର ଭାରତବର୍ଷର ସଂସ୍କୃତ-ଅଧ୍ୟୟନ ଏବଂ ଅଧ୍ୟାପନାର ଇତିହାସରେ ଏପରି ସତକୁସତ ସର୍ବପ୍ରଥମ ଥର ନିମନ୍ତେ ଘଟିଥିଲା । ରକ୍ଷଣଶୀଳ ନାସିକାମାନେ କୁଞ୍ଚିତ ହୋଇ ଉଠିଲେ । ଏହାଦ୍ଵାରା ଘୋର ଅମଙ୍ଗଳ ଘଟିବ ବୋଲି ସେମାନେ ହୁଏତ ଖୁବ୍‍ ସ୍ପଷ୍ଟ ଭାବରେ ଘ୍ରାଣ କରି ପାରିଥିବେ । ତେଣୁ ଖୁବ୍‍ ଆପତ୍ତି ଉଠିଲା । ନିଜେ ସଂସ୍କୃତ ଭାଷାରେ ଏତେ ପ୍ରବୀଣ ଜଣେ ବ୍ୟକ୍ତି ନିଶ୍ଚୟ କୌଣସି ଅପଶକୁନର ଫୁସୁଲାରେ ପଡ଼ି ଏପରି କରିବା ସକାଶେ ଉଦ୍ୟତ ହୋଇଥିବେ । ଏହି ପଦକ୍ଷେପ ପବିତ୍ର ହିନ୍ଦୁଧର୍ମର ବିରୋଧାଚରଣ କରୁଛି ବୋଲି ନିଶ୍ଚୟ ଖୁବ୍‍ ପାଟି ହୋଇଥିବ । ସାହସୀ ବିଦ୍ୟାସାଗର ଆପଣାର ସହଜ ରୀତିରେ ହିଁ ସେମାନଙ୍କ ପ୍ରତିବାଦର ସମ୍ମୁଖୀନ ହୋଇଥିଲେ । ରକ୍ଷଣଶୀଳ ମହାଭାଗମାନଙ୍କୁ ସିଧା ଅପଦସ୍ଥ କରି ଦେଲାପରି ସାହସର ସହିତ କହିଥିଲେ: ବାବୁ, ଆପଣମାନେ ତ ଧନୀ ବ୍ରାହ୍ମଣେତର ବ୍ୟକ୍ତିମାନଙ୍କ ଘରକୁ ଯାଇ ପୁଣି କିପରି ସଂସ୍କୃତ ପଢ଼ାଇ ଆସୁଛନ୍ତି ଏବଂ ମ୍ଳେଛ ଇଂରାଜମାନଙ୍କର ବୋଲ ମାନି ମଧ୍ୟ ଘରୋଇ ଭାବରେ ସଂସ୍କୃତ ଶିଖାଉଛନ୍ତି । ସେତେବେଳେ ତ ମଙ୍ଗଳ ଅମଙ୍ଗଳ ମୋଟେ କିଛି ବାରି ପାରୁନାହାନ୍ତି । ସେସବୁ ଥାନରୁ ଆପଣମାନଙ୍କୁ ଉତ୍ତମ ପଇସା ମିଳୁଛି, କ'ଣ ସେଇଥିପାଇଁ ? ଭୀରୁମାନେ ଆଉ କ'ଣ ଉତ୍ତର ଦେଇ ପାରିଥାନ୍ତେ ? ଭୀରୁମାନେ ସମ୍ଭବତଃ ସଂସ୍କାରଗୁଡ଼ିକୁ ମାନନ୍ତି, ସଂସ୍କାରଗୁଡ଼ିକରେ ସେମାନଙ୍କର ସେପରି କୌଣସି ବିଶ୍ୱାସ ନଥାଏ । ସାହସ ହିଁ ବିଶ୍ୱାସ ଦିଏ, ବଳ ଦିଏ,–ତେଣୁ ସହଜ କରି ରଖିଥାଏ ।

 

ସଂସ୍କୃତ-ଶିକ୍ଷା ତ ଉପର ସ୍ତରର,– ପଣ୍ଡିତ ହୋଇ ଶାସ୍ତ୍ରରେ ଏବଂ ଶାସ୍ତ୍ରର ମାଧ୍ୟମରେ ଜୀବନରେ ଯଥାର୍ଥ ପ୍ରଜ୍ଞାଗୁଡ଼ିକର ଅଧିକରୀ ହେବାପାଇଁ । ମାତ୍ର, ଯଦି ମୂଳଦୁଆଟି ମଧ୍ୟ ଅନୁକୂଳ ପରିମଳରେ ତିଆରି ନହୁଏ, ତେବେ ଉପରେ ଯାଇ ଯେତେ ଗାମ୍ଭୀର୍ଯ୍ୟରେ ଯାହାକିଛି ବିଦ୍ୟାର ଅର୍ଜନ କଲେ ମଧ୍ୟ ସେଇଟି ଅଧିକତର ତାତ୍ପର୍ଯ୍ୟରେ କେବଳ ଗୋଟିଏ ଏଡ଼େବଡ଼ ବୋକଚା ହୋଇ ମୁଣ୍ଡ ଉପରେ ଲଦା ହୋଇଥିବ । ତେଣୁ ଉପଯୁକ୍ତ ପରବର୍ତ୍ତୀ ଶିକ୍ଷା ନିମନ୍ତେ ପିଲା ବୟସର ଶିକ୍ଷା, ଯାହାକୁ ସଚରାଚର ପ୍ରାଥମିକ ଶିକ୍ଷା ବୋଲି କୁହାହୋଇ ଆସିଛି । ସେତେବେଳେ କଲିକତା ସହରରେ ଆଙ୍ଗୁଠି ଅଗରେ ଗଣି ହୋଇ ଯିବାଭଳି ଅଳ୍ପ କେତୋଟି ଶିଶୁ-ପାଠଶାଳା ସିନା ଥିଲା, କିନ୍ତୁ ଗ୍ରାମାଞ୍ଚଳରେ ହୁଏତ ଯୋଜନାବଦ୍ଧ ହୋଇ କିଛି ନଥିଲା । ମାଟିବଂଶ ଅବଧାନମାନେ ଥିଲେ-। ଜୀବନ ବିଷୟରେ ଦୈନନ୍ଦିନ ଅନ୍ଦାଜଗୁଡ଼ିକ ମୋଟେ ଅଥବା କ୍ୱଚିତ୍‍ ଗାଆଁ ବାହାରକୁ ବେଶୀ ଦୂରଯାଏ ଯାଉନଥିଲା । ଏବଂ, ତାହାରି ମୁତାବକ ଅବଧାନମାନେ ବିଦ୍ୟାଦାନ ଆଳରେ କିଛି ସମର୍ଥତା ଆଣି ସେଠା ପିଲାମାନଙ୍କୁ ଯୋଗାଡ଼ କରି ଦେଉଥିଲେ । ଗାଆଁର ସବୁ ପିଲାଙ୍କ ନିମନ୍ତେ ମଧ୍ୟ ତାହା ସମ୍ଭବ ହେଉ ନଥିଲା । ଏବଂ, ବିଦେଶର କମ୍ପାନୀ ସରକାର ସେହି କ୍ଷେତ୍ରରେ ଅବଶ୍ୟ କିଛି କରାଯାଉ ବୋଲି ଇଚ୍ଛା କରୁଥିଲେ ମଧ୍ୟ ବାସ୍ତବତଃ ବହୁତ କିଛି ସମ୍ଭବ ହେଉ ନଥିଲା-। ବ୍ୟକ୍ତିଗତ ହିତାଭିଳାଷୀ କେତେଜଣଙ୍କର ଉଦ୍ୟମରେ କଲିକତାରେ କଲିକତା ସ୍କୁଲ ସୋସାଇଟି ଗଢ଼ା ହୋଇ ବିଶେଷତଃ କେତେଜଣ ସାହେବ ତାହାର ଆଗୁଆ ଉତ୍ସାହଦାତା ରୂପେ କାର୍ଯ୍ୟ କରୁଥିଲେ । ସେତେବେଳେ ମୁଖ୍ୟତଃ ବଦାନ୍ୟମାନଙ୍କର ଚାନ୍ଦାରେ ସ୍କୁଲଶିକ୍ଷା ଦିଗରେ କିଛି ମୂଳଦୁଆ ପଡ଼ିଥିଲା । କଥିତ ଅଛି ବଡ଼ଲାଟ ଉଇଲିୟମ୍‍ ବେଣ୍ଟିକ୍‍ ମଧ୍ୟ ସେହି ପାଣ୍ଠିକୁ ମାସିକ କିଛି ଚାନ୍ଦା ମଧ୍ୟ ଦେଉଥିଲେ । ସବୁଆଡ଼ୁ ସବୁକିଛି ମିଶି ତଥାପି ଅର୍ଥର ଅକୁଳାନ ହିଁ ସର୍ବପ୍ରଧାନ ପ୍ରତିବନ୍ଧକ ହୋଇ ରହିଥିଲା । ସୋସାଇଟିର ଜଣେ ବିଶେଷ ଆଗ୍ରହ ଥିବା ସଦସ୍ୟ ଶ୍ରୀଯୁକ୍ତ ଉଇଲିୟମ୍‍ ଆଡାମ୍‍ ୧୮୩୫ ମସିହାରେ ଯେଉଁ ଶିକ୍ଷା-ବିଷୟକ ରିପୋର୍ଟ ପ୍ରସ୍ତୁତ କରି ଦେଇଥିଲେ, ସେଥିରେ ସେ ଉଭୟ ଇଂରେଜ ତଥା ଭାରତୀୟ ଶିକ୍ଷାହିତୈଷୀମାନଙ୍କର ଅର୍ଥସହାୟତା ଏବଂ ସମ୍ମିଳିତ ସହଯୋଗର ବହୁତ ପ୍ରଶଂସା କରିଥିଲେ ଏବଂ ଅଧିକ ଆଶାବାଦୀ ହୋଇ ସେହି ସହଯୋଗିତା ଅଧିକ ବୃଦ୍ଧି ପାଇଲେ ଶିକ୍ଷାପ୍ରସାରର ସେହି ପ୍ରୟାସଗୁଡ଼ିକ ଗ୍ରାମାଞ୍ଚଳକୁ ମଧ୍ୟ ସଂକ୍ରମିତ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ । ସେହି ରିପୋର୍ଟଦ୍ୱାରା ସେପରି କିଛି ଫଳ ଅବଶ୍ୟ ଫଳିଲା ନାହିଁ । ସେଥିରେ ଉତ୍ସାହ ନ ହରାଇ ଶ୍ରୀ ଆଡାମ୍ ବଡ଼ଲାଟଙ୍କ ପାଖକୁ ଲେଖିଥିବା ଆଉଗୋଟିଏ ପତ୍ରରେ ମୋଟାମୋଟି କିଛି ପ୍ରାରମ୍ଭିକ ପ୍ରସ୍ତାବ ମଧ୍ୟ ପେଶ୍‍ କରିଥିଲେ ଏବଂ ସରକାର ସେହି ପ୍ରସ୍ତାବ କେତୋଟିକୁ ଔପଚାରିକ ଭାବରେ ଗ୍ରହଣ କରିଛନ୍ତି ବୋଲି ଘୋଷଣା ବି କରିଥିଲେ । ହଁ, ନୈତିକ ସକଳ ଦୃଷ୍ଟିରୁ ଶାସନର ପକ୍ଷଟି କିପରି ପ୍ରଜାମାନଙ୍କର ଶିକ୍ଷା ନିମନ୍ତେ ସମ୍ପୂର୍ଣ୍ଣ ଦାୟୀ ରହିବା ଉଚିତ୍‍, ୧୮୩୮ର ଆଉ ଏକ ସ୍ମାରକପତ୍ରରେ ନିଜର ଯୁକ୍ତି ବାଢ଼ିବାକୁ ସିଏ ମନସ୍ଥ ମଧ୍ୟ କରିଥିଲେ । ଅତ୍ୟନ୍ତ ସ୍ପଷ୍ଟ ଭାବରେ ଆପଣାକୁ ପ୍ରଜାପକ୍ଷର ଅନ୍ତର୍ଭୁକ୍ତ କରି କେଡ଼େ ଟାଣ ହୋଇ କହିଥିଲେ ଯେ, ଶିକ୍ଷାର ଆବଶ୍ୟକ କାର୍ଯ୍ୟକ୍ରମଟିକୁ ଚଳାଇବା ନିମନ୍ତେ ଯଦି ସରକାର ଅର୍ଥ ଯୋଗାଡ଼ କରି ପାରିବେନାହିଁ, ତେବେ ଦେଶବାସୀ ସରକାରଙ୍କୁ ଯେଉଁ ଖଜଣା ଦେଉଛନ୍ତି, ସେମାନଙ୍କ ପିଲାମାନଙ୍କର ଶିକ୍ଷା ପାଇଁ ସେହି ତହବିଲ୍‍ରୁ ହିଁ ଖର୍ଚ୍ଚବ୍ୟବସ୍ଥା ହେବା ଉଚିତ । ଦେଶର ହଜାର ହଜାର ଦରିଦ୍ର ତଥା ଶିକ୍ଷାରୁ ବଞ୍ଚିତ, ସେହି ଅର୍ଥଉପରେ ନ୍ୟାୟତଃ ସେହିମାନଙ୍କର ହିଁ ସବାଆଗ ସବୁବେଳେ ଦାବି ରହିଛି-। ହଁ, ସବାଆଗ ହିଁ ଦାବି ରହିଛି; କାରଣ, ସେହିମାନେ ତ ନିଜର ହାଡ଼କୁ ଚୂନା କରି, ଅବିଶ୍ରାନ୍ତ ଭାବରେ ଯାବତୀୟ ଖଟଣି ଖଟି ସରକାରଙ୍କୁ ଖଜଣା ଭରି ଦେଉଛନ୍ତି । ମୁଁ ସେହିମାନଙ୍କର ପକ୍ଷରୁ ହିଁ କହିବାକୁ ଇଚ୍ଛା କରୁଛି, ପ୍ରାୟ ଦଶକୋଟି ଏ-ଦେଶୀୟମାନଙ୍କର ଶିକ୍ଷା ବ୍ୟବସ୍ଥାଦି ନିମନ୍ତେ କ'ଣ ସେମାନେ ଗଣୁଥିବା ଖଜଣାର କେବଳ ଅର୍ଦ୍ଧାଂଶମାତ୍ର ଖରଚ ହେବାରେ ଲାଗିଥିବ ?

 

ଶ୍ରୀଯୁକ୍ତ ଆଡାମ୍ ପ୍ରସ୍ତାବ ଦେଇ କହିଥିଲେ ଯେ ଗ୍ରାମାଞ୍ଚଳର ବାଳକମାନଙ୍କ ପାଇଁ ଯଥେଷ୍ଟ ସଂଖ୍ୟାର ଶିକ୍ଷକଙ୍କୁ ତାଲିମ କରାଯାଉ, ଯେଉଁମାନେ କି ସେମାନଙ୍କୁ ସେମାନଙ୍କର ନିଜ ଭାଷାରେ ଶିକ୍ଷା ଦେଇପାରିବେ । ସେମାନଙ୍କର ଚରିତ୍ର ଗଠନ କରାଇ ଆଣିବେ ଏବଂ ନିଜର ଜୀବିକାନିର୍ବାହ କରିବା ସକାଶେ ସେମାନଙ୍କୁ ସମର୍ଥ ବି କରିବେ । ଏହିପରି କାର୍ଯ୍ୟଟିଏ ଆରମ୍ଭ କଲେ କ୍ରମେ ପିଲାମାନଙ୍କ ନିମନ୍ତେ ଏକ ସାଧାରଣ ଶିକ୍ଷାବ୍ୟବସ୍ଥା ମଧ୍ୟ କ୍ରମଶଃ ସମ୍ଭବ ହୋଇ ଆସିବ । ସେହି ରିପୋର୍ଟ କିଞ୍ଚିତ୍ ନୂଆ ଚଞ୍ଚଳତା ଅବଶ୍ୟ ସୃଷ୍ଟି କଲା ଏବଂ ଆଗକୁ ଅନ୍ତତଃ କିଛି ନା କିଛି ଅଧିକ ଫରଚା କରି ଦେଖାଇ ହୁଏତ ଆଣିଲା ସିନା, ମାତ୍ର ସରକାରଙ୍କୁ ମଧ୍ୟ ଉପଯୁକ୍ତ ଭାବରେ ସଚଳ କରି ପାରିବାର ସମୟଟି ତଥାପି ବହୁଦୂର ହୋଇ ରହିଥିଲା, ଏବଂ ସେହିପରି ହିଁ ରହିଗଲା । ଏବଂ ଏହିପରି ଝୁଣ୍ଟିବାର ତଥା ଅଟକି ଯିବାର କେତେ କେତେ କାହାଣୀ ଓ ସଂକୀର୍ଣ୍ଣ ତଥା ପ୍ରଶସ୍ତ କେତେଭଳି କଳ୍ପନା ଏବଂ କେତେ ପ୍ରକାରର ସଦିଚ୍ଛା । ପ୍ରାୟ ସବୁଯାକ ଖୁଡ଼୍‍ଖାଡ୍ ସେହି କଲିକତା ସହରରେ ହିଁ ହେଉଥିଲା । ଅଧିକତର କୋଳାହଳ ଧନୀ ଘରର ଏବଂ ଶିଷ୍ଟ ଦୁଃସାହସ କରି ପାରୁଥିବା ଯୁବାମାନେ କରୁଥିଲେ । ଯୁବାମାନେ ପ୍ରାୟ ଇଚ୍ଛାକୃତ ଭାବରେ କ'ଣ ସବୁ ନିଜ ଆଗରେ ଦେଖି ପ୍ରାୟ ଏକ ଆଦର୍ଶର ଆକର୍ଷଣରେ ଉଲ୍ଲସିତ ହୋଇ ଉଠୁଥିଲେ ଏବଂ ସେଥିରୁ ଅପାର ଆନନ୍ଦ ଲାଭ କରୁଥିଲେ । ସେମାନଙ୍କର କୁଚ୍‍କାୱାଜଗୁଡ଼ିକଦ୍ଵାରା କଲିକତା ନିଶ୍ଚୟ ଖୁବ୍ ସରଗରମ ହୋଇ ଉଠିଥିବ ଓ କେତେ ପ୍ରକାରର ଚମକପ୍ରଦ ନେତୃତ୍ଵ ସେମାନଙ୍କୁ କେଡ଼େ ସୂତରରେ କେତେଆଡ଼େ ବାଉଳା କରି ନେଉଥିବ । ସାହେବମାନଙ୍କୁ କେତେ କେତେ ବହୁ ଉତ୍ସାହପୂର୍ଣ୍ଣ ଭୂମିକାରେ ଦେଖି ସେମାନେ ସଳଖ ରାସ୍ତାଗୁଡ଼ିକୁ ଏଣିକି ପାଇଗଲେ ବୋଲି ଅନ୍ତତଃ କେତେ ଘଡ଼ି ନାଚି ବି ଉଠୁଥିବେ । ଯେଉଁ ନୂତନ ଉଦ୍‍ଘାଟନଗୁଡ଼ିକର ମୁହୂର୍ତ୍ତଟିଏ ଆସି ପହଞ୍ଚିଛି ଏବଂ ଯାହାକୁ ସହଜବଶ ଏହି ବାବୁମାନେ ଏକ ଆଧୁନିକ ଯୁଗ ବୋଲି ବିଶ୍ଵାସ କରିବାକୁ ହୁଏତ ମନ୍ତ୍ରଣା ପାଇ ସାରିଲେଣି, ସେଇଟି ସେମାନେ ସେମାନଙ୍କର ଯାବତୀୟ ହିସାବରେ କଲିକତାର ଏହି ଆଖିଆଗର ପୃଥିବୀଟିରେ ହିଁ ଦେଖୁଥିଲେ ଏବଂ ସତେଅବା କୋଟିନିଧି ଲାଭ କରୁଥିଲେ । ଈଶ୍ଵରଚନ୍ଦ୍ର ଗାଆଁରେ ହିଁ ଜୀବନର ଏକ ନିଦା ପରିଚୟରେ ଆସିଥିଲେ । ଯାବତୀୟ ଶିକ୍ଷାଲାଭ ସତ୍ତ୍ୱେ ସେ କଲିକତାରେ ମୋଟେ କେବେହେଲେ ଆପଣାକୁ ହୁଡ଼ାଇ ଦେଇ ନଥିଲେ । ତାଙ୍କର ନିତ୍ୟ ଜିଜ୍ଞାସୁ ଓ ନିତ୍ୟ ଗ୍ରହଣଶୀଳ ହୃଦୟଟି ଗାଆଁର ସେହି ସାନ ଆୟତନଟି ମଧ୍ୟରେ ଆଦୌ ଲାଖି ରହିନଥିଲା ସତ, ମାତ୍ର ସହରବାସୀ ଅନେକଙ୍କର ତୁଳନାରେ ସିଏ ସେହି ସହରର ସୁଯୋଗଗୁଡ଼ିକ ମଧ୍ୟରେ ଆପଣାକୁ ଅତ୍ୟନ୍ତ ନିର୍ଭରଯୋଗ୍ୟ ଭାବରେ ଗଢ଼ି ଆଣିବାର ସମ୍ପୂର୍ଣ୍ଣ କଳାଟିକୁ ଜାଣିଥିଲେ ମଧ୍ୟ ତାଙ୍କର ନାହାକା ଚେରଟା ସେହି ଗାଆଁରେ ଯାଇ ଲାଗିଥିଲା । ସେହି କାରଣରୁ ତାଙ୍କୁ ଆଦୌ ସହରକାତର ହେବାକୁ ପଡ଼ିନଥିଲେ ମଧ୍ୟ ନିଜର ମୂଳଭୂତ ଜୀବନଶ୍ରଦ୍ଧାକୁ ସିଏ ବୀରସିଂହଠାରୁ କଲିକତା ଯାଏ ସତେଅବା କୌଣସି ଅସଲ ଭୂମିର ଆଶ୍ଵାସନା ଲାଭ କରୁଥିବା ପରି ସମ୍ପ୍ରସାରିତ କରି ପାରୁଥିଲେ । ଆମେ ଇଚ୍ଛା କଲେ ସେହି ଭୂମିଟିକୁ ତାଙ୍କୁ ଘେରି ରହିଥିବା ଏବଂ ସତତ ଆହ୍ଵାନ ପରେ ଆହ୍ଵାନ ଦେଉଥିବା କାଳର ସେହି ଜୀବନ୍ତ ଭୂମି ବୋଲି ନିଶ୍ଚୟ କହିପାରିବା । ଏବଂ, ସେଥିଲାଗି ସେହି କାଳଟି ବିଷୟରେ ସଚେତନ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସହରରେ ଅବସ୍ଥାନ କରୁଥିଲେ ମଧ୍ୟ ସେ କେତେ ସିଧା ହୋଇ କହିପାରୁଥିଲେ : ଆମକୁ ସାଧାରଣ ଜନଗଣଙ୍କ ମଧ୍ୟକୁ ଶିକ୍ଷାର ଏହି ସୁଫଳଗୁଡ଼ିକୁ ସଂପ୍ରସାରିତ କରିନେବାକୁ ହିଁ ପଡ଼ିବ । ତେଣୁ, ଆମେ ସେହି ଲୋକମାନଙ୍କ ମଧ୍ୟରେ ହିଁ ବହୁସଂଖ୍ୟାରେ ପାଠଶାଳାମାନ ସ୍ଥାପନ କରିବା, ଯେଉଁଠାରେ ପିଲାମାନେ ନିଜ ଭାଷାରେ ହିଁ ଯାବତୀୟ ଜ୍ଞାନଲାଭ କରି ପାରୁଥିବେ । ଏବଂ, ସେହି ଉଦ୍ଦେଶ୍ୟରେ ସେହି ମାତୃଭାଷାରେ ହିଁ ଅଧିକରୁ ଅଧିକ ପାଠ୍ୟପୁସ୍ତକ ପ୍ରଣୟନ କରିବାରେ ମଧ୍ୟ ପ୍ରୟାସୀ ହେବାକୁ ପଡ଼ିବ । ଜୀବନର ଆବଶ୍ୟକ ଏବଂ ଶିକ୍ଷାପ୍ରଦାନ–ସମର୍ଥ ସକଳ ବିଷୟରେ ସେହି ପୁସ୍ତକଗୁଡ଼ିକୁ ଲିଖିତ ହେବ । ଏବଂ ଆମେ ଏପରି ଗୋଟିଏ ଶିକ୍ଷକବାହିନୀକୁ ତାଲିମ ଦେଇ ତିଆରି ବି କରି ଆଣିବା, ଯେଉଁମାନେ କି ସେହି କାର୍ଯ୍ୟରେ ନିଯୁକ୍ତ ହୋଇ ରହିବେ । ତେବେଯାଇ ଆମର ଲକ୍ଷ୍ୟଟି ସିଦ୍ଧ ହୋଇ ପାରିବ ।

 

ଭାରତୀୟ ଜନଜୀବନର ଇତିହାସରେ ସ୍ପଷ୍ଟତମ ଅର୍ଥରେ ପ୍ରାୟ ସର୍ବପ୍ରଥମ ଏକ ସମ୍ମିଳିତ ଅଭିକ୍ରମ ରୂପେ ସାର୍ବଜନୀନ ଶିକ୍ଷାର ଏହି ଯେଉଁ ଆନ୍ଦୋଳନଟି ଆରମ୍ଭ ହେଲା, ତାହାକୁ ଆମେ ତତ୍କାଳୀନ ସରକାରଙ୍କର ଗୋଟିଏ କାର୍ଯ୍ୟକ୍ରମ ବୋଲି କହିବା ନା ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ବିଶେଷ ଏକ ଉଦ୍ୟମର ଫଳଶ୍ରୁତି ରୂପେ ଜାଣିରଖିବା ? କାର୍ଯ୍ୟକ୍ରମଟି ସରକାରଙ୍କର ଏବଂ ବିଦ୍ୟାସାଗର ସେଇଥିଲାଗି କେବଳ ନିଜର କାନ୍ଧଟିକୁ ନେଇ ଲଗାଇ ଦେଉଥିଲେ ନା ଅଧିକତର ଅର୍ଥରେ ବିଦ୍ୟାସାଗରଙ୍କର ଏକ ବହୁତ ଦୂରଯାଏ ଦେଖି ତଥା ସମଝି ପାରୁଥିବା ଏକ ଯୋଜନା ଓ ସେଥିରେ ଯଥୋଚିତ ସାହାଚର୍ଯ୍ୟ ଯୋଗାଇ ଦେଇ ନିଜର ଭୂମିକାଟିକୁ ବହନ କରିବାକୁ ରାଜି ହୋଇଥବା ତତ୍କାଳୀନ ସରକାର । ଯେଉଁଟିକୁ ଆମେ ଆଗ ବୋଲି କହିବା ପଛକେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସଂପୃକ୍ତ ସରକାରୀ ପଦସ୍ଥମାନଙ୍କର ଈଶ୍ଵରଚନ୍ଦ୍ରଙ୍କର ସାଧୁତା ଉପରେ ସମ୍ପୂର୍ଣ୍ଣ ଭରସା ରହିଥିଲା ବୋଲି ଏସବୁ ଏତେଯାଏ ସମ୍ଭବ ହୋଇ ପାରୁଥିଲା । ମୁଦା ହୋଇ କାଳକାଳରୁ ପଡ଼ିଥିବା ପେଡ଼ିଟା ହିଁ ଫିଟି ଯାଇଥିଲା । ବିଦ୍ୟାସାଗର କଲିକତାରେ ଥିଲେ, ଏକ ବୃହତ୍ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଥିଲେ ଏବଂ ତଳର ସହସ୍ର ସହସ୍ରଙ୍କର ଅନ୍ଦାଜରେ ସେହି ଉପରର ହିଁ ଜଣେ ଥିଲେ; କିନ୍ତୁ ଏକାବେଳେକେ ରକ୍ତମାଂସର ସ୍ତରରେ ସେ ଲୋକ-ଆସ୍ପୃହା ଏବଂ ଲୋକ-ଆବଶ୍ୟକତାର ସଳଖତମ ପ୍ରତିନିଧିତ୍ଵ କରୁଥିଲେ । ଗାଆଁରେ ଜନ୍ମିଥିଲେ ଏବଂ ସେହି ଉତ୍ତରାଧିକାରର ଦର୍ପଣଟି ଉପରେ ନିଜର ସର୍ବବିଧ କାର୍ଯ୍ୟକଳାପର ମୂଳପ୍ରେରଣାଗୁଡ଼ିକୁ ଆବିଷ୍କାର କରି ପାରୁଥିଲେ । ସମ୍ଭବତଃ ତାହାରିଦ୍ଵାରା ହିଁ ତାଙ୍କ ଯୋଗ୍ୟତାର ପ୍ରମାଣ ବି ହୋଇ ଯାଉଥିଲା ।

 

ଯେଉଁସବୁ ଗାଆଁରେ ଏହି ପାଠଶାଳାମାନେ ଖୋଲୁଥିଲେ, ସେଠାରେ ଗ୍ରାମବାସୀମାନେ ହିଁ ଗୃହାଦିର ନିର୍ମାଣ କରି ଦେଉଥିଲେ । ୧୮୫୬ ମସିହାରେ ବିଦ୍ୟାସାଗର ପ୍ରସ୍ତୁତ କରିଥିବା ଏକ ବିବରଣୀ ଅନୁସାରେ: "ସ୍କୁଲଗୁଡ଼ିକ ଯେଉଁସବୁ ଗ୍ରାମରେ ସ୍ଥାପିତ ହୋଇଛି, ସେଗୁଡ଼ିକରେ ପ୍ରତ୍ୟେକ ଗାଆଁରେ ଗ୍ରାମବାସୀମାନେ ସେଗୁଡ଼ିକ ବିଷୟରେ ଅତିଶୟ ଆଗ୍ରହ ପ୍ରକାଶ କରୁଛନ୍ତି । ଗାଆଁର ବୟସ୍କମାନେ ମଧ୍ୟ ଖୁବ୍ ଆଗ୍ରହ ସହିତ ବିଦ୍ୟାଳୟମାନଙ୍କୁ ଆସୁଛନ୍ତି, ଘଣ୍ଟା ଘଣ୍ଟା ଧରି ପିଲାମାନଙ୍କର ପାଠପଢ଼ା ଇତ୍ୟାଦି ଦେଖି ଗଭୀର ଆନନ୍ଦ ଅନୁଭବ କରୁଛନ୍ତି ।" ଏହିପରି ନାନାବିଧ କଥା । ସତେଅବା ପିଲାମାନଙ୍କ ନିମନ୍ତେ ନୂଆ ପାଠଶାଳାଟିଏ ଏବେ ଆରମ୍ଭ ହୋଇ ପ୍ରଥମ କରି ମାଟିର ଦୀପଟିଏ ଜଳାଇ ଦେଲା, ଯାହାକି ସମସ୍ତ ଗାଆଁରୁ ସର୍ବବିଧ ଅନ୍ଧାରକୁ ଦୂର କରିପାରିବ ବୋଲି ସାହସଟିଏ ବାନ୍ଧି ଆସି ଆବିର୍ଭୂତ ହୋଇଛି ।

 

ହଁ, ତାଙ୍କର ନିଜ ଗାଆଁରେ ମଧ୍ୟ ବିଦ୍ୟାସାଗର ପିଲାମାନଙ୍କ ନିମନ୍ତେ ବିଦ୍ୟାଳୟଟିଏ ଆରମ୍ଭ କରିଥିଲେ । ସେତିକିବେଳେ ୧୮୫୩ ମସିହାରେ । ପଢ଼ୁଥିବା ପିଲାମାନଙ୍କୁ ସେଠାରେ କୌଣସି ବେତନ ଦେବାକୁ ପଡ଼ୁନଥିଲା । ନିଜ ଖରଚରେ ହିଁ ବିଦ୍ୟାସାଗର ସ୍କୁଲ ନିମନ୍ତେ ଜମି କିଣିଥିଲେ । ସେହି ଜମିଟାରେ କୋଉକାଳର କେତେ ୟାଡୁସାଡୁ ଗଛ ଉଠି ଅରମା ହୋଇ ରହିଥିଲା । ତେଣୁ ପ୍ରଥମେ ସେଗୁଡ଼ିକୁ କାଟି ପରିଷ୍କାର କରିବାକୁ ହେଲା; ମୂଲିଆ ନମିଳିବାରୁ ବିଦ୍ୟାସାଗର ସ୍ଵୟଂ ହାତରେ କୋଦାଳ ଧରି ଭାଇମାନଙ୍କ ସହିତ ଏକାଠି ସଫା କରିବାରେ ଲାଗି ଯାଇଥିଲେ । ଶ୍ରେଣୀଗୃହ ଓଗେର ତିଆରି କରିବା ସକାଶେ କଲିକତା ଯିବା ଆଗରୁ ବାପାଙ୍କ ହାତରେ ହଜାର ସରିକି ଟଙ୍କା ଦେଇ ଯାଇଥିଲେ । ବିଦ୍ୟାଳୟଟି ସ୍ଥାପିତ ହେବାର ଛଅବର୍ଷ ପରେ ଶିକ୍ଷା-ମହକୁମାର ଜଣେ ଗୋରା ଉଚ୍ଚକର୍ତ୍ତା ସେଇଟିକୁ ପରିଦର୍ଶନ କରି ମନ୍ତବ୍ୟଟିଏ ଏହିପରି ଦେଇଥିଲେ: ଏହି ବୀରସିଂହ ଗ୍ରାମର ପାଠଶାଳାଟିକୁ ପୂରାପୂରି ସମସ୍ତଙ୍କର ସୁପରିଚିତ ପଣ୍ଡିତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ହିଁ ନିର୍ମାଣ କରିଛନ୍ତି ଏବଂ ସେହି ଆରମ୍ଭରୁ ହିଁ ତାହାର ଯାବତୀୟ ବ୍ୟୟ ବହନ କରି ଆସିଛନ୍ତି । ବିଦ୍ୟାଳୟଟି ଗୋଟିଏ ଅତ୍ୟୁତ୍ତମ ସ୍ଥାନରେ ଅତ୍ୟନ୍ତ ସୁଦୃଶ୍ୟ ଭାବରେ ତିଆରି ହୋଇଛି । ପାଠଶାଳାର ସାତଜଣ ଶିକ୍ଷକଙ୍କୁ ବେତନ ଦେବାର ଭାର ବିଦ୍ୟାସାଗର ହିଁ ବହନ କରି ଆସିଛନ୍ତି । ଏଠାରେ ପିଲାମାନଙ୍କୁ ମଧ୍ୟ ଆଦୌ କୌଣସି ବେତନ ଦେବାକୁ ହୁଏନାହିଁ-। ସେମାନଙ୍କୁ ବ୍ୟବହାର୍ଯ୍ୟ ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଶିକ୍ଷାସାମଗ୍ରୀ ବିଦ୍ୟାଳୟ ତରଫରୁ ପ୍ରାପ୍ତ ହୁଏ । ଆହୁରି ଅଧିକ ବଡ଼ କଥାଟିଏ ହେଉଛି ଯେ, ଯେଉଁ ପିଲାମାନେ ଅଧିକ ଦରିଦ୍ର ପରିବାରମାନଙ୍କରୁ ଆସି ବିଦ୍ୟାଳୟରେ ଯୋଗ ଦେଇଛନ୍ତି,–ପ୍ରାୟ ୩୦ ଜଣ ହେବେ,–ସେମାନେ ଆବାସିକ ଭାବରେ ପଣ୍ଡିତ ବିଦ୍ୟାସାଗରଙ୍କ ଘରେ ରହନ୍ତି । ସେମାନଙ୍କର ଗ୍ରାସାଚ୍ଛାଦନ ନ୍ୟାୟତଃ ସେହିଠାରେ ହୁଏ । ସେମାନଙ୍କୁ ପ୍ରୟୋଜନ କ୍ରମେ ମଝିରେ ମଝିରେ ପିନ୍ଧିବାର ବସ୍ତ୍ର ମଧ୍ୟ ଯୋଗାଇ ଦିଆଯାଇଥାଏ । ହଁ, ଅସୁସ୍ଥତା ସମୟରେ ସେମାନେ ଆବଶ୍ୟକ ଶୁଶ୍ରୂଷା ମଧ୍ୟ ପାଆନ୍ତି-। ସେମାନଙ୍କୁ ସର୍ବଦା ସତେଅବା ସେହି ପରିବାରର ପିଲାଭଳି ସମ୍ପୂର୍ଣ୍ଣ ହେପାଜତରେ ରଖାଯାଇଥାଏ-। ପୁନଶ୍ଚ, ଏଠାରେ ଏହି ବିଦ୍ୟାଳୟରେ ସଂସ୍କୃତ ଭାଷାର ଶିକ୍ଷା ଦିଆଯାଇଥାଏ-। ଉପର ଶ୍ରେଣୀଗୁଡ଼ିକରେ ଇଂରାଜୀ ଏବଂ ତଳ ଶ୍ରେଣୀଗୁଡ଼ିକରେ ବଙ୍ଗଳା ଶିକ୍ଷାଦାନର ବ୍ୟବସ୍ଥା ଅବଶ୍ୟ ରହିଛି,–କିନ୍ତୁ ସବୁ ଛାତ୍ରଙ୍କ ସକାଶେ ନୁହେଁ, କେବଳ ଗୋଟିଏ ଗୋଟିଏ ଇଚ୍ଛାଧୀନ ବିଷୟରୂପେ-। ବିଦ୍ୟାଳୟରେ ମୋଟ ଆଠୋଟି ଶ୍ରେଣୀ ଏବଂ ସେଗୁଡ଼ିକରେ ସର୍ବମୋଟ ୧୬୦ ଜଣ ପିଲା ଅଧ୍ୟୟନ କରନ୍ତି । ମୁଁ ପରିଦର୍ଶନ କରୁଥିବା ଦିନ ତନ୍ମଧ୍ୟରୁ ୧୧୮ ଜଣ ଉପସ୍ଥିତ ରହିଥିଲେ-

 

ହିସାବ କହୁଛି, ସାଧାରଣ ଘରର ପିଲାମାନେ ପଢ଼ିବା ନିମନ୍ତେ ବିଦ୍ୟାସାଗର କେବଳ କଲିକତାରେ ନୁହେଁ, ଦୂରଦୂରାନ୍ତ ଗ୍ରାମାଞ୍ଚଳରେ ମଧ୍ୟ ବିଦ୍ୟାଳୟମାନ ସ୍ଥାପନ କରିଥିଲେ । ଏବଂ, ୧୮୫୫-୫୬ ମସିହା ବେଳକୁ ତାଙ୍କଦ୍ଵାରା ଭିନ୍ନ ଭିନ୍ନ ଗ୍ରାମରେ ଏହିପରି ୨୦ଟି ବିଦ୍ୟାଳୟ ସ୍ଥାପିତ ହୋଇ ସାରିଥିଲା । କିନ୍ତୁ ଈଶ୍ଵରଚନ୍ଦ୍ରଙ୍କର ଶିକ୍ଷାବିବେକ ଏତିକିରେ ଅର୍ଥାତ୍ କେବଳ ପୁଅପିଲାମାନଙ୍କ ଲାଗି କିଞ୍ଚିତ୍ ସୁଯୋଗ ସୃଷ୍ଟି କରିବାରେ ଆଦୌ ସନ୍ତୁଷ୍ଟ ହୋଇ ରହିନଥିଲା । କୌଣସି କୌଣସି ପ୍ରାଚୀନ ଶାସ୍ତ୍ରରେ ସ୍ତ୍ରୀଜାତିକୁ ଯେତେ ଯେତେ ଉଚ୍ଚକାଟର ସମ୍ମାନ ଦେଇ ଯାହାକିଛି ଲେଖା ଯାଇଥାଉ ପଛକେ ଏବଂ ଉଜ୍ଜ୍ଵଳ ବ୍ୟତିକ୍ରମସୂଚକ ଦୃଷ୍ଟାନ୍ତ ସ୍ୱରୂପ ସେହି କାଳର କତିପୟ ନାରୀଙ୍କର ବିଶେଷ ଉଲ୍ଲେଖମାନ କରାହୋଇଥାଉ ପଛକେ, ମନୁଷ୍ୟ ହିସାବରେ ସ୍ତ୍ରୀ ଏବଂ ପୁରୁଷକୁ ସମାନ ନିଘାରେ ଦେଖିବା, ଭାରତୀୟ ସାମାଜିକ ବାସ୍ତବତାରେ ତାହାର କୌଣସି ଅବକାଶ ନଥିଲା । ଜାତିଭେଦର ସଂସ୍କାର ଅନୁସାରେ ଯେପରି ନିମ୍ନ ଜାତିଗୁଡ଼ିକୁ ସତେଅବା ହେୟ ଜ୍ଞାନରେ ନାନା ଅପବାଦପୂର୍ଣ୍ଣ କଷଣ ମଧ୍ୟରେ ବାଧ୍ୟ କରି ରଖାଯାଇଥିଲା ଏବଂ ସ୍ଥୂଳତଃ ତାହାକୁ ହିଁ ପ୍ରାୟ ଏକମାତ୍ର ବ୍ୟାବହାରିକ ସମାଧାନ ରୂପେ ମାନି ନିଆ ଯାଇଥିଲା, ପରିବାରର ସରହଦ ଭିତରେ ସେହିପରି ନାରୀମାନଙ୍କର ଜୀବନ ପୁରୁଷପକ୍ଷଟିର ସୁଖବିଧାନ ଲାଗି ନିର୍ଦ୍ଧାରିତ ହୋଇ ରହିଥିଲା । ଭାରତର ସଂହିତା-ପୁସ୍ତକମାନେ ସତେଅବା ସେହି ସଂସ୍କାରଟିଦ୍ଵାରା ବାଧ୍ୟ ହୋଇ ନାରୀର ଜୀବନନିୟତି ସମ୍ବନ୍ଧରେ ପବିତ୍ର ଶ୍ଳୋକମାନ ରଚନା କରି ବାଢ଼ି ଦେଉଥିଲେ । ଅଧ୍ୟାତ୍ମ ବୋଲି ଅନ୍ୟ ଚିଜଟିଏ ସର୍ବଦା ସାନ୍ତ୍ଵନା ଦେବା ସକାଶେ ମହଜୁଦ ରହିଥିଲା ସିନା, ମାତ୍ର ସାନବଡ଼ ବାରଣର କୁସଂସ୍କାର ତଥା ବଦ୍ଧମୂଳ ଅବିଚାର ଓ ଅବଧାରଣାଗୁଡ଼ିକ ସର୍ବାଧିକ ଶକ୍ତିଶାଳୀ ହୋଇ ରହିଥିଲେ ।

 

ସେହି ସୁବିଧାଜନକ ଅବଧାରଣାମାନଙ୍କଦ୍ଵାରା ହିଁ କାଳେକାଳେ ପୁରୁଷପ୍ରଧାନ ଉତ୍ପୀଡ଼ନପୂର୍ଣ୍ଣ ଚଳଣିମାନେ ହିଁ ନାରୀକୁ ସତେଅବା ଗୋଡ଼ିପଥର ପରି ବ୍ୟବହାର କରୁଥିଲେ ଏବଂ ସେହି ତଥାକଥିତ ପଥରଗୁଡ଼ାକୁ ହଲାଇ ଦେବାକୁ ଚିନ୍ତା କରିବାକୁ କୌଣସି ଚତୁର ପୁରୁଷବ୍ୟକ୍ତି କ'ଣପାଇଁ ବା ମନା କରୁଥାନ୍ତା । ବିଦ୍ୟାସାଗରଙ୍କର ମନଟା ପଛରେ ଗୋଟିଏ ହୃଦୟ ରହିଥିଲା । ସେହି ହୃଦୟ ହିଁ ଆଗେ ଆଗେ ରହି ତାଙ୍କର ବିବେକକୁ ବାଟ ମଧ୍ୟ ବତାଉଥିଲା । ଏବଂ ଈଶ୍ଵରଚନ୍ଦ୍ର ସମ୍ଭବତଃ ସେହି କାରଣରୁ ତାଙ୍କ ଚତୁର୍ଦ୍ଦିଗର ଆହ୍ୱାନଗୁଡ଼ିକୁ ସର୍ବଦା ଭିନ୍ନ ଭାବେ ଦେଖି ପାରୁଥିଲେ ଏବଂ ତାଙ୍କ ଭିତରେ ଏକ ସହଜ ସାହସ ମଧ୍ୟ ପ୍ରାୟ ମୂଳରୁ ହିଁ ତାଙ୍କର ହୃଦୟଟି ପଛେ ପଛେ ସର୍ବଦା ରହିଥିଲା, ଯାହା ହେତୁ ସେ ନିଜକୁ ପ୍ରତାରଣା କରି ବୁଦ୍ଧିକୁ ବଙ୍କା କରି ଆପଣା ପାଖରେ ଆଦୌ ଅସାଧୁ ହୋଇ ପାରୁନଥିଲେ । ଏକ ନିର୍ମଳ ଏବଂ ସାହସଯୁକ୍ତ ବିବେକ ସହିତ କାଳର ଆହ୍ୱାନଗୁଡ଼ିକୁ ଗ୍ରହଣ କରିନେବା ନିମନ୍ତେ ଯୁଗ ଯୁଗରୁ ବଦ୍ଧମୂଳ ହୋଇ ରହି ଆସିଥିବା ଅଭ୍ୟସ୍ତତାମାନେ ସର୍ବଦା ଅନ୍ତରାୟ ହୋଇ ଠିଆ ହୋଇ ଯାଉଥିଲେ । ତାଙ୍କରି ଗୋଟିଏ ଉକ୍ତିକୁ ଉଦ୍ଧାର କରି କହିଲେ, “ଏହି ଦେଶରେ ଯୁଗଯୁଗରୁ ରହିଆସିଥିବା ହେ ବଦ୍ଧମୂଳ ଅଭ୍ୟସ୍ତଗୁଡ଼ିକ, ତୁମମାନଙ୍କର ଜୟ ହେଉ; ତୁମମାନଙ୍କର ଯୁଗେ ଯୁଗେ ଯେଉଁ ପ୍ରସିଦ୍ଧି ରହିଆସିଛି, ତାହା ପ୍ରକୃତରେ ଅତ୍ୟନ୍ତ ଅପାର । ଯେଉଁ ମନୁଷ୍ୟମାନେ ତୁମମାନଙ୍କୁ ଜାବୁଡ଼ି ଧରିଥାଆନ୍ତି ଏବଂ ତୁମମାନଙ୍କର ନିର୍ଦ୍ଦେଶଗୁଡ଼ିକୁ ମାନିବାକୁ ହିଁ ଧର୍ମ ବୋଲି ଗ୍ରହଣ କରି ନେଇଥାନ୍ତି, ସେମାନେ ପ୍ରକୃତରେ କେଡ଼େ ଚମତ୍କାର ଭାବରେ ସେହି ବେଡିଗୁଡ଼ିକଦ୍ଵାରା ବାନ୍ଧି ହୋଇ ରହି ଭୃତ୍ୟବତ୍ ଜୀବନଯାପନ ନକରନ୍ତି ! ଶାସ୍ତ୍ରଗୁଡ଼ିକର ମୁଣ୍ଡ ଉପରେ ତୁମେମାନେ ସର୍ବଦା ପାଦ ଲଦି ଦେଇ ଛିଡ଼ା ହିଁ ହୋଇଥାଅ, ଧର୍ମର ହୃଦୟକୁ ତୀରବିଦ୍ଧ କରି ରଖିଥାଅ ଏବଂ ସକଳବିଧ ନ୍ୟାୟ ଲାଗି ଦ୍ଵାରଗୁଡ଼ିକୁ କିଳି ନେଇଥାଅ । ଏହି ଭାରତବର୍ଷର ପୁରୁଷରୂପୀ ହେ ମହନୀୟମାନେ, ତୁମେମାନେ ତ ଆପଣାର ପ୍ରିୟ କନ୍ୟାମାନଙ୍କୁ ବରଂ ବୈଧବ୍ୟର ନିଦାରୁଣ ନିଆଁର ନରକ ଭିତରକୁ ଠେଲିଦେଇ ମାରିଦେବ ପଛକେ, ସେମାନଙ୍କର ଯାବତୀୟ ଗର୍ହିତ କର୍ମକୁ ଦେଖି ମଧ୍ୟ ନଦେଖିବା ପରି ଅଭିନୟ କରିବ ପଛକେ, ମାତ୍ର ତଥାପି କେଡ଼େ ବିଚିତ୍ର କଥା ଯେ, ବିଧବାମାନଙ୍କର ପୁନର୍ବିବାହକୁ ଘୋର ବିରୋଧ ହିଁ କରିବାରେ ଲାଗିଥିବ ! ସେହି ଜୀବନ୍ତ ନର୍କତୁଲ୍ୟ ଜୀବନ ଭିତରୁ ସେମାନଙ୍କୁ ଉଦ୍ଧାର ପାଇ ବାହାରି ଆସିବାକୁ ଆଦୌ ବାଟ ଛାଡ଼ିଦେବ ନାହିଁ । ଏହି ଦେଶରେ ପୁରୁଷମାନଙ୍କର ହୃଦୟରେ ବସ୍ତୁତଃ ଦୟା ବୋଲି ମୋଟେ କିଛି ନାହିଁ,–ନ୍ୟାୟବୁଦ୍ଧିର କୌଣସି ଅବକାଶ ହିଁ ନାହିଁ । ହିତ ଅହିତର ବୋଧ ଲାଗି ବିବେକ ହିଁ ନାହିଁ । ସେମାନେ ତ କେବଳ ଆଖିକୁ ବୁଜି ଦେଇ ସେହି କୁରୀତିଗୁଡ଼ିକ ମଧ୍ୟରେ ବୁଡ଼ି ରହିବାକୁ ହିଁ ଉତ୍କୃଷ୍ଟତମ ପନ୍ଥା ବୋଲି ଗ୍ରହଣ କରି ନେଇଛନ୍ତି । ଭାଗବାନ୍ କରନ୍ତୁ, ଏହି ଭୂମିରେ ନାରୀମାନେ ଆଦୌ ଜନ୍ମ ନହୁଅନ୍ତୁ !" ଏବଂ, ପ୍ରାୟ ସେହି ସମୟରେ ଓ ସେହିଭଳି କୌଣସି ସନ୍ଦର୍ଭରେ ତାଙ୍କର ଆଉଗୋଟିଏ ଉକ୍ତି: "ମୋତେ ତ ପ୍ରକୃତରେ ଅସମ୍ଭବପ୍ରାୟ ବୋଧ ହେଉଛି ଯେ ଭାରତବର୍ଷର ଉଚ୍ଚଶିକ୍ଷିତମାନଙ୍କୁ ଆଦୌ କେବେହେଲେ ମଧ୍ୟ ଇତିମଧ୍ୟରେ କେତେ କେତେ ଅଗ୍ରଗତି କରି ପାରିଥିବା ୟୁରୋପୀୟ ବିଜ୍ଞାନଆଡ଼କୁ ରାଜି କରି ଅଣାଯାଇ ପାରିବ । ସେମାନେ ଏପରି ଏକ ବର୍ଗରୂପେ ନିଜକୁ ତିଆରି କରି ସାରିଲେଣି ଯେ ସେମାନଙ୍କ ଉପରେ କେଡ଼େ ମଜବୁତ ଭାବରେ ବର୍ତ୍ତମାନ ସବାର ହୋଇଥିବା ଦୀର୍ଘକାଳର ବଦ୍ଧମୂଳ ଅଭ୍ୟସ୍ତତାଗୁଡ଼ିକୁ ଆଉ ମୋଟେ ଦୋହଲାଇ ଦେଇ ହେବନାହିଁ । ଗୋଟିଏ ନୂତନଲବ୍ଧ ସତ୍ୟରୂପେ ଅଥବା କୌଣସି ଗୋଟିଏ ସତ୍ୟର ସଂପ୍ରସାରିତ କରଣୀୟ ରୂପେ ଯଦି ସେମାନଙ୍କର ନିଜ ଦେଶର ଶାସ୍ତ୍ରରୁ କଥାଟିଏ ଆଣି ସେମାନଙ୍କ ଆଗରେ କହି ବସିବ, ସେମାନେ ତାହାକୁ ମଧ୍ୟ କେବେହେଲେ ଗ୍ରହଣ କରିବେନାହିଁ । କାରଣ, ପ୍ରାୟ ଏକ ସେହିଭଳି ସ୍ଵଭାବଦ୍ଵାରା ପରିଚାଳିତ ହୋଇ ସେମାନେ ନିଜର ପୂର୍ବ ଅଭ୍ୟସ୍ତତା ଏବଂ ଅବଧାରଣାଗୁଡ଼ିକୁ ଯାବୁଡ଼ି ରହିଥିବେ । ...କାରଣ, ସେମାନେ ତ ବିଶ୍ଵାସ କରନ୍ତି ଯେ ସେମାନଙ୍କର ଶାସ୍ତ୍ରମାନେ ପ୍ରକୃତରେ ଜଣେ ଜଣେ ସର୍ବ-ଅଭିଜ୍ଞ ମହାନ୍ ଋଷିମାନଙ୍କର ପ୍ରଜ୍ଞା ମଧ୍ୟରୁ ହିଁ ନିଃସୃତ ହୋଇ ଆସିଛନ୍ତି ଏବଂ ତେଣୁ ସେଗୁଡ଼ିକୁ ଆଦୌ କେବେହେଲେ ମଧ୍ୟ ଭ୍ରମଯୁକ୍ତ ବୋଲି ବିଚାର କରାଯାଇ ପାରିବନାହିଁ ।"

 

ବିଧବାବିବାହର ପ୍ରସଙ୍ଗକୁ ଆମେ କିଞ୍ଚିତ୍ ପରେ ଆସିବା । ଏକ ପୁରୁଷଶାସିତ ସମାଜ ଯେ ଭାଗ୍ୟହୀନା ମନୁଷ୍ୟକନ୍ୟାଙ୍କ ଉପରେ ବୈଧବ୍ୟର କ୍ରୂର ବିଧାନଗୁଡ଼ିକୁ ନିର୍ମମ ଭାବରେ ଲଦି ଦେଉଥିଲା ଏବଂ ତାହାକୁ ସଂପୃକ୍ତ ସମୟଟା ଯେ ସମ୍ପୂର୍ଣ୍ଣ ସମୁଚିତ ବୋଲି ମାନି ନେଉଥିଲା, ଝିଅମାନଙ୍କ ଶୈଶବ କାଳରୁ ପାଠଶାଳାର ନିମ୍ନତମ ଶିକ୍ଷାଗ୍ରହଣରୁ ବଞ୍ଚିତ କରି ରଖିବାକୁ ତାହାର ଏକ ମୁଖ୍ୟ କାରଣ ବୋଲି ନିଶ୍ଚୟ କୁହାଯାଇ ପାରିବ । ବିଦ୍ୟାସାଗର ପୁଅମାନଙ୍କ ଲାଗି ଏତେ ଏତେ ସୁଯୋଗ ଉନ୍ମୋଚିତ କରି ଦେଇଥିଲେ ସେମାନଙ୍କର କିଛି ଔପଚାରିକ ଶିକ୍ଷାର୍ଜନ ସକାଶେ;–ଏବଂ, ତା' ସହିତ ଝିଅମାନଙ୍କ ନିମନ୍ତେ ମଧ୍ୟ ସେହି କ୍ଷେତ୍ରରେ ଅବଶ୍ୟ କିଛି କରାଯିବା ଉଚିତ ବୋଲି ସେ ଖୁବ୍ ସହଜରେ ହୃଦୟଙ୍ଗମ କରି ପାରିଥିବେ । ପୁଅମାନଙ୍କ ପରି ଝିଅମାନଙ୍କ ସକାଶେ ମଧ୍ୟ ପାଠାଶାଳାମାନ ରହିବ ଏବଂ ତାହାରିଦ୍ଵାରା ହିଁ କ୍ରମଶଃ ଜଣେ ଝିଅ ନିଜକୁ ଯେକୌଣସି ପୁଅର ସମକକ୍ଷ ବୋଲି ଆବିଷ୍କାର କରିବ ଓ ତାହାହିଁ ଆଉ ଏକ ଦାସତ୍ଵମୋଚନର କାରଣ ହେବ । ଏହି ଦିଗରେ ରାଜା ରାମମୋହନ ରାୟ ଆପଣାର ରଚନାରେ ସମ୍ଭବତଃ ପ୍ରଥମଥର ପାଇଁ ଏକ ସ୍ଵର ଉତ୍ତୋଳନ କରିଥିଲେ । କନ୍ୟାସନ୍ତାନମାନଙ୍କୁ ଉପଯୁକ୍ତ ସୁଯୋଗ ଦିଆଗଲେ ସିନା ସେମାନେ ଯୋଗ୍ୟ କିମ୍ବା ଅଯୋଗ୍ୟ ସେହି କଥାଟି ବିଷୟରେ ସତକଥାଟି ଜାଣିହେବ । ଊନବିଂଶ ଶତାବ୍ଦୀର ଆରମ୍ଭରେ ଯେତେବେଳେ ଏହି ଦିଗରେ କିଛି କିଛି ଚର୍ଚ୍ଚା ଆରମ୍ଭ ହେଲା, ପରିବର୍ତ୍ତନ-କାତର ବ୍ୟକ୍ତି ଓ ସଂସ୍ଥାମାନେ ତାହାର ବିରୋଧ ମଧ୍ୟ କରିଥିଲେ । ଏପରିକି ଝିଅ ଯଦି ପାଠ ପଢ଼ିବ, ତେବେ ବିବାହ ପରେ ଅବଶ୍ୟ ବିଧବା ହେବ ବୋଲି ଗୋଟିଏ ଅପବାଦର ରଟନା ମଧ୍ୟ ହୋଇଥିଲା । ଆଉ କେହି ଆପତ୍ତି ବାହାର କରିଥିଲେ ଯେ, ନାରୀମାନଙ୍କୁ ଶିକ୍ଷିତା ହେବାର ସୁଯୋଗ ଦିଆଗଲେ ସେମାନେ ଚରିତ୍ରଭ୍ରଷ୍ଟା ହେବେ, ଅହଙ୍କାରୀ ମଧ୍ୟ ହୋଇଯିବେ । ଘରକାମ କରିବାକୁ ରାଜି ହେବେନାହିଁ । ଅର୍ଥାତ୍, ସମାଜରେ ପ୍ରକୃତରେ ନାନା ଅରାଜକତାର ସମ୍ମୁଖୀନ ହେବାକୁ ପଡ଼ିବ । ଏହିସବୁ ଯୁକ୍ତି କାଳେ କାଳେ ନିଶ୍ଚୟ ରହି ଆସିଥିବ । ମାତ୍ର, ସମୟ ସତେଅବା ଏଥର କଡ଼ ଲେଉଟାଇବ ବୋଲି ନିର୍ଦ୍ଧାରିତ ହୋଇ ଯାଇଥିଲା ଏବଂ ସେହି ଆନ୍ଦୋଳନରେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଜଣେ ଶକ୍ତିମନ୍ତ ଅଗ୍ରଗଣ୍ୟ ହୋଇ ବାହାରିଥିଲେ । ସେତେବେଳେ ତାଙ୍କୁ ଶ୍ରୀ Drinkwater Bethune ବୋଲି ଜଣେ ଉତ୍ସାହୀ ଗୋରା ସାହଯୋଗୀ ମଧ୍ୟ ମିଳିଥିଲେ । ଅଥବା, ହୁଏତ ଏପରି ମଧ୍ୟ କୁହାଯାଇ ପାରିବ ଯେ,–ଭାରତବର୍ଷରେ ସ୍ତ୍ରୀଶିକ୍ଷାର ପ୍ରବର୍ତ୍ତନ ଏବଂ ପ୍ରସାର ଲାଗି ବେଥୁନ୍ ସାହେବ ସକଳ ଅର୍ଥରେ ନିଜ ପାଖରେ ଅଙ୍ଗୀକାରବଦ୍ଧ ହୋଇ ବିଲାତରୁ ଆସି ପହଞ୍ଚିଥିଲେ ଏବଂ ତାଙ୍କୁ କଲିକତାରେ ଈଶ୍ଵରଚନ୍ଦ୍ରଙ୍କ ସଦୃଶ ଜଣେ ସାହସୀ ସହଯୋଗୀ ଉପଲବ୍ଧ ହୋଇଗଲେ ।

 

ଅନୁକୂଳ ପବନ ପାଇ କଲିକତା ତଥା ଉପକଣ୍ଠରେ ଅବସ୍ଥିତ କେତେ ସ୍ଥାନରେ ବାଳିକା ବିଦ୍ୟାଳୟମାନ ପ୍ରତିଷ୍ଠିତ ହୋଇ ପାରିଥିଲା । ୧୮୬୦ ମସିହା ବେଳକୁ ସେଗୁଡ଼ିକର ସଂଖ୍ୟା ୩୫ ହୋଇଗଲା । ସେଗୁଡ଼ିକୁ ଚଳାଇ ପାରିବାଲାଗି ମାସକୁ ଏକ ବେଶ୍‍ ବଡ଼ ରାଶିର ଅର୍ଥ ଆବଶ୍ୟକ ଅବଶ୍ୟ ହେବ । ବିଦ୍ୟାସାଗର ସେଥିଲାଗି ସରକାର ବାହାଦୁରଙ୍କଠାରୁ ସହାୟତା ଲୋଡ଼ିଥିଲେ । ସରକାର ସେତେ ସହାନୁଭୂତି ପ୍ରଦର୍ଶନ କରି ନଥିଲେ । ବିଦ୍ୟାସାଗରଙ୍କୁ ଏହାଦ୍ଵାରା ଏକ ବଡ଼ ଧକ୍କା ଖାଇବାପରି ଲାଗିଥିବ, ଏବଂ ନିତାନ୍ତ ଅପ୍ରତ୍ୟାଶିତ ଭାବରେ । ଏକଥା ନିଶ୍ଚିତ ଭାବରେ ସତ ଯେ ବାଳିକା-ବିଦ୍ୟାଳୟଗୁଡ଼ିକୁ ଆରମ୍ଭ କରିବା ପୂର୍ବରୁ ଏପରି ଗୋଟିଏ ନୂଆ କଳ୍ପନାକୁ ଔପଚାରିକ ଭାବରେ ସରକାରଙ୍କ ଗୋଚରକୁ ଆଣିବାଲାଗି ସିଏ ଲିଖିତ ଆଦୌ କୌଣସି ଦରଖାସ୍ତ କରିନଥିଲେ । ତେଣୁ, ସରକାରଙ୍କ ତରଫରୁ ତାଙ୍କ ପାଖରେ ଲିଖିତ କୌଣସି ସ୍ଵୀକୃତିସୂଚକ ପ୍ରମାଣପତ୍ର ମଧ୍ୟ କିପରି ବା ରହିଥାଆନ୍ତା ? ତେଣୁ, ତୁଣ୍ଡ ଫିଟାଇ ଆଦୌ କିଛି ଦାବି କରିବାର ଅବକାଶ ନଥିଲା ! ଅବଶ୍ୟ ଏକଥା ସତ୍ୟ ଯେ, ବିଦ୍ୟାସାଗରଙ୍କର ଏହି ନୂତନ ଉଦ୍ୟମଟି ବିଷୟରେ ଏକାଧିକ ଉଚ୍ଚପଦସ୍ଥ ଶାସନାଧୀଶମାନଙ୍କର ପରୋକ୍ଷ ପ୍ରୋତ୍ସାହନ ସବୁବେଳେ ହିଁ ରହିଥିଲା । ତେଣେ, ବାଳିକା ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନେ ଆରମ୍ଭରୁ ହିଁ କୌଣସି ପାରିଶ୍ରମିକ ପାଇନଥିଲେ । ସେଥିପାଇଁ ଏକକାଳୀନ ପ୍ରାୟ ସାଢ଼େ ତିନିହଜାର ଟଙ୍କାର ପ୍ରୟୋଜନ । କେଉଁଠାରୁ ଏତେଗୁଡ଼ାଏ ଅର୍ଥରାଶି ଆସିବା ସମ୍ଭବ ହେବ । ବିଦ୍ୟାସାଗରଙ୍କୁ ପୁନର୍ବାର ଲିଖିତ ଆବେଦନପତ୍ର ସହିତ ରାଜଦ୍ଵାରରେ ଛିଡ଼ା ହେବାକୁ ପଡ଼ିଲା । ବଙ୍ଗଳାର ଛୋଟଲାଟ ମଧ୍ୟ ଲିଖିତ ପତ୍ରଦ୍ଵାରା ତାଙ୍କର ପକ୍ଷ ସମର୍ଥନ କଲେ । କିନ୍ତୁ ଆହୁରି ଉପରେ ଥିବା ବଡ଼ଲାଟଙ୍କ ମାହାଲଟା ତଥାପି ରାଜି ହେଲା ନାହିଁ । ପ୍ରଥମରୁ ଲିଖିତ ଅନୁମୋଦନ ନପାଇ ନିଜ ମନକୁ କିଛି ଆରମ୍ଭ କରିଦେବା ଏବଂ ତା'ପରେ ସେଥିପାଇଁ ସରକାରୀ ସହାୟତା ନିମନ୍ତେ ସରକାରଙ୍କୁ ଆବେଦନ କରିବା, ଏକଥାଟା ଏକ ପୂରା ବିଶୃଙ୍ଖଳା ବୋଲି ସରକାର ବିବେଚନା କରିଥିଲେ । ଏହା ସହିତ ଆନୁଷଙ୍ଗିକ ଆଉକିଛି ଘଟଣା ମଧ୍ୟ ଘଟିଲା, ଯେଉଁଥିରୁ ହୁଏତ ଅନୁମାନ କରାଯାଇ ପାରିବ ଯେ, ସରକାରୀ ଗୋରାଶାସନର ଯନ୍ତ୍ରଟା ଜଣେ ଦେଶୀ ଲୋକକୁ ଆଦୌ ବହୁତଗୁଡ଼ାଏ ପ୍ରାଧାନ୍ୟ ଦେବାଲାଗି ଆଦୌ ଉତ୍ସାହିତ ନୁହନ୍ତି । ବିଦ୍ୟାସାଗର ନିଶ୍ଚୟ ଖୁବ୍ ଆଘାତ ପାଇଥିଲେ । ଏବଂ ସରକାରୀ କାର୍ଯ୍ୟରୁ ଇସ୍ତଫା ଦେବାକୁ ସ୍ଥିର କଲେ । ସେତେବେଳେ ତାଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହୁନଥିଲା । ୧୮୫୮ ମସିହା ଅଗଷ୍ଟ ମାସରେ ଇସ୍ତଫାପତ୍ର ଲେଖି ସରକାରଙ୍କଠାକୁ ପଠାଇ ଦେଇଥିଲେ । ସ୍ୱାସ୍ଥ୍ୟ ଭଲ ନରହିବା ସହିତ ଅନ୍ୟାନ୍ୟ କେତୋଟି କାରଣ ନିଶ୍ଚୟ ଭାବରେ ରହିଥିଲା: କର୍ତ୍ତାମାନଙ୍କ ସହିତ ମତବିରୋଧ ହେଉଥିବାର ଏକ ପ୍ରତିକୂଳତା ମଧ୍ୟରେ ସେ ବିଶେଷ କିଛି ପ୍ରକୃତରେ କରିପାରିବେ ବୋଲି ଆଉ ଆଗଭଳି ବିଶ୍ଵାସ କରୁନଥିଲେ । ନିଜର କାର୍ଯ୍ୟରେ ତାଙ୍କର ମନ ମାନୁନଥିଲା ଏବଂ ତେଣୁ, କେବଳ ବେତନ ପାଇବେ ବୋଲି ଚାକିରିରେ ରହିବାକୁ ସେ ସମ୍ପୂର୍ଣ୍ଣ ଅନୁଚିତ ବୋଲି ଭାବୁଥିଲେ । ସରକାରୀ ବେତନରୂପେ ସେ ମାସକୁ ପାଞ୍ଚଶହ ଟଙ୍କା ପାଉଥିଲେ । ଏବଂ, ନିଜେ ଲେଖିଥିବା ବହିଗୁଡ଼ିକର ବିକ୍ରିରୁ ତାଙ୍କୁ ମାସିକ ଯଥେଷ୍ଟ ଅଧିକ ପଇସା ସର୍ବଦା ହିଁ ମିଳୁଥିଲା ।

 

ବିଦ୍ୟାସାଗରଙ୍କ ପରି ଜଣେ ବ୍ୟକ୍ତି, ସିଏ ଅର୍ଥପରିମାଣର ହିସାବ କରି ନିଜକୁ କେବେହେଲେ ଧନୀ ଅଥବା ଦରିଦ୍ର ବୋଲି ଅନୁଭବ କରୁନଥିବେ । ଶିକ୍ଷାଦାନକୁ,–ସଂସ୍କୃତ ଶିକ୍ଷା, ଲୋକଶିକ୍ଷା ଏବଂ ବିଦ୍ୟାଳୟ ମାଧ୍ୟମରେ ସହର ତଥା ଗ୍ରାମରେ ଶିକ୍ଷାରୁ ବଞ୍ଚିତ ହୋଇ ରହି ଆସିଥିବା ପିଲାଙ୍କ ଶିକ୍ଷା,–ଏହାକୁ ସେ ନିଜର ବୃତ୍ତିରୂପେ ନୁହେଁ, ଜୀବନର ସମ୍ଭବତଃ ଅତ୍ୟନ୍ତ ସଚେତନ ଭାବରେ ବ୍ରତସଦୃଶ ଗ୍ରହଣ କରି ନେଇଥିଲେ । ତେଣୁ ଚାକିରିଟାକୁ ଛାଡ଼ି ଚାଲି ଆସିଲେ ବୋଲି ସିଏ ନିଜକୁ ଆଦୌ ନିଃସ୍ଵ ବୋଲି ଅନୁଭବ କରିନଥିବେ । ବ୍ରତର, ଯାବତୀୟ ବ୍ରତର ସର୍ବତ୍ର ଏପରି ଗୋଟିଏ ମହିମା ରହିଥାଏ ଯେ, ବ୍ରତର ପାଳନ କରୁଥିବା ଜଣେ ବ୍ୟକ୍ତି ସଂଯୋଗବଶତଃ ତୁମେ ଆମେ ବୁଝିବାକୁ ଏକ ବୃତ୍ତିରେ ରହି ବେତନ ପାଉଥିଲେ ମଧ୍ୟ ଏବଂ ତଥାପି ତାହାରି ଭିତରେ ରହିଥିଲେ ମଧ୍ୟ ନିଜ ଆନୁଗତ୍ୟ ତଥା ଅନୁରାଗର ଏକାବେଳେକେ ଏକ ଅନ୍ୟଭଳି ହିଁ ପରିଚୟ ଦେଇଥାଏ । ତୁଚ୍ଛା ବୃତ୍ତିଟାଏ ଆଦରିଥିବା ଜଣେ ବ୍ୟକ୍ତି ସେପରି ଆଦୌ କରିପାରେ ନାହିଁ । ଆପଣାର ପୂର୍ବତନ ସ୍ଥାନଟିରୁ ବାହାରି ଆସିବା ପରେ ମଧ୍ୟ ଈଶ୍ଵରଚନ୍ଦ୍ର କନ୍ୟାମାନଙ୍କ ନିମନ୍ତେ ଏକାଧିକ ସ୍ଥାନରେ ବିଦ୍ୟାଳୟଗୁଡ଼ିକୁ ଆରମ୍ଭ କରିବାର କାର୍ଯ୍ୟରେ ସଚଳ ହୋଇ ରହିଥିଲେ । ଅବଶ୍ୟ ସରକାରୀ କର୍ତ୍ତାମାନଙ୍କର ଗୋଚରକୁ ଆଣି ଏହି ପଦକ୍ଷେପଗୁଡ଼ିକୁ ଗ୍ରହଣ କରୁଥିଲେ । ସରକାର ମଧ୍ୟ ଯତ୍-କିଞ୍ଚିତ୍ ସାହାଯ୍ୟ ପ୍ରଦାନ ଅବ୍ୟାହତ ରଖିଥିଲେ । ବେଥୁନ୍ ସ୍କୁଲ କମିଟିର ସେକ୍ରେଟରୀ ହିସାବରେ ଯାବତୀୟ ତତ୍ପରତା ଅବିଚ୍ଛିନ୍ନ ହିଁ ରହିଥିଲା । ପ୍ରଥମ ପର୍ଯ୍ୟାୟରେ ତ ପୁରୁଷ-ଶିକ୍ଷକମାନେ ହିଁ ଝିଅମାନଙ୍କ ଲାଗି ଉଦ୍ଦିଷ୍ଟ ବିଦ୍ୟାଳୟରେ ଶିକ୍ଷକତାର ଦାୟିତ୍ଵ ତୁଲାଉଥିଲେ । କ୍ରମେ, ଏସବୁ ଅନୁଷ୍ଠାନ ସକାଶେ ଖାସ୍ ପ୍ରଶିକ୍ଷଣ ପ୍ରଦାନ କରି ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତ କରିବାର ଏକ ପ୍ରୟୋଜନ ମଧ୍ୟ ଅନୁଭୂତ ହେଲା ।

 

ଆମେ ଅବଶ୍ୟ ସ୍ମରଣ ରଖିବା ଯେ ସଂସ୍କୃତ କଲେଜର କର୍ମସ୍ଥାନଟି ହାତଛଡ଼ା ହୋଇଯିବା ପରେ ତାଙ୍କର କେତେ ଶୁଭେଚ୍ଛୁ ସିଏ ଏହାପରେ ଓକିଲାତି କରନ୍ତୁ ବୋଲି ପରାମର୍ଶ ମଧ୍ୟ ଦେଇଥିଲେ । ସୂଚନା ମଧ୍ୟ ମିଳୁଛି, ଈଶ୍ଵରଚନ୍ଦ୍ର ନିଜେ ସେହି ଦିଗରେ କିଞ୍ଚିତ୍ ଚିନ୍ତା ବି କରିଥିଲେ । ମାତ୍ର, ନିଜର ଅନ୍ତର୍ଗତ ସ୍ଵଭାବଧର୍ମଟିକୁ ଉତ୍ତମରୂପେ ବୁଝି ପାରୁଥିଲେ ବୋଲି ତେଣେ ପ୍ରକୃତରେ ମନ କରିବା ତାଙ୍କ ପକ୍ଷରେ ସମ୍ଭବ ହେଲାନାହିଁ । ସରକାରୀ ଶିକ୍ଷାବିଭାଗ ସଂସ୍କୃତ କଲେଜର ଏକାଧିକ ପ୍ରସଙ୍ଗରେ ତାଙ୍କର ପରାମର୍ଶ ଲୋଡ଼ି ଯାଉଥିଲେ । ଏବଂ, ଇତ୍ୟବସରରେ ସେ ବିଲାତର ରୟାଲ୍ ଏସିଆଟିକ୍ ସୋସାଇଟିର ଜଣେ ଅବୈତନିକ ସଭ୍ୟରୂପେ ମନୋନୀତ ହେଲେ । ପୁଣି, ୧୮୮୦ ଖ୍ରୀଷ୍ଟାବ୍ଦରେ ଭାରତ ସରକାର ଈଶ୍ଵରଚନ୍ଦ୍ରଙ୍କୁ ସି.ଆଇ.ଇ. ଉପାଧିରେ ଭୂଷିତ କରିବା ସକାଶେ ଏକ ନିଷ୍ପତ୍ତି ଗ୍ରହଣ କଲେ । ଏବଂ, ଉପାଧିଟିକୁ ନେବାପାଇଁ ତାଙ୍କୁ ରାଜଭବନ ଯିବାକୁ ହେବ, ସ୍ଥିରୀକୃତ ଦରବାରୀ ପୋଷାକ ପିନ୍ଧି ଉପସ୍ଥିତ ହେବାକୁ ପଡ଼ିବ । ବିଦ୍ୟାସାଗର ଧର୍ମସଂକଟରେ ପଡ଼ି ଯାଇଥିଲେ । ଆପଦଟାରୁ ରକ୍ଷା ପାଇବାର ବାସନାରେ ସିଏ ସେତେବେଳେ କଲିକତା ବାହାରକୁ କେଉଁଠାକୁ ଚାଲିଗଲେ ନିଶ୍ଚୟ ନିସ୍ତାର ମିଳିବ । ତାହାହିଁ କରିବାକୁ ହୋଇଥିଲା, ଉପାଧି ପ୍ରଦାନର ଉତ୍ସବଟି ଶେଷ ହେବା ପରେ ଯାଇ ସିଏ କଲିକତାକୁ ଫେରିଲେ । ତା'ପରେ ଦିନେ ଲାଟସାହେବଙ୍କ ଅଫିସର ଦୁଇଜଣ କର୍ମଚାରୀ ଯାଇ ବିଦ୍ୟାସାଗରଙ୍କ ଘରେ ଉପସ୍ଥିତ ହୋଇଥିଲେ । ସେମାନେ ବିଦ୍ୟାସାଗରଙ୍କ ପ୍ରାପ୍ୟ ପଦକଟିକୁ ନେଇ ତାଙ୍କ ପାଖକୁ ଆସିଥିଲେ । ସେମାନେ ବିଦ୍ୟାସାଗରଙ୍କ ହାତରେ ସେଇଟିକୁ ଅର୍ପଣ କଲେ, କିନ୍ତୁ ତା'ପରେ ବିଦାୟ ନନେଇ ସେହିଠାରେ ହିଁ ଠିଆ ହୋଇ ରହିଥାଆନ୍ତି । ବିଧି ଅନୁସାରେ ବକ୍‍ସିଶ ନପାଇ ସେଠାରୁ କିପରି ବା ଯାଇଥାନ୍ତେ । ବିଦ୍ୟାସାଗର ବୁଝିଲେ ଏବଂ ଏକ ବିଚିତ୍ର ସମାଧାନ ଦେଇ ସେମାନଙ୍କୁ କହିଥିଲେ, ତୁମେମାନେ ଯାଅ ଏହି ପଦକଟିକୁ ବଣିଆ ଦୋକାନରେ ବିକ୍ରି କରିଦେବ ଏବଂ ଯାହା ପଇସା ପାଇବ ଦୁହେଁ ବାଣ୍ଟିନେବ । ସେହିପରି, ତାଙ୍କ ମହାମହୋପାଧ୍ୟାୟ ଉପାଧି ଦେବାର ଏକଦା ପ୍ରସ୍ତାବ ଆସିଥିଲା । ସେ ରାଜି ହୋଇ ନଥିଲେ । ଅସୁସ୍ଥ ଅଛନ୍ତି ବୋଲି କାରଣ ଦର୍ଶାଇଥିଲେ ।

 

ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ସଂସ୍କୃତ ଭାଷାର ମହାନ୍ ଅନୁରାଗୀ ଥିଲେ । ସଂସ୍କୃତ ଭାଷାରେ ଅନନ୍ୟ ପ୍ରବୀଣତା ହାସଲ କରିଥିଲେ । ସଂସ୍କୃତ ଭାଷା ତଥା ସାହିତ୍ୟ ପ୍ରତି ତାଙ୍କର ଏହି ଶ୍ରଦ୍ଧାକୁ ସେ ନିଜ ପରିବାରରୁ ହିଁ ଉତ୍ତରାଧିକାର ସ୍ଵରୂପ ଲାଭ କରିଥିଲେ । ଶ୍ରଦ୍ଧାଟି ଯଥାର୍ଥ ଥିଲା, ତେଣୁ ସେଥିରେ ଭାବପ୍ରବଣତା ନିମନ୍ତେ କୌଣସି ସ୍ଥାନ ବି ନଥିଲା । ଆମର ଏହି ଆଧୁନିକ ସମୟଟିରେ ମଧ୍ୟ ଗୋଟିଏ ଭାଷା ପ୍ରତି ଅତିରିକ୍ତ ବନ୍ଧନରେ ପଡ଼ିଗଲେ ବହୁ ଲୋକ ଅନ୍ୟାନ୍ୟ ଭାଷା ଲାଗି ନାକ ଟେକନ୍ତି । ସେଗୁଡ଼ିକୁ ଅବର ଏବଂ ଅର୍ବାଚୀନ ବୋଲି କହିଥାନ୍ତି । ଅର୍ଥାତ୍ ଶ୍ରଦ୍ଧାଗୁଡ଼ିକ ମଧ୍ୟରେ କେଉଁଠି କ'ଣସବୁ ବିକୃତି ରହିଯାଇଥାଏ, ଯେଉଁଟି ପାଇଁ ଅନ୍ୟାନ୍ୟଗୁଡ଼ିକୁ ନିମ୍ନ ବୋଲି ନକହିଲେ ନିଜେ ସବୁଠାରୁ ଆଦର କରୁଥିବା ଭାଷାଟିକୁ ଆମେ ସର୍ବଶ୍ରେଷ୍ଠ ବୋଲି ନିଜେ ମଧ୍ୟ କହି ପୂର୍ଣ୍ଣ ସନ୍ତୋଷ ଲାଭ କରି ପାରୁନାହିଁ । ବିଦ୍ୟାସାଗରଙ୍କର ସଂସ୍କୃତଶ୍ରଦ୍ଧାରେ ମଳି ବୋଲି ଆଦୌ କିଛି ନଥିଲା । ତେଣୁ ସେ ଅନ୍ୟାନ୍ୟ ଭାଷାକୁ ମଧ୍ୟ ପୂର୍ଣ୍ଣ ମର୍ଯ୍ୟାଦା ସହିତ ସ୍ଵୀକାର କରିନେଇ ପାରୁନଥିଲେ । କୌଣସି ପ୍ରକାରେ ଅସହଜ ଅନୁଭବ କରୁନଥିଲେ । ଯାବତୀୟ ଜ୍ଞାନୀ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରାୟ ଗୋଟିଏ ସ୍ଵଭାବଲକ୍ଷଣ ପରି ଯେ ସଦା-ଅକୁଣ୍ଠ ଗ୍ରହଣଶୀଳତାଟିଏ ଯେ ଅତ୍ୟନ୍ତ ସଚଳଭାବେ ରହିଥାଏ, ତାହାରି ଦର୍ପଣଟି ଉପରେ ଦେଖିପାରିଲେ ଯାଇ ଆମେ ବିଦ୍ୟାସାଗରୀୟ ସ୍ଵତନ୍ତ୍ର ଦୃଷ୍ଟିଟିର ଏକ ଯଥାର୍ଥ କଳନା କରିପାରିବା । ଭାରତବର୍ଷରେ ସେତେବେଳେ ଇଂରେଜମାନଙ୍କର ଶାସନ । କଲିକତା ସହର ହେଉଛି ସେହି ଶାସନର ମୁଖ୍ୟ କେନ୍ଦ୍ର ଓ ପେଣ୍ଠ । ଏବଂ, ଶାସକମାନଙ୍କର ଭାଷା ହେଉଛି ଇଂରାଜୀ ଭାଷା । ସେହି ଭାଷାରେ ମଧ୍ୟ ଏକ ବହୁସମ୍ପନ୍ନ ସାହିତ୍ୟ । ଏହି ଶାସକମାନଙ୍କର ଆପଣା ଦେଶରେ ଶିକ୍ଷାଦାନର ବହୁବିସ୍ତୃତ ସ୍ଥାନମାନ । ସେଗୁଡ଼ିକ ପ୍ରତି ଆଦୌ ଗବାକ୍ଷମାନଙ୍କୁ ବନ୍ଦ କରି ରଖି ହେବନାହିଁ । ଶାସକମାନେ ଯେ ବର୍ତ୍ତମାନ ଭାରତବର୍ଷରେ ଉପସ୍ଥିତ ଅଛନ୍ତି, ସେହି ଅବସରରେ ପୂର୍ଣ୍ଣ ଶ୍ରଦ୍ଧା ତଥା ପ୍ରତ୍ୟୟ ସହିତ ସେମାନଙ୍କର ଭାଷାରେ ଅବଗାହୀ ହେବାକୁ ଆଗ୍ରହ ପ୍ରକାଶ କରିବା ମଧ୍ୟ ଭାରତବାସୀଙ୍କ କର୍ତ୍ତବ୍ୟ । ପୁନଶ୍ଚ, ସେହି ଭାଷାର ପରିଚୟ ଲାଭ କରି ପାରିଲେ ସିନା ଭାରତବାସୀ ଏହି ଶାସକମାନଙ୍କର ଅଧିକ ସତପରିଚୟ ଲାଭ କରିପାରିବେ ! କହିବା ବାହୁଲ୍ୟ, ସଂସ୍କୃତରେ ପାଣ୍ଡିତ୍ୟ ଲାଭ କରିଥିବା ସେହି କାଳଟିର ପଣ୍ଡିତମାନଙ୍କର ସମ୍ପୂର୍ଣ୍ଣ ଶିବିରଟି ମଧ୍ୟରେ ବିଦ୍ୟାସାଗର ହିଁ ସମ୍ଭବତଃ ଏକ ବ୍ୟତିକ୍ରମ ହୋଇ ରହିଥିଲେ, ଯିଏ କି ସେତେବେଳେ ଏହିଭଳି ଚିନ୍ତାଟିଏ କରିଥିବେ-। ପଣ୍ଡିତମାନେ ତାଙ୍କୁ ଘୋର ଅବୋଧ୍ୟ ବୋଲି ଭାବି ନିଶ୍ଚୟ ଭାରି ଚକିତ ହୋଇ ପଡ଼ିଥିବେ-। କେବଳ ଇଂରେଜୀଟାକୁ ଏକମାତ୍ର ପନ୍ଥା ବୋଲି ହୁରି କରୁଥିବା ଅନ୍ୟମାନେ ବି କ'ଣ କମ୍ ଚକିତ ହୋଇଥିବେ ! ଏହିଭଳି ଗୋଟିଏ ଭିତ୍ତିଭୂମି ଉପରେ ଆମେ ବିଦ୍ୟାସାଗରଙ୍କର ଆଉଗୋଟିଏ ଭୂମିର ଏଠାରେ କିଞ୍ଚିତ୍ ଅବଗତ ହେବାପାଇଁ ଚେଷ୍ଟା କରିବା ।

 

ସରକାରୀ ଚାକିରି ପରିତ୍ୟାଗ କରି ଚାଲିଆସିବା ପରେ କଲିକତାରେ ମେଟ୍ରୋପୋଲିଟାନ୍ ଶିକ୍ଷାନୁଷ୍ଠାନର ସ୍ଥାପନା ହେଉଛି ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ଏକ ତାତ୍ପର୍ଯ୍ୟଯୁକ୍ତ ସର୍ଜନା । ସେତେବେଳର ଭାରତବର୍ଷୀୟ ଶିକ୍ଷାପ୍ରୟାସରେ ଏକାଧିକ ଅର୍ଥରେ ଗୋଟିଏ ମାଇଲଷ୍ଟୋନ୍ । ପ୍ରଥମେ ସେହି ବଡ଼ ସହରଟିରେ ଦୁଇଟି ସୁପରିଚିତ ଶିକ୍ଷା-ଅନୁଷ୍ଠାନ ରହିଥିଲା । ଏକ ଆଧୁନିକ କାଳର ଆବଶ୍ୟକତାଗୁଡ଼ିକୁ ଅନୁମାନ କରି ସରକାରୀ ଇଂରେଜୀ ଉପରିସ୍ଥମାନେ ଶାସନ ତରଫରୁ ଦେଶରେ ଶିକ୍ଷା ବିଷୟରେ ପ୍ରକୃତରେ ଖୁବ୍ ଚିନ୍ତା ସର୍ବଦା ହିଁ କରାଯାଉଛି ବୋଲି ଧାରଣାଟିଏ ଆଣିଦେବାକୁ ଏଇ ଦୁଇଟିଯାକ ଅନୁଷ୍ଠାନର ଥାପନା କରି ଦେଇଥିଲେ । ସତେଅବା ଦୁଇ ପ୍ରକାରର ଗ୍ରାହକଙ୍କର ଚାହିଦାକୁ ଅନାଇ ଦୁଇ ପ୍ରକାରର ଆୟୋଜନ । ଗୋଟିଏ ସଂସ୍କୃତ କଲେଜ, ଯେଉଁଠାରେ ଈଶ୍ଵରଚନ୍ଦ୍ର ସ୍ଵୟଂ ଶିକ୍ଷାଲାଭ କରିଥିଲେ ଏବଂ ଏକ ଭାଗ୍ୟର ବରାଦ ଅନୁସାରେ ଆଖର ଉକ୍ତ କଲେଜର ଅଧ୍ୟକ୍ଷପଦରେ ଅଧ୍ୟୁଷିତ ହୋଇଥିଲେ । ଆରଟି ହେଉଛି ହିନ୍ଦୁ କଲେଜ । ଦୁଇଟିଯାକ କାଗଜପତ୍ର ଅନୁସାରେ ବେସରକାରୀ ଉଦ୍ୟମରେ ହିଁ ଗଢ଼ା ହୋଇଥିଲେ, କିନ୍ତୁ ତତ୍ତ୍ଵାବଧାନ ଅର୍ଥାତ୍ ନୀତିନିର୍ଣ୍ଣୟର କ୍ଷେତ୍ରରେ ସରକାର ସବା ଉଚ୍ଚରେ ଥିଲେ ଏବଂ ଦୀକ୍‍ନିର୍ଣ୍ଣୟ କରୁଥିଲେ । ହଁ, ବିଭିନ୍ନ ବିଷୟକୁ ପାଠ୍ୟକ୍ରମରେ ଅଗ୍ରାଧିକାର ଦେବାରେ କିଛି ଫରକ ରହିଥିଲା ଓ ବେଶ୍ ଲକ୍ଷ୍ୟ କରି ହେଉଥିଲା ସତ, ମାତ୍ର ମଞ୍ଜ ଭିତରେ କୌଣସି ଫରକ ପ୍ରକୃତରେ ନଥିଲା । କୌଣସି ପ୍ରସଙ୍ଗରେ ଏକ କଥୋପକଥନରେ ବିଦ୍ୟାସାଗର ଯେପରି ଏକଦା ଗୋଟିଏ ମନ୍ତବ୍ୟ କରିଛନ୍ତି; ଶିକ୍ଷାର୍ଥୀମାନଙ୍କ ପାଖରୁ ଦରମା ନିଆ ଯାଉଥିଲା ତଥା ଆନୁସଙ୍ଗିକ ଆହୁରି କେତେଭଳି ବାବତକୁ ଶୁଳ୍କମାନ ଆଦାୟ କରାଯାଉଥିଲା ଏବଂ ପୂର୍ଣ୍ଣ ଗାମ୍ଭୀର୍ଯ୍ୟଯୁକ୍ତ ସନ୍ତର୍ପଣରେ ପରୀକ୍ଷାଗୁଡ଼ିକ ମଧ୍ୟ ହେଉଥିଲା, କିନ୍ତୁ ଛାତ୍ରମାନଙ୍କୁ ସତେଅବା ଗୋଟିଏ କାରଖାନା ଭିତରେ ନେଇ ଭର୍ତ୍ତି କରି ଦିଆ ଯାଉଥିଲା । ସେହି କଳଟା ଭିତରେ ପଶି ଶେଷରେ ସେମାନେ ମଣ ହୋଇ ଭିନ୍ନ ଭିନ୍ନ ସାର୍ଟିଫିକେଟ ନେଇ ବାହାରୁଥିଲେ ସିନା, ମାତ୍ର ଅସଲ ଶିକ୍ଷା କହିଲେ ଯାହାକିଛି ଯୋଗ୍ୟତା ଅର୍ଜନ କରିବାକୁ ବୁଝାଇବା ଉଚିତ, ସେହି ଦିଗରୁ କିଛି ହେଉନଥିଲା ଏବଂ ଏପରିକି ତଥାକଥିତ ତୁଚ୍ଛା ପାଠର କ୍ଷେତ୍ରରେ ମଧ୍ୟ ପିଲାମାନେ ସେପରି କିଛି ଯୋଗ୍ୟତା ଅର୍ଜନ କରି ପାରୁନଥିଲେ । ପାଠୁଆ ବୋଲି ଘୋଷିତ ହେଉଥିଲେ, ମାତ୍ର ପାଠ ବୋଲି ବିଶେଷ କିଛି ନଥିଲା ।

 

ତେଣୁ, ସମ୍ଭବତଃ ସେହି ସଂସ୍କୃତ କଲେଜ ସହିତ ସଂପୃକ୍ତ ହୋଇ ରହିଥିବା ସମୟରୁ ହିଁ ବିଦ୍ୟାସାଗର ହୁଏତ ଆଉ ଏକ ଅନ୍ୟପ୍ରକାରର କିଛି ସମ୍ଭବ କାହିଁକି ନହୁଅନ୍ତା ବୋଲି ବହୁ ସମୟରେ ଅବଶ୍ୟ ଚିନ୍ତା କରିଥିବେ । ସରକାରୀ ବେଢ଼ ଭିତରୁ ଆପଣାକୁ ଅପସରାଇ ଆଣିବାପରେ ଯାଇ ସେହି ଅନ୍ୟକିଛି ନିମନ୍ତେ ଆନୁଷ୍ଠାନିକ କିଛି ପ୍ରଚେଷ୍ଟା କରିବାର ସ୍ଵାଧୀନ ଅନୁକୂଳତାଟିଏ ଆସି ପହଞ୍ଚିଥିଲା । ତେଣୁ, ଏକ ବିକଳ୍ପ ଉଦ୍ୟମ ପ୍ରାୟ ଅଚିରେ ହିଁ ଆରମ୍ଭ ହୋଇଗଲା । ଉଚ୍ଚତର ଶିକ୍ଷାର ପ୍ରଥମ ଦୁଇଟି ଶ୍ରେଣୀ ଆରମ୍ଭ କରିବା ନିମନ୍ତେ କଲିକତାର ଅନୁମୋଦନ ନିମନ୍ତେ ନିବେଦନ କରାଗଲା । ଏକ ବନ୍ଧୁଗୋଷ୍ଠୀ ସକ୍ରିୟ ହୋଇ ରହିଥିଲେ ସତ, କିନ୍ତୁ ଈଶ୍ଵରଚନ୍ଦ୍ର ହିଁ ମଙ୍ଗରେ ଥିଲେ । ନୂଆ କଲେଜରେ ଛାତ୍ରମାନଙ୍କୁ କିଛି କମ୍ ଦରମା ଦେବାକୁ ହେଉଥିଲା ଏବଂ ଯଥାସମ୍ଭବ ଅଧିକ ଯତ୍ନ ତଥା ତତ୍ତ୍ଵାବଧାନ ସହିତ ଛାତ୍ରମାନଙ୍କର ବିଦ୍ୟାର୍ଜନ ବିଷୟରେ ନଜର ବି ଦିଆ ଯାଉଥିଲା । ମେଟ୍ରୋପୋଲିଟାନ୍ ଶିକ୍ଷାନୁଷ୍ଠାନର ପରୀକ୍ଷାର୍ଥୀମାନେ ଗୋଟିଏ ବର୍ଷର ଶେଷ ପରୀକ୍ଷାରେ ଏକାବେଳେକେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ମଧ୍ୟ ଅଧିକାର କରିଥିଲେ । ସେତେବେଳେ ବ୍ୟକ୍ତ କରା ଯାଇଥିବା ଏକ ମନ୍ତବ୍ୟ ଅନୁସାରେ ଏହି ଅସାଧାରଣ ପ୍ରକାରେ ସମର୍ଥ ବ୍ୟକ୍ତି ପ୍ରମାଣ କରି ଦେଖାଇଦେଇ ପାରିଲେ ଯେ, ଇଂରାଜମାନଙ୍କଠାରୁ କୌଣସି ଶିକ୍ଷାଲାଭ ନକରିଥିଲେ ମଧ୍ୟ ଏବଂ ସେମାନଙ୍କଠାରୁ କୌଣସି ସାହାଯ୍ୟ ନନେଇ ମଧ୍ୟ ଏହି ଦେଶରେ ସମ୍ପୂର୍ଣ୍ଣ ଭାବରେ ନିଜର ଉଦ୍ୟମ ଖଟାଇ ଅବଶ୍ୟ ଇଂରାଜୀ ଶିକ୍ଷାର ବ୍ୟବସ୍ଥା କରାଯାଇପାରିବ । ଅତ୍ୟନ୍ତ ଅଳ୍ପ ଅର୍ଥ ବ୍ୟୟ କରି ଉଚ୍ଚଶିକ୍ଷାର ଉତ୍ତମ ବିଧାନ କରିବା କେବଳ ବିଦ୍ୟାସାଗରଙ୍କଦ୍ଵାରା ହିଁ ସମ୍ଭବ ହୋଇ ଥାଆନ୍ତା । ସିଏ ଅଗ୍ରଗାମୀ ହୋଇ ବାହାରି ନଥିଲେ ଆମ ଦେଶରେ କେବଳ ଅତ୍ୟନ୍ତ ଅଳ୍ପସଂଖ୍ୟକ ଛାତ୍ର ହିଁ ଉଚ୍ଚଶିକ୍ଷାର ସୁଯୋଗ ଲାଭ କରି ପାରୁଥାନ୍ତେ । ୧୮୭୯ ମସିହା ବେଳକୁ ଅନୁଷ୍ଠାନଟି ଏକ ପ୍ରଥମ ଶ୍ରେଣୀର ଶିକ୍ଷାଦାନକାରୀ ସଂସ୍ଥାର ମର୍ଯ୍ୟାଦା ପାଇବାର ଯୋଗ୍ୟ ହୋଇ ଯାଇଥିଲା । ସେହି ଅନନ୍ୟସାଧାରଣ ଘଟଣାଟି ବିଷୟରେ କବି ରବୀନ୍ଦ୍ରନାଥ ମନ୍ତବ୍ୟ ବ୍ୟକ୍ତ କରି ଏକଦା କହିଛନ୍ତି: ସଂସ୍କୃତ କଲେଜରେ ଆପଣାର ପଦଟିକୁ ଛାଡ଼ିଆସିବା ପରେ ଏହି ମେଟ୍ରୋପୋଲିଟାନ୍‍ ଅନୁଷ୍ଠାନଟି ହେଉଛି ବିଦ୍ୟାସାଗରଙ୍କର ସର୍ବପ୍ରଧାନ କୀର୍ତ୍ତି । ଏହି ଦେଶର ଲୋକମାନେ ସମ୍ପୂର୍ଣ୍ଣଭାବେ ନିଜର ଚେଷ୍ଟାଦ୍ଵାରା ହିଁ ସମ୍ପୂର୍ଣ୍ଣ ସ୍ଵାଧୀନ ଭାବରେ ସ୍ଥାୟୀରୂପେ ପ୍ରତିଷ୍ଠିତ କରି ପାରିବାର କ୍ଷେତ୍ରରେ ଏହାଦ୍ଵାରା ଶ୍ରୀଯୁକ୍ତ ବିଦ୍ୟାସାଗରଙ୍କଦ୍ଵାରା ହିଁ ଭିତ୍ତିଟିଏ ପଡ଼ିବା ସମ୍ଭବ ହୋଇଥିଲା । ଯେଉଁ ବିଦ୍ୟାସାଗର ଦରିଦ୍ର ଥିଲେ, ସେଇ ଆପଣାର ଏହି କାର୍ଯ୍ୟଟିଦ୍ଵାରା ଆମଭିତରେ ସର୍ବପ୍ରଧାନ ଦାତାରୂପେ ପ୍ରଖ୍ୟାତ ହୋଇ ରହିଲେ; ଯିଏ ଲୋକାଚାର ବିଷୟରେ ସଦା ରକ୍ଷଣଶୀଳ ବ୍ରାହ୍ମଣ ପଣ୍ଡିତମାନଙ୍କ ବଂଶରେ ଜନ୍ମଗ୍ରହଣ କରିଥିଲେ, ସେ ସେହି ଲୋକାଚାରର ଗୋଟିଏ ଅତ୍ୟନ୍ତ ଦୃଢ଼ ବନ୍ଧନରୁ ସମାଜକୁ ମୁକ୍ତ କରି ଆଣିବା ସକାଶେ ସୁକଠୋର ଭାବରେ ଠିଆ ହୋଇ ସଂଗ୍ରାମ କଲେ, ଏବଂ, ଯିଏ ସ୍ଵୟଂ ସଂସ୍କୃତ ବିଦ୍ୟାରେ ଅପାର ଦକ୍ଷତା ଲାଭ କରିଥିଲେ, ସେଇ ଇଂରାଜୀ ଶିକ୍ଷାକୁ ବାସ୍ତବ କ୍ଷେତ୍ରରେ ଦୃଢ଼ମୂଳ କରି ରୋପଣ କରିବାର ପ୍ରୟାସରେ ସଫଳ ଭାବରେ ଏତେ ଏତେ ସମ୍ଭବ କରି ଆଣିଥିଲେ ।

 

ଅନ୍ୟାନ୍ୟ କଲେଜମାନଙ୍କର ତୁଳନାରେ ଏହି ମେଟ୍ରୋପୋଲିଟାନ୍‍ ଭିନ୍ନ ପ୍ରକାରର ହିଁ ଥିଲା । ଏଠାରେ ଜଣେ ଛାତ୍ରକୁ ମାସକୁ ତିନିଟଙ୍କା ବେତନ ଦେବାକୁ ପଡ଼ୁଥିଲା । ଅନ୍ୟଗୁଡ଼ିକରେ ସମ୍ଭବତଃ ପାଞ୍ଚଟଙ୍କା । ଅନେକ ଛାତ୍ର ବିନା ବେତନରେ ମଧ୍ୟ ସେଠାରେ ପଢ଼ିବାର ସୁଯୋଗ ଲାଭ କରିଥିଲେ । ଜଣେ ଜଣେ ଶିକ୍ଷାର୍ଥୀର ଖିଆପିଆ ଖରଚକୁ ମଧ୍ୟ ବିଦ୍ୟାସାଗର ନିଜ ହାତରୁ ଦେଉଥିଲେ । ସମ୍ପୂର୍ଣ୍ଣ ଦୃଷ୍ଟିଭଙ୍ଗୀଟି ନିଆରା ଥିଲା । କଥିତ ଅଛି, ଯେତେବେଳେ ମେଟ୍ରୋପୋଲିଟାନ୍‍ ଆପଣାର ନୂଆ ଅଟ୍ଟାଳିକାକୁ ସ୍ଥାନାନ୍ତରିତ ହୋଇ ଆସିଥିଲା, ସେତେବେଳେ ଅନୁଷ୍ଠାନର ପ୍ରିନ୍ସିପାଲ ଅବଶ୍ୟ ହୃଷ୍ଟ ମନରେ ବିଦ୍ୟାସାଗରଙ୍କ ପାଖରେ ଆସି ପ୍ରସ୍ତାବଟିଏ ବାଢ଼ିଥିଲେ, ଏହି ଅବସରରେ ଗୋଟିଏ ଉତ୍ସବ କରି ଆମେ କଲିକତାର ସବୁ ବଡ଼ଲୋକ ଏବଂ ଲାଟସାହେବଙ୍କୁ ନିମନ୍ତ୍ରିତ କରିବା,–ତେବେ ଖୁବ୍‍ ଆନନ୍ଦଦାୟକ ହେବ । ପ୍ରସ୍ତାବଟିକୁ ଶୁଣି ବିଦ୍ୟାସାଗର ପଚାରିଲେ, ଏଥିରେ କେତେ ପର୍ଯ୍ୟନ୍ତ ଖରଚ ହେବ ? ଚାରି ପାଞ୍ଚହଜାର ଟଙ୍କା ଲାଗିବ ବୋଲି ପ୍ରିନ୍ସିପାଲ୍‍ ଉତ୍ତର ଦେଲେ ଏବଂ ତହୁଁ ବିଦ୍ୟାସାଗର କହିଥିଲେ, ଆମେ ସେହି ଟଙ୍କାରେ ଆମ ଦରିଦ୍ର ଛାତ୍ରମାନଙ୍କ ନିମନ୍ତେ ଆଉ କେତେକ ବୃତ୍ତିର ବ୍ୟବସ୍ଥା କରିବା । ଏବଂ, କହିବା ବାହୁଲ୍ୟ, କାର୍ଯ୍ୟତଃ ସେହିପରି ହିଁ ହୋଇଥିଲା ।

 

ଏହି ଶିକ୍ଷାନୁଷ୍ଠାନକୁ କେନ୍ଦ୍ର କରି ବିଦ୍ୟାସାଗରୀୟ ବିଶେଷତାର କେତେଗୁଡ଼ିଏ କାହାଣୀ ସେହି ସମୟରୁ ରହିଆସିଛି । ବ୍ୟକ୍ତିଗତ ଦରଦର ନାନାଭଳି ସତ ଘଟଣା । ଏବଂ ଆମ ବହୁତଙ୍କୁ ହୁଏତ ଏବେ ମଧ୍ୟ କାହାଣୀ ପରି ଲାଗିବ । ଥରେ କେଉଁ ଏକ ମଫସଲରୁ ଗରିବ ପିଲାଟିଏ ଏହି କଲେଜରେ ପଢ଼ିବ ବୋଲି ଆବେଦନ କରିଥିଲା । ଦରମା ଦେଇ ପାରିବନାହିଁ । ବିଦ୍ୟାସାଗର ଅନୁମତି ପ୍ରଦାନ କରିଥିଲେ । ତା'ପରେ ପିଲାଟିକୁ ଡାକି ପଚାରିଥିଲେ, ବାବୁ, କଲେଜରେ ସିନା ନାଆଁଲେଖା ହୋଇଗଲା, କିନ୍ତୁ କେଉଁଠି ରହିବ,–ଗ୍ରାସାଚ୍ଛାଦନର କ'ଣ କିଛି ବ୍ୟବସ୍ଥା ହୋଇଛି ? ତା'ପରେ ଲୁଗାପଟା ଏବଂ ବହିପତ୍ରର ସମସ୍ୟା ତ ଅବଶ୍ୟ ରହିଛି । ପିଲାଟି କେଡ଼େ ଦମ୍ଭରେ ଉତ୍ତର ଦେଇଥିଲା: ଆଜ୍ଞା, କଲିକତା ସହରରେ ନିଶ୍ଚୟ କେତେଜଣ ଦୟାଳୁ ବ୍ୟକ୍ତି ମୋତେ ମିଳିଯିବେ । ସେଇମାନଙ୍କର ମାସିକ କିଛି ସହାୟତାରେ ମୁଁ ଭାବୁଛି ଯେପରି ହେଉ ଚଳିଯାଇ ପାରିବି । ବିଦ୍ୟାସାଗରଙ୍କଠାରୁ ସିଏ କିଛି ସେହିପରି ଦୟାଶୀଳ ବ୍ୟକ୍ତିଙ୍କର ନାମ ଟିପି ବି ନେଇଥିଲା । ସମସ୍ତଙ୍କର ଦ୍ଵାରସ୍ଥ ହେଲା, କିନ୍ତୁ କାହାରିଠାରୁ ସାହାଯ୍ୟର ପ୍ରତିଶ୍ରୁତି ମିଳିଲାନାହିଁ । ଥରେ ଗଲା, ଦୁଇଥର ଗଲା, କିନ୍ତୁ ନିରାଶ ହେବାକୁ ପଡ଼ୁଥାଏ । ଅଧାପେଟରେ ସିଏ କେତେ କାଳ ଆଶା କରି ରହି ପାରନ୍ତା ! ବିଦ୍ୟାସାଗର ସେହି ସଂବାଦଟିକୁ ଜାଣିଲେ ଓ ନିଜେ ହିଁ ଛାତ୍ରଟିର ସମସ୍ତ ଦାୟିତ୍ଵ ନେଲେ । ଏହିପରି କେତେ କେତେ କାହାଣୀ, ସତ କଥା । ଏସବୁ କେବଳ ଉପରୁ ଥାଇ ଅପର ଅସହାୟମାନଙ୍କୁ ଦୟାର୍ଦ୍ରତା ପ୍ରଦର୍ଶନ କରିଥିବାର କାହାଣୀ ଆଦୌ ନୁହେଁ । ଈଶ୍ୱରଚନ୍ଦ୍ର ହୁଏତ ତାଙ୍କ ନିଜ ଛାତ୍ରାବସ୍ଥାରେ କାହାରି ଦୟାବନ୍ତ ଉଦାରତା ଉପରେ ନିର୍ଭର କରିନାହାନ୍ତି । ଏକଦା ଏହିପରି ଏକ ଦରିଦ୍ର ଛାତ୍ରକୁ ସେ ନିଜର ଅସଲ କଥାଟିକୁ ମଧ୍ୟ କହି ଦେଇଥିଲେ: ଆରେ ବାବୁ, କଦାପି ନିଜର ଦାରିଦ୍ର୍ୟକୁ ନେଇ ବାଇଆ ପରି ହତାଶ ହୋଇ ପଡ଼ିବନାହିଁ । ଦାରିଦ୍ର୍ୟ ଆଦୌ କୌଣସି ଅପରାଧ ନୁହେଁ ଏକଦା ମୁଁ ମଧ୍ୟ ତୁମ ପରି ଦରିଦ୍ର ଥିଲି । ନିଜ ଅନୁଷ୍ଠାନର ଛାତ୍ରମାନଙ୍କ ପ୍ରତି ବିଦ୍ୟାସାଗରଙ୍କର ଅତୀବ ସୌହାର୍ଦ୍ଦ୍ୟ ରହିଥିଲା । ସେ ସେମାନଙ୍କୁ ଶ୍ରଦ୍ଧା ହିଁ କରୁଥିଲେ । ସେମାନଙ୍କୁ ନିଜ ଘରକୁ ଯିବାକୁ କହୁଥିଲେ ଏବଂ ସେହିସବୁ ଅବସରରେ ବାହାରୁ ଭଲ ଭଲ ଖାଇବା ମଗାଇ ଆଣି ଖାଇବାକୁ ଦେଉଥିଲେ । ହଁ, ବେଳେବେଳେ ପାଠ ବି ପଚାରୁଥିଲେ ।

 

ମେଟ୍ରୋପୋଲିଟାନ୍‍ ସ୍କୁଲ ଏବଂ ମେଟ୍ରୋପୋଲିଟାନ୍‍ କଲେଜ । ବିଦ୍ୟାସାଗରଙ୍କର ବହୁ ସ୍ଵପ୍ନକୁ ସାକାର ରୂପ ଦେଇଥିବା ଦୁଇଟି ଅନୁଷ୍ଠାନ । ଏହି ଦୁଇଟିଯାକରେ ସେ ସର୍ବବିଧ ଅର୍ଥରେ ପ୍ରାଣସ୍ଵରୂପ ହୋଇ ରହିଥିଲେ । ସବାମୂଳରେ ସେଇ, ସବା ଉପରେ ମଧ୍ୟ ସେଇ । ଆହୁରି ଅଧିକ ନ୍ୟାୟ ସହିତ କହିଲେ ସିଏ ସେଗୁଡ଼ିକରେ ରଜ୍ଜୁପରି ହୋଇ ସଂପୃକ୍ତ ସମସ୍ତଙ୍କୁ ଗୋଟିଏ ବନ୍ଧନରେ ବାନ୍ଧି ରଖିଥିଲେ: ପିଲା ଓ ବଡ଼ ସମସ୍ତଙ୍କୁ ଏବଂ ଛାତ୍ର ଏବଂ ଅଧ୍ୟାପକ ସମସ୍ତଙ୍କୁ । ଶୃଙ୍ଖଳା–ଯେକୌଣସି ଶିକ୍ଷାନୁଷ୍ଠାନରେ ନ୍ୟାୟତଃ ଯେଉଁଭଳି ଶୃଙ୍ଖଳା ରହିବାର କଥା,–ଅବଶ୍ୟ ରହିଥିଲା; ତା'ସହିତ ଏକ ସମ୍ପୂର୍ଣ୍ଣ ସିଧା ସମ୍ପର୍କ,–ସ୍ନେହର ସମ୍ପର୍କ ମଧ୍ୟ ତାହାର ପ୍ରଧାନତମ ପ୍ରେରଣା ହୋଇ କାର୍ଯ୍ୟ କରୁଥିଲା । ବିଦ୍ୟାସାଗର ପ୍ରାୟ ପ୍ରତ୍ୟେକ ଦିନ ଦୁଇଟିଯାକ ଅନୁଷ୍ଠାନକୁ ଯାଉଥିଲେ ଏବଂ ଆପଣାର ଆଖିରେ ହିଁ ସବୁ ଦେଖି ଆସୁଥିଲେ । ସଂପୃକ୍ତ ସମସ୍ତଙ୍କର ନାଡ଼ୀଗୁଡ଼ିକୁ ପରଖି ପାରୁଥିଲେ । ସିଏ ହତା ଭିତରେ ପ୍ରବେଶ କରିବା ମାତ୍ରେ ହିଁ ପିଲା ଓ ବଡ଼ ସଭିଙ୍କ ସକାଶେ ସବୁକିଛି ହାଲୁକା ହାଲୁକା ଲାଗୁଥିଲା । ହୁଏତ କୌଣସି କୌଣସି ନବାଗତ ଶିକ୍ଷକ ସେଠାରେ ତାଙ୍କ ପାଖରେ ଅନୁଗତ ଭୃତ୍ୟ ପରି ହାବଭାବ ଦେଖାଇବାର ଚେଷ୍ଟା କରୁଥିବା ପରି ଅନୁଭବ କଲେ ବିଦ୍ୟାସାଗର ତାଙ୍କୁ ସିଧା ଅଭୟ ଦେଲାପରି କହି ଦେଉଥିଲେ ଯେ ସିଏ ଏହି ଅନୁଷ୍ଠାନରେ ମୋଟେ କାହାର ଜଣେ ଅଧୀନସ୍ଥ କର୍ମଚାରୀ ମୋଟେ ନୁହନ୍ତି । ସିଏ ହେଉଛନ୍ତି ପ୍ରକୃତରେ ଜଣେ ସହାୟକ, ସହକର୍ମୀ । ନିଜେ ଏକୁଟିଆ ପାରିବେ ନାହିଁ ବୋଲି ସିନା ଶିକ୍ଷକମାନଙ୍କୁ ସହକର୍ମୀ କରି ଏଠାକୁ ନେଇ ଆସିଛନ୍ତି !

 

+ + + +

 

ଭାରତବର୍ଷରେ ସେତେବେଳେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର କାଳଟି ହେଉଛି ଏକ କ୍ରାନ୍ତିର କାଳ । ଅବଶ୍ୟ ପୃଥିବୀର ଇତିହାସ ଯାକରେ ଏପରି କୋଉ ଗୋଟିଏ ମଧ୍ୟ କାଳ ପ୍ରକୃତରେ ରହିଛି, ଯାହାକୁ ଏକ କ୍ରାନ୍ତିର କାଳ ବୋଲି କହି ନହେବ । ଏକ ସମଗ୍ର ତଥା ଅସଲ ଅନ୍ତଃକରଣର ନେତ୍ରରେ ଦେଖିଲେ ଜଣେ ସତକୁସତ ସଂପୃକ୍ତ ମଣିଷକୁ ତା'ର ନିଜ ସମୟଟି ନିଶ୍ଚୟ କ୍ରାନ୍ତିର କାଳଟିଏ ପରି ଅନୁଭୂତ ହେବ । ତଥାପି, ଊନବିଂଶ ଶତାବ୍ଦୀର ସେହି କେତୋଟି ଦଶକକୁ ସେକାଳର ଆଖିଥିବା ଅନେକ ମନୁଷ୍ୟ ଏକ ନିଷ୍ପତ୍ତିକାରୀ ଆହ୍ଵାନର ମୁହୂର୍ତ୍ତ ସଦୃଶ ଖୁବ୍‍ ଅନୁଭବ କରୁଥିଲେ । ବଣିଜ କରି ଏହି ଦେଶକୁ ଆସିଥିବା ଇଉରୋପୀୟ ଅନ୍ୟମାନଙ୍କୁ ପରାଭୂତ କରି ଇଂରେଜୀ କମ୍ପାନୀଟା ନିଜକୁ ସେତେବେଳେ ଏକ ନୂତନ ସାମ୍ରାଜ୍ୟର ନାୟକରୂପେ ଦେଖିବାକୁ ଆରମ୍ଭ କରିଥିବ । କମ୍ପାନୀ ନ୍ୟାୟତଃ ବ୍ରିଟିଶ୍‍ ରାଷ୍ଟ୍ରୀୟ ଶାସନଦଣ୍ଡଟା ହାତରେ ଭାରତବର୍ଷ ନାମକ ଏହି ବିଜିତ ଭୂମିଟିକୁ ନେଇ ଧରାଇ ଦେଲେ ଏବଂ ଏଣିକି ଏହି ବୃହତ୍‍ ଭୂମିଟା ଯେ ଆପାତତଃ ସ୍ଥାୟୀ ଭାବରେ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହୋଇ ରହିବ, ସେହି ଅନ୍ଦାଜଟିକୁ ମୂଳରେ ରଖି ଆବଶ୍ୟକ କଳ୍ପନାମାନ କରିବାରେ ପ୍ରବୃତ୍ତ ହେଲେ । ସିପାହୀ ବିଦ୍ରୋହ ସେମାନଙ୍କର ସେହି କଳ୍ପନାର ଫାଶମାନଙ୍କୁ ଏଣିକି ଅଧିକ ମଜବୁତ କରି ଧରିବା ସକାଶେ ନିଶ୍ଚୟ ଉଦ୍‍୍‍ବୋଧନ ଯୋଗାଇ ଦେଇଥିବ । ତେଣୁ, ନୂତନ ନୂତନ ସିରସ୍ତାଗୁଡ଼ିକର ଚିନ୍ତା ବି କରାଗଲା । ପୂରା ସାହେବଙ୍କର ପଲଟଣଟାଏ ସେହି ସେପାରିରୁ ଆସି ଏହି ଭୂଇଁର ଶାସନଗତ ସକଳ ନିର୍ବାହ କରିବେ, ତାହା କଦାପି ସମ୍ଭବ ନୁହେଁ । ତେଣୁ, ଏହି ଦେଶର କେତେକଙ୍କୁ ସେଥିପାଇଁ ତାଲିମ କରି ନେବାକୁ ପଡ଼ିବ । ଏବଂ, ସମାଧାନ ଖୋଜି ଗୋଟିଏ ତଦନୁରୂପ ପ୍ରଣାଳୀ ଖୋଜି ବାହାର କରିବାକୁ ହୋଇଥିବ । ଏପରି ଗୋଟିଏ ପ୍ରଣାଳୀ ଅର୍ଥାତ୍‍ ଶିକ୍ଷାବୁଦ୍ଧି, ଯାହାର ସ୍ଥୂଳ ଧଡ଼ଟା ବିଲାତି ବାଗରେ ଖଞ୍ଜା ହୋଇଥିବା ପରି ଲାଗିବ, କିନ୍ତୁ ସେଠାରେ ମଣ ହୋଇ ରାଜାଙ୍କର ହାତୀ ହୋଇ ଅନୁଗତ ଶାନ୍ତ ଶିକ୍ଷାପ୍ରାପ୍ତମାନେ ବାହାରିବେ, ଯେଉଁମାନେ କି ସବାଆଗ କର୍ତ୍ତାମାନଙ୍କର ହୁକୁମସଚ୍ଚା ହେବେ ଏବଂ ତାହାରି ରେଖାଗୁଡ଼ିକ ଭିତରେ ହୁଏତ ମନମୋଟା ହୋଇ ଏହି ଉପନିବେଶଟା ବିଷୟରେ ଆଦୌ କିଛି ବି ପାଇଁ ମନ କରିବେ । ଅଳପ ଭାଷାରେ କହିଲେ, ଗୋଲାମ ହେବେ, ମତି ହରାଇ ଦେଇଥିବେ ।

 

ଏଣେ ସମାନ୍ତର ଭାବରେ ବିଲାତରୁ ମିଶନାରିମାନେ ବି ଆସି ଭାରତବର୍ଷରେ ପହଞ୍ଚିଲେ । ସେଥିପାଇଁ ଅଗମ୍ୟଥାନମାନଙ୍କରେ ନିଜ ଧର୍ମମାର୍ଗଟିର ପ୍ରଚାର ଏବଂ ପରିପ୍ରସାର ପାଇଁ କେନ୍ଦ୍ରସବୁ ଖୋଲିଲେ । କଲିକତା ନିକଟରେ ଶ୍ରୀରାମପୁରଠାରେ ସେହି କାର୍ଯ୍ୟସାରଣୀର ମୁଖ୍ୟ କେନ୍ଦ୍ରଟିଏ ଖୋଲାହେଲା । ପାଦ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ମିଶନାରୀମାନେ ଆମ ଦେଶରେ ଦୈବବରାଦରୁ ବସ୍ତୁତ ବହୁତ ଉପକାର ମଧ୍ୟ କରିଛନ୍ତି । ସେମାନେ ଦୂର ନାନା ସ୍ଥାନକୁ ଆଧୁନିକ ଚିକିତ୍ସାର ସମ୍ଭାବନାମାନଙ୍କୁ ବହନ କରି ନେଇଛନ୍ତି । ଦେଶର ପ୍ରାୟ ସମସ୍ତ ଅଞ୍ଚଳରେ ସେହିମାନେ ଛପାକଳ ବସାଇଛନ୍ତି ଏବଂ ଦେଶୀ ଭାଷାମାନଙ୍କରେ ବହୁ ସ୍ଥଳରେ ଉପଲବ୍ଧ ପ୍ରଥମ ଛାପାବହିକୁ ସେହିମାନେ ହିଁ ଲୋକଲୋଚନକୁ ଆଣିଛନ୍ତି । ପ୍ରାୟ ସକଳ ଭାରତୀୟ ପ୍ରଥମ ବ୍ୟାକରଣ ବହି ବହୁ ଧୈର୍ଯ୍ୟର ସହିତ ସେହିମାନେ ହିଁ ଲେଖିଛନ୍ତି । ଆମେ ସର୍ବଦା ଏକଥାଟିକୁ ମନେ ରଖିବା ଯେ, ଅନେକ ସମୟରେ ଓ ଏନେକ କ୍ଷେତ୍ରରେ ବିଲାତୀ ଭାରତଶାସନର ଯନ୍ତ୍ରଟା ମିଶନାରୀମାନଙ୍କର କାର୍ଯ୍ୟଗୁଡ଼ିକୁ ଆଦୌ ସେପରି ଉତ୍ସାହର ସହିତ ଦେଖି ହିଁ ପାରୁନଥିଲା । ଏପରି କ୍ଷେତ୍ରରେ ହୁଏତ ଦୁଇଟି କାରଣ ଥାଇପାରେ: ଭାରତୀୟ ମୁଖ୍ୟ ଧର୍ମସ୍ରୋତର ଅନୁଗାମୀମନେ ସମ୍ଭବତଃ ଏହି ନୂତନ ଧର୍ମମାର୍ଗର ପ୍ରଚାରକୁ ଭାରତବର୍ଷର ଧର୍ମକ୍ଷେତ୍ରଟି ଉପରେ ଏକ ଆକ୍ରମଣାତ୍ମକ ହସ୍ତକ୍ଷେପ ଭଳି ବିଚାର କରିବେ ଏବଂ ତଦ୍ଦ୍ଵାରା ସାମ୍ରାଜ୍ୟର ଶାନ୍ତିପୂର୍ଣ୍ଣ ଶାସନକଳଟି ପାଇଁ ହୁଏତ କିଛି ପ୍ରତିକୂଳ ପ୍ରତିକ୍ରିୟା ସୃଷ୍ଟି ହେବ । ଦ୍ଵିତୀୟ ଆଶଙ୍କାଟି ହେଉଛି, ନୂଆ ଧର୍ମଟିର ଏହି ଅନ୍ୟଭଳି ତରଙ୍ଗଟି ବାଜି ତଦ୍ଦ୍ୱାରା ଭାରତବର୍ଷର ଏହି ପ୍ରାୟ ଯୁଗଯୁଗର ସମ୍ପୂର୍ଣ୍ଣ ଆତ୍ମସନ୍ତୁଷ୍ଟ ଅଚଳାୟନଟି କାଳେ କୌଣସି ପ୍ରକାରେ ଦୋହଲିଯିବ,–ଖ୍ରୀଷ୍ଟଧର୍ମର ଏକାଧିକ ନାନା ସମୟର ଉଦବେଳନ ତଥା ହଲଚଲଦ୍ଵାରା ପ୍ରଭାବିତ ହୋଇ ଯଦି ଭାରତୀୟଗଣ ଆଉ ଆଗପରି ଭାଗ୍ୟବାଦୀ ହୋଇ ରହିବାକୁ ଇଚ୍ଛା କରିବେ ନାହିଁ, ସେମାନେ ଯଦି ସମାଜ-ସଚେତନ ହେବେ ଏବଂ ରାଜନୀତିକ ଔପନିବେଶିକତା ସମ୍ପର୍କରେ ମଧ୍ୟ ସାମ୍ରାଜ୍ୟ ଲାଗି ଅନିଷ୍ଟକାରକ ନାନା ଅନ୍ୟ ପ୍ରଶ୍ନ ଉତ୍ଥାପନ କରିବାକୁ ଆରମ୍ଭ କରିବେ, ତେବେ ତାହାର ଅବାଞ୍ଛିତ ପରିଣାମ ମଧ୍ୟ ନାନାଭଳି ଅଶାନ୍ତିକୁ ଡାକି ଆଣିବ ।

 

ତଥାପି, ଏକ ବ୍ୟତିକ୍ରମବତ୍‍ ମହାଭାଗ୍ୟର କଥା ଯେ, ଉଭୟ ସାମ୍ରାଜ୍ୟଶାସନ ଏବଂ ଧର୍ମପ୍ରଚାରର କ୍ଷେତ୍ରରେ କିଛି ସଂଖ୍ୟାରେ ଏପରି ଅନ୍ୟ ଆଖି ରହିଥିବା ଏବଂ ତେଣୁ ଅନ୍ୟକିଛି ଖୋଜୁଥିବା ବ୍ୟକ୍ତିମାନେ ରହିଥିଲେ, ଯେଉଁମାନେ କି ମଝିରେ ଅଧିକ ତାତ୍ପର୍ଯ୍ୟର ସହିତ ଏକ ସେତୁ ପରି କାର୍ଯ୍ୟ କଲେ । ସେମାନେ ଭାରତବର୍ଷର ପ୍ରଜ୍ଞାକୁ ଖୋଜିଲେ, ସାଂସ୍କୃତିକ ଖାସ୍‍ ଦୃଷ୍ଟିଗୁଡ଼ିକୁ ଖୋଜିଲେ । ନିଜର ପୃଥିବୀଟିର ସେମାନେ ଅସଲ ବିତ୍ତଗୁଡ଼ିକୁ ଏଠି ଭାରତବର୍ଷକୁ ବୋହି ଆଣିବାରେ ନିମିତ୍ତ ହେଲେ । ନୂଆ ବିଜ୍ଞାନ ଆସିଲା, ପୃଥିବୀ ବିଷୟରେ ଭାରତବର୍ଷର ଅନ୍ଦାଜଗୁଡ଼ାକ ହୁ' ହୁ' ହୋଇ ବଢ଼ିଗଲା । ଇଉରୋପ ଏବଂ ବିଲାତ ସେହିପରି କିଛି ଅନ୍ତର୍ସମ୍ପଦ ଓ ଅନ୍ତର୍ବିଶ୍ୱାସ ପ୍ରକୃତରେ ପାଇଅଛି ବୋଲି ସିନା ବର୍ତ୍ତମାନ ଅଧେ ପୃଥିବୀର ମାଲିକ ହୋଇ ବସିଛି, ଆଧୁନିକ ଯୁଗ ନାମକ ଏକ ବହୁସମ୍ଭାବନାମୟ ଅନ୍ତର୍ସାହସକୁ କ୍ରମଶଃ ବିଶ୍ୱମୟ ଏକ ତୁମୁଳ ଉଦ୍‍ବେଳନ ସୃଷ୍ଟି କରିବାରେ ପୃଥିବୀରେ କୋଣ ଅନୁକୋଣରେ ନିତାନ୍ତ ଅସଂଲଗ୍ନ ଭାବରେ ବାସ କରୁଥିବା କୋଟି କୋଟି ମନୁଷ୍ୟଙ୍କୁ ତାହା ସତେଅବା ଗୋଟିଏ ପ୍ରତିବେଶର ନିୟତି ମଧ୍ୟକୁ ଏକଜୁଟ କରି ଆଣୁଛି । ବହୁ ନୂଆ ଅନିଷ୍ଟର କାରଣ ମଧ୍ୟ ହେଉଛି ସତ, କିନ୍ତୁ ଏକ ଅନ୍ୟ ଆତ୍ମୀୟତାକୁ, ଆଧ୍ୟାତ୍ମିକତାକୁ ପୃଥିବୀତମାମ ମନୁଷ୍ୟଙ୍କର ସମ୍ମୁଖରେ ଉତ୍ତୋଳିତ କରି ଧରି ରଖିଛି-!

 

ଭାରତୀୟ ପ୍ରାଚୀନ ଶାସ୍ତ୍ରଗୁଡ଼ିକର ପରମ୍ପରାଟି ବିଷୟରେ ଆଗରୁ କେତେଜଣ ତଥାକଥିତ ଭାରତୀୟ ମଧ୍ୟ ଜାଣିଥିଲେ । ଶାସ୍ତ୍ରଗୁଡ଼ିକୁ ପ୍ରାୟ ଏକ ବଳଦିଆ ଅଙ୍ଗୀକାରରେ ଧର୍ମଶାସ୍ତ୍ର ଏବଂ ତେଣୁ ପବିତ୍ର ପୁସ୍ତକ ବୋଲି ଗ୍ରହଣ କରା ଯାଉଥିଲା ଏବଂ ପ୍ରଧାନତଃ ସ୍ଥିତିସମ୍ପନ୍ନ ବ୍ରାହ୍ମଣମାନେ ହିଁ ସେଗୁଡ଼ିକୁ ନେଇ ଚଳପ୍ରଚଳ ହେଉଥିଲେ । ବିଚରା ଦ୍ଵୀପଧର୍ମୀ ସେହି ଅତିସଚେତନ ଏବଂ ତେଣୁ ଅନ୍ୟକାତରମାନେ, ଧର୍ମ ଓ ଅଧ୍ୟାତ୍ମ ମଧ୍ୟରେ ନ୍ୟାୟତଃ କୌଣସି ପାର୍ଥକ୍ୟ ରହିଛି ବୋଲି ପ୍ରକୃତରେ କେତେ କମ୍‍ ଜାଣିଥିଲେ ! ସର୍ବୋପରି, ଧର୍ମକୁ ଯେ ସଚରାଚର ବାଧ୍ୟ ହୋଇ ସ୍ଥାନୀୟ ସଂସ୍କାରସୀମାଗୁଡ଼ିକ ମଧ୍ୟରେ ରହିବାକୁ ହୁଏ ଏବଂ ଅନ୍ୟ ପକ୍ଷରେ, ଅଧ୍ୟାତ୍ମର ଯେ ସବୁ କାଳ ତଥା ସବୁ ଲୋକସମୂହଙ୍କ ସକାଶେ ଏକ ଅକ୍ଷୟ ମହତ୍ତ୍ଵ ଏବଂ ତାତ୍ପର୍ଯ୍ୟ ରହିଥାଏ, ସେ ବିଷୟରେ ଆମ ଚଉପାଢ଼ୀର ଉତ୍ତମ ପଣ୍ଡିତମାନେ କ'ଣ ବା ଜାଣିଥିଲେ ! ତେଣୁ, ପାଶ୍ଚାତ୍ୟ ପୃଥିବୀ ସହିତ ସେହି ସମୟର ଏହି ପରିଚୟଟି ହିଁ ବହୁ ଭାଗ୍ୟବାନ୍‍ ଭାରତୀୟଙ୍କୁ ନିଜର ଘରଟି ସମ୍ବନ୍ଧରେ ଯଥୋଚିତ ଭାବରେ ଜାଗୃତ କରାଇ ଆଣିଥିଲା । ଦୁଇ ପୃଥିବୀ ମଧ୍ୟରେ ଏକ ଯଥାର୍ଥ ଭେଟକୁ ସମ୍ଭବ କରି ଆଣିଥିଲା । ସେତେବେଳେ ଆମର ଏହି ନିଜ ଘରଟିରେ ଯେଉଁ ମହନୀୟମାନେ ପୁରୋଗାମୀ ସଦୃଶ ପ୍ରାୟ ଏକ ପ୍ରଶସ୍ତତର ମାନବୀୟ ଭାବନାଯୁକ୍ତ ସାହସିକତା ସହିତ ଆମ ପ୍ରାଚୀନ ପୁସ୍ତକଗୁଡ଼ିକ ଉପରେ ନୂତନ ଆଲୋକପାତ କରାଇଥିଲେ, ସେମାନେ ପାଶ୍ଚାତ୍ୟଦ୍ୱାରା ହିଁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରଭାବିତ ହୋଇଥିଲେ । ସଂସ୍ରବଟି ଫଳରେ ବିବିଧ କିସମର ନେତୃତ୍ୱ ମଧ୍ୟ ଜନ୍ମଲାଭ କରିଥିଲା । ସବୁଗୁଡ଼ିକୁ ଏକତ୍ର ଫେଣ୍ଟି ଆମେ ଏବେ କେଡ଼େ ଖୁସୀ ହୋଇ ସମସ୍ତଙ୍କର ରାଜିରେ ରେନେସାଁସ୍‍ ବୋଲି ମଧ୍ୟ କହୁଛୁ ଏବଂ କୃତଜ୍ଞ ବି ଅନୁଭବ କରୁଛୁ । ସେତେବେଳର ଯାବତୀୟ ସାମାଜିକ ସଂସ୍କାର ନିମନ୍ତେ ଭାରତବର୍ଷରେ ଦେଖା ଦେଇଥିବା ବହୁ ଅଭିରୁଚି, ନବୀନ ନାମକରଣ ସହିତ ଧର୍ମୀୟ ନାନା ଆସ୍ପୃହା,–ସତେଯେପରି ଏହି ସମସ୍ତଙ୍କୁ ଓ ସବୁକିଛିକୁ ନିମିତ୍ତ କରି ଭାରତବର୍ଷୀୟ ଭାଗ୍ୟ-ସମ୍ଭାବନାରେ ଗୋଟିଏ ନୂଆ ଚକ ଆସି ଲାଗି ଯାଇଥିଲା । ସେହି ମୂଳ ଅଭିନବତାକୁ ସମ୍ମୁଖରେ ରଖି ଆମେ ତତ୍କାଳୀନ ପ୍ରାୟ ସକଳ ଶିକ୍ଷାକ୍ଷେତ୍ରୀୟ ପ୍ରୟାସର ଏକ ମୂଲ୍ୟାବ୍ୟାଖ୍ୟା କରିପାରିବା । ଏବଂ, ଶ୍ରୀ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ଶିକ୍ଷାସମ୍ବନ୍ଧୀୟ ସକଳ ସଚଳତାକୁ ମଧ୍ୟ ଏକ ପୂର୍ଣ୍ଣତର ଅନ୍ଦାଜରେ ଦେଖିବାକୁ ଆରମ୍ଭ କରିବା । ସେହି ସମୟର ଭାରତବର୍ଷକୁ ଭିତ୍ତି କରି ଈଶ୍ୱରଚନ୍ଦ୍ରଙ୍କର ଶିକ୍ଷା ସଂପର୍କୀୟ ସକଳ ପଦକ୍ଷେପ ଏବଂ ଜଣେ ପୁରୋଗାମୀ ରୂପେ ଈଶ୍ୱରଚନ୍ଦ୍ରଙ୍କୁ ମଝିରେ ରଖି ତତ୍କାଳୀନ ଭାରତର ଏକ ଆକଳନ କରିପାରିବା ।

 

ଇଂରେଜ ସାମ୍ରାଜ୍ୟଶକ୍ତି ଭାରତବର୍ଷରେ ଆପଣା ଶାସନର ପ୍ରଥମ ଖୁଣ୍ଟାଗୁଡ଼ିକୁ ପୋତିବାକୁ ଚେଷ୍ଟା କରୁଥିବା ସମୟରେ ଏଠି ଅବସ୍ଥାଟି କିପରି ଥିଲା ? ଅବସ୍ଥାଟିକୁ ସମ୍ଭବତଃ ଗୋଟିଏ ଶବ୍ଦରେ ଅରାଜକତା ବୋଲି କୁହାଯାଇ ପାରିବ । ଗୋଟିଏ ସବଳ ଅଞ୍ଚଳ ଅପେକ୍ଷାକୃତ ଅଳ୍ପବଳମାନଙ୍କୁ ଲୁଟି ନେଉଥିଲେ ଓ ତାହାକୁ ଆଞ୍ଚଳିକ ଶ୍ରଦ୍ଧା ଦେଇ ରାଜ୍ୟବିଜୟ ବୋଲି କୁହା ଯାଉଥିଲା । ସମସ୍ତଙ୍କୁ ଗୋଟିଏ ସଂହତିରେ ଧରି ରଖିବାକୁ ସଚେତନ ଏକାନ୍ତକେନ୍ଦ୍ର ଭଳି ଆଦୌ କିଛି ନଥିଲା । ସାନ ସାନ ସମରତନ୍ତ୍ର ଏବଂ ସେମାନଙ୍କର ବିଶେଷ ବିଶେଷ ନୃଶଂସ ଲୁଟତରାଜ ସବୁ । ବ୍ରିଟିଶ୍ ଶାସନ କ୍ରମେ ନିଶ୍ଚୟ କିଞ୍ଚିତ୍ ପରିମାଣର ପ୍ରକୃତ ନିୟନ୍ତ୍ରଣ ଏବଂ ରାଜ୍ୟଶାସନର ପ୍ରତୀତି ଆଣି ଦେଇଥିବ । ବିଶେଷତଃ ଅପେକ୍ଷାକୃତ ଅଧିକ ସଚେତନ ଦେଶହିତକାରୀମାନେ ସେପରି ଭାବିବା ନିମନ୍ତେ କିଛି ପ୍ରତ୍ୟୟ ଅବଶ୍ୟ ପାଇ ପାରିଥିବେ । ସେହି କାଳର ଜଣେ ସବା ଆଗଧାଡ଼ିର ବ୍ୟକ୍ତିତ୍ଵ ରାମମୋହନ ରାୟଙ୍କର ଏକ ଉକ୍ତି ଅନୁସାରେ: ପରିଶେଷରେ ପରମବିଧାତାର ବରାଦରେ କେବଳ ତାଙ୍କରି କୃପା ହେତୁ... ବ୍ରିଟିଶ୍ ଜାତି ଜାଗରୂକ ହୋଇ ଉଠିଲା ଏବଂ ବଙ୍ଗଭୂମିର ଏହି ଅତ୍ୟାଚାର-ପୀଡ଼ିତ ଅଧିବାସୀମାନଙ୍କୁ ସୁରକ୍ଷା ଦେବାକୁ ଏଠାରେ ଆସି ପହଞ୍ଚିଲା । ସ୍ଵୟଂ ଈଶ୍ଵରଚନ୍ଦ୍ର ମଧ୍ୟ ଇଂରେଜମାନଙ୍କର ବହୁତ ପ୍ରଶଂସା ସବୁବେଳେ କରୁଥିଲେ । ଏକ ଜାତି ହିସାବରେ ସେମାନଙ୍କ ସାଧୁତାଗୁଣକୁ ଯଥାର୍ଥ ସ୍ଵୀକୃତି ପ୍ରଦାନ କରୁଥିଲେ । ଏହିସବୁ ସ୍ଵୀକୃତି ଭିତରେ ସେମାନଙ୍କର ଏହି ଭାରତବର୍ଷରେ ଶାସନକୁ ଖୁବ୍ ମର୍ଯ୍ୟାଦା ଦେଉଥିଲେ । ତାଙ୍କରି ଭାଷାରେ; ବ୍ରିଟିଶ ଜାତି କଦାପି ସେତେ ନିର୍ବୋଧ ନୁହେଁ, ଅଯୋଗ୍ୟ ନୁହେଁ ଏବଂ ଭୀରୁ ବି ନୁହେଁ । ଯେପରି ବହୁତ ଅବସରରେ ଶୁଣିବାକୁ ମିଳିଥାଏ, କୌଣସି ଲୋଭର ବଶବର୍ତ୍ତୀ ହୋଇ ଆପଣାର ଗୋଟିଏ ରାଜ୍ୟର ସମ୍ପଦଗୁଡ଼ିକୁ ଆପେ ଭୋଗ କରିବେ ବୋଲି ଏହି ଶାସକମାନେ ଏଠାକୁ ଆସିନାହାନ୍ତି । ସେମାନେ ଏ ଦେଶର ମାଲିକ ହୋଇ ରହିବାକୁ ଆଦୌ ଇଚ୍ଛା କରନ୍ତି ନାହିଁ; ଏହି ଦେଶର ସର୍ବବିଧ କଲ୍ୟାଣ ସାଧନା କରିବା ନିମନ୍ତେ ଲକ୍ଷ୍ୟ ରଖି ହିଁ ସେମାନେ ଏହି ଦେଶକୁ ଜୟ କରିଛନ୍ତି । ଉକ୍ତିଟି କେତେଦୂର ଠିକ୍ କି ଭୁଲ, ସେହି କଥାଟିର ବିଚାର କରିବା ପୂର୍ବରୁ ଆମକୁ ଅବଶ୍ୟ ସ୍ଵୀକାର କରିବାକୁ ହେବ ଯେ, ଏପରି ମନ୍ତବ୍ୟଟିଏ କରିବା ପଛରେ ବିଦ୍ୟାସାଗରଙ୍କର କୌଣସି ଅସାଧୁତା ନଥିଲା; ସେତେବେଳେ ସେ ଯେପରି ପ୍ରକୃତରେ ଯାହା ବିଶ୍ଵାସ କରୁଥିଲେ, ତାହାକୁ ହିଁ ବ୍ୟକ୍ତ କରିଛନ୍ତି ।

 

ଭାରତବର୍ଷରେ ଏହି ବିଦେଶୀ ସଂସ୍ରବଟିଦ୍ଵାରା ମୋଟାମୋଟି ତିନିଭଳି ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ରକ୍ଷଣଶୀଳମାନେ, ଯେଉଁମାନେ କି ଯେକୌଣସି ନୂତନ ସଂକ୍ରମଣକୁ ଆତଙ୍କ ସହିତ ଦେଖୁଥିଲେ ଏବଂ ସେଇଟିଠାରୁ ଯଥାସମ୍ଭବ ଉଦାସୀନ ଅର୍ଥାତ୍ ଦୂରଛଡ଼ା ହୋଇ ରହିବାକୁ ହିଁ ଜଣେ ସୁବିବେକୀର ସର୍ବଦା ଏକମାତ୍ର କର୍ତ୍ତବ୍ୟ ମଣୁଥିଲେ, ସେମାନେ ନବାଗତ ସବୁକିଛିକୁ ଏକ ମ୍ଳେଚ୍ଛ ପୃଥିବୀର ଅକଲ୍ୟାଣକର ଆକ୍ରମଣ ସଦୃଶ ଦେଖିବାକୁ ହିଁ ନିରାପଦ ବୋଲି ବିବେଚନା କଲେ । ତେଣୁ, ଶାସକକୁ ତାହାର ପ୍ରାପ୍ୟଗୁଡ଼ିକ ଅବଶ୍ୟ ଗଣିଦେବା ସିନା, ମାତ୍ର ଯଥାସମ୍ଭବ ସେହି ତରଫର ସକଳ ସଂସ୍ରବରୁ ଅସମ୍ପୃକ୍ତ ହୋଇ ରହିବାକୁ ହିଁ ଉଚିତ ବୋଲି ଗ୍ରହଣ କଲେ । ସେମାନେ ଆପଣାର ଅଭ୍ୟସ୍ତ ଗୁଳାଗୁଡ଼ିକ ଭିତରେ ନିଜକୁ ଯଥାସମ୍ଭବ ନିବୁଜ ହୋଇ ରହିବାକୁ ଇଚ୍ଛା କରୁଥିଲେ । ସେମାନେ ଘୋର ଶାସ୍ତ୍ରଲିପ୍ତ ଥିଲେ ଏବଂ ଆପଣାର ପରିଚିତ ଶାସ୍ତ୍ରକତିପୟକୁ ହିଁ ଏକମାତ୍ର ଅଦୂଷିତ ସମ୍ପଦ ବୋଲି ବିଶ୍ଵାସ କରୁଥିଲେ । ଦ୍ଵିତୀୟ ପଂକ୍ତିଟି ଏହାର ଠିକ୍ ବିପରୀତ ପ୍ରତିକ୍ରିୟାଟିକୁ ଦେଖାଇଲା । ଅର୍ଥାତ୍ ଏବେଯାଇ ଏକ ଯଥାର୍ଥ ଜୀବନର ସତ୍ୟସନ୍ତକଗୁଡ଼ିକୁ ସାହେବମାନଙ୍କର ମାଧ୍ୟମରେ ଭାରତବର୍ଷରେ ପ୍ରବେଶ କଲା ବୋଲି ଏମାନେ ଗୋଟାସୁଦ୍ଧା ବାଇଆଙ୍କ ପରି କୋଳାହଳ ଆରମ୍ଭ କରି ଦେଇଥିଲେ । ଦୈବଯୋଗକୁ ସେହି ଯାବତୀୟ କୋଳାହଳ ବଡ଼ ସହର କଲିକତା ଭିତରେ ହିଁ ସୀମାବଦ୍ଧ ଥିଲା । ସେମାନେ ଅଧିକାଂଶତଃ ତରୁଣ ବୟସର ଥିଲେ ଓ ଗୋଡ଼ତଳେ ମାଟି ବୋଲି କିଛି ଅଛି କି ନାହିଁ ସେକଥାକୁ କୌଣସି ନଜର ଦେଇନଥିଲେ । ଇଂରାଜୀ ହିସାବରେ ଅଭିନବ ପାଠମାନ ପଢ଼ିଥିଲେ ଏବଂ ବେଶରେ, ଭେକରେ, ଆଚାର ଅନାଚାରରେ ଇଂରାଜୀ ହେଲେ । ନିଜର ନାମମାନଙ୍କରେ ମଧ୍ୟ ସେହି ଖାଦାନର କିଛି ଲାଙ୍ଗୁଳ ଯୋଡ଼ିଦେଇ ମହାମୁକତି ଲାଭ କରିଥିବା ପରି ଉଲ୍ଲସିତ ବି ହେଲେ । ଏମାନଙ୍କୁ ନାନା ରସଦ ଯୋଗାଇ ଦେଇ ମୁଖର କରି ରଖିବାରେ ଜଣେ ଇଂରାଜୀ ତରୁଣ ଡେରୋଜିଓ,–ସମ୍ପୂର୍ଣ୍ଣ ନାମ Henry Louis Vivian Derozio ପ୍ରାୟ ଔପଚାରିକ ଭାବରେ ପୁରୋଭାଗରେ ରହିଥିଲେ । ତଥ୍ୟ କହୁଛି, ଶ୍ରୀଯୁକ୍ତ ଡେରୋଜିଓ ତିନୋଟି ବର୍ଷ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ସଂସ୍କୃତ କଲେଜରେ ଶିକ୍ଷାଦାନ ବି କରିଥିଲେ । ସିଏ ମାତ୍ର ବାଇଶି ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ । ଡେଜୋରିଓ ସିନା ଚାଲିଗଲେ, ମାତ୍ର ତାଙ୍କୁ ମଧ୍ୟମଣିରୂପେ ବ୍ୟବହାର କରି ଯେଉଁ ଏକପାଖିଆ ଅତିଶ୍ରଦ୍ଧାଟି ସେତେବେଳେ ଜନ୍ମଲାଭ କରିଥିଲା, ତାହା ଭାରତବର୍ଷର ସାମୂହିକ ଜୀବନରେ ସତେଅବା ଏକ ଖାସ୍ ମନୋଦୃଷ୍ଟିର ପ୍ରତୀକ ହୋଇ ରହିଲା । ଏକଥା ମଧ୍ୟ ବହୁ ପରିମାଣରେ ଠିକ୍ ଯେ ସ୍ଵାଧୀନତା-ସଂଗ୍ରାମର ପରବର୍ତ୍ତୀ ଜାଗରଣ-ପର୍ବଟି କ୍ରମେ ଦାନା ବାନ୍ଧି ଚେର ମଡାଇ ଅନୁଭୂତ ହୋଇ ଆସୁଥିବା ସହିତ ସେଇଟି ପ୍ରଧାନତଃ ସେହିସବୁ ସମୟର ଅମଲାତନ୍ତ୍ରଟି ଭିତରେ ହିଁ ସ୍ଵାଭିମାନଯୁକ୍ତ ଅବଶିଷ୍ଟତାରେ ନାନା କ୍ଷମତାସ୍ଥାନରେ ରହି ଆମକୁ ବହୁପ୍ରକାରେ ପ୍ରଲୁବ୍ଧ ଓ ଅନ୍ୟମନା କରିନେବାର ଫିକର କରିବାରେ ଲାଗିଥିଲା । ଦେଶର ଭାବଗତ ଏକତାକୁ ସର୍ବଦା ବିଡମ୍ବିତ କରି ରଖିବାର ଚକ୍ରାନ୍ତ ହିଁ କରୁଥିଲା । ଏବଂ, ଭାରବର୍ଷ ସ୍ଵାଧୀନତା ହାସଲ କରି ଏଠି ଆମର ସ୍ଵତନ୍ତ୍ର ଶାସନଟିଏ ପ୍ରତିଷ୍ଠିତ ହେବା ପରେ ମଧ୍ୟ ଏକାଧିକ ଅର୍ଥରେ ମହାତ୍ମା ଡେରୋଜିଓଙ୍କର ପଦାଙ୍କ ଅନୁସରଣ କରି ଏଠାରେ ତଥାକଥିତ ସେହି ଉପରିସ୍ଥମାନେ ଏବର ସୁଚତୁର କୁଳୀନ ପକ୍ଷଟିଏ ହୋଇ ପ୍ରତାପ ଦେଖାଉଛନ୍ତି ଏବଂ ନିଜର ଉପସ୍ଥିତ ଏକାଭିମାନଟାକୁ କେତେ କେତେ ଆବଶ୍ୟକ ପରିବର୍ତ୍ତନ ପାଇଁ ଅନ୍ତରାୟ ସୃଷ୍ଟି କରି ରଖିବାରେ ସତେ କେଡ଼େ ନିପୁଣତା ସହିତ ସହିତ ଖୁବ୍ କାମରେ ଲଗାଇ ବି ପାରୁଛନ୍ତି ।

 

ଏହାପରେ ଯେଉଁ ତୃତୀୟ କିସମଟି ରହିଥିଲା, ଆମେ ଅଧିକ ନ୍ୟାୟର ସହିତ ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କୁ ସେଇଟି ଭିତରେ ଅନ୍ତର୍ଭୁକ୍ତ କରି ବିଚାର କରିପାରିବା । କଲିକତାର ସବାଆଗ ଧାଡ଼ିମାନଙ୍କର ଯୁବସମାଜ ସମସ୍ତେ ହିଁ ଧନୀଘରର ଥିଲେ । ଈଶ୍ଵରଚନ୍ଦ୍ର ଦରିଦ୍ର ଘରର ଥିଲେ । ସେ, ଦାରିଦ୍ର୍ୟକୁ ଅଙ୍ଗେ ନିଭାଇଥିଲେ, ପୂରା ଚାଖିଥିଲେ । ଦାରିଦ୍ର୍ୟ ସତ୍ତ୍ୱେ ମଣିଷ ହୋଇଥିଲେ ଅର୍ଥାତ୍ ଆପଣାକୁ ଟାଣ କରି ଗଢ଼ି ପାରିଥିଲେ । ଗାଆଁ ଅଞ୍ଚଳରୁ ଭାଗ୍ୟର ସନ୍ଧାନ କରି ଯେତେ ଯେତେ ଦରିଦ୍ର ପିଲା ସହରକୁ ଆସନ୍ତି, ସେମାନେ କଦାପି ଠିକ୍ ସେହିପରି କୌଣସି ନିର୍ଦ୍ଦିଷ୍ଟ ରୀତିରେ ନିଜପାଇଁ କଦାପି ମୂଳଦୁଆଟିଏ ଗଢ଼ି ପାରନ୍ତି ନାହିଁ । ଆଦୌ କୌଣସି ହୀନମନ୍ୟତାର ମନୋଦୃଷ୍ଟି ନେଇ ବିଦ୍ୟାସାଗର ସହରରେ ସେତେବେଳେ ଏତେ ଏତେ ପ୍ରକାରେ କେଡ଼େ କୋଳାହଳ କରୁଥିବା ପବନଟାଦ୍ଵାରା ଗିଳିହୋଇ ଯାଇନଥିଲେ । ଗାଆଁରେ ତାଙ୍କର ଚେରଗୁଡ଼ିକ ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ଭାବରେ ଭେଦି ରହିଛି ବୋଲି କ୍ଷଣେ ହେଲେ ଭୁଲୁନଥିଲେ । ପୁରୁଣା ମୂଳଟିକୁ ନିଶଃଙ୍କ ଭାବରେ ନିଜର ବୋଲି ଜାଣିଥିବାରୁ ହିଁ ସେ ନୂଆଟିକୁ ନିର୍ଭୟ ବିବେକିତାଦ୍ଵାରା ଗ୍ରହଣ କରି ପାରିଥିଲେ । ପିଲାଦିନେ ସଂସ୍କୃତକୁ ମାଧ୍ୟମ କରି ଭାରତୀୟ ଜୀବନପ୍ରଜ୍ଞାଗୁଡ଼ିକୁ ନିଶ୍ଚୟ ନିଦା ଭାବରେ ଆପଣାର ବିଚାରବତ୍ତା ଭିତରକୁ ଗ୍ରହଣ କରି ଆଣିଥିଲେ ବୋଲି ଜୀବନଯାକ ସେଗୁଡ଼ିକୁ ଏକ ସମ୍ପଦରୂପେ ବ୍ୟବହାର ମଧ୍ୟ କରିପାରିଲେ । ତେଣୁ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ବଡ଼ ସହରଟାର ଜୁଆରିଆ ଆକର୍ଷଣଗୁଡ଼ାକରେ ମୋଟେ ଛାନିଆ ହୋଇ ନଥିଲେ ଅଥବା ଏକମାତ୍ର ଉଦ୍ଧାରକର୍ତ୍ତା ବୋଲି ତାହାକୁ ଧରିନେଇ ଆଖି ବୁଜି ତାହାରି ଭିତରକୁ ଡେଇଁ ବି ପଡ଼ିନଥିଲେ । ସମାଗତ ସେହି ଆଧୁନିକ କାଳଟି ଆଦୌ ଝଲକାଏ ଝଡ଼ପବନ ପରି ଆସି ପହଞ୍ଚି ଯାଇଛି, ଏବଂ କିଛି ମଣିଷଙ୍କୁ ବାଇଆ କରି ଉଡ଼ାଇ ଦେବାପରି ମନେ ହେଉଥିଲେ ମଧ୍ୟ ଏଇଠି ଯେ ଏତିକିରେ ଏକ ଝଡ଼ପରି ଅପସରି ପଳାଇବ ନାହିଁ, ସେକଥା ଅଧିକରୁ ଅଧିକ ହେତୁ ହୋଇ ଆସୁଥିବା ସହିତ ବିଦ୍ୟାସାଗର ଖୁବ୍ ହୃଦୟଙ୍ଗମ କରି ପାରୁଥିଲେ ।

 

ଏଇଟି ଆଦୌ ଏକ ସାମୟିକ ଝଡ଼ ନୁହେଁ, ଏକ ଚକ୍ରାନ୍ତକାରୀ ଆକ୍ରମଣ ମଧ୍ୟ ନୁହେଁ, ଏହା ହେଉଛି ସକଳ ଅର୍ଥରେ ଏକ ସମୟୋଚିତ ସଂକ୍ରମଣ, ତେଣୁ ଗୋଟିଏ ଆବଶ୍ୟକ ଆହ୍ଵାନ । କେତେଟା ଚାଞ୍ଚଲ୍ୟସୃଷ୍ଟିକାରୀ ଫେଶନରେ ଆମକୁ ଘରଭିତରୁ ଉଡ଼ାଇ ନେଇଯିବ ବୋଲି ଆଦୌ ଏଠାକୁ ଆସିନାହିଁ । ଏଇଟି ମଧ୍ୟରେ ଏକ ବହୁପ୍ରତିଶ୍ରୁତିପୂର୍ଣ୍ଣ ବାର୍ତ୍ତା ମଧ୍ୟ ଲୁକ୍କାୟିତ ହୋଇ ରହିଛି ଏବଂ ଭାରତବର୍ଷ ନିମନ୍ତେ ପ୍ରାୟ ଏକ ସୋପାନ-ଉତ୍ତୋଳନକାରୀ ସହାୟକ ତତ୍ତ୍ଵରୂପେ ହିଁ ତାହା ଭାରତବର୍ଷର ଦ୍ଵାରଦେଶରେ ଆସି ଉପନୀତ ହୋଇଛି । ଆଧୁନିକତାର ତତ୍କାଳୀନ ସେହି ଆହ୍ୱାନଟିକୁ ବିଦ୍ୟାସାଗର ଖୁବ୍‍ସମ୍ଭବ ଏହିପରି ଏକ ଗଭୀର ବ୍ୟଞ୍ଜନା ସହିତ ବୁଝି ପାରୁଥିଲେ ଏବଂ ସେଥିପାଇଁ ଆପଣାକୁ ସେ କେଡ଼େ ସୁସ୍ଥ ଭାବରେ ପ୍ରସ୍ତୁତ ବି କରି ପାରିଥିଲେ । ବହୁତ ପୁରୁଣା ଅବଶ୍ୟ ଯିବ ଏବଂ ଆବଶ୍ୟକତାମାନ ଆସି ପହଞ୍ଚିଥିବାରୁ ନୂଆଟିଏ ଅଲବତ ଆସିବ । ତେଣୁ ରକ୍ଷଣଶୀଳ କୌଣସି ଅବିବେକଦ୍ଵାରା ପରିଚାଳିତ ହୋଇ ଆମେ ମୋଟେ ନୂଆର ପ୍ରତିରୋଧ କରିବାର ଦୁର୍ବୁଦ୍ଧି ବାହାର କରିବା ନାହିଁ । ନୂଆକୁ ହୁରାଡ଼ି ଦେବାନାହିଁ, ଏକ ମଜବୁତ ମୂଳଦୁଆ ଉପରେ ଛିଡ଼ା ହୋଇ ନୂଆକୁ ସ୍ଵୀକାର କରିନେବା । ଏହାକୁ କେବଳ ଏକ ତୃତୀୟ କିସମର ପ୍ରତିକ୍ରିୟା କହିଲେ ମଧ୍ୟ ତାହା ଯଥାର୍ଥ ହେବନାହିଁ । ନାଇଁ,–ଆମେ ଚଉକାଟିକୁ ଲିପି ପୋଛି ପରିଚ୍ଛନ୍ନ ଅର୍ଥାତ୍ ଗ୍ରହଣଯୋଗ୍ୟ କରି ରଖିବା, ପୁରୁଣା ପରିବର୍ତ୍ତେ ନୂଆ ପାତ୍ରମାନଙ୍କୁ ସଜକରି ରଖିବା । ତେବେଯାଇ ସିନା ବୃହତ୍ତର ସେହି ନବାଗତ ପୃଥିବୀଟିରୁ ଆମପାଇଁ ଆସି ପହଞ୍ଚିଥିବା ସାମଗ୍ରୀଗୁଡ଼ିକୁ କାମରେ ଲଗାଇ ଆମପାଇଁ ଯୋଗ୍ୟ ଆହାର୍ଯ୍ୟମାନଙ୍କୁ ପ୍ରସ୍ତୁତ କରିନେବାରେ ସମର୍ଥ ହେବା । ସେହି ସମନ୍ଵୟକୁ ହିଁ ଈଶ୍ଵରଚନ୍ଦ୍ର ତାଙ୍କ ସେହିକାଳର ଆଧୁନିକତାର ସର୍ବଶ୍ରେଷ୍ଠ ଫଳଶ୍ରୁତି ଭଳି ବୁଝିଥିଲେ । ତାଙ୍କ ଜୀବନର ପ୍ରାୟ ସକଳ କାର୍ଯ୍ୟ ସେଇଥି ନିମନ୍ତେ ଉତ୍ସର୍ଗୀକୃତ ରହିଥିଲା ।

 

ଭାରତବର୍ଷର ସମାଜରେ ସେହି ଅଜ ଏବଂ ରଘୁମାନଙ୍କ ସମୟରୁ ହିଁ ଶିଷ୍ଟ ନାମକ ଗୋଟିଏ ଶବ୍ଦ ରହି ଆସିଛି । ଶିଷ୍ଟ କହିଲେ ଏକ ବିଶିଷ୍ଟ ବର୍ଗ ଅର୍ଥାତ୍ କତିପୟ ମନୁଷ୍ୟଙ୍କୁ ବୁଝାଇ ଆସିଛି । ଶିଷ୍ଟପକ୍ଷଟି ହାତରେ ପ୍ରାୟ ସବୁଯାକ ତନ୍ତ୍ର, ସବୁଯାକ ସୁଯୋଗ ଓ ସବୁଯାକ କ୍ଷମତା । ସେହି ଅଧିକଭୋଗୀମାନେ, ଯେଉଁମାନେ କି ଏହି ଭାରତନାମକ ଭୂମିରେ ସବୁବେଳେ ପ୍ରାୟ ବିଧିନିର୍ଦ୍ଦିଷ୍ଟ ଭାବରେ ଅଧିକରୁ ଅଧିକ ମାଡ଼ି ବସିଛନ୍ତି । ତଥାକଥିତ ଚଳନ୍ତି ଧର୍ମମାନଙ୍କର ମସନଦଟା ସେହିମାନଙ୍କର ସମର୍ଥନ କରିଆସିଛି । ବୁଝିବାକୁ ମୋଟେ ବେଶୀ ବେଳ ଲାଗିବନାହିଁ ଯେ, ଯେତେବେଳେ ଇରେଜୀ ଶାସନ ଏବଂ ସାହେବୀ ଚଳଚକଗୁଡ଼ିକର ଚକ ଉପରେ ବସି ଆଧୁନିକ ବେଭାର ଏବଂ ବିଧାନମାନ କଲିକତା ସହର ଭିତରକୁ ମାଡ଼ି ଆସିଥିଲା, ସେତେବେଳେ ଏହି ଶିଷ୍ଟମାନେ ହିଁ ତାହାରି ଭିତରେ କେଡ଼େ ଡଗଡଗ ହୋଇ ପଶି ଭିଡ଼ ଜମାଇ ଦେଇଥିଲେ ଏବଂ ଭୟଙ୍କର ପ୍ରକାରେ ମୁଖର ହୋଇ ଉଠିଥିଲେ । ଇଂରାଜ ଡେରୋଜିଓଙ୍କର ଅନୁରୂପ ପ୍ରୋତ୍ସାହନମାନଙ୍କୁ ଲାଭ କରି ଇଅଙ୍ଗ୍ ବେଙ୍ଗଲ୍ ନାମକ ଶିଷ୍ଟ ଅନୁଷ୍ଠାନଟି କେଡ଼େ ଆଖିବୁଜା ଭାବରେ ପ୍ରକୁପିତ ହୋଇ ଉଠିଥିଲା । ଆଧୁନିକ କହିଲେ ବାବୁମାନେ ପ୍ରକୃତରେ ହୁଏତ ସେତିକିକୁ ହିଁ ବୁଝୁଥିଲେ । ଘରେ ପଇସା ଥିଲା, ସେହିମାନେ ହିଁ ଗେହ୍ଲା ହୋଇ ସାହେବମାନଙ୍କର ଶାଗିର୍ଦ୍ଦୀରେ ତଥାକଥିତ ସାହେବୀ ପାଠ ପଢ଼ିଲେ,–ଏଣିକି ଭାରତବର୍ଷଟା ସେହିମାନଙ୍କର ଅକ୍ତିଆରରେ ସୁନିଶ୍ଚିତ ଭାବରେ ରହିବ ବୋଲି ଧରି ମଧ୍ୟ ନେଇଥିଲେ । ବେକରେ ନୂଆ ମାଳିଗୁଡ଼ାକୁ ପକାଇ ଓ କାନରେ ନୂଆ ନୋଳି କେତେଟା ପିନ୍ଧି ସେମାନେ ଭାରତବର୍ଷର ଏକ ଶିଷ୍ଟ ଗୋଷ୍ଠୀରୂପେ ନିଜକୁ ମଣ କରି ନେଉଥିଲେ । ଈଶ୍ୱରଚନ୍ଦ୍ର ମଧ୍ୟ ଏକ ଆଧୁନିକ ଢାଞ୍ଚା–ପରିବର୍ତ୍ତନର ନକ୍ସା ତିଆରି କରି ଭାରତବର୍ଷ ପାଇଁ ନୂଆ ଭବିଷ୍ୟଟିଏ ଯଥା ସମୟରେ ଆସୁଛି ବୋଲି କ୍ରିୟାଶୀଳ ହୋଇ ରହିଥିଲେ । ମାତ୍ର, କେବଳ ସହର ଲାଗି ନୁହେଁ, ସମଗ୍ର ଦେଶଲାଗି ହିଁ ଏକ ବାସ୍ତବ ଆଧୁନିକତାର ଚିତ୍ରଗୁଡ଼ିକୁ ଆଙ୍କିବାରେ ଲାଗିଥିଲେ । ସମସ୍ତଙ୍କ ଲାଗି, ଜନଗଣଙ୍କଲାଗି, ସାଧାରଣ ଲୋକଜୀବନର ଏକ ଅନ୍ୟ ସୁସ୍ଥତର ବିନ୍ୟାସକୁ ସମ୍ଭବ କରି ଆଣିବା ଲାଗି । ସିଏ ତ ସ୍ଵୟଂ ଗାଆଁରେ ଆତଯାତ ହୋଇଥିଲେ; ତେଣୁ ସମ୍ଭବତଃ ଆପଣାର ଭବିଷ୍ୟପଟଟି ଭିତରେ ସହରକୁ ନୁହେଁ, ଗ୍ରାମଗୁଡ଼ିକୁ ହିଁ ସବାମୂଳରେ ଅର୍ଥାତ୍‍ ସବାଆଗ ଦେଖୁଥିଲେ ।

 

ବିଦ୍ୟାସାଗରଙ୍କର ଖାସ୍‍ ଦୃଷ୍ଟିଗତ ପଦକ୍ଷେପଗୁଡ଼ିକୁ ଅଧିକ ସକଳାଙ୍ଗ ଭାବରେ ବୁଝିପାରିବା ନିମନ୍ତେ ଆମେ ଏଠାରେ 'ଶିଷ୍ଟ' କଥାଟିର ହୁଏତ ଏକ ଅନ୍ୟପ୍ରକାରର କିଞ୍ଚିତ୍‍ ଆଲୋଚନା କରିପାରିବା । ଭାରତୀୟ ଭାଷାମାନଙ୍କରେ 'ଶିଷ୍ଟବର୍ଗ' ନାମକ କଥାଟି ସମଗ୍ରତଃ ଇଉରୋପୀୟ elite ଶବ୍ଦରୁ ବ୍ୟଞ୍ଜନା ନେଇ ବ୍ୟବହାରକୁ ଆସିଛି । ଗତ ଶତାବ୍ଦୀର ତିରିଶି ଦଶକରେ ସ୍ପେନ ଦେଶର ଦାର୍ଶନିକ ଓର୍ଟେଗା ଗାସେଟ୍‍ ଏକ ଅନ୍ୟ ଅର୍ଥପରିଧିର ପ୍ରୟୋଗ କରି ପ୍ରସଙ୍ଗଟିର ଏକ ଗଭୀର ଅନ୍ତର୍ଦୃଷ୍ଟି-ସମ୍ବଳିତ ଆଲୋଚନା କରିଥିଲେ । ଗୋଟିଏ ପାଖରେ ସେ ଏହି ପୃଥିବୀରେ କୋଟି କୋଟି ମନୁଷ୍ୟମାନଙ୍କୁ mass ବୋଲି ଖାସ୍‍ ନାମଟିଏ ଦେଇ ଘୋଷଣା କରିଥିଲେ ଯେ, ସେହି ବହୁସଂଖ୍ୟାର ବଡ଼ ପକ୍ଷଟିରେ ମୂଳତଃ ଭୋଗୀମାନେ ଥାଆନ୍ତି । ସେମାନେ ଆପଣାର କାଳକୁ ତଥା ଆପଣାର ସମାଜକୁ ହୁଏତ ମୋଟେ କିଛି ଦେଉନଥାନ୍ତି, ମାତ୍ର ଏଠାରେ ଅଧିକରୁ ଅଧିକ ଭୋଗ କରିବେ ବୋଲି ପ୍ରାୟ ଏକ ପରମ ନିଷ୍ଠା ଅବଲମ୍ବନ କରି ସଦାଜାଗରୂକ ହୋଇ ରହିଥାନ୍ତି । ଏଠି ପୃଥିବୀରେ ସବୁକିଛି ତୁଚ୍ଛା ଏକ ଉପଭୋକ୍ତାର ହାଲୁକା ସ୍ଫୂର୍ତ୍ତିରେ ଦେଖିବାର ଅଭ୍ୟାସଟା ମଧ୍ୟରେ ନିୟତ ତତ୍ପର ହୋଇ ରହିଥାଆନ୍ତି । କାମ ଖଟି ଅର୍ଥ ଉପାର୍ଜନ କରନ୍ତି । ଉପାର୍ଜିତ ଅର୍ଥରେ ବିପଣିମାନଙ୍କରୁ ଭଳି ଭଳି ଭୋଗର ଦ୍ରବ୍ୟ କିଣି ଆଣନ୍ତି ଓ କେଡ଼େ ଖୁସୀରେ ସେଗୁଡ଼ିକୁ ନିର୍ମଳ ଭାବରେ ଭୋଗ କରି ହିଁ ଅପାର ଆନନ୍ଦ ଲାଭ କରନ୍ତି । ସେମାନଙ୍କର ଉପଭୋଗର ତଥାକଥିତ ସକଳ ବସ୍ତୁର ପଶ୍ଚାତରେ ଯେ କେତେ ମନୁଷ୍ୟଙ୍କର ମେଧା, ଅଧ୍ୟବସାୟ ତଥା ସୃଜନଶୀଳତା ରହିଥାଏ, ଏକ ଦୀର୍ଘ ନିରଳସ ସାଧନାର ଇତିହାସ ରହିଥାଏ, ବିପଣିଗୁଡ଼ିକୁ ହିଁ ଜୀବନସୁଖଲାଭର ଏକମାତ୍ର ଉପାୟ ସ୍ଵରୂପ ଭାବୁଥିବା ସେମାନେ କେବେହେଲେ ବିବେକଟିଏ ଖରଚ କରି ସେକଥା ଭାବନ୍ତି ନାହିଁ । ଏବଂ, ତେଣୁ, ପୃଥିବୀଯାକର ସୁଖକୁ ସମ୍ଭବ କରି ଆଣିଥିବା ଯାବତୀୟ ସାଧନା ଅର୍ଥାତ୍‍ ଅନ୍ୱେଷଣରେ, ସଭ୍ୟତାରେ ଓ ସଂସ୍କୃତିରେ ସେମାନଙ୍କର କୌଣସି ଅବଦାନ ହିଁ ନଥାଏ । ଆମ ଆଧୁନିକ କାଳରେ ସେହିପରି ଚିନ୍ତାମୁକ୍ତମାନଙ୍କର ସଂଖ୍ୟା କ୍ରମେ ପ୍ରବଳରୁ ପ୍ରବଳତର ଭାବରେ ବୃଦ୍ଧି ପାଉଛି ବୋଲି ଶ୍ରୀଯୁକ୍ତ ଗାସେଟ୍‍ ଏକ ଆଶଙ୍କା ମଧ୍ୟ ପ୍ରକଟ କରିଥିଲେ ।

 

ଅନ୍ୟ ପକ୍ଷଟିରେ ସଂଖ୍ୟାରେ ଖୁବ୍‍ ଅଳ୍ପ ମନୁଷ୍ୟ ରହିଥାନ୍ତି । ଦାର୍ଶନିକ ଓଟେର୍ଗା ଏମାନଙ୍କୁ ଅତ୍ୟନ୍ତ ସୁଚିନ୍ତିତ ଭାବରେ ଶିଷ୍ଟ ପକ୍ଷ ବୋଲି କହିଛନ୍ତି,–ଏକ aristocracy of the spirit ବୋଲି କହିଛନ୍ତି । ସେମାନେ ଅଧିକ ଦିଅନ୍ତି, ସମ୍ଭବତଃ ସଚରାଚର ସେହି ଅବଦାନଟି ବଦଳରେ ଅତ୍ୟନ୍ତ ଅଳପ ହିଁ ପାଆନ୍ତି । କିନ୍ତୁ, ଏପରି କଲେ ବଦଳରେ ଏତେ ବା ସେତେ ପାଇବେ ବୋଲି ହିସାବ କରି ସେମାନେ ଜୀବନରେ କେବେହେଲେ ରୀତିଟିଏ ବା ବାଟଟିଏ ସ୍ଥିର କରନ୍ତିନାହିଁ । ଦେବାକୁ ଏବଂ ଅଧିକରୁ ଅଧିକ ଦେଇ ପାରିବାରେ ଯୋଗ୍ୟ ହେବାକୁ ସେମାନେ ବଞ୍ଚିବାର ପ୍ରକୃତ ସାର୍ଥକତା ବୋଲି ଅନୁଭବ କରନ୍ତି ବୋଲି ସେପରି କରନ୍ତି । ସେମାନେ କିଛି ହେବାକୁ ଏବଂ ହୋଇ କାମରେ ଲାଗି ପାରିବାକୁ ଜଣେ ମନୁଷ୍ୟର ଧର୍ମ ବୋଲି ମାନି ନେଇଥାନ୍ତି । ଏବଂ, କୌଣସି ରାଷ୍ଟ୍ରର, ସାମୂହିକ ବଳବାନ୍‍ ପକ୍ଷର ବୋଲ ମାନି ସେମାନେ ନିଜର ଜୀବନରେ ସେହିଭଳି ଗୋଟିଏ ନିଷ୍ପତ୍ତି ଗ୍ରହଣ କରିନଥାନ୍ତି । ପୃଥିବୀର, ସଭ୍ୟତାର, ସର୍ବବିଧ ଗତିଶୀଳତା ତଥା ଅଗ୍ରଗତିରେ ସେହି ଅଳ୍ପସଂଖ୍ୟକ ବ୍ୟକ୍ତିଙ୍କର ଭୂମିକାମାନ ସର୍ବପ୍ରଧାନ ଓ ସବୁଠାରୁ ଅଧିକ ତାତ୍ପର୍ଯ୍ୟଯୁକ୍ତ ହୋଇ ରହିଥାଏ । ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କୁ ଆମେ ସେହି ବିରଳ ଶିଷ୍ଟମାନଙ୍କ ଭିତରେ ସମ୍ପୂର୍ଣ୍ଣ ଔଚିତ୍ୟ ସହିତ ସୁମାରି କରି ପାରିବା କି ? ପୃଥିବୀର ଯାବତୀୟ ଜ୍ଞାନ, ବିଜ୍ଞାନ, ଅଧ୍ୟାତ୍ମ ଭାବନା, ଲୋକହିତକର ଯଥାର୍ଥ ଧାରଣା–ଏହି ସବୁକିଛି ପଛରେ ସେମାନେ ସର୍ବଦା ସତେଅବା ଯାବତୀୟ ସାମୂହିକ ଆସ୍ପୃହାର ସର୍ବୋତ୍ତମ ପ୍ରତିନିଧି ହୋଇ ରହିଥାଆନ୍ତି । ଅବଶ୍ୟ ସ୍ମରଣ ରଖିବାକୁ ହେବ ଯେ ବିଦ୍ୟାସାଗର ତାଙ୍କ ସେହି ସମୟର ପୁରୋଭାଗସ୍ଥ ଅନ୍ୟ ବହୁତଙ୍କ ପରି ଆପେ ଇଉରୋପ ଯାଇ ନଥିଲେ । ଏହି ଏକାନ୍ତ ସ୍ଵକୀୟ କର୍ମାବସର ତଥା ବ୍ୟକ୍ତିଗତ ସମ୍ପର୍କଗୁଡ଼ିକର ସାହାଯ୍ୟରେ ହିଁ ସିଏ ବହିରାଗତ ସେହି ମହାପ୍ଳାବନଟିର ସଦର ଓ ମଫସଲକୁ ଭାରତୀୟ ସନ୍ଦର୍ଭଟି ଉପରେ ଯାହା ନିଜ ବିବେଚନା ଅନୁସାରେ ପରଖି ଦେଖିଥିଲେ । ଏବଂ, ସେହି ସଂକ୍ରମଣଟିର ପୂର୍ଣ୍ଣାୟବଟି ମଧ୍ୟରୁ ଆମପାଇଁ କେଉଁଗୁଡ଼ିକ ଗ୍ରହଣୀୟ ଅଥବା ଗ୍ରହଣୀୟ ନୁହନ୍ତି, ସିଏ କେଡ଼େ ସହଜ ମୂଲ୍ୟ-ନିରୂପକଟିଏ ପକାଇ ଠଉରାଇ ନେଇ ପାରିଥିଲେ, ଏବଂ ତାଙ୍କର ମୂଲ୍ୟାୟନଗୁଡ଼ିକ ଯେ ଏକାଧିକ ହିତଦୃଷ୍ଟିରୁ ଯଥୋଚିତ ହିଁ ଥିଲା, ସେକଥାଟିକୁ କଳନା କରି ଦେଖିଲେ ସେହି କେଡ଼େ ଅନ୍ୟଭଳି ଏକକ ବ୍ୟକ୍ତିତ୍ଵଟି ପାଖରେ ସତେଅବା ମୁଣ୍ଡ ଆପେ ଆପେ ନଇଁ ପଡ଼େ । ସିଏ ସତକୁସତ କେତେ ନା କେତେ ବଡ଼, କେତେ ନା କେତେ ପ୍ରତିଭାଶକ୍ତିର ଅଧିକାରୀ, ଏପରି ଚିନ୍ତା କରି ବିସ୍ମୟର ସହିତ ମୋଟେ ପଳାଇ ଆସିବାକୁ ପଡ଼େନାହିଁ, ସିଏ ପ୍ରକୃତରେ ଜଣେ କେଡ଼େ ପ୍ରକାଣ୍ଡ ମନୁଷ୍ୟ ବୋଲି ଭୀତସମସ୍ତ ହୋଇ ଦୂରଛଡ଼ା ହୋଇ ରହିବାକୁ ଆଦୌ ମନ ହୁଏନାହିଁ ।

 

ନାଇଁ, ସିଏ କ'ଣସବୁ କାରଣରୁ ଆହୁରି ନିଜର ପରି ଲାଗନ୍ତି, ନିଜ ଗାଆଁର ଚିହ୍ନା ଜଣେ ପରି ଅନୁଭୂତ ହୁଅନ୍ତି–ସତକୁସତ ତାଙ୍କର ଆହୁରି ପାଖକୁ ଯାଇ ଅନୁଭବ କରିବାଲାଗି ପ୍ରୋତ୍ସାହନ ଦିଅନ୍ତି । ପୃଥିବୀରେ, ଏହି ନିଜ ଭାରତବର୍ଷଟି ସମେତ, ବହୁ ପ୍ରକାଣ୍ଡ ମନୁଷ୍ୟପ୍ରତିଭା ରହିଛନ୍ତି, ସବୁଯୁଗରେ ରହି ଆସିଛନ୍ତି, ବହୁ ଅବସରରେ ସେମାନଙ୍କର କରଣିଗୁଡ଼ିକୁ ଜାଣିଲେ ସେମାନଙ୍କର ତୁଳନାରେ ମୁଁ ବା ଆମେ ସମସ୍ତେ ବସ୍ତୁତଃ କେଡ଼େ ଛୋଟ ଓ କେଡ଼େ ଅଳ୍ପ ବୋଲି ଧକ୍କାଟିଏ ବାଜିଲା ପରି ବି ଲାଗିଥାଏ । ଦୂରରୁ ରହି ମହିମାକୀର୍ତ୍ତନ ବ୍ୟତୀତ ଆଉ ପ୍ରାୟ କିଛି କରି ହୁଏନାହିଁ-। ବିଦ୍ୟାସାଗର ମୋଟେ ହୁରୁଡ଼ାଇ ଦେବାପରି ଆଦୌ ପ୍ରତିକ୍ରିୟା ଆଣି ଦିଅନ୍ତି ନାହିଁ; ଭାରି ପ୍ରାସଙ୍ଗିକ ହୋଇ ଅନୁଭୂତ ହୁଅନ୍ତି ଓ ତେଣୁ ପାଖକୁ ଟାଣନ୍ତି । ତାଙ୍କ ସେକାଳରେ ଏତେ ଏତେ ସଂଗ୍ରାମ ତଥା ସଂସ୍କାର ଭିତରେ ପୂରା ବାନ୍ଧିହୋଇ ରହିଥିଲେ ମଧ୍ୟ ଶିକ୍ଷା ସମ୍ପର୍କରେ ସେ ଯେଉଁ କେତୋଟି ମୂଲ୍ୟସଂଜ୍ଞାଗତ ସୂଚନା ଦେଇଛନ୍ତି, ଆମର ଏଯୁଗରେ ମଧ୍ୟ ଓ ସମଗ୍ର ପୃଥିବୀର ସମ୍ପୂର୍ଣ୍ଣ ଶିକ୍ଷାକାଶଟି ନିମନ୍ତେ ବି ସେହି କଥାର ବାସ୍ତବ ପ୍ରାସଙ୍ଗିକତାମାନ ରହିଛି । ଠାଏ ଈଶ୍ୱରଚନ୍ଦ୍ର କେଡ଼େ ନିଜ ଅନ୍ତର ଭିତରର ଏକ ସତ୍ୟକୁ ସହଜ ଅଳ୍ପ କେତୋଟି ଶବ୍ଦରେ କହିଛନ୍ତି ଯେ କୌଣସି ଜ୍ଞାନ କେବଳ ଜଣେ ତଥାକଥିତ ଜ୍ଞାନୀର ମଥାବିଳାସ ପାଇଁ ମୋଟେ ନୁହେଁ,–ଜ୍ଞାନ ମନୁଷ୍ୟମାନଙ୍କର କଲ୍ୟାଣସାଧନ ପାଇଁ, ସମାଜର ଅର୍ଥାତ୍‍ ଜନଜୀବନର ଉନ୍ନୟନ ପାଇଁ । ଆମର ଜ୍ଞାନ ସେହି ଉନ୍ନୟନରେ ସତକୁସତ କାମରେ ଲାଗିବ, ଅର୍ଥାତ୍‍ ଆମେ ସ୍ଵୟଂ ସେହି ଜ୍ଞାନକୁ ଅର୍ଜନ କରିଥିବା ଜଣେ ଜଣେ ବ୍ୟକ୍ତି ହିସାବରେ ଆମ ମନୁଷ୍ୟବେଷ୍ଟନୀ ପାଇଁ କାମରେ ଲାଗି ପାରୁଥିବା-। ଭାରତବର୍ଷରେ ଏହି ସାଂପ୍ରତିକ ସକଳ କ୍ଷେତ୍ରରେ ସେହି ଉକ୍ତିଟିର ତଥାପି ପୂର୍ଣ୍ଣ ପ୍ରାସଙ୍ଗିକତା ଅବଶ୍ୟ ରହିଛି । ଜ୍ଞାନଲାଭ କରିଥିବା ପ୍ରବୀଣମାନଙ୍କର ତ କୌଣସି ଅଭାବ ନାହିଁ, ତଥାପି ସମାଜଟା ଏକାଧିକ ଅବିଚାର ମଧ୍ୟରେ ବହୁବିଡ଼ମ୍ବିତ ହୋଇ ହିଁ ରହିଛି ।

 

ଅର୍ଥାତ୍‍, ବିଦ୍ୟାସାଗରଙ୍କ ପରି ସତକୁସତ ସଚଳ ଆତ୍ମାମାନେ ଦରକାର ଯେଉଁମାନେ ଅର୍ଜିତ ସର୍ବବିଧ ସେହି ବିଦ୍ୟାଧନକୁ ଓ ସାମର୍ଥ୍ୟକୌଶଳମାନଙ୍କୁ ସମସ୍ତଙ୍କର ଅଭ୍ୟୁଦୟ ନିମନ୍ତେ ଖୁସୀ ହୋଇ ରାଜି ହୋଇ କାମରେ ଲଗାଇ ପାରିବେ । ସେହି ବିଦ୍ୟାସାଗରଙ୍କ କାଳରେ ଗାଆଁମାନଙ୍କରେ ଥୋକେ ନିତାନ୍ତ ରକ୍ଷଣଶୀଳ ହୋଇ ରହିଥିଲେ, ନିଜ ଜଡ଼ତାଗୁଡ଼ିକର ନିରାପତ୍ତାଗୁଡ଼ିକ ମଧ୍ୟରେ ଅମଙ୍ଗ ହୋଇ ରହୁଥିଲେ । ଆଉ ଥୋକେ ଗାଆଁରୁ ସିଦ୍ଧିଲାଭ ସକାଶେ ସହରକୁ ଆସୁଥିଲେ, କେତେ କେତେ ସମ୍ଭାବନାମୟ ଭାବରେ ସହରର ଶିକ୍ଷାଦ୍ଵାରା ସନ୍ଦୀପିତ ହୋଇ ପାରୁଥିଲେ,–ସେମାନେ ବି ଏକ ଅନ୍ୟ ରକ୍ଷଣଶୀଳତା ମଧ୍ୟରେ ଏହି ସହରରେ ହିଁ ନିବୁଜ ହୋଇ ରହୁଥିଲେ । ଆଦୌ ଫେରିବାକୁ ମନ କରୁନଥିଲେ । ସେହି ଉପେକ୍ଷାମାନେ ଏବେ ମଧ୍ୟ ଭାରତବର୍ଷକୁ ବହୁ ବହୁ ବିକାରଗ୍ରସ୍ତତାଦ୍ଵାରା ଅମଙ୍ଗ କରି ରଖିଛନ୍ତି । ଏହି କ୍ଷେତ୍ରରେ ଈଶ୍ୱରଚନ୍ଦ୍ର ସେହି ପ୍ରଥମ ଉନ୍ମେଷର କାଳଟିରେ ମଧ୍ୟ ଜଣେ ବିରଳ ବ୍ୟତିକ୍ରମ ହୋଇ ଆପଣାର କେତେ କ'ଣ ମାର୍ଗରେ ନିଜକୁ ସଚଳ କରିପାରିଲେ । ଜୀବନଯାକ କେବଳ ଦେଲେ, ଦେବାରେ ହିଁ ଲାଗିଥିଲେ । ତାଙ୍କର ସେହି କାହାଣୀଟି ସେଥିଲାଗି ପ୍ରକୃତରେ ଏକ ଅନନ୍ୟ କାହାଣୀ । ତାଙ୍କର ସେହି ସାମର୍ଥ୍ୟଟି ପଛରେ ଗାଆଁ ଆଗ ଥିଲା ନା ସହରଟା ଅଗ୍ରଭାଗରେ ରହିଥିଲା ? ସାହେବମାନେ ଆଗରେ ରହିଥିଲେ ନା ତାଙ୍କ ଆଦ୍ୟକାଳର ଗାଆଁଟି ହିଁ ତାଙ୍କୁ ଏକ ଯଥାର୍ଥ ମେରୁଦଣ୍ଡ ସହିତ ନିଜର ସେହି ଗାଆଁରୁ ଉପଲବ୍ଧ ହୋଇଥିବା ମୂଳଦୁଆଟି ଉପରେ ସତତ ସମ୍ପୂର୍ଣ୍ଣ ଏକ ଗ୍ରହଣଶୀଳତାର ପ୍ରେରଣା ଦେଇ ବାଟ ଦେଖାଇ ନେଇ ପାରୁଥିଲା ? ସେ ସହରକୁ ମୋଟେ ଘୃଣା କରୁନଥିଲେ, କିନ୍ତୁ ସହରର ସାମୟିକ ଚାକଚକ୍ୟଯୁକ୍ତ ଗ୍ରସ୍ତତାମାନେ ତାଙ୍କୁ କେବେହେଲେ ବଣା କରି ଆଉକୌଣସି ସ୍ଵପ୍ନ ଦେଖାଇ ପଳାଉ ନଥିଲେ । ନିଜଲାଗି ନୁହେଁ ଅଥବା ସିଏ ଏତେ ଗଭୀର ସାତତ୍ୟ ସହିତ ନିଜ ଭିତରେ ବହନ କରି ବାଟ ଚାଲୁଥିବା ଦେଶଟାଲାଗି ନୁହେଁ । ସେତେବେଳେ ନିଜ ଗାଆଁର ନିତ୍ୟ-ମମତାଯୁକ୍ତ ସତେଅବା ଗୋଟିଏ ମୂଳ ଡୋର ତାଙ୍କୁ ଆବଶ୍ୟକ ବଳଟିକୁ ଆଣି ଯୋଗାଇ ଦେଉଥିଲା । ସିଏ ଦେଖିବାର ଅସଲ କଳାଟିକୁ ମଧ୍ୟ ଆୟତ୍ତ କରି ପାରିଥିଲେ କି ? କେଜାଣି ?

 

+ + + +

 

ଇଂରେଜମାନେ ସେତେବେଳେ ଭାରତବର୍ଷରେ ଶାସନର ଆସନରେ । ସେମାନେ ମାଲିକ, ରାଜଆସନର ଅଧିକାରୀ । ଭାରତୀୟମାନେ ପ୍ରଜା, ଅଧସ୍ତନ । ଏଡ଼େବଡ଼ ଗୋଟାଏ କଳର ପ୍ରତାପକୁ ମେଲି ଦେଇ ସକଳ ନ୍ୟାୟରେ ଭାରତବର୍ଷର କର୍ତ୍ତା ହୋଇ ବସିଛନ୍ତି । ତେଣୁ, ସବୁ ଆଚାର ସେହି ଅନୁସାରେ ନିର୍ଦ୍ଧାରିତ ହେବ ହିଁ ହେବ । ସେହି ଆଚାର ଅନୁସାରେ ପୃଥିବୀ ପ୍ରାୟ ଏଠାରେ ସଭ୍ୟତାର ନିତାନ୍ତ ପ୍ରଥମ ଉନ୍ମେଷର ସମୟରୁ ହିଁ ଯାବତୀୟ କ୍ଷେତ୍ରରେ ସ୍ଵୀକୃତ ହୋଇ ଆସିଛି । ସେମାନେ ସାହେବ ଏବଂ ତେଣୁ ସେମାନଙ୍କ ନିମନ୍ତେ ସ୍ଥାନୀୟ ଏ ଦେଶବାସୀ ଅବଶ୍ୟ ସକଳ ସମ୍ଭ୍ରମ ପ୍ରଦର୍ଶନ କରିବେ । ନହେଲେ ସାହେବଙ୍କର ଅପମାନ ହେବ । ବିଦ୍ୟାସାଗର ଯେତେବେଳେ ପାଠପଢ଼ା ସମାପ୍ତ କରି କର୍ମକ୍ଷେତ୍ରରେ ପ୍ରବେଶ କଲେ, ସେତେବେଳେ ସବା ଉପରର ଥାନମାନଙ୍କରେ ସାହେବମାନେ ହିଁ ରହିଥିଲେ ଏବଂ, ଆବଶ୍ୟକ ଭଦ୍ରତାର ପ୍ରଦର୍ଶନ କିପରି ହେବା ଉଚିତ, ତାହା ସାହେବମାନଙ୍କର ମରଜି ଅନୁସାରେ ହେଉଥିଲା-। ଶହେରେ ହୁଏତ ଶହେପାଞ୍ଚ କର୍ମକ୍ଷେତ୍ରସ୍ଥ ଭାରତୀୟ ସେହି ସାଧୁ ପରାମର୍ଶଗୁଡ଼ିକୁ ମାନି ନେଇଥିଲେ । ସମ୍ମାନ-ପ୍ରଦର୍ଶନ ଯେ ସର୍ବଦା ଏକ ଦ୍ଵିପାକ୍ଷିକ ପ୍ରସଙ୍ଗ, କୌଣସି ଦରବାରୀ ନୀତିଟା ସେହି କଥାଟିକୁ କଦାପି ମାନି ନେଇନାହିଁ । ଏହା ଯେକୌଣସି ଅସମାନ ସମାଜରେ ସଂମ୍ପୂର୍ଣ୍ଣ ଏକପାଖିଆ ହୋଇ ରହିବାକୁ ବାଧ୍ୟ ହୁଏ । ଅର୍ଥାତ୍‍, ତଳବାଲା ସମ୍ମାନ ଦେଖାଇବେ ଏବଂ ସେହି ଉପର ବାଲାଟି ହିଁ ତଳ ଆପଣାର କର୍ତ୍ତବ୍ୟଟାକୁ ଉଚିତ ବେଭାରରେ କରୁଛି ବୋଲି ସେଇଥିରୁ ପ୍ରମାଣ ପାଇଯିବ ଏବଂ ଆଶ୍ଵସ୍ତ ରହିବ । ବିଦ୍ୟାସାଗର କ'ଣ ଏତିକି କଥାକୁ ବୁଝି ପାରିନଥିଲେ-?

 

ବହୁ କିମ୍ବଦନ୍ତୀ ରହିଛି ଯେ ସେ ଏହି ଚଳଣିଟିକୁ ମାନି ପାରି ନଥିଲେ । ଏଡ଼େ ବଡ଼ ଜଣେ ମଣିଷ, ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଛନ୍ତି, କେତେ ନା କେତେ ପାଣ୍ଡିତ୍ୟ, ଲୋକମାନଙ୍କୁ ଦୟା ଦେଖାଇ ସେମାନଙ୍କର ଦୁଖଃର ଅପନୋଦନ କରିବା ସକାଶେ ସଦା ବିଗଳିତ ତାଙ୍କର ହୃଦୟଟି,–ସିଏ କ'ଣ–ସେହି ଏଡ଼େ ସହଜ କଥାକୁ ସତରେ ବୁଝି ପାରୁନଥିଲେ ! ଏହ ବିଷୟରେ ବହୁସଂଖ୍ୟକ କାହାଣୀ ରହିଛି । ବା, ବହୁ ସତଘଟଣା ମୁହଁରୁ ମୁହଁକୁ ହୋଇ ଶେଷରେ ସମ୍ଭବତଃ କିଛି ଅଧିକ ମାଂସଳ ହୋଇଯାଇଥିବାରୁ ଆମକୁ କାହାଣୀ ପରି ଲାଗୁଛି ଏବଂ ପୁନଶ୍ଚ ଆଉ କେତେ କାହାଣୀ ମଧ୍ୟ ତାଙ୍କୁ ପ୍ରକୃତରେ ଜଣେ ଅଦ୍‍ଭୂତ ମନୁଷ୍ୟ ବୋଲି ଅନୁଭବ କରୁଥିବା ଲୋକଙ୍କର ମମତାର ସ୍ପର୍ଶରେ କ୍ରମେ ଏକ ସତକଥାର ମାନ୍ୟତା ମଧ୍ୟ ଲାଭ କରିଛି । ସେହିପରି ଗୋଟିଏ କାହାଣୀ ଅଥବା ସତକଥାରୁ ଆମେ ପ୍ରସ୍ତୁତ ପ୍ରକରଣଟିକୁ ଆରମ୍ଭ କରିପାରିବା ବିଦ୍ୟାସାଗର ସଂସ୍କୃତ କଲେଜରେ କାର୍ଯ୍ୟରତ ଏବଂ କଲିକତାରେ ସେତେବେଳେ ଥିବା ହିନ୍ଦୁ କଲେଜରେ ଅଧ୍ୟକ୍ଷ ହେଉଛନ୍ତି ଜଣେ ଗୋରା ସାହେବ । ଏକା ପାହିଆର ଶିକ୍ଷା ଦୁଇଟି, ତେଣୁ ଅଧ୍ୟକ୍ଷମାନେ ପରସ୍ପରକୁ ତ ନିୟମତଃ ଜଣେ ଆଉ ଜଣଙ୍କର ସମାସ୍କନ୍ଧ ବୋଲି ଭାବିବେ ଏବଂ ସେଥିପାଇଁ ଖୁସି ହେବେ ଓ ପରସ୍ପରଠାରେ ତଦନୁରୂପ ଆଚରଣ ଦେଖାଇବେ । ମାତ୍ର, ଏହି କ୍ଷେତ୍ରରେ, ଅସଲ ଯେଉଁ କେଁ ଟି ରହିଲା, ସେଇଟି ହେଉଛି ଯେ, ସିଏ ହେଉଛନ୍ତି ସାହେବ, ଶାସକବର୍ଗର ଜଣେ ଏବଂ ଇଏ ହେଉଛନ୍ତି ଦେଶୀ । ଏହି ଭାରତବର୍ଷ ନାମକ ଉପନିବେଶର ବାସିନ୍ଦା । ତେଣୁ ଅଧସ୍ତନ । ସେହି ସାହେବଙ୍କ ସହିତ ଦେଖା ଓ କଥାବାର୍ତ୍ତା କରିବାର ଏକଦା ଏକ ଅବସର ଆସି ପହଞ୍ଚିଥିଲା । ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ସିଧା ସାହେବଙ୍କର ଅଫିସ୍ ଘରେ ଯାଇ ପହଞ୍ଚି ଯାଇଥିଲେ । ଦେହରେ ସବୁଦିନର ସେହି ସ୍ଵାଭାବିକ ସବୁକିଛି ପରିଧାନ । ଧୋତି ଓ ଚାଦର, ପାଦରେ ଚପଲ । ଏବଂ ସାହେବଙ୍କର ବେଶ ସମ୍ପୂର୍ଣ୍ଣ ଭାବରେ ସାହେବୀ ପ୍ରକାରର,–ପେଣ୍ଟ୍-କୋର୍ଟ ପିନ୍ଧି ପୂରା ଜଣେ ସାହେବଙ୍କ ଭଳି ହିଁ ତ ଦିଶିବାକୁ ହେବ । ଭାରତବର୍ଷର ଜଣେ ଲୋକ, ସାହେବଙ୍କ ପାଖକୁ ତା’ର ଅଭ୍ୟସ୍ତ ପରିଧାନରେ ଆସି ଉପସ୍ଥିତ ହେବ, ଏଇଟା ଜଣେ ସାହେବଙ୍କୁ ମୋଟେ ଭଲ ଲାଗିବାର କଥା ନୁହେଁ । ତେଣୁ ସାହେବ ଠିକ୍ ସେହି ପ୍ରକାରର ଏକ ବ୍ୟବହାର ଦେଖାଇଲେ । ଟେବୁଲ୍ ଉପରେ ଗୋଡ଼ ଦୁଇଟାକୁ ରଖି ନିଜର ଚଉକିଟା ଉପରେ ଜଣେ ମହୋତ୍ତମ ମାନବର ମୁଦ୍ରାରେ ବସି ରହିଲେ । ବିଦ୍ୟାସାଗରଙ୍କୁ ବସିବାକୁ ମଧ୍ୟ କହିନଥିଲେ-। ଈଶ୍ଵରଚନ୍ଦ୍ର ଠିଆ ଠିଆ ନିଜର କଥାଗୁଡ଼ିକୁ ତାଙ୍କୁ କହିଥିଲେ, ଠିଆ ଠିଆ ତାଙ୍କ ହାତକୁ ସାଙ୍ଗରେ ନେଇଥିବା କିଛି କାଗଜପତ୍ର ବଢ଼ାଇ ଦେଇଥିଲେ ଏବଂ କାମ ସାରି ଚାଲି ଆସିଥିଲେ-। ଆଦୌ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନଥିଲେ । କିନ୍ତୁ, ଘଟଣାଟିକୁ ପାସୋରି ଦେବାର ପ୍ରଶ୍ନ ହିଁ ନଥିଲା-

 

ଯୋଗ ଅଥବା ଦୁର୍ଯୋଗକୁ ଦିନେ ତାଙ୍କର ପାଳି ମଧ୍ୟ ପଡ଼ିଲା । କୌଣସି ଗୋଟିଏ ଆବଶ୍ୟକ କାମରେ ସାହେବଙ୍କୁ ଈଶ୍ଵରଚନ୍ଦ୍ରଙ୍କ ପାଖକୁ ଯିବାକୁ ହେଲା । ଏବଂ, ସେହି ସମ୍ବାଦ ପାଇ ଆପଣାର ଦୁଇଟାଯାକ ଖାଲି ଗୋଡ଼କୁ ସିଏ ଟେବୁଲ ଉପରକୁ ଟେକି ଦେଇଥିଲେ ଏବଂ ସାହେବଙ୍କୁ ଘର ଭିତରକୁ ଡାକି ଆଣିବା ନିମନ୍ତେ ଆଦେଶ ଦେଇଥିଲେ । ସାହେବଙ୍କର ବସିବାପାଇଁ ସେହି କୋଠରୀଟିରେ ଗୋଟିଏ ଦ୍ଵିତୀୟ ଚଉକି ମଧ୍ୟ ନଥାଏ । ସାହେବଙ୍କୁ ତେଣୁ ଠିଆ ଠିଆ କାର୍ଯ୍ୟ ସାରିବାକୁ ପଡ଼ିଥିଲା । ଲୋକଟା ଅତିଥିମାନଙ୍କୁ ଉଚିତ ସମ୍ମାନ ଦେଖାଇ ଜାଣେ ନାହିଁ ବୋଲି ତାଙ୍କ ଭିତରେ କ୍ରୋଧମାନେ ଟକଟକ ହୋଇ ଫୁଟିବାରେ ହିଁ ଲାଗିଥିଲେ । ତଥାପି, ଧୈର୍ଯ୍ୟ ଅବଲମ୍ବନ କରି ସିଏ ସେଠାରୁ କାର୍ଯ୍ୟ ସାରି ଯଥାଶୀଘ୍ର ନିଜକୁ ଅପସରାଇ ନେଇଥିଲେ । ଏବଂ, ବିଦ୍ୟାସାଗରଙ୍କର ସେହି ଅଶିଷ୍ଟ ବ୍ୟବହାରର ବର୍ଣ୍ଣନା କରି ଉପରିସ୍ଥ ଆଉଜଣେ ସାହେବଙ୍କ ପାଖରେ ଅଭିଯୋଗ ବାଢ଼ିଲେ । ଏହି ଅବଜ୍ଞାପୂର୍ଣ୍ଣ ଆଚରଣଟି ବିଷୟରେ କୈଫିୟତ୍ ତଲବ କରି ଉପରୁ ବିଦ୍ୟାସାଗରଙ୍କ ପାଖକୁ ଚିଠି ଲେଖାଗଲା । ଆଜ୍ଞା ପାଇ ଶ୍ରୀଯୁକ୍ତ ବିଦ୍ୟାସାଗର ସେହି ଉପରିସ୍ଥ ହାକିମଙ୍କ ପାଖରେ ଉପସ୍ଥିତ ବି ହେଲେ । ସାହେବ କହିଥିଲେ, ବାବୁ, ତୁମେ ଶ୍ରୀଯୁକ୍ତ ଅମୁକଙ୍କ ସହିତ ଖୁବ୍ ଅଭଦ୍ର ଆଚରଣ ଦେଖାଇଛ, ତାଙ୍କ ପରି ଏତେ ମାନ୍ୟ ଜଣେ ବ୍ୟକ୍ତିଙ୍କୁ ବସିବା ସକାଶେ ଚଉକି ଦେଇନାହଁ । ଏବଂ ଖାଲି ସେତିକି ନୁହେଁ, ତାଙ୍କ ଆଗରେ ତୁମେ ପିନ୍ଧିଥିବା ଦେଶୀ ପାଦୁକାଟି ସହିତ ନିଜର ଗୋଡ଼ ଦୁଇଟିକୁ ଟେବୁଲ୍ ଉପରକୁ ନେଇ ଯେପରି ବସି ରହିଥିଲ, ସାହେବଙ୍କୁ ଦେଖିବା ପରେ ମଧ୍ୟ ତାହାକୁ ତଳକୁ ଆଣିନାହଁ, ଏପରି ବ୍ୟବହାର କ'ଣ ପାଇଁ ଦେଖାଇଲ ? ବିଦ୍ୟାସାଗର ଅତୀବ ସ୍ଥିର ଭାବରେ ଉତ୍ତର ଦେଲେ, ମୁଁ ସକଳ ଅର୍ଥରେ ଶିଷ୍ଟ ବ୍ୟବହାର ହିଁ ଦେଖାଇଛି । ବଡ଼ ସାହେବ ବିଦ୍ୟାସାଗରଙ୍କ ପରି ଜଣେ ବ୍ୟକ୍ତିଙ୍କଠାରୁ ଏଭଳି ଗୋଟିଏ ଉତ୍ତର ପାଇ ନିଶ୍ଚୟ ବିସ୍ମିତ ହୋଇଥିବେ । ଟିକିଏ ରାଗ ମଧ୍ୟ ନିଶ୍ଚୟ ହେଇଥିବ: "କ'ଣ ହେଲା ! ଏସବୁକୁ ଶିଷ୍ଟ ବ୍ୟବହାର ବୋଲି କୁହାଯିବ ?" ବିଦ୍ୟାସାଗର: ହଁ, ନିଶ୍ଚୟ କୁହାଯିବ । ସାହେବ ଭାରି ଅପ୍ରତିଭ ହୋଇଗଲେ ଏବଂ କହିଲେ : ବିଦ୍ୟାସାଗର, ତୁମେ କ'ଣସବୁ କହୁଛ, ମୁଁ ଆଦୌ କିଛି ହେଲେ ବୁଝି ପାରୁନାହିଁ । ଏହାପରେ ଅବଶ୍ୟ ଭଲ ଭାବରେ ବୁଝାଇ କହିବାକୁ ହିଁ ପଡ଼ିବ । ତେଣୁ ବିଦ୍ୟାସାଗର ଈଷତ ହସି କହିଥିଲେ : ସା      ହେବ, ଏହି ଶିକ୍ଷା ତ ମୋତେ ଆପଣମାନଙ୍କଠାରୁ ହିଁ ସବୁବେଳେ ମିଳିଛି । ଆମେ ଦେଶୀ ମନୁଷ୍ୟମାନେ ତ ସଭ୍ୟତା ବୋଲି କିଛି ହିଁ ଜାଣିନାହୁଁ । ଆପଣମାନେ ସୁସଭ୍ୟ ଇଂରାଜ ଜାତିର ଜଣେ ଜଣେ ବ୍ୟକ୍ତି । ସେହି କାରଣରୁ ହିଁ ଏପରି ଚିନ୍ତା କରିଥିଲି ଯେ ସେଦିନ ହିନ୍ଦୁ କଲେଜର ସୁସଭ୍ୟ ଅଧ୍ୟକ୍ଷ ସାହେବ ଯେପରି ନିଜର ଦୁଇଗୋଡ଼କୁ ଟେବୁଲ୍ ଉପରକୁ ରଖି ଆପଣମାନଙ୍କର ଇଂରାଜୀ କାଇଦାରେ ମୋତେ ଅଭ୍ୟର୍ଥନା ଜଣାଇଥିଲେ, ତେବେ ଯଦି ମୁଁ ମଧ୍ୟ ତାଙ୍କର ସେଇଟିର ଅନୁକରଣ କରି ତାଙ୍କର ମଧ୍ୟ ଅଭ୍ୟର୍ଥନା କରିବିନାହିଁ, ତେବେ ସିଏ ନିଶ୍ଚୟ ଖୁବ୍ କ୍ଷୁବ୍ଧ ହିଁ ହେବେ ଏବଂ ମୁଁ ବି ଆପଣମାନଙ୍କଠାରୁ ସଭ୍ୟତା ବୋଲି ମୋଟେ କିଛି ଶିକ୍ଷା କରିନାହିଁ ବୋଲି ପ୍ରମାଣିତ ହୋଇଯିବ । ତେଣୁ, ମୁଁ ଯେଉଁ ପ୍ରକାରର ଶିକ୍ଷା ପାଇଥିଲି, ସେହି ଅନୁସାରେ ହିଁ କାର୍ଯ୍ୟ କରିଛି । ଏହାଦ୍ଵାରା ମୁଁ କ'ଣ କିଛି ଅପରାଧ କୁହାଯିବା ଭଳି କରିଛି, ଆପଣ ଅନୁଗ୍ରହ କରି ସେକଥାର ବିବେଚନା କରନ୍ତୁ ।

 

ଜଣେ ମନୁଷ୍ୟ, ବୀର ବୋଲି ଯାହାକୁ କୁହାଯାଇ ପାରିବ, ସିଏ ସର୍ବପ୍ରଥମେ ଆପଣାକୁ ହିଁ ସମ୍ମାନର ଚକ୍ଷୁରେ ଦେଖେ, ଅର୍ଥାତ୍ ଜଣେ ମନୁଷ୍ୟ ହିସାବରେ ହିଁ ଆପଣାକୁ ଉଚିତ ସମ୍ମାନ ଦେଉଥାଏ । ଏବଂ, ଅନ୍ୟ ମନୁଷ୍ୟମାନଙ୍କୁ ମଧ୍ୟ ସବାଆଗ ଜଣେ ଜଣେ ମନୁଷ୍ୟରୂପେ ଦେଖିବାର ସାହସଟିକୁ ସିଏ ପ୍ରକୃତରେ ହାସଲ କରିଥାଏ । ପ୍ରତ୍ୟେକ ମନୁଷ୍ୟ ସବାଆଗ ଜଣେ ଜଣେ ମନୁଷ୍ୟ,–ତାହାହିଁ ସେମାନଙ୍କର ସବୁଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ପରିଚୟ । ସିଏ ଧନୀ କି ଗରିବ, ଶିକ୍ଷାପ୍ରାପ୍ତ ଅଥବା ଶିକ୍ଷାରୁ ବଞ୍ଚିତ, ସିଏ ନିଜର ଚମଟାର ରଙ୍ଗ ଅନୁସାରେ ଗୋରା ଅଥବା କଳା କିମ୍ବା ସାବନା,–ଏସବୁ ବିଚାର ଅବଶ୍ୟ ରହିଛି ଏବଂ ସେହିଗୁଡ଼ିକ ଉପରେ ନିର୍ଭର କରି ପୃଥିବୀ ଚଳି ଆସିଛି ଏବଂ ବହୁତ ପରିମାଣରେ ଏବେ ମଧ୍ୟ ଚଳୁଛି,–କିନ୍ତୁ ଜଣେ ମନୁଷ୍ୟର ଅଥବା ମନୁଷ୍ୟମାନଙ୍କର ପରିଚୟଟିକୁ ମୂଳତଃ ସେହି ତରାଜୁ ପକାଇ ବିଚାର କରିବା,–ଏଇଠି ଅଶାଳୀନ ଏବଂ ଏକ ଅମନୁଷ୍ୟୋଚିତ ଦୃଷ୍ଟିର ପରିଚାୟକ । ବିଦ୍ୟାସାଗରଙ୍କ କାଳରେ ଇଂରେଜମାନେ ଦେଶର ଶାସନ କରୁଥିଲେ–ଭାରତୀୟମାନଙ୍କୁ ଆପଣାର ଏକ ପ୍ରକାର ନୀଚ ନିଘାରେ ଦେଖୁଥିଲେ-। ସେକଥାଟିକୁ ଖୁବ୍ ବୁଝିହେଉଛି । ଏସବୁ ତ ସଂସାରର ଚଳିବାପାଇଁ ତତ୍କାଳିକ ଭାବରେ ଆବଶ୍ୟକ ବି ଥିଲେ । କିନ୍ତୁ ତା' ବୋଲି ଆମେ ନିଜର ସବାଆଗର ଓ ସବାମୂଳର ଜଣେ ଜଣେ ମନୁଷ୍ୟ ହିସାବରେ ପରିଚୟଟିରୁ କ'ଣ ପାଇଁ ଏବଂ କିପରି ହୁଡ଼ିଯିବା ? ଯେଉଁମାନେ ସେହିପରି ଦେଖାନ୍ତି, ସେମାନେ ଆମ ପୃଥିବୀଟିକୁ ପ୍ରକୃତରେ ଖୁବ୍ ଦୁଃଖୀ କରି ରଖିଥାଆନ୍ତି । ବିଦ୍ୟାସାଗର ସୁନିଶ୍ଚିତ ନ୍ୟାୟରେ ନିଜକୁ ପ୍ରଥମେ ମଣିଷ ପରି ଦେଖୁଥିଲେ, ଆତ୍ମସମ୍ମାନ ସହିତ ଦେଖୁଥିଲେ ଏବଂ ଏହି କାରଣରୁ ସେ ଅନ୍ୟ ସଭିଙ୍କୁ ମଧ୍ୟ ସବାଆଗ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ସମ୍ମାନ ଦେଇ ଦେଖୁଥିଲେ । ଏବଂ, ସମ୍ପୂର୍ଣ୍ଣ ସତକଥା ଯେ ତାଙ୍କର ଚିହ୍ନା ପରିଧିଟି ମଧ୍ୟରେ ସମ୍ପର୍କରେ ଆସୁଥିବା ସାହେବମାନେ ମଧ୍ୟ ବିଦ୍ୟାସାଗରଙ୍କୁ ଆଗ ଜଣେ ପ୍ରଜାର ପରିଚୟ ଧାରଣା କରିଥିବା ଅବରତୁଲ୍ୟ ନଦେଖି ମନୁଷ୍ୟର ପୂର୍ଣ୍ଣ ତଥା ବିହିତ ସମ୍ମାନ ଦେଇ ଦେଖୁଥିଲେ । ଏହି ବ୍ୟତିକ୍ରମଟିକୁ ଦେଖି ସେତେବେଳର କେତେକେତେ ରାଜଦରବାରର ଉଚ୍ଚ ଉପାଧିଧାରୀ ପ୍ରତିଷ୍ଠିତ ଅନ୍ୟମାନେ ସର୍ବଦା ନିତାନ୍ତ ବିସ୍ମିତ ବି ହେଉଥିଲେ ।

 

ସେମାନେ ତ ସାହେବ–ବାହାଦୁରମାନଙ୍କର ଆଖିକୁ ଅଧିକ ଆକର୍ଷକ ଦେଖାଯିବେ ବୋଲି ଧରିନେଇ ଆପଣାକୁ ସାହେବୀ ପରିଧାନରେ ସଜ୍ଜିତ କରି ସେମାନଙ୍କ ସହିତ ସାକ୍ଷାତ କରିବାକୁ ଯାଉଥିଲେ, ବହୁ ଅଧ୍ୟବସାୟ ସହିତ ଆପଣାକୁ ଗୋଟିଏ ଗୋଟିଏ କଣ୍ଢେଇ ପରି ବେଶମଣ୍ଡନ କରାଇ ଯାଇ ଏକ ସାକ୍ଷାତଲାଭର ଅନୁଗ୍ରହ ଲୋଡ଼ୁଥିଲେ । ଘଟଣାମାନେ କହୁଛନ୍ତି, ଦିନପରେ ଦିନ ଏହିପରି ପ୍ରତୀକ୍ଷାକକ୍ଷରେ ବସି ରହିବାକୁ ହେଉଥିଲା, ମାତ୍ର ଭିତରୁ ଡାକରା ଆସୁନଥିଲା । ପ୍ରକୃତରେ ବଡ଼ ଯନ୍ତ୍ରଣାଦାୟକ ହେଉଥିବ ସେହି ଅଭିଜ୍ଞତାଗୁଡ଼ିକ । ଅଥଚ, ଅନ୍ୟ ପକ୍ଷରେ, ଈଶ୍ଵରଚନ୍ଦ୍ର ଆପଣାର ସେହି ଧୋତିଚଦରର ଦୈନନ୍ଦିନ ମାମୁଲି ଆଭରଣରେ ଚଟିହଳକ ଲଗାଇ ସେହିଠାରେ ପହଞ୍ଚି ଯାଉଥିଲେ, ଖଣ୍ଡେ ସାନ କାଗଜରେ ଆପଣାର ନାଆଁ ଲେଖି ସମ୍ବାଦ ପ୍ରେରଣ କରୁଥିଲେ ଏବଂ, ତୁରନ୍ତ ଭିତରକୁ ଯିବାଲାଗି ତେଣୁ ବାଚନି ଆସି ପହଞ୍ଚି ଯାଉଥିଲା । ଅନ୍ୟମାନେ ନିଶ୍ଚୟ ଭାରି ଆଚମ୍ବିତ ହୋଇ ଯାଉଥିବେ,–ସମ୍ଭବତଃ ବିଦ୍ୟାସାଗରଙ୍କ ପ୍ରତି ଯେତେ ନୁହେଁ, ନିଜପ୍ରତି ରୋଷ ବି ପ୍ରକଟ କରୁଥିବେ, ବ୍ୟଥା ପାଉଥିବେ । ଏବଂ, ସ୍ଵୟଂ ବିଦ୍ୟାସାଗରଙ୍କର ଚିତ୍ତରେ ମଧ୍ୟ ଅନ୍ୟ ଏତେ ବୃହତ୍ ବ୍ୟକ୍ତିଙ୍କର ଦଶାଗୁଡ଼ିକ ଦେଖି ସତକୁସତ କେଉଁଭଳି ପ୍ରତିକ୍ରିୟାମାନ ହେଉଥିବ ? ଅନ୍ୟମାନେ ଯେଉଁଠି ହାରି ଯାଉଛନ୍ତି, ସେ କେଡ଼େ ସହଜରେ ସେଥିରେ ସୁଯୋଗ ପାଇ ଯାଉଛନ୍ତି । ସେଥିପାଇଁ ତାଙ୍କ ଭିତରେ ସତେଅବା କୌଣସି ଗଡ଼ ଜୟ କରିଥିବା ପରି ଗର୍ବ ବା ଆଉକିଛି ଅନୁଭବ କରୁଥିବେ କି ? ଅଥବା, ଏତେ ଏତେ ଉଚ୍ଚପ୍ରତିଷ୍ଠ ତାଙ୍କରି ଦେଶର ବ୍ୟକ୍ତିଗଣ କାହିଁକି ଲଜ୍ଜା ହରାଇ ସାହେବମାନଙ୍କ ପାଖରେ ଆପଣା ଆଡ଼ୁ ହିଁ ନ୍ୟୂନ ହୋଇ ପଡ଼ୁଛନ୍ତି ଏବଂ ସେମାନଙ୍କର ଅନୁଗ୍ରହ ଲାଭ କରିବାକୁ ନିତାନ୍ତ ଜଣେ ଜଣେ ବାଳବବତ୍ ବାଉଳା ହୋଇ ସେମାନଙ୍କର ଆଖିଗୁଡ଼ିକୁ ଘେନାଇବା ପରି ଏହି ପ୍ରସାଧନଗୁଡ଼ିକର ଆଶ୍ରୟ ନେଉଛନ୍ତି, ଏପରି ଏକ ଶୋଚନୀୟ ବାସ୍ତବତାକୁ ପ୍ରତ୍ୟକ୍ଷ କରି ସେ ଜଣେ ଭାରତୀୟ ହିସାବରେ ଗଭୀର ବେଦନା ଅନୁଭବ କରୁଥିବେ କି ? ହୁଏତ କିଞ୍ଚିତ୍ କ୍ଷୋଭ ବି କରୁଥିବେ ଏପରି ଚିନ୍ତା କରି ଯେ ସାହେବ ମାତ୍ରକେ ସମସ୍ତେ ସେମାନେ ଏହିପରି କଣ୍ଢେଇ ହେବାର ଦୟନୀୟତା ଦେଖାଇ ହାସ୍ୟାସ୍ପଦ ହୁଅନ୍ତୁ ବୋଲି ଯେ ପ୍ରତ୍ୟାଶା କରୁଥିବେ ବୋଲି ସେମାନେ କେଉଁ କାରଣରୁ ଧରି ନେଇଛନ୍ତି । ସେହି ବାବୁମାନେ ଇଂରେଜମାନଙ୍କ ଭିତରେ ପ୍ରଥମେ ମଣିଷଟିଏ ପ୍ରଚ୍ଛନ୍ନ ହୋଇ ରହିଛି ବୋଲି କ'ଣ ପାଇଁ ବିଶ୍ଵାସ କରୁନାହାନ୍ତି ଓ ତେଣୁ ସମସ୍ତଙ୍କ ମଧ୍ୟରେ ପ୍ରାୟ ଏକ ଆଖିବୁଜା ଭାବପ୍ରବଣତା ସହିତ ଶାସକ ଇଂରେଜଟାଏ ହିଁ ଦେଖୁଥିଲେ । ତାହା ସୁନିଶ୍ଚିତ ଭାବରେ ଅନ୍ତତଃ କେତେକ ଇଂରେଜଙ୍କର ମନରେ ସର୍ବଦା ଏକ ଗଭୀର ଦୁଃଖର କାରଣ ହେଉଥିବ ।

 

ବିଦ୍ୟାସାଗରଙ୍କର ସ୍ଵଦେଶୀ ଆଲୋଚକମାନେ ଏ ବିଷୟରେ କମ୍ ମଥା ଦଉଡ଼ାଇ ଚିନ୍ତା କରିନାହାନ୍ତି । ଇଂରେଜମାନେ ଯେତେବେଳେ ଏଠାରେ ମାଲିକର ଆସନରେ ଆସୀନ ରହିଛନ୍ତି, ସେତେବେଳେ ଆପଣାକୁ ସବାଆଗ ଅଧସ୍ତନ ପକ୍ଷଟିଏ ବୋଲି ଭାବିବା ବ୍ୟତୀତ ସେମାନେ, ସେହି ଇଂରେଜମାନେ ମଧ୍ୟ ତଥାପି ସବାଆଗ ମଣିଷ ହୋଇଥିବେ ବୋଲି ଅନ୍ଦାଜ କରିପାରିବା ସେମାନଙ୍କ ପକ୍ଷରେ ଆଦୌ ସମ୍ଭବ ହୋଇନଥିବ । ସ୍ପଷ୍ଟତଃ, ସବାଆଗ ନିଜକୁ ମଧ୍ୟ ଜଣେ ମଣିଷ ବୋଲି ଅନୁଭବ କରିପାରି ନଥିବା ଜଣେ ବ୍ୟକ୍ତି ଆଉଜଣକୁ ମଧ୍ୟ କେଉଁପରି ମଣିଷ ପରି କଳନା ବା ଘେନା କରିନେଇ ପାରିବ ? ସାହେବମାନଙ୍କର ଦର୍ଶନ ତଥା ଅନୁଗ୍ରହାଭିଳାଷୀ ମସ୍ତଜନମାନେ ସେଥିପାଇଁ ଏହି ବିଦ୍ୟାସାଗର ନାମକ ମହାପଣ୍ଡିତଟାକୁ ସାଂସାରିକ ବଜାର-ବାସ୍ତବତା ଦୃଷ୍ଟିରୁ ଅନେକ ସମୟରେ ନିଶ୍ଚୟ ଗୋଟାଏ ଭୂତ ବୋଲି କଳ୍ପନା ବି କରି ପକାଉଥିବେ-। ଏବଂ, ବର୍ତ୍ତମାନ ଯେଉଁ ବିଦ୍ୟାସାଗର ଜୀବନକାହାଣୀର ଆଲୋଚକମାନେ ଏହି ବିଷୟଟିର ଚର୍ଚ୍ଚାରେ ପୃଷ୍ଠା ପୃଷ୍ଠା ଆଗ୍ରହ ପ୍ରକଟ କରିଛନ୍ତି, ହୁଏତ ସେମାନେ ମଧ୍ୟ ଯେକୌଣସି ମନୁଷ୍ୟ ଭିତରେ ତା'ର ସେହି ପରିଚୟଟିକୁ ଆଗ ନଦେଖି ତା' ବାହାର ଛାର ଆଚାରଗୁଡ଼ିକରୁ ତା'ର ମୋଟେଇଟାକୁ ହିସାବ କରିବାର ପାରମ୍ପରିକ ଅଭ୍ୟାସଟା ଭିତରେ ତଥାପି ବାନ୍ଧି ହୋଇ ରହିଛନ୍ତି କି ? ଆମେ ସେମାନଙ୍କଠାରେ କୃତଜ୍ଞତା ଜଣାଇବା ଯେ ସେମାନେ ଆମକୁ ଅଧିକ କିଛି ମନନ ସକାଶେ ଆମକୁ କିଛି ରସଦ ମଧ୍ୟ ଯୋଗାଇ ଦେଇଛନ୍ତି । ଗୋଟିଏ ପତ୍ରିକାର ସମ୍ପାଦକ ମନ୍ତବ୍ୟ କରିଛନ୍ତି: ଯେଉଁସବୁ ଉଚ୍ଚପଦସ୍ଥ ଇଂରାଜ ହାକିମମାନଙ୍କ ପାଖରେ ଅନ୍ୟମାନେ ତଳକୁ ମୁଣ୍ଡ କରି ଛିଡ଼ା ହୁଅନ୍ତି, ସିଏ ସେମାନଙ୍କୁ ନିଜର ସମାନ ବୋଲି ହିଁ ଦେଖନ୍ତି ତେଣୁ, ସେହି ଉଚ୍ଚପଦସ୍ଥମାନେ ଯେତେ ଉଚ୍ଚରେ ନିଯୁକ୍ତ ହୋଇ ରହିଥିଲେ ମଧ୍ୟ ବିଦ୍ୟାସାଗର ସେମାନଙ୍କୁ କେଡ଼େ ସ୍ଵାଭାବିକ ସହଜତାରେ ଜଣେ ଜଣେ ବନ୍ଧୁ ଭଳି ହିଁ ଦେଖିଥାନ୍ତି । ସିଏ କେବେହେଲେ ବି କାହାରି ଖୁସାମତ କରୁନଥିଲେ । ସମ୍ମାନ ଦେଇ ସମ୍ପର୍କସ୍ଥାପନ କରି ପାରୁଥିବା ଜଣେ ବ୍ୟକ୍ତିଲାଗି ତୋଷାମଦ କରିବାର ଆବଶ୍ୟକତା ନଥାଏ ।

 

ଆଉ ଗୋଟିଏ ଦୀର୍ଘତର ମନ୍ତବ୍ୟ ଅନୁସାରେ: ଜଣେ ଜଣେ ଇଂରେଜଙ୍କ ସହିତ ବିଦ୍ୟାସାଗରଙ୍କର ଏତେ ପରିମାଣରେ ଏକ ପ୍ରୀତିପୂର୍ଣ୍ଣ ସମ୍ପର୍କ ରହିଥିଲା ଯେ, ସେମାନଙ୍କୁ ସେ ଆପଣାର ଜଣେ ଜଣେ ପରମ ମିତ୍ରବତ୍‍ ହିଁ ଦେଖୁଥିଲେ । ଇଂରେଜମାନେ ଏହି ଭୂମିର ଶାସନାଧିକାରୀ ହିସାବରେ ଆମ ଦେଶର ଲୋକମାନଙ୍କୁ ଅଧିକାଂଶତଃ ଅବଜ୍ଞାପୂର୍ଣ୍ଣ ଚକ୍ଷୁରେ ଦେଖୁଥିଲେ; କିନ୍ତୁ ସେମାନଙ୍କର ଭିତରୁ ଯିଏ ଏପରିକି ଗୋଟିଏ ଥର ବି ବିଦ୍ୟାସାଗରଙ୍କର ସମ୍ପର୍କ ଏବଂ ପରିଚୟରେ ଆସୁଥିଲେ, ସେମାନେ ମଧ୍ୟ ତାଙ୍କ ସହିତ ପୂର୍ଣ୍ଣ ସମ୍ଭ୍ରମରେ ବ୍ୟବହାର କରୁଥିଲେ । ବିଦ୍ୟାସାଗରଙ୍କର ଯାବତୀୟ ବ୍ୟବହାରରେ ଏପରି ଗୋଟିଏ ପ୍ରକାରର ଆତ୍ମମର୍ଯ୍ୟାଦାବୋଧ ସର୍ବଦା ହିଁ ରହିଥିଲା, ଏପରି ଏକ ସ୍ଵ-ସଚେତନଶୀଳତାର ଭାସ୍ଵରତା ସେଥିରୁ ପ୍ରକାଶିତ ହେଉଥିଲା, ସେମାନେ ତାହାରି ଫଳରେ ହିଁ ତାଙ୍କୁ ଏକ ଯଥୋଚିତ ଶ୍ରଦ୍ଧା ସହିତ ସ୍ଵୀକାର କରି ନେଉଥିଲେ । ସେମାନେ ସ୍ପଷ୍ଟ ଭାବରେ ଜାଣି ନେଉଥିଲେ ଯେ ବିଦ୍ୟାସାଗରଙ୍କ ଭିତରେ ଆଦୌ କୌଣସି ସ୍ଵାର୍ଥଗତ କ୍ଷୁଦ୍ରତା ନାହିଁ, ନିଜର କୌଣସି ଖାସ୍‍ ଅଭିପ୍ରାୟର ସିଦ୍ଧି ଲୋଡ଼ି ସିଏ କେବେହେଲେ ସେମାନଙ୍କର ଦ୍ଵାରସ୍ଥ ହୁଅନ୍ତିନାହିଁ । ସର୍ବଦା ଅନ୍ୟମାନଙ୍କର ହିତ ତଥା ସମାଧାନ ଲୋଡ଼ି ସେମାନଙ୍କର ସାହାଯ୍ୟ ପାଇବାକୁ ଆସିଥାନ୍ତି,–ତେଣୁ, ଅଚିରେ ଅତୀବ ସହଜରେ ଏକ ଶ୍ରଦ୍ଧାର ସମ୍ପର୍କ ସ୍ଥାପିତ ହୋଇ ଯାଇଥାଏ । ହଁ, ଇଂରେଜମାନେ ହୁଏତ ସଂସ୍କାରବଶତଃ ଦୁଇଟି କଥାକୁ ଖୁବ୍‍ ଘୃଣା କରନ୍ତି; ନିଜର କୌଣସି ସ୍ଵାର୍ଥର ସାଧନ ନିମନ୍ତେ କେହି ସେମାନଙ୍କର ସୁନଜର ଲାଭ କରିବାକୁ ଚେଷ୍ଟା କଲେ ଓ ଜଣେ ମନୁଷ୍ୟଠାରେ 'ନାହିଁ' ବୋଲି କହିବାର ସାହସ ନଥିଲେ । ବିଦ୍ୟାସାଗରଙ୍କର ଜୀବନବୃତ୍ତିରେ ଏହି ଦୁଇଟି ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ନଥିଲା । ଏହି କ୍ଷେତ୍ରରେ ତାଙ୍କଭଳି ଆଉଜଣେ ବ୍ୟକ୍ତି ପ୍ରକୃତରେ ଅତ୍ୟନ୍ତ ବିରଳ ହିଁ ଥିଲେ । ଏବଂ ଦ୍ଵିତୀୟତଃ, ବିଦ୍ୟାସାଗର 'ନାହିଁ' ବୋଲି କହିବାକୁ କେବେହେଲେ ପଶ୍ଚାତ୍‍ପଦ ହେଉନଥିଲେ । ଏବଂ, ବିଶେଷତଃ ଏହି ଦୁଇଟି କାରଣରୁ ଇଂରେଜମାନେ ତାଙ୍କୁ ଗଭୀର ଭାବରେ ଶ୍ରଦ୍ଧା କରୁଥିଲେ ତଥା ଶ୍ରଦ୍ଧାପୂର୍ଣ୍ଣ ବ୍ୟବହାର ଦେଖାଉଥିଲେ । ସମ୍ପୂର୍ଣ୍ଣ ଭାବରେ ଅବଜ୍ଞାମୁକ୍ତ ହୋଇ ସେମାନେ ତାଙ୍କ ପାଖକୁ ଆସୁଥିଲେ ।

 

ଆହୁରି ଅଧିକ ବର୍ଣ୍ଣନା ସହିତ ଆଉଗୋଟିଏ ବିବରଣୀ: ପାଶ୍ଚାତ୍ୟ ଢଙ୍ଗରେ କିଛି ଶିକ୍ଷା ଅର୍ଜନର କିଞ୍ଚିତ୍‍ ସୌଭାଗ୍ୟ ମିଳି ଯାଇଥିଲେ କିମ୍ବା ଇଂରେଜମାନଙ୍କର ଖାସ୍‍ ଗହଣଟି ମଧ୍ୟକୁ କିଛି ମାତ୍ରାରେ ପ୍ରବେଶର ସ୍ଵାଦଟିଏ ହୋଇଥିଲେ ସେତେବେଳେ ବହୁତ ବହୁତ ବ୍ୟକ୍ତି ସତେଅବା ସେଥିରୁ କ'ଣସବୁ ଗୌରବ ଅନୁଭବ କରୁଥିବା ପରି ନିଜ ମାଟି ଅର୍ଥାତ୍‍ ନିଜ ପାଦତଳର ଯାବତୀୟ ସାଂସ୍କୃତିକ ରୁଚିକୁ ବର୍ଜନ କରି ନିଜକୁ ସେହି ଅନ୍ୟଭଳି ଧାରାଟି ମଧ୍ୟକୁ ପ୍ରାୟ ପରିପୂର୍ଣ୍ଣ ନିଷ୍ଠାରେ ହୁଡ଼ାଇ ନେଉଥିଲେ ଏବଂ ଭାରି ପୁଲକ ଅନୁଭବ କରୁଥିଲେ । ଭୟଙ୍କର ଏକ ଅହଙ୍କାରରେ ନିଜକୁ ଏଡ଼େ ବଡ଼ ବୋଲି ଦେଖାଇ ହେବାରେ ମାତି ଯାଉଥିଲେ । ହଁ, ସେମାନଙ୍କ ଭିତରେ ହୁଏତ ଜ୍ଞାନ ରହିଥିଲା, ଲୋକହିତ ବିଷୟରେ କିଛି କିଛି ଚିନ୍ତା ମଧ୍ୟ ରହିଥିଲା । କର୍ମ କରିବାର କ୍ଷେତ୍ରମାନଙ୍କରେ ଦକ୍ଷତା ଥିଲା । ମାତ୍ର, ସେମାନେ କ'ଣସବୁ ଅସମର୍ଥତା ଅଥବା ଚିତ୍ତବୈକଲ୍ୟ ହେତୁ ନିଜକୁ ସବୁ ମଣିଷଙ୍କ ସହିତ ଏକତ୍ର ସାମିଲ୍‍ କରି ମୋଟେ ଦେଖି ପାରୁନଥିଲେ । ଏହି ଦେଶର ସହସ୍ର ସହସ୍ର ମଣିଷଙ୍କ ପ୍ରତି ନାକ ଟେକି ଆତ୍ମପ୍ରସାଦ ଲାଭ କରିବାକୁ ସତେଅବା ଏକ ଧର୍ମ ବୋଲି ମନେ କରୁଥିଲେ । ଏବଂ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ସେମାନଙ୍କର ନଜରଗୁଡ଼ାକରେ ପ୍ରକୃତରେ ବଡ଼ ବିଚିତ୍ର ଏବଂ କିମ୍ଭୂତ ବୋଲି ମନେ ହିଁ ହୋଇଥିବେ-। ପରିଧାନ ହେଉଛି ଧୋତି ଓ ଚାଦର ଏବଂ ସେହିପରି ଗୋଟିଏ ବେଶରେ ସେ କେଡ଼େ କେଡ଼େ ସାହେବଙ୍କ ସହିତ ସାକ୍ଷାତ କରିବାକୁ ମଧ୍ୟ ଚାଲି ଯାଉଥିଲେ । ତାଙ୍କ ଭିତରେ କ'ଣ ବସ୍ତୁତଃ ସାଧାରଣ ଟିକିଏ ଅକଲ ବି ନଥିଲା ! ଅପବାଦଟିଏ ରହିଛି, ବିଦ୍ୟାସାଗରଙ୍କର ପୋଷାକ ସମ୍ପର୍କରେ ଏହି ଏକଜିଦିଆ ଧାରଣାଟା ସେତେବେଳର ଛୋଟଲାଟଙ୍କୁ ପୂରା ଭଲ ଲାଗୁନଥିଲା-। ଏବଂ, ସିଏ ସେଥିଲାଗି ବେଳେ ବେଳେ ବେଶ୍‍ ବିରକ୍ତି ମଧ୍ୟ ପ୍ରକାଶ କରୁଥିଲେ । ଥରେ ଗ୍ରୀଷ୍ମକାଳରେ କୌଣସି ପ୍ରୟୋଜନରେ ବିଦ୍ୟାସାଗର ଛୋଟଲାଟ ବାହାଦୁରଙ୍କୁ ଦେଖା କରିବେ ବୋଲି ଭିତରକୁ ପଶିଯାଇ ଦେଖିଲେ ଯେ, ସେଦିନ ବିଲାତୀ ସାହେବ ମଧ୍ୟ ପାଇଜାମା ଓ ପାତଳା ଜାମାଟିଏ ପିନ୍ଧିଛନ୍ତି । ବିଦ୍ୟାସାଗରଙ୍କ ଉପରେ ଦୃଷ୍ଟି ପଡ଼ିବା ମାତ୍ରକେ ସିଏ ସତେଅବା ନିଜ ଶରୀରର ପୂରା ମଞ୍ଜଟା ସ୍ତରରୁ କେଡ଼େ ଅନାବିଳ ହୋଇ କୁଆଡ଼େ କହିଥିଲେ, 'ଏହି ଗରମ ଋତୁରେ ପ୍ରକୃତରେ ବହୁତ ଇଚ୍ଛା ହେଉଛି ଯେ ମୁଁ ଯଦି ତୁମ ଭାରତୀୟମାନଙ୍କ ପରି କପଡ଼ା ପିନ୍ଧି ପାରୁଥାନ୍ତି, ତେବେ ଭାରି ଭଲ ହେଉଥାଆନ୍ତା । ବିଦ୍ୟାସାଗର ଜଣେ ପୂର୍ଣ୍ଣ ଦରଦ ରହିଥିବା ବ୍ୟକ୍ତି ଭଳି ଜବାବ ଦେଇଥିଲେ, ତେବେ ସେହିଭଳି ପିନ୍ଧୁ ବି ନାହାନ୍ତି କାହିଁକି ? ଛୋଟ ଲାଟ ସାହେବ ମଧ୍ୟ ପୂର୍ଣ୍ଣ ନିଷ୍କପଟ ଭାବରେ ଉତ୍ତର ଦେଇଥିଲେ, "ଏପରି ପୋଷାକ ପରିଧାନ କରିବାଟା ଆମ ଦେଶଚାରର ସମ୍ପୂର୍ଣ୍ଣ ବିରୋଧୀ ହେବ । ସିଏ ନିଶ୍ଚୟ ନିଜ ଭିତର ମନରେ ତେଣେ ଭାବିଥିବେ ଯେ ସିଏ ଏପରି ଖିଆଲଟାଏ କରିବାର ଦେଖିଲେ ଏଠାରେ ଥିବା ତାଙ୍କ ସ୍ଵଜାତୀୟ ଇଂରେଜମାନେ ତାହାକୁ ଆଦୌ ପସନ୍ଦ କରିବେ ନାହିଁ । ଏବଂ ଏହି ଜବାବଟାକୁ ଶୁଣିବା ପରେ ବିଦ୍ୟାସାଗରଙ୍କୁ ଆଉ ମୋଟେ କେହିହେଲେ ସମ୍ଭାଳି ରଖି ପାରିନଥାନ୍ତେ, ସିଏ ନିଜେ ମଧ୍ୟ ନୁହନ୍ତି । ଫଟ୍‍ କରି ଗୋଟାଏ ତୀର ପେଷିଦେଲା ପରି ସେ କହିଲେ: ଏଥର କହନ୍ତୁ ଆଜ୍ଞା,–ଆପଣମାନଙ୍କ ବେଳକୁ ଆପଣ ଦେଶାଚାର ମାନୁଛନ୍ତି–ଏବଂ ଆମବେଳକୁ ଆପଣମାନଙ୍କ ଭିତରେ ସେହି ବିବେଚନାଟି ପୁଣି ସମ୍ଭବ ହେଉନାହିଁ କିପରି ? କେବଳ ବିଦ୍ୟାସାଗରଙ୍କ ବ୍ୟତୀତ ସେହି କାଳରେ କିମ୍ବା ଆଉ କୋଉ କାଳରେ ବସ୍ତୁତଃ ଏହିଭଳି ଉତ୍ତରଟିଏ ଦେଇ ପାରିଥାନ୍ତା ?

 

ଲର୍ଡ଼ ଡଫରିନ୍‍ ଯେତେବେଳେ ଭାରତବର୍ଷର ବଡ଼ଲାଟ ପଦରେ ଆସୀନ ଥିଲେ, ସେତେବେଳର ଆଉଗୋଟିଏ ସତ ଘଟଣା । ଅବଶ୍ୟ ଗୋଟିଏ ମନୋରମ ମନେ ରହିଗଲା ପରି ଘଟଣା । ଦିନକର ଦେଶର କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତି ବଡ଼ଲାଟଙ୍କୁ ସାକ୍ଷାତ କରିବା ଲାଗି ଯାଇଥାନ୍ତି । ଏମାନଙ୍କ ମଧ୍ୟରେ କେତେଜଣ ପୂରା ବିଲାତୀ ପୋଷାକ ପରିଧାନ କରି ସେଠାକୁ ଯାଇଥିଲେ ଓ ତାହା ଦେଖି ବଡ଼ଲାଟ ବେଶ୍‍ ବିରକ୍ତି ମଧ୍ୟ ପ୍ରକାଶ କରିଥିଲେ । ବିଭୂଷିତ ସେହି ବ୍ୟକ୍ତିମାନଙ୍କୁ ତଦ୍ଦ୍ୱାରା ଆଦୌ ଆପ୍ୟାୟିତ ଲାଗି ନଥିବ ଓ ସେମାନେ କିଛି ପରିମାଣରେ ଲଜ୍ଜିତ ବି ଅନୁଭବ କରିନଥିବ ସତ, ମାତ୍ର କେହି ମୁହଁ ଫିଟାଇ ବଡ଼ଲାଟଙ୍କୁ ଶବ୍ଦଟିଏ ମଧ୍ୟ କହି ପାରିନଥିଲେ-। ତା'ପରେ ସେହି ଘଟଣାଟି ବାହାରେ ସହରରେ ମଧ୍ୟ ପ୍ରଘଟ ହୋଇ ଯାଇଥିଲା । ଚାରିଆଡ଼େ ଲୋକମୁଖରେ ନାନାପ୍ରକାରେ ଓ ନାନା ରଙ୍ଗରେ ଆଲୋଚନା ମଧ୍ୟ କାହିଁକି ବା ହୋଇନଥିବ-! କଥାଟି ବିଦ୍ୟାସାଗରଙ୍କର କାନକୁ ମଧ୍ୟ ଯାଇଥିଲା ଓ ସେ ବିରକ୍ତ ହୋଇ ନିଜର ପ୍ରତିକ୍ରିୟାକୁ ବ୍ୟକ୍ତ କରିଥିଲେ: ଏହି ବାବୁମାନେ ଏପରି ଅପ୍ରସ୍ତୁତ ହୋଇ ଲେଉଟି ଆସିବା ନିମନ୍ତେ ସେଠାକୁ ଆଦୌ ଯାଆନ୍ତି ବା କ'ଣ ପାଇଁ ? ଯିବ କାହିଁକି ଏବଂ ପୁଣି ଅପମାନିତ ହେଲା ବୋଲି କ'ଣ ପାଇଁ ଭାବିବ-? ପୁନଶ୍ଚ, ଏପରି ମଧ୍ୟ ଶୁଣିବାକୁ ମିଳିଥାଏ ଯେ ବିଦ୍ୟାସାଗର ସେହି ପ୍ରସଙ୍ଗରେ ନିଜ ଜୀବନ ଘଟିଥିବା ଗୋଟିଏ ଘଟଣା ବର୍ଣ୍ଣନା କରିଥିଲେ-। ବଙ୍ଗଳାର ତତ୍କାଳୀନ ବଡ଼ଲାଟ ସପ୍ତାହରେ ଗୋଟିଏ ଦିନ ସାଧାରଣ ଦର୍ଶନେଚ୍ଛୁ ବ୍ୟକ୍ତିମାନଙ୍କୁ ସାକ୍ଷାତ ଦେବେ ବୋଲି ନିୟମ କରିଥିଲେ । ସେଦିନ ଛୋଟ ଓ ବଡ଼ ସବୁ ମର୍ଯ୍ୟାଦାର ବ୍ୟକ୍ତିମାନେ ଛୋଟଲାଟଙ୍କୁ ସାକ୍ଷାତ କରିବାପାଇଁ ଯାଉଥିଲେ । ଦିନକର ଯୋଗକୁ ଏପରି ମଧ୍ୟ ଘଟିଥିଲା ଯେ ସାହେବ ସେହି ସାଧାରଣ ସାକ୍ଷାତର ଦିନଟିରେ ବିଦ୍ୟାସାଗରଙ୍କୁ ମଧ୍ୟ ଆସି ଦେଖା କରିବା ନିମନ୍ତେ ଚିଠିଟିଏ ପଠାଇ ଅନୁରୋଧ ଜଣାଇଥିଲେ । ଶିକ୍ଷାବିଭାଗର କ'ଣସବୁ ବ୍ୟାପାରରେ ତାଙ୍କ ସହିତ ଆଲୋଚନା କରିବା ସକାଶେ-। ବିଦ୍ୟାସାଗର ନିରୂପିତ ସମୟରେ ସେଠାରେ ଦେଖିବାକୁ ପାଇଲେ ଯେ, ବହୁ ଲୋକ ଛୋଟ ସାହେବଙ୍କୁ ସାକ୍ଷାତ କରିବା ନିମନ୍ତେ ସେଠାରେ ଅପେକ୍ଷା ବି କରିଛନ୍ତି । ଭିତରୁ ଡାକରା ଆସିଲେ ସିନା ଭିତରକୁ ଯିବେ ! ଭିଡ଼ଟି ମଧ୍ୟରେ ରାଜା ମହାରାଜା ଥିଲେ, ବୁଦ୍ଧିମାନ ପ୍ରତିଷ୍ଠିତମାନେ ମଧ୍ୟ ରହିଥିଲେ । ଧନୀ ଓ ମାନୀ ବହୁ ପ୍ରକାରର ବ୍ୟକ୍ତିମାନେ । ବଡ଼ କୋଠରୀଟି ସେହି ପ୍ରତ୍ୟାଶୀମାନଙ୍କଦ୍ୱାରା ଭର୍ତ୍ତି ହୋଇ ରହିଛି । ଗୋଟିଏ ପାଖରେ ଧନୀମାନେ, ଆଉଗୋଟିଏ ପାଖରେ ଗରିବ । ପ୍ରାୟ ସମସ୍ତେ ବିଦ୍ୟାସାଗରଙ୍କର ପରିଚିତ ।

 

ବିଦ୍ୟାସାଗର କିଞ୍ଚିତ ଅଡ଼ୁଆରେ ପଡ଼ି ଯାଇଥିଲେ । କୋଉ ପାଖଟିରେ ଯାଇ ବସିବେ-? କ'ଣ ଚିନ୍ତା କରି ଗରିବ ପାଖଟିରେ ଯାଇ ବସିଲେ । କଥାବାର୍ତ୍ତା କରି ଜଣିଲେ ଯେ, ସେମାନଙ୍କ ମଧ୍ୟରୁ ସମସ୍ତେ ବହୁଘଣ୍ଟା ହେଲା ଅପେକ୍ଷା କରି ରହିଛନ୍ତି । କେହି କେହି ଏପରିକି କେତେ ସପ୍ତାହ ହେଲା । ବାରମ୍ବାର ଆସି ଫେରି ଯାଉଛନ୍ତି । ଭିତରୁ ଡାକରା ଆସି ପାରିନାହିଁ । ଏହି ସମୟରେ ବିଦ୍ୟାସାଗର ଖଣ୍ଡେ କାଗଜରେ ନିଜର ନାଆଁ ଲେଖି ଚପରାଶି ହାତରେ ଭିତରକୁ ଖବର ଦେଲେ-। ଅବିଳମ୍ବେ ଡକରା ଆସି ପହଞ୍ଚି ଯାଇଥିଲା । ଘଟଣାଟି ସେଠାରେ ଅପେକ୍ଷାରତ ବହୁସଂଖ୍ୟକ ବ୍ୟକ୍ତିଙ୍କୁ ପ୍ରକୃତରେ ବହୁତ ଅପ୍ରତିଭ କରି ଦେଇଥିବ । ସ୍ଵୟଂ ଈଶ୍ୱରଚନ୍ଦ୍ରଙ୍କୁ ମଧ୍ୟ ଭଲ ଲାଗିନଥିଲା-। ଭିତରକୁ ଯାଇ କର୍ତ୍ତାଙ୍କ ଆଗରେ ସେ ସେହି କଥାଟିର ଉତ୍ଥାପନ କଲେ । ଏତେ ଏତେ ବ୍ୟକ୍ତିଙ୍କୁ ସାହେବ କ'ଣପାଇଁ ଏପରି ଅପେକ୍ଷା କରାଇ ରଖୁଛନ୍ତି ଓ ଏତେ ଏତେ ଦିନ ଆସିଲେ ମଧ୍ୟ ସେମାନେ ତଥାପି ସାକ୍ଷାତର ଏକ ସୁଯୋଗ କ'ଣପାଇଁ କରି ପାରୁନାହାନ୍ତି, ବିଦ୍ୟାସାଗର ଗୁହାରି କରି କହିଥିବେ । ଜବାବ ଦେଇ ଲାଟସାହେବ କେଡ଼େ ତକ୍ଷଣେ ଅସଲ କଥାଟିକୁ ମଧ୍ୟ କହି ଦେଇଥିଲେ "ଆଜ୍ଞା, ଏମାନେ ପ୍ରାୟ ସମସ୍ତେ ଏଠାକୁ କ'ଣ ପାଇଁ ଆସନ୍ତି କହିଲେ ! ସେମାନଙ୍କୁ ମୁଁ ଆଦୌ ଡାକି ଆସିବାକୁ କହିନାହିଁ । ଏବଂ, ଯଦି ସେମାନେ ଦିନ ଦିନ ପାଞ୍ଚ ଦିନ ଲାଗି ମଧ୍ୟ ସାକ୍ଷାତ ନପାଇ ଫେରିଯିବେ, ତେବେ ଷଷ୍ଠ ଦିନ ତଥାପି ଆସିବେ । ମାତ୍ର, ଆପଣଙ୍କୁ ଯଦି ମୁଁ କୌଣସି କାରଣବଶତଃ ମଧ୍ୟ ପାଞ୍ଚମିନିଟ୍‍ ଡେରି କରାଇଦେବି, ତେବେ ଆପଣ ହୁଏତ ଫେରି ଚାଲିଯିବେ ଏବଂ ତା'ପରେ ପୁଣି ଡାକି ପଠାଇଲେ ମଧ୍ୟ ହୁଏତ ଆଉ ଆସିବେ ନାହିଁ-। ତେଣୁ, ଏତିକି ହେଉଛି ଫରକ ।" ବିଦ୍ୟାସାଗର ନିଶ୍ଚୟ ବୁଝି ଯାଇଥିବେ । ଏହି ସଂକ୍ରାନ୍ତରେ ତେଣୁ ସିଏ ସର୍ବଦା ସେହି ଗୋଟିଏ ମାତ୍ର କଥା କହୁଥିଲେ, ଆପଣା ମାନ ରଖି ଜାଣି ନଥିଲେ ଆପଣାକୁ ଅପମାନିତ ହେବାକୁ ହିଁ ପଡ଼ିବ । ସେହି କଥାଟି କ'ଣ କେବଳ ସେହି କାଳଟି ନିମନ୍ତେ ପ୍ରଯୁଜ୍ୟ-?

 

ଏବଂ, କଥାଟିର ଚର୍ଚ୍ଚା କରି କବି ରବୀନ୍ଦ୍ରନାଥ ମଧ୍ୟ ଥରେ କେଉଁଠି ମନ୍ତବ୍ୟ କରିଛନ୍ତି : ଆମ ଦେଶରେ ପ୍ରାୟ ବହୁ ବ୍ୟକ୍ତି ନିଜର ତଥା ନିଜ ଦେଶର ମର୍ଯ୍ୟାଦାକୁ ନଷ୍ଟ କରି ଇଂରେଜମାନଙ୍କର ଅନୁଗ୍ରହ ପାଇବାର ଅଭିପ୍ରାୟରେ ଦଉଡ଼ିବାରେ ଲାଗିଥାନ୍ତି । ମାତ୍ର, ଶ୍ରୀଯୁକ୍ତ ବିଦ୍ୟାସାଗର କୌଣସି ସାହେବଙ୍କ ହାତରୁ ଶିରିପାଟିଏ ନେବାକୁ ରହିଥିବା ସେହି ନିତ୍ୟଧାବମାନମାନଙ୍କ ପରି ଆତ୍ମସମ୍ମାନର ମୂଲ୍ୟ ଦେଇ ସେହି ସମ୍ମାନକୁ କ୍ରୟ କରିବା ବିଷୟରେ କେବେହେଲେ କୌଣସି ଚେଷ୍ଟା କରିନାହାନ୍ତି । ହଁ, ସେଇ ଲାଟସାହେବଙ୍କ ପାଖକୁ ବିଦ୍ୟାସାଗରଙ୍କର ଆସିବା ବିଷୟରେ ଆହୁରି କଥାଟିଏ ମଧ୍ୟ ରହିଆସିଛି । ବଙ୍ଗଳାର ଲାଟ ଥରେ ଈଶ୍ୱରଚନ୍ଦ୍ରଙ୍କୁ ଦରବାରୀ ପରିଧାନ ପରିହିତ ହୋଇ ଆସିବାକୁ ଏକାନ୍ତ ଅନୁରୋଧ କରିଥିଲେ । କ'ଣ ପାଇଁ ଅନୁରୋଧଟିକୁ ରଖିବାକୁ ବିଚାର କରି ବିଦ୍ୟାସାଗର ମଧ୍ୟ ଚୋଗା ଓ ଚପ୍‍କନ୍‍, ପେଣ୍ଟଲୁନ୍‍ ଓ ପଗଡି ତଥା ମୋଜା ଓ ବୁଟଜୋତା ଇତ୍ୟାଦିରେ ଆପଣାର ଅଙ୍ଗସଜ୍ଜା କରି ଲାଟସାହେବଙ୍କର ଏକ ଦରବାରରେ ଆସି ଉପସ୍ଥିତ ହୋଇଥିଲେ । କିନ୍ତୁ ସେଠାରେ ଆପଣାର ନାଟକୀୟ ବିଶେଷ ବେଶଟିର ସନ୍ଦର୍ଶନରେ ସମ୍ଭବତଃ ନିଜେ ପ୍ରକୃତରେ ଶିହରି ଉଠିଥିଲେ । ଭାରି ଲଜ୍ଜା ଅନୁଭବ କରିଥିବେ । ଏହିପରି ବାଧ୍ୟ ହୋଇ ଅର୍ଥାତ୍‍ ଅନୁରୋଧଟାକୁ ଏଡ଼ି ନପାରି ସେ କଷ୍ଟେ ମଷ୍ଟେ ହୁଏତ ଆହୁରି ଥରେ ଦୁଇଥର ଯାଇଥିବେ । ଏବଂ, ଆଉ ସମ୍ଭବ ହେଲାନାହିଁ । ତେଣୁ, ସେ ଲାଟସାହେବଙ୍କୁ ବିନମ୍ର ନିବେଦନ ସହିତ ଯାଇ କହିଥିଲେ, ଏହିଥରଟା ହିଁ ଆପଣଙ୍କ ସହିତ ଶେଷବାର ଦେଖା । ଆଉ ଦେଖା ହେବନାହିଁ । ସାହେବ ବିସ୍ମିତ ହେଲେ, କାରଣ ପଚାରିଥିଲେ । "ନାହିଁ ଆଜ୍ଞା, ଏପରି ଅଦ୍‍ଭୂତ ବସ୍ତ୍ରାଭରଣମାନ ଦେହରେ ଲଗାଇ ଆପଣଙ୍କ ସହିତ ଦେଖା କରିବାକୁ ଆସିବା ଆଉ ମୋଟେ ସମ୍ଭବ ହେବନାହିଁ ।" ସାହେବ ଉତ୍ତର ଦେଇ ସମାପନ କରି ଦେଇଥିଲେ : ନାଇଁ, ନାହିଁ, ଯେଉଁଭଳି ପରିଧାନ ପିନ୍ଧିଲେ ଆପଣଙ୍କୁ ସହଜ ଏବଂ ସୁବିଧାଜନକ ଲାଗୁଛି, ଆପଣ ସେହିପରି ପୋଷାକ ପିନ୍ଧି ଆସିବେ । ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ପ୍ରକୃତରେ ବଙ୍ଗଭୂମିର ସ୍ଵାଭାବିକ ଜୀବନରେ ଧୋତି ଏବଂ ଚାଦରକୁ ଅମର ହିଁ କରିଗଲେ । ସିଏ ପିନ୍ଧୁଥିବା ପାଦର ସେହି ନିର୍ଦ୍ଦିଷ୍ଟ ପ୍ରକାରର ଚଟିଟି ମଧ୍ୟ ବିଦ୍ୟାସାଗରୀୟ ଚଟି ବୋଲି ପରିଚିତ ହୋଇ ରହିଯାଇଛି । ପୁନର୍ବାର ସେହି କବିଗୁରୁଙ୍କର ଭାଷାରେ: ଧଳା ଧୋତି ଓ ଧଳା ଚାଦରକୁ ଈଶ୍ୱରଚନ୍ଦ୍ର ଯେଉଁ ଗୌରବଟି ଦ୍ଵାରା ମଣ୍ଡିତ କରିଛନ୍ତି, ଆମ ବର୍ତ୍ତମାନ ରାଜାମାନଙ୍କର ଛଦ୍ମବେଶ ପିନ୍ଧି ଆମେ ଆପଣାକୁ କଦାପି ସେହି ଗୌରବଟିକୁ ଦେଇ ପାରିବାନାହିଁ ।

 

ଶରୀରର ସୌନ୍ଦର୍ଯ୍ୟ ଦୃଷ୍ଟିରୁ ବିଦ୍ୟାସାଗରଙ୍କୁ ଅନାଇଦେବା ମାତ୍ରକେ ଅଭିଭୂତ ହୋଇଯିବା ଭଳି ତାଙ୍କର ଚେହେରାରେ ଆଦୌ ସେପରି କିଛି ନଥିଲା । ଖର୍ବୀକୃତି ଶରୀରଟିଏ, ତା'ଉପରେ ପ୍ରାୟ ଅନୁପାତହୀନ ଏଡ଼େ ବଡ଼ ମୁଣ୍ଡଟାଏ ସତେଯେପରି କୌଣସି ପରବର୍ତ୍ତୀ ଅବସରରେ ଯୋଡ଼ା ହୋଇଥିବା ବାଗିର୍‍ ମନେ ହେଉଥିଲା । ଦେହର ରଙ୍ଗଟା ମଧ୍ୟ ସେପରି ସରସ ନୁହେଁ କିମ୍ବା ଆମ ସାଧାରଣ ଅନୁମାନଗୁଡ଼ିକ ସହିତ ସଙ୍ଗତି ରକ୍ଷା କରି ତାଙ୍କର ମୁହଁ ଉପରୁ କୌଣସି ଦପ ଦପ ତେଜ ମଧ୍ୟ ବାହାରୁ ନଥିଲା । ସେ ଗାଆଁରେ ଜନ୍ମ ହୋଇଥିଲେ ଏବଂ ଶେଷଯାଏ ସେହି ଗାଆଁର ହିଁ ଜଣେ ପରି ଲାଗୁଥିଲେ । ତାଙ୍କର ଖ୍ୟାତିର ଜନଶ୍ରୁତିମାନ ଶୁଣି ଲୋକେ ସାଧାରଣତଃ ସେ ଯେଉଁପରି ଚେହେରାର ଅବଶ୍ୟ ହୋଇଥିବେ ବୋଲି କଳ୍ପନା କରୁଥିଲେ, ସତକୁସତ ତାଙ୍କୁ ଦେଖିବା ପରେ ସେମାନଙ୍କୁ ଭାରି ନିରାଶ ମଧ୍ୟ ହେବାକୁ ପଡ଼ୁଥିଲା । ବୀରସିଂହ ସମେତ ମେଦିନୀପୁର ମଣ୍ଡଳଟିକୁ ପାରମ୍ପରିକ ଭାବରେ ବହୁକାଳ ଯାବତ୍‍ ରାଢ଼ଦେଶ ବୋଲି କୁହାଯାଇ ଆସିଥିଲା । କଲିକତାର ବେଶ୍‍ ପବନ ବାଜିଥିବା ଅଞ୍ଚଳଟିର ବାସିନ୍ଦାମାନେ କେତେକ କାରଣରୁ ନିଜକୁ ଅସଲ ବଙ୍ଗସଂସ୍କୃତିର ପ୍ରତିଭୂ ଏବଂ ଦାୟାଦ ପରି ଅନୁଭବ କରୁଥିଲେ ଓ ରାଢ଼ ଅଞ୍ଚଳଟାକୁ ତେଣୁ ଏକ ଦୂରସୀମାରେ ଅବସ୍ଥିତ ଅନୁନ୍ନତ ଆଉକିଛି ବୋଲି ଭାବିବାରେ କିଞ୍ଚିତ୍‍ ଆନନ୍ଦ ମଧ୍ୟ ପାଇ ଆସୁଥିଲେ । ଇତିହାସର କେତେ ଆଲୋଚନା ମଧ୍ୟ କହୁଛି ଯେ ଲୋକଜୀବନର ସଂସ୍କୃତିସୂଚକ ପରିମଳଟା ଦୃଷ୍ଟିରୁ ସେହି ପଟଟା ବେଶ୍‍ ପ୍ରତ୍ୟୟ ସହିତ ଉତ୍କଳୀୟ ଜୀବନବେଭାରର ଅଧିକ ନିକଟବର୍ତ୍ତୀ ହୋଇ ରହିଥିଲା । ବିଦ୍ୟାସାଗରଙ୍କର ଚେହେରାଟା ଯେପରି ସହରୀ ସୂକ୍ଷ୍ମ ଆଖିଗୁଡ଼ିକୁ ଦେଖା ଯାଉଥିଲା ଏବଂ ତାଙ୍କର ଆଚାର ତଥା ଆଚରଣରେ ଯେପରି ସହରସୁଲଭ ବଙ୍କାବଙ୍କାଗୁଡ଼ାକ ପ୍ରାୟ ନିୟମତଃ ପ୍ରକଟ ମଧ୍ୟ ହେଉନଥିଲା, ତଥାକଥିତ ମାର୍ଜିତମାନେ ତାଙ୍କୁ ତଦନୁରୂପ ଏକ ନ୍ୟୂନତା ଦେଇ ଦେଖୁଥିଲେ ଓ ସତେଅବା ଏକ ଅଲିଅଳ ପ୍ରତ୍ୟାଖ୍ୟାନ ସହିତ ତାଙ୍କୁ କେଡ଼େ ଝଅଟ ଭାବରେ ଉଡ଼େ ବୋଲି ବି କହି ପକାଉଥିଲେ । ସେତେବେଳେ ସମ୍ଭବତଃ ଓଡ଼ିଆ ବେହେରାମାନେ ବଙ୍ଗାଳି ବାବୁମାନଙ୍କୁ ସବାରି ପାଲିଙ୍କିରେ କାନ୍ଧେଇ ଜାଗାକୁ ଜାଗା ବୋହି ନେଉଥିଲେ । ତେଣୁ, ସେହି କାରଣରୁ ସେହି ସମ୍ଭ୍ରାନ୍ତକୁଳର କେତେ ମଣିଷ ବିଦ୍ୟାସାଗରଙ୍କୁ ଅଧିକ ତାଚ୍ଛିଲ୍ୟରେ ଉଡ଼େ ବେହେରା ବୋଲି କାହିଁକି ସମ୍ବୋଧନ ନକରି ଥାଆନ୍ତେ । ଏବଂ, ଖୁବ୍ ଉଲ୍ଲେଖ କରି ରଖିବାକୁ ହେବ ଯେ ବିଦ୍ୟାସାଗର ନିଜେ ମଧ୍ୟ କେଡ଼େ ନିର୍ବିକାର ଅଥଚ ଦୃଢ଼ ଭାବରେ 'ହଁ', ମୁଁ ଉଡ଼େ' ବୋଲି କହି ସେମାନଙ୍କର ମୁହଁକୁ ବନ୍ଦ କରି ପାରୁଥିଲେ । ଆପଣାକୁ ବେଳେବେଳେ ବେଶ୍ ପରାଭୂତପ୍ରାୟ ଅନୁଭବ ବି କରୁଥିବେ ।

 

ଜୀବନର ଅସଲ ନିର୍ଭରଗୁଡ଼ିକୁ ବିଦ୍ୟାସାଗର ଗାଆଁରୁ ପାଇଥିଲେ ଓ ତାହାହିଁ ସାରା ଜୀବନଯାକ ତାଙ୍କୁ ସର୍ବଦା ସର୍ବବିଧ ଦୀକ୍‍ନିର୍ଦେଶନାଗୁଡ଼ିକୁ ଦେଉଥିଲା । ଗାଆଁରେ ସେହି ପିଲାବୟସରେ ହିଁ ସାଙ୍ଗମାନଙ୍କୁ ଏକାଠି କରି ସିଏ କବାଡ଼ି କୁସ୍ତି-ଲଢ଼ାଲଢ଼ି ଓ ବାଡ଼ିଖେଳର ନିୟମିତ ଅନୁଶୀଳନ କରାଇଥିଲେ । ଏବଂ, ସେହି ମାୟାଟିର ତାଡ଼ନାରେ କଲିକତାରେ ସଂସ୍କୃତ କଲେଜରେ କର୍ମରତ ଥିବା ସମୟରେ ମଧ୍ୟ କୁସ୍ତି, କବାଡ଼ି ପ୍ରଭୃତିର ବନ୍ଦୋବସ୍ତ ରଖିଥିଲେ । ସେଥିରେ ସମସ୍ତଙ୍କୁ ସାମିଲ କରୁଥିଲେ, ନିଜେ ମଧ୍ୟ ସାମିଲ୍ ହେଉଥିଲେ । ହଁ, ଭାଗବତ ମନଟା ଏହିପରି ଭାବରେ ଗାଆଁରେ ଯାଇ ରହିଥିବାରୁ ସିଏ ହଠାତ୍ କଲିକତାକୁ ଆସି ଅବଶ୍ୟ ଖୁବ୍ ଅଶ୍ଵସ୍ତ ବୋଧ କରିଥିବେ । ଏବଂ, ସେହିପରି ଏକ ମୂଳସ୍ଥ ଅଶ୍ଵସ୍ତି ତାଙ୍କୁ ସହରର ସଂସ୍ରବଗୁଡ଼ିକ ସହିତ ହୁଏତ କେବେହେଲେ ସଙ୍କୋଚମୁକ୍ତ ଭାବରେ ଏକତ୍ର କରି ପାରୁନଥିଲା । ହଁ, କଲିକତାରେ ପ୍ରାଥମିକ ଶିକ୍ଷା ସମୟରେ କଥା କହିବାବେଳେ ତାଙ୍କର ପାଟି ଲାଗୁଥିଲା । ଶ୍ରେଣୀର ସାଙ୍ଗଶିକ୍ଷାର୍ଥୀମାନେ ତାଙ୍କୁ ସେହି କାରଣରୁ ନିଶ୍ଚୟ ଯାଉଣୁ ଆସୁଣୁ ଚିଡ଼ାଇ ମ୍ରିୟମାଣ କରି ରଖୁଥିବେ । ସେହି ଅନ୍ତର୍ବାଧାଟି ଥିବାରୁ ସେ ମୋଟେ ଭାଷଣ ଦେବାପାଇଁ ସାଧାରଣରେ ଠିଆ ହେବାକୁ ଇଚ୍ଛା କରୁନଥିଲେ,–ଯେତେଯିଏ ବଳାଇ କହିଲେ ମଧ୍ୟ ଭାଷଣ ପାଇଁ ରାଜି ହେଉନଥିଲେ-। ଖନା ଥିବାରୁ ଏପରି ଅନିଚ୍ଛାଟିଏ ତାଙ୍କଭିତରେ ରହିଥିଲା କି ? ସଂସ୍କୃତ କଲେଜରେ ଶ୍ରେଣୀଗୁଡ଼ିକୁ ଯାଇ ପିଲାମାନଙ୍କୁ ପଢ଼ାଇବାକୁ ସମ୍ମତ ହେଉନଥିଲେ । ଏଡ଼େ ବଡ଼ ପଣ୍ଡିତ, ଏତେ ଏତେ ବିଦ୍ୟାର ଅଧିକାର, ତା' ସାଙ୍ଗକୁ ଏଡ଼େ ବିଶାଳ ଏକ ହୃଦୟ,–ତଥାପି ଏହି ସଙ୍କୋଚ-

 

ପିତା ଠାକୁରଦାସ ବଡ଼ କଠୋର ବ୍ୟକ୍ତି ଥିଲେ । ଆପେ ବହୁ କଷ୍ଟ ଓ କଷଣ ସହ୍ୟ କରି ଜୀବନରେ ଯାହାକିଛି ସମ୍ଭବ କରି ପାରିଥିବାର ସଚେତନା ତାଙ୍କୁ ନିଜ ବଡ଼ ପୁଅକୁ କୌଣସି ପ୍ରକାରେ ବଙ୍କା ହେବାକୁ ହିଁ ଅବସର ଦେଉନଥିଲେ । ବଙ୍କା ହେବା ହିଁ ତ ବିଗିଡ଼ି ଯିବା,–ତାଙ୍କ ବିବେକଗୁଡ଼ିକ ତାଙ୍କୁ ହୁଏତ ସେତିକି ପରାମର୍ଶ ସବୁବେଳେ ଦେଉଥିଲା । ବାପାଙ୍କ ପାଖରେ ମଧ୍ୟ ବାଳକ ଈଶ୍ଵରଚନ୍ଦ୍ର ନିଜ ଦୁଷ୍ଟାମିମାନଙ୍କୁ ତଥାପି ଛାଡ଼ିନଥିଲେ । ପରବର୍ତ୍ତୀ କାଳର ପର୍ଯ୍ୟାୟଗୁଡ଼ିକରେ ସେ ସେହି କାରଣରୁ ଏପରି ଏକ ତୀବ୍ର ବ୍ୟତିକ୍ରମ ହୋଇ ତଥାପି ରହି ଯାଉଥିଲେ କି ? ଯିଏ ସୁନାପୁଅ ସଦୃଶ ହିତୋପଦେଶଗୁଡ଼ିକ ଅନୁସାରେ ତଥାପି ଗୁଳା ଭିତରକୁ ଆସିବାଲାଗି ମୋଟେ ମନ କରେ ନାହିଁ, ତାହାକୁ ପୋଖତ ରକ୍ଷଣଶୀଳମାନେ ନ୍ୟାୟତଃ ଦୁଷ୍ଟ ବୋଲି ହିଁ ଜାଣିଥାଆନ୍ତି । ଏପରି ଗୋଟିଏ ବଦ୍‍ନାମ ରହିଛି ଯେ, ବାଳକ ଈଶ୍ଵରଚନ୍ଦ୍ର ଆପଣାର ସେହି ଦୁଷ୍ଟୋଚିତ କଳାତ୍ମକତାର ପ୍ରେରଣାରେ 'ଅମୁକ କର' ବୋଲି ନିର୍ଦ୍ଦେଶଟିଏ ପିତାଙ୍କଠାରୁ ପାଇଲେ ପ୍ରାୟ ସର୍ବଦା ଜାଣିଶୁଣି ତାହାର ଠିକ୍ ଓଲଟା କାର୍ଯ୍ୟଟାକୁ କରୁଥିଲେ । ଏବଂ, ଏପରି କରି ସିଏ ଖୁବ୍ ଖୁସୀ ମଧ୍ୟ କାହିଁକି ନହେଉଥିବେ ! ବାପା ନିଶ୍ଚୟ କଠୋରରୁ କଠୋରତର ଦଣ୍ଡର ବ୍ୟବସ୍ଥା କରିଥିଲେ ଏବଂ ପ୍ରାୟ କୌଣସି ଫଳ ନପାଇ ଅନ୍ୟ ପ୍ରତିକାର କିଛି ପ୍ରକୃତରେ ଅଛି କି ନାହିଁ, ସେକଥା ଚିନ୍ତା କରିବା ସକାଶେ ବାଧ୍ୟ ହୋଇଥିଲେ । ଚାଲ, ଆମେ ଏପରି ଗୋଟିଏ ଅନୁମାନ କରିବା ଯେ, ଈଶ୍ଵରଚନ୍ଦ୍ରଙ୍କର ପିଲାଦିନର ଦୁଷ୍ଟାମିଗୁଡ଼ିକ ତାଙ୍କର ବେଶ୍ ପୋଖତ ବୟସରେ ତଥା ଜୀବନର ପୋଖତ ନିଷ୍ପତ୍ତିଗୁଡ଼ିକରେ ଆଗକୁ ଯାଇ ଗୋଟିଏ ସୁମାର୍ଜିତ ଦୁଷ୍ଟାମିରେ ହିଁ ରୂପାନ୍ତରିତ ହୋଇ ଯାଇଥିଲା । ଭାରତବର୍ଷରେ ବିଧାତାଙ୍କର ବହୁତ କାମରେ ଆସିଥିଲା । ଅର୍ଥାତ୍, ଆତ୍ମା-ଆବିଷ୍କାରର ଏହି ଯେଉଁ ବିରଳ ରୀତିଟି ସେଥିପାଇଁ ଆମ ମଣିଷମାନଙ୍କ ପାଇଁ ପ୍ରକୃତରେ କେତେ ନା କେତେ ସାହସର ହିଁ ଦାବୀ କରିଥାଏ । ହଁ, ସାହସର ଅପେକ୍ଷା ହିଁ ରହିଥାଏ, ଏବଂ ଆତ୍ମପ୍ରୟୋଗଦ୍ଵାରା ହିଁ ଆମେ କେତେ ନା କେତେ ସାହସର ହିଁ ଦାବୀ କରୁଥାଏ । ଆମେ ମନୁଷ୍ୟମାନେ ସେହି ପ୍ରୟୋଗମାନଙ୍କ ବିଷୟରେ ଅନୁରାଗୀ ହେଉ । ସେହି ଅନୁରାଗ ହିଁ ବିଦ୍ୟାସାଗରଙ୍କୁ ଅନୁରୂପ ବଳ ଦେଇଥିଲା । ସମସାମୟିକ ନିଜ ସମାଜରୁ ଆସୁଥିବା ଆହ୍ଵାନଗୁଡ଼ିକୁ ସିଏ ଶୁଣି ପାରୁଥିଲେ ଏବଂ ତାହାହିଁ ସମକ୍ଷରେ ରହିଥିବା ତାରାଟିଏ ହୋଇ ତାଙ୍କୁ ଗୋଡ଼ କଢ଼ାଇ ନେଇ ଯାଉଥିଲା । ପ୍ରଧାନତଃ ଏକା ଏକା । ହଁ, ସତକୁସତ ଗୋଡ଼ କାଢ଼ି ପାରିଲେ ହିଁ ଯୁଗର ବିଧାଟା ସ୍ଵୟଂ ସାଙ୍ଗରେ ରହିଛନ୍ତି ବୋଲି ଏପରି ପ୍ରାଞ୍ଜଳ ଭାବରେ କାହିଁକି ଦେଖିହୁଏ କେଜାଣି ?

☆☆☆

 

Unknown

-୪-

ସଂଗ୍ରାମଦ୍ଵାରା ସମାଜସଂସ୍କାର

 

ବୀରସିଂହ ଗାଆଁରେ ବିଦ୍ୟାସାଗରଙ୍କ ପଡ଼ିଶାରେ ଝିଅଟିଏ, ଏକାବେଳକେ ପିଲାଦିନରୁ ଚିହ୍ନା । ନିର୍ଦ୍ଦୋଷ ପିଲାଦିନେ ଏକାଠି କେତେ ଖେଳିଥିବେ, କେତେ ଦୁଃଖସୁଖ ହୋଇଥିବେ ମଧ୍ୟ । ଈଶ୍ଵରଚନ୍ଦ୍ର ତା'ପରେ ବାପାଙ୍କ ପାଖକୁ କଲିକତା ଚାଲି ଯାଇଥିଲେ ପାଠ ପଢ଼ିବାକୁ । ମଣିଷ ହେବାକୁ । ଯେତେ ହେଲେ ପୁଅପିଲା, ମଣିଷ ନହେଲେ ହେବ କିପରି ? ମଝିରେ ମଝିରେ ଗାଆଁକୁ ଆସୁଥିବା ସମୟରେ ମାଆଙ୍କ ପାଖରୁ ବରାବର ତା' ବିଷୟରେ ବି ଅବଶ୍ୟ ସମ୍ବାଦ ପାଉଥିବେ । ଇତି ମଧ୍ୟରେ ତା'ର ବିଭାଘର ହୋଇଗଲାଣି ବୋଲି ମଧ୍ୟ କେବେ ତାଙ୍କ କାନକୁ ଆସିଥିବ । ଏବଂ, ତାଙ୍କୁ ଯେତେବେଳେ ତେର କି ଚଉଦ ବର୍ଷ, ଶୁଣିଥିଲେ ଯେ ଝିଅଟି ବିଧବା ହୋଇ ସାରିଲାଣି । ବିଧବା ହେବା ପରେ ସିଏ କଷଣ ଆଦରି ନିଜ ବାପଘରେ ଆସି ରହୁଥିଲା । ବିବାହିତ ଜୀବନର ଏତେ ଏତେ ସୁଖରୁ ଭଗବାନ୍ ତାକୁ ତା'ର କି ଦୋଷରୁ ବଞ୍ଚିତ କରି ରଖିଲେ କ'ଣପାଇଁ କେଜାଣି ? ଏବଂ, ବିଧାବାମାନଙ୍କର ଏକ ଖାସ୍ ପ୍ରକାରର କଠୋର ବୈଧବ୍ୟବ୍ରତ ପାଳନର କଡ଼ା ନିୟମମାନ ମଧ୍ୟ ରହିଥିଲା । ହଁ, ସମ୍ପୂର୍ଣ୍ଣ ଭାବରେ ବ୍ରତଟିଏ । ସେହି ବ୍ରତରେ ବାଧ୍ୟ ହୋଇ ସେମାନେ ନରହିଲେ ସମାଜ ଆଦୌ ଚଳି ପାରିବନାହିଁ ଏବଂ ପୁରୁଷମାନେ ବହୁପ୍ରକାରେ ଗୋଡ଼ ଖସିଯିବାର ପ୍ରମାଦରେ ଯାଇ ପଡ଼ିଯିବେ,–ତେଣୁ ମେଧାବନ୍ତ ପୁରୁଷମାନେ ବିଧବା ନିମନ୍ତେ କଠୋର ବିଧାନମାନ ବାନ୍ଧି ଦେଇଥିଲେ । ସପ୍ତାହରେ ବେଶ୍ କେତେଦିନ ଉପବାସ ରହିବ, ରାତିରେ ଆହାରଗ୍ରହଣ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇ ରହିବ । ଜଣେ ବିଧବା ସାମୂହିକ ଜୀବନର କୌଣସି ଉତ୍ସବରେ ଯୋଗ ଦେଇ ପାରିବନାହିଁ ଏବଂ ଆହୁରି କେତେ କେତେ ଟାଣୁଆ କାଇଦା ଏବଂ କଟକଣାମାନ । ଏବଂ, ଏତେଗୁଡ଼ାଏ କଷ୍ଟ, ପୁଣି ଏତେ ଅଳ୍ପ ବୟସରୁ ! ବାଳକ ଈଶ୍ଵରଚନ୍ଦ୍ର ସେହି ଏଡ଼େ ଚିହ୍ନା ଝିଅଟିର ଜୀବନଟାକୁ ଦେଖି ଅତ୍ୟନ୍ତ ମ୍ରିୟମାଣ ହୋଇ ପଡ଼ିଥିବେ । ଯେତିକି ହୃଦୟଟିଏ ରହିଥିଲେ ଆଉଜଣେ ମନୁଷ୍ୟର ଦୁଃଖ ଓ ଦୁର୍ଗତିକୁ ଅନ୍ତର ଭିତରେ ଅନୁଭବ କରି ହୁଏ, ଆମ ସମାଜର ବେବାର୍ତ୍ତାମାନଙ୍କର କ'ଣ ସେତିକି ହୃଦୟ ନାହିଁ ? ତେଣୁ, ସେହି କଅଁଳ ବୟସରେ ସେ ଏସବୁ ଚିନ୍ତା କରି କେତେ କ'ଣ ଶିହରି ଉଠିଥିବେ ଏବଂ ଯେତେ ଅସ୍ପଷ୍ଟ ଭାବରେ ହେଲେ ମଧ୍ୟ ଏଗୁଡ଼ିକର ବିଲୋପ ହେବା ନିତାନ୍ତ ଆବଶ୍ୟକ ବୋଲି ଅନୁଭବ କରିଥିବେ । ଏବଂ, ବଡ଼ ହୋଇ ଆଖି ଚାରିପାଖର ସଂସାରଟାକୁ ସେହି ଦୁଃଖଟା କିପରି ଲଜ୍ଜାକର ଭାବରେ ସମ୍ପୃକ୍ତ ସମସ୍ତଙ୍କୁ ହିଁ ନିର୍ଦ୍ଦୟ କରି ରଖିଛି, ସେହି କଥାଟିକୁ ହୃଦୟଙ୍ଗମ କରିଥିବେ, ଭାରି ବିବଶ ହୋଇ ପଡ଼ିଥିବେ ।

 

ତାଙ୍କର ଦରଦୀ ମନଟା ଭାରି ବିଦ୍ରୋହ କରି ଉଠିଥିବ । ଦରଦଟା କ'ଣ ପ୍ରକୃତରେ ତଥାକଥିତ ଆମ ମନଟାର ହିଁ ଏକ ଅନୁଭବ ମାତ୍ର, ଯାହାକି ଆମ ଭିତରେ ପ୍ରବେଶ କରି ଆମକୁ କିଛି ସମୟ ସକାଶେ ଅଭିଭୂତ କରିପକାଏ ଏବଂ କିଛି ଅନ୍ୟମନସ୍କ କରି ଦେବାକୁ ମଧ୍ୟ ଚେଷ୍ଟା କରେ । ଦରଦନାମକ ସେହି ଉପାଦାନଟିରେ ଏକ ଉତ୍ତୋଳନ ବି ଘଟାଇ ପାରିଲେ ତାହା ଯେ ଆମକୁ ଆମ ଦେହର ରକ୍ତ ଓ ମାଂସ ସ୍ତରରେ ମଧ୍ୟ ବିଚଳିତ କରି ଦେଇପାରେ, ସମ୍ଭବତଃ ସେହି ଈଶ୍ଵରଚନ୍ଦ୍ରଙ୍କ ପରି ଅନୁଭବୀମାନେ ସେକଥା କହିପାରିବେ । ମାଆ ଭଗବତୀ ଦେବୀ ମଧ୍ୟ ବାରବର୍ଷର ସେହି ଅଭାଗିନୀ ଝିଅଟିର ଅପ୍ରମିତ ଦୁଃଖଗୁଡ଼ିକୁ ଦେଖି ଅତ୍ୟନ୍ତ ଅସ୍ଥିର ହୋଇ ପଡ଼ୁଥିଲେ । କିନ୍ତୁ, କେବଳ ଆଖିରୁ ଗୁଡ଼ାଏ ଅଶ୍ରୁର ଧାରା ବୁହାଇବା ବ୍ୟତୀତ ସିଏ ଆଉ କ'ଣ କରି ପାରୁଥାନ୍ତେ ! ତଥାପି ସେ ଦିନେ ଅତ୍ୟନ୍ତ କରୁଣ ଭାବରେ ଆପଣାର ଶାସ୍ତ୍ରରେ ପାଣ୍ଡିତ୍ୟ ଲାଭ କରିଥିବା ନିଜ ପୁଅଠାରୁ ଜାଣିବାକୁ ଇଚ୍ଛା କରିଥିଲେ, ସଂସ୍କୃତ ପବିତ୍ର ଗ୍ରନ୍ଥମାନଙ୍କରେ କ'ଣ ଏପରି କୌଣସି ଉକ୍ତି କିମ୍ବା ଆଭାସ ନାହିଁ, ଯେଉଁଥିରୁ କି ବିଧବାମାନଙ୍କର ପୁନର୍ବିବାହର ସପକ୍ଷରେ ଅନ୍ତତଃ କିଛିହେଲେ ଯୁକ୍ତି ମିଳିଯାଇ ପାରନ୍ତା ! ହଁ, ଯଦି ଶାସ୍ତ୍ରରେ କିଛି ନା କିଛି ରହିଥିବ-। ହଁ, ସେକାଳର କେତେ ମଥା ଶାସ୍ତ୍ର ବୋଲି ଯାହାକିଛି ଲେଖି ଯାଇଥିଲେ, ଏକାଳରେ, ମଧ୍ୟ ଯାବତୀୟ ନୀତିନିର୍ଣ୍ଣୟରେ ସେହିଗୁଡ଼ିକ ହିଁ ନିୟାମକ ହୋଇ ରହିବାକୁ ବାଧ୍ୟ ହେବେ-। କେବଳ ଭାରତବର୍ଷ ନୁହେଁ, ପୃଥିବୀର ପ୍ରାୟ ସବୁ ସମାଜ-ନିୟମନରେ ଏହିପରି ରୀତିଟାଏ ହିଁ ସବୁବେଳେ ଚଳି ଆସିଛି । ଶାସ୍ତ୍ର ବତାଇ ଦେବ ଏବଂ ମଣିଷ ସେହି ଅନୁସାରେ ବାଧ୍ୟ ହେବ-। ସମାଜର ଶାସ୍ତ୍ରକାରମାନେ କ'ଣ ପ୍ରକୃତରେ ଏତେ ନିର୍ଦ୍ଦୟ ଥିଲେ ଯେ ବିଧାବାମାନଙ୍କ ସକାଶେ ଏତେ ଏତେ କଷ୍ଟ ସହିବାର ବରାଦଗୁଡ଼ାକୁ ଲିପିବଦ୍ଧ କରିଦେଇ ଗଲେ–ଭଗବତୀ ଦେବୀ ତଥାପି ବେଳେ ବେଳେ ଏକ ବିସ୍ମୟ ମଧ୍ୟ ପ୍ରକାଶ କରୁଥିଲେ ।

 

ଭାଗ୍ୟବାନ୍ ପୁତ୍ର ମଧ୍ୟ ସେହି ଶାସ୍ତ୍ରର ସାହାଯ୍ୟରେ ଏକ ପ୍ରତିକାରର ସନ୍ଧାନ କରିବାକୁ ଆରମ୍ଭ କଲେ ଓ ସଫଳ ମଧ୍ୟ ହୋଇଥିଲେ । ସେଇଟିର ବୟାନ କରି ସେ ତତ୍କାଳୀନ ସମାଜନ୍ୟାୟର ମାହାଲଗୁଡ଼ିକୁ ବଡ଼ ବିଚଳିତ କରି ପକାଇଥିଲେ । ସରକାରୀ କର୍ମଦାୟିତ୍ଵର ଦୈନନ୍ଦିନତାରୁ ଆପଣାକୁ ମୁକ୍ତ କରି ଆଣିବା ପରେ ସେ ଯେତେବେଳେ ପ୍ରାୟ ସମ୍ପୂର୍ଣ୍ଣ ମୁକ୍ତ ଭାବରେ ଶିକ୍ଷା ତଥା ସଂସ୍କାର-ପ୍ରବର୍ତ୍ତନର କ୍ଷେତ୍ରଗୁଡ଼ିକରେ ଆପଣାକୁ କ୍ରମେ ପ୍ରବିଷ୍ଟ କରାଇ ଆଣିଲେ, ସେତେବେଳେ ଯାଇ ତାଙ୍କୁ ଏକ ସର୍ବବିଧ ଅର୍ଥରେ ସଂଗ୍ରାମ ଭିତରକୁ ଅବତୀର୍ଣ୍ଣ ହେବାର ଅବସର ପ୍ରାପ୍ତ ହୋଇଥିଲା । କେବଳ ଶାସ୍ତ୍ରୀୟ ସମର୍ଥନ ଥିବାରୁ କ'ଣ ସମାଜରେ ବିଧବାମାନେ ଏପରି କ୍ରୂର ଭାବରେ ନାନା କଷଣ ମଧ୍ୟରେ ବାନ୍ଧି ହୋଇ ରହିଥିଲେ ଯେ ଶାସ୍ତ୍ରରେ ଅନ୍ୟପ୍ରକାର ଏକ ପରାମର୍ଶ ମଧ୍ୟ ରହିଛି ବୋଲି ଗୋଚରକୁ ଆସିବାପରେ ପ୍ରମୁଖମାନେ ଆଡ଼େଇ ହୋଇ ବାହାରି ଯାଇଥାନ୍ତେ ଏବଂ ବିଧବାବିବାହକୁ ଅନୁମତି ବି ପ୍ରଦାନ କରିଥାଆନ୍ତେ ! ଶାସ୍ତ୍ରରେ ଲେଖାହୋଇଛି ବା ପରମ୍ପରାରେ ରହିଆସିଛି ବୋଲି କ'ଣ ବିଧବା, ପୁଣି ବାଳବିଧବାମାନଙ୍କୁ ଅଗତ୍ୟା ଏତେ ଏତେ କଷଣ ଭିତରେ ସାଧ୍ୟ କରି ରଖା ଯାଇଥିଲା ? ସଚରାଚର ଏହି କିସମର ସକଳ କ୍ଷେତ୍ରରେ ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ଏକାଧିକ ନ୍ୟସ୍ତସ୍ଵାର୍ଥର ବହଳ କଳାଗୁଡ଼ାକ ତାହାରିଦ୍ଵାରା ଉପକୃତ ହୋଇ ଆସିଥାନ୍ତି ବୋଲି ଆବଶ୍ୟକ ନୂଆ ପହୁଣ୍ଡଗୁଡ଼ିକୁ ଆଗକୁ ପକାଇ ହୁଏନାହିଁ ଏବଂ ପୁରୋଗାମୀମାନଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼େ । ଯାବତୀୟ ପରିବର୍ତ୍ତନ ନିମନ୍ତେ ନିମିତ୍ତ ହୋଇ ବାହାରିଥିବା ବ୍ୟକ୍ତିମାନଙ୍କୁ ସେଥିପାଇଁ ବହୁତ ସଚେତନ ହୋଇ ଖୋଜ ବଢ଼ାଇବାକୁ ହୋଇଥାଏ । ସଂସ୍କାରଟି ନିମନ୍ତେ ଲୋକମାନଙ୍କୁ ପ୍ରସ୍ତୁତ କରି ଆଣିବା ଲାଗି ବିଦ୍ୟାସାଗରଙ୍କୁ ସେହିପରି ବହୁତ ଉପାୟ ଅବଲମ୍ବନ କରିବାକୁ ବି ପଡ଼ିଥିଲା । ନିଜର ବିଚାରଗୁଡ଼ିକୁ ବାଢ଼ି ଦେଇ ସେ ବହିସବୁ ଲେଖିଲେ; ସହଧର୍ମୀ ମେଳଟିଏ ମଧ୍ୟ ଗଢ଼ି ବାହାରିଥିଲେ ଯେଉଁଟି ଉପରେ କି ସିଏ ପ୍ରକୃତରେ ନିର୍ଭର କରିପାରିବେ । ଏବଂ, ସେ ସର୍ବୋପରି ଏଭଳି କେତେକ ପାରିବାର ତଥା ବ୍ୟକ୍ତିଙ୍କୁ ରାଜି କରାଇବେ, ଯେଉଁମାନେ କି ନିଜର ଦୃଷ୍ଟାନ୍ତଦ୍ଵାରା ସମାଜରେ ଅନ୍ୟ କୁଣ୍ଠିତମାନଙ୍କର ଚିତ୍ତରେ ଏକ ସତକୁସତ ପ୍ରତ୍ୟୟକୁ ସମ୍ଭବ କରି ଆଣିବେ । ଏହି ସବୁକିଛି ସମ୍ପୂର୍ଣ୍ଣ ଭାବରେ ଏକାବେଳେକେ,–ବିଦ୍ୟାସାଗରଙ୍କ ଚିତ୍ତରେ ଏତେ ଏତେ ସାହସ କିପରି ସମ୍ଭବ ହେଲା କେଜାଣି ?

 

ଯାବତୀୟ ସମାଜର ଏହି ବିବାହନାମକ ଆନୁଷ୍ଠାନିକ ଆଚାରଟିର ଖାସ୍‍ ପ୍ରକାରଟିଏ କେଉଁଠାରେ କିପରି ହୋଇଥାଏ, ତାହା ଗୋଟିଏ ସମାଜର ଆର୍ଥିକ ଏବଂ ପ୍ରତିପତ୍ତିଗତ ଢାଞ୍ଚାଟି ଉପରେ ବହୁ ପରିମାଣରେ ନିର୍ଭର କରେ । ଭାରତବର୍ଷ ପରି ଏକ ଦେଶରେ, ଯେଉଁଠି ଜାତି ଜାତି ମଧ୍ୟରେ ଭେଦଗତ ନିର୍ଦ୍ଦିଷ୍ଟ ପରମ୍ପରାମାନ ଜବର ହୋଇ ମନୁଷ୍ୟମାନଙ୍କର ସମ୍ପର୍କଗତ ବିବେକଗୁଡ଼ିକୁ ନିୟନ୍ତ୍ରଣ କରେ, ସେଠାରେ ଏକା ଗ୍ରାମରେ ମଧ୍ୟ ଜାତି ଜାତି ମଧ୍ୟରେ ବିବାହର ରୀତି ବହୁତ ଭିନ୍ନ ହୋଇ ରହିଥିବାର ଦେଖିବାକୁ ମିଳେ । ସେହି ଚଳଣିଗୁଡ଼ିକ ଅନୁସାରେ ହିଁ ସମ୍ଭବତଃ ଶାସ୍ତ୍ରଗୁଡ଼ିକ ମଧ୍ୟ ଲେଖାହୋଇ ରହିଥାନ୍ତି । ତେଣୁ, ଆଚାରଶାସ୍ତ୍ରଗୁଡ଼ିକୁ ଗୋଟିଏ ଗୋଟିଏ ଧର୍ମଶାସ୍ତ୍ର ପରି ସଂପୃକ୍ତ ସମସ୍ତେ ମାନୁଥିଲେ ମଧ୍ୟ ଧର୍ମଶାସ୍ତ୍ରର ପରାମର୍ଶ ମାନି ଯେ ଆଚାରମାନ ଚଳୁଥାଏ, ସେକଥା ନୁହେଁ । ଖୁବ୍‍ସମ୍ଭବ ଆଗେ ଆଗେ ଚଳଣିଗୁଡ଼ିକ ହିଁ ଥାଆନ୍ତି ଓ ସେହି ମୁତାବକ ଏକ ଧର୍ମୀୟ ଗମ୍ଭୀରତା ଦେଇ ସେଗୁଡ଼ିକୁ ଶାସ୍ତ୍ରମାନଙ୍କରେ ଗଚ୍ଛାଇ ରଖା ଯାଇଥାଏ । ତେଣୁ, ବିଧବାବିବାହକୁ ସମର୍ଥନ ଦେଇ, କେଉଁ ମୁନିକୃତ କେଉଁ ସଂହିତାରେ କିଛି ଲେଖା ହୋଇଛି ବୋଲି ଜଣାପଡ଼ିବାଦ୍ୱାରା ଯେ ସମସ୍ତେ ପୁରୁଣା ବେଭାରକୁ ପରିହାର କରି ନୂଆକୁ ଗ୍ରହଣ କରନ୍ତି, ସେକଥା ଆଦୌ ନୁହେଁ । ଅର୍ଥାତ୍‍, ବହୁକାଳରୁ ପ୍ରଚଳିତ ଲୋକଚାରଟା ସମ୍ମୁଖରେ ଗୋଟିଏ ଅନ୍ୟଭଳି ରୀତିର ପ୍ରବର୍ତ୍ତନ ନିମନ୍ତେ ବିଦ୍ୟାସାଗରଙ୍କୁ ସମ୍ଭାବିତ ସକଳ ମହଲରୁ ଘୋର ବିରୋଧ ସହ୍ୟ କରିବାକୁ ହୋଇଥିଲା । ଯାହା ବହୁକାଳରୁ ପ୍ରଚଳିତ ରହିଛି, ତାହା ଅଭ୍ରାନ୍ତ ଏବଂ ତେଣୁ ଆମେ ତାହାର ହିଁ ଅନୁଗମନ କରିବୁ,–ସମାଜସ୍ଥ ଅଧିକତର ପକ୍ଷଟିର ସେହି ଅନମନୀୟତା ସହିତ ଲଢ଼ିବାକୁ ହୋଇଥିଲା । ଏବଂ, ପଦକ୍ଷେପଟିକୁ ଗ୍ରହଣ କରିବେ ବୋଲି ସଂକଳ୍ପବଦ୍ଧ ହୋଇ ଯେତେବେଳେ ସିଏ ବାହାରକୁ ବାହାରି ଅସିଲେ, ସେତେବେଳେ ତାଙ୍କୁ ପ୍ରାୟ ଏକା ଏକା ହିଁ ଛିଡ଼ା ହେବାକୁ ହେଲା । ତାଙ୍କ ଭିତରେ ରହିଥିବା ସାହସଟା ହିଁ ତାଙ୍କୁ ନେତୃତ୍ୱର ଯାବତୀୟ ଖୋରାକ ଆଣି ଯୋଗାଇ ଦେଲା । ସବୁମନ୍ତେ ବିଦ୍ୟାସାଗର ପବିତ୍ରବତ୍‍ ବିଶ୍ୱାସ କରାଯାଉଥିବା ଅରୀତିଟିର ସାମନା କରି ବାହାରିଥିଲେ ।

 

ଅତ୍ୟନ୍ତ ଅଳ୍ପ ବୟସରୁ ଯେ ଏତେ କନ୍ୟା ବିଧବା ହୋଇ ଯାତନା ଭୋଗ କରୁଥିଲେ, ବାଲ୍ୟବିବାହ ତା'ର ମୂଳ କାରଣ ଥିଲା । ଜଣେ ପୁରୁଷ କେତେ ବର୍ଷ ବୟସଯାଏ କନ୍ୟାଗ୍ରହଣ କରିବ, ତାହାର କୌଣସି ସୀମା କିମ୍ବା ବାଧା ନଥିଲା । ନିତାନ୍ତ ବୃଦ୍ଧମାନେ ମଧ୍ୟ ବହୁବିଧ ଆଳରେ ନୂତନ ପତ୍ନୀ ଗ୍ରହଣ କରିବାକୁ ଆଗ୍ରହ କଲାମାତ୍ରକେ ପିଲା କନ୍ୟାଟିଏ ଘରକୁ ଆଣୁଥିଲେ । ଏସବୁ ଚଳଣି ଥିଲାବାଲାଙ୍କ ନିମନ୍ତେ ଓ ଉଚ୍ଚ ଜାତିର ମହଲରେ ରହିଥିଲା । ସାଧାରଣ ଅନାମଧେୟମାନଙ୍କ ବିଷୟରେ କୌଣସି ହିସାବର ଅନୁମାନ କରିବା ଆଗରୁ ହିଁ ଆମକୁ ତ ସମ୍ପୂର୍ଣ୍ଣ ହତଚକିତ ହେବାକୁ ପଡ଼ିବ ଯେ ତତ୍କାଳୀନ ସମ୍ଭ୍ରାନ୍ତ ବଙ୍ଗଦେଶରେ ସୁବିଦିତ ବ୍ୟକ୍ତିମାନେ ମଧ୍ୟ ସେକାଳର ବଂଶାଚାରଦ୍ୱାରା ବାଧ୍ୟ ହୋଇ ନିତାନ୍ତ ଅଳ୍ପବୟସର କନ୍ୟାମାନଙ୍କୁ ବିବାହ କରୁଥିଲେ । ଗୋଟିଏ ଥାନରେ ପ୍ରଦତ୍ତ ହିସାବଟିଏ ଅନୁସାରେ ସେହିପରି ପ୍ରସିଦ୍ଧ କେତେଜଣ ବ୍ୟକ୍ତି ବିବାହ କରିଥିବା ସମୟରେ ସେମାନଙ୍କର ଓ ସେମାନେ ପାଣିଗ୍ରହଣ କରିଥିବା ପତ୍ନୀମାନଙ୍କର ବୟସ ଯଥାକ୍ରମେ ଏହିପରି ଥିଲା: ମହର୍ଷି ଦେବେନ୍ଦ୍ରନାଥ ଠାକୁର–ଚଉଦ ଏବଂ ଛଅବର୍ଷ, ବ୍ରାହ୍ମଧର୍ମର ଜଣେ ମୁଖ୍ୟ ପୁରୋଧା କେଶବଚନ୍ଦ୍ର ସେନ–ଅଠର ଓ ନଅ, ମହାନ୍‍ ଲେଖକ ଋଷି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ–ଏଗାର ଏବଂ ପାଞ୍ଚ, ଜ୍ୟୋତିରୀନ୍ଦ୍ରନାଥ ଠାକୁର–ଊଣେଇଶି ଓ ଆଠ, ଭୂଦେବ ମୁଖୋପାଧ୍ୟାୟ ଷୋହଳ ଏବଂ ଏଗାର, ସତ୍ୟେନ୍ଦ୍ରନାଥ ଠାକୁର–ସତର ଓ ସାତ, ସାହିତ୍ୟ-ରଚୟିତା ନବୀନଚନ୍ଦ୍ର ସେନ–ଊଣେଇଶି ଏବଂ ଦଶ, ଓ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର–ଚଉଦ ଓ ଆଠ । ବିଶେଷ ଭାବରେ ଲକ୍ଷ୍ୟ କରାଯାଇ ପାରିବ ଯେ ଏକୁଟିଆ ନବୀନଚନ୍ଦ୍ରଙ୍କୁ ଛାଡ଼ିଦେଲେ ସେମାନେ ବାକି ସମସ୍ତେ ବ୍ରାହ୍ମଣ ବଂଶରେ ଜାତ ହୋଇଥିଲେ ଏବଂ ସ୍ପଷ୍ଟତଃ ଧନୀଘରର ଥିଲେ । କେବଳ ଈଶ୍ୱରଚନ୍ଦ୍ର ହିଁ ଗରିବ ପରିବାରରୁ ଆସିଥିଲେ ।

 

ଏବଂ, ତଥାକଥିତ କୁଳୀନମାନଙ୍କ ଭିତରେ ବହୁବିବାହ ଅର୍ଥାତ୍ ବହୁପତ୍ନୀ-ଗ୍ରହଣର ପ୍ରଥାଟିଏ ମଧ୍ୟ ବାଳିକାକନ୍ୟା ବିବାହର ସେହି ଅନ୍ୟ ପ୍ରଥାଟିର ଅନୁପୂରକ ହୋଇ ରହି ଆସିଥିଲା । ଆମ ଦେଶର ରାଜାରାଜୁଡ଼ାମାନେ ତ ଦେଶ ସ୍ଵାଧୀନତା ଲାଭ କରିବା ପର୍ଯ୍ୟନ୍ତ ଅଳ୍ପବହୁତେ ସେହି ପ୍ରଥାଟିକୁ ଖୁବ୍ ପାଳନ କରି ଆସିଥିଲେ । କାଳର ବିଧାତାଙ୍କୁ ସେମାନେ ଖୁବ୍ ପ୍ରତ୍ୟୟଯୁକ୍ତ ଭାବରେ ବୁଝାଇ ଦେଇ ପାରୁଥିଲେ ଯେ, ଯେହେତୁ ସେମାନଙ୍କ ପାଖରେ ଏକ ମଜବୁତ ସ୍ଥାବର ସ୍ଥିତି ଅର୍ଥାତ୍ ସମ୍ପତ୍ତି ମହଜୁଦ ରହିଛି, ସେମାନଙ୍କ ନିମନ୍ତେ ବହୁପତ୍ନୀ-ଗ୍ରହଣର ସ୍ଵତନ୍ତ୍ର ଏକ ଅନୁମତି ରହିଲେ ବିଧାତାଙ୍କର ଏହି ପୃଥିବୀରୂପକ ହିଁ ଗୃହଟି ଭିତରେ ମୋଟେ କୌଣସି ଅରୀତି କିମ୍ବା ଅଧର୍ମ ଆସି ପଶି ଯିବନାହିଁ । ଜଣେ ଇଂରାଜଙ୍କର ବିବରଣ ଅନୁସାରେ, ବଙ୍ଗଳାର କୁଳୀନ ବ୍ରାହ୍ମଣମାନେ ନିଜ ପାଟକର ଏକାଧିକ ଦୁହିତାଙ୍କୁ ବଧୂରୂପେ ଗ୍ରହଣ କରି ଘରକୁ ଆଣୁଥିଲେ । କେତେକ କ୍ଷେତ୍ରରେ ଔପଚାରିକ ନିୟମଗୁଡ଼ିକୁ ମାନି ତାହା କରା ଯାଉଥିଲା ଏବଂ ଆଉ କେତେକ ଦୃଷ୍ଟାନ୍ତରେ ଔପଚାରିକତାର ଆଶ୍ରୟ ନନେଇ ତଥାପି କାର୍ଯ୍ୟତଃ ସେହିପରି ଏକ ଆନୁଷ୍ଠାନିକତାକୁ ପ୍ରଶ୍ରୟ ଦିଆ ଯାଉଥିଲା । ସେହି ନିତାନ୍ତ ଅଭାଗିନୀ ଝିଅମାନଙ୍କ ଲାଗି ହୁଏତ ପ୍ରଧାନତଃ ଆର୍ଥିକ କାରଣରୁ କୌଣସି ପତି ଉପଲବ୍ଧ ହୋଇ ପାରୁନଥିଲା ଏବଂ ସେହିଭଳି ସ୍ଥିତିମାନଙ୍କରେ ଅବସ୍ଥାପନ୍ନ କୁଳୀନମାନେ ବହୁତ ଅର୍ଥ ପ୍ରଦାନ କରି ଦରିଦ୍ର ପିତାମାନଙ୍କଠାରୁ ସେହି କନ୍ୟାମାନଙ୍କୁ ନିଜ ଘରକୁ ଆଣି ପାରୁଥିଲେ ।

 

ଏହିସବୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସତକୁସତ ଅନ୍ତତଃ କେତୋଟି ବିଧବାବିବାହ କରାଇ ପାରିଲେ ସିନା ଲୋକେ ଏହା ସମ୍ଭବ ବୋଲି ଜାଣିବେ ଏବଂ ତା'ପରେ ହୁଏତ ବିଧବା-ପୁନର୍ବିବାହର ଆବଶ୍ୟକତାକୁ ଅନୁଭବ କରିବା ଦିଗରେ କିଞ୍ଚିତ୍ ଅନୁକୂଳ ମନୋଭାବ ଦେଖାଇ ପାରିବେ ! ଏବଂ, ସେଥିଲାଗି ଈଶ୍ଵରଚନ୍ଦ୍ରଙ୍କୁ ବହୁ ଧୈର୍ଯ୍ୟ ଅର୍ଥାତ୍ ଆତ୍ମବିଶ୍ଵାସ ସହିତ ଜଣେ ଘଟକର କାର୍ଯ୍ୟ ମଧ୍ୟ କରିବାକୁ ପଡ଼ିଥିଲା । ଆତ୍ମବିଶ୍ଵାସର ପାଶ୍ଚାତରେ ଏହିପରି ଏକ ଆନୁଷଙ୍ଗିକ ବିଶ୍ଵାସ ମଧ୍ୟ ତାଙ୍କ ଭିତରେ ଅବଶ୍ୟ ରହିଥିବ ଯେ, ଶୀଘ୍ର ହେଉ କିମ୍ବା ବିଳମ୍ବରେ ହେଉ ଅଧିକରୁ ଅଧିକ ମନୁଷ୍ୟ ସତ୍ୟଟିକୁ ପ୍ରକୃତରେ ବୁଝିବେ, ଦୁଃଖିନୀ ବାଳବିଧବାମାନଙ୍କର ଯାତନାଟାକୁ ଏକ ପୂର୍ଣ୍ଣମାନବିକ ସହାନୁଭୂତି ସହିତ ଅନୁଭବ କରିବେ ଏବଂ କ୍ରମେ ନମନୀୟ ହୋଇ ଆସିବେ । ଯାହା ଯୁଗଯୁଗରୁ ରହିଆସିଛି, ଏକ ନୂତନ ଆବଶ୍ୟକତାର ଆହ୍ଵାନ ଆସି ପହଞ୍ଚିଲେ ତାହାକୁ ଯେ ବଦଳାଇ ଦେବା ହିଁ ବିବେକୋଚିତ ହେବ, ଏହିପରି ଅନ୍ୟ ପ୍ରତ୍ୟୟଟିଏ ଆସୁଥିବା ସଙ୍ଗେ ସଙ୍ଗେ ସେମାନେ ଅଚଳପ୍ରାୟ ନିୟମଗୁଡ଼ିକର ତୁଳନାରେ ମନୁଷ୍ୟଟିକୁ ହିଁ ଅଧିକ ଗୁରୁତ୍ଵ ତଥା ମୂଲ୍ୟ ଦେଇ ଦେଖି ଶିଖିବେ । ହଁ, ହୁଏତ ସବାଆଗେ ବାଳବିଧବାମାନଙ୍କର ପିତାମାତାଙ୍କୁ ରାଜି କରାଇବାକୁ ହେଉଥିଲା ଏବଂ ତା'ପରେ ସେମାନଙ୍କର ସ୍ଥାନୀୟ ସମାଜଟିର ହୃଦ୍‍ବୋଧ କରାଇବାର ଚେଷ୍ଟା କରାଯାଉଥିଲା । ପ୍ରଥମେ ଅଳ୍ପ ବ୍ୟକ୍ତି ରାଜି ହେଉଥିଲେ ଓ କ୍ରମେ ଏକ ଅନୁକୂଳ ସ୍ଥାନୀୟ ହାଉଆ ସୃଷ୍ଟି ହୋଇ ଆସୁଥିବାର ଅନ୍ଦାଜ କରି ବି ହେଉଥିଲା ।

 

ତଥାପି ଏକ ଚଳଣିବିରୁଦ୍ଧ ପ୍ରବର୍ତ୍ତନର କ୍ଷେତ୍ରରେ ଯେ ସବୁବେଳେ ସମ୍ପୃକ୍ତ ସକଳ ପକ୍ଷକୁ ମନାଇ ଅଣାଯାଇ ପାରୁଥିଲା, ସେକଥା ଆଦୌ ନୁହେଁ । ଯାହା ଉଚିତ ଏବଂ ତେଣୁ ନ୍ୟାୟତଃ ଯେଉଁଟି ହେବା ଉଚିତ, ବିଦ୍ୟାସାଗର ସେଇଟି ବିଷୟରେ କୃତସଂକଳ୍ପ ହୋଇଯିବା ପରେ ତାଙ୍କଲାଗି ନରସ୍ତ ହୋଇ ରହିଯିବାର ପ୍ରଶ୍ନ ହିଁ ନଥିଲେ । ହଁ, ଲୋକମତ ମଧ୍ୟ ସାଙ୍ଗରେ ରହିଥିବା ଉଚିତ, ମାତ୍ର ଲୋକମତଟିକୁ ଅନୁକୂଳ କରପାଇ ପାରିବା ପୂରା ପକ୍କା ହୋଇନାହିଁ ବୋଲି ଅତ୍ୟାବଶ୍ୟକ ସଂସ୍କାରଟିଏ ଯେ ଅନନ୍ତ କାଳଯାଏ ଅପେକ୍ଷା କରି ରହିଥିବ, ସିଏ କେବେହେଲେ ତାହାର ସପକ୍ଷରେ ନଥିଲେ । ବାସ୍ତବ କ୍ଷେତ୍ରରେ ନୂତନଟିଏ ପ୍ରକୃତରେ ଘଟୁଛି ବୋଲି ଦେଖିଲେ ହୁଏତ ଲୋକମତ ତଥା ସମର୍ଥନ ବରଂ ଅପେକ୍ଷାକୃତ ଆହୁରି ଶୀଘ୍ର ନଇଁ ଆସିବ, ଈଶ୍ଵରଚନ୍ଦ୍ର ସେହିପରି କିଛି ଚିନ୍ତା କରୁଥିଲେ କି ? ତେଣୁ, ବିଧବା ବାଳିକା କନ୍ୟାଟିର ପିତାମାତା ସମ୍ମତି ନଦେଇଥିଲେ ତଥାପି ବିବାହ-ଅନୁଷ୍ଠାନଟିଏ କଦାପି ଅପେକ୍ଷା କରି କ'ଣ ପାଇଁ ଅଟକି ରହିଥିବ ? ୧୮୫୬ ମସିହା ଡିସେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବିଧବାବିବାହଟାରେ ମଧ୍ୟ କନ୍ୟାର ପିତା ରାଜି ନଥିଲେ ଓ ନିଜ ଘରେ ଏକ ବିଧବାର ପୁନଃପରିଣୟ ଉପଲକ୍ଷେ ବେଦୀଟିଏ ତିଆରି ହେଉ ବୋଲି ଇଚ୍ଛା କରି ନଥିଲେ । ହଁ, ଯଦି ତଥାପି ହେବା କଥା, ତେବେ ହେଉ, କିନ୍ତୁ ଆମ ଘରେ ନୁହେଁ,–ଆଉ କେଉଁଠି ହେଉ । ଈଶ୍ଵରଚନ୍ଦ୍ରଙ୍କର ଜଣେ ବନ୍ଧୁଙ୍କର ଗୃହରେ ଉତ୍ସବଟି ସମ୍ପନ୍ନ ହୋଇଥିଲା । କଲିକତା ସହର ଭିତରେ । ସେଦିନ ସନ୍ଧ୍ୟାବେଳକୁ ଘରଟି ସମ୍ମୁଖରେ ପ୍ରବଳ ଭିଡ଼ । କ'ଣ ପ୍ରକୃତରେ ହେବ ଦେଖିବା । ବିଧାଟା ଏହି ଅବିଧିଟିକୁ ଆଦୌ ସମ୍ଭବ ହେବାକୁ ଦେବେନାହିଁ, ତେଣୁ କ୍ରୋଧ କରିବେ ଏବଂ ତେଣୁ ହୁଏତ କିଛି ଅଶୁଭ ଘଟିବ ବୋଲି ସେମାନେ ଧରି ନେଇଥିବେ । ଅବଶ୍ୟ ଅଧିକତମ ସଂଖ୍ୟକ ଏକ ସରଳ କୌତୂହଳଦ୍ଵାରା ଆକର୍ଷିତ ହୋଇ ସେଠାକୁ ଆସିଥିବେ । ହଁ, ରାସ୍ତା ଉପରେ ପୋଲିସ୍ ଲୋକେ ପହରା ଦେଉଛନ୍ତି । କୁଆଡ଼େ ଦୁଇ ଦୁଇ ହାତ ଦୂରତାରେ ଜଣେ ଜଣେ ପୋଲିସ୍ । କାଳେ କୌଣସି ଶାନ୍ତିଭଙ୍ଗ ହୋଇପାରେ ବୋଲି ଆଶଙ୍କା କରି ବିଦ୍ୟାସାଗର ନିଜେ ସଂପୃକ୍ତ ବିଭାଗଟିକୁ ଖବର ଦେଇ ସେହିପରି ବ୍ୟବସ୍ଥା କରାଇଥିଲେ । ରାସ୍ତା ଉପରେ ଏତେ ଭିଡ଼କୁ ଦେଖି ନିଜେ ବରଙ୍କର ମନଭିତରଟା ମଧ୍ୟ ବେଶ୍ ଶଙ୍କାଚ୍ଛନ୍ନ ହୋଇ ରହିଥିଲା । ସିଏ ଏପରି ଗୋଟିଏ ଅଚଳଣି ଲାଗି ରାଜି ହୋଇଥିବାରୁ ଲୋକମାନେ ସର୍ବାଧିକ ପରିମାଣରେ ତାଙ୍କରି ଉପରେ ଅସନ୍ତୁଷ୍ଟ ହୋଇ ରହିଥିବେ କି ? ହୁଏତ, ସେହିପରି କିଛି ଘ୍ରାଣ କରୁଥିବାରୁ ବିଦ୍ୟାସାଗରଙ୍କର କତିପୟ ବନ୍ଧୁ ବରକୁ ସୁରକ୍ଷା ଦେବାପରି ତାଙ୍କର କତି ହୋଇ ରହିବାକୁ ଚେଷ୍ଟା ମଧ୍ୟ କରୁଥାନ୍ତି । ଏହି ସବୁକିଛି ମଧ୍ୟରେ ଅନୁଷ୍ଠାନଟି ସମ୍ପନ୍ନ ହୋଇଗଲା । ବିଦ୍ୟାସାଗରଙ୍କର ଜୟ ଜୟ ଧ୍ୱନିରେ ଆକାଶ କମ୍ପି ଯାଇଥିଲା । ଗୋଟାଏ କେଡ଼େବଡ଼ ଅବିଶ୍ଵାସ୍ୟ ଘଟଣାଟିଏ ସତକୁସତ ଘଟିଥିଲା ।

 

ସମସାମୟିକ ଜନୈକ ବ୍ୟକ୍ତିଙ୍କର ଦିନଲିପିରୁ ଏହିଭଳି ବିବରଣୀଟିଏ ଦେଖିବାକୁ ମିଳିବ: ଆଜି ଆମ ଦେଶର ଇତିହାସରେ ପ୍ରକୃତରେ ଗୋଟିଏ ନୂତନ ଯୁଗ ଆରମ୍ଭ ହେଲା । ଆଜି ରାତିରେ ପ୍ରଥମ ବିଧବାବିବାହ ସମ୍ପନ୍ନ ହେଲା । ...ଆମ ଘରର ଅନ୍ୟମାନଙ୍କ ସହିତ ମୁଁ ଉତ୍ସବଟିକୁ ଦେଖିବା ସକାଶେ ଯାଇଥିଲି । ସେଠାରେ ଅନେକ ଲୋକଙ୍କର ଭିଡ଼ । ଅବଶ୍ୟ ଯୁବାବୟସର ଲୋକେ ହିଁ ସର୍ବାଧିକ ସଂଖ୍ୟାରେ ଥିଲେ,–ତା'ଛଡ଼ା ସରକାରୀ ସଂସ୍କୃତ କଲେଜର କେତେଜଣ ଅଧ୍ୟାପକ ମଧ୍ୟ ଉପସ୍ଥିତ ଥିଲେ । ପାଖ ଆଖ କେତେକ ସ୍ଥାନରୁ କେତେଜଣ ପଣ୍ଡିତ ମଧ୍ୟ ଥିଲେ । ସବୁକିଛି କାର୍ଯ୍ୟ ସମ୍ପୂର୍ଣ୍ଣ ନିର୍ବିଘ୍ନରେ ସମାହିତ ହୋଇ ଯାଇଥିଲା । ପୁରାତନ ଶାସ୍ତ୍ରପଦ୍ଧତି ଅନୁସାରେ କନ୍ୟାର ବିଧବା ମାଆ କନ୍ୟାସଂପ୍ରଦାନ କରିଥିଲେ । ସେଠାରେ ସେହି ପରିବାରର ଲୋକମାନଙ୍କ ସହିତ ବିଦ୍ୟାସାଗର ମଧ୍ୟ ଉପସ୍ଥିତ ଥିଲେ । ସେହି ବିଦ୍ୟାସାଗରଙ୍କର ଅବିଶ୍ରାନ୍ତ ଉତ୍ସାହ । ଏବଂ ଅନ୍ୟମାନଙ୍କୁ ବୁଝାଇ ପରିବାର ଶକ୍ତିଟି ବଳରେ ତ ଏତେ ବଡ଼ ଘଟଣାଟିଏ ସମ୍ଭବ ହେଲା । ହୁଳହୁଳି ଶବ୍ଦରେ ଉତ୍ସବର ସ୍ଥାନଟି ବାରମ୍ବାର ଉତ୍ସବବିହ୍ଵଳ ହୋଇ ଉଠୁଥିଲା । ପରିଣୟ-କର୍ମଟି ସମ୍ପୂର୍ଣ୍ଣ ହେବା ସହିତ ଭୋଜନ-ଆପ୍ୟାୟନର କାର୍ଯ୍ୟଟିରେ ମଧ୍ୟ ଆଦୌ କୌଣସି ତ୍ରୁଟି କରାଯାଇ ନଥିଲା । ପ୍ରାୟ ଛଅଶହ ଲୋକଙ୍କର ଆନନ୍ଦପୂର୍ଣ୍ଣ ସହଯୋଗରେ ଅବସରଟି ଆରମ୍ଭରୁ ଉଦ୍‍ଯାପନ ପର୍ଯ୍ୟନ୍ତ ମୁଖର ହୋଇ ରହିଥିଲା । ତଥାପି ଖୁବ୍ ଧରା ପଡ଼ି ଯାଉଥିଲା ଯେ, କନ୍ୟାପକ୍ଷର ପରିବାର କିମ୍ବା ଜ୍ଞାତିମାନଙ୍କ ମଧ୍ୟରୁ ସେଠାରେ କେହି ଉପସ୍ଥିତ ନଥିଲେ । ଏବଂ, ଅବଶ୍ୟ ସ୍ଵୀକାର କରିବାକୁ ପଡ଼ିବ ଯେ,ଏହି ଅନୁଷ୍ଠାନଟିରେ ଅଗ୍ରଣୀ ହୋଇ ବାହାରି ଆସିଥିବା ବର ପ୍ରକୃତରେ ଏପରି କରି ଏକ ବିଶେଷ ସାହସିକତାର ପ୍ରଦର୍ଶନ ହିଁ କରିଥିଲେ ।

 

ଏହି ସମୟର ଆଉଗୋଟିଏ ସଂବାଦପତ୍ରରୁ ଏହି ସର୍ବପ୍ରଥମ ବିଧବାବିବାହ ସମ୍ବନ୍ଧରେ ଆନୁଷଙ୍ଗିକ ଆଉ କିଛି ପ୍ରତିକ୍ରିୟା ବିଷୟରେ ଆଉକିଛି ଅନୁମାନ ମଧ୍ୟ କରାଯାଇ ପାରିବ : ଯେଉଁଟି ନିମନ୍ତେ ଆମେ ଦୀର୍ଘ କାଳରୁ କେତେ ପରିଶ୍ରମ କରି ଆସିଥିଲୁ ଏବଂ ଯେଉଁଟି ସକାଶେ ଆମ ଦେଶର ଅନେକ ବ୍ୟକ୍ତି ତଥା ଅନୁଷ୍ଠାନ ଆମକୁ ତିରସ୍କାର କରି ଆସିଥିଲେ ଓ ଏପରିକି ଏକାଧିକ ଅନ୍ୟ ଲୋକଙ୍କର ପ୍ରରୋଚନାରେ ପଡ଼ି କେତେ କେତେ ଆହୁରି ବି ଆମର ନାନାଭାବେ କ୍ଷତି ମଧ୍ୟ କରିଥଲେ,–ମୋଟ କଥାରେ କହିବାକୁ ଗଲେ, ହିନ୍ଦୁ ସମାଜର ବହୁସଂଖ୍ୟକ ବ୍ୟକ୍ତି ଆମପ୍ରତି ନାନା ଶତ୍ରୁତାଚରଣ କରିଥିଲେ,–ଆମେ ତ ନିରୁପାୟପ୍ରାୟ ହୋଇ କେବଳ ପରମେଶ୍ଵରଙ୍କର ଅନୁଗ୍ରହ ପ୍ରାର୍ଥନା କରୁଥିଲୁ ଏବଂ ଯେଉଁ ପଥଟିକୁ ନିଜର କର୍ତ୍ତବ୍ୟରୂପେ ବାଛି ନେଇଥିଲୁ, ସମ୍ଭବତଃ ତାହାରି ବଳରେ ହିଁ ସେହି ପଥରେ ଅବିଚଳିତ ହୋଇ ରହି ପାରୁଥିଲୁ, ଗତ ରବିବାରର ରାତିରେ ଆମର ସେହି ସ୍ଵପ୍ନଟି ଏକ ପ୍ରକାର ସଫଳତା ହିଁ ଲାଭ କଲା । ଏବଂ, ସେଥିପାଇଁ ଆମେ ପରମେଶ୍ଵରଙ୍କ ପାଖରେ ଅଶେଷ କୃତଜ୍ଞତା ଜ୍ଞାପନ କଲୁ । ....ପୁନର୍ବିବାହ କରିଥିବା ବିଧବା କନ୍ୟାଟିର ବୟସ ମାତ୍ର ଏଗାର ବର୍ଷ,–ଆପଣାର ପ୍ରାଣାଧିକ କନ୍ୟାର ବୈଧବ୍ୟଜନିତ ଯନ୍ତ୍ରଣାକୁ ସହ୍ୟ କରି ପାରିଲେ ନାହିଁ ବୋଲି ତା'ର ମାଆ ଏହି ବିବାହଲାଗି ସମ୍ମତି ଦେଲେ, ଝିଅଟିକୁ ସାଙ୍ଗରେ ନେଇ କଲିକତା ଆସିଲେ ଏବଂ କନ୍ୟାସଂପ୍ରଦାନ କରାଇଲେ । ସେହି ଅବସରରେ ସର୍ବମୋଟ ପ୍ରାୟ ଦୁଇହଜାର ଲୋକଙ୍କର ସମାଗମ ହୋଇଥିଲା ଏବଂ ପ୍ରାୟ ସେତିକି ଲୋକଙ୍କ ନିମନ୍ତେ ଭୋଜନାଦିର ବ୍ୟବସ୍ଥା ମଧ୍ୟ ହୋଇଥିଲା । ....ଏବଂ ଶେଷରେ ଏକଥା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ, ଏହି ଅବସରରେ ଆମେ ଶ୍ରୀଯୁକ୍ତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ତଥା ତାଙ୍କର ସହଯୋଗୀ ଅନ୍ୟମାନଙ୍କୁ ମଧ୍ୟ ପ୍ରଣାମ କରିବା, ଯେଉଁମାନଙ୍କର ସତ୍‍ଚେଷ୍ଟା ହେତୁ ହିନ୍ଦୁ ବିଧବାମାନଙ୍କର ବୈଧବ୍ୟଜନିତ କଷ୍ଟର ନିବାରଣ ହେବା ଦିଗରେ ଏପରି ଗୋଟିଏ ଉପାୟ ଅନୁସୃତ ହୋଇ ପାରିଲା ।

 

ସର୍ବପ୍ରଥମେ ବିବାହ କରିଥିବା ଏହି ବିଧବା ଝିଅଟିର ମାତ୍ର ଚାରିବର୍ଷରେ ବିବାହ ହୋଇଥିଲା; ଛଅବର୍ଷ ବୟସରେ ହିଁ ସେ ବିଧବା ହେଲା । ଅତି ଗେହ୍ଲା ଗୋଟିଏ ମାତ୍ର ଝିଅ,–ତା'ର ବୈଧବ୍ୟଜୀବନର ଦୁଃଖକୁ ଆଖିଆଗରେ ଦେଖି ସମଦୁଃଖିନୀ ମାଆ ସର୍ବଦା ରୋଦନ କରିବାରେ ଲାଗିଥିଲେ ଏବଂ, ବିଧବାବିବାହ ନିମନ୍ତେ ଆନ୍ଦୋଳନଟିଏ ଆରମ୍ଭ ହୋଇଛି ବୋଲି ଯେତେବେଳେ ସିଏ ଶୁଣିବାକୁ ପାଇଲେ, ସେହି ସମୟରୁ ମନସ୍ଥ କରି ନେଇଥିଲେ ଯେ, ଈଶ୍ଵରଙ୍କର ଦୟା ରହିଥିଲେ ସିଏ ମଧ୍ୟ ଝିଅର ପୁନର୍ବିବାହ କରାଇବେ ଏବଂ ତାହାକୁ ରକ୍ଷା କରିବେ । ତଥ୍ୟ କହୁଛି, ପ୍ରଥମ ବିବାହାର ପରଦିନ ହିଁ ଏକ ଦ୍ଵିତୀୟ ବିଧବାବିବାହ ମଧ୍ୟ ହୋଇ ଯାଇଥିଲା । ପ୍ରକୃତ ମୁହୂର୍ତ୍ତଟି ଯେତେବେଳେ ଆସି ପହଞ୍ଚିଗଲା, ଆଉ ପଥରୋଧ କରିବାକୁ କ୍ରମେ ଆଉ କାହାରି ପକ୍ଷରେ ସମ୍ଭବ ହେଲାନାହିଁ । ସେହି ସମୟରେ କଲିକତାରୁ ବାହାରୁଥିବା ଏକ ଇଂରାଜୀ କାଗଜ ଏହି ସମ୍ପର୍କରେ ମନ୍ତବ୍ୟ ଦେଇଥିଲା: ଏବେ ଲାଗୁ ହୋଇଥିବା ଆଇନ୍-ଟି ବଳରେ ଏହି ସପ୍ତାହରେ ଦୁଇଗୋଟି ବିଧବାବିବାହ ଅନୁଷ୍ଠିତ ହୋଇ ଯାଇଛି । ଏହି ନୂତନ ସାମାଜିକ ପ୍ରବର୍ତ୍ତନଟି ଲାଗି ତଥାପି ସମୟ ଉପସ୍ଥିତ ହୋଇନାହିଁ ବୋଲି ଯେଉଁମାନେ ଭୟ କରୁଥିଲେ, ସେମାନଙ୍କର ଆଶଙ୍କା ପ୍ରକୃତରେ ଦୂରୀଭୂତ ହୋଇଛି । ସଂପ୍ରତି ଏହି ନୂତନ ପରିବର୍ତ୍ତନଟିର ସପକ୍ଷରେ ପ୍ରାୟ ପ୍ରତ୍ୟହ ହିଁ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଏବଂ ଅପର ପକ୍ଷରେ ଅତ୍ୟନ୍ତ ରକ୍ଷଣଶୀଳମାନଙ୍କର ଏଇଥିଲାଗି ବିରୋଧ ହ୍ରାସ ହେଉଛି । ଏହି ଉତ୍ତମ କାର୍ଯ୍ୟଟିକୁ ବାସ୍ତବ କରାଇବା ଦିଗରେ ଯେଉଁମାନେ ଅବିଚଳିତ ଭାବରେ ପ୍ରୟାସ କରି ଆସିଛନ୍ତି, ବର୍ତ୍ତମାନ ତ ସେହିମାନଙ୍କ ପ୍ରତି ସର୍ବପ୍ରଥମେ ନିଜର କୃତଜ୍ଞତା ହିଁ ପ୍ରକଟ କରିବାକୁ ପଡ଼ିବ । ସେମାନଙ୍କର ଏତେଦିନର ଉଦ୍ୟମଗୁଡ଼ିକ ପ୍ରକୃତରେ ସଫଳତା ଲାଭ କରିଛି । ସମ୍ପନ୍ନ ହୋଇଥିବା ଦୁଇଟିଯାକ ବିଧବାବିବାହ ତାହାକୁ ସ୍ପଷ୍ଟଭାବରେ ପ୍ରମାଣ କରି ପାରିଛି । ....ସମାଜର ଅପେକ୍ଷାକୃତ ଅଧିକ ପ୍ରଭାବଶାଳୀ ଭାଗଟିରେ ଏହି ନୂତନ ଦୃଷ୍ଟାନ୍ତମାନ ସମ୍ଭବ ହୋଇଛି ଏବଂ ଏଥିରେ ଲେଶମାତ୍ର ସନ୍ଦେହ ନାହିଁ ଯେ ତାହା ସମାଜର ଅନ୍ୟ ସ୍ତରଗୁଡ଼ିକୁ ମଧ୍ୟ ଅବଶ୍ୟ ପ୍ରଭାବିତ କରିବ । ହିନ୍ଦୁ ଘରର ବିଧବାମାନଙ୍କୁ ସେମାନଙ୍କର ଜୀବନଯାକ ଯେଉଁ କଷଣ ମଧ୍ୟରେ ବାଧ୍ୟ ହୋଇ ରହିବାକୁ ପଡ଼ୁଥିଲା, ଏଣିକି ସେମାନେ ସେଥିରୁ ଅବଶ୍ୟ ମୁକ୍ତି ଲାଭ କରିବେ । ଏପରି ଗୋଟିଏ ଆଇନ୍ ଗୃହୀତ ହେବାର କୌଣସି ପ୍ରୟୋଜନ ନଥିଲା ଏବଂ ସମାଜରେ କେହି ସେଇଟି ଅନୁସାରେ ପରିବର୍ତ୍ତିତ ହେବେନାହିଁ ବୋଲି ବିରୋଧୀମାନେ ଯେଉଁ ଯୁକ୍ତି ବଢ଼ିବାରେ ଲାଗିଛନ୍ତି, ତାହା ପଛରେ ବର୍ତ୍ତମାନ ଆଉ କୌଣସି ଯୁକ୍ତି ହିଁ ନାହିଁ । ତେଣୁ, ଆପଣାର କଲ୍ୟାଣ ଇଚ୍ଛା କରୁଥିବା ସମାଜର କର୍ତ୍ତବ୍ୟ ଯେ ତାହା ବର୍ତ୍ତମାନ ସ୍ଵତଃପ୍ରବୃତ୍ତ ହୋଇ ଏହି ନୂତନ ପ୍ରବର୍ତ୍ତନଟିକୁ ପ୍ରକୃତରେ ସ୍ଵାଗତ କରିବ । ଏବଂ, ଏହା ଫଳରେ ହିନ୍ଦୁଧର୍ମ ଉପରକୁ ଯେଉଁ ପ୍ରମାଦମାନ ମାଡ଼ି ଆସିବ ବୋଲି ଯେଉଁ ଅନ୍ୟମାନେ ମିଛରେ ରୋଦନ କରୁଥିଲେ, ସେମାନଙ୍କର ମଧ୍ୟ ସ୍ଥିତିଟିକୁ ସ୍ଵୀକାର କରିନେଇ ସମାଜରେ ପ୍ରକୃତରେ ନୈତିକତାର ସଂସ୍ଥାପନା ସକାଶେ ସହଯୋଗର ହସ୍ତଗୁଡ଼ିକୁ ପ୍ରସାରିତ କରି ଆଣିବା ଉଚିତ ହେବ-

 

ଏହି ଦିଗରେ ସବୁଠାରୁ ଅଧିକ ପ୍ରଶସ୍ତ ଏକ ମାନବିକ ଦୃଷ୍ଟି ସହିତ ଶକ୍ତିଶାଳୀ ପଦକ୍ଷେପଗୁଡ଼ିକୁ ସକଳ ଅର୍ଥରେ ଶ୍ରୀଯୁକ୍ତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ହିଁ ଗ୍ରହଣ କରିଥିଲେ ଏବଂ ତଦ୍ଦ୍ଵାରା ତତ୍କାଳୀନ ଆପଣା ସମାଜର ମହତ୍ତ୍ଵପୂର୍ଣ୍ଣ ମହଲଗୁଡ଼ିକୁ ପ୍ରକୃତରେ ଅନ୍ୟପ୍ରକାରେ ଚିନ୍ତା କରିବା ନିମନ୍ତେ ପ୍ରବର୍ତ୍ତାଇ ପାରିଥିଲେ । ଅର୍ଥାତ୍, ବିଧବାମାନେ ଯେ ଜୀବନତମାମ ଅତ୍ୟନ୍ତ ଅମାନୁଷିକ ଭାବରେ କଷ୍ଟ ଭୋଗିବାକୁ ବାଧ୍ୟ ହେଉଥିଲେ, କେବଳ ସେମାନଙ୍କର ପୁନର୍ବିବାହ ନିମନ୍ତେ ସରକାର କୌଣସି ଆଇନ୍ ପ୍ରଣୟନ କରିନଥିଲେ ବୋଲି କ'ଣ ସେହି ଦୁର୍ଦ୍ଦଶାଟି ଲାଗି ରହିଥିଲା ? ବିଦ୍ୟାସାଗର ପୁରାତନ ଶାସ୍ତ୍ରକୁ ଘାଣ୍ଟି ବିଧବା କନ୍ୟାର ପୁନର୍ବିବାହକୁ ଧର୍ମୀୟ ସମ୍ମତି ଦେଉଥିବା ଉକ୍ତିଟିକୁ ବାହାର କରି ସମସ୍ତଙ୍କର ଅବଗତି ମଧ୍ୟକୁ ଆଣିବା ଫଳରେ ଯେ ଅସମ୍ମତମାନେ ସବୁକିଛିକୁ ବୁଝି ସୁନାପୁଅଙ୍କୁ ସମ୍ମତ ହୋଇଗଲେ ସେକଥା ମଧ୍ୟ ଠିକ୍ ନୁହେଁ । କୌଣସି ନୂତନ ପ୍ରବର୍ତ୍ତନ ଏତେ ସହଜ ଭାବରେ କେବେହେଲେ ସମ୍ଭବ ହୁଏନାହିଁ କିମ୍ବା ବିଶ୍ଵାସର ଗୁଳାମାନେ ସେହି ହେତୁ ଆଦୌ ବଦଳି ଯାଆନ୍ତି ନହିଁ । ସେଥିଲାଗି ଆବଶ୍ୟକ ଅନ୍ୟ ଭିତ୍ତିଭୂମିଟିକୁ ତିଆରି କରି ଆଣିବାକୁ ପଡ଼େ । ଏବଂ, କହିବା ବାହୁଲ୍ୟ ଯେ, ବିଦ୍ୟାସାଗରଙ୍କର ଅବଦାନ ତଥା ପୂର୍ଣ୍ଣ ଅଧ୍ୟବସାୟ ହିଁ ଏହି କ୍ଷେତ୍ରରେ ସବାଆଗ ରହିଥିଲା । ଆମେ ପୁନର୍ବାର ତାଙ୍କ ପିଲାଦିନର ସେହି ଆଖ୍ୟାନଟିର ଆରମ୍ଭ ବି କରିପାରିବା, ଯେତେବେଳେ ବାଳକ ଈଶ୍ଵରଚନ୍ଦ୍ର ବାପାଙ୍କ ପାଖରେ ରହି କଲିକତାରେ ପାଠ ପଢ଼ୁଥିଲେ ଓ ଛୁଟିମାନଙ୍କରେ ଗାଆଁକୁ ଆସୁଥିଲେ । ସେହି ବୀରସିଂହ ଗ୍ରାମର ଆଖ୍ୟାନଟିରୁ :

 

ନିଜ ପ୍ରତିବେଶୀ କୌଣସି ପରିବାରର ଝିଅଟିଏ, ବିଦ୍ୟାସାଗରଙ୍କର ବାଲ୍ୟସାଥୀ । ବିଦ୍ୟାସାଗର ସେହି ସହଜ ଦିନଗୁଡ଼ିକରେ ଝିଅଟିକୁ ଭାରି ଆପଣାର କରି ଦେଖୁଥିଲେ ତାକୁ ଦେଖିଲେ କେଡ଼େ ଖୁସୀ ହୋଇ ଯାଉଥିଲେ । ସିଏ ଛୁଟିରେ ଗାଆଁରେ ଥିବାର ସମୟତକ ପ୍ରାୟ ଏକାଠି ଖେଳୁଥିଲେ, ବୁଲୁଥିଲେ, କଥା ହେଉଥିଲେ । ସେହି କଲିକତାରେ ଥିବା ସମୟରେ ଝିଅଟିର ବିବାହ ହୋଇ ଯାଇଥିଲା । ଏବଂ, ସେହି ବିବାହଟିର କେତେ ମାସ ପରେ ଯାଇ ସେ ପୁଣି ଗାଆଁକୁ ଆସିଥିଲେ । ସେତେବେଳକୁ କଲେଜରେ ଯାଇ ପଢ଼ିଲେଣି । ଗାଆଁରେ ଥିବା ସମୟରେ ପ୍ରାୟ ଗୋଟିଏ ନିୟମିତ ଅଭ୍ୟାସ ପରି ସିଏ ପଡ଼ିଶାର ପ୍ରତ୍ୟେକ ଘରକୁ ଯାଇ କିଏ ସେଦିନ କ'ଣ ଖାଇଛି, ପ୍ରତ୍ୟହ ପଚାରି ବୁଝୁଥିଲେ । ଏଥର ବୁଝିବାକୁ ଯାଇ ଜାଣିଥିଲେ ଯେ ତାଙ୍କର ସେହି ପିଲାଦିନର ଝିଅ ସାଙ୍ଗଟି ସେଦିନ କିଛି ଖାଇନଥିଲା । କାରଣ, ସିଏ ସେଦିନ ଏକାଦଶୀ ପାଳନ କରୁଥିଲା । ବିଧାବାମାନେ ଏକାଦଶୀ ବ୍ରତ ପାଳନ କରିବେ ଏବଂ ଅନ୍ନସ୍ପର୍ଶ କରି ପାରିବେ ନାହିଁ ବୋଲି ଦୃଢ଼ ନିୟମଟିଏ ସମାଜରେ ରହିଥିଲା । ସେକଥା ଶୁଣି ବିଦ୍ୟାସାଗର ଭୋ' ଭୋ' କାନ୍ଦି ଉଠିଥିଲେ । ସଂକଳ୍ପ କଲେ, ବଡ଼ ହୋଇ ବିଧବାମାନଙ୍କର ସେହି ଦୁଃଖର ମୋଚନ ନିମନ୍ତେ ସେ ଅବଶ୍ୟ କିଛି କରିବେ । ସଂଗ୍ରାମ କରିବେ ଏବଂ ସଂସ୍କାର ଆଣିବେ । ସେତେବେଳେ ତାଙ୍କୁ କେତେ ବୟସ ବା ହୋଇଥିବ ! ପାଠ ପଢ଼ିସାରି ନିଜର ବୃତ୍ତିଟିଏ ଆରମ୍ଭ କଲେ,–ତଥାପି ସଂକଳ୍ପଟିକୁ ମୋଟେ ପାସୋରି ନଥିବେ । ସରକାର କିଛି କରି ପାରୁନଥିଲେ ।

 

ସମ୍ଭବତଃ ସରକାରୀ ଶାସନର ଉଚ୍ଚ ମହକୁମାମାନଙ୍କରେ କେତେ ସାହେବ ଇଂରାଜ ମଧ୍ୟ ନିଶ୍ଚୟ ରହିଥିବେ, ଯେଉଁମାନେ ବିଧବା ହୋଇ ସାରା ଜୀବନ ନାନା ସାମାଜିକ ବାଧ୍ୟତାରେ ଦୁଃଖଭୋଗ ବାଳିକାମାନଙ୍କର ଦୁର୍ଗତିଗୁଡ଼ିକୁ ଆଦୌ ସମର୍ଥନ କରି ପାରୁନଥିଲେ ଏବଂ ଆପଣାର ଅନ୍ତର ଭିତରେ ସେହି ଅନିୟମତାରେ ପରିବର୍ତ୍ତନ ହେଉ ବୋଲି ଖୁବ୍ ଇଚ୍ଛା ମଧ୍ୟ କରୁଥିଲେ । ମାତ୍ର, ସେତେବେଳେ ବ୍ରିଟିଶ ସରକାରଙ୍କର ନୀତିରେ ଏକ ସାଧାରଣ ଏଭଳି ନିର୍ଦ୍ଦେଶ ପୂରା ଉପରୁ ରହିଥିଲା ଯେ ଭାରତବର୍ଷର ସମାଜଗତ ଚଳଣିଗୁଡ଼ିକ ଉପରେ ସେମାନେ ଆପଣା ଆଡ଼ୁ କୌଣସି ହସ୍ତକ୍ଷେପ କରିବେନାହିଁ । ନିଶ୍ଚୟ, ଏହି କ୍ଷେତ୍ରରେ ସେମାନଙ୍କର ଆଶଙ୍କାଟିଏ ରହିଥିଲା ଯେ ସେପରି କୌଣସି ହସ୍ତକ୍ଷେପ କରାଗଲେ ଲୋକମାନଙ୍କର ମନରେ ଅସନ୍ତୋଷ କୁହୁଳିବାକୁ ହୁଏତ ଆରମ୍ଭ କରିବ,–ସେହି ଅସନ୍ତୋଷ ତା'ପରେ ନାନାପ୍ରକାରେ ଦାନା ବାନ୍ଧି ସରକାର ବାହାଦୁରଙ୍କର ଶାସନଟାରେ ମଧ୍ୟ ଏକାଧିକ ମିଛ କଳହ ସୃଷ୍ଟି କରିବ । ସେହି ବାଧାଟା କେଡ଼େ ସହଜରେ ତୁଟିଗଲା, ଯେତେବେଳେ ଈଶ୍ଵରଚନ୍ଦ୍ର ଏକ ପ୍ରାଚୀନ ପବିତ୍ର ନୀତିଶାସ୍ତ୍ରରୁ ଏପରି କେତୋଟି ପଂକ୍ତିର ସାକ୍ଷ୍ୟ ସହିତ ଘୋଷଣା କରି ଦେଇଥିଲେ ଯେ, ନାହିଁ, ସେହି ଶାସ୍ତ୍ରରେ ବିଧବାମାନଙ୍କର ପୁନର୍ବିବାହ ବିଷୟରେ ସମ୍ପୂର୍ଣ୍ଣ ଭାବରେ ନାହିଁ ବୋଲି ଆଦୌ କୁହା ଯାଇନାହିଁ ଏବଂ କେତେକ କ୍ଷେତ୍ରରେ ସେମାନଙ୍କର ପୁନର୍ବିବାହ ଧର୍ମତଃ ହୋଇପାରିବ ବୋଲି ପରାମର୍ଶ ଦିଆଯାଇଛି । ଅନ୍ତତଃ ଏକ ତତ୍କାଳୀନ ପ୍ରୟୋଜନ ଦୃଷ୍ଟିରୁ ତଦ୍ଦ୍ଵାରା କେଡ଼େ ବଡ଼ ଘଟଣାଟିଏ ହିଁ ଘଟିଥିଲା । ସରକାରଙ୍କୁ ବି କେତେ ବଳ ମିଳି ଯାଇଥିଲା ।

 

ଅର୍ଥାତ୍, ବିଦ୍ୟାସାଗର ଶାସ୍ତ୍ରରୁ ସମର୍ଥନଟିଏ ଆବିଷ୍କାର କରି ସରକାରଙ୍କ ନିମନ୍ତେ ବିଧବାବିବାହ ସପକ୍ଷରେ ଗୋଟିଏ ଆଇନ କରିବା ପାଇଁ ବାଟ ଖୋଲି ଦେଇଥିଲେ ସେହି ଆଇନ୍ ନିତାନ୍ତ ଅରାଜୀମାନଙ୍କୁ ଅନ୍ତତଃ ବାଧ୍ୟ ହୋଇ ନମନୀୟ ହୋଇ ଆସିବାର ଅବଶ୍ୟ ସହାୟତା କରିଥିବ । ଲୋକଚେତନାରେ ମଧ୍ୟ ଏକ ନୂଆ ଅନୁକୂଳତା ନିଶ୍ଚୟ ସତେଅବା ଏକ ହାଉଆ ପରି ଆସି ଅବଶ୍ୟ ବାଜିଥିବ । ଈଶ୍ଵରଚନ୍ଦ୍ରଙ୍କର ନେତୃତ୍ଵରେ ଚାଲିଥିବା ଆନ୍ଦୋଳନଟିକୁ ଏହି ସବୁକିଛି ଖୁବ୍ ନୂଆ ଡେଣା ବି ଯୋଗାଇ ଦେଇଥିବ । ତଥାପି, ଯୁଗଯୁଗର ପୁରୁଣା ଅନିଚ୍ଛାମାନେ ଯେ ତାହାରି ଦ୍ଵାରା ଖୁସି ହୋଇ ଇଚ୍ଛାରେ ପରିଣତ ହୋଇ ଯାଇଥିବେ, ସେକଥା ଆଦୌ ନୁହେଁ । କଥିତ ଅଛି ଯେ, ଏକଦା ବିଦ୍ୟାସାଗରଙ୍କର କୁଟୁମ୍ବ ମଧ୍ୟରେ ଥିବା କେତେଜଣ ଗୁରୁଜନ–ସ୍ଥାନୀୟ କୁଳୀନ ବ୍ୟକ୍ତି ତାଙ୍କ ପାଖକୁ ଆସି ବିନୟପୂର୍ଣ୍ଣ ଭାବରେ କହିଥିଲେ : ବିଦ୍ୟାସାଗର, ତୁମେ ଏତେ ଏତେ ପବିତ୍ର ଶାସ୍ତ୍ରର ଅଧ୍ୟୟନ କରିଛ ଓ କେତେ ସୁଗଭୀର ଭାବରେ ସେଗୁଡ଼ିକର ଅନୁଶୀଳନ ମଧ୍ୟ କରିଛ ସତ, ମାତ୍ର ସେଥିରୁ କ'ଣ ଶେଷକୁ ଏହି ଫଳ ଫଳିଲା ଯେ ତୁମେ ସନାତନ ହିନ୍ଦୁଧର୍ମର ଓ ହିନ୍ଦୁସମାଜର ବକ୍ଷରେ ଛୁରିକାଘାତ କରିବାରେ ଲାଗିଛ ! ଏବଂ, ହିନ୍ଦୁ ସମାଜରେ ଏହିସବୁ ସ୍ଵେଚ୍ଛାଚାର ଆଣି ପ୍ରବିଷ୍ଟ କରାଇବାର ଅହିତକର୍ମଟିରୁ ତୁମେ କାହିଁକି ନିବୃତ୍ତ ହେଉନାହଁ ? ଈଶ୍ଵରଚନ୍ଦ୍ର ସେମାନଙ୍କର କଥାକୁ ଶୁଣିବା ପରେ ଈଷତ୍ ହସି ଉତ୍ତର ଦେଲେ: ଆଜ୍ଞା, ମୋ' ନିଜର ଜ୍ଞାନ ଓ ବୁଦ୍ଧିଦ୍ଵାରା ମୁଁ ଯାହାକିଛି ଭଲ ବୋଲି ହୃଦୟଙ୍ଗମ କରୁଛି, ସର୍ବଦା ତାହା ହିଁ ପ୍ରଚାର କରୁଛି । ଏଥିରେ ତାଙ୍କ ପାଖକୁ ଯାଇଥିବା ବ୍ରାହ୍ମଣମାନଙ୍କର କ୍ରୋଧ ନିଶ୍ଚୟ ଖୁବ୍‍ ବଢ଼ି ଯାଇଥିବ । ସେମାନେ କିଞ୍ଚିତ୍‍ ଉତ୍ତେଜନା ପ୍ରକାଶ କରି କହିଥିଲେ, ବାବୁ, ତୁମେ କ'ଣ ସମାଜକୁ ଭୟ କରୁନାହଁ-? ସମାଜ ତୁମକୁ ବର୍ଜନ କରିବ, ପତିତ ବୋଲି ବର୍ଜନ କରିବ । ତୁମ ଘରକୁ କନ୍ୟାସଂପ୍ରଦାନ କରିବ ନାହିଁ । ତୁମ ଘରେ ଆହାର କରିବ ନାହିଁ । ତୁମେ ତ ଚାରୋଟି ଝିଅର ବାପା, ତୁମେ ସେମାନଙ୍କୁ କ'ଣ ଚିରକୁମାରୀ ରଖିବ ନା ଯବନଘରେ ବିବାହ ଦେବ ? ସେହି ପୂର୍ବବତ୍‍ ବିଦ୍ୟାସାଗର ନିର୍ଭୟ ଭାବରେ ଉତ୍ତର ଦେଇଥିଲେ, ଝିଅମାନଙ୍କୁ ମୁଁ କାହିଁକି ଚିରକୁମାରୀ ରଖିବି-? ଯଦି ବାସ୍ତବରେ ଏପରି ଘଟିବ ଯେ, ଆପଣମାନଙ୍କ ଘର ବ୍ୟତୀତ ଆଉ କୌଣସି ସ୍ଥାନରେ ସେମାନଙ୍କ ନିମନ୍ତେ ପାତ୍ରର ଯୋଗାଡ ହୋଇ ନପାରିବ, ତେବେ ମୁଁ ଯବନ ଘରେ ହିଁ ନିଜର କନ୍ୟାମାନଙ୍କର ସଂପ୍ରଦାନ କରିବି । କାରଣ, ଆପଣମାନେ ହେଉଛନ୍ତି ନିକୃଷ୍ଟତମ ଯବନ-। ନିକୃଷ୍ଟତମ ଯବନ ଅପେକ୍ଷା ବରଂ ଅସଲ ଯବନ ଅଧିକ ଭଲ ହୋଇଥିବେ ।

 

ଏହି କଥାଗୁଡ଼ିକ ଜଣେ ପଣ୍ଡିତ ବ୍ୟକ୍ତିର ମୁଖରୁ ସାଧାରଣତଃ ଆଦୌ ସମ୍ଭବ ହୋଇ ନଥାଏ । ସେଥିପାଇଁ ଯେଉଁ ବିଶେଷ ଏକ ସାହସ ରହିଥିବା ଆବଶ୍ୟକ ହୁଏ, ସଚରାଚର ସେହି ସାହସ ପଣ୍ଡିତମାନଙ୍କଠାରେ ନଥାଏ । ଯେକୌଣସି ଭୀରୁ ସମାଜରେ ପ୍ରାୟ ଏକ ଅନ୍ୟ ଆବଶ୍ୟକତାଦ୍ଵାରା ବାଧ୍ୟ ହୋଇ ପଣ୍ଡିତମାନେ ମଧ୍ୟ ଭୀରୁ ହୋଇ ରହି ଥାଆନ୍ତି କି ? ଶାସ୍ତ୍ର ଲେଖିବା ଏବଂ ଶାସ୍ତ୍ରୋଦ୍ଧାର କରିବାର ବାଉଳାରେ ସେମାନେ କେତେ କ'ଣ ଲେଖନ୍ତି ଏବଂ କେତେ କ'ଣ ଅର୍ଥୋଜ୍ଜ୍ୱଳ କଥାକୁ ଉଦ୍‍ଗାର କରି ଦିଅନ୍ତି ସିନା, କିନ୍ତୁ ସେହିଗୁଡ଼ିକୁ ସମ୍ପଦରୂପେ ସ୍ଵୀକାର କରିନେଇ ଜୀବନ ବଞ୍ଚି ପାରନ୍ତି ନାହିଁ । ଅର୍ଥାତ୍‍ ଭୀରୁ ହୁଅନ୍ତି । ଏକ ବାସ୍ତବ ବୁଦ୍ଧିର ସମର୍ଥନରେ ସେମାନେ ଜାଣିଶୁଣି ହିଁ ଭୀରୁ ହୁଅନ୍ତି କି ? ନିଜର ନାନା ଭାବେ ଅନ୍ଧାର ଏବଂ ଅନାଚାରପୂର୍ଣ୍ଣ ସମାଜରେ ସେମାନେ ତଥାପି ଜଣେ ଜଣେ ମାନ୍ୟତାପ୍ରାପ୍ତ ଉଚ୍ଚସ୍ଥରୂପେ ଜୀବନଟି ବଞ୍ଚିବାକୁ ହିଁ ଉପଲବ୍ଧ ସତ୍ୟଗୁଡ଼ିକ ଅପେକ୍ଷା ସମ୍ଭବତଃ ଅଧିକ ବରଣୀୟ ବୋଲି ଗ୍ରହଣ କରି ନେଇଥାଆନ୍ତି । କିନ୍ତୁ ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ଜୀବନରେ ମୂଳ ଅସଲ ଏକ ଚେରରୂପେ ସତକୁସତ କ'ଣ ରହିଥିଲା, ଯେଉଁଟିକୁ ନିର୍ଭର କରି ସିଏ ଶାସ୍ତ୍ରସତ୍ୟମାନଙ୍କରୁ ଉଦ୍‍ବୋଧନ ପାଇ ଆପଣାର ସ୍ଵତନ୍ତ୍ର ଏକ ମାର୍ଗ-ଧର୍ମରେ ଗଢ଼ି ହୋଇ ଆସିଥିଲେ ଓ ସାହସକୁ ହିଁ ଜୀବନ ବଞ୍ଚିବାର ବଣିଜରେ ସବାଆଗର ନିଷ୍ଠା ବୋଲି ଗ୍ରହଣ କରି ନେଇଥିଲେ ?

 

ସୁତରାଂ, ବେଶ୍‍ ସହଜରେ ବୁଝି ହୋଇଯିବ ଯେ ଏହି ବିଚିତ୍ର ପଣ୍ଡିତଟିର ସାହସିକ କରଣିଗୁଡ଼ିକର ପରିଚୟ ପାଇ ଅନୁମେୟ ସର୍ବବିଧ ମହଲରୁ ପ୍ରତିବାଦ ଓ ପ୍ରତିକ୍ରିୟାର ବହୁ ଆୱାଜ ଆସି ସେହି ଉପସ୍ଥିତ ସମୟଟାକୁ ଅତୀବ ବିକ୍ଷୁବ୍ଧ କରି ହିଁ ଦେଇଥିବ । କେତେ କେତେ ମନୁଷ୍ୟଙ୍କର ଖୁବ୍‍ ଶାନ୍ତିଭଙ୍ଗ ହୋଇଥିବ । ଏହି ଦୁଃସାହସର ପ୍ରତିରୋଧ କରିବାର ଉତ୍ତାପରେ କେତେ କେତେ କିସମର ସ୍ଵାର୍ଥ ଏକାବେଳେ ସରବ ଏବଂ ସକ୍ରିୟ ହୋଇ ଉଠିଥିବେ ଏବଂ କେତେ ପ୍ରକାରର ବୁଦ୍ଧି ତଥା ଦୁର୍ବୁଦ୍ଧି ସେଥିପାଇଁ ଏକଜୁଟ ହୋଇ ମଧ୍ୟ ଆସିଥିବେ । ତାଙ୍କ ଉପରେ ଶାରୀରିକ ଆକ୍ରମଣ କରି ଗୋଟାଏ ଠିକଣା ସବକ ଶିଖାଇବା ନିମନ୍ତେ ମଧ୍ୟ ଆଉକେତେ ମହଲରେ ରୋଷ ପ୍ରକାଶ କରି ବହୁ କଳ୍ପନା ଓ ଜଳ୍ପନା ମଧ୍ୟ କାହିଁକି ନହୁଅନ୍ତା ! ପ୍ରଥମ ଅ-ବସ୍ଥାରେ ଏପରି କାଁ ଭାଁ ଘଟିଲା ଯେ, ଈଶ୍ୱରଚନ୍ଦ୍ର ଏକାକୀ ରାସ୍ତାରେ ଚାଲି ଯାଉଥିବା ସମୟରେ ହଠାତ୍‍ ହୁଏତ ମଉକା ଅଥବା ନିରୋଳା ପାଇ ଥୋକେ ଲୋକ ଆସି ଘେରି ଯାଉଥିଲେ ଏବଂ ତୋଡ଼ ଦେଖାଇ କିଛି ଉତ୍ତମ ବାକ୍ୟ ମଧ୍ୟ ଶୁଣାଉଥିଲେ । ନାନା ଅଭାଷାରେ ପରିହାସ କରୁଥିଲେ । ଏପରିକି ତାଙ୍କ ଉପରେ ଠେଙ୍ଗା ପ୍ରହାର କରି ତାଙ୍କୁ ସାଧ୍ୟ କରିବାର ମସୁଧା ମଧ୍ୟ ହେଉଥିଲା । ବେଳେ ବେଳେ ତାଙ୍କୁ ଜୀବନରୁ ମାରି ଦେବାପାଇଁ ମଧ୍ୟ ଧମକ ଦିଆ ଯାଉଥିଲା । ବିଦ୍ୟାସାଗର ଏସବୁରେ ତଥାପି ମଥା ହରାଉ ନଥିଲେ । ଭୀରୁମାନେ ହିଁ ସିନା ମଥା ହରାଇ ଦିଅନ୍ତି ଏବଂ ଗୋଡ଼ ଖସାଇ ଅବସ୍ଥାଟିକୁ ଖୁବ୍‍ ଅଣଆୟତ୍ତ ଭାବରେ ଅତିଶୟ କରି ଦେଇଥାଆନ୍ତି । ଏକ ଏପରି ଘଟଣା ରହିଛି ଯେ, ସେହି ସମୟର ଜଣେ ବଡ଼ ଜମିଦାର,–ଇଂରେଜ ଶାସକମାନଙ୍କଠାରୁ ମହାରାଜା ଉପାଧି ପ୍ରାପ୍ତ ହୋଇଥିବା,–ପଣ୍ଡିତ ଈଶ୍ୱରଚନ୍ଦ୍ରଙ୍କୁ ସାବାଡ଼ କରିବା ନିମନ୍ତେ ତାଙ୍କ ପଛରେ ଦଳେ ଲୋକ ଲଗାଇ ଥିଲେ । ସେହି କଥାଟି ସ୍ଵୟଂ ବିଦ୍ୟାସାଗରଙ୍କର କାନକୁ ମଧ୍ୟ ଆସିଥିଲା, ମାତ୍ର ସେ ଏଥିରେ ମୋଟେ କୌଣସି ପ୍ରକାରେ ବିଚଳିତ ହୋଇ ପଡ଼ି ନଥିଲେ ଏବଂ ଆଦୌ କୌଣସି ଭୟ ନରଖି ସିଧା ନିଜେ ଯାଇ ସେହି ଧନୀ ବ୍ୟକ୍ତିଙ୍କର ବୈଠକଖାନାରେ ଉପସ୍ଥିତ ହୋଇ ଯାଇଥିଲେ । ଧନୀ ଭଦ୍ରଲୋକ ଜଣକ ସେତେବେଳେ ନିଜ ଗହଣର କେତେବ୍ୟକ୍ତିଙ୍କ ସହିତ ଏକାଠି ବସି ଆନନ୍ଦଗଳ୍ପରେ ମତ୍ତ ହୋଇ ପ୍ରେରିତ ହୋଇଥିବା ବଳବାନ୍‍ ବୋଲକରାମାନେ କିପରି ଦିନେ ନା ଦିନେ ବିଦ୍ୟାସାଗରଙ୍କୁ ନିଶ୍ଚୟ ଖତମ କରିଦେବେ, ସେହି ଗପଟାକୁ ନେଇ ମଶଗୁଲ ରହିଥିଲେ । ଏବଂ, ସକଳ ଆଲୋଚନାର ନାୟକ ସ୍ଵରୂପ ଠିକ୍‍ ସେହି ବ୍ୟକ୍ତିଟି ଯେ ଏପରି ଭାବରେ ସେଠାରେ ଆସି ପହଞ୍ଚିଯିବ, ସେମାନେ କିପରି ବା କଳ୍ପନା କରି ପାରିଥାନ୍ତେ ? ସେମାନେ ସମ୍ପୂର୍ଣ୍ଣ ଭାବରେ ଅବାକ୍‍ ହୋଇ ଯାଇଥିବେ । ଏକାବେଳେକେ ସତେଅବା ବୋକା ହିଁ ବନି ଯାଇଥିବେ । ସେମାନଙ୍କୁ କିଞ୍ଚିତ୍‍ ଭରସା ଦେବାର ହୁଏତ ଏକ ଅଭିପ୍ରାୟରେ ବିଦ୍ୟାସାଗର ଈଷତ ହସି ଥିରି ଥିରି ପ୍ରାୟ ଏକ ବିନୋଦମିଶ୍ରିତ ମୁଦ୍ରାରେ ସେମାନଙ୍କୁ କହିଥିଲେ, ମୁଁ ଶୁଣିଲି ଯେ ମୋତେ ମାରିବା ପାଇଁ ଆପଣମାନେ ନିଯୁକ୍ତ କରିଥିବା ଲୋକେ ପ୍ରକୃତରେ ଆହାର ଏବଂ ନିଦ୍ରା ମଧ୍ୟ ତ୍ୟାଗ କରି ମୋତେ ଖୋଜିବାରେ ଲାଗିଛନ୍ତି । ମୁଁ ଭାବିଲି, ଲୋକଗୁଡ଼ିକ ମୋ' ସକାଶେ ଆଉ କାହିଁକି ଏତେ ଏତେ କଷ୍ଟ ପାଇବେ ? କୌଣସି ମନୁଷ୍ୟଟାକୁ କଷ୍ଟ ଦେବା ସବୁବେଳେ ଏକ ଅନୁଚିତ କାର୍ଯ୍ୟ । ତେଣୁ, ବିଚାର କଲି, ନିଜେ ହିଁ ଆସି ଏଠାରେ ପହଞ୍ଚିଯିବି । ବର୍ତ୍ତମାନ ଆଉ କୌଣସି ଅସୁବିଧା ହେବନାହିଁ, ତେଣୁ କାର୍ଯ୍ୟଟିକୁ ଆପଣମାନେ ସମାପ୍ତ କରନ୍ତୁ । ତା'ପରେ ପ୍ରକୃତରେ କ'ଣସବୁ ଘଟିଥିବ, ସେକଥା ଆମେ ସମସ୍ତେ ଚାଲନ୍ତୁ ସେହି କଥାଟିର ବିଚାର କରିବା । ଏହି ପୃଥିବୀରେ ପଣ୍ଡିତ ବ୍ୟକ୍ତି ସବୁ ଯୁଗରେ ଥିଲେ, ସେମାନେ ଏବେ ମଧ୍ୟ ଅଛନ୍ତି, ବହୁ ସଂଖ୍ୟାରେ ରହିଛନ୍ତି; ସାହସୀ ମନୁଷ୍ୟମାନେ ସବୁଯୁଗରେ ଥିଲେ, ସେମାନେ ଏ ଯୁଗରେ ମଧ୍ୟ ଖୁବ୍‍ ରହିଛନ୍ତି । ମାତ୍ର, ଅଧିକାଂଶ କ୍ଷେତ୍ରରେ ସାହସୀ ମୂର୍ଖମାନେ ରହିଛନ୍ତି ଏବଂ ଭୀରୁ ପଣ୍ଡିତମାନେ ରହିଛନ୍ତି ଏବଂ ଉଭୟଙ୍କର ଅପାରଗତାଗୁଡ଼ିକ ଆମର ଏହି ପୃଥିବୀଟିକୁ ଯୁଗେ ଯୁଗେ ନାନା ଦୁର୍ଗତି ମଧ୍ୟରେ କଲବଲ କରି ରଖିଛନ୍ତି । ଈଶ୍ୱରଚନ୍ଦ୍ର ଆଗ ସାହସୀ ନା ଆଗ ଜଣେ ପଣ୍ଡିତ ?

 

ଯେତେଦୂର ମନେ ହେଉଛି, ସ୍ଵୟଂ ବିଦ୍ୟାସାଗର ମଧ୍ୟ ଆମେ ଏକପଟିଆମାନେ ବୁଝି ପାରିବାଭଳି ଏହି କଥାଟିର ଏକ ଉତ୍ତର ଦେଇ ପାରିନଥାନ୍ତେ । ସମ୍ଭବତଃ, ତଥାପି କିଞ୍ଚିତ୍‍ ପରିମାଣରେ ପ୍ରକୃତ ଉତ୍ତରଟିଏ ହେଉଛି ଯେ, ଅସଲ ପାଣ୍ଡିତ୍ୟ ଆମ ଭିତରେ ଅନେକ ଅନେକ ବଙ୍କାକୁ ସିଧା ହୋଇ ଆସିବାରେ ସାହାଯ୍ୟ କରେ ଓ ଅନେକ ଅନେକ ଜଟିଳକୁ ମଧ୍ୟ ସରଳ କରି ଆଣିଥାଏ । ବକ୍ରତା ଓ ଜଟିଳତାଗୁଡ଼ିକ ହୁଏତ ଜଣେ ମନୁଷ୍ୟକୁ ଭୀରୁ ହୋଇ ରହିବା ନିମନ୍ତେ ରସଦ ଯୋଗାଇ ଦେବାରେ ଖୁବ୍‍ ଲାଗିଥାଏ । ସିଧା ଏବଂ ସରଳ ହେଲେ ଏକ ଅନ୍ତର୍ଗତ ଶିଷ୍ଟତା ଆସେ, ଆମେ ଯାହାକୁ ପୂର୍ଣ୍ଣ ଔଚିତ୍ୟ ସହିତ ଏକ ନମ୍ରତା ବୋଲି ମଧ୍ୟ କହିପାରିବା । ଏବଂ ସେହି ନମ୍ରତାଟି ସାହସ ଆଣି ଦେଇଥାଏ । ଭୀରୁ ହେବାକୁ ଭଲ ଲାଗେ ନାହିଁ । ଏକ ଅପରାଧବତ୍‍ ଲାଗେ । ଏଠି, ସକଳ ସଂସ୍ରବରେ ଘର ପରି ଅନୁଭବ ହୁଏ ଏବଂ, ଅସଲ ଘରଟିରେ ବାସ କରୁଥିଲେ ଭୀରୁତା ଆସି ଆମ ଭିତରେ ପଶିଯିବା ନିମନ୍ତେ ସମ୍ଭବତଃ ଆଉ ବାଟ ମଧ୍ୟ ପାଏନାହିଁ । ମିଛ ଲାଜମାନଙ୍କ ଲାଗି, ଆଚାରଗୁଡ଼ିକୁ ତୁଚ୍ଛା ବାହାରେ ବାହାରେ ଅନୁସରଣ କରିବା ଲାଗି ଅବକାଶ ନଥାଏ । ବିଦ୍ୟାସାଗର ତାଙ୍କର ଅନ୍ତର ଭିତରେ ସର୍ବଦା ହିଁ ନମ୍ର ଥିବେ । ତେଣୁ ଭିତରର ବୋଲକୁ ମାନି ବାହାରେ, ତଥାକଥିତ ବାହାରମାନଙ୍କରେ ମଧ୍ୟ ପୂର୍ଣ୍ଣପ୍ରସାଙ୍ଗିକ ସାହସର ପରିଚୟ ଦେବାକୁ ତାଙ୍କୁ ଆଦୌ କୌଣସି କସରତ କରିବାକୁ ହିଁ ପଡ଼ିନଥିବ । ଆପଣାର ପାଣ୍ଡିତ୍ୟଲବ୍ଧ ଜ୍ଞାନ ଓ ଆପଣାର ଜୀବନାଚାର ମଧ୍ୟରେ ସେ କୌଣସି ବିରୋଧ ହୁଏତ କେବେହେଲେ ଅନୁଭବ କରିନଥିବେ । ଆଦୌ କୌଣସି ମଞ୍ଚାଭିନୟ ନିମନ୍ତେ ବାଧ୍ୟ ହୋଇ ନଥିବେ । ତେଣୁ, ବାହାରେ ଆଉ କ'ଣ ପାଇଁ ହଇରାଣ ହୋଇଥାନ୍ତେ ? ଗାଳି ଉପରେ ଗାଳି,–ପ୍ରତ୍ୟକ୍ଷରେ ଓ ପରୋକ୍ଷରେ । ପଣ୍ଡିତମାନେ ସିନା ପ୍ରତ୍ୟକ୍ଷରେ, ବହୁତ ସାଧାରଣ ମନୁଷ୍ୟ ପରୋକ୍ଷରେ । ସମାଜରେ ଯେଉଁସବୁ ଆଚାର ଦୀର୍ଘ ଅମଳରୁ ପ୍ରଚଳିତ ହୋଇ ଆସିଛି, ସେଗୁଡ଼ିକ ନିଶ୍ଚୟ ପରମେଶ୍ୱରଙ୍କର ଇଚ୍ଛାରେ ହିଁ ତିଆରି ହୋଇଛି ବୋଲି କେଡ଼େ ସହଜ ଅନମନୀୟତା ସହିତ ବିଶ୍ଵାସ କରୁଥିବା ଅସୁମାରି ମନୁଷ୍ୟ ଏକାଳ ପରି ସେକାଳରେ ମଧ୍ୟ ବହୁତ ସଂଖ୍ୟାରେ ରହିଥିଲେ । ଏବଂ, ସେହିମାନେ ହିଁ ବିଦ୍ୟାସାଗର ସମାଜକୁ ମାର୍ଗଚ୍ୟୁତ କରି ନେଇଛନ୍ତି ବୋଲି ପ୍ରମାଦ ଗଣିଥିଲେ । ସେମାନଙ୍କର ଧାରଣାଟି ଅନୁସାରେ ଯିଏ ପ୍ରକୃତରେ ଜଣେ ପଣ୍ଡିତ ବ୍ୟକ୍ତି ହୋଇଥିବେ, ସିଏତ ସମାଜରେ ଯାହାକିଛି ଚଳି ଆସୁଛି, ତାହାକୁ ଅବଶ୍ୟ ପବିତ୍ର ବୋଲି କହିବେ, ସମ୍ପୂର୍ଣ୍ଣ ଭାବରେ ଅଲଂଘନୀୟ ବୋଲି ହିଁ କହିବେ । ଏହି ବିଦ୍ୟାର ସାଗର ତେଣୁ କିଭଳି ପଣ୍ଡିତ କେଜାଣି !

 

ଗୋଟିଏ କାହାଣୀ ରହିଛି ଯେ, ଥରେ ଈଶ୍ୱରଚନ୍ଦ୍ର ରେଲଗାଡ଼ିରେ ବସି ବର୍ଦ୍ଧମାନରୁ କଲିକତା ଆସୁଥିଲେ । ମଝି ରାସ୍ତାରେ ଜଣେ ବ୍ରାହ୍ମଣ ପଣ୍ଡିତ ଆସି ତାଙ୍କ ଡବାରେ ପ୍ରବେଶ କରିଥିଲେ । ସିଏ ତ ପୂର୍ବରୁ ବିଦ୍ୟାସାଗରଙ୍କୁ ଦେଖି କିମ୍ବା ଚିହ୍ନି ନଥିଲେ । ଏବଂ, ବସୁ ବସୁ ହିଁ ବିଦ୍ୟାସାଗର ନାମକ ସେହି ସମାଜଭ୍ରଷ୍ଟକାରୀ ପଣ୍ଡିତଙ୍କୁ ଉଦ୍ଦେଶ୍ୟ କରି ନାନାବିଧ କଠୋର ଶବ୍ଦରେ ଭର୍ତ୍ସନା କରିବାକୁ ଲାଗିଲେ । କଲିକତା ପୂର୍ବରୁ ଯେତେବେଳେ ତାଙ୍କ ଓହ୍ଲାଇବାର ଷ୍ଟେସନଟି ଆସି ପହଞ୍ଚିଲା, ସିଏ ସେତେବେଳେ ଯାଇ ସୁରାଖଟିଏ ପାଇଲେ ଯେ ଏତେ ବାଟ ସିଏ ସ୍ଵୟଂ ବିଦ୍ୟାସାଗରଙ୍କର ଉପସ୍ଥିତିରେ ହିଁ ତାଙ୍କୁ ଏହିସବୁ ମନ୍ଦବାକ୍ୟ ପ୍ରୟୋଗ କରି ଆସିଛନ୍ତି । ଏବଂ ତା'ପରେ ନିଜପାଖରେ ସେ ଏତେ ଭୟଙ୍କର ଭାବରେ ଅପ୍ରସ୍ତୁତ ହୋଇ ପଡ଼ିଥିଲେ ଯେ ଓହ୍ଲାଇବା ସମୟରେ ସଂଜ୍ଞା ହରାଇ ପକାଇଥିଲେ । ପ୍ରକୃତରେ ସ୍ଵୟଂ ବିଦ୍ୟାସାଗର ମଧ୍ୟ ସଙ୍କଟରେ ପଡ଼ି ଯାଇଥିଲେ । ଆପେ ତଳକୁ ଓହ୍ଲାଇ ଆସି ବ୍ରାହ୍ମଣ ମହାଶୟଙ୍କର ମୁଣ୍ଡକୁ ପାଣି ଛାଟି ତାଙ୍କୁ ସାଷ୍ଟାମ କରିବାକୁ ପଡ଼ିଲା । ମୁହଁ ପାଖରେ ହାୱା ବି କରିବାକୁ ହୋଇଥିଲା ଓ ତା'ପରେ ବ୍ରାହ୍ମଣଙ୍କ ହାତରେ କିଛି ବାଟଖର୍ଚ୍ଚ ଧରାଇ ଦେଇ ସେ ପୁନଶ୍ଚ ଗାଡ଼ିକୁ ଫେରି ଆସିଥିଲେ-। ସବୁକିଛି ସମ୍ପୂର୍ଣ୍ଣ ସ୍ଥିର ଭାବରେ,–ସତେଅବା ନିଜ ଭିତରେ ଶୁଣିଥିବା ଗାଳିଗୁଡ଼ିକର କାରଣରୁ ଆଦୌ କୌଣସି ଆଘାତ ପାଇନଥିଲେ । ମଣିଷକୁ, ସବୁ ମଣିଷଙ୍କୁ ସତକୁସତ ବୁଝିବା ମଣିଷ ସମ୍ଭବତଃ ଏହିପରି କେବେହେଲେ ବିଚଳିତ ହୁଏନାହିଁ ।

 

ବିଧବାମାନଙ୍କର ପୁନର୍ବିବାହ କରାଇବାର ଏହି ଆନ୍ଦୋଳନରେ ବିଦ୍ୟାସାଗରଙ୍କ ସହିତ ଆହୁରି ବହୁସଂଖ୍ୟକ ସମ୍ମିଳିତ ହୋଇ ରହିଥିଲେ । କିନ୍ତୁ, ସକଳ ଅର୍ଥରେ ସିଏ ମାଣିଖୁଣ୍ଟି ହୋଇ ରହିଥିଲେ । ମାଣିଖୁଣ୍ଟିଟିଏ ରହିଥିଲା ବୋଲି ସିନା ଚକିଟି ଆଦୌ ବୁଲି ପାରୁ ନଥିଲା । ଅଧିକାଂଶ ବିଧବାବିବାହରେ ଆବଶ୍ୟକ ହେଉଥିବା ବ୍ୟୟର ପ୍ରାୟ ସମୁଦାୟ ପରିମାଣଟିକୁ ଈଶ୍ୱରଚନ୍ଦ୍ରଙ୍କୁ ପ୍ରାୟ ନିଜ ତରଫରୁ ହିଁ ଯୋଗାଡ କରିବାକୁ ହେଉଥିଲା । ଅନ୍ୟ ଅନେକେ ଏଥିରେ ସାହାଯ୍ୟ କରିବାର ପ୍ରତିଶ୍ରୁତିମାନ ଦେଉଥିଲେ–କେତେ କେତେ ଉତ୍ସାହ ମଧ୍ୟ ଦେଉଥିଲେ । କିନ୍ତୁ ଦେଇଥିବା ଜବାବଗୁଡ଼ିକ ଅନୁସାରେ କ୍ଵଚିତ୍‍ ସେପରି କିଛି ଘଟୁଥିଲା । ବହୁ ସମ୍ଭ୍ରାନ୍ତ ବଂଶର ମହାନ୍‍ ବ୍ୟକ୍ତିମାନେ । ବିଦ୍ୟାସାଗର ସେହି କାରଣରୁ କେବେହେଲେ ଅଭିଯୋଗ କରିନାହାନ୍ତି ତଥା ଏକା ଏକା କିପରି ଏତେ ଏତେ ବୋଝ ସମ୍ଭାଳିବେ ବୋଲି ବ୍ୟସ୍ତ ହୋଇ ପଡ଼ିନାହାନ୍ତି । ଗୋଟିଏ ଗୋଟିଏ ବିବାହରେ ବିସ୍ତର ଖର୍ଚ୍ଚ । ବେଳେ ବେଳେ ଋଣ କରି ଅର୍ଥର ଆୟୋଜନ କରିବାକୁ ମଧ୍ୟ ପଡ଼ୁଥିଲା । ସେ କ୍ରମେ ଭୟଙ୍କର ଭାବରେ ଋଣଗ୍ରସ୍ତ ହୋଇ ପଡ଼ିଲେ । ଜଣେ ବ୍ୟକ୍ତି ନିମନ୍ତେ ଏହି ଋଣ ପରିଶୋଧ କରିବା କ୍ରମେ ଅସମ୍ଭବପ୍ରାୟ ହେବାରେ ଲାଗିଛି ବୋଲି ସେ ନିଜେ ମଧ୍ୟ ବେଳେ ବେଳେ ମନ ଭିତରେ ଆଶଙ୍କିତ ହୋଇ ପଡ଼ୁଥିଲେ । ବଡ଼ଲୋକ କେତେଜଣଙ୍କର ଦ୍ଵାରସ୍ଥ ହୋଇ କିଛି ଚାନ୍ଦାସୂତ୍ରରେ ମିଳିଯାଇ ପାରନ୍ତା ବୋଲି ତାଙ୍କର ବନ୍ଧୁମାନେ ଏକ ଉଦ୍ୟମ କରିବେ ବୋଲି ଇଚ୍ଛା ପ୍ରକାଶ କରିବାରୁ ବିଦ୍ୟାସାଗର ସେଥିରେ ବି ସମ୍ମତି ପ୍ରଦାନ କରି ନଥିଲେ । ଏପରିକି କାନକୁ କାନ ହୋଇ ଏହି ବିପନ୍ନ ହୋଇ ପଡ଼ିଥିବାର କଥାଟି ସେତେବେଳେ ବଙ୍ଗଳାର ଲାଟଙ୍କ ପର୍ଯ୍ୟନ୍ତ ଯାଇ ପହଞ୍ଚିଥିଲା । ସହାନୁଭୂତି ପ୍ରକାଶ କରି ଲାଟସାହେବ ତାଙ୍କ ନିମନ୍ତେ ଗୋଟିଏ ସରକାରୀ ଚାକିରି ଯୋଗାଡ଼ କରିଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଈଶ୍ୱରଚନ୍ଦ୍ରଙ୍କୁ ଲେଖି ପଚାରି ପଠାଇଥିଲେ । ସେଥିରେ ମଧ୍ୟ ସେ ସମ୍ମତି ଦେଲେ ନାହିଁ । ଅବଶ୍ୟ, ଏହାର ପ୍ରାୟ ବର୍ଷକ ପରେ ଆର୍ଥିକ ଅବସ୍ଥା ଆହୁରି ଖରାପ ହେବାରୁ ସେତେବେଳେ ସେ ତାଙ୍କୁ ପତ୍ର ଲେଖିଥିଲେ ଓ କୌଣସି ଚାକିରି ଗ୍ରହଣ କରିବାକୁ ରାଜି ଅଛନ୍ତି ବୋଲି ଇଚ୍ଛା ପ୍ରକାଶ କରିଥିଲେ । ସେତେବେଳେ ତାଙ୍କ ଲାଗି କୌଣସି କର୍ମସ୍ଥାନ ନଥିବାରୁ ସଫଳତାବାରେ ବିଳମ୍ବ ହେଲା ।

 

ଅବଶେଷରେ କଲେଜ ସ୍ତରରେ ସଂସ୍କୃତର ଅଧ୍ୟାପକ ପଦଟିଏ ଖାଲି ହେବାରୁ ସୁଯୋଗଟିଏ ଆସି ପହଞ୍ଚିଲା । ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଆପଣାର ସମ୍ମତି ବି ଜଣାଇଲେ । ମାତ୍ର ତଥାପି ଗୋଟିଏ କେଁ ମଧ୍ୟ ରହିଥିଲା ଓ ସମସ୍ତ ବ୍ୟାପାରଟିରେ ଆସି ଅନ୍ତରାୟ ହେଲା । ନିୟମ ଅନୁସାରେ ଅଧ୍ୟାପକ ସ୍ତରରେ ନିଯୁକ୍ତ ଜଣେ ୟୁରୋପୀୟ ବ୍ୟକ୍ତି ଯେତିକି ବେତନ ପାଆନ୍ତି, ଜଣେ ଭାରତୀୟ ଅଧ୍ୟାପକ ସେହି ପଦରେ ନିଯୁକ୍ତ ହୋଇ ଆସିଲେ ସେହି ପରିମାଣର ଅର୍ଥ ପାଇବାର ବିଧାନ ନଥିଲା । ଈଶ୍ଵରଚନ୍ଦ୍ର ତେଣୁ ଆଦୌ ରାଜି ହେଲେନାହିଁ । ଇଉରୋପୀୟ ଅଧ୍ୟାପକଙ୍କଠାରୁ କମ୍ ବେତନ ପାଇ ସେ ସେହି କର୍ମଟିକୁ ଗ୍ରହଣ କରିବାକୁ ଉଚିତ ବୋଧ କରିନଥିଲେ । ତାଙ୍କ ଭିତରର ସ୍ଵାଭିମାନୀ ମନୁଷ୍ୟଟି ସେହି କାରଣରୁ ପ୍ରତିବାଦ ଜଣାଇଥିଲା । ଏଣେ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ, ତଥାପି ସିଏ ସମ୍ମାନ ହରାଇବାକୁ ମୋଟେ ରାଜି ହୋଇ ନଥିଲେ ଏବଂ ସେହି ମର୍ମରେ ଲାଟଙ୍କ ପାଖକୁ ପତ୍ର ଲେଖି ଜଣାଇ ଦେଇଥିଲେ । ଯାହା ଅନୁମାନ କରାଯାଉଛି, ବିଦ୍ୟାସାଗରଙ୍କୁ ଅତ୍ୟନ୍ତ ଉତ୍ତମ ଭାବରେ ଜାଣିଥିବା ଲାଟ ମହୋଦୟ ଏହି କ୍ଷେତ୍ରରେ ଏକ ସାଲିଶ୍ ହୁଏତ କରିଥାନ୍ତେ, ମାତ୍ର ତାଙ୍କର ଆହୁରି ଉପରିସ୍ଥ ଭରତ ସରକାର ଏପରି ଏକ ପରମ୍ପରାକୁ ଭାଙ୍ଗି ଦେବାଲାଗି ଆଗଭର ହୋଇ ପାରିଲେ ନାହିଁ ।

 

ସେହି ଦୁଃସମୟରେ ଆଉଗୋଟିଏ କଥା ବି ଘଟିଥିଲା । ଏଡ଼େ ବଡ଼ ବିଦ୍ୟାସାଗରଙ୍କର ଏପରି ଦୁରବସ୍ଥା ଦେଖି ତାଙ୍କର ପ୍ରଶଂସକ ବନ୍ଧୁମାନଙ୍କର ଗୋଟିଏ ଗୋଷ୍ଠୀ ଆଉ ଏକ ଚାନ୍ଦା-ସଂଗ୍ରହର କାର୍ଯ୍ୟକ୍ରମ ହାତକୁ ନେଇ କିଛି ଅର୍ଥସଂଗ୍ରହ କରିବା ବୋଲି ମନସ୍ଥ କଲା । ଦାନ ନୁହେଁ, ଚାନ୍ଦା । ଦାନ ତ ଦାନୀମାନେ ଦିଅନ୍ତି । ଆଗରୁ ଥରେ ଧନୀ ଶୁଭେଚ୍ଛୁ କେତେଜଣଙ୍କଠାରୁ ଦାନ ସଂଗ୍ରହ କରି ବିଦ୍ୟାସାଗରଙ୍କର ହାତରେ ଆଣି ଦେବା ପାଇଁ ଏକ ଚେଷ୍ଟା ହୋଇଥିଲା, ସେତେବେଳେ ନିଜେ ବିଦ୍ୟାସାଗର ହିଁ ସେପରି ଏକ ଚେଷ୍ଟା କରାନଯାଉ ବୋଲି ସ୍ଵର ଉତ୍ତୋଳନ କରିଥିଲେ । ଏଥର ତାଙ୍କର ବିଧବା-ପୁନର୍ବିବାହ କାର୍ଯ୍ୟକ୍ରମ ନିମନ୍ତେ ବୁଲି ବୁଲି ଚାନ୍ଦା ସଂଗ୍ରହ କରାଯିବ । ସମ୍ପୂର୍ଣ୍ଣ ଭାବରେ ସାଧାରଣଙ୍କଠାରୁ । ଏଥର ଶ୍ରୀଯୁକ୍ତ ବିଦ୍ୟାସାଗର ମନା କରିନଥିଲେ-। ସର୍ବପ୍ରଥମେ ଏକ ନିବେଦନ-ପତ୍ର ତିଆରି ହେଲା । ସେଥିରେ ଶ୍ରୀ ବିଦ୍ୟାସାଗର କିପରି ଏହି କାର୍ଯ୍ୟଟିରେ ମନୋନିବେଶ କରିଛନ୍ତି ଓ ଆପଣାର ମୁଣ୍ଡ ଉପରେ ହିଁ ସର୍ବବିଧ ବ୍ୟୟର ଦାୟିତ୍ଵକୁ ମୁଣ୍ଡାଇ ସେ ନିଃସ୍ଵପ୍ରାୟ ହେଲେଣି,–ତେଣୁ ଏତିକିବେଳେ ଆମେ ଜନସାଧାରଣ କିଛି ଅର୍ଥ ଚାନ୍ଦାଦ୍ଵାରା ଏକତ୍ର କରି ତାଙ୍କ ହାତରେ ପ୍ରଦାନ କରି ପାରିଲେ ତାଙ୍କର ପ୍ରକୃତରେ ଅନେକ ଚିନ୍ତା ନିଶ୍ଚୟ ଦୂର ହୋଇଯିବ । ଅତ୍ୟନ୍ତ ଦୁର୍ଯୋଗର କଥା, ଏହି ନିବେଦନପତ୍ରଟି ବିଦ୍ୟାସାଗରଙ୍କର ନଜରକୁ ମଧ୍ୟ ଆସିଥିଲା । ଏବଂ ସିଏ ସେଥିରୁ କ'ଣସବୁ ଘ୍ରାଣ କରି ପାରିଲେ କେଜାଣି, ଚାନ୍ଦା ଆଣି ତାଙ୍କୁ ସାହାଯ୍ୟ କରିବାର ଏହି ପରାମର୍ଶଟାରେ ତା'ପରେ ଆଉ ମୋଟେ ରାଜି ହୋଇନଥିଲେ । ଅର୍ଥାତ୍ ପୁନର୍ବାର କେଉଁଠାରେ କ'ଣ ମନ୍ଦଟାଏ ଆସି ପଶି ଯାଇଥିଲା-? ସେତେବେଳେ ସେଇ ତାଙ୍କରି ଗୋଟିଏ ଉକ୍ତି ଅନୁସାରେ, ନିବେଦନ–ପତ୍ରଟିରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ବିଦ୍ୟାସାଗର ଘୋର ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ତେଣୁ ଏହି ସଙ୍କଟ ସମୟରେ ତାଙ୍କ ଲାଗି କିଛି ସହାୟତା ସମ୍ଭବ କରିବା ଦେଶବାସୀଙ୍କର ଏକାନ୍ତ କର୍ତ୍ତବ୍ୟ ବୋଲି ସୂଚିତ କରି ଦିଆ ଯାଇଥିଲା । ବିଦ୍ୟାସାଗରଙ୍କର ବିବେକଟିକୁ ଏପରି ଗୋଟିଏ ଦୃଷ୍ଟିକୋଣ ଆଦୌ ଘେନାଇଲା ନାହିଁ । ହଁ, ସିଏ ବର୍ତ୍ତମାନ ଯେ ଅର୍ଥାଭାବରେ ପଡ଼ିଛନ୍ତି, ସେଇଟି ସମ୍ପୂର୍ଣ୍ଣ ସତ୍ୟ କଥା-। ମାତ୍ର ଏହି ଅର୍ଥାଭାବ କେଉଁ କାରଣରୁ ? ବିଧବା-ବିବାହ ଆନ୍ଦୋଳନ ସକାଶେ ହିଁ ଏପରି ହୋଇଛି ଏବଂ ଆହୁରି ଅର୍ଥର ଆବଶ୍ୟକତା ରହିଛି । ଅଥଚ, ନିବେଦନ ପତ୍ରରେ ବିଧବା-ବିବାହ ବିଷୟରେ ପ୍ରାୟ କିଛି ଲେଖା ହୋଇନାହିଁ । ଆମ ସମାଜର ଉପସ୍ଥିତ ସ୍ଥିତିରେ ବିଧବା-ବିବାହ ଗୋଟିଏ ବ୍ୟାଧି ସଦୃଶ ଆମକୁ ଗିଳି କରି ରହିଛି । ସେହି ବ୍ୟାଧିର ନିରାକରଣ ଦେଶ ଓ ସମାଜର ମଙ୍ଗଳବିଧାନ ଲାଗି ଅତ୍ୟନ୍ତ ଆବଶ୍ୟକ ଓ ତେଣୁ ତାହା ବୁଝୁଥିବା ପ୍ରତ୍ୟେକ ଦେଶବାସୀ ଅର୍ଥ ସମେତ ସର୍ବବିଧ ପ୍ରକାରେ ସହାୟତା କରିବା ଉଚିତ,–ବରଂ ଏହିପରି ଲେଖା ହୋଇଥାଆନ୍ତା ସେକଥା ନକରି ନିବେଦନ ପତ୍ରରେ ତାଙ୍କ ଅର୍ଥାଭାବଟିକୁ ହିଁ ପ୍ରମୁଖ ସ୍ଥାନ ଦିଆଯାଇଛି । ତେଣୁ, ବିଦ୍ୟାସାଗରଙ୍କ ପାଇଁ ସେଇଟି ଆଉ ଗ୍ରହଣୀୟ ହେଲାନାହିଁ । ଏହାକୁ ଆମେ ମାନ, ଅଭିମାନ କିମ୍ବା ସ୍ଵାଭିମାନ,–କ'ଣ ବୋଲି କହିବା ? ସ୍ମରଣ ରଖିବାକୁ ହେବ ଯେ ଆପଣାର ମୃତ୍ୟୁ ପୂର୍ବରୁ ହିଁ ଈଶ୍ଵରଚନ୍ଦ୍ର ତାଙ୍କ ଉପରେ ରହିଥିବା ସକଳ ଋଣକୁ ନିଜେ ପରିଶୋଧ କରି ଯାଇଥିଲେ ।

 

ହଁ, ଈଶ୍ଵରଚନ୍ଦ୍ର ତ ନିଜର ସାଥୀମାନଙ୍କୁ ନେଇ ରାଜ୍ୟ ତମାମ ବିଧବା-ବିବାହ ଅନୁଷ୍ଠିତ କରାଉଛନ୍ତି ଓ ଅଧିକାଂଶ ଏହିପରି ବିବାହରେ ନିଜେ ହିଁ କର୍ତ୍ତା ହେଉଛନ୍ତି । ମାତ୍ର, ତାଙ୍କ ନିଜ କୁଟୁମ୍ବରେ ତ କୌଣସି ବିଧବା ବିବାହ ହୋଇନାହିଁ ଏବଂ ସେହିଭଳି ଅବକାଶଟିଏ ପହଞ୍ଚିଲେ ସେ ସେଥିରେ ମତ ଦେବେ ତ ?–ସଂଶୟୀମାନେ ସେପରି ଅବଶ୍ୟ ବେଳେବେଳେ ଭାବୁଥିବେ ବୋଲି ସିଏ ମନରେ ଭାବିଥିବେ । ଏବଂ, ଠିକ୍ ସେହିପରି ପରୀକ୍ଷାଟିରେ ସେ ଉତ୍ତୀର୍ଣ୍ଣ ହେଲେ, ଯେତେବେଳେ ତାଙ୍କର ଏକମାତ୍ର ପୁତ୍ରସନ୍ତାନ ଶ୍ରୀଯୁକ୍ତ ନାରାୟଣ ତାଙ୍କର ବିବାହ ଜଣେ ବିଧବାଙ୍କ ସହିତ ହେଉ ବୋଲି ଇଚ୍ଛା ବ୍ୟକ୍ତ କରିଥିଲେ ଏବଂ ତା'ପରେ ପରିବାରରେ ସେହି ପ୍ରଶ୍ନଟିକୁ ନେଇ ବେଶ୍ ଗୋଟିଏ ହଲଚଲ ମଧ୍ୟ ଆରମ୍ଭ ହୋଇ ଯାଇଥିଲା । ଗ୍ରାମରେ ଏପରି ଗୋଟିଏ ନିଷ୍ପତ୍ତି ଯୁବକ ନାରାୟଣ ଗ୍ରହଣ କରିବାକୁ ଉଦ୍ୟତ ହେଲେଣି ବୋଲି ଲୋକମାନେ ଜାଣି ପାରିଥିବାରୁ ସଂପୃକ୍ତ ମହଲଗୁଡ଼ିକରେ ଏକ ଚାଞ୍ଚଲ୍ୟ ହିଁ ଖେଳି ଯାଇଥିଲା । ସେତେବେଳେ ପୁଅର କକା ବଡ଼ଭାଇ ଈଶ୍ଵରଚନ୍ଦ୍ରଙ୍କ ନିକଟକୁ ଗୋଟିଏ ପତ୍ର ଲେଖି ଜଣାଇଥିଲେ: ବାବୁ ନାରାୟଣ ଜଣେ ବିଧବାଙ୍କୁ ବିବାହ କରିବେ ବୋଲି ଏକ ସମ୍ବାଦ ପ୍ରଚାର ହେଉଥିବା ସଙ୍ଗେ ସଙ୍ଗେ ଆମର ଆତ୍ମୀୟ, ବନ୍ଧୁବାନ୍ଧବ ଏବଂ କୁଟୁମ୍ବ ମଧ୍ୟରେ ବେଶ୍ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇ ଯାଇଛି । ନାରାୟଣ ଆହୁରି ଦୁଇ ଚାରିବର୍ଷ ଅପେକ୍ଷା କରିଯାଆନ୍ତୁ ବୋଲି ସେମାନେ ମୋତେ କହୁଛନ୍ତି । ପୁନଶ୍ଚ, ସେମାନେ ମୋତେ ଏପରି ବି କହୁଛନ୍ତି ଯେ, ବିଦ୍ୟାସାଗର ମହାଶୟ ଅପରମାନଙ୍କର ଏହିଭଳି ବିବାହ-ଅନୁଷ୍ଠାନ କରନ୍ତୁ, ସେଥିରେ ଆମର କୌଣସି ଆପତ୍ତି ନାହିଁ, କିନ୍ତୁ ଏକାବେଳେକେ ବାବୁ ନାରାୟଣଙ୍କ ଲାଗି ସେହିପରି ଏକ ବିବାହର ସମ୍ପାଦନ କରାଗଲେ ଆଉ ଆମେ ବୋଧହୁଏ କେହିହେଲେ ତୁମମାନଙ୍କ ସହିତ ଏକତ୍ର ଆହାରାଦି କରି ପାରିବୁ ନାହିଁ, କାରଣ ସେପରି କଲେ ସମାଜରୁ ବାଛନ୍ଦ ହୋଇଯିବୁ । ଏବଂ, ଆହୁରି କେତେ କେତେ ଗଣ୍ଡଗୋଳ ମଧ୍ୟ ଘଟିବ । ଆମ ପୁଅଝିଅମାନଙ୍କର ବିବାହ ସ୍ଥିର କରିବା ସମୟରେ ବହୁ ଅସୁବିଧା ଆସି ପହଞ୍ଚିବ । ସେହିସବୁ କାରଣରୁ ହିଁ ନାରାୟଣଙ୍କର ଏହି ବିବାହରୁ ଆପଣମାନେ କ୍ଷାନ୍ତ ହୁଅନ୍ତୁ । ସମସ୍ତେ ମୋତେ କଲିକତା ଯାଇ ଏସବୁ ବିଷୟ ଆପଣଙ୍କର ଗୋଚରକୁ ଆଣିବା ସକାଶେ ପରାମର୍ଶ ଦେଉଛନ୍ତି । ସେଥିଲାଗି ଆପଣଙ୍କୁ ପତ୍ରଦ୍ଵାରା ଅବଗତ କରାଉଛି ଏବଂ, ଆପଣ ଯେପରି ପରାମର୍ଶ ଦେବେ, ମୁଁ ସେହିପରି ଅବଶ୍ୟ କରିବି । ସମାଜର ସଂସ୍କାରବିଧାନ ଲାଗି ଅଗ୍ରଣୀ ହୋଇ ବାହାରିଥିବା ବିଦ୍ୟାସାଗର କଦାପି ନିଜକୁ ପଶ୍ଚାତ୍‍ପଦ ହୋଇ ରହିଯାଇ ନଥାନ୍ତେ । ପୁତ୍ର ନାରାୟଣଙ୍କର ବିବାହ ସେ ନିଷ୍ପତ୍ତି କରିଥିବା ଅନୁସାରେ ଜଣେ ବିଧବା ସହିତ ସମ୍ପନ୍ନ ହୋଇ ଯାଇଥିଲା । ସେତେବେଳେ ତାଙ୍କ ବୟସ ବାଇଶି ଏବଂ ପତ୍ନୀଙ୍କ ବୟସ ଚଉଦ କନ୍ୟା ନଅ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ ଏବଂ ବାରବର୍ଷ ବୟସରେ ବିଧବା ହୋଇଥିଲେ । ବିବାହତି ସମ୍ପନ୍ନ ହେବାର ଚାରିଦିନ ପରେ ଈଶ୍ଵରଚନ୍ଦ୍ର ସାନଭାଇଙ୍କ ନିକଟକୁ ପତ୍ର ଲେଖି ସଂବାଦଟିକୁ ଜଣାଇ ଦେଇଥିଲେ ଏବଂ ତା'ପରେ ଲେଖିଥିଲେ: ତୁମେ ଆଗରୁ ମୋ'ପାଖକୁ ଲେଖିଥିଲ ଯେ, ଯଦି ନାରାୟଣ ବିଧବା ବିବାହ କରେ, ତେବେ ଆମ କୁଟୁମ୍ବଲୋକେ ଆମକୁ ବାସନ୍ଦ କରି ରଖିବେ, ଆମ ସହିତ ଏକାଠି ଭୋଜନ କରିବେ ନାହିଁ ଓ ତେଣୁ ଏହି ବିବାହଟିକୁ ନକଲେ ହିଁ ଅଧିକ ଭଲ ହେବ । ନାରାୟଣ ନିଜେ ନିଷ୍ପତ୍ତି ଗ୍ରହଣ କରି ଏହି ବିବାହଟିକୁ କରିଛି,–ମୋ ଇଚ୍ଛା କିମ୍ବା ଅନୁରୋଧକୁ ମାନି ସେ ସେପରି କରିନାହିଁ । ମୁଁ ଯେତେବେଳେ ଜାଣିବାକୁ ପାଇଲି ଯେ ସିଏ ଆପଣା ନିମନ୍ତେ ବିଧବା କନ୍ୟାଟିଏ ସ୍ଥିର କରିଛି, ସେତେବେଳେ ମୋ'ପକ୍ଷରେ ପ୍ରତିକୂଳ ମତ ଦେବା ଆଦୌ ଉଚିତ ହୋଇନଥାନ୍ତା । ମୁଁ ନିଜେ ବିଧବାବିବାହର ଜଣେ ପ୍ରବର୍ତ୍ତକ ଏବଂ ଆମେ କେତେକେତେ ଉଦ୍ୟମ କରି ବହୁସଂଖ୍ୟକ ବିଧବା କନ୍ୟାଙ୍କର ବିବାହ କରାଇଛୁ; ତେଣୁ ବାବୁ ନାରାୟଣକୁ ତା'ର ସେହି ନିଷ୍ପତ୍ତିରୁ କ୍ଷାନ୍ତ କରିବାକୁ ଚେଷ୍ଟା କରିଥିଲେ ମୁଁ ତା'ପରେ ଲୋକମାନଙ୍କ ଆଗରେ ମୁହଁ ହିଁ ଦେଖାଇ ପାରିନଥାନ୍ତି । ଭଦ୍ରସମାଜର ନିତାନ୍ତ ହେୟ ଓ ଅଶ୍ରଦ୍ଧେୟ ହୋଇ ରହିଥାନ୍ତି । ନାରାୟଣ ସ୍ଵତଃପ୍ରବୃତ୍ତ ହୋଇ ଏହିଭଳି ବିବାହଟିଏ କରିବାଦ୍ଵାରା ମୋ'ର ମୁଖ ଉଜ୍ଜ୍ଵଳ କରିଛି ଏବଂ ଲୋକସମ୍ମୁଖରେ ମୋ' ପୁତ୍ର ବୋଲି ପରିଚୟ ଦେବାର ପଥଟିକୁ ପ୍ରଶସ୍ତ କରିଦେଇଛି । ବିଧବାବିବାହର ପ୍ରବର୍ତ୍ତନ ଭେଉଛି ମୋ' ଜୀବନର ସର୍ବପ୍ରଥମ ସତ୍‍କର୍ମ । ଏଇଟିଠାରୁ ଆଉ ଅଧିକତର କୌଣସି ସତ୍‍କର୍ମ ମୁଁ କରି ଦେଖାଇ ଦେବାର କୌଣସି ସମ୍ଭାବନା ହିଁ ନାହିଁ । ଏହି କାର୍ଯ୍ୟଟିକୁ କରି ମୁଁ ସର୍ବସ୍ଵାନ୍ତ ହୋଇଛି ଏବଂ ଆବଶ୍ୟକ ହେଲେ ଜୀବନ ଦେବାକୁ ମଧ୍ୟ ରାଜି ଅଛି-। ସେଇଟି ଆଗରେ ତ ଏହିସବୁ କୁଟୁମ୍ବବିଚ୍ଛେଦ ଅତ୍ୟନ୍ତ ସାମାନ୍ୟ କଥାଟିଏ । ମୋ' କୁଟୁମ୍ବବର୍ଗ ମୋ' ସହିତ ଆଉ ଏକାଠି ବସି ଆହାରାଦି କରିବେନାହିଁ, ମୁଁ ଯଦି ସେହି ଭୟରେ ନିଜ ପୁଅକୁ ତା' ବିଧବାବିବାହ କରିବାର ଇଚ୍ଛାରୁ ନିବୃତ୍ତ କରି ରଖିଥାନ୍ତି, ତଦ୍ଦ୍ଵାରା ମୁଁ ଗୋଟିଏ ନରାଧମ ବୋଲି ହିଁ ପ୍ରତିପାଦିତ ହୋଇଥାନ୍ତି । ମୋ' ପୁଅ ସ୍ଵତଃପ୍ରବୃତ୍ତ ହୋଇ ଏକ ଏଭଳି ନିଷ୍ପତ୍ତି ନେଲା ବୋଲି ମୁଁ ଆପଣାକୁ କୃତାର୍ଥ ବୋଲି ହିଁ ଅନୁଭବ କରୁଛି । ମୁଁ ଦେଶାଚାରର ଆଦୌ ନିତାନ୍ତ ଜଣେ ଦାସ ନୁହେଁ, ନିଜର କିମ୍ବା ସମାଜର ମଙ୍ଗଳ ସକାଶେ ଯାହା ଯେତେବେଳେ ଉଚିତ ବା ଆବଶ୍ୟକ ହେବ, ମୁଁ ତାହା ନିଶ୍ଚୟ କରିବି, ଲୋକମାନଙ୍କର ଅଥବା ଜ୍ଞାତିକୁଟୁମ୍ବଙ୍କର ଭୟରେ ଆଦୌ ସଙ୍କୁଚିତ ହୋଇ ରହିଯିବି ନାହିଁ । ସର୍ବଶେଷରେ ଏତିକି କହିବି ଯେ, ସମାଜର ଭୟ ବା ଅନ୍ୟ କୌଣସି କାରଣରୁ ନାରାୟଣ ସହିତ ଆହାରାଦି କରିବାକୁ ଯେଉଁମାନଙ୍କର ସାହସ ବା ପ୍ରବୃତ୍ତି ନହେବ, ସେମାନେ ତାହା ଅବଶ୍ୟ କରନ୍ତୁ, ସେଥିପାଇଁ ନାରାୟଣ ମଧ୍ୟ କୌଣସି ପ୍ରକାରେ ଦୁଃଖିତ ହେବନାହିଁ । ....ମୁଁ ଭାବୁଛି ଏହିସବୁ ବିଷୟରେ ସମସ୍ତଙ୍କର ନିଜ ଇଚ୍ଛାଦ୍ୱାରା ହିଁ ପରିଚାଳିତ ହୋଇପାରିବା ଉଚିତ, ଆଉ କାହାରି ଇଚ୍ଛାର ଅନୁବର୍ତ୍ତୀ ବା ଅନୁରୋଧର ବଶବର୍ତ୍ତୀ ହୋଇ ଚାଲିବା ମୋଟେ ଉଚିତ ହେବନାହିଁ ।

 

ବିଧବା-ବିବାହ ସହିତ ବହୁବିବାହର କୁପ୍ରଥାଟିଏ କାଳକାଳ ଯାବତ୍ ଯୋଡ଼ା ହୋଇ ଆସିଥିଲା । ବହୁ ବିବାହ ସମ୍ପୂର୍ଣ୍ଣ ଭାବରେ ଶାସ୍ତ୍ରସମ୍ମତ ବୋଲି ମଧ୍ୟ ଏକ ଅପବାଦ ରହିଥିଲା । କୁଳୀନ ବ୍ରାହ୍ମଣମାନେ ସେମାନଙ୍କର ଗୋଟିଏ ଅଧିକାର ସଦୃଶ ସେହି ପ୍ରଥାଟିଦ୍ଵାରା ଉପକୃତ ହେଉଥିଲେ । ଜଣେ ଜଣେ କୁଳୀନ ବହୁସଂଖ୍ୟାରେ ସ୍ତ୍ରୀଗ୍ରହଣ କରି ପାରୁଥିଲେ । ସ୍ତ୍ରୀ ଅର୍ଥାତ୍ ଅଳ୍ପ ବୟସର ବାଳିକା । ଏବଂ, ଦୁର୍ଯୋଗବଶତଃ, ଯଦି କୁଳୀନ କୌଣସି ସ୍ଵାମୀ ମହାଶୟ ମୃତ୍ୟୁମୁଖରେ ପତିତ ହେଉଥିଲେ, ତେବେ ନିୟମତଃ ଅସୁମାରି ପ୍ରାୟ ସେହି ଅଳ୍ପବୟସ୍କା କନ୍ୟାମାନେ ବିଧବା ହିଁ ହେଉଥିଲେ ଏବଂ ସେମାନଙ୍କୁ ସମାଜଧର୍ମଟି ଅନୁସାରେ ବିଧବାର କଠୋର ଜୀବନଟିକୁ ଆଦରି ନେଇ ସମସ୍ତ ଜୀବନ ଉତ୍ପୀଡ଼ିତ ହେବାକୁ ପଡ଼ୁଥିଲା । ସେଥିନିମନ୍ତେ ଈଶ୍ଵରଚନ୍ଦ୍ର ଏ ବିଷୟରେ କେତେକ ହିସାବ ମଧ୍ୟ ସଂଗ୍ରହ କଲେ ଲୋକଲୋଚନର ସମକ୍ଷକୁ ଆଣିଥିଲେ । ସେ ପାଇଥିବା ଏକ ଦୃଷ୍ଟାନ୍ତରେ ୫୫ ବର୍ଷ ବୟସ୍କ ଜଣେ କୁଳୀନ ବ୍ରାହ୍ମଣଙ୍କର ଅଶୀରୁ ଅଧିକ ପତ୍ନୀ ଥିଲେ, ଗୋଟିଏ ବାରବର୍ଷ ବୟସ୍କ ବାଳକର ପାଞ୍ଚଜଣ ପତ୍ନୀ ରହିଥିଲେ । ଅର୍ଥାତ୍, ଯଦି ଏମାନଙ୍କର କୌଣସି କାରଣରୁ ମୃତ୍ୟୁ ହେବ, ତେବେ ସମାଜର ବିଧିନିର୍ଣ୍ଣୟ ଅନୁସାରେ ଏହି ଅଭାଗିନୀମାନେ ସମସ୍ତେ ବିଧବା ହେବେ ଏବଂ ସ୍ଥିରୀକୃତ କଠୋର କଷ୍ଟ ସହନଗୁଡ଼ିକଦ୍ଵାରା ବାଧ୍ୟ ହିଁ ହୋଇ ରହିବେ । ବିଦ୍ୟାସାଗର ବହୁବିବାହର ପ୍ରଥାଟିର ନିନ୍ଦା କରି ଦୁଇଖଣ୍ଡ ବହି ଲେଖିଥିଲେ । ସରକାର ମଧ୍ୟ ସେହି ପ୍ରଥାକୁ ନିଷିଦ୍ଧ ଘୋଷଣା କରି ଆଇନ୍ କରିଦିଅନ୍ତୁ ବୋଲି ଅନ୍ୟମାନଙ୍କ ସହିତ ସିଏ ମଧ୍ୟ ଆବଶ୍ୟକ ଉଦ୍ୟମମାନ କରୁଥିଲେ । ତଥାପି, ସିଏ ଖୁବ୍ ଭଲ ଭାବରେ ବୁଝି ପାରୁଥିଲେ ଯେ ଲୋକମାନଙ୍କର ଦୃଷ୍ଟିକୋଣଗୁଡ଼ିକରେ ପରିବର୍ତ୍ତନ ନହୋଇଥିବା ପର୍ଯ୍ୟନ୍ତ ସରକାରୀ ଆଇନ୍‍ଦ୍ଵାରା ବିଶେଷ ଫଳ ମିଳିବନାହିଁ । ଏବଂ, ସେହି ଅଭିପ୍ରାୟରେ ହିଁ ସେ ନିଜେ ଉପରଲିଖିତ ବହି ଦୁଇଟିକୁ ଲେଖିଥିଲେ । ଅତ୍ୟନ୍ତ ସୁନିଶ୍ଚିତ କଥା ଯେ ସେ ତଦ୍ୱାରା କୁଳୀନ ବ୍ରାହ୍ମଣମାନଙ୍କର କୋପଦୃଷ୍ଟିରେ ମଧ୍ୟ ପଡ଼ିଥିଲେ ।

 

ତାଙ୍କ ପିଲାଦିନର ଗ୍ରାମ ପାଠଶାଳାର ଶିକ୍ଷକ ଜଣେ, ସିଏ ମଧ୍ୟ ବହୁବିବାହ କରିଥିଲେ-। ନିତାନ୍ତ ଦରିଦ୍ର ସେ, ଏତେ ସଂଖ୍ୟାର ପତ୍ନୀମାନଙ୍କୁ କଦାପି ଗ୍ରାସାଚ୍ଛାଦନ ଦେଇ ପାଖରେ ରଖି ପାରିନଥାନ୍ତେ । ତେଣୁ ହତଭାଗିନୀମାନେ ସେହି କୁଳୀନ ଶିକ୍ଷକ ମହାଶୟଙ୍କର ଔରସରୁ ଜନ୍ମ ହୋଇଥିବା ସନ୍ତାନମାନଙ୍କୁ ନେଇ ମୁଖ୍ୟତଃ ନିଜର ବାପଘରମାନଙ୍କରେ ଆଶ୍ରୟ ଲୋଡ଼ିବାକୁ ବାଧ୍ୟ ହେଉଥିଲେ । ଏହିପରି ଜଣେ ପତ୍ନୀ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଦିନେ ଯେତେବେଳେ ବାପଘରୁ ଦୁଃଖକଥା କହିବା ପାଇଁ ଯେତେବେଳେ ଈଶ୍ଵରଚନ୍ଦ୍ର ଏକଦା ସେ ଗାଆଁକୁ ଯାଇଥିବା ସମୟରେ ଆସି ଆପଣାର ଦୁଃଖକଥାଟିକୁ କହିଲେ, ସେତେବେଳେ ଯାଇ ବିଦ୍ୟାସାଗର ଘଟଣାଟିକୁ ଜାଣିବାକୁ ପାଇଥିଲେ । ଆହୁରି ମଧ୍ୟ ଜାଣିଲେ ଯେ, ଏହି ପତ୍ନୀଙ୍କର ଗୋଟିଏ ଝିଅ ଯାହାକୁ କି କୌଣସି ଜଣେ କୁଳୀନ ବ୍ରାହ୍ମଣ ସହିତ ବିବାହ ଦିଆଯାଇ ସାରିଛି । ସିଏ ମଧ୍ୟ ମାଆଙ୍କ ପାଖରେ ମାଆଙ୍କର ବାପଘରେ । ଦୁଃଖର ପରସ୍ତ ପରସ୍ତ କାହାଣୀଟିକୁ ଶୁଣି ବିଦ୍ୟାସାଗର ଭୋ' ଭୋ' କାନ୍ଦିବାକୁ ଲାଗିଲେ । ପ୍ରତିକାର ମଧ୍ୟ କ'ଣ କରି ପାରିଥାନ୍ତେ । ଏସବୁ କ୍ଷେତ୍ରରେ, ଯେତେ ଜାଗାରେ ସିଏ ଦୁର୍ଗତ ମନୁଷ୍ୟମାନଙ୍କର ସାମନାକୁ ଆସିଛନ୍ତି ଏବଂ ସେମାନଙ୍କ ଅସହାୟତାର କଥା ଶୁଣିଛନ୍ତି, ସେତେବେଳେ ସେ ନିଜ ଭିତରେ ଏହିପରି ଅସହ୍ୟ ବେଦନା ଅନୁଭବ କରିଛନ୍ତି ଓ ରୋଦନ କରି ଉଠିଛନ୍ତି । ଏହାକୁ ଆଦୌ ଏକ ଦୁର୍ବଳ ଭାବପ୍ରବଣତା ବୋଲି କହି ଆଡ଼େଇ ଦେଇ ହେବନାହିଁ । ବରଂ ସବୁ ମଣିଷଙ୍କୁ ନିଜର ଏକାନ୍ତ ଆତ୍ମୀୟ ବୋଲି ଅନୁଭବ କରୁଥିବା ଓ ଏହି ଚାରିପାଖର ପୃଥିବୀଟିରେ ମନୁଷ୍ୟମାନେ ସହ୍ୟ କରୁଥିବା ସକଳ ଦୁଃଖ ନିମନ୍ତେ ନିଜକୁ ମଧ୍ୟ କୌଣସି ନା କୌଣସି ପ୍ରକାରେ ଅବଶ୍ୟ ଦାୟୀ ବୋଲି ଅନୁଭବ କରୁଥିବା ଜଣେ ନିର୍ମଳହୃଦୟ ସହମଣିଷର ସବଳ ସହାନୁଭୂତି ବୋଲି ନିଶ୍ଚୟ କହିପାରିବା । ତତ୍‍କ୍ଷଣାତ୍ ସେ ଯେତିକି ପାରିବେ ବୋଲି ଜାଣିଥିଲେ, ବିଦ୍ୟାସାଗର ତାହା ସବୁବେଳେ ଅବଶ୍ୟ ହିଁ କରୁଥଲେ: କିଛି ଅର୍ଥ ସାହାଯ୍ୟ କରୁଥିଲେ । ବହୁସଂଖ୍ୟକ ଲୋକଙ୍କୁ ସେ ମାସିକ କିଛି ପରିମାଣର ଅର୍ଥ ମଧ୍ୟ ପଠାଇ ଦେଉଥିଲେ-। ମାତ୍ର, ସମାଜରେ ସ୍ଵୀକୃତି ଲାଭ କରି ଆସିଥିବା ଅମାନୁଷିକତାଗୁଡ଼ିକ ଯେ ମାତ୍ର ଏତିକିଦ୍ଵାରା ଦୂର ହୋଇଯାଇ ପାରିବେ, ସେ ଏକଥା କେବେହେଲେ ଭାବିନଥିବେ ।

 

ବିଧବା-ପୁନର୍ବିବାହ, କୁଳୀନ ବ୍ରାହ୍ମଣମାନଙ୍କର ପ୍ରାୟ ଏକ ଯୁଗାନୁକ୍ରମ ସଂସାରରେ ଅନୁସୃତ ହୋଇ ଆସିଥିବା ବହୁପତ୍ନୀ-ଗ୍ରହଣ ନାମକ ନିଷ୍ଠୁର ବିଳାସର ଉନ୍ମୂଳନ,–ଏଗୁଡ଼ିକ ସହିତ ସ୍ତ୍ରୀଶିକ୍ଷାର ଏକ ଅବଶ୍ୟ ପ୍ରୟୋଜନ ସର୍ବତ୍ର ଜଡ଼ିତ ହୋଇ ରହିବ ହିଁ ରହିବ, ଏବଂ ସେହି କଥାଟିକୁ ସମସ୍ତେ ଅତ୍ୟନ୍ତ ସହଜରେ ନିଶ୍ଚୟ ବୁଝିବେ । ତେଣୁ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଯେ ପ୍ରଥମୋକ୍ତ ଦୁଇଟି ଭିତରେ ନିଜର କ୍ରିୟାଶୀଳ ଭୂମିକାଗୁଡ଼ିକୁ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସ୍ତ୍ରୀଶିକ୍ଷା ଆଡ଼କୁ ମନ ବଳାଇବେ ଏବଂ ସେଇଟିରେ ମଧ୍ୟ ଖୁବ୍‍ ଘନିଷ୍ଠ ଭାବରେ ନିଜକୁ ସଂପୃକ୍ତ କରି ରଖିବେ, ସେଥିରେ ଆମର କାହାରି ଲେଶମାତ୍ର ସନ୍ଦେହ ରହିବା ମଧ୍ୟ ଉଚିତ ନୁହେଁ । ଭାରତବର୍ଷର ପ୍ରାଚୀନ କାଳରୁ ହିଁ ପବିତ୍ର ବୋଲି ଧରି ନିଆ ଯାଇଥିବା ପାରମ୍ପରିକତା ଅନୁସାରେ ସ୍ତ୍ରୀରକ୍ଷା କହିଲେ ବିଜ୍ଞ ଆଚାର-ନିୟାମକମାନେ ଯାହା ବୁଝନ୍ତୁ ବା ନବୁଝନ୍ତୁ ପଛକେ, ସେମାନେ ପୂର୍ଣ୍ଣତଃ ଏକ କାବ୍ୟରୀତିର ଅନୁସରଣ କରି ନାରୀକୁ ନାହିଁ ନଥିବ ପ୍ରଶସ୍ତିପୂର୍ଣ୍ଣ ବର୍ଣ୍ଣନାରେ ପୋତି ପକାଇବାର କଳାଟିକୁ ଏପରି ନିରୀହ ଭାବରେ ଆୟତ୍ତ କରି ନେଇଥିଲେ ଯେ, ଦୈନନ୍ଦିନତାର ଆମ ବାସ୍ତବ ଜୀବନରେ ନାରୀ ଯେ ସକଳ ଅର୍ଥରେ ପୁରୁଷର ଦାସୀ ହୋଇ ରହିଛି, ତେଣେ ଆଖି ପକାଇବାକୁ ସମ୍ଭବତଃ ସମୟ ହିଁ ପାଉନଥିଲେ । ବାଳିକା କନ୍ୟାକୁ ସ୍ତ୍ରୀରୂପେ ଗ୍ରହଣ କରିବା, ସ୍ଵାମୀ ମରିଗଲେ ସେହି ବାଳିକାଟିକୁ ଗୋଟିଏ ଦୁଷ୍ଟ ସଂସ୍କାରଗତ ଗଣିତ ଅନୁସାରେ ଜୀବନଯାକ ତଥାକଥିତ ବୈଧବ୍ୟଗତ ଧର୍ମଟାକୁ ପାଳନ କରିବାର ଦୟନୀୟତା ମଧ୍ୟରେ ବାଧ୍ୟ କରି ରଖିବା, କୁଳୀନମାନେ ପ୍ରାୟ ମରଜି ଅନୁସାରେ ବହୁ ପତ୍ନୀଙ୍କୁ ଗ୍ରହଣ କରି ଭୋଗ କରିବା,–ଏଗୁଡ଼ିକ କ'ଣ ଆମର ସେହି ଶାସ୍ତ୍ରକାରମାନଙ୍କର ଆଖିରେ ପ୍ରକୃତରେ ପଡ଼ୁନଥିଲା ? ପୁନଶ୍ଚ, ଏହି ବହୁ-ବାଳିକା-ପତ୍ନୀ-ଗ୍ରହଣର ବିଶେଷ ଅଧିକାରଟି ପୂରା ଏକପାଖିଆ ଭାବରେ କେବଳ କୁଳୀନ ବ୍ରାହ୍ମଣମାନଙ୍କର ହୋଇ ହିଁ ରହିଥିଲା । ଅର୍ଥାତ୍‍, ଆମ ସାମୂହିକ ଜୀବନର ଭାଡ଼ିଟିରେ ଏକ ମୌରସୀ ଚଳଣିରେ ସବାଉପରେ ଥାନ ପାଇ ଆସିଥିବା ବ୍ରାହ୍ମଣମାନେ ହିଁ ନିଜ ଖୁଆଡ଼ଟା ନିମନ୍ତେ ହିଁ ଏହି ପ୍ରଥାଟିକୁ ଏକଆଡ଼ିଆ କରି ରଖିଥିଲେ । ଅର୍ଥାତ୍‍, ନିତାନ୍ତ ଏକ ବଳଦିଆ ବୁଦ୍ଧିରେ ବିଚାର କରି ମଧ୍ୟ କହିଦେଇ ହେବ ଯେ, ଏହି ନିୟମ ଓ ନୀତିମାନଙ୍କର ଚତୁର କର୍ତ୍ତାମାନେ, ସମାଜଟା ଚଳିବ ବୋଲି ଯେତେ ପରିମାଣରେ ଏଗୁଡ଼ିକର ଭିଆଣ କରି ନଥିଲେ, ଆପଣାର ନାନା ଆନନ୍ଦବର୍ଦ୍ଧନ ନିମନ୍ତେ ତାହା କରିଥିଲେ । ଏବଂ, ଖୁବ୍‍ ସମ୍ଭବ, ସମାଜଟାର ସବୁଯାକ ତର୍ପଣ କେବଳ ସେମାନଙ୍କର ନିଜ ପାଖରେ ହିଁ ରଖିଥିଲେ ।

 

ସ୍ତ୍ରୀଶିକ୍ଷାର ଅସଲ ପ୍ରେରଣାଟି ପାଶ୍ଚାତ୍ୟରୁ ଏକ ସଂକ୍ରାମକ ପବନ ପରି ଭାରତବର୍ଷରେ ପହଞ୍ଚିଥିଲା ଓ ଏଠାରେ ବହୁ ଶ୍ଳଥତାକୁ ଭାଙ୍ଗିଦେବାରେ ନିମିତ୍ତ ହୋଇଥିଲା ଶ୍ରୀ ବେଥୁନ୍‍ ଓ ସେହିଧର୍ମୀ ଆଉ କେତେଜଣ କଲିକତାରେ ଏହି ବିଷୟରେ ଏକ ନିଦ୍ରାଭଙ୍ଗକାରୀ ଡାଇଲଗ୍‍ ଆରମ୍ଭ କରି ଦେଇଥିଲେ ଏବଂ ବିଦ୍ୟାସାଗର ସେହି ନୂଆ ସ୍ପର୍ଶଟିକୁ ଘ୍ରାଣ କରି ଆପଣାକୁ ସେମାନଙ୍କ ନିକଟବର୍ତ୍ତୀ କରି ଆଣିଥିଲେ । ତଥାପି ଗୋଟିଏ କଥା ଅବଶ୍ୟ ସ୍ମରଣ ରହିଥିବା ଉଚିତ ଯେ, ଅନ୍ୟ ପ୍ରାୟ ସମସ୍ତେ ସହରର ବାସିନ୍ଦା ଥିଲେ, ତତ୍କାଳୀନ ସମାଜରେ ସାଆନ୍ତ ହୋଇ ରହିଥିଲେ,–ସେମାନଙ୍କ ମଧ୍ୟରୁ ହୁଏତ କେହି କେହି ଗ୍ରାମରେ ଭୂମିଷ୍ଠ ହୋଇଥିଲେ ମଧ୍ୟ ଧର୍ମତଃ ଅନ୍ୟ ଏକ ମିଜାଜ୍‍ ଅର୍ଥାତ୍‍ ଆକାଂକ୍ଷାରେ କଲିକତାକୁ ଚାଲି ଆସିଥିଲେ । ଉଚ୍ଚ ଉଚ୍ଚ ବ୍ୟକ୍ତିତ୍ଵର ବର୍ମ ଧାରଣ କରିଥିଲେ । ବହୁ ଲୋକହିତକର 'ଭଲ' କାମରେ ଆପଣାକୁ ସାମିଲ କରି ରଖିଥିଲେ । କିନ୍ତୁ, ସକଳ ଅବସରରେ ଏକ ଦୂରତା ମଧ୍ୟ ରଖିଥିଲେ । ଭାରତବର୍ଷକୁ ସତେଅବା କେଉଁ ଦରବାର ଭିତରର ଜଣେ ଜଣେ ପାରିଷଦ ରୂପେ ହିଁ ନିଜକୁ କଳ୍ପନା କରିବାରେ ଅଭ୍ୟସ୍ତ ଥିଲେ । ଏବଂ, ହୁଏତ ଏପରି ମଧ୍ୟ କହିହେବ କି ସେମାନେ ସର୍ବବିଧ ସ୍ଵବିଚାରରେ ସବାଆଗ ନିଜକୁ ଦେଖୁଥିଲେ ଓ ତା'ପରେ ଯାଇ ଭାରତବର୍ଷକୁ ତାହାର ସମୁଚିତ ନ୍ୟାୟ ଦେଇ ଦେଖୁଥିଲେ; ମାତ୍ର ଅନ୍ୟ ପକ୍ଷରେ, ପଣ୍ଡିତ ଈଶ୍ଵରଚନ୍ଦ୍ର ସବାଆଗ ଭାରତବର୍ଷର ବୃହତ୍ତର ଲୋକ-ପରିଚୟଟିକୁ ହିଁ ସର୍ବଦା ଚକ୍ଷୁ ସମକ୍ଷରେ ଦେଖୁଥିଲେ ? ଗାଆଁରେ ଜନ୍ମ ହୋଇ ସିଏ ଜୀବିକା ଖୋଜି କାଲିକତାକୁ ଆସିଥିଲେ । କୌଣସି ଅର୍ଥପ୍ରମାଦ ନରଖି ଅବଶ୍ୟ କୁହାଯାଇ ପାରିବ ଯେ କାଲିକତାର ଅବସ୍ଥାନ କାଳରେ ସେ ନିଜର ଜ୍ଞାନ-ଆହରଣରେ ଆଦୌ କୌଣସି କାତରତା ପ୍ରଦର୍ଶନ କରିନଥିଲେ । ନିଜର ଗାଆଁଟା ତାଙ୍କୁ ଖୁବ୍ ଟାଣୁଥିଲେ ମଧ୍ୟ ସେ ସହର ଛାଡ଼ି ମୋଟେ ଗାଆଁକୁ ଚାଲିଯିବାକୁ ଆଦୌ ମନ କରିନଥିଲେ । ମାତ୍ର, ସହର ତାଙ୍କୁ ମୋଟେ ଗିଳି ପକାଇ ନଥିଲା । ସହରରେ ସ୍ଥାୟୀ ଗୃହ ନିର୍ମାଣ କରି ରହିଥିଲେ ମଧ୍ୟ ତାଙ୍କର ଯାବତୀୟ ଭବିଷ୍ୟନକ୍ସାରେ ସର୍ବଦା ହିଁ ଗାଆଁ ଓ ସହର ଦୁହେଁ ରହିଥିଲେ । ସେହି କାରଣରୁ ହିଁ ଆମେ ଈଶ୍ଵରଚନ୍ଦ୍ରଙ୍କର ଶିକ୍ଷାକ୍ଷେତ୍ରୀୟ ସକଳ ଉଦ୍ୟମକୁ ଯଥାସମ୍ଭବ ଅଧିକ ନିଷ୍ଠାପରତା ସହିତ ସେହି ବିଶେଷ ବ୍ୟଞ୍ଜନାଟି ଦେଇ ପରଖି ଦେଖିବାକୁ ମଧ୍ୟ ଚେଷ୍ଟା କରିବା । ସିଏ ଗୋଟିଏ ଗାଆଁରେ ଜନ୍ମ ହୋଇଥିଲେ,–କେବଳ ସେହି ଗୋଟିଏ ଭୂମି ଉପରେ ତାଙ୍କର ସେହି ଅନନ୍ୟତାର କଦାପି ବିଚାର କରାଯାଇ ପାରିବନାହିଁ । ସିଏ ନିଜଗାଆଁରୁ ଏପରି କୌଣସି ନିଦା ଉପାଦାନ ନେଇ ସହରକୁ ଆସିଥିଲେ, ଯାହାଠାରୁ ଶକ୍ତି ନେଇ ସିଏ ସହରଟାଦ୍ଵାରା ଗିଳିହୋଇ ପଡ଼ିଲେ ନାହିଁ ଏବଂ ସହରରେ ସାହେବମାନଙ୍କ ସହିତ ଆପଣାର ଯାବତୀୟ ସଂସର୍ଗରେ ସିଏ ସେମାନଙ୍କଠାରୁ ଏପରି କିଛି ଉପାଦାନକୁ ଆହରଣ ହୁଏତ କରିଥିଲେ, ଯାହାକି ଅନ୍ୟ ବହୁତଙ୍କ ପରି ତାଙ୍କୁ ସେମାନଙ୍କ ପାଖରେ କେବେହେଲେ ବି ବିକିଦେଇ ନଥିଲା ?

 

ବିଧବା-ପୁନର୍ବିବାହ ଏବଂ ବହୁପତ୍ନୀ-ଗ୍ରହଣରେ କୁଳୀନ ପ୍ରଥାଟିର ଉନ୍ମୁଳନ, ଦୁଇଟିଯାକ ପ୍ରଧାନତଃ ପୁରୁଷ ସହିତ ସଂପୃକ୍ତ ଗୋଟିଏ ଗୋଟିଏ ବ୍ୟାପାର । ଯେଉଁମାନେ ନିତାନ୍ତ ଅଳ୍ପବୟସରୁ ବିଧବା ହେଉଥିଲେ, ସେମାନେ ଆମ ସାମାଜିକ ଭାଗ୍ୟବାଦୀ ବିଶ୍ଵାସଟାକୁ ହିଁ ସବୁକିଛିର ନିୟାମକ ବୋଲି ମାନି ନେବାଟାଦ୍ଵାରା ଏପରି ମଣ ହୋଇ ରହିଥିଲେ ଯେ, ଏଥିରେ ଆଉକିଛି କରିବାର ନାହିଁ ବୋଲି ହିଁ ସ୍ଵୀକାର କରି ନେଉଥିଲେ । ଭାଗ୍ୟରେ ହିଁ ବୈଧବ୍ୟ ଲେଖାହୋଇ ରହିଥିଲା: ଏପରିକି, ତଥାକଥିତ ସ୍ଵାମୀଟି ଯେ ଜୀବନ ସାଙ୍ଗ କରି ସଂସାରରୁ ଚାଲିଗଲା, ସେତେବେଳେ ହୁଏତ ପୂରା ହାୱାଟା ହିଁ ତାହାର ପତ୍ନୀ ହୋଇ ଘରକୁ ଆସିଥିବା ସେହି ବାଳିକାଟିର ଅପରାଧ ହେତୁ ଅବଶ୍ୟ ଘଟେ ବୋଲି ମାନି ନେଇଥିଲା । ତେଣୁ, ବିଧବା ବ୍ରତଗୁଡ଼ିକୁ ପାଳନ କରି ସବୁକିଛି ମାନି ନେବା ବ୍ୟତୀତ ଆଉ ଗତ୍ୟନ୍ତର ବା କ'ଣ ଥିଲା ? ସୁତରାଂ, ଏହି ନୂତନ ବିଦ୍ୟାସାଗରୀୟ ଆନ୍ଦୋଳନଟିର ବାରତାଟି ଆସି ପହଞ୍ଚିବା ପରେ ଶୁଭେଚ୍ଛୁବର୍ଗ ଯେତେବେଳେ ତଥାପି ସ୍ଵାମୀଟିଏ ଠିକ୍ କରି ଦେଉଥିଲେ, ସେତେବେଳେ ତ ଝିଅଟିର ଜୀବନରେ ବସ୍ତୁତଃ ଏକ ସୂର୍ଯ୍ୟୋଦୟ ଘଟିବାକୁ ଯାଉଥିବା ପରି ଅନୁଭବ ହେଉଥିବ । ଏବଂ, ସେହି ସମୟରେ ନୂତନ ଶିକ୍ଷାର ସ୍ପର୍ଶ ଲାଭ କରିଥିବା ଯୁବକଟିଏ ବାଳିକାଟିକୁ ଗ୍ରହଣ କରିବାକୁ ରାଜି ହୋଇଯିବ ହୁଏତ ସେତେ କଷ୍ଟକର ହେଉନଥିବ । ପୁନଶ୍ଚ, ଏହି ସବୁକିଛି ପ୍ରକ୍ରିୟାରେ ଅନ୍ୟମାନେ ଘଟକର କାର୍ଯ୍ୟ କରୁଥିଲେ ଏବଂ ପାଣିଗ୍ରହଣର ଖରଚଟା ମଧ୍ୟ ବିଦ୍ୟାସାଗର ଅଥବା ଆଉ ଅନ୍ୟ ବଦାନ୍ୟ ବ୍ୟକ୍ତିମାନେ ବହନ କରୁଥିଲେ । ଏବଂ, ଏପରି ବିବାହ ଆଦୌ ଶାସ୍ତ୍ରବିରୋଧୀ ଓ ତେଣୁ ଧର୍ମବିରୋଧୀ ନୁହେଁ ବୋଲି ଯେତେବେଳେ ପ୍ରତିପାଦିତ ହୋଇ ଯାଇଛି, ସେତେବେଳେ କୌଣସି ଗର୍ହିତ କାର୍ଯ୍ୟ କିଛି କରାଯାଉଛି ବୋଲି କୌଣସି କୌଣସି ସଙ୍କୋଚ ଅନୁଭବ କରିବାର ଅବକାଶ ମଧ୍ୟ ରହିନଥିବ । ଅପର ପକ୍ଷରେ, କେବଳ କୁଳୀନମାନେ ତ ଅଧିକ ପତ୍ନୀ ଗ୍ରହଣ କରିବାର ଚଳଣିଟା ରହିଥିଲା । ତେଣୁ, ଅବ୍ରାହ୍ମଣ ନିମ୍ନବର୍ଗଗୁଡ଼ିକ ସମ୍ଭବତଃ ତାହାକୁ ଆଦୌ ଏକ ଭଲ ଚକ୍ଷୁରେ ଦେଖୁନଥିବେ । ଏହି ପ୍ରଚଳନଟାକୁ ବନ୍ଦ କରିବା ସକାଶେ ସବୁବେଳେ ପୁରୁଷମାନଙ୍କୁ ନେଇ ଯାହାକିଛି କରିବାକୁ ପଡ଼ୁଥିଲା । ମାତ୍ର, ସ୍ତ୍ରୀଶିକ୍ଷାର ପ୍ରବର୍ତ୍ତନ-କ୍ଷେତ୍ରରେ କଥାଟା ମୋଟେ ସେତେ ସହଜ ହୋଇନଥିବ ।

 

ସ୍ତ୍ରୀମାନଙ୍କ ବିଷୟରେ ପୁରୁଷଦ୍ଵାରା ଶାସିତ ଏକ ସମାଜର ଯେଉଁ ଧାରଣା, ସେଇଟି ପ୍ରକୃତରେ ନାରୀଶିକ୍ଷା ବିଷୟକ ଯାବତୀୟ କାର୍ଯ୍ୟକୁ ସତେଅବା ପ୍ରତିକୂଳ ଏକ ସ୍ରୋତରେ ତଥାପି କରା ଯାଉଥିବା ଏକ ପ୍ରୟାସବତ୍ ଅନୁଭବ ହୋଇଥିବ । ଆମ ଆଚାରଶାସ୍ତ୍ରଗୁଡ଼ିକ ତ ନାରୀ ନିମନ୍ତେ ଖାସ୍ ଧର୍ମଗୁଡ଼ିକର ନିରୂପଣ କରି ଦେଇଥିଲେ । ନାରୀର ସେହି ନାରୀପାଇଁ ନିର୍ଦ୍ଧାରିତ ଖାସ୍ କାର୍ଯ୍ୟଗୁଡ଼ିକୁ ଜୀବନଧର୍ମ ବୋଲି ମାନିନେବାଟା ହିଁ କଳାକାଳରୁ ଆମ ସମାଜଟିକୁ ଏକ ନିର୍ଦ୍ଦେଶିତ ନକ୍ସାରୂପରେ ଦୃଢ଼ କରି ରଖିଥିଲା । ହଁ, ଶ୍ରୀଯୁକ୍ତ ବେଥୁନ୍ ସାହେବଙ୍କ ଭଳି କେତେ ବ୍ୟକ୍ତି ଆସି ପହଞ୍ଚିବା ଫଳରେ ଈଶ୍ଵରଚନ୍ଦ୍ରଙ୍କୁ ଅବଶ୍ୟ ଏହି କ୍ଷେତ୍ରରେ ବହୁତ ହେମତ ନିଶ୍ଚୟ ମିଳିଥିବ । କିନ୍ତୁ, ଯେତେ ଯାହା ସତ୍-କାମନା ରହିଥିଲେ ମଧ୍ୟ ସାହେବମାନେ ମୁଖ୍ୟତଃ କଲିକତାରେ ହିଁ ସବୁ କରୁଥିଲେ । ଭଲ ଘରର ଝିଅମାନେ କ୍ରମେ ବିଶ୍ଵବିଦ୍ୟାଳୟରେ ଆସି ଅଧ୍ୟୟନ ବି କରିପାରିଥିଲେ । ଈଶ୍ଵରଚନ୍ଦ୍ର ନାରୀଶିକ୍ଷା କହିଲେ ସର୍ବଦା ଏକ ବୃହତ୍ତର କ୍ଷେତ୍ରରେ ଦୃଶ୍ୟପଟକୁ ସମ୍ମୁଖରେ ରଖି ବାଟ ଚାଲୁଥିଲେ ମଧ୍ୟ ଏହି ବୃହତ୍ ସହରରେ ସେହି ସନ୍ଦର୍ଭରେ ଘଟୁଥିବା ବିଶେଷ କୃତିତ୍ଵର ଘଟଣାଗୁଡ଼ିକୁ ମଧ୍ୟ ସେ ସର୍ବଦା ଗୋଟିଏ ଗୋଟିଏ ମାଇଲ୍-ଷ୍ଟୋନ୍ ରୂପେ ମନେ ରଖୁଥିଲେ, ଖୁସି ମଧ୍ୟ ହେଉଥିଲେ । କଲିକତା ବିଶ୍ଵବିଦ୍ୟାଳୟରୁ ସର୍ବପ୍ରଥମେ ଏମ୍.ଏ. ଡିଗ୍ରୀ ହାସଲ କରିଥିବା ଶ୍ରୀମତୀ ଚନ୍ଦ୍ରମୁଖୀ ବସୁଙ୍କୁ ସିଏ ତାଙ୍କର ସେହି ସଫଳତାପ୍ରାପ୍ତିର ସ୍ମରଣୀୟ ଅବସରତିରେ ଅଭିନନ୍ଦନଟିଏ ପ୍ରେରଣ କରିଥିଲେ ଏବଂ ସେହି ଖୁସୀର ନିଦର୍ଶନ ସ୍ୱରୂପ ତାଙ୍କୁ ଇଂରାଜୀ ନାଟ୍ୟକାର ଉଇଲିଅମ୍ ସେକସ୍‍ପିୟର୍‍ଙ୍କର ସମଗ୍ର ରଚନାସଂଗ୍ରହଟିଏ ଉପହାର ସ୍ୱରୂପ ପ୍ରଦାନ ମଧ୍ୟ କରିଥିଲେ ।

 

ସମାଜରେ ଏତେ ଏତେ ସଂସ୍କାର ସମ୍ଭବ କରି ଆଣିବାରେ ବିଦ୍ୟାସାଗରଙ୍କୁ ଅନେକ ସଂଗ୍ରାମ କରିବାକୁ ହିଁ ହୋଇଥିଲା । ସତେଅବା ଏକ ସ୍ରୋତର ଦିଗ ବଦଳାଇବାର ଚେଷ୍ଟା କରିବା ଭଳି ଏକ ସଂଘର୍ଷ । ତୁମୂଳ କେତେଭଳି ବିରୋଧ, ଉଭୟ ନିଜ ଗ୍ରାମରେ ଏବଂ କଲିକତାରେ । ଆରମ୍ଭରେ ପ୍ରାୟ ସର୍ବଥା ଏକାକୀ ଛିଡ଼ା ହୋଇ । ଏକଥାଟିରେ ପ୍ରକୃତରେ କୌଣସି ସନ୍ଦେହ ନାହିଁ ଯେ ସରକାରୀ ଇଂରେଜ ଉଚ୍ଚପଦସ୍ଥଗଣ ତାଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ସର୍ବଦା ସମର୍ଥନ ଦେଉଥିଲେ ଏବଂ ଯଥାସମ୍ଭବ ଉପରୁ କିଛି କିଛି ଅନୁକୂଳତା ମଧ୍ୟ ଯୋଗାଇ ଦେଉଥିଲେ । ତାଙ୍କର ଏହିଦେଶୀୟ ସମକାଳୀନମାନଙ୍କର ଅନ୍ତରରେ ତାଙ୍କପ୍ରତି ଯଥୋଚିତ ଶ୍ରଦ୍ଧା ଏବଂ ସମ୍ମାନ ନିରନ୍ତର ରହିଥିଲା, ତାଙ୍କର ନବବିଧାନଚୟର ଯାବତୀୟ କ୍ରିୟାଶୀଳତାରେ ସେମାନଙ୍କର ସହାନୁଭୂତି ମଧ୍ୟ ରହିଥିଲା । କିନ୍ତୁ ସେମାନେ ତାଙ୍କ ପରି ଆଗୁସାର ହୋଇ ଯିବାକୁ ହୁଏତ ଏକ ପ୍ରମାଦ ବୋଲି ମାଣୁଥିଲେ । ସବୁ ହଉ, ହୁଏତ ଅବଶ୍ୟ ହେବ,–କିନ୍ତୁ ଏପରି ଦ୍ରୂତ ରୀତିରେ ହେବାର ପୁଣି କି ଆବଶ୍ୟକତା ରହିଛି ? ବିଦ୍ୟାସାଗର ସବୁକଥାରେ ଏପରି ଡଗଡଗ କ'ଣ ପାଇଁ ହେଉଛନ୍ତି,–ସେମାନେ ଅନେକ ସମୟରେ ବୁଝି ପାରୁନଥିଲେ ଓ ତେଣୁ ଆଗକୁ ଅନାଇ କୌଣସି ସର୍ବନାଶର କଳାଟାକୁ ଦେଖି ଶଙ୍କିତ ହୋଇ ପଡ଼ୁଥିଲେ । ହୁଏତ ଏପରି ଘଟିବ ଯେ ଯାହାସବୁ ଯାହିତାହି ରହିଛି, ସେଗୁଡ଼ିକ ଭୁଷୁଡ଼ି ଓ ଆଗାମୀ ଇପ୍‍ସିତଗୁଡ଼ିକ ନିମନ୍ତେ କୌଣସି ସଂଗତିଯୁକ୍ତ ମୂଳଦୁଆ ପଡ଼ିନଥିବ ଏବଂ ତେଣୁ ସର୍ବନାଶ ହିଁ ହେବ । ବିଦ୍ୟାସାଗର ତ ସହରରେ କେତେ କ'ଣ ସ୍ଵୀକୃତି ଏବଂ ସମ୍ମାନ ଭିତରେ ରହିଛନ୍ତି, ତଥାପି କାହିଁକି ଏତେ ବେଗରେ ଦଉଡ଼ିବାରେ ଲାଗିଛନ୍ତି । ଏବଂ, ନିଜର ପ୍ରତ୍ୟେକ ସଂସ୍କାର-ଆନ୍ଦୋଳନ ନିମନ୍ତେ ଲୋକଚିତ୍ତରେ ଏକ ଅନୁକୂଳ ବୋଧଭୂମିକୁ ପୋଖତ କରି ଆଣିବାର ଅଭିପ୍ରାୟରେ ବିଦ୍ୟାସାଗର ସବୁବେଳେ ସ୍ଵୀୟ ପ୍ରତ୍ୟୟଯୁକ୍ତ ଭାଷା ଓ ଶୈଳୀରେ ପୁସ୍ତକମାନ ମଧ୍ୟ ରଚନା କରୁଥିଲେ ଏବଂ ସେଗୁଡ଼ିକ ହୁଏତ ସବୁଠାରୁ ଅଧିକ ଶକ୍ତିଶାଳୀ ଭାବରେ ତାଙ୍କ ନିମନ୍ତେ ସମାନଭାବନାଯୁକ୍ତ ଶିବିରଟିଏ ମଧ୍ୟ ଗଠିତ କରି ଆଣୁଥିଲା । ପ୍ରତିବାଦ ଏବଂ ବିରୋଧ ଖୁବ୍ ହେଉଥିଲା, ଏବଂ ସବୁ କ୍ଷେତ୍ରରେ ବିଦ୍ୟାସାଗର ସେଗୁଡ଼ିକର ପ୍ରତିଜବାବଗୁଡ଼ିକୁ ଆଣି ଉପସ୍ଥାପିତ କରି ଦେଉଥିଲେ । ସେ ଅପେକ୍ଷା କରି ଜାଣିଥିଲେ ସିନା, କିନ୍ତୁ କଦାପି ହାରୁନଥିଲେ । ତାଙ୍କ ଭିତରେ ଏକ ପ୍ରତ୍ୟୟପୂର୍ଣ୍ଣ ସାହସ ସର୍ବଦା ତାଙ୍କର ସକଳବିଧ କ୍ରିୟାଶୀଳତାରେ ଆଧାରଶିଳା ହୋଇ ରହିଥିଲା । ସଂସ୍କାର ପଛରେ ତାଙ୍କୁ ଯେଉଁସବୁ ସଂଗ୍ରାମରେ ଅବତୀର୍ଣ୍ଣ ହେବାକୁ ହେଉଥିଲା, ତାହା ପଶ୍ଚାତରେ ନିତାନ୍ତ ବ୍ୟତିକ୍ରମହୀନ ଭାବରେ ଏକ ବୀରୋଚିତ ସାହସ ହିଁ ରହିଥିଲା । ଦୁଃସାହସ ନୁହେଁ ସାହସ, ସଦାଧୃତିଯୁକ୍ତ ବିଶ୍ଵାସବଳିଷ୍ଠ ସାହସଟିଏ,–ସେହି ବିଦ୍ୟାସାଗରୀୟ ସାହସଟି ।

☆☆☆

 

Unknown

-୫-

ଅନ୍ୟର ହିତ–ସର୍ବଜନହିତ

 

ବୀରସିଂହ ଗ୍ରାମରେ କେତେ ନା କେତେ ଅମଳରୁ ଦଶହରା ସମୟରେ ମେଢ଼ ଉପରେ ମୂର୍ତ୍ତିମାନ ନିର୍ମାଣ କରି ପୂଜା କରିବାର ସାମାଜିକ ପଦ୍ଧତିଟିଏ ନିଶ୍ଚୟ ଚଳି ଆସିଥିବ । ଏବେ ତ ବଙ୍ଗନାମକ ସେହି ପ୍ରାନ୍ତଟିରେ ତାହାକୁ ସାର୍ବଜନୀନ ପୂଜା ବୋଲି କୁହାଯାଉଛି । ଢାକ, ଢ଼ୋଲ, ପଶୁବଳି, ଚଣ୍ଡୀପାଠ, ବିପୁଳ ଜନଭିଡ଼, ପୂଜାବଜାର, କିଣାବିକା,–ଏହିପରି କେତେ କେତେ ଆନୁଷ୍ଠାନିକ କାଣ୍ଡମାନ । କିନ୍ତୁ କୌଣସି ସଂହତିଯୁକ୍ତ ସମାଜରେ ସହଜ ସମ୍ପର୍କମାନ ରଖି ସବୁରିଲାଗି ଏକ ଶ୍ରଦ୍ଧାସଚଳ ଯୌଥନଜୀବନକୁ ସତକୁ ସତ ସମ୍ଭବ କରିପାରିବା ସକାଶେ ଏସବୁ ମହାଡ଼ମ୍ବରର ହୁଏତ କୌଣସି ଆବଶ୍ୟକତା ନାହିଁ । ଈଶ୍ଵରଚନ୍ଦ୍ରଙ୍କୁ ଏକାବେଳେକେ ସେହି ମୂଳରୁ ଅର୍ଥାତ୍‌ ତାଙ୍କର ସେହି କଞ୍ଚା ବୟସରୁ ହିଁ ଏସବୁ କ'ଣପାଇଁ ମୋଟେ ଭଲ ଲାଗୁନଥିଲା । ଗାଆଁରେ ଏସବୁ କାହିଁକି ବର୍ଷ ପରେ ବର୍ଷ ଚାଲିବ ବୋଲି ସିଏ ଅନୁକ୍ଷଣ ଆପଣା ପାଖରେ ହୁଏତ ପଚାରି ହେଉଥିଲେ । ମାତ୍ର, ଗାଆଁରେ ତ ସେମାନେ ସମସ୍ତେ ତାଙ୍କର ଗୁରୁଜନ ଏବଂ ମୁରବୀସ୍ଥାନୀୟ,–ଏହି ବାଳକଟିର କଥାକୁ ସେମାନେ କ'ଣ ପାଇଁ ଆଦୌ କୌଣସି ମୂଲ୍ୟ ଦେବେ ? ଈଶ୍ଵରଚନ୍ଦ୍ର ତେଣୁ ସାହସ କରି ଏହି ମନୋଭାବଟିକୁ କାହା ପାଖରେ ବ୍ୟକ୍ତ କରି ପାରୁନଥିଲେ । ତାଙ୍କର ଏକମାତ୍ର ଅଦଉତିସ୍ଥାନ ଥିଲେ ତାଙ୍କର ଜନନୀ, ଭଗବତୀ ଦେବୀ । ସେହି ଗୋଟିଏ ଜାଗା, ଯେଉଁଠାରେ କି ସେ ମନ ଖୋଲି ସବୁ କହି ଦେଇ ପାରିବେ । ସେଇ ଗୋଟିଏ ଜାଗା, ଯେଉଁଠାରେ କି ସହାନୁଭୂତିପୁର୍ଣ୍ଣ ସଦାନୁରାଗୀ କାନଟିଏ ସବୁ ଶୁଣିବା ନିମନ୍ତେ ଖୋଲା ହୋଇ ରହିଥିବ । ତେଣୁ ସିଏ ତାହାହିଁ କରିବେ । ତାହାହିଁ କଲେ । ମାଆଙ୍କୁ ଯାଇ କହିଲେ । ଗୋଟିଏ ପତ୍ର ଲେଖି କଲିକତାରୁ ତାଙ୍କୁ ଜଣାଇଲେ ଯେ, ଏଣିକି ଦୁର୍ଗାପୂଜା ନହେଉ, ଅନ୍ତତଃ ଆମ ନିଜ ଘରେ ନହେଉ । ବର୍ଷ ବର୍ଷ ଧରି ଖରଚ ହେଉଥିବା ପଇସା ଦରିଦ୍ରମାନଙ୍କର କିଛି ନା କିଛି ଅଭାବମୋଚନ କରିବାରେ ବ୍ୟୟିତ ହେଉ । ମାଆ ବି ରାଜୀ ହୋଇଗଲେ । କିନ୍ତୁ, ଏସବୁ କ'ଣ ସହଜ କଥା ? ଗ୍ରାମରେ ଅନ୍ୟମାନେ ମଧ୍ୟ ଅଛନ୍ତି ଏବଂ ଆମ ନିଜ ପରିବାରଟି ମଧ୍ୟ ସେହି ଗୋଟିଏ ସଂସ୍କାରର ବନ୍ଧନରେ ସେମାନଙ୍କ ସହିତ ବାନ୍ଧି ହୋଇ ରହିଛି । ସତେଅବା ଗାଆଁଟା ଯାକ ଆପତ୍ତି କରି ଉଠିଥିଲେ । ପରୋକ୍ଷ ତଥା ପ୍ରତ୍ୟକ୍ଷରେ ବେଶ୍‌ ପ୍ରତିବାଦମାନ ବି ଅବଶ୍ୟ ହୋଇଥିବ । କିନ୍ତୁ ଧନ୍ୟ କହିବ ସେହି ଜନନୀ ଭଗବତୀ ଦେବୀଙ୍କୁ,–ନିଜଗୁଣରେ ସିଏ ସମସ୍ତଙ୍କୁ ମନାଇ ନେଇ ପାରିଥିଲେ ଏବଂ ସାମୟିକ ଯାବତୀୟ ଉତ୍ତାପକୁ ଶୀତଳ କରି ଆଣିଲେ । ପୁଅର ପ୍ରସ୍ତାବ ହିଁ ଗାଆଁରେ କାର୍ଯ୍ୟକାରୀ ହେଲା;–ଦୁର୍ଗାପୂଜାର ସେହି ଦୀର୍ଘ ପରମ୍ପରାଟିରେ ବସ୍ତାନି ବନ୍ଧା ହେଲା ଏବଂ ଗ୍ରାମର ଦରିଦ୍ର ପରିବାରଗୁଡ଼ିକୁ ସାହାଯ୍ୟ କରିବାରେ ସଂଗୃହୀତ ଅର୍ଥରାଶିକୁ ବ୍ୟୟ କରା ଯାଇଥିଲା ।

 

ନିଜ ପିତାମାତାଙ୍କ ପ୍ରତି ଈଶ୍ଵରଚନ୍ଦ୍ରଙ୍କର ଅଗାଧ ଶ୍ରଦ୍ଧା ରହିଥିଲା । କାହାଣୀ କହୁଛି ଯେ, ଥରେ କାଶୀ ବିଶ୍ଵନାଥଙ୍କର ଦର୍ଶନ କରି ମନ୍ଦିର ଭିତରକୁ ଯିବାଲାଗି ସେ ଇଚ୍ଛା କରିନଥିଲେ । ବାରଣାସୀରେ ଥାଇ ମଧ୍ୟ ଶ୍ରୀ ଶିବଭଗବାନଙ୍କର ଦର୍ଶନ ପାଇଁ ଗଲେ ନାହିଁ । ପଣ୍ଡାମାନେ ତାହାର କାରଣ ପଚାରିବାରୁ ସେ ଉତ୍ତର ଦେଇଥିଲେ: ମୋ'ର ପିତାମାତା ହେଉଛନ୍ତି ମୋ'ର ସାକ୍ଷାତ ବିଶ୍ଵେଶ୍ଵର । ମୁଁ ସେହିମାନଙ୍କର ପ୍ରସାଦ ହିଁ ପାଏ । ତେଣୁ ଏଠି ବିଶ୍ଵନାଥ ମନ୍ଦିରକୁ ଯାଇ ଶିବଙ୍କର ଦର୍ଶନ କରିବାକୁ ଗଙ୍ଗାସ୍ନାନ କରିବାକୁ ମୋ'ର ଆଉ କ'ଣ ପାଇଁ କି ପ୍ରୟୋଜନ ରହିବ ? ଜୀବନର ଶେଷ ପର୍ଯ୍ୟାୟରେ ପ୍ରାୟ ସ୍ଥାୟୀ ଭାବରେ କଲିକତାରେ ବାସ କରୁଥିବା ସମୟରେ ସେ ମାଆଙ୍କୁ ହିଁ ସବାଆଗ ଆପଣା ନିତ୍ୟସ୍ମରଣର ସବାଆଗରେ ଧରି ରଖିଥିଲେ । ଜଣେ ଦକ୍ଷ ସାହେବଙ୍କ ହାତରେ ମାଆଙ୍କର ଛବିଟିଏ ତିଆରି କରାଇ ସେ ଘରେ ଟାଙ୍ଗି ରଖିଥିଲେ । ପ୍ରତ୍ୟହ ପ୍ରାୟ ଏକ ଅବଶ୍ୟ କର୍ତ୍ତବ୍ୟବତ୍‌ ତାଙ୍କର ସେହି ଚିତ୍ରଟି ଆଗରେ ଠିଆହୋଇ ପ୍ରଣାମ ନିବେଦନ କରୁଥିଲେ । ୧୮୮୮ ମସିହାରେ ମାଆଙ୍କର ସ୍ଵର୍ଗାରୋହଣ ଘଟିବାଯାଏ ତାଙ୍କର ସେହି ଅଭ୍ୟାସଟି ବଳବତ୍ତର ହୋଇ ରହିଥିଲା । ମାଆ ତ ଗାଆଁରେ ଥିଲେ । ତେଣୁ ମାଆଙ୍କ ବିଷୟରେ କିଛି ନା କିଛି ସମ୍ବାଦ ଶୁଣିବା ମାତ୍ରକେ ସେ ଠିକ୍‌ ପିଲାଟିଏ ପରି ଭୋ' ଭୋ' କାନ୍ଦି ଉଠୁଥିଲେ । ସମ୍ଭବତଃ, ଏପରି କଥାଟିଏ ମଧ୍ୟ କୁହାଯାଇ ପାରିବ ଯେ ବିଦ୍ୟାସାଗର ନିଜର ମାଆଙ୍କ ପରେ ନିଜ ଗାଆଁ ବୀରସିଂହକୁ ହିଁ ନିଜର ଅତୀବ ପ୍ରିୟ ବୋଲି ଅନୁଭବ କରୁଥିଲେ । ଗାଆଁରେ ଅବସ୍ଥାନ କରୁନଥିଲେ ମଧ୍ୟ ତାକୁ କେବେହେଲେ ଭୁଲି ନଥିଲେ । ଘଟଣା କ୍ରମେ ଏକ ଅନ୍ୟ ପରସ୍ଥିତିରେ ଗାଆଁ ଛାଡ଼ି କଲିକତା ଆସିବା ପୂର୍ବରୁ ଈଶ୍ଵରଚନ୍ଦ୍ର ସେହି ବୀରସିଂହଠାରେ ବିଦ୍ୟାଳୟ, ଡାକ୍ତରଖାନା, ନିୟମିତ ବିଦ୍ୟାଳୟକୁ ଆସି ବିଦ୍ୟାଶିକ୍ଷା କରି ପାରୁନଥିବା ଗାଈଜଗା ଆଦି ଅନ୍ୟ ପିଲାଙ୍କ ନିମନ୍ତେ ସ୍ଵତନ୍ତ୍ର ଏକ ପାଠଶାଳା, ବାଳିକା ବିଦ୍ୟାଳୟ ଆଦିର ସମ୍ପୂର୍ଣ୍ଣ ବନ୍ଦୋବସ୍ତମାନ କରି ତେବେଯାଇ ଗାଆଁ ଛାଡ଼ିଥିଲେ । ଏହି ଯାବତୀୟ ଆନୁଷ୍ଠାନିକ ବ୍ୟବସ୍ଥାର ପ୍ରାୟ ସବୁଯାକ ବ୍ୟୟ ସେ ନିଜେ ବହନ କରୁଥିଲେ । ୧୮୬୬ ମସିହାରେ ଯେତେବେଳେ ଦୁର୍ଭିକ୍ଷ ପଡ଼ିଲା, ସେତେବେଳେ ସେ ଗ୍ରାମରେ ଅନ୍ନସତ୍ର ଦିଆଇଥିଲେ । ଝିଅମାନଙ୍କର ମୁଣ୍ଡ ନୁଖୁରା ହୋଇ ପଡ଼ିଥିବାର ଦେଖି ତେଲର ବ୍ୟବସ୍ଥା କରି ଦେଉଥିଲେ ଓ ଅନେକ ସମୟରେ ନିଜେ ହିଁ ପୂର୍ଣ୍ଣ ମମତାଦ୍ଵାରା ଆକର୍ଷିତ ହୋଇ ସେମାନଙ୍କ ମୁଣ୍ଡରେ ତେଲ ଘଷି ଦେଉଥିଲେ ।

 

କଲିକତାର ସମକାଳୀନ ପଣ୍ଡିତମାନେ ସିନା ତାଙ୍କ ଅଗାଧ ପାଣ୍ଡିତ୍ୟଶକ୍ତିର ପରିଚୟ ପାଇ ତାଙ୍କର ନାମ ସହିତ ବିଦ୍ୟାସାଗର ନାମକ ପଦଟିକୁ ଆଣି ଯୋଡ଼ି ଦେଇଛନ୍ତି,–କିନ୍ତୁ ସାଧାରଣ ଜୀବନର ବହୁବିଧ କ୍ଷେତ୍ରରେ ତାଙ୍କର ସମ୍ପର୍କରେ ଆସିଥିବା ସହସ୍ର ସହସ୍ର ମଣିଷ ତାଙ୍କୁ ଦୟାର ସାଗର ଏବଂ କରୁଣାର ସାଗର ବୋଲି ଅଭିହିତ କରିଛନ୍ତି । ଏହି ସଂସାରର ନାନା ସମ୍ପର୍କରେ ବନ୍ଧାହୋଇ ରହିଥିବା ଜଣେ ଚମ, ହାଡ଼ ଓ ମାଂସର ଦେହଧାରୀ ମନୁଷ୍ୟ ଭିତରେ ପୁଣି ଏତେ ଏତେ ଦରଦ,–ଏତିକି ଦୟା ଓ ଏତିକି କରୁଣା ! ସେମାନେ ନିଶ୍ଚୟ ଖୁବ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ । ଦୟାଳୁ ଏବଂ କରୁଣାବନ୍ତ ମଣିଷମାନେ କ'ଣ ଆମ ଏ ଯୁଗରେ ମଧ୍ୟ ନାହାନ୍ତି ! କୋଉ ଯୁଗରେ ନଥିଲେ ଯେ ଏ ଯୁଗରେ ନରହିବେ । ଏହି ଯାବତୀୟ ଦର୍ୟାଦ୍ରତା ତଥା କରୁଣାପ୍ରଦର୍ଶନର ପଶ୍ଚାତରେ କେତେ କେତେ ଅଭିପ୍ରାୟ ଅର୍ଥାତ୍‌ ଅର୍ଥାର୍ଥିତା ରହିଛି ବୋଲି ସତେଅବା ଅନାଇଦେବା ମାତ୍ରକେ ଜାଣି ହୋଇ ଯାଉଛି । ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଯେ ପ୍ରାୟ ଏକ ଅନ୍ୟ କେଉଁ ଯୁଗର କଳା ନେଇ ଆମର ଏହି ତାତ୍କାଳିକ ଅଭୀଷ୍ଟପୂରଣର ପୃଥିବୀଟାରେ ପୂରାପଣେ ତୁମ ଆମ ଭଳି ଜଣେ ମନୁଷ୍ୟର ସହଜବୋଧ୍ୟ ସନ୍ତର୍ପଣରେ ଜୀବନଧାରଣ କରି ମଧ୍ୟ ଏତେ ଏତେ ଦୟା, ପରୋପକାର ଏବଂ ସମଦରଦିତାର ଦୃଷ୍ଟାନ୍ତ ହୋଇ ରହିଲେ ଏବଂ ଆମକୁ ଅବାକ୍‌ କରିଦେଲେ, ଆମେ ସେହି କଥାଟିକୁ କିପରି ଆମର ଏହି ଖୁବ୍‌ ଚିହ୍ନା ତରାଜୁଗୁଡ଼ିକରେ ପକାଇ କହିଦେଇ ପାରିବା ? ସେହି କରୁଣା ଏବଂ ବିଶାଳହୃଦୟତା ବିଷୟରେ ତ ଭୁରି ଭୁରି ଦୃଷ୍ଟାନ୍ତ ରହିଛି ଏବଂ ତାଙ୍କୁ ଆମପାଖରେ କେଡ଼େ ନିଆରା ଭାବରେ ନିଜର କରି ରଖିଛି ! ଆମେ ପ୍ରକୃତରେ ସେଥିମଧ୍ୟରୁ କେଉଁଟିରୁ ଆରମ୍ଭ କରିବା ଓ କେଉଁଟିରେ ଶେଷ ବି କରିବା ? ଅଧିକ ଏବଂ ଆହୁରି ଅଧିକ ସଂଖ୍ୟାରେ ଦୃଷ୍ଟାନ୍ତମାନ ଆଣି ଯୋଗାଇ ଦେଲେ କ'ଣ ତାଙ୍କର ସେହି ଅନ୍ୟର ଆବଶ୍ୟକତା ବେଳେ ନିଜର ଯଥାସମ୍ଭବ ଅଧିକ ସହାୟତା ପ୍ରଦାନ କରି ତାହାର ଦୁଃଖ ମୋଚନ କରିବାର ଗୁଣଟି ପ୍ରକୃତରେ ଅଧିକ ପରିମାଣରେ ପ୍ରତିପାଦିତ ହୋଇଯିବ ?

 

ସହାୟତା-ପ୍ରଦାନର ସେହି ପ୍ରକରଣଟିକୁ ଆମେ ତାଙ୍କ ନିଜ ରହୁଥିବା ଘରୁ ହିଁ ଆରମ୍ଭ କରିବା । ରୋଷେଇ କରିଦେବାକୁ ତାଙ୍କ ବସାରେ ଜଣେ ଲୋକ ରହିଥିଲା । ବହୁଦିନରୁ ରହିଥିଲା-। କେତେ ଆଡ଼ୁ କେତେ ମଣିଷ ଆସି ନିଜନିଜର ଅଭାବଗୁଡ଼ିକୁ ବର୍ଣ୍ଣନା କରି ଯେ ବିଦ୍ୟାସାଗରଙ୍କଠାରୁ ଅର୍ଥ ନେଇ ଯାଉଥିଲେ, ସିଏ ନିଜ ଆଖିରେ ହିଁ ସବୁ ଦେଖୁଥିଲା । ମିଛ ସତ କହି କେତେ ବ୍ୟକ୍ତି ମଧ୍ୟ ଖୁବ୍‌ ଆସୁଥିଲେ । ଈଶ୍ଵରଚନ୍ଦ୍ର ଜଣେ ହେଲେ କାହାରିକୁ ବି ଖାଲିହାତରେ ଫେରାଇ ଦେଉନଥିଲେ । ରୋଷେଇଆଟି ଏତେ ଦିନ ତାଙ୍କ ପାଖରେ ରହି ଅବଶ୍ୟ ତାଙ୍କ ପ୍ରତି ତା'ର କିଞ୍ଚିତ୍‌ ମାୟା ବି ଲାଗି ଯାଇଥିଲା । ଦିନପରେ ଦିନ ଏହିଭଳି ଦେଖି ଦେଖି ତାହାର ଦିହ ସହି ପାରିଲା ନାହିଁ । ଲୋକମାନେ ଦାତାଙ୍କର ଦୁର୍ବଳତାର ସୁଯୋଗ ନେଇ ବାବୁଙ୍କ ପାଖକୁ ଆସୁଥିଲେ ଓ କିଛି ନେଇ ବାହୁଡ଼ି ଯାଉଥିଲେ । ରୋଷେଇଆଟିର ବିବେକ ଅନୁସାରେ ସେମାନେ ନିର୍ଧୂମ ଠକିବାଟାକୁ ହିଁ ବେଉସାରେ ପରିଣତ କରି ଦେଇଥିଲେ । କେତେବେଳେ ଟଙ୍କାପଇସା ଓ ପୁଣି କେତେବେଳେ ଲୁଗାପଟା,–ନାଇଁ, ସିଏ ନିଶ୍ଚୟ ସେହି ଅନ୍ୟାଚାରର ପ୍ରତିକାର କରିବ-। ଯେଉଁ କେତେଜଣ ଏହିପରି ଆସି ଅଭାବ ଦର୍ଶାଇ ବାବୁଙ୍କୁ ଠକୁଥିଲେ, ସେହିପରି ଜଣେ ସ୍ତ୍ରୀ ଲୋକକୁ ସିଏ ପଚାରିଲା : ତୁମେ କ'ଣ ୟାଙ୍କୁ ଗୋଟାଏ ଫୋକଡ଼ ଆମ୍ବଗଛ ପରି ପାଇଛ ଯେ ଯେତେବେଳେ ଇଚ୍ଛା କରୁଛ, ଆସି ଆମ୍ବ ତୋଳି ନେଇଯାଉଛ ! କଥାଟା ବିଦ୍ୟାସାଗରଙ୍କର କାନଯାଏ ଚାଲି ଯାଇଥିଲା । ସିଏ ଖୁବ୍‌ ବିରକ୍ତ ହୋଇ ରୋଷେଇଆଙ୍କୁ ଡାକି କହିଥିଲେ: ବାବୁ, ତୁମେ ତ ଏତେଦିନ ମୋ' ବସାରେ ଅଛ, ଦରମା ନିଶ୍ଚୟ ବହୁତ ବାକି ରହିବଣି । କେତେ ବାକି ମୋତେ କହ, ମୁଁ ସାଙ୍ଗେ ସାଙ୍ଗେ ଦେଇଦେବି । ଏବଂ, ଦରମା ନେଇ ଏଠାରୁ ଚାଲିଯାଅ-। ମୁଁ ମୋ' ପାଖକୁ ଆସୁଥିବା ଗରିବ ଓ ଦୁଃଖୀରଙ୍କୀମାନଙ୍କୁ କିଛି ସାହାଯ୍ୟ ଦେବି, ସେଥିରେ ତୁମର ଆପତ୍ତି କରିବାର କ'ଣ ଅଛି ? ରୋଷେଇଆଟି ଉତ୍ତର ଦେଇ କହିଥିଲା,–ଏହି ବୁଢ଼ୀ ମାତ୍ର ଅଳ୍ପଦିନ ତଳେ ଏଠାକୁ ଆସିଥିଲା ଓ ଆପଣ ତାକୁ ପଇସା ଦେଇଥିଲେ, କିଛି ଲୁଗାପଟା ବି ଦେଇଥିଲେ । ସେକଥା ଆଜ୍ଞା ଆପଣଙ୍କର ମନେ ନାହିଁ । ସାତଦିନ ମଧ୍ୟ ଯାଇନାହିଁ । ସେଇଥିପାଇଁ ତାକୁ ସେପରି କହିଲି । ରୋଷେଇଆକୁ ଯିବାକୁ ହିଁ ହୋଇଥିଲା । ଅବଶ୍ୟ ବିଦ୍ୟାସାଗର ଆଉକୌଣସି ଜାଗାରେ ମାସକୁ ଦୁଇଟଙ୍କା ଦରମାରେ ତା'ପାଇଁ ଗୋଟିଏ କାମ ଠିକ୍‌ କରି ଦେଇଥିଲେ । ଭୁଲ୍‌ ସିନା କଲା, କିନ୍ତୁ ହଇରାଣ କାହିଁକି ହୋଇଥାଆନ୍ତା ।

 

ଆଉ ଥରକର କଥା । ନିଜେ ଲେଖିଥିବା ପୁସ୍ତକଗୁଡ଼ିକରୁ ବିଦ୍ୟାସାଗର ବହୁତ ଟଙ୍କା ପାଉଥିଲେ । ଏବଂ ସେଇଥିପାଇଁ ତ ଆଶାୟୀମାତ୍ରେ ସମସ୍ତଙ୍କୁ ସାହାଯ୍ୟ କରି ପାରିବାଲାଗି ତାଙ୍କ ହାତକୁ ପ୍ରଚୁର ଅର୍ଥ ଆସୁଥିଲା । କିନ୍ତୁ ଥରେ ପୂର୍ବ ତୁଳନାରେ ତାଙ୍କୁ ସେହି ବାବତରୁ ଦଶହଜାର ଟଙ୍କା କମ୍‌ ମିଳିଲା । ଅନୁସନ୍ଧାନ କରିବାରୁ ଜଣାଗଲା ଯେ, ପୂର୍ବବଙ୍ଗର ଜଣେ ବ୍ୟକ୍ତି ତାଙ୍କଦ୍ଵାରା ଲେଖା ଗୋଟିଏ ବହିର ଜାଲ୍‌ ସଂସ୍କରଣ ଛାପି ବିକ୍ରି କରିଥିବାରୁ ଆୟ କମିଯାଇଛି । ବିଦ୍ୟାସାଗର ସମ୍ବାଦ ପଠାଇ ତାଙ୍କୁ ଡକାଇ ଆଣିଥିଲେ । ସିଏ କାନ୍ଦି କାନ୍ଦି କହିଥିଲେ, ହଁ ଆଜ୍ଞା, ମୁଁ ଘୋର ଅପରାଧ କରିଛି । ଝିଅ ବିଭାଘରେ କିଛି ମୋଟା ଅର୍ଥ ପରିମାଣ ଦେବାକୁ ପଡ଼ିଲା । ଏବଂ ଆହୁରି ଅନେକ ଅଭାବ ତ ଲାଗି ହିଁ ରହିଥିଲା । ଅଗତ୍ୟା ଏହି ଅପରାଧ କରିବାକୁ ପଡ଼ିଲା । ତଥାପି ପଇସା ଅକୁଳାଣ ହେଲା କି ବୋଲି ପଚାରି ବିଦ୍ୟାସାଗର ଜାଣିଲେ ଆହୁରି ଦୁଇହଜାର ସରିକି ତଥାପି ବାକି ଅଛି, ବିଦ୍ୟାସାଗର ସଙ୍ଗେ ସଙ୍ଗେ ସେତିକି ପଇସା ଆଣି ତାଙ୍କୁ ଦେଇଦେଲେ । ଏହାକୁ କ'ଣ କେବଳ ଏକ ଉଦାରତା ପ୍ରଦର୍ଶନ ବୋଲି କୁହାଯିବ ? ଈଶ୍ଵରଚନ୍ଦ୍ର ଆପେ ବ୍ରାହ୍ମ ନଥିଲେ । କଥିତ ଅଛି ଥରେ କଲିକତାରେ ପଢ଼ୁଥିବା ଜଣେ ଛାତ୍ର ବ୍ରାହ୍ମଧର୍ମ ଗ୍ରହଣ କରିବାରୁ ତା'ର ପରିବାର ତାକୁ ଆଉ କୌଣସି ଅର୍ଥସାହାଯ୍ୟ ଦେବାକୁ ରାଜି ହେଲେନାହିଁ । ନିତାନ୍ତ ସହାୟହୀନ ଅବସ୍ଥାରେ ସିଏ ବିଦ୍ୟାସାଗରଙ୍କ ନିକଟରେ ଆସି ପହଞ୍ଚିଲା ଓ ସେ ଛାତ୍ରଟିର ସମସ୍ତ ଖର୍ଚ୍ଚ ବହନ କରିବାକୁ ରାଜି ହୋଇ ଯାଇଥିଲେ । ଆଉ ଥରକର ଘଟଣା । ତାଙ୍କର ସାନ ଘଣ୍ଟାଟିଏ ଘରେ ଥିଲା ଓ ଦିନେ କୌଣସି କାରଣରୁ ଦେଖିବାକୁ ମିଳିନଥିଲା । ଯେତେ ଜିନିଷପତ୍ରକୁ ଖେଳାଇ ଘଣ୍ଟାଘଣ୍ଟି କଲେ ମଧ୍ୟ ମିଳି ନଥିଲା । ଏହିପରି ଭାବରେ ପ୍ରାୟ ପନ୍ଦର ଦିନ ଅତିବାହିତ ହୋଇ ବି ଗଲା । ଦିନେ ତାଙ୍କର ଜଣେ ପରିଚିତ ବ୍ୟକ୍ତି ଘଟଣାଟିକୁ ଶ୍ରବଣ କରି କହିଲେ ଯେ ସେହି ଘଡ଼ିଟା ଗୋଟିଏ ବଣିଆ ଦୋକାନରେ କୋଡ଼ିଏ ଟଙ୍କାକୁ ବନ୍ଧା ପଡ଼ିଛି । ସୁନାର ଘଣ୍ଟା ତ, ତେଣୁ ବଣିଆ ସେଇଟିକୁ ବନ୍ଧା ରଖି ଜଣେ ଯୁବକକୁ କୋଡ଼ିଏ ଟଙ୍କା ଦେଇଛି । ଆହୁରି ସଂବାଦ ସଂଗ୍ରହ କରି ଈଶ୍ଵରଚନ୍ଦ୍ର ଜାଣିଥିଲେ ଯୁବକଟି ଏମିତି ଜଣେ ବ୍ୟକ୍ତିଙ୍କର ନାତି, ଯାହାଙ୍କ ଘରେ କି ସେ ନିଜ ପିଲାଦିନେ ବହୁବର୍ଷ ଆଶ୍ରୟ ପାଇଥିଲେ । ଏମିତି ଏକ ଯୁବକକୁ ପୋଲିସ୍‌ର ଜିମା କରିଦେବା ଉଚିତ ବୋଲି ଉପସ୍ଥିତ ସମସ୍ତେ ତାଙ୍କୁ ପରାମର୍ଶ ଦେଲେ । କିନ୍ତୁ, ବିଦ୍ୟାସାଗର କଦାପି ସେପରି କରି ପାରିନଥାନ୍ତେ । କାହାକୁ କିଛି ନକହି ସିଏ ନିଜେ ବଣିଆଦୋକାନକୁ ଯାଇ କୋଡ଼ିଏ ଟଙ୍କା ଦେଇ ଘଣ୍ଟାଟିକୁ ମୁକୁଳାଇ ଆଣିଥିଲେ । ତା'ପରେ ପିଲାଟି ତାଙ୍କଠାରୁ ଡାକରା ପାଇ ଯେତେବେଳେ ତାଙ୍କ ପାଖରେ ଆସି ପହଞ୍ଚିଥିଲା, ସିଏ ତାକୁ ଗାଳିମନ୍ଦ ଦେଇ ମୋଟେ କିଛିହେଲେ କହିନଥିଲେ । କହିଥିଲେ, ବାବୁରେ ମୋ' ପିଲାଦିନେ ତୋ' ଆଈଙ୍କ ଘରେ ମୁଁ ବହୁଦିନ ଧରି ରହିଛି ଓ ଖାଇଛି, ଏମାନେ ସମସ୍ତେ ସେତେବେଳେ ମୋ'ର ବହୁତ ଦୌରାତ୍ମ୍ୟ ମଧ୍ୟ ସହିଛନ୍ତି । ତୋ'ର ଯେତେବେଳେ ଯାହା ଅସୁବିଧା ହେବ ମୋ' ପାଖକୁ ଚାଲିଆସିବୁ । ଆଦୌ ସଙ୍କୋଚ କରିବୁନାହିଁ ।

 

ଆହୁରି ତଥାପି ଗୋଟିଏ କାହାଣୀ । ସତକୁସତ ଘଟିଥିବା ଘଟଣାଟିଏ, ତଆପି ତୁମ ଆମ ସଦୃଶ ସଂସାରଚତୁର ମଣିଷମାନଙ୍କୁ କାହାଣୀ ପରି ଲାଗିବ । ବିଦ୍ୟାସାଗରଙ୍କର ନିତିଦିନିଆ ଜୀବନରେ ଏହିପରି କେତେ ଘଟଣା ଘଟିଥିବ ସିନା, ସେଠାରେ କ'ଣ ତାହାକୁ ଟିପି ରଖିବା ଲାଗି କେହି ସର୍ବଦା ଉପସ୍ଥିତ ମଧ୍ୟ ରହିଥିବ ? ତେଣୁ ସବୁକିଛି ଲୋକମୁଖରେ ହିଁ ରହି ଆସିଥିବ । କାହାଣୀଟି ଅନୁସାରେ ଥରେ ଶ୍ରୀ ବିଦ୍ୟସାଗର ରେଳଗାଡ଼ିରୁ ଓହ୍ଲାଇବା ବେଳେ ଗୋଟିଏ ପିଲା ଆସି ତାଙ୍କ ଆଗରେ ହାତ ପତାଇ ଛିଡ଼ା ହୋଇଗଲା । ମଇଳା କଟକଟ ଲୁଗାଖଣ୍ଡେ ପିନ୍ଧିଥାଏ, ଜୀର୍ଣ୍ଣ କଙ୍କାଳସାର ତା'ର ଦେହଟି । ସେ ବିଦ୍ୟାସାଗରଙ୍କୁ ଆଜ୍ଞା, ମୋତେ ଗୋଟିଏ ପଇସା ଦିଅନ୍ତୁ ବୋଲି ବଡ଼ ଅନୁନୟ ସହିତ କହୁଥିଲା । ବିଦ୍ୟାସାଗର ତା' ଆଡ଼କୁ କ୍ଷଣକ ଲାଗି ଚାହିଁଲେ ଏବଂ କ'ଣ ଦେଖିଲେ କେଜାଣି, ତା' ପ୍ରତି ଆକୃଷ୍ଟ ହୋଇ ଯାଇଥିଲେ । ଏବଂ, ସମ୍ଭବତଃ ଆକୃଷ୍ଟ ହୋଇଥିଲେ ବୋଲି ତାକୁ ତା' ହାତକୁ ପଇସାଟାଏ ପକାଇଦେଇ କାମ ସାରିଦେବାକୁ ଇଚ୍ଛା କରିନଥିଲେ । ବାଳକଟିକୁ ସମ୍ବୋଧନ କରି କହିଲେ: ବାବୁ, ତୁ ତ ମୋତେ ପଇସାଟିଏ ମାଗୁଛୁ, ମାତ୍ର ଯଦି ତୋତେ ମୁଁ ଚାରି ପଇସା ଦେବି, ତେବେ ତୁ ତାହାକୁ ନେଇ କ'ଣ କରିବୁ କହିଲୁ !

 

ପିଲାଟି ଭାବିଲା, ବାବୁ ମୋତେ ନେଇ କୌଣସି ତାମସା କରୁନାହାନ୍ତି ତ ! କାରଣ, ଏପରି ଭାବରେ ଆଗରୁ ତ ତାକୁ କେହି କହିନଥିଲେ, ତେବେ ଇଏ କାହିଁକି କହୁଛନ୍ତି । ତେଣୁ, ଟିକିଏ କ୍ଷୁନ୍ନ ହୋଇ କହିଲା, ବାବୁ, ଯଦି ଗୋଟାଏ ପଇସା ଦେବେ ତ ଦେବେ, ନହେଲେ ମନା କରିଦେବେ,–ଏମିତି ଥଟ୍ଟା କରୁଛନ୍ତି କାହିଁକି ? ଦରଦୀ ବିଦ୍ୟାସାଗର ଆଦୌ ବିଚଳିତ ନହୋଇ କହିଲେ: ନାଇଁରେ ବାବୁ, ମୁଁ ସତକୁସତ ପଚାରୁଛି । ମୁଁ ଯଦି ତୋତେ ଚାରିପଇସା ଦେବି, ତେବେ ସେଥିରେ ତୁ କ'ଣ କରିବୁ ? ଛୁଆଟି ଉତ୍ତର ଦେଲା, ତେବେ ମୁଁ ଦୁଇ ପଇସାର ଖାଇବା ଜିନିଷ କିଛି କିଣିବି ଓ ବାକି ଦୁଇପଇସା ମୋ' ମାଆକୁ ନେଇ ଦେବି । ପୁଣି ପ୍ରଶ୍ନ ଆସିଲା, ଯଦି ତୋତେ ଦୁଇଅଣା ଦେବି ? ପିଲାଟାର ଧୈର୍ଯ୍ୟ ରହିଲାନାହିଁ, ଇଏ ବାବୁ ମୋ' ସହିତ ନିଶ୍ଚୟ ଖେଳୁଛନ୍ତି ବୋଲି ଜାଣି ସେଠାରୁ ଚାଲିଯିବାକୁ ବାହାରିଲା । ବିଦ୍ୟାସାଗର ମଧ୍ୟ କୋଉ ଛାଡ଼ିଦେବାର ଲୋକ,–ତା' ହାତ ଧରି ତାକୁ ଅଟକାଇ ରଖିଲେ ଏବଂ କହିଲେ ମୋତେ ତୁ ସତରେ କହ, ମୋ'ଠାରୁ ଦୁଇଅଣା ପାଇଲେ କ'ଣ କରିବୁ । ପିଲାଟିର ଆଖି ସେତେବେଳକୁ ଲୁହରେ ଢଳଢଳ ହୋଇ ଆସୁଥାଏ । ସେ ଉତ୍ତର ଦେଲା, ମୁଁ ତା'ହେଲେ ଚାରି ପଇସାର ଚାଉଳ କିଣି ଘରକୁ ନେବି ଓ ବାକି ଚାରିପଇସା ମୋ' ମାଆକୁ ଦେବି । ତଥାପି ଗୋଟିଏ ପରବର୍ତ୍ତୀ ପ୍ରଶ୍ନ : ଯଦି ଚାରିଅଣା ଦେବି । ସେତେବେଳକୁ ପିଲାଟି କଇଁ କଇଁ ହୋଇ କାନ୍ଦିବାଭଳି ହୋଇଗଲାଣି । ଏ ବାବୁ ତାକୁ କାହିଁକି ଏମିତି ହଇରାଣ କରୁଛନ୍ତି କେଜାଣି ! କିନ୍ତୁ ବାବୁ ତ ତା'ହାତକୁ ଏଡ଼େ ଜୋରରେ ଧରି ଅଟକାଇ ରଖିଛନ୍ତି–ସିଏ ମୁକୁଳି ପାରୁଛି କୁଆଡ଼ୁ ! ପୁଣି ସେହି ପ୍ରଶ୍ନ ଯଦି ଚାରିଅଣା ଦେବି ! ପିଲାଟି ବାଧ୍ୟ ହୋଇ ଉତ୍ତର ଦେଇଥିଲା; ତେବେ, ଦୁଇଅଣାରେ ମତେ ଆଉ ମୋ' ମାଆକୁ ଦୁଇଦିନର ଖାଇବା ମିଳିଯିବ । ଏବଂ, ବାକି ଦୁଇଅଣାରେ ମୁଁ ଆମ୍ବ କିଣି ବିକ୍ରି କରିବି । ଦୁଇଅଣା ଚାରିଅଣା ହେବ । ତେବେ ଆହୁରି ଦୁଇଦିନ ପାଇଁ ଖାଇବାର ଯୋଗାଡ଼ ହୋଇଯିବ ଏବଂ ମୁଁ ଦୁଇଅଣାର ପୁଣି ଆମ୍ବ ଖରିଦ କରି ବିକିବି । ଏମିତି ଭାବରେ ଯେତେଦିନ ପାରିବି କରିବି । ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ସେଦିନ ତାକୁ ଟଙ୍କାଟିଏ ଦାନ କରିଥିଲେ । ଏବଂ, କଥିତ ଅଛି, ପ୍ରାୟ ଦୁଇବର୍ଷ ପରେ ଯେତେବେଳେ ସିଏ ପୁଣି କୌଣସି କାର୍ଯ୍ୟରେ ବର୍ଦ୍ଧମାନ ଯାଇଥିଲେ,–ଗୋଟିଏ ଚିହ୍ନା ଦୋକାନରେ ବସି କ୍ଷଣକ ପାଇଁ ବିଶ୍ରାମ ନେଉଛନ୍ତି, ସେତିକିବେଳେ ଆଉଜଣେ ସୁସ୍ଥଶରୀର ବାଳକ ତାଙ୍କ ପାଖକୁ ଆସି ହସହସ ମୁହଁରେ କହିଲା, ଆଜ୍ଞା, ଆଜି ଆପଣଙ୍କୁ ମୋ' ଦୋକାନକୁ ମଧ୍ୟ ଯିବାକୁ ହେବ । ବିଦ୍ୟାସାଗର ମୋଟେ ଚିହ୍ନି ପାରୁନଥାନ୍ତି । ପିଲାଟିର ଦୁଇଆଖି ସେତେବେଳେ ଖାଲି ଆନନ୍ଦାଶ୍ରୁ ହିଁ ବହି ଯାଉଥାଏ । ସେ ଗଦ୍‌ଗଦ ଚିତ୍ତରେ ତା'ପରେ କହିଲା, ଆଜ୍ଞା, ଆପଣଙ୍କର ମନେ ନାହିଁ । ମୁଁ ହେଉଛି ସେହି ପିଲାଟି ଯିଏ ଦୁଇବର୍ଷ ପୂର୍ବେ ପଇସାଟିଏ ମାଗୁଥିବା ସମୟରେ ଆପଣ ତାକୁ ଗୋଟିଏ ଟଙ୍କା ଦେଇଥିଲେ । ସେତେବେଳେ ମୁଁ ଓ ମୋ' ମାଆ ଦିନକୁ ଦୁଇ ବକ୍ତ ଭଲ କରି ଖାଇବାକୁ ମଧ୍ୟ ପାଉନଥିଲୁ । ବିଦ୍ୟାସାଗର ବିସ୍ମିତ ହୋଇ ତା'ଆଡ଼କୁ ଅନାଇ ରହି ଥାଆନ୍ତି । କେଡ଼େ ଉତ୍ସାହରେ ବାଳକଟି ତା'ର କାହାଣୀଟିର ଉପସ୍ଥାପନା କରି କହୁଥାଏ: ବାବୁ, ସେଦିନ ଆପଣଙ୍କଠାରୁ ଟଙ୍କାଟିଏ ପାଇ ଦୁଇଅଣାର ଚାଉଳ କିଣିଲି ଓ ବାକି ଚଉଦଅଣାର ଆମ୍ବ କିଣି ବିକିଲି । ଏମିତି କରୁ କରୁ କ୍ରମେ ହାତରେ କିଛି ପୁଞ୍ଜି ମଧ୍ୟ ସମ୍ଭବ ହେଲା-। ସେଇଥୁରୁ ହିଁ ଏହି ମନୋହରୀ ଦୋକାନଟିକୁ ଆରମ୍ଭ କଲି । ବିଦ୍ୟାସାଗର ସେଦିନ କାହାଣୀଟିକୁ ଜାଣି ପ୍ରକୃତରେ କେଡ଼େ ଆନନ୍ଦିତ ହୋଇଯାଇ ନଥିବେ !

 

ଖାଲି ଦୁସ୍ଥ ଦରିଦ୍ର ଏବଂ ଦୁଃସମୟରେ ସନ୍ତାପିତ ସାନ ଓ ସାଧାରଣଙ୍କୁ ଯାବତୀୟ ସହାୟତା ନିଜ ତରଫରୁ ଯୋଗାଇଦେଇ ବିଦ୍ୟାସାଗର ଲୋକୋପକାର କରିଛନ୍ତି ? ସିଏ ସମାଜର ବିଖ୍ୟାତ ତଥା ପ୍ରତିଭାବାନ୍‌ମାନଙ୍କ ପାଖରେ ମଧ୍ୟ ସେମାନଙ୍କର ଦୁର୍ଦ୍ଦିନରେ ଯାଇ ଠିଆ ହୋଇଛନ୍ତି ଏବଂ ଅକୁଣ୍ଠ ଭାବରେ ସେମାନଙ୍କୁ ସହାୟତାର ହସ୍ତଗୁଡ଼ିକୁ ପ୍ରସାରିତ କରି ଦେଇଛନ୍ତି । ଏଠାରେ ଆମେ ସେହି ତୁଙ୍ଗସ୍ଥାନୀୟ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ତତଃ ଜଣେ ବ୍ୟକ୍ତିଙ୍କର ଉଦାହରଣ ଅବଶ୍ୟ ଦେଇପାରିବା । ସିଏ ହେଉଛନ୍ତି ମାଇକେଲ ମଧୁସୂଦନ ଦତ୍ତ, ବଙ୍ଗଳା ସାହିତ୍ୟରେ ଯିଏ ଅମିତ୍ରାକ୍ଷର ପଦ୍ୟଛନ୍ଦରେ କାବ୍ୟରଚନା କରି ଏକ ନୂତନ ପଥର ଅୟମାରମ୍ଭ କରିଥିଲେ । ତାଙ୍କର ପ୍ରଥମ ସେହି ଶୈଳୀର କାବ୍ୟଟି ଅବଶ୍ୟ ବିଦ୍ୟାସାଗରଙ୍କଠାରୁ କୌଣସି ସ୍ଵୀକୃତିମୂଳକ ପ୍ରଶଂସା ଲାଭ କରିନଥିଲା । ମାତ୍ର, ପରେ ତାଙ୍କର ସେହି ମତରେ ଏକ ପରିବର୍ତ୍ତନ ବି ହେଲା । କବି ମଧୁସୂଦନ ଏଥିରେ ଏତେ ଖୁସୀ ହୋଇଗଲେ ଯେ ଆପଣାର ରଚିତ ଆଉଗୋଟିଏ କାବ୍ୟଗ୍ରନ୍ଥକୁ ସେ ଈଶ୍ଵରଚନ୍ଦ୍ରଙ୍କର ନାମରେ ଉତ୍ସର୍ଗ କଲେ । ତା'ପରେ, ଯେତେବେଳେ ବାରିଷ୍ଟରି ପଢ଼ିବା ନିମନ୍ତେ ମାଇକେଲ ମନସ୍ଥ କରିଥିଲେ, ସେଇଟି ପଛରେ ବିଦ୍ୟାସାଗରଙ୍କର ମଧ୍ୟ ପୂର୍ଣ୍ଣ ସମର୍ଥନ ରହିଥିଲା । ସେଥିପାଇଁ ସିଏ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କଲେ । ମାଇକେଲ୍‌ଙ୍କର ଇଂରାଜୀ ପତ୍ନୀ, ଗୋଟିଏ କନ୍ୟା ଓ ଗୋଟିଏ ପୁଅ । ସେମାନେ କଲିକତାରେ ରହିଲେ । ସେମାନଙ୍କର ଭରଣପୋଷଣର ଦାୟିତ୍ଵ ସ୍ଥାନୀୟ ବନ୍ଧୁମାନେ ବହନ କରିବେ ବୋଲି ଆପାତତଃ କଥା ମଧ୍ୟ ହୋଇଥିଲା । ଏବଂ ସେହି ବ୍ୟବସ୍ଥାଟି ଅନୁସାରେ କାର୍ଯ୍ୟତଃ ସବୁକଥା ଆଦୌ ଘଟି ପାରିଲାନାହିଁ । କଲିକତାରେ ପରିବାରଟିର ସଂସାରନିର୍ବାହଟି ଚଳିବା ମଧ୍ୟ ସମ୍ଭବ ହେଲାନାହିଁ । ତେଣୁ ମେମ୍‌ସାହେବ ବାଧ୍ୟ ହୋଇ ପିଲାଙ୍କୁ ସାଙ୍ଗରେ ଧରି ସ୍ଵାମୀଙ୍କ ପାଖକୁ ଚାଲି ଯାଇଥିଲେ । ବସ୍ତୁତଃ ସ୍ଵାମୀଙ୍କର ଅବସ୍ଥାଟିକୁ ବିପନ୍ନ ହିଁ କଲେ । ସେଠାରେ ଉଧାର କରଜ କରି ଯେକୌଣସି ପ୍ରକାରେ ଚଳିବାକୁ ହେଲା । କିନ୍ତୁ ଉଧାର ପରିଶୋଧର କୌଣସି ମାର୍ଗ ହିଁ ନଥିଲା । କବିଙ୍କୁ ତାହାଫଳରେ ହୁଏତ ଜେଲ୍‌ ଯିବା ଭଳି ଏକ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିବ । ଯେତେ ଯାହା ଜିନିଷପତ୍ର ଥିଲା, ବନ୍ଧା ହେବାକୁ ସେ ବାଧ୍ୟ ହେଲେ ଏବଂ ସେହି ସମୟରେ ସେ ବିଦ୍ୟାସାଗରଙ୍କୁ ସ୍ମରଣ କଲେ ଏବଂ ପତ୍ର ଲେଖିଲେ । ଆପଣାର ସେହି ବିପଦ ସମୟରେ ଅର୍ଥସାହାଯ୍ୟ ଲାଗି ପ୍ରାର୍ଥନା କରିଥିଲେ ଏବଂ, ପତ୍ରଟିର ଉତ୍ତରରେ ମହାନୁଭବ ଈଶ୍ଵରଚନ୍ଦ୍ର ସଙ୍ଗେ ସଙ୍ଗେ ତାଙ୍କ ପାଖକୁ ଦେଢ଼ହଜାର ଟଙ୍କା ପଠାଇ ଦେଇଥିଲେ ।

 

ବହୁ ଆବଶ୍ୟକତା ଅର୍ଥାତ୍‌ ବହୁଅଭାବର ଶୁଖିଲା ମାଟିଟା ଏହି ଅର୍ଥରାଶିକୁ ସତେଅବା ଚାହୁଁ ଚାହୁଁ ଶୋଷି ନେଇଥିଲା । ବିଦ୍ୟାସାଗର ଧାର କରିବାକୁ ବାଧ୍ୟ ହେଲେ ଓ ଆଠହଜାର ଟଙ୍କା ଯୋଗାଡ଼ କରି ପୁଣି ବିଲାତ ପଠାଇଲେ । ମାଇକେଲ ମଧୁସୂଦନ ଯେତେ ଚିଠି ଦିଅନ୍ତି, ସବୁଯାକ ଇଂରାଜୀ ଭାଷାରେ । କାରଣ ସିଏ ସର୍ବଦା ଭାବୁଥିଲେ ଯେ, ଯେତେ ଚେଷ୍ଟା କଲେ ମଧ୍ୟ ସିଏ କଦାପି ବିଦ୍ୟାସାଗରଙ୍କ ଭଳି ଏତେ ସୁନ୍ଦର ବଙ୍ଗଳା ଭାଷାରେ ଆଦୌ ଲେଖି ପାରିବେ ନାହିଁ । ମାଇକେଲ ବାରିଷ୍ଟର ହୋଇ କଲିକତା ଫେରି ଆସିଥିଲେ । ଏଠାରେ ବାରିଷ୍ଟରି କଲେ । ତଥା କହୁଛି, ଆପଣାର କିଛି ସମ୍ପତ୍ତି ବନ୍ଧକ ଦେଇ ସେ ବିଦ୍ୟାସାଗର ତାଙ୍କ ସକାଶେ ବାରମ୍ବାର କରିଥିବା ଋଣରାଶିକୁ ପରିଶୋଧ କରାଇ ନେଇଥିଲେ ।

 

ଉଦାରହୃଦୟ ବଦାନ୍ୟହସ୍ତ ବିଦ୍ୟାସାଗର ଯେ ସବୁ ସ୍ଥଳରେ ଉଚିତ ପାତ୍ରରେ ଦାନ କରିଛନ୍ତି, ସେକଥା ଆଦୌ କୁହାଯାଇ ପାରିବନାହିଁ । ଯେତେବେଳେ ପୃଥିବୀର ସବୁ ମଣିଷ ଆଦୌ ସାଧୁ ନୁହନ୍ତି, ସେତେବେଳେ ଯିଏ ନିଜ ଭିତରୁ ହିଁ ପ୍ରେରିତ ହୋଇ ଅନ୍ୟର ହିତସାଧନରେ ପଣ କରି ବାହାରିବ, ତେବେ କେତେକ ଅବସରରେ ତାକୁ ଅବଶ୍ୟ ନାନା ଧୋକାରେ ପଡ଼ିବାକୁ ହିଁ ପଡ଼ିବ । ସେହି ଧୋକାଗୁଡ଼ିକୁ ନେଇ ମଧ୍ୟ ଅସୁମାରି କାହାଣୀ ରହି ଆସିଛି । ଥରେ କଲିକତା ବାହାର କୌଣସି ଦୂର ଗାଆଁରୁ ଜଣେ ଛାତ୍ର ଚିଠିଟିଏ ଲେଖି ଦୁଃଖ ଜଣାଇଥିଲା ଯେ ତା'ର ବାପାମାଆ ନାହାନ୍ତି ଏବଂ ଘୋର ଅସହାୟତା ମଧ୍ୟରେ ତାକୁ ସଂଗ୍ରାମ କରିବାକୁ ହେଉଛି । ପରଘରେ ଯେକୌଣସି ପ୍ରକାରେ ମାଗି କରି ଖାଇ ବଡ଼ କଷ୍ଟରେ ପାଠ ପଢ଼ୁଛି । ବିଦ୍ୟାସାଗର ଯଦି ତା' ପାଠ୍ୟପୁସ୍ତକଗୁଡ଼ିକୁ ନିଜେ କିଣି ଦୟା କରି ତା'ପାଖକୁ ପଠାଇ ଦିଅନ୍ତେ ତେବେ ତାହା ଅତୀବ ଭରସାର କଥା ଅବଶ୍ୟ ହୁଅନ୍ତା । କହିବା ବାହୁଲ୍ୟ, କୌଣସି ବିଳମ୍ବ ନକରି ବିଦ୍ୟାସାଗର ପୁସ୍ତକଗୁଡ଼ିକୁ ପିଲାଟିର ନାଆଁରେ ଡାକରେ ପଠାଇ ଦେଇଥିଲେ । ବର୍ଷ ବର୍ଷ ପରେ ମଧ୍ୟ ଏହିପରି ବହିଗୁଡ଼ିକୁ ପଠାଇଦେବା ଲାଗି ହିଁ ପଡ଼ିଲା । ଆଖର ଥରେ ସେହି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହିତ ଯେତେବେଳେ ତାଙ୍କର ଦୈବାତ୍‌ ଦେଖା ହୋଇଗଲା, ସେତେବେଳେ ସିଏ ତାଙ୍କୁ ଉକ୍ତ ଛାତ୍ରଟି ବିଷୟରେ ପଚାରି ବୁଝିବାକୁ ଇଚ୍ଛା କରିଥିଲେ । ସେହି ନାମର କୌଣସି ଛାତ୍ର ତାଙ୍କ ବିଦ୍ୟାଳୟରେ ନଥିଲା ବୋଲି ତାଙ୍କଠାରୁ ବେଉରା ପାଇଥିଲେ । ଖୋଳୁ ଖୋଳୁ ଘଟଣାଟି ଯାହା ଜଣାଗଲା, ତାହା ହେଉଛି, ବିଦ୍ୟାସାଗର ଯେତେବେଳେ ଯେଉଁ ବହିଗୁଡ଼ିକୁ କିଣି ପଠାଉଥିଲେ, ତାହା ଜଣେ ବହିଦୋକାନୀ ପାଖରେ ଯାଇ ପହଞ୍ଚୁଥିଲା ଏବଂ ବହିଗୁଡ଼ିକ ବିକ୍ରି କରି ତାକୁ କିଛି ପଇସା ମଧ୍ୟ ମିଳି ଯାଉଥିଲା ।

 

ପ୍ରତ୍ୟେକ ମାସରେ କାହାପାଖକୁ କେତେ ପରିମାଣର ଅର୍ଥ ପଠାଯିବ, ତାହାର ଗୋଟିଏ ତାଲିକା ଖଣ୍ଡେ ଖାତାରେ ଲେଖା ହୋଇ ରହିଥାଏ ଏବଂ ସେହି ତାଲିକା ଅନୁସାରେ ହିଁ ବିଦ୍ୟାସାଗର ଫି ମାସ ଟଙ୍କା ପଠାଇ ଦିଅନ୍ତି । ଏହିପରି ଭାବରେ ମାସକୁ ଆଠଶହରୁ କିଛି ଅଧିକ ଟଙ୍କା ଖରଚ ହେଉଥିଲା । ପ୍ରାୟ ସବୁ ମାସରେ ସେ ସ୍ଵୟଂ ଏହି ସବୁ ସାହାଯ୍ୟ ପରିମାଣକୁ ଯଥାସ୍ଥାନକୁ ଯଥାରୀତି ପଠାଇବାର କାର୍ଯ୍ୟଟିକୁ କରୁଥିଲେ । ବେଳେ ବେଳେ ବିଶେଷ କୌଣସି କାରଣ ହେତୁ ଆଉ କାହାକୁ ବା କେଉଁମାନଙ୍କ ଉପରେ ସେହି କାର୍ଯ୍ୟକୁ ନ୍ୟସ୍ତ କଲେ ସେଥିରେ ବେଶ୍‍ ସଙ୍କଟମାନ ବି ଖୁବ୍‍ ଉପସ୍ଥିତ ହୋଇ ଯାଉଥିଲେ । ଏହି ଅନ୍ୟ ବ୍ୟକ୍ତିମାନେ ସେହି ଅର୍ଥକୁ ନିଜ ପ୍ରୟୋଜନରେ ଲଗାଇ ଦେଉଥିଲେ । ବିଦ୍ୟାସାଗର ପୁନର୍ବାର ଆଉ ମୁଥେ ଅର୍ଥବ୍ୟୟ କରି ସମସ୍ୟାଟିର ସମାଧାନ କରିବାକୁ ବାଧ୍ୟ ହେଉଥିଲେ ।

 

ଠକାମିରେ ତଥାପି ଆଉଗୋଟିଏ ଦୃଷ୍ଟାନ୍ତ ଏବଂ ସେଇଟି ବିଷୟରେ ବିଦ୍ୟାସାଗରଙ୍କର ନିଜସ୍ଵ ପ୍ରତିକ୍ରିୟା । ଦିନକର ଜଣେ ଅଜଣା ଅଚିହ୍ନା ଲୋକ ଆସି ତାଙ୍କୁ ବେଶ୍‍ ମିନତି କରି କହିଥିଲା; ଆଜ୍ଞା ଚୋର ମୋ'ର ସର୍ବସ୍ଵ ଲୁଟି ନେଇଯାଇଛି, ନିଜ ଜାଗାକୁ ଫେରିଯିବା ପାଇଁ ମଧ୍ୟ ମୋ'ପାଖରେ କପର୍ଦ୍ଦକ ହିଁ ନାହିଁ । ଯଦି ଆପଣ ମୋ'ର ଘରକୁ ଫେରିଯାଇ ପାରିବା ଭଳି କିଛି ଅର୍ଥ ସାହାଯ୍ୟ କରିପାରିବେ, ତେବେ ମୁଁ ଆପଣଙ୍କ ପାଖରେ ଚିରକାଳ କୃତଜ୍ଞ ହୋଇ ଅବଶ୍ୟ ରହିଥିବି । ବିଦ୍ୟାସାଗର ସଙ୍ଗେ ସଙ୍ଗେ ବାଟଖର୍ଚ୍ଚର ପଇସା ତାକୁ ଗଣି ଦେଇଥିଲେ । ସେଠାରୁ ବିଦାୟ ନେଇ ଲୋକଟି କେଡ଼େ ଉଲ୍ଲସିତ ହୋଇ ଆପଣାର ଆଉ ଜଣେ ସାଥୀକୁ ଆସି କହିଥିଲା, ଶଳା ବିଦ୍ୟାସାଗରକୁ ଠକାଇବା ପ୍ରକୃତରେ ଏଡ଼େ ସହଜ ବୋଲି ମୁଁ ଜାଣି ନଥିଲି ରେ ! ସେଇଠି ପାଖରେ ଥିବା ଆଉଜଣେ ଭଦ୍ରଲୋକ ସେଇ କଥାଟିକୁ ଶୁଣି ପାରିଲେ ଏବଂ ସଙ୍ଗେ ସଙ୍ଗେ ବିଦ୍ୟାସାଗରଙ୍କର ଗୋଚରକୁ ଆଣିଥିଲେ । ବିଦ୍ୟାସାଗର ଅତ୍ୟନ୍ତ ଥିର ଭାବରେ ଉତ୍ତର ଦେଇଥିଲେ: ଅନ୍ୟ ମନୁଷ୍ୟମାନଙ୍କୁ ସାହାଯ୍ୟ କରିବାକୁ ହେଲେ ମଝିରେ ମଝିରେ ଏପରି ଘଟଣାମାନ ଘଟିବ ହିଁ ଘଟିବ । ତଥାପି, ନିଜେ କାହାକୁ ଠକିବା ଅପେକ୍ଷା କାହାଦ୍ଵାରା ଠକିହେବା ନିଶ୍ଚୟ ଭଲ । ଏହି ସଂସାରରେ ପ୍ରକୃତରେ ଅଧିକ ଲୋକ ଅନ୍ୟକୁ ଠକନ୍ତି ନା ଅନ୍ୟମାନଙ୍କଦ୍ଵାରା ନିଜେ ଠକି ହୁଅନ୍ତି ? ସେକଥା କିଏ ବା କିପରି ହିସାବ କରି କହିପାରିବ ? ମାତ୍ର ଗୋଟିଏ କଥା ନିଶ୍ଚୟ ସଚରାଚର ସତ୍ୟ ଯେ ଅନ୍ୟମାନଙ୍କୁ ଠକୁଥିବାର ମନୁଷ୍ୟମାନେ ଆପଣାକୁ ଜଣେ ଜଣେ ଚତୁର ବ୍ୟକ୍ତି ବୋଲି ଭାରି ଅନୁଭବ କରନ୍ତି ଏବଂ ସେହି କାରଣରୁ ହିଁ ଠକିହୋଇ ଯାଉଥିବା ଅନ୍ୟମାନଙ୍କୁ କିଞ୍ଚିତ୍‍ ନିର୍ବୋଧ ବୋଲି ବିଚାର କରନ୍ତି । କିନ୍ତୁ, ସେକଥା ଯାହା ହୋଇଥାଉ ପଛକେ, ସବୁ କାଳରେ ତଥା ସର୍ବବିଧ ଜଳବାୟୁରେ ଅଧିକତର ସଂଖ୍ୟାରେ ଅନ୍ୟମାନଙ୍କୁ ଠକି ପାରିଲେ ଖୁସୀ ଅନୁଭବ କରୁଥିବା ମନୁଷ୍ୟମାନେ ରହିଥାଆନ୍ତି । ମାତ୍ର, ତେବେ ଏହି ଠକମାନଙ୍କଦ୍ଵାରା ହିଁ କ'ଣ ସଂସାର ଚାଲେ ? ପୃଥିବୀରେ ଠକୁଥିବା ମନୁଷ୍ୟ ଏବଂ ସମୂହମାନଙ୍କର ସଂଖ୍ୟା ଅଧିକ ବୋଲି ଉତ୍ତମରୂପେ ଜାଣିଥିଲେ ମଧ୍ୟ ତଥାପି ନିତାନ୍ତ ଅଳ୍ପସଂଖ୍ୟକ ଯେଉଁମାନେ ସଚେତନ ଭାବରେ ଅର୍ଥାତ୍‍ ନିଜର ଜୀବନରେ ଗୋଟିଏ ବାଟ ବାଛି ନେଇଥିବା ପରି ଠକିବାକୁ ମୋଟେ ମନ କରନ୍ତି ନାହିଁ ଏବଂ ବାରମ୍ବାର ଠକି ହେଉଥିଲେ ମଧ୍ୟ ନିଜର ନିର୍ବାଚିତ ପଥଟିରେ ଅବିଚଳ ହୋଇ ରହିଥାଆନ୍ତି, ଏକ ଏକାବେଳେକେ ଅନ୍ୟ ଜାତିର ବିଶ୍ଵାସରୁ ହିଁ ସେମାନେ ଆବଶ୍ୟକ ଭରସାଟିଏ ଲାଭ କରନ୍ତି । ଆମେ ତାକୁ କ'ଣ ଆତ୍ମବିଶ୍ୱାସ ବୋଲି କହିବା ? ନା ଏକ ଈଶ୍ୱରବିଶ୍ଵାସ ବୋଲି କହିବା ଅର୍ଥାତ୍‍ ଈଶ୍ଵରଙ୍କର ଏହି ପୃଥିବୀ ଉପରେ ସେମାନେ ରଖିଥିବା ଏକ ବିଶ୍ଵାସ ବୋଲି ମଧ୍ୟ କହିପାରିବା ?

 

ସବାଶେଷରେ ଏବଂ ସବୁଠାରୁ ଅଧିକ ସ୍ଵଚ୍ଛ ଭାବରେ ବିଦ୍ୟାସାଗରଙ୍କର ଇଚ୍ଛାପତ୍ରରୁ ହିଁ ତାଙ୍କ ଅନ୍ୟ-ସହୟତା-ଗୁଣଟିର ଏକ ସମ୍ୟକ୍‍ ଆଭାସ ଅବଶ୍ୟ ମିଳିଯାଇ ପାରିବ । ମୃତ୍ୟୁର ପନ୍ଦରବର୍ଷ ପୂର୍ବରୁ ହିଁ ସେ ସେହି ଉଇଲ୍‍ଟିକୁ ପ୍ରସ୍ତୁତ କରାଇଥିଲେ । ସେଥିରୁ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇପାରିବ ଯେ ଜୀବନରେ ସେ ନିଜଦ୍ଵାରା ରଚିତ ପୁସ୍ତକଗୁଡ଼ିକରୁ ଲେଖକର ପ୍ରାପ୍ୟରୂପେ ଯେଉଁ ଅଜସ୍ର ପରିମାଣର ଅର୍ଥ ଉପାର୍ଜନ କରିଥିଲେ, ତାହାକୁ ନିଜ ଚତୁର୍ଦ୍ଦିଗର ସଂସାରଟି ନିମନ୍ତେ ହିଁ ଉତ୍ସର୍ଗୀକୃତ କରି ରଖିଥିଲେ । ଅବଶ୍ୟ ସ୍ମରଣ ରଖିବାକୁ ହେବ ଯେ, କେବଳ ବିଦ୍ୟାର ସାଗର ହୋଇଗଲେ ହିଁ ଜଣେ ବ୍ୟକ୍ତି କଦାପି ଏତେ ଅକୃପଣ ଭାବରେ ବୃହତ୍ତର ଲୋକସଂସାରକୁ ଲୋଡ଼ି ଯାଏନାହିଁ । ମୋ'ଠାରୁ ସେହି ଅଗଣିତ ମନୁଷ୍ୟମାନଙ୍କର ଏହି ଉପାର୍ଜନରେ ଧର୍ମତଃ ଏକ ଅଂଶ ରହିଛି, ହୁଏତ ଏହିପରି କୌଣସି ସତ୍ୟୋପଲବ୍ଧି ଏପରି ଏକ ନିଷ୍ପତ୍ତିର ଯଥାର୍ଥ କାରଣଟିଏ ହୋଇପାରେ । ମୋ' ନିଜର ତଥାକଥିତ ଆବଶ୍ୟକତାଚୟର ତୁଳନାରେ ସେହି ସେମାନଙ୍କର ଆବଶ୍ୟକତାପୂରଣର ଅଧିକ ପ୍ରୟୋଜନ ରହିଛି, ସେହିପରି ଏକ ଅନୁଭବ ହୋଇପାରିଲେ ଜଣେ ବ୍ୟକ୍ତି ହୁଏତ ଅତ୍ୟନ୍ତ ସହଜରେ ଏପରି ଜୀବନଟିଏ ନିଜପାଇଁ ସ୍ଵୀକାର କରି ନେବାଲାଗି ସମର୍ଥ ହୋଇଥାଏ । ଅନ୍ୟମାନଙ୍କୁ ଭାଗ ଦେଇ ପାରିଲେ ସେତେବେଳେ ନିଜର ଅଣ୍ଟିଟି ମଧ୍ୟ ଭରି ଯାଉଥିବା ଭଳି ପ୍ରାୟ ଏକ ଇନ୍ଦ୍ରିୟପ୍ରତ୍ୟକ୍ଷ ବି ହେଉଥାଏ କି ?

 

ଇଚ୍ଛାପତ୍ରଟିର ପ୍ରାରମ୍ଭରେ ଏପରି ଗୋଟିଏ ଲିଖିତ ଦଲିଲ ପୂର୍ବରୁ ହିଁ ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ କେତୋଟି ବିଷୟରେ ବିଦ୍ୟାସାଗର ଯେପରି ଲେଖିଥିଲେ: ମୁଁ ସ୍ଵେଚ୍ଛାପ୍ରବୃତ୍ତ ହୋଇ ସ୍ଵଚ୍ଛନ୍ଦ ଚିତ୍ତରେ ମୋ' ନିଜ ସମ୍ପତ୍ତିର ସର୍ବଶେଷ ବିନିଯୋଗ-ପତ୍ରଟିଏ ଏଠାରେ ପ୍ରସ୍ତୁତ କରି ରଖିବାକୁ ଇଚ୍ଛା କରୁଛି.... । ୨) ଏହି ଅବସରରେ ମୁଁ ତିନିଜଣ ଭଦ୍ରବ୍ୟକ୍ତିଙ୍କୁ (ସେମାନଙ୍କର ନାମୋଲ୍ଲେଖ କରି ଦିଆଯାଇଥିଲା) ମୋ'ର ଏହି ଅନ୍ତିମ ବିନିଯୋଗ-ପତ୍ରଟିର କାର୍ଯ୍ୟଦର୍ଶୀ ଭାବରେ ନିଯୁକ୍ତ କରୁଛି । ସେମାନେ ଏହି ପତ୍ରଟିର ନିର୍ଦ୍ଦେଶ ଅନୁସାରେ ହିଁ ସକଳ କାର୍ଯ୍ୟ ନିର୍ବାହ କରିବେ ବୋଲି ଇଚ୍ଛା ପ୍ରକାଶ କରୁଛି । ୩) ମୋ'ର ଜୀବନାବସାନ ପରେ ମୋର ସମସ୍ତ ସମ୍ପତ୍ତି ଉକ୍ତ ତିନିଜଣ ବ୍ୟକ୍ତିଙ୍କର ମାର୍ଫତରେ ହିଁ ରହିବ । ଇତ୍ୟାଦି ଇତ୍ୟାଦି । ଆହୁରି ନିର୍ଦ୍ଦେଶ ଥିଲା ଯେ କାର୍ଯ୍ୟାଦର୍ଶୀମାନେ ତାଙ୍କର ବକେୟା ରହି ଯାଇଥିବା ସକଳ ଋଣର ପରିଶୋଧ କରାଇଦେବେ ଏବଂ ବକେୟା ପ୍ରାପ୍ୟଗୁଡ଼ାକୁ ମଧ୍ୟ ଆଦାୟ କରିବେ । ପୁନଶ୍ଚ, ଯେଉଁମାନେ ତାଙ୍କର ଆଇନତଃ ପୋଷ୍ୟବର୍ଗ, ସେମାନଙ୍କ ସମେତ କେତେଜଣ ନିରୁପାୟ ଜ୍ଞାତି, କୁଟୁମ୍ବ ଓ ଆତ୍ମୀୟଙ୍କ ଲାଗି ମଧ୍ୟ ଭରଣପୋଷଣର ନିୟମିତ ବ୍ୟବସ୍ଥା ତାଙ୍କ ନିଜ ସମ୍ପଦରୁ କରାଯିବ ବୋଲି ଚୁକ୍ତିପତ୍ରରେ ଉଲ୍ଲେଖ ରହିଥିଲା । ଏବଂ, କେତୋଟି ଏଭଳି ଅନୁଷ୍ଠାନ ମଧ୍ୟ ରହିଥିଲେ, ଯେଉଁମାନଙ୍କୁ କି ବିଦ୍ୟାସାଗର ବହୁ ବର୍ଷରୁ ସାହାଯ୍ୟ କରି ଆସିଥିଲେ । ତାଙ୍କର ମୃତ୍ୟୁଅନ୍ତେ ସେମାନେ ମଧ୍ୟ ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ରହିବେ । ହଁ, ଏମାନଙ୍କ ବ୍ୟତୀତ ଯେଉଁ ବ୍ୟକ୍ତିମାନଙ୍କୁ ଈଶ୍ୱରଚନ୍ଦ୍ର ନିଜ ଜୀବଦ୍ଦଶାରେ ଅର୍ଥସହାୟତା ଦେଇ ଆସିଥିଲେ ତାଙ୍କର ଆବର୍ତ୍ତମାନରେ ମଧ୍ୟ ସେମାନେ ସେହି ପରିମାଣର ନହେଲେ ମଧ୍ୟ ତଥାପି କିଛି କିଛି ଅବଶ୍ୟ ନିୟମିତ ପାଇବେ । ସେମାନଙ୍କୁ ସିଏ ଦୁଇ ଶ୍ରେଣୀରେ ବିଭକ୍ତ କରି ଦେଇଥିଲେ: ପ୍ରଥମ ଶ୍ରେଣୀରେ ବତିଶିଜଣ ଓ ଦ୍ଵିତୀୟ ଶ୍ରେଣୀରେ ତେରଜଣ ବ୍ୟକ୍ତି । ପ୍ରଥମ ଶ୍ରେଣୀରେ ସର୍ବପ୍ରଥମେ ରହିଥିବା ତାଙ୍କର ବାପା ଏବଂ ମାଆ ମାସିକ ଯଥାକ୍ରମେ ପଚାଶ ଏବଂ ଚାଳିଶି ଟଙ୍କା ପାଇବେ । ତା'ପରେ ତାଙ୍କ ଭାଇମାନେ ଓ ଭଉଣୀମାନେ-। ଚାରିଜଣଯାକ ଝିଅ, ଏକମାତ୍ର ବୋହୂ, ଦୂର ଓ ନିକଟତର ଆତ୍ମୀୟ । ଜ୍ଞାତି ତଥା ଅନ୍ୟ ପରିଚିତ କେତେଜଣ । ବ୍ୟକ୍ତିମାନଙ୍କର ପରେ ଗୋଟିଏ ଗୋଟିଏ ହିତାଧିକାରୀ ରୂପେ ବିବେଚିତ ହେଉଥିବା ଢେର କେତୋଟି ଅନୁଷ୍ଠାନ । ଏଗୁଡ଼ିକ ମଧ୍ୟରେ ସବାଆଗ ତାଙ୍କ ନିଜଦ୍ଵାରା ସ୍ଥାପିତ ନିଜ ବୀରସିଂହ ଗ୍ରାମର ବିଦ୍ୟାଳୟ ଓ ଡାକ୍ତରଖାନା । ତା'ପରେ ଗ୍ରାମର ଅନାଥ ତଥା ନିରୁପାୟ ଲୋକମାନେ । ତାଙ୍କର ସେବା ଓ ପରିଚର୍ଯ୍ୟା କରିଥିବା ଭୃତ୍ୟ ଏବଂ ଅନ୍ୟ ସହାୟକ ସମସ୍ତେ-। ଏସବୁ କ'ଣ କେବଳ ଏକ କର୍ତ୍ତବ୍ୟ-ସମ୍ପାଦନ କରିବାର ନୈତିକତା ମାତ୍ର ? କେବଳ ଏକ ଉଦାରତା ?

 

ଦୁର୍ଭିକ୍ଷ ସମୟରେ ଦୁସ୍ଥମାନଙ୍କର ଏବଂ ଆନୁଷଙ୍ଗିକ ନାନା ଅସୁସ୍ଥତାଦ୍ଵାରା ଆକ୍ରାନ୍ତ ବହୁ ବ୍ୟକ୍ତିଙ୍କର ଶୁଶ୍ରୂଷା ଏବଂ ଚିକିତ୍ସା । ଈଶ୍ୱରଚନ୍ଦ୍ର ସମ୍ଭବତଃ ପ୍ରଧାନତଃ ସେହି କାରଣରୁ ନିଜେ ମଧ୍ୟ ରୋଗୀମାନଙ୍କର ଚିକିତ୍ସା କରି ପାରିବାର କ୍ଷେତ୍ରରେ କିଛି ସାମର୍ଥ୍ୟ ଅର୍ଜନ କରିବା ଦିଗରେ ଆଗ୍ରହୀ ହୋଇଥିଲେ । ଯଥାସମ୍ଭବ ଅନୌପଚାରିକ ଭାବରେ ଅପେକ୍ଷାକୃତ ଅଳ୍ପ ସମୟରେ ଶିକ୍ଷା କରଯାଇ ପାରିବ ବୋଲି ସେ ହୁଏତ ହୋମିଓପାଥି ବିଷୟରେ ଆଗ୍ରହୀ ହେଲେ । ଏବଂ, ସେହି ଖାସ୍‍ ମାର୍ଗଟିର ଉପାଦେୟତା ସମ୍ବନ୍ଧରେ ତାଙ୍କର ପ୍ରତ୍ୟୟଗୁଡ଼ିକ କ୍ରମେ ଦୃଢ଼ ହୋଇ ଯାଇଥିଲା । ସେହି ଚିକିତ୍ସାପଦ୍ଧତିର ବହୁ ପୁସ୍ତକ କିଣି ଆଣି ପାଖରେ ରଖିଥିଲେ । ରୋଗୀମାନଙ୍କର ଚିକିତ୍ସା କଲେ, ସେମାନଙ୍କଠାରୁ କୌଣସି ପଇସା ନେଉନଥିଲେ । ସାକ୍ଷ୍ୟ ମଧ୍ୟ ମିଳୁଛି ଯେ ଏହି ବିଜ୍ଞାନଟି ସମ୍ବନ୍ଧରେ ଅଧିକ ଅଧ୍ୟୟନ କରିବା ଉଦ୍ଦେଶ୍ୟରେ ଗୋଟିଏ ମନୁଷ୍ୟକଙ୍କାଳ ବି କିଣି ଆଣି ପାଖରେ ରଖିଥିଲେ । ଚିକିତ୍ସାରୁ ଅନୁଭୂତ ଅନୁମାନଗୁଡ଼ିକୁ ଭିତ୍ତି କରି ସେ ଆହୁରି ଆଗକୁ ବେଶ୍‍ ଚିନ୍ତା ମଧ୍ୟ କରୁଥିଲେ ଏବଂ ତାହାରି ବଳରେ ଅଭିନବ ଅନ୍ୟ ଔଷଧ ମଧ୍ୟ ତିଆରି କରି ପ୍ରୟୋଗ କରୁଥିଲେ ।

 

ଏହି ସମ୍ପର୍କରେ ଚମତ୍କାର କାହାଣୀଟିଏ ମଧ୍ୟ ରହିଛି । ସତକୁସତ ଘଟିଥିବା ଘଟଣାଟିଏ-। ଉଲ୍ଲେଖ ରହିଛି: ଶ୍ରୀଯୁକ୍ତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବହୁଦିନରୁ ଦମାରୋଗ ଭୋଗି ଆସୁଥିଲେ । ଅନେକ ସମୟରେ ଦମା ପେଲୁଥିବା ହେତୁ ସିଏ ପ୍ରାୟ ଅଣନିଃଶ୍ଵାସୀ ହୋଇ ଯାଉଥିଲେ ଏବଂ ଅତିଶୟ କଷ୍ଟ ପାଉଥିଲେ । ଶୀତମାସଗୁଡ଼ିକରେ ହିଁ ସେହି ରୋଗ ତାଙ୍କୁ ବିଶେଷ ଭାବରେ ଅଧିକ କଷ୍ଟ ଦେଉଥିଲା । ଏହିପରି ଦିନେ ଖୁବ୍‍ ଆକସ୍ମିକ ଭାବରେ ସକାଳେ ପ୍ରତ୍ୟେକ ଦିନର ଗୋଟିଏ ଅଭ୍ୟାସବତ୍‍ ରହି ଆସିଥିବା ଚାହାକୁ ପିଇବା ପରେ ତାଙ୍କୁ କାହିଁକି ବେଶ୍‍ ଭଲ ଲାଗିବାକୁ ଆରମ୍ଭ କଲା । ଏପରି ଭଲ ତ ସିଏ ଆଗରୁ କେବେ ମଧ୍ୟ ଅନୁଭବ କରି ନଥିଲେ । ବିଦ୍ୟାସାଗର ଏହି ବିଷୟରେ ଖୁବ୍‍ ଅନୁସନ୍ଧିତ୍ସୁ ହୋଇ ପଡ଼ିଲେ ଏବଂ ଭାବିବାକୁ ଆରମ୍ଭ କରିଥିଲେ ଯେ ସେଦିନ ସକାଳେ ତାଙ୍କୁ ଦିଆଯାଇଥିବା ଚାହାଟା ହିଁ ନିଶ୍ଚୟ କୌଣସି ବିଶେଷ ଭାବରେ ତିଆରି ହୋଇଥିବାରୁ ତାହା ପିଇବା ହେତୁ ତାଙ୍କୁ ଏପରି ଆରାମ ଲାଗିଥିଲା । ନିଜ ପରିଚାରକକୁ ସିଏ ସେଦିନର ଚାହା କିଏ ତିଆରି କରିଛି ଓ ସେଥିରେ ଅନ୍ୟ କୌଣସି ପଦାର୍ଥ ମିଶାଯାଇଛି ବୋଲି ତାକୁ ପଚାରିଥିଲେ । ପରିଚାରକଟି ହିଁ ସବୁଦିନେ ନିଜେ ଚାହା ତିଆରି କରି ବିଦ୍ୟାସାଗରଙ୍କୁ ଦେଉଥିଲା । ଏବଂ, ସେଦିନ ମଧ୍ୟ ସେଥିରେ କୌଣସି ବ୍ୟତିକ୍ରମ ଘଟି ନଥିଲା । ଏବଂ, ସିଏ ଚାହା ତିଆରି କରିବା ସମୟରେ ଅନ୍ୟ କୌଣସି ଦ୍ରବ୍ୟ ସେଥିରେ ମିଶାଇ ବି ନଥିଲା । ସିଏ ଉତ୍ତର ଦେଇ ବିଦ୍ୟାସାଗରଙ୍କୁ ତାହାହିଁ କହିଥିଲା । ବିଦ୍ୟାସାଗରଙ୍କୁ ସବୁ ଘଟଣା ପ୍ରକୃତରେ ଏକ ରହସ୍ୟ ଭଳି ମନେ ହେଉଥାଏ । ତେଣୁ ପୁଣି କହିଲେ: ତେବେ ତୁଇ ଆଜି ମଧ୍ୟ ଏହି ଚାହା ତିଆରି କରି ଦେଇଛୁ ! ମାତ୍ର, ଆଜି ସେହି ଚାହାକୁ ପିଇସାରିବା ପରେ ଏତେ ଭଲ ଲାଗିଲା କାହିଁକି କହିଲୁ-। ଆଜି ଆଦୌ ଅଣନିଃଶ୍ଵାସୀ ଲାଗୁନାହିଁ ଓ ଦମାଟାର କୌଣସି ପ୍ରକୋପ ମଧ୍ୟ ନାହିଁ । ଆଛା, ଆଜି ତୁ ଚାହାରେ ଶୁଣ୍ଠି କିମ୍ବା ଅଦାର ରସ କିଛି ମିଶାଇଥିଲୁ କି ? ପରିଚାରକ ସେପରି କିଛି କରି ନଥିଲା ତେଣୁ ନାହିଁ ବୋଲି କହିଥିଲା । ସିଏ ପ୍ରତିଦିନ ଯେମିତି ଚାହା ତିଆରି କରିଦିଏ, ଆଜି ମଧ୍ୟ ଠିକ୍‍ ସେହିପରି କରିଛି । ମୋଟେ କିଛି ପଦାର୍ଥ ମିଶାଇନାହିଁ । ହଁ, ଆଜି ଅବଶ୍ୟ ସମୟ ହୋଇ ଯାଇଥିଲା ବୋଲି ସିଏ କେଟ୍‍ଲିଟାକୁ ସେଦିନ ଧୋଇ ନଥିଲା ଏବଂ ସିଧା ସେମିତି ସେମିତି ପାଣି ପୂରାଇ ନେଇ ଚୁଲି ଉପରେ ବସାଇ ଦେଇଥିଲା । ସେ ତେଣୁ ପ୍ରସ୍ତାବ ଦେଇ କହିଲା, ଆପଣ ଆଜ୍ଞା କେଟ୍‍ଲିଟାକୁ ନିଜେ ଆଣି ଦେଖୁନାହାନ୍ତି । କ'ଣ ଭାବି ଈଶ୍ୱରଚନ୍ଦ୍ର ତା'ପରେ କେଟ୍‍ଲିଟାକୁ ଆଣିବାକୁ ବି କହିଥିଲେ । ଏବଂ, ଘୋଡ଼ଣୀଟିକୁ ଖୋଲି ଯାହା ଦେଖିଲେ, ସେଥିରେ ସମ୍ପୂର୍ଣ୍ଣ ଅବାକ୍‍ ହୋଇ ଯାଇଥିଲେ । ପ୍ରଥମେ ତାଙ୍କୁ ଖୁବ୍‍ ଘୃଣା ଲାଗିଥିଲା ସତ, କିନ୍ତୁ ଏହି କଥାଟିକୁ ଜାଣି ଖୁବ୍‍ ଖୁସି ବି ହୋଇ ଯାଇଥିଲେ ଯେ, ଆଜି ଏପରି ଘଟଣାଟିଏ ଘଟିବାରୁ ଏହଦ୍ଵାରା ସେ ଦମାରୋଗ ପାଇଁ ଏକ ଅବ୍ୟର୍ଥ ଔଷଧ ଆବିଷ୍କାର କରିବାକୁ ସମର୍ଥ ହୋଇଥିଲେ । ସିଏ ଦେଖିଥିଲେ ଯେ, କେଟ୍‍ଲି ଭିତରେ ଆଗରୁ କୌଣସି ପ୍ରକାରେ ଦୁଇଟି ଅସରପା ପଶି ଯାଇଥିଲେ ଓ ସେଦିନ କେଟ୍‍ଲିଟିକୁ ନଧୋଇ ପରିଚାରକ ସେଥିରେ ପାଣି ଭର୍ତ୍ତି କରି ସିଧା ନେଇ ଚୁଲି ଉପରେ ବସାଇଦେଇ ଥିବାରୁ ଅସରପା ଦୁଇଟି ମଧ୍ୟ ଆଉ ବାହାରିବାର ସୁଯୋଗ ପାଇଲେ ନାହିଁ ଓ ପାଣି ସହିତ ଫୁଟି ସିଝି ବି ଯାଇଥିଲେ । ଏବଂ, ଆଜି ସେହି ପାଣିରେ ହିଁ ଚାହାପତି ପଡ଼ି ଚାହା ତିଆରି ହୋଇଛି । ତେଣୁ, ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇ ଯାଇଥିଲା ଯେ ସେହି କାରଣରୁ ସେହି ଚାହାକୁ ପାନ କରିଥିବାଦ୍ଵାରା ତାଙ୍କର ଦମା ପେଲିବାଟା ମଧ୍ୟ ସେଦିନ ଭଲ ହୋଇ ଯାଇଛି-। ଅର୍ଥାତ୍‍, ଏହିପରି ଭାବରେ ଦମାରୋଗର ଏକ ଅରୋଗ୍ୟକାରକ ଔଷଧ ମଧ୍ୟ ହୁଏତ ପ୍ରସ୍ତୁତ ମଧ୍ୟ କରାଯାଇ ପାରିବ । ଯଦି ଦୁଇଟା ଅସରପା ପାଣିରେ ପଡ଼ି ସିଝିବାଦ୍ଵାରା ତାଙ୍କର ଦମାକଷ୍ଟଟା ପ୍ରାୟ ଅଧାଅଧି ଭଲ ହୋଇଗଲା, ତେବେ ଅଧିକସଂଖ୍ୟକ ଅସରପାକୁ ପାଣି ସହିତ ସିଝାଇ ତଦ୍ଦ୍ୱାରା ସଫଳତା ସହିତ ଏହି ରୋଗଟିର ଏକ ଔଷଧ ତିଆରି କରାଯାଇ ପାରନ୍ତା ।

 

ଅବଶ୍ୟ ଏପରି ଅସରପାମାନଙ୍କୁ ପାଣିରେ ସିଝାଇ ଯେ ଔଷଧଟିକୁ ତିଆରି କରାଯାଇଛି, ରୋଗୀମାନେ ସେବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ହିଁ ରହିବେ । ନହେଲେ, ସେମାନଙ୍କୁ ଏଭଳି ଘୃଣା ଲାଗିବ ଯେ ସେମାନେ ହୁଏତ ଔଷଧଟିକୁ ଦେଖୁଁ ଦେଖୁଁ ଅଥବା ସେବନ କରୁ କରୁ ବାନ୍ତି ବି କରି ପକାଇବେ । ବିଦ୍ୟାସାଗର ତା'ପରେ ଔଷଧଟାକୁ ତିଆରି କରିବାରେ ଲାଗି ଯାଇଥିଲେ । କେତେକ ରୋଗୀଙ୍କର କ୍ଷେତ୍ରରରେ ତାହାକୁ ପ୍ରୟୋଗ କରି ଅନୁମିତ ସଫଳତାଟି ମଧ୍ୟ ପରିଲକ୍ଷିତ ହେଲା । ତା'ପରେ ନିୟମିତ ଭାବରେ ସେ ଉକ୍ତ ଔଷଧଟିକୁ ହୋମିଓପାଥି ପଦ୍ଧତିରେ ପ୍ରସ୍ତୁତି କରି ରୋଗୀମାନଙ୍କୁ ସେବନ କରିବାକୁ ଦେଇଥିଲେ । ଏ ବିଷୟରେ କାହାକୁ କିଛି ନଜଣାଇ ବହୁ ସଂଖ୍ୟକ ବ୍ୟକ୍ତିଙ୍କର ପ୍ରଭୂତ ଉପକାର କରି ପାରିଥିଲେ । ସେହିପରି ଅନ୍ୟଏକ କଥା ମଧ୍ୟ ରହିଛି ଯେ, ସେପର୍ଯ୍ୟନ୍ତ ଆଦୌ କୌଣସି ଆରୋଗ୍ୟ ହେଉ ନଥିବା ଶୂଳରୋଗ ନିମନ୍ତେ ଜଣେ ସନ୍ନ୍ୟାସୀଙ୍କଠାରୁ ଏକ ଉପଚାର ଶିକ୍ଷା କରିଥିଲେ ଏବଂ ତାହାରି ବଳରେ ବହୁତ ବ୍ୟକ୍ତିଙ୍କର ଶୂଳରୋଗକୁ ମଧ୍ୟ ବହୁ ପରିମାଣରେ ଭଲ କରି ପାରିଲେ । ତାଙ୍କରି ଉକ୍ତିଟି ମୁତାବକ, ଦିନେ ଜଣେ ସନ୍ନ୍ୟାସୀ ତାଙ୍କ ଘରକୁ ଆସିଥିଲେ । ମୋ' ମଝିଆଁ ଭାଇ ହାତରେ ସେ ଏପରି ଗୋଟିଏ ଔଷଧର ସୂତ୍ର ପ୍ରଦାନ କରିଗଲେ, ଯାହାଦ୍ୱାରା କି ଶୂଳରୋଗର ଉପଶମ ସମ୍ଭବ ହୋଇ ପାରିବ । ସେହି ଔଷଧଟିକୁ ତିଆରି କରି ତା'ପରେ ତାହାକୁ କେତେକ ରୋଗୀଙ୍କଠାରେ ପ୍ରୟୋଗ କରିବା ଆରମ୍ଭ ହୋଇ ଯାଇଥିଲା । ଏବଂ, ଅତୀବ ଆଶ୍ଚର୍ଯ୍ୟ ବ୍ୟାପାର ଯେ, ଯେତେ ବ୍ୟକ୍ତିଙ୍କୁ ଉକ୍ତ ଔଷଧଟି ଦିଆ ଯାଇଥିଲା, ତାହାକୁ ସେବନ କରି ସେମାନେ ସମସ୍ତେ ପ୍ରକୃତରେ ଢେର ଉପକୃତ ମଧ୍ୟ ହୋଇଥିଲେ । ଏବଂ, "ସେହି ସମ୍ବାଦଟିକୁ ଜାଣି ମୁଁ ମଧ୍ୟ କଲିକତା ତଥା ଆଖପାଖ କେତେକ ଅଞ୍ଚଳରେ ଔଷଧଟିକୁ ପ୍ରସ୍ତୁତ କରି ବିତରଣ କରିଥିଲି । ସଂପୃକ୍ତ ରୋଗୀମାନେ ତାହାକୁ ବ୍ୟବହାର କରି ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ଲାଭ କରିଥିଲେ । ତେଣୁ ବର୍ତ୍ତମାନ ତ ପୂର୍ଣ୍ଣ ପ୍ରତ୍ୟୟର ସହିତ କୁହାଯାଇ ପାରିବ ଯେ, ଶୂଳରୋଗୀ ମାତ୍ରକେ ଯିଏ ଏହି ଔଷଧଟି ବ୍ୟବହାର କରିବେ, ସିଏ ଅବଶ୍ୟ ଶୂଳରୋଗରୁ ମୁକ୍ତ ହୋଇ ପାରିବେ ।" ବିଦ୍ୟାସାଗର ଏକ ବିଜ୍ଞାପନଦ୍ଵାରା ଔଷଧଟିର ପ୍ରସ୍ତୁତି-ପ୍ରଣାଳୀ ତଥା ସେବନବିଧିର ବିବରଣୀ ଦେଇ ସମସ୍ତଙ୍କର ଗୋଚରକୁ ଆଣିବାକୁ ଉଚିତ ବୋଲି ବିବେଚନା କରିଥିଲେ । ସୂତ୍ରଟିକୁ ଗୋପନ କରି ରଖି ତଦ୍ଦ୍ୱାରା ନିଜେ ପ୍ରଭୂତ ଅର୍ଥଲାଭ କରିବା, ଏହି ଅନ୍ୟ କଥାଟି ଈଶ୍ୱରଚନ୍ଦ୍ରଙ୍କ ଦେଇ ଆଦୌ ସମ୍ଭବ ନଥାନ୍ତା । ସେ ବିଜ୍ଞାପନଟିରେ ଆବଶ୍ୟକ ପଥ୍ୟ ଓ ନିଷେଧଗୁଡ଼ିକୁ ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ସୂଚାଇ ଦେଇଥିଲେ ।

 

ସାନ ବଡ଼ ସକଳ ଉଦାହରଣରୁ ବିଦ୍ୟାସାଗରଙ୍କର ଯେଉଁ ପରିଚୟଟି ପୂର୍ଣ୍ଣତଃ ଏକ ସ୍ଵତନ୍ତ୍ର ମହିମାରେ ଆମ ସମ୍ମୁଖରେ ଫୁଟି ଉଠିଥାଏ, ତାହା କେବଳ ଜଣେ ତଥାକଥିତ ବିଦ୍ଵାନ୍‍ ବ୍ୟକ୍ତିର ଆମ ପାଖରେ ନିତାନ୍ତ ଚିହ୍ନା ପରିଚୟଟି ଆଦୌ ନୁହେଁ । ସମ୍ପୂର୍ଣ୍ଣ ସମ୍ମତିରେ ଚାରିପାଖର ମନୁଷ୍ୟମାନଙ୍କ ନିମନ୍ତେ ସଦାସମର୍ପିତ ତାଙ୍କର ସେହି ଜୀବନଟି, ନୈତିକତାର ଚିହ୍ନା ବାଡ଼ିଗୁଡ଼ିକୁ ଦେଇ ତାହାର ବସ୍ତୁତଃ କଳନା କରାଯାଇ ପାରିବନାହିଁ । ଏକ ଯଥାର୍ଥ ବ୍ୟକ୍ତିଜୀବନର ଏକ ସ୍ଵାଭାବିକ ସମର୍ପିତତାର ନୀତସ୍ତର ରହିଛି, ସେଇଟି ନିଜର ତାତ୍କାଳିକ ତଥାକଥିତ ସମାଜଟିର ଚଳନ୍ତି ନୀତିଗୁଡ଼ିକୁ ସ୍ଵୀକାର କରିନେଇ ଅନ୍ୟ ବହୁତଙ୍କ ଲାଗି ଅନୁକରଣୀୟ ହୋଇ ରହିବାକୁ ଆଦୌ ବୁଝାଏନାହିଁ । ଈଶ୍ୱରଚନ୍ଦ୍ର ଆପଣାର ଜୀବଦ୍ଦଶାରେ ତାଙ୍କ ସମାଜଟିର ଅଧିକସଂଖ୍ୟକ ନିୟମକୁ ମାନି ସାଧାରଣ ବହୁତଙ୍କ ଲାଗି ଆଦର୍ଶସ୍ଥାନୀୟ ହୋଇ ରହିଥିଲେ ଅଥବା ଆହୁରି କ'ଣସବୁର ବୋଲମାନି ସେଗୁଡ଼ିକୁ ଅତିକ୍ରମ କରି ଯାଇଥିଲେ, ସେଇଟିକୁ ନେଇ କିଞ୍ଚିତ୍‍ ଚର୍ଚ୍ଚା କରି ବସିଲେ ଆମକୁ ନିଜ ଜୀବନଗୁଡ଼ିକ ପାଇଁ ମଧ୍ୟ ଏକାଧିକ ଅନ୍ତଦୃଷ୍ଟି ତଥା ଅନ୍ୟ ଦୃଷ୍ଟି ଖୁବ୍‍ ମିଳିଯାଇ ପାରିବ । ପ୍ରକୃତରେ ଧନ୍ୟ କହିବାକୁ ହିଁ ହେବ ଆମ ବିଦ୍ୟାସାଗରଙ୍କୁ, ଯିଏ ଆମକୁ ଯାବତୀୟ ବିଦ୍ୟାଲାଭର ପ୍ରକୃତରେ ଏକ ଅନ୍ୟ ପରିଚୟ ଦେଇଯାଇ ପାରିଛନ୍ତି ଏବଂ ହୁଏତ ସେଇଥି ସକାଶେ ଏଡ଼େ ନିକଟ ହୋଇ ଦିଶୁଛନ୍ତି । ପଣ୍ଡିତ ବନି ଦୂରରୁ ଥାଇ ଆମକୁ ଆଦୌ ଚକିତ କରି ଦେଉନାହାନ୍ତି । ଏବଂ, ତାଙ୍କର ସକଳ ବିଦ୍ୟାଧନ ଆମକୁ ମଧ୍ୟ ମୁଖ୍ୟତଃ ଏକ ସାହସର ହିଁ ଉଦ୍‍ବୋଧନ ଦେଇପାରୁଛି ।

 

ଶ୍ରୀମଦ୍‍ ଭାଗବଦ୍‍ଗୀତା ସମେତ ଆମ ପ୍ରଚୀନ ବହୁ ଶାସ୍ତ୍ର ବିଚରା ବିଦ୍ୟାବନ୍ତ ଯଥାର୍ଥ ଗୁଣୀବ୍ୟକ୍ତିମାନଙ୍କୁ ଉଦାସୀନ ରହିବାକୁ କହିଛନ୍ତି । ଉଦସୀନ ଅର୍ଥାତ୍‍ ଉତ୍ଆସୀନ ହୋଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ସଂସାରରେ ଥିବ ସିନା, ତଥାପି ଉପରେ ଥିବ,–ହୁଏତ ବେଶୀ ସାବଧାନ ରହିବାକୁ ଇଚ୍ଛା ନକଲେ ଉପରେ ଉପରେ ରହିଥିବ । ଏପରି ସ୍ଥିତପ୍ରଜ୍ଞ ଅର୍ଥାତ୍‍ ସ୍ଥିରପ୍ରଜ୍ଞାଯୁକ୍ତ ହୋଇ ରହିବ ଯେ କୌଣସି ବିଷୟରେ ଶୋଚନା କରିବନାହିଁ ଅଥବା ଆକାଂକ୍ଷା ବି ରଖିବ ନାହିଁ । ଈଶ୍ୱରଚନ୍ଦ୍ର ପ୍ରଜ୍ଞାବାନ୍‍ ଓ ବିଦ୍ଵାନ୍‍ ଅବଶ୍ୟ ଥିଲେ, କିନ୍ତୁ ତାଙ୍କର ବିଦ୍ୟାସାଗରପଣ ତାଙ୍କୁ ଏକାବେଳକେ ଏକ ସମ୍ପୂର୍ଣ୍ଣ ଅନ୍ୟ ବାଗରେ କିପରି ଗଢ଼ି ନେଇଥିଲା କେଜାଣି, ସିଏ ଆଦୌ ଉଦାସୀନ ନଥିଲେ । ଏହି ମାୟାସଂସାରଟି ସହିତ ଯୋଡ଼ି ହୋଇ ରହିଥିଲେ । ସଂସାରମଣିଷର ଦୁଃଖ ଓ ଦୁର୍ଦ୍ଦିନ ଦେଖିଲେ ମାୟାବଶ ହୋଇ କାନ୍ଦି ପକାଉଥିଲେ । ମୋଟେ ଚୁପ ହୋଇ ରହିଯାଉ ନଥିଲେ କିମ୍ବା ତା' ଭାଗ୍ୟ ସିଏ ଭୋଗୁଛି ବୋଲି କହି ନିଜ ଭିତରର ଦରଦୀଟା ପାଖରେ ଭଲେଇ ହେଉନଥିଲେ । ସେସବୁ କ୍ଷେତ୍ରରେ ସାନ ବଡ଼ ଉଚ୍ଚ ନୀଚ ମୋଟେ କିଛି ଆଣି ହିସାବ କରୁନଥିଲେ-। ତାଙ୍କର ଅଧୀତ ବିଦ୍ୟା ତାଙ୍କୁ କ'ଣ ପାଇଁ ଏଭଳି ଏକ ଭିନ୍ନ ପ୍ରକାରର ଉଜ୍ଜ୍ୱଳତା ଦେଇଥିଲା କେଜାଣି ? ମଣିଷ ପାଖରେ ନଇଁ ଆସିବା ଓ କାମରେ ଲାଗିବା–ସତେଅବା ଏହିପରି ଭାବରେ ହି ତାଙ୍କଦ୍ଵାରା ଆୟତ୍ତ ସକଳ ବିଦ୍ୟାର ଅସଲ ପ୍ରାମାଣିକତା ହୋଇ ରହିଥିଲା । ଏଇଟି ସମ୍ବନ୍ଧରେ ମଧ୍ୟ ଏକାଧିକ କାହାଣୀ ସେହିଦିନୁଁ ରହିଆସିଛି ।

 

ଏକ ଖରା ସମୟର ମଧ୍ୟାହ୍ନକାଳ । ଈଶ୍ଵରସାଗର ସେତେବେଳେ ଜଣେ କୌଣସି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ବସି କ'ଣ କଥା ହେଉଥିଲେ । କିଞ୍ଚିତ୍‌ ଶୀତଳତା ଆଣି ଦେବାକୁ ସେହି ଘରେ ପଙ୍ଖା ଲାଗିଥାଏ । ଏମାନେ ସେହି ଟଣାପଙ୍ଖା ତଳେ ବସିଥାଆନ୍ତି । ସେତିକିବେଳେ କାହାର ଜଣେ ଦରୋୱାନ୍‌ ଆସି ସେଠାରେ ପହଞ୍ଚିଲା । ତା' ବାବୁଙ୍କଠାରୁ ବିଦ୍ୟାସାଗରଙ୍କ ପାଖକୁ କ'ଣ ଚିଠିଟିଏ ନେଇ ଆସିଥିଲା । ବାଟରେ ଚାଲି ଚାଲି ଆସିଥିଲା, ଗମ୍‌ଗମ୍‌ ଝାଳ ବି ବୋହି ଯାଉଥାଏ । ବିଦ୍ୟାସାଗର ଦରୁଆନ୍‌କୁ ନିଜ ପାଖରେ ବସିବାକୁ କହିଲେ । ସେଠି ଟଣାପଙ୍ଖା ତଳେ ବସିଲେ ଅବଶ୍ୟ କିଛି ଆରାମ ମିଳିବ । ବାଧା ଦୂର ହୋଇଯିବ । କିନ୍ତୁ ଦରୁଆନ୍‌ ଆଦେଶଟା ପାଇଲା ବୋଲି କିପରି ବା ପାଖକୁ ଯାଇ ବସି ଯାଇଥାନ୍ତା ? ସିଏ ସିନା ବିଦ୍ୟାସାଗରଙ୍କ ପରି ଏତେ ଏତେ ବିଦ୍ୟାରେ ଅବଗାହି ନଥିଲା, ମାତ୍ର ସଂସାରର ଚରିତ୍ରକୁ ଅବଶ୍ୟ ଭଲ ଭାବରେ ବୁଝିଥିଲା । ଏଡ଼େ ବଡ଼ ବଡ଼ ବ୍ୟକ୍ତିମାନେ ବସିଛନ୍ତି, ସିଏ କ'ଣ ଏମିତି ଗୋଟାଏ ବେକୁବ୍‌ ମଣିଷ ହୋଇଛି ଯେ ନିର୍ବୁଦ୍ଧିଆ ହୋଇ ସେମାନଙ୍କ ପାଖରେ ଯାଇ ବସିଯିବ ! ସିଏ କଦାପି ଏତେ ସାହସ କରିବନାହିଁ । ମାତ୍ର, ବିଦ୍ୟାସାଗର ତ ସତକୁସତ ବିଦ୍ୟାର ସାଗର । ତେଣୁ ସେ ବସିବା ଥାନରୁ ଉଠିଗଲେ ଏବଂ ଦରୁଆନ୍‌ର ହାତ ଧରି ତାକୁ ନିଜ ପାଖରେ ପଡ଼ିଥିବା ଚଉକିଟି ଉପରେ ନେଇ ବସାଇ ଦେଇଥିଲେ । ବିଚରା ସିଏ ପବନତଳେ ବସି ଟିକିଏ ସାଷ୍ଟାମ ବି ହେଲା । ତା'ପରେ ବିଦାୟ ନେଇ ସେଠାରୁ ବାହାରି ଯାଇଥିଲା ।

 

କହିବା ବାହୁଲ୍ୟ, ସେଠାରେ ଉପସ୍ଥିତ ଅନ୍ୟ ଉତ୍ତମର୍ଣ୍ଣମାନେ ବିଦ୍ୟାସାଗରଙ୍କର ସେହି ରୁଚିହୀନ ଆଚରଣରେ ଆଦୌ ପ୍ରସନ୍ନ ହୋଇନଥିଲେ । ଲୋକଟା ଆପେ ରାଜି ହେଉନାହିଁ, ଅଥଚ ଇଏ ତାକୁ ଜୋର କରି ଆଣି ଆସନ ଉପରେ ଆଣି କ'ଣ ପାଇଁ ବସାଇଦେଲେ କେଜାଣି ? ପ୍ରତିବାଦ କଲା ଭଳି ସେମାନେ ବର୍ତ୍ତମାନ ବିଦ୍ୟାସାଗରଙ୍କୁ ମନର କଥାଟିକୁ ବ୍ୟକ୍ତ କରି କହିଥିଲେ, ଏପରି ଏକ କାର୍ଯ୍ୟ କରି ସିଏ ଆଦୌ ଭଲ କାମଟିଏ କରିନାହାନ୍ତି ବୋଲି ତାଙ୍କୁ କହିଲେ । କାରଣ, ଏହାଦ୍ଵାରା ସେମାନଙ୍କର ଅପମାନ ହିଁ ହେଲା । ବିଦ୍ୟାସାଗର ନିଜ ଉତ୍ତରରେ ପ୍ରକୃତରେ ଜଣେ ପଣ୍ଡିତ ନ୍ୟାୟଜ୍ଞ ସଦୃଶ କହିଥି‌ଲେ : ଆଜ୍ଞା, ପ୍ରଥମେ ଆପଣମାନେ ମୋ' କଥାଟିକୁ ଶୁଣନ୍ତୁ, ତା'ପରେ ସିନା ମୁଁ ଦୋଷ କରିଛି ବୋଲି ମୋତେ କହିବେ । ଯଦି ହିନ୍ଦୁ ମତରେ ବିଚାର କରାଯାଏ, ତେବେ ମୁଁ କହିବି ଯେ, ଦରୁଆନ୍‌ର କାର୍ଯ୍ୟ କରୁଥିଲେ ମଧ୍ୟ ଏହି ବ୍ୟକ୍ତି ଜଣେ କାବ୍ୟକୁବ୍ଜୀ ବ୍ରାହ୍ମଣ ପରିବାରର–ସେମାନେ ତ ନିଜକୁ ଏତେ ଅଧିକ ଶୁଦ୍ଧ ବୋଲି ବିଚାର କରନ୍ତି ଯେ ଆମ ହାତରୁ ଜଳ ମଧ୍ୟ ସ୍ପର୍ଶ କରିବେ ନାହିଁ । ଆପଣମାନଙ୍କ ବାପା ବା ଅଜାମାନେ ଏଠାରେ ଥିଲେ ସେହି ଦରୁଆନ୍‌ର ପାଦଧୂଳିକୁ ନେଇ ମୁଣ୍ଡରେ ଲଗାଇଥାନ୍ତେ । ପୁନଶ୍ଚ, ଆଉଏକ କଥା ମଧ୍ୟ ହେଉଛି, ଏଠାରେ ଉପସ୍ଥିତ ଆମେ ସମସ୍ତେ ତ ମାସକୁ ପାଞ୍ଚଶହ ସାତଶହ କିମ୍ବା ଏକ ହଜାର ମାସିକ ଦରମା ପାଉଛେ । ଏହି ବ୍ୟକ୍ତିର ଦରମା ମାସକୁ ପାଞ୍ଚଟଙ୍କା । ତେଣୁ, ମୁଁ ତାକୁ କିଭଳି ଜଣେ ମର୍ଯ୍ୟାଦାହୀନ ମନୁଷ୍ୟ ବୋଲି କହି ଅବଜ୍ଞା ମଧ୍ୟ କରିପାରିବି କହିଲେ ! କାରଣ ମୋ' ନିଜ ବାପା ତ ଏକଦା ଏହି କଲିକତାର ଗୋଟିଏ ଦୋକାନରେ ସେଇ ମାସିକ ପାଞ୍ଚଟଙ୍କା ବେତନରେ କାର୍ଯ୍ୟ କରୁଥିଲେ । ଅର୍ଥାତ୍‌, ଏହି ବ୍ୟକ୍ତିଟିକୁ ଛୋଟ ବୋଲି କହିବା ଆଗରୁ ହିଁ ମୋତେ ନିଜର ବାପାଙ୍କୁ ମଧ୍ୟ ଛୋଟ ମଧ୍ୟ କରିବାକୁ ପଡ଼ିବ । ଏବଂ, ଏଠାରେ ଉପସ୍ଥିତ ଅନ୍ୟମାନଙ୍କ ଭିତରେ ହୁଏତ ଏପରି ଆଉମାନେ ମଧ୍ୟ କେହି ଏପରି ଅବଶ୍ୟ ଥିବେ, ଯେଉଁମାନଙ୍କର ବାପା ଅଥବା ବାପାଙ୍କ ବାପା ଏକଦା ସେହି ପାଞ୍ଚଟଙ୍କା ବେତନରେ ମଧ୍ୟ କାର୍ଯ୍ୟ କରିଥିବେ । ଏହାପରେ ଆଉ କିଏ କ'ଣ କହିବାକୁ କଦାପି ଇଚ୍ଛା କରିନଥିବେ ।

 

ପୁନଶ୍ଚ, ଆଉଏକ ଦିନର ଏପରି ଘଟଣାଟିଏ ବି ଶୁଣିବାକୁ ମିଳିଥାଏ ଯେ, ଥରେ ଜଣେ ମାନ୍ୟଗଣ୍ୟ ସାଆନ୍ତବଂଶର ବ୍ୟକ୍ତି ପାଲିଙ୍କିରେ ବସି ଶ୍ଵଶୁରଘରକୁ ଯିବା ସମୟରେ ସ୍ଵୟଂ ବିଦ୍ୟାସାଗର ଏବଂ ଆଉଜଣେ ବ୍ୟକ୍ତି ତାଙ୍କ ସହିତ ପାଇକ ବେଶ ଧରି ଯାଇଥିଲେ । କାଳେ ବାହାରକୁ ଜଣା ପଡ଼ିଯିବ, ସେଥିପାଇଁ ବିଦ୍ୟାସାଗର ନିଜ ପଇତାଟିକୁ ଅଣ୍ଟାରେ ଖୋସିଦେଇ ହାତରେ ଠେଙ୍ଗାଟିକୁ ଧରି ଜଣେ ପାଇକର ବେଶ ଧାରଣ କରିଥିଲେ । ସେମାନେ ସମସ୍ତେ ଉଦ୍ଦିଷ୍ଟ ସେହି ମୁକାମରେ ଯାଇ ପହଞ୍ଚିଲେ ଏବଂ ପାଇକଙ୍କ ପରି ଶ୍ଵଶୁର ମହାଶୟଙ୍କୁ ସଲାମ ମଧ୍ୟ ପକାଇଥିଲେ । ତା'ପରେ ସେମାନେ ଯେତେବେଳେ ଘର ପାଖରେ ଥିବା ପୋଖରୀରେ ଯାଇ ସ୍ନାନ କରୁଥିଲେ, ସେତେବେଳେ ଘର ଭିତରେ ଥାଇ ଶାଶୁ ମହାଶୟାଙ୍କ ଆଖି ସେମାନଙ୍କ ଉପରେ ଯାଇ ଦୈବାତ୍‌ ପଡ଼ି ଯାଇଥଲା । ସିଏ ଏତେ ଦୂରରୁ ମଧ୍ୟ ବିଦ୍ୟାସାଗରଙ୍କୁ ବେଶ୍‌ ଚିହ୍ନି ପାରୁଥିଲେ-। ସତ୍ୟକଥାଟି ଘର ଭିତରେ ସଙ୍ଗେ ସଙ୍ଗେ ହିଁ ରାଷ୍ଟ୍ର ହୋଇ ଯାଇଥିଲା । ସମସ୍ତେ ବଡ଼ ଅପ୍ରସ୍ତୁତ ହୋଇ ଯାଇଥିଲେ । ଈଶ୍ଵରଚନ୍ଦ୍ର ଖୁବ୍‌ ଧରା ପଡ଼ି ଯାଇଥିଲେ । ସେମାନଙ୍କୁ ଘର ଭିତରକୁ ନେଇ ସମ୍ପୂର୍ଣ୍ଣ ସମ୍ମାନର ସହିତ ଆହାର ଲାଗି ଥାଳୀ ବାଢ଼ି ଦିଆଗଲା । ପାଇକ ହିସାବରେ ନହେଲେ ସେମାନେ ବାବୁଙ୍କ ଘରୁ ସିଧା ନେଇଥାନ୍ତେ ଓ ସେହି ବାରିପଟେ କେଉଁଠି ଜାଗାଟିଏ ଦେଖି ହାତରେ ରାନ୍ଧି ହିଁ ଭୋଜନ କରିଥାଆନ୍ତେ ।

 

ଅସଲ ସମ୍ମାନ ହେଉଛି, ଜଣେ ମଣିଷର ଆଉଜଣେ ମଣିଷ ପ୍ରତି ପ୍ରକୃତରେ ମନୁଷ୍ୟ ଜ୍ଞାନରେ ଯାହାକିଛି ସମ୍ମାନର ପ୍ରଦର୍ଶନ । କୃତ୍ରିମତା ନାହିଁ, ଅଭିନୟ ନାହିଁ, କୌଣସି ଅତିରିକ୍ତତା ମଧ୍ୟ ନାହିଁ । ତେଣୁ, କେଉଁଠାରେ ସେହି ଅତିରିକ୍ତତା ଏବଂ ମିଛ କୁଣ୍ଠା ଦେଖିଲେ ଈଶ୍ଵରଚନ୍ଦ୍ର ଭାରି ଅପ୍ରସ୍ତୁତ ହୋଇ ଯାଉଥିଲେ ଓ ବେଳେବେଳେ ତୁଣ୍ଡ ଖୋଲି ସୂଚାଇ ମଧ୍ୟ ଦେଉଥିଲେ । ଥରେ ପରିଚିତ ଜଣେ ଭଦ୍ରଲୋକ ତାଙ୍କୁ ସାକ୍ଷାତ କରିବା ନିମନ୍ତେ ତାଙ୍କ ଘରକୁ ଆସିଥିଲେ । ନିଜର ଅଭ୍ୟାସ ଅନୁସାରେ ବିଦ୍ୟାସାଗର ତାଙ୍କ ସହିତ କଥାବାର୍ତ୍ତା ସମୟରେ ନିଜର ହୁକାଟି ଆଣି ତମାଖୁ ସେବନ କଲେ ଓ ଯାହା ସାଧାରଣତଃ ଏକ ସର୍ବମାନ୍ୟ ଆଚାର ଥିଲା, ସେହି ଭଦ୍ରବ୍ୟକ୍ତିଙ୍କଆଡ଼କୁ ମଧ୍ୟ ହୁକାଟିକୁ ସିଏ ମଧ୍ୟ କଳେ ଟାଣନ୍ତୁ ବୋଲି ବିଚାରି ବଢ଼ାଇ ଦେଉଥିଲେ । ଭଦ୍ରଲୋକ ହୁକାଟିକୁ ତାଙ୍କ ହାତରୁ ନେଲେ, କିନ୍ତୁ ନଟାଣି ତଳେ ନେଇ ରଖି ଦେଉଥିଲେ । ଈଶ୍ଵରଚନ୍ଦ୍ର ବେଶ୍‌ ବିସ୍ମିତ ହୋଇ ସିଏ କ'ଣ ହୁକା ସେବନ କରନ୍ତି ନାହିଁ ବୋଲି ତାଙ୍କୁ ପଚାରିଥିଲେ । ସିଏ ଉତ୍ତର ଦେଇ ନଥିଲେ ଓ ବେଶ ଧରା ବି ପଡ଼ିଗଲେ ! ତା'ପରେ ବିଦ୍ୟାସାଗର ସବୁ ଫରଚା କରିଦେଇ କହିଥିଲେ, ବୁଝିଲି, ତୁମେ ପ୍ରକୃତରେ ହୁକା ଖାଅ, ତମାଖୁ ପିଅ ଏବଂ ମୋ' ଆଗରେ ପିଇବାକୁ ମନରେ ସଙ୍କୋଚ କରୁଛ । ମତେ ଏସବୁ ଆଦୌ ଭଲ ଲାଗେନାହିଁ । ହୁକା ଖାଇବାକୁ ଯଦି ତୁମେ ଗୋଟିଏ ଖରାପ କଥା ବୋଲି ଭାବୁଛ, ତେବେ ହୁକା ଖାଉଛ ବା କାହିଁକି ? ଯଦି ଖରାପ ବୋଲି ନଭାବୁଛ, ତେବେ ମୋ' ଆଗରେ ଖାଇବାକୁ ସଙ୍କୋଚ କରୁଛ କାହିଁକି ? କହିବା ବାହୁଲ୍ୟ, ବିଦ୍ୟା ଯେ ସତକୁସତ ସେଯାଏ ଯାଇପାରେ, ଶ୍ରୀଯୁକ୍ତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ବିଦ୍ୟା ହିଁ ତାହାର ପରିଚୟ ଦେଇ ପାରୁଥିଲା ।

 

ନିପଟ ଗାଆଁର ହୁଣ୍ଡା ଚେହେରା ପଣ୍ଡିତ ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର । ପିଲାଦିନରେ ଯେଉଁପରି, ବଡ଼ଦିନକୁ ମଧ୍ୟ ମୁଖ୍ୟତଃ ସମ୍ଭବତଃ ମୋଟାମୋଟି ସେହିପରି ରହିଥିଲା-। ନିତାନ୍ତ ସ୍ପଷ୍ଟ କଥା ଯେ ବିଦ୍ୟାସାଗର ସେହି ଚେହେରାଟିକୁ ଘୋଡ଼ାଇ ରଖିବା ସକାଶେ ଆଦୌ କିଛି ହେଲେ ବି କରିନଥିଲେ । ବିଦ୍ୟାସାଗରର ଉପାଧିଟିକୁ ଲାଭ କରିବା ପରେ ସାଧାରଣ ସଂସାରଟା ଯେ ତାଙ୍କ ବିଦ୍ୟାର ଏକ କାଳ୍ପନିକ ପରିପ୍ରେକ୍ଷୀରେ ହିଁ ତାଙ୍କ ଦେହଟାକୁ ମଧ୍ୟ ଗୋଟାଏ ମୋଟାମୋଟି ଅନ୍ଦାଜ କରିବାକୁ ଇଚ୍ଛା କରିବ, ବିଦ୍ୟାସାଗର ସେକଥାଟିକୁ ଜାଣିଥିଲେ ମଧ୍ୟ ସିଆଡ଼େ କୌଣସି ମନୋନିବେଶ କରିବାଲାଗି ଇଚ୍ଛା କରିନଥିଲେ କି ? ଏବଂ, ଦେହର ସେହି ଚେହେରାଟା କ'ଣ ଖାଲି ସେହି ଦେହର ? ଦେହନାମକ ଆମର ସେହି ସମଗ୍ର ଭାବଗ୍ରାମଟିର ଚେହେରାଟି କିପରି ହେବ ବା ନହେବ, ଯାବତୀୟ ପ୍ରାସଙ୍ଗିକତା ସହିତ ତାହା ଆମର ନିଜପ୍ରତି ରହିଥିବା ଅନ୍ତର୍ଗତ ଦୃଷ୍ଟିକୋଣଟି ଉପରେ ମଧ୍ୟ ବହୁତ ପରିମାଣରେ ନିର୍ଭର କରିଥାଏ-। ବିଦ୍ୟାସାଗର ପିଲାଦିନେ ସିଧା ଥିଲେ, ସଙ୍କୋଚରହିତ ଥିଲେ, କୃତ୍ରିମତାକୁ କୌଣସି ମନ କରୁନଥିଲେ, ଉପରର ପରିଚୟରେ ସତେଅବା କୌଣସି ଖାସ୍‌ ଆଗ୍ରହରେ ଭିତରଟାକୁ ଢାଙ୍କି ରଖିବାକୁ କୌଣସି ଉଦ୍ୟମ କରୁନଥିଲେ । ମୁଁ ସତକୁସତ ଯେପରି ବୋଲି ନିଜେ ବୁଝୁଛି, ପୃଥିବୀଟି ମୋତେ ସେହିପରି ହିଁ ସର୍ବଦା ଦେଖୁ ବୋଲି ଚାହୁଁଥିଲେ । ବିଦ୍ୟାର କ୍ଷେତ୍ରରେ ତାଙ୍କର ଯାବତୀୟ ଉପାର୍ଜନ ତାଙ୍କୁ ତାଙ୍କର ସେହି ପ୍ରୟାସରେ ଅଥବା ମନାସରେ ସାହାଯ୍ୟ ହିଁ କରୁଥିଲା ଏବଂ କେବେହେଲେ ତାଙ୍କ ଉପରେ କୌଣସି ତଥାକଥିତ ଶାସନଟାଏ ଚଳାଇବାକୁ ଇଚ୍ଛା ହିଁ କରୁନଥିଲା-। ବିଦ୍ୟାସାଗର ସେହି କାରଣରୁ ଜୀବନଯାକ ଠିକ୍‌ ସେଇଥିଲାଗି ସେହିପରି ସିଧା ରହିଗଲେ; ମୋଟେ କୌଣସି ବେଶ ପିନ୍ଧି ନିଜ ବିଷୟରେ ଏକ ଅନ୍ୟଭଳି ଧାରଣା ଦେବାପାଇଁ ସରାଗ ବି ଦେଖାଉ ନଥିଲେ । ସବୁକାମରେ ନିଃସଙ୍କୋଚ ସାମିଲ ରହି ପାରୁଥିଲେ । ସବୁଯାକ କଥାକୁ ଗୋଟିଏ କଥାରେ କହିଲେ ଆପଣାର ଦେହଟା ସହିତ ତାଙ୍କର ଆଦୌ କୌଣସି ଅପଡ଼ ହିଁ ନଥିଲା-। ଅସଲ ଲାଜଟି ରହିଥିଲା, ତେଣୁ ସଂସାରଲାଜର ଆଶ୍ରୟ ଲୋଡ଼ିବାକୁ ଅବକାଶ ନଥିଲା ।

 

ସେହି କାରଣରୁ ତାଙ୍କୁ ଭେଟିବାକୁ ଆସୁଥିବା ଲୋକେ ବେଳେ ବେଳେ ବେଶ୍ ଭ୍ରମରେ ପଡ଼ି ଯାଉଥିଲେ । ସେମାନେ ସିଏ ଏମିତି ନା ସେମିତି ହୋଇଥିବେ ବୋଲି ବହୁ ପୂର୍ବକଳ୍ପନା କରି ସର୍ବଦା ଆସୁଥିଲେ । ଦୁନିଆଟା ଯେଉଁ କଦରରେ ନ୍ୟାୟତଃ ଚାଲିଥିଲା, ତାହାରିଦ୍ଵାରା ପ୍ରେରିତ ନାନା ପୂର୍ବକଳ୍ପନା କରି । ତେଣୁ ଚିହ୍ନି ପାରୁନଥିଲେ ଓ ବାଉଳାରେ ପଡ଼ୁଥିଲେ । ସେହି ସମ୍ପର୍କରେ ମଧ୍ୟ କେତେ ମନ୍ତେ କାହାଣୀମାନ ରହିଆସିଛି । ଏକଦା ଜଣେ ଭଦ୍ରବ୍ୟକ୍ତି ବିଦ୍ୟାସାଗରଙ୍କୁ ଭେଟିବା ନିମନ୍ତେ ତାଙ୍କ ଘରେ ଯାଇ ପହଞ୍ଚିଲେ । ସେତେବେଳେ ବିଦ୍ୟାସାଗର ମହାଶୟ ଘର ସାମନାରେ ଥିବା ବଗିଚାରେ କାମ କରୁଥାନ୍ତି । ବୋଧହୁଏ ଘାସ ବାଛି ଫୁଲଗଛଗୁଡ଼ିକର ମୂଳକୁ ପରିଷ୍କାର କରି ଦେଉଥାନ୍ତି । ସେହି ସମୟରେ ମେଦିନୀପୁର ଅଞ୍ଚଳରୁ ଚାରିଜଣ ଦର୍ଶନେଚ୍ଛୁ ଅନ୍ୟ ବ୍ୟକ୍ତି ମଧ୍ୟ ସେଠାରେ ପହଞ୍ଚି ଭିତରକୁ ଆସିଲେ । ଯାହାଙ୍କର ଦର୍ଶନ ପାଇଁ ଯାଇଥିଲେ, ସେତେବେଳେ ତାଙ୍କର ଯେଉଁ ଚେହେରା ଏବଂ ଯେଉଁ କାର୍ଯ୍ୟଟିକୁ ସିଏ କେଡ଼େ ନିମଗ୍ନ ଭାବରେ କରୁଥିଲେ, କିପରି ବା ଠଉରାଇ ପାରିଥାଆନ୍ତେ ଯେ ସେହି ହେଉଛନ୍ତି ଶ୍ରୀଯୁକ୍ତ ବିଦ୍ୟାସାଗର, ଯାହାଙ୍କ ସହିତ ସାକ୍ଷାତ କରିବାପାଇଁ ସେମାନେ ଏଠାକୁ ଆସିଛନ୍ତି, ଆଗନ୍ତୁକମାନେ ତାଙ୍କ ବାବୁଙ୍କ ଘରର ମାଳି ବୋଲି ଅନୁମାନ କରି ନେଇଥିଲେ । ତାକୁ ପଚାରିଲେ, ବିଦ୍ୟାସାଗର ମହାଶୟ ଘରେ ଅଛନ୍ତି । ବିଦ୍ୟାସାଗର କରୁଥିବା କାର୍ଯ୍ୟଟି ସମ୍ପୂର୍ଣ୍ଣ ହୋଇନଥିଲା । ତେଣୁ ଉତ୍ତର ଆସିଥିଲା, ଆଜ୍ଞା ଆପଣମାନେ ଟିକିଏ ଅପେକ୍ଷା କରନ୍ତୁ, ସିଏ ଟିକିଏ ଏକ ଅନ୍ୟକାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ସେମାନେ କିଛି ବେଳ ଅପେକ୍ଷା କରିବା ପରେ ପୁନର୍ବାର କହିଥିଲେ, ହଇ ହୋ, ଆମକୁ ଟିକିଏ ଟାଣିବାକୁ ହୁକାଟିଏ ସଜ କରି ଦେଇ ପାରିବନାହିଁ ? ଉତ୍ତର ଚଟାପଟ ଆସିଲା, ହଁ ଆଜ୍ଞା, ଟିକିଏ ଅପେକ୍ଷା କରନ୍ତୁ, ମୁଁ ସଙ୍ଗେ ସଙ୍ଗେ ଆଣି ଦେବି । ସତକୁସତ ସେ ଘରକୁ ଯାଇ ଚାରିଗୋଟି ହୁକା ସଜ କରି ସେମାନଙ୍କ ହାତରେ ଧରାଇ ଦେଇଥିଲେ । ପୁଣି କେତେ ସମୟ ଅତିବାହିତ ହୋଇଗଲା । ହୁକା ପିଉ ପିଉ ଭଦ୍ରଲୋକମାନେ ବ୍ୟସ୍ତ ହୋଇ ପଡ଼ିଲେ । କହିଲେ, ଆରେ ଆମର ବହୁତ ଡେରି ହୋଇଯାଉଛି, ବାବୁଙ୍କୁ ଆଉଥରେ ଯାଇ ଖବର ଟିକିଏ ଦିଅ । ବିଦ୍ୟାସାଗରଙ୍କର ନିର୍ଦ୍ଧାରିତ କାର୍ଯ୍ୟଟି ସେତେବେଳକୁ ଶେଷ ହୋଇ ଯାଇଥିଲା । ସିଏ ତେଣୁ ଲୁଗାପଟା ଝାଡ଼ିଦେଇ ସେମାନଙ୍କର ସମ୍ମୁଖକୁ ଆସି ଆପଣମାନେ ତେବେ କେଉଁ କାମରେ ଆସିଛନ୍ତି ବର୍ତ୍ତମାନ କହନ୍ତୁ ବୋଲି ସେମାନଙ୍କୁ କହିଥିଲେ । ଆଗନ୍ତୁକବୃନ୍ଦ ବିରକ୍ତି ପ୍ରକାଶ କରି ଯାଅ ବିଦ୍ୟାସାଗରଙ୍କୁ ଖବର ଦିଅ ବୋଲି ନିଶ୍ଚୟ ମନେ କରାଇ ଦେଇଥିବେ । ଏବଂ, ଯାହାକୁ ସେମାନେ ମାଳି ବୋଲି ଭାବିଥିଲେ, ସେଇ ସ୍ଵୟଂ ବିଦ୍ୟାସାଗର ବୋଲି ଅବଗତ ହେବା ପରେ ଭାରି କାବା ମଧ୍ୟ ହୋଇଥିବେ । ସେମାନଙ୍କ ମନରେ ଏହାପରେ କ'ଣସବୁ ପ୍ରତିକ୍ରିୟା ବି ହୋଇଥିବ ? ଏଡ଼େ ବଡ଼ ପଣ୍ଡିତ, ପ୍ରଖ୍ୟାତ, କେତେ କେତେ ଗୁଣର ଅଧିକାରୀ, କିନ୍ତୁ ଏଭଳି ଗାଉଁଲି ବେଶରେ ସିଏ ମାଳିର କାମ କରୁଥିବାର ଦେଖିଲେ ଲୋକମାନେ ତାଙ୍କୁ ଉଚିତ ମର୍ଯ୍ୟାଦା ଦେଇ କିଭଳି କାହିଁକି ଚିହ୍ନିବେ ? ବିଦ୍ୟାସାଗରଙ୍କର ପାଦଧୂଳିକୁ ନେଇ ମୁଣ୍ଡରେ ଲଗାଇବା ପରେ ମଧ୍ୟ ହୁଏତ ସେମାନଙ୍କର ଭିତର ବିବେକଟା ଭାରି ବେକୁବ୍‌ ହୋଇଗଲା ପରି ଅନୁଭବ କରିଥିବ ।

 

କୁଲି-ସମ୍ପର୍କିତ କାହାଣୀଟା ସମସ୍ତେ ଅବଶ୍ୟ ଶୁଣିଥିବେ । ବିଦ୍ୟାସାଗର ଏକଦା କୁଲି ହୋଇ ଜଣେ ବ୍ୟକ୍ତିଙ୍କର ଜିନିଷ ବି ବୋହିଥିଲେ । କଲିକତାରୁ ବହୁ ଦୂରରେ ଅବସ୍ଥିତ ଏକ ରେଲଷ୍ଟେସନ,–ଜଣେ ବଙ୍ଗାଳି ଡାକ୍ତରବାବୁ ସେଠାରେ ରେଲଗାଡ଼ିରୁ ଓହ୍ଲେଇଲେ । ବେଉସାରେ ଜଣେ ଏଡ଼େ ବଡ଼ ଡାକ୍ତର, ମାତ୍ର ସାଙ୍ଗରେ ଥିବା ଛୋଟ ବ୍ୟାଗଟିକୁ ନିଜ ହାତରେ ବୋହି ନେବାଟା ତାଙ୍କୁ ଆଦୌ ରୁଚିକର ବୋଲି ମନେ ହୋଇନଥାନ୍ତା । ସିଏ ତ ସେହି ସ୍ଥାନ ଲାଗି ଜଣେ ସମ୍ପୂର୍ଣ୍ଣ ବହିରାଗତ । ସେଠା ଲୋକମାନେ କେହି ତାଙ୍କୁ ଚିହ୍ନି ନଥିବେ । ପୁଣି, ସିଏ ଜଣେ ଡାକ୍ତର ବୋଲି ଜାଣିବା ତ ଆହୁରି ଦୂରର କଥା । ତେଣୁ ନିଜ ବ୍ୟାଗଟିକୁ ନିଜେବୋହି ନେଇଯିବାଦ୍ଵାରା ଲୋକମାନେ ତାଙ୍କଆଡ଼େ ଆଦୌ ଚାହିଁ ଦେଖିବାର ମଧ୍ୟ କୌଣସି ପ୍ରଶ୍ନ ନଥିଲା । କିନ୍ତୁ, ତାଙ୍କ ନିଜକୁ ମଧ୍ୟ କଥାଟା ଆଦୌ ସମୁଚିତ ମନେ ହୋଇନଥାନ୍ତା । ଏହିପରି କ'ଣସବୁ ବିଚାରି ସିଏ ଡବାରୁ ଓହ୍ଲାଇ ପଡ଼ି କୁଲି କୁଲି ବୋଲି ଡାକ ଦେବାକୁ ଲାଗିଲେ । କୁଲି ଆସି ହାଜର ହୋଇ ଯାଇଥିଲା ଏବଂ ବାବୁଙ୍କ ହାତରୁ ତାଙ୍କ ଜିନିଷଟିକୁ ବୋହି ନେଇଥିଲା । ବାବୁଙ୍କୁ ନେଇ ବାହାରେ ପହଞ୍ଚାଇ ଦେଇଥିଲା । ବାବୁଙ୍କଠାରୁ ପଇସା ନନେଇ ବାହାରି ଯାଉଥିବା ସମୟରେ ଡାକ୍ତରବାବୁ ନିଜେ ତାକୁ ପଛରୁ ଡାକି ଅଟକାଇ ଥିଲେ ଏବଂ ପଇସା ଦେବାକୁ ବାହାରିଲେ । ମାତ୍ର ଶ୍ରୀ ବିଦ୍ୟାସାଗର କ'ଣ ଭଦ୍ରବ୍ୟକ୍ତିଙ୍କ ପାଖରୁ ମଜୁରି ପାଇବେ ବୋଲି ତାଙ୍କର ଜିନିଷଟିକୁ ନିଜେ ମୁଣ୍ଡାଇ ଆଣିଥିଲେ ! ତେଣୁ ସେ ଖାଲି ଏତିକି ଉତ୍ତର ହିଁ ଦେଇଥିଲେ: ଆଜ୍ଞା ଆପଣଙ୍କୁ ଆଦୌ କୌଣସି ପଇସା ଦେବାକୁ ପଡ଼ିବନାହିଁ । ବ୍ୟାଗଟି କିପରି ଯିବ ବୋଲି ଭାବି ଆପଣ ଅସୁବିଧାରେ ପଡ଼ିଥିଲେ ଏବଂ ମୁଁ ଆପଣଙ୍କୁ କିଞ୍ଚିତ୍‌ ସାହାଯ୍ୟ କରିବି ବୋଲି ଭାବି ସେହି ବ୍ୟାଗ୍‌ଟିକୁ ନିଜେ ଧରି ନେଇ ଆସିଲି । ଆପଣଙ୍କର ଅସୁବିଧାଟିକୁ କିଞ୍ଚିତ୍‌ ଦୂର କରିପାରିଲି ।

 

ଅନେକ ନୀତିବାଦୀ ପୃଥିବୀରେ ଥାଆନ୍ତି, ଯେଉଁମାନେ କି ଆଉ କାହାକୁ ନୀତିରେ ନଥିବାର ଦେଖିଲେ ସମ୍ଭବତଃ କିଛି ମାତ୍ରାରେ ଖୁସୀ ହୋଇ ଥାଆନ୍ତି ଏବଂ ପ୍ରାୟ ଏକ ବିଶେଷ ଆନନ୍ଦ ଅନୁଭବ କରି ନିଜେ ବାହାରି ପଡ଼ି ଅନ୍ୟର କାର୍ଯ୍ୟଟିକୁ କରିଦିଅନ୍ତି ଏବଂ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ସେହି କାଟର ଜଣେ ପ୍ରଦର୍ଶନପ୍ରିୟ ମନୁଷ୍ୟ ଥିଲେ କି ? ଏବଂ, ସେହିପରି ପ୍ରଦର୍ଶନମାନ କରି ଆପେ ଠିକ୍‌ ବାଟରେ ଅଛନ୍ତି ବୋଲି ତାହାରିଦ୍ଵାରା ସେପରି କୌଣସି ପ୍ରମାଣ ପାଇଯାଇ ଥିଲେ କି ? ଏଭଳି ମନୁଷ୍ୟମାନେ ତ ସତକୁସତ ପୃଥିବୀରେ ବହୁ ଦୁଃଖର କାରଣ ହୁଅନ୍ତି । ପୃଥିବୀଟା ଆଦୌ କେବେ ମଧ୍ୟ ସତକୁସତ ବାଟକୁ ଆସିବାର ସମ୍ଭାବନାକୁ ସେମାନେ ବିଳମ୍ବିତ କରି ରଖି ଥାଆନ୍ତି । ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଆଦୌ ନୀତିବାଦୀ ନଥିଲେ । ଅନ୍ୟ ବହୁ ମନୁଷ୍ୟଙ୍କଠାରୁ ସିଏ ସମ୍ପୂର୍ଣ୍ଣ ଭାବରେ ଅନ୍ୟ ଭଳି ବୋଲି ଅନୁଭବ କରି ନିଜ ପାଖରେ ଟିକିଏ ଅଧିକ ଠୋଲା ହୋଇ ଦିଶିବେ ବୋଲି କୌଣସି ପ୍ରୟାସ କରୁନଥିଲେ । କୌଣସି କୋଳାହଳ କରି ନିଜ ଆଡ଼କୁ ହିଁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ସକାଶେ ତାଙ୍କର କୌଣସି ଆଗ୍ରହ ନଥିଲା । ସମ୍ଭବତଃ, ଅଧିକ ସତ କଥାଟି ହେଉଛି ଯେ ସିଏ ଅର୍ଜନ କରିଥିବା ବିଦ୍ୟା ବା ବିବେକ ତାଙ୍କୁ ଅତିରିକ୍ତ ଭାବରେ ଆତ୍ମସଚେତନ ହେବା ଲାଗି କୌଣସି ପ୍ରୋତ୍ସାହନ ହିଁ ଦେଉନଥିଲା । ବରଂ, ସିଏ ଯେତିକି ଅଧିକ ବିଦ୍ୟାର ଅଧିକାରୀ ହେଉଥିଲେ, ସେତିକି ସେତିକି ଅନ୍ୟମାନଙ୍କଆଡ଼କୁ ଆକୃଷ୍ଟ ହୋଇ ଆସୁଥିଲେ । ସବୁ ମନୁଷ୍ୟଙ୍କର ଏହି ବହୁସୂତ୍ରରେ ଗଅଁଠା ହୋଇ ରହିଥିବା ସଂସାରରେ ଜଣେ ବିଦ୍ୟାର ମର୍ମକୁ ବୁଝିଥିବା ବ୍ୟକ୍ତିର ନିୟତ ନାନା କର୍ତ୍ତବ୍ୟ କରିବାର ରହିଛି ବୋଲି ସେ କ୍ରମେ ଅଧିକରୁ ଅଧିକ ପରିମାଣରେ ହୃଦୟଙ୍ଗମ କରିଥିଲେ । ହଁ, ଜଣେ ସତକୁସତ ବିଦ୍ୟାବାନ୍‌ ଅଧିକ ସହଜ ଭାବରେ ଏହି ବୃହତ୍ତର ସଂସାର ମଧ୍ୟକୁ ପ୍ରକୃତରେ ଓହ୍ଲାଇ ହିଁ ଆସିଥାଏ ମୋଟେ ଉଚ୍ଚରେ ଅଲଗା ହୋଇ, ନିଆରା ହୋଇ ରହି ପାରେନାହିଁ, ସିଏ ସଂସାରର ହିଁ ହୋଇଯାଏ । ସେଇଥିରୁ ଅତ୍ୟନ୍ତ ସହଜ ଭାବରେ ନମ୍ର ହେବାର ଧର୍ମଟିକୁ ମଧ୍ୟ ଶିଖିନିଏ । ସମସ୍ତଙ୍କୁ ସାଙ୍ଗରେ ନେଇ ବାଟ ଚାଲିବାକୁ ସ୍ଥିର କରି ନେଇଥାଏ । କେଡ଼େ ନା କେଡ଼େ ପଦରେ ରହିଥାଏ, ତଥାପି ଆପଣାର ସେଇ ସବାମୂଳ ମନୁଷ୍ୟ-ପରିଚୟଟିକୁ କଦାପି ଗୌଣ କରି ପକାଏନାହିଁ । ବହୁତ ମଣିଷ ତ ସେହି ପଦଟାର ଦ୍ଵାହି ଦେଖାଇ ତାହାରି ପଛରେ ଲୁଚି ରହିଥାନ୍ତି,–ଏବଂ, ପଦଗୁଡ଼ିକର ମର୍ଯ୍ୟାଦାକୁ ଭାରି କ୍ଷୁନ୍ନ କରି ଦେଇଥାନ୍ତି । ତେଣୁ, ପଦରେ ରହିଥିବା ସତ୍ତ୍ଵେ ଚରାଚରର ମୋଟେ ବିଶେଷ କାର୍ଯ୍ୟରେ ଲାଗି ପାରନ୍ତି ନାହିଁ । ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ନିଜ ଜୀବନରେ ଏକାଧିକ ପଦର ଅଧିକାରୀ ହୋଇଥିଲେ, କିନ୍ତୁ ସେଗୁଡ଼ିକୁ କେବେ ଆଳ କରି ସେ ଆପଣାକୁ ଲୁଚାଇ ରଖିନଥିଲେ । ଯାବତୀୟ ପଦରେ ରହିଥିବା ସମୟରେ ସମସ୍ତେ ତାଙ୍କୁ ପ୍ରଥମେ ବିଦ୍ୟାସାଗର ନାମକ ଜଣେ ବ୍ୟକ୍ତି ବୋଲି ଚିହ୍ନିଥିଲେ । ଏବେ ମଧ୍ୟ ପୃଥିବୀରେ ତାଙ୍କୁ ଲୋଡ଼ୁଥିବା ଲୋକେ ତାଙ୍କୁ ସବାଆଗ ବିଦ୍ୟାସାଗର ବୋଲି ହିଁ ଲୋଡ଼ିବେ, ତାହାକୁ ହିଁ ମାଧ୍ୟମ କରି ତାଙ୍କର ଭୂମିକାଗୁଡ଼ିକୁ ଚିହ୍ନିବେ ।

 

ଶ୍ରୀ ବିଦ୍ୟାସାଗରଙ୍କର ଧୋତି, ଚଦର ଓ ଚଟିକୁ ସନ୍ଦର୍ଭରୂପେ ନେଇ କେତେ ପ୍ରକାରର ମହଲରେ ଆଲୋଚନାମାନ କରାଯାଇଛି । ତାଙ୍କର ସେହି ସମୟରେ ଅଧିକାଂଶ ପୁରୁଷବ୍ୟକ୍ତି ପରିଧାନ ରୂପେ ଧୋତି ଏବଂ ଚାଦର ହିଁ ବ୍ୟବହାର କରୁଥିଲେ । ବଙ୍ଗଳାର ଗ୍ରାମାଞ୍ଚଳରେ ତଥା କଲିକତା ସହର ଭିତରେ ମଧ୍ୟ । ଯେଉଁମାନେ ସେହି ବଡ଼ ସହରଟିରେ ଇଂରେଜୀ ଛାଞ୍ଚରେ ପାଠ ପଢ଼ୁଥିଲେ ଏବଂ ଯେଉଁମାନେ ସାହେବମାନଙ୍କର ସମ୍ପର୍କରେ ଆସୁଥିଲେ ଅର୍ଥାତ୍‌, ସରକାରୀ ଅଫିସମାନଙ୍କରେ ଚାକିରିମାନଙ୍କରେ ନିଯୁକ୍ତ ହେଉଥିଲେ, ସେମାନେ ସାହେବୀ ପରିଧାନ ବ୍ୟବହାର କରୁଥିଲେ । ଖୁବ୍ ସମ୍ଭବ ଉପରବାଲାଙ୍କୁ ଅଧିକ ଠିକ୍‌ ବୋଲି ଦେଖାଯିବ ବୋଲି ସେହିପରି ପୋଷାକ ପିନ୍ଧୁଥିଲେ । ତତ୍କାଳୀନ ସ୍ଥିତିରୁ ଏପରି ବେଶ୍‌ ଅନୁମାନ ମଧ୍ୟ କରାଯାଇ ପାରିବ ଯେ, ଭାରତୀୟ ଅମଲାମାନେ ଧୋତିଚାଦର ତ୍ୟାଗ କରି ସାହେବୀ ପରିଚ୍ଛଦରେ କର୍ମସ୍ଥାନକୁ ଆସନ୍ତୁ ବୋଲି ସାହେବମାନେ ପ୍ରାୟ ସମସ୍ତେ ଆଗ୍ରହ ରଖୁଥିଲେ ଓ ଏଥିରେ ବ୍ୟତିକ୍ରମ ଦେଖୁଥିଲେ ସେମାନେ ଅପ୍ରସନ୍ନ ହୋଇ ପଡ଼ିବେ ବୋଲି ଏକ ଆଶଙ୍କା ମଧ୍ୟ ଅମଲାମାନଙ୍କର ମନରେ ରହିଥିଲା । ପୁନଶ୍ଚ, ଯେତେବେଳେ କୌଣସି ପ୍ରୟୋଜନରେ ସେହି ସାହେବୀ ତନ୍ତ୍ରଟିର କୌଣସି କର୍ତ୍ତାଙ୍କ ସହିତ ସାକ୍ଷାତ କରିବାକୁ ପଡ଼ୁଥିଲା, ସେତେବେଳେ ମଧ୍ୟ ପ୍ରାୟ ଉଭୟ ପକ୍ଷର ଏକ ଅଲିଖିତ ସମ୍ମତି ଅନୁସାରେ ସାକ୍ଷାତ-ପ୍ରାର୍ଥୀ ପକ୍ଷଟିକୁ ସାହେବର ପୋଷାକରେ ଭୂଷିତ ହୋଇ ସେଠାକୁ ଯିବାକୁ ହେଉଥିଲା । କେବଳ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଚଳଣିଟାର ଉକ୍ତ ଗୁଳାଟି ଭିତରୁ ବାହାରେ ରହିଥିଲେ, ସେହି କାରଣରୁ ତାଙ୍କର ଧୋତି ଓ ଚାଦର ଏତେ ଏତେ ପ୍ରକାରେ ଚର୍ଚ୍ଚାର ଏକ ବିଷୟରେ ପରିଣତ ହୋଇ ରହିଗଲା କି ? ଧୋତି ଏବଂ ଚାଦରରେ ବିଦ୍ୟାସାଗର ଲାଟ ବଡ଼ଲାଟମାନଙ୍କୁ ଭେଟିବା ନିମନ୍ତେ ଯାଉଥିଲେ, ତାଙ୍କ ଭିତରେ ସତେ ଯେପରି ଆଉକିଛିକୁ ଦେଖି ତଥା ସ୍ଵୀକୃତି ଦେଇ ସେହି ବୃହତ୍‌ପଦସ୍ଥମାନେ ମଧ୍ୟ ତାଙ୍କୁ ଯେ ସେହି ବିଶେଷ ଛାଡ଼ଟିକୁ ଦେଇଥିଲେ, ସମ୍ଭବତଃ ସଂପୃକ୍ତ ସାହେବଗଣଙ୍କୁ ନୁହେଁ, ଭାରତୀୟମାନଙ୍କୁ ମଧ୍ୟ ତାହା ଆଚମ୍ବିତ କରି ଦେଉଥିଲା । ସେମାନେ ବିଦ୍ୟାସାଗରଙ୍କର ଏପରି ଅନ୍ୟଭଳି ଆଚରଣରେ ତାଙ୍କୁ ପ୍ରକୃତରେ ଈର୍ଷା କରୁଥିଲେ ଅଥବା ଭର୍ତ୍ସନା କରୁଥିଲେ, ସେକଥାଟି କିଏ ନିଶ୍ଚିତ ଭାବରେ କହିପାରିବ ?

 

କିନ୍ତୁ ଧୋତିଚାଦର ପରିଧାନ କରୁଥିବାରୁ ଶ୍ରୀଯୁକ୍ତ ବିଦ୍ୟାସାଗର ଏକ ସରଳ ଜୀବନଯାପନ କରୁଥିଲେ ବୋଲି ବେଳେ ବେଳେ ଅନେକ ବ୍ୟକ୍ତି କାହିଁକି ମନ୍ତବ୍ୟ କରିବାକୁ ମନ କରନ୍ତି କେଜାଣି ? ସେତେବେଳର ସକଳ ପରିବେଶକୁ ମୋଟାମୋଟି ଅନୁଭବ କରି ପାରୁଥିଲେ ତ ବରଂ ଏପରି ହୁଏତ କହିବାଟା ଅଧିକ ପ୍ରାସଙ୍ଗିକ ହେବ ଯେ, ଜଣେ ବ୍ୟକ୍ତି ଭିତରେ ସତକୁସତ ଅସାଧାରଣ ସାହସ ନଥିଲେ ଜଣେ ବ୍ୟକ୍ତି ନିଜର ଅଭିଳାଷଟି ଅନୁସାରେ ଜୀବନଟିଏ ବଞ୍ଚିବା ଲାଗି ଆଦୌ ଏତେ ନିଷ୍ଠା ବା ମମତା କଦାପି ଦେଖାଇବ ନାହିଁ । ନିଜର ଭୂମିଟି ନିମନ୍ତେ ନିଷ୍ଠା ଅର୍ଥାତ୍‌ ସେହି ଭୂମିଟିରେ ମୋ'ର ଗୋଡ଼ଟା ଟାଣ ହୋଇ ରହିଛି ବୋଲି ଏକ ଅବିଚଳ ବିଶ୍ଵାସ ଏବଂ ସେହି କାରଣରୁ ଏକ ନିର୍ଦ୍ଦିଷ୍ଟ ଜୀବନଶୈଳୀ ନିମନ୍ତେ ଶ୍ରଦ୍ଧା । ରବୀନ୍ଦ୍ରନାଥ ମଧ୍ୟ ବେଶ୍‌ ବିସ୍ତାରିତ ଭାବରେ ବିଦ୍ୟାସାଗରୀୟ ବଞ୍ଚିବାଧାରାଟି ବିଷୟରେ ଏକଦା ମନ୍ତବ୍ୟଟିଏ କରିଥିଲେ: ବ୍ରାହ୍ମଣପଣ୍ଡିତ ଯେଉଁ ଚଟି ଜୋତା ଏବଂ ମୋଟା ଧୋତିଚାଦର ପରିଧାନ କରି ସର୍ବତ୍ର ସମ୍ମାନଲାଭ କରିପାରିବେ, ବିଦ୍ୟାସାଗର ରାଜଦ୍ଵାରରେ ମଧ୍ୟ ରହି ସେହି ବିଶ୍ଵାସଟିକୁ ପରିତ୍ୟାଗ କରିନଥିଲେ । ପରିତ୍ୟାଗ କରିବାର କୌଣସି ଆବଶ୍ୟକତା ମଧ୍ୟ ଅନୁଭବ କରିନଥିଲେ । ତାଙ୍କ ନିଜ ସମାଜରେ ଯଦି ସେଇଟି ହିଁ ଭଦ୍ରର ପରିଧାନ ବୋଲି ସ୍ଵୀକୃତ ହେଉଥଲା, ତେବେ ସେ ଅନ୍ୟ କୌଣସି ସମାଜରେ ଅନ୍ୟ ପରିଚ୍ଛଦ ପିନ୍ଧି ନିଜ ସମାଜର ତଥା ତା' ସହିତ ନିଜର ଅବମାନନା ଅର୍ଜିବାକୁ ଆଦୌ ଇଚ୍ଛା କରିନଥିଲେ । ଧଳା ଧୋତି ଏବଂ ଧଳା ଚଦରକୁ ବିଦ୍ୟାସାଗର ଯେଉଁ ଗୌରବ ଆଣି ଦେଇଥିଲେ, ଆମର ବର୍ତ୍ତମାନର ରାଜାମାନଙ୍କର ଛଦ୍ମବେଶକୁ ପରିଧାନ କରି ଆମେ ନିଜକୁ କଦାପି ସେହି ଗୌରବ ଦେଇ ପାରିବା ନାହିଁ, ତଦ୍ଦ୍ୱାରା ସମ୍ଭବତଃ ଆମର ଏହି କଳାରଙ୍ଗର ଚମଟା ଭପରେ ଦୁଇଗୁଣ କଳଙ୍କର କାଳିମାକୁ ଆଣି ଲେପନ ହିଁ କରିଦେବା । ଆମର ଏହି ନାନାଭଳି ଅପମାନିତ ଦେଶରେ ଈଶ୍ଵରଚନ୍ଦ୍ରଙ୍କ ସଦୃଶ ଏଭଳି ଅଖଣ୍ଡ ପୌରୁଷର ଗୋଟିଏ ଆଦର୍ଶ କିପରି ଯେ ଜନ୍ମଗ୍ରହଣ କରି ପାରିଲା, ଆମେ ସେକଥାଟିକୁ ମୋଟେ କହି ପାରିବାନାହିଁ ।

 

ଆପଣାର ଭୂମିଟିକୁ ଭଲ ପାଇଲେ ଅନ୍ୟ ଗୋଟିଏ ଭୂମିକୁ ଯେ ଊଣା କରି ଦେଖିବାକୁ ହୁଏ, ସେକଥାଟି ଆଦୌ ସତ୍ୟ ନୁହେଁ । ଇଂରାଜୀ ଭାଷା, ଇଂରାଜୀ ସାହିତ୍ୟ ତଥା ତାଙ୍କର ପରିଚିତ କଲିକତାର କେତେକ ପଦସ୍ଥ ଇଂରାଜଙ୍କ ପ୍ରତି ତାଙ୍କର ଯେ କେତେ ଶ୍ରଦ୍ଧା ରହିଥିଲା, ପରେ ଆମେ ସେହି କଥାଟିର ପରିଚୟ ପାଇପାରିବା । ନିତାନ୍ତ ସତ୍ୟ ଯେ, ନିଜର ଭୂଇଁଟି ଉପରେ ଏକ ସମୁଚିତ ସମ୍ମାନବୋଧ ସହିତ ସିଧା ହୋଇ ଠିଆ ନହୋଇଥିବା ପର୍ଯ୍ୟନ୍ତ ଆମେ ଅପର ଏକ ଭୂମିକୁ ମଧ୍ୟ ସୁସ୍ଥ ଭାବରେ କଦାପି ଗ୍ରହଣ କରିନେଇ ପାରିବାନାହିଁ । ହୁଏତ ତା'ପାଖରେ ନିଜକୁ ହୀନତର ବୋଲି ଅନୁଭବ କରି ସେହି ଅପରଟି ପାଖରେ ନିତାନ୍ତ ସଙ୍କୁଚିତ ହୋଇ ରହିଥିବା ଏବଂ ସେହିପରି କୌଣସି ଖେଦରେ ତାହାର ଅନୁକରଣ ମଧ୍ୟ କରୁଥିବା । ନିଜର ଭୂମି, ନିଜର ସାମାଜିକ ଜୀବନଭଙ୍ଗୀ, ନିଜର ଧର୍ମ ଓ ନିଜର ଯାହାକିଛିର ସଂସ୍ପର୍ଶରେ ଆମେ ରହିଛୁ ବୋଲି ଆଉଗୋଟିଏ ଭାଷା, ଭୂମି, ଧର୍ମ ତଥା ଜୀବନଭଙ୍ଗୀକୁ ଅବର ବୋଲି କହୁଥିବା ଏବଂ ସେଥିରୁ କିଞ୍ଚିତ୍‌ ଏକ ତଥାକଥିତ ଗୌରବ ମଧ୍ୟ ଆହରଣ କରୁଥିବା, ଏହା ହେଉଛି ସର୍ବ ଅବକାଶରେ ଏକ ଅସୁସ୍ଥ ଦୃଷ୍ଟିକୋଣ । ଭିତରେ ନିତାନ୍ତ କୌଣସି ପ୍ରକାରେ ବ୍ୟାଧିଗ୍ରସ୍ତ ହୋଇ ରହିବାକୁ ବାଧ୍ୟ ହେଉଥିଲେ ହିଁ ସଚରାଚର ମନୁଷ୍ୟମାନେ ସେହିପରି ନାନା ଅଶୋଭନୀୟତାକୁ ଆଦରି ନେଇଥାଆନ୍ତି । ଖୁବ୍‌ ଉଗ୍ର ହେବାର ପ୍ରଶ୍ରୟ ପାଆନ୍ତି, ଯୁଗଟାକୁ ବାଉଳା କରିନେବାର ଅଭିସନ୍ଧି ବି କରୁଥାନ୍ତି । ଈଶ୍ଵରଚନ୍ଦ୍ର ଏପରି କଦାପି ବାଉଳା ନହେବାକୁ ହିଁ ସବୁବେଳେ ପ୍ରେରଣା ଦେବାରେ ଲାଗିଥିବେ । ନିଜର ଭୂମିକୁ ନିଜର ବୋଲି ଅନୁଭବ କରିବା ନିମନ୍ତେ ଉଦ୍‌ବୋଧନ ଦେଉଥିବେ । ଆମକୁ ବହୁ ହୀନମନ୍ୟତା ଭିତରୁ ସେ ବଳ ଦେଇ ବଞ୍ଚାଇ ରଖିଥିବେ । ତେଣୁ, ପଣ୍ତିତ ଈଶ୍ଵରଚନ୍ଦ୍ରଙ୍କ ସକାଶେ ହିଁ ସେ ପରିଧାନ କରୁଥିବା ଧୋତି ଚାଦର ଏବଂ ଚଟିର ପ୍ରକୃତରେ ଏତେବେଶୀ ମର୍ଯ୍ୟାଦା; ତାଙ୍କର ଧୋତି, ଚଦର ଓ ଚଟି ସକାଶେ ବିଦ୍ୟାସାଗରଙ୍କର ପ୍ରକୃତରେ ଏତେବେଶୀ ମର୍ଯ୍ୟାଦା ବୋଲି ଭାବିବାର ଅର୍ଥ ତାଙ୍କୁ ତଥା ତାଙ୍କର ଧୋତି, ଚଦର ତଥା ଚଟିକୁ ଭୁଲ ଭାବରେ ବୁଝିବା ।

☆☆☆

 

-୬-

Unknown

ବଙ୍ଗଳା ଭାଷା ଓ ବଙ୍ଗଳା ସାହିତ୍ୟ

 

ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧଟିର ଆରମ୍ଭ ହେଉଥିବା ସମୟ, ଶ୍ରୀ ବିଦ୍ୟାସାଗରଙ୍କର ପରିପକ୍ଵ ଯୌବନ-ଅବସ୍ଥାର ସମୟ । ନିପଟ ଗାଆଁରେ ଜନ୍ମ । ବାଲ୍ୟଜୀବନ ରୂପକ ମୂଳଦୁଆଟି ମଧ୍ୟ ସେଇ ଗାଆଁରେ ପଡ଼ିଛି । ଆହୁରି ଅଧିକ ସଂଗତି ସହିତ ସେଇ ନିଜ ଗାଆଁଟିରେ । ନିଜ ମାଆଙ୍କର ସେହି ସ୍ନେହମୟ ସ୍ଵଭାବବିସ୍ତାରଟି ମଧ୍ୟରେ । ସେଇଠୁ ଜୀବନର ଦ୍ଵିତୀୟ ମାଇଲ୍‌ଷ୍ଟୋନ୍‌ଟି ପକାଇ ସେ କଲିକତାଯାଏ ଆସିଲେ ଏବଂ ନିଜର ମୂଳଦୁଆ ଉପରେ ଛିଡ଼ା ହୋଇ ଜଗତ୍‍ଦର୍ଶନର ଦ୍ଵିତୀୟ ପର୍ଯ୍ୟାୟଟିକୁ ଆରମ୍ଭ କରିଥିଲେ । କାହିଁ ମୋଟେ ହଟି ପଳାଇଲେ ନାହିଁ ତ । ଗାଆଁର ମୂଳଦୁଆଟି ତାଙ୍କୁ ସତକୁସତ କିପରି ସାହସିକତାପୂର୍ଣ୍ଣ ତଥା ସଦାଗ୍ରହଣଶୀଳପୂର୍ଣ୍ଣ ଏକ ଦୃଷ୍ଟିଗତ ସକାରାତ୍ମକତା ପ୍ରଦାନ କରିଥିଲା କେଜାଣି, ବିଦ୍ୟାସାଗରଙ୍କ ଅଧିକରୁ ଅଧିକ ହେତୁ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସତେଅବା ଏକ ସାଗର ହିଁ ପ୍ରତ୍ୟକ୍ଷ ହୋଇ ଆସୁଥିବା ପରି ଲାଗିଲା । କୁଶଳ ଓ ସନ୍ତରଣପଟୁ ହାତ ଏବଂ ଗୋଡ଼ ରହିଥିଲେ କିଏ କାହିଁକି ସମୁଦ୍ରକୁ ଭୟ କରିବ ? ଡେଣାମାନ ରହିଥିଲେ ଆକାଶଟାକୁ ଦେଖି କେହି ଆଦୌ କ'ଣ ପାଇଁ ଡରିବ ? ବିଦ୍ୟାସାଗର ବି ମୋଟେ ଡରିଯାଇ ନଥିଲେ । କଲିକତାରେ ବାପାଙ୍କର କଡ଼ା ଶାସନ ତଥା ଦୈନନ୍ଦିନ ଜୀବନନିର୍ବାହର ସର୍ବବିଧ କ୍ଳେଶ ମଧ୍ୟରେ ରହି ମଧ୍ୟ ସେ କେଡ଼େ ସପ୍ରତିଭ ଭାବରେ ସତକୁସତ ଗଠିତ ହୋଇ ଆସୁଥିଲେ । ତାଙ୍କ ଉପରେ ନ୍ୟସ୍ତ ହୋଇଥିବା ସକଳ ଦାୟିତ୍ଵକୁ ଏକ ପୂର୍ଣ୍ଣ ପ୍ରସନ୍ନ ଅଙ୍ଗୀକାରର ମୁଦ୍ରାରେ ଅବଶ୍ୟ ତୁଲାଉଥିଲେ, କିନ୍ତୁ ଗ୍ରହଣପାତ୍ରଗୁଡ଼ିକୁ ସତତ ହିଁ ସତେଅବା କେଉଁ ପ୍ରିୟ ଜୀବନବିଧାତାର ଉଦାର ପାତ୍ରଗୁଡ଼ିକ ଆଡ଼କୁ ପ୍ରସାରିତ କରି ରଖିଥିଲେ । ଗାଆଁ ବଡ଼ ସହଜ, ସହରଟା ବଡ଼ ନିର୍ମମ,–ଏକଥାକୁ ମର୍ମେ ମର୍ମେ ସିଏ ଅଙ୍ଗେ ନିଭାଉଥିଲେ ମଧ୍ୟ ତଥାପି ଏହି ନୂତନ ପରିବେଶଟି ପ୍ରତି କୌଣସି ପ୍ରକାରେ ସଙ୍କୋଚ ଦେଖାଉ ନଥିଲେ ।

 

ତାଙ୍କର ସମକାଳୀନ ଅନ୍ୟ ଯେଉଁ ମହାନ୍‌ ତଥା ବିଶେଷମାନଙ୍କର ନାମ ସେହି ସମୟର କଲିକତାର ଖାତାମାନଙ୍କରେ ଲେଖାହୋଇ ରହିଛି, ସେମାନେ ବସ୍ତୁତଃ କେହି ବିଦ୍ୟାସାଗରଙ୍କ ଭଳି ମୋଟେ ଭାଗ୍ୟବାନ୍‌ ନଥିଲେ । ସେମାନଙ୍କର ଅନେକଙ୍କର ଜନ୍ମ ବଙ୍ଗପ୍ରାନ୍ତର କୌଣସି ନା କୌଣସି ଗାଆଁରେ ହୁଏତ ହୋଇଥିଲା ସିନା, କିନ୍ତୁ ସେମାନେ କେଡ଼େ ଏକପାଖିଆ ଭାବରେ ଗାଆଁ ବସ୍ତାନିଟାକୁ ସେହି ଗାଆଁରେ ହିଁ ରଖିଦେଇ ଆସିଥିଲେ,–ସହରକୁ ଆସି ଯେଉଁସବୁ ନୂତନ ଜଗମୋହନର ସଂସ୍ରବ ଲାଭ କଲେ, ତାହାରିଦ୍ଵାରା ଭାରି ଆଖିବୁଜା ହେଲା ପରି ନୂଆଟି ମଧ୍ୟକୁ ଝାସ ଦେଇଥିଲେ । ନୂଆକୁ ଗ୍ରହଣ କରିବାକୁ ହେଲେ ପୁରୁଣା ସେହି ସବୁକିଛିକୁ ବର୍ଜନ କରିବାକୁ ହେବ ବୋଲି ନିଜ ଭିତରର ଗୋଟିଏ ଟକଳା ସେମାନଙ୍କୁ ଏକ କୁମନ୍ତ୍ରଣା ଦେଇ ଫାଶ ପକାଇ ରଖିବାକୁ ବାହାରିଲା କି ? ସେମାନେ ବି ପୁରୁଣାଟାରେ ସଂସ୍କାର ଆଣିବାପାଇଁ ନୂଆ ସାଞ୍ଜୁମାନ ପିନ୍ଧି ବାହାରିଥିଲେ । ମାତ୍ର, ଏହି ସବୁକିଛିରେ ସେମାନଙ୍କୁ ଏକ ସୁସ୍ଥପ୍ରତ୍ୟୟ ଦେବାଲାଗି ସେମାନଙ୍କ ଗୋଡ଼ତଳେ ସମ୍ଭବତଃ ମାଟି ବୋଲି ମୋଟେ ସେପରି କିଛି ନଥିଲା । ଶ୍ରୀଯୁକ୍ତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ହୁଏତ ଏକମାତ୍ର ଏପରି ଥିଲେ, ଯାହାଙ୍କ ଗୋଡ଼ତଳେ ଭୂଇଁଟିଏ ବି ରହିଥିଲା । କଲିକତାକୁ ଭରସା ଦେବାଲାଗି ବୀରସିଂହଟିଏ ଥଲା । ତେଣୁ ଆସି ଏତେ ଏତେ ଉଚ୍ଚାଟନ ସୃଷ୍ଟି କରିବାରେ ଲାଗିଥିବା ଏବଂ ଭୟଙ୍କର ଭାବରେ ଆପଣାକୁ ଏକମାତ୍ର ଗ୍ରହଣୀୟ ବୋଲି ଦାବି କରୁଥିବା ସେହି ନୂଆ ଚର୍ମାଭରଣଟିକୁ ଥିର ଦର୍ପଣଟିଏ ଯୋଗାଇ ଦେବାକୁ ଗୋଡ଼ତଳର ଦୃଢ଼ ପ୍ରତ୍ୟୟଟିଏ ରହିଥିଲା । ବିଦ୍ୟାସାଗର ସେଥିପାଇଁ ନୂଆର ସ୍ଵାଗତ ସିନା ଅବଶ୍ୟ କରି ପାରିଲେ, ମାତ୍ର ଖାସ୍‌ ସେଇଟିକୁ ହିଁ ଆଳ କରି ମାତି ଯାଇ ଆଦୌ ମତି ହରାଇ ନଥିଲେ ।

 

ଭାରି ତାତ୍ପର୍ଯ୍ୟପୂର୍ଣ୍ଣ କଥାଟିଏ ଯେ ବିଦ୍ୟାସାଗର ସଂସ୍କୃତ ଭାଷା ଓ ସାହିତ୍ୟରେ ଅଧିଗମିଥିବାରୁ ଆପଣାକୁ ଉଚିତ ଭାରସାମ୍ୟଗୁଡ଼ିକ ମଧ୍ୟରେ ତଥାପି କୌଣସି କୃପଣତା ନଦେଖାଇ ଇଉରୋପର ସକଳ ଆବେଦନ ତଥା ଆହ୍ଵାନମାନଙ୍କୁ ସ୍ଵାଗତ ଜଣାଇବା ନିମନ୍ତେ ସମର୍ଥ ହୋଇଥିଲେ । ପୁନଶ୍ଚ, ଆଉଗୋଟିଏ କଥାକୁ ତାଙ୍କର ପ୍ରକୃତରେ ଗୋଟିଏ ବିଶେଷ ସୌଭାଗ୍ୟ ବୋଲି ଜାଣିବାକୁ ହେବ ଯେ, ନିଜ ଗୁଣରେ ସେ ଏପରି କେତେଜଣ ଇଂରେଜଙ୍କର ସଂସର୍ଗ ପାଇଥିଲେ, ଯେଉଁମାନେ କି ବିଦ୍ୟାସାଗରଙ୍କ ମଧ୍ୟରେ ସତେଅବା କିଛି ନିଆରା ବିରଳତା ରହିଥିବାର ଅନୁଭବ କରି ତାଙ୍କୁ ଆପଣାର ଜଣେ ବନ୍ଧୁପରି ସ୍ଵୀକାର କରୁଥିଲେ, ତାଙ୍କୁ ସମ୍ମାନ ଦେଉଥିଲେ । ଏମାନେ ସମସ୍ତେ ଉଚ୍ଚ ପଦସ୍ଥ ଥିଲେ, ଶାସନର ଉଚ୍ଚ ଥାକମାନଙ୍କରେ ଆସୀନ ରହିଥିଲେ । ମାତ୍ର, ବିଦ୍ୟାସାଗରଙ୍କୁ ବନ୍ଧୁପରି, ସମାସ୍କନ୍ଧପରି ସମ୍ମାନ ପ୍ରଦାନ କରୁଥିଲା । ଶାସକ ଇଂଲଣ୍ଡ ଯଥାର୍ଥ ବିଦ୍ୟାଦ୍ଵାରା ଭୂଷିତ ଭାରତବର୍ଷକୁ ସମ୍ମାନ ପ୍ରଦାନ କରୁଥିଲା । ଶାସକ ପଟର ହୋଇଥାଅ ପଛକେ, ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଏପରି ଗୋଟିଏ ଲକ୍ଷଣଯୁକ୍ତ ସତେଅବା କ'ଣଟିଏ ରହିଥାଏ, ଯାହାର ସୁରାଖ ପାଇ ଦୁଇଟିଯାକ ପକ୍ଷ ହିଁ ତୁଚ୍ଛା ଏକ ମଣିଷର ପରିଚୟରେ ପରସ୍ପରକୁ ଯାଇ ଭେଟନ୍ତି ଏବଂ ସ୍ଵୀକାର କରି ନିଅନ୍ତି । ବିଦ୍ୟାସାଗରଙ୍କ ମଧ୍ୟରେ ଜଣେ ଭାରତୀୟ ହିସାବରେ ଅଭିମାନ ସର୍ବଦା ରହିଥିଲା ସିନା, ତଥାପି କୌଣସି ହୀନମନ୍ୟତା ମଧ୍ୟ ନଥିଲା, କୌଣସି ଉଗ୍ରମନ୍ୟତା ନଥିଲା । କାହାକୁ ତାତ୍କାଳିକ ଏକ ପ୍ରୟୋଜନରେ ପଡ଼ି ଅନୁକରଣ କରିବାର କୌଣସି ଅତ୍ୟୁତ୍ସାହ ମଧ୍ୟ ନଥିଲା । ଭାରତବର୍ଷର ସେହି ଦୁଇ ପକ୍ଷର ନାନା ଭେଟାଭେଟି ହୋଇଥିବା ଏହି କାଳଟିକୁ ଯେ କେଡ଼େ ଖୁସୀ ହୋଇ ରେନେସାନ୍ ବୋଲି କୁହାଯାଏ, ତାହା ପଛରେ ପ୍ରକୃତରେ ସେହି ଅନ୍ୟଭଳି ଇଂରେଜ ଏବଂ ବିଦ୍ୟାସାଗରଙ୍କ ଭଳି ଭାରତୀୟଙ୍କର ହିଁ ନିଶ୍ଚିତ ଭାବରେ ସର୍ବାଧି‌କ ଅବଦାନ ରହିଛି । ଗୋଟାଏ ପାଖରେ କେବଳ ଶାସନ କରିବାକୁ ଆସିଥିବା ଇଂରେଜ ତଥା ନାନା ରକ୍ଷଣଶୀଳତା ମଧ୍ୟରେ ଅମଙ୍ଗ ହୋଇ ନିଜକୁ ସେହି ନୂଆ ହାୱାଟି ପ୍ରତି ଅସ୍ପୃଶ୍ୟପ୍ରାୟ ହୋଇ ରହିଥିବା ବହୁସଂଖ୍ୟକ ବ୍ୟକ୍ତି ଓ ଅନୁଷ୍ଠାନ ହୁଏତ ପ୍ରଧାନତଃ ବରଂ ଏପରି ବା ସେପରି ଗୋଟିଏ ଗୋଟିଏ ଅନ୍ତରାୟ ହୋଇ ଠିଆ ହୋଇଥିବାର କିଛି ଭୂମିକା ରହିଛି ।

 

ଭାରତବର୍ଷର ତରଫରେ ଥିବା ଆମେ ସବାଆଗ ଏହି କଥାଟିକୁ ଅବଶ୍ୟ ମନେ ରଖିବା ଯେ ଆମ ପ୍ରାଚୀନ ଆଚାରଶାସ୍ତ୍ରଗୁଡ଼ିକର ପରାମର୍ଶ ଅନୁସାରେ ଜଳଯାତ୍ରାର ସର୍ବବିଧ ଦୁଃସାହସକୁ ନିଷିଦ୍ଧ କରି ରଖାଯାଇଥିଲା । ଏହି ସମୁଦ୍ରଗୁଡ଼ାକର ଅପର ପଟରେ ଯେଉଁମାନେ ବାସ କରୁଥିବେ ବୋଲି ଆମ ମତିମାନ୍‌ମାନେ କଳ୍ପନା କରୁଥିଲେ, ସେମାନେ ଶ୍ଵାପଦବତ୍‌ ନହୋଇଥିଲେ ମଧ୍ୟ ତଥାପି ଯେ ନିତାନ୍ତ ଅଶୁଦ୍ଧ ହୋଇଥିବେ, ଆମ ଶୁଦ୍ଧମାନଙ୍କର ସଂସ୍ରବରେ ଆସିବାର ଯୋଗ୍ୟ ହୋଇନଥିବେ, ଆମ ଧୀମାନ୍‌ମାନଙ୍କର ସେବିଷୟରେ ଆଦୌ କୌଣସି ସଂଶୟ ହିଁ ସେତେବେଳେ ନଥିବ । ଏହିପରି ଏକ ସୁଖବିସ୍ମରଣର ଚଳନ୍ତି ପରମ୍ପରାରେ ସେପାଖରୁ ଶ୍ଵେତଚର୍ମଧାରଣ କରିଥିବା ସେମାନେ ଯେତେବେଳେ ଆପେ ଆସି ପହଞ୍ଚିଗଲେ, ସେତେବେଳେ ତ ଆମ ଏଦେଶୀୟ ସଂସ୍କୃତିର ସନାତନ ମଞ୍ଜଟା ହିଁ ସତକୁସତ ଶିହରି ହିଁ ଉଠିଥିବ । ମାତ୍ର, ଦଇବର ନିର୍ଦ୍ଧାରଣଟା ପୁଣି ଏପରି ରହସ୍ୟଜଡ଼ିତ ଯେ, ସେମାନେ ଏହି ଦେଶଟିକୁ ଚୁରୁଳା ଚୁରୁଳା କରି ଯୁଦ୍ଧରେ ଜୟଦ୍ଵାରା ଆମର ଶାସକ ହୋଇ ବସିଥିଲେ । ତେଣୁ, ଆଉ ସେମାନଙ୍କୁ ହଟାଇ ଦେବାର କିମ୍ବା ସେମାନଙ୍କର ମୁଖଦର୍ଶନ ନକରିବାର କୌଣସି ଅବକାଶ ନଥିବ । ବଡ଼ ମର୍ମୁନ୍ତୁଦ ସମୟଟାଏ ଅବଶ୍ୟ ହୋଇଥିବ । ତେଣୁ ଭେଟାଭେଟିମାନେ ଆରମ୍ଭ ହୋଇଗଲେ ଏବଂ ଆଗର ସ୍ପର୍ଶକାତରତାଗୁଡ଼ିକ ହୁଏତ କ୍ରମେ ସେମାନଙ୍କୁ ଅଧିକ ନିକଟ କରି ଜାଣିବାର ଆଗ୍ରହରେ ଠାଏ ଠାଏ ଅବଶ୍ୟ ପରିବର୍ତ୍ତିତ କରି ଆଣିଥିବ । ମ୍ଳେଚ୍ଛମାନଙ୍କ ଭିତରେ ମଣିଷଟିଏ ଅଛି, ତା'ର ମଧ୍ୟ ନାନା ସାଂସ୍କୃତିକ ଅଭିବ୍ୟକ୍ତିଗତ ଐତିହ୍ୟମାନ ରହିଛି, ପ୍ରକୃତରେ ଯୁଗଯୁଗରୁ ରହିଛି,–ପ୍ରୟାସମାନ, ପତନ ଏବଂ ଅଭ୍ୟୁଦୟର ଭଳି ଭଳି ବନ୍ଧୁର ପନ୍ଥାମାନ ରହିଛି । ଗ୍ରହଣୀୟ ମଧ୍ୟ ଢେରକିଛି ରହିଛି । ଆମ ଭାରତବର୍ଷରେ ମଧ୍ୟ ସେହିଭଳି ଗ୍ରହଣୀୟ ଢେରକିଛି ରହିଛି ବୋଲି ସେପଟର ଚିହ୍ନରାମାନେ ଘ୍ରାଣ କରିବାକୁ ଆଗମ୍ଭ କରିଥିବେ । ତେଣୁ, ଶାସକ ଓ ଶାସିତର ସେହି ଖାସ୍‌ ସମ୍ବଳମାନଙ୍କ ସତ୍ତ୍ଵେ ମଣିଷ ମଣିଷ ଭିତରେ ଏକ ଆନନ୍ଦଦାୟକ ସମ୍ପର୍କ ଉକୁ ହୋଇ ଆସିଥିଲା । ଭାରତବର୍ଷରେ କେତେ ଖୁସୀ ହୋଇ ଆମେ ସେହି ପର୍ଯ୍ୟାୟକୁ ରେନେସାନ୍ ବୋଲି କହିବା ପାଇଁ ରାଜି ବି ହୋଇଯାଇଛୁ । ବେଶ୍‌ ଫରଚା ବି ଅନୁଭବ କରୁଛୁ ।

 

କଲିକତା ସେତେବେଳେ ସେହି ନୂଆ ସଂସ୍ପର୍ଶଟିର କେନ୍ଦ୍ରରେ ପରିଣତ ହୋଇଥିଲା । ସାହିତ୍ୟର କ୍ଷେତ୍ରରେ ବିଶେଷ କରି କଲିକତାର ଇଉରୋପ ସହିତ ଯେଉଁ ପରିଚୟଟି ଘଟିଲା, ତାହା ସତେଅବା ଏକ ଶକ୍ତିଶାଳୀ ଏକପଟିଆ ସଂକ୍ରମଣରୂପେ ସେତେବେଳେ ଆଖିଥିବା ସମସ୍ତଙ୍କୁ ବିପୁଳ ଭାବରେ ହିଁ ଆଲୋଡ଼ିତ କରି ଦେଇଥିଲା । ସତେଅବା ଗୋଟାଏ ନୂଆ ସିନ୍ଦୁରା ଫାଟୁଥିବା ପରି ଅନୁଭବ ହେଲା । ବସ୍ତୁତଃ, ଭାରତବର୍ଷର ଏକ ଦୀର୍ଘ ଓ ପ୍ରାଚୀନ ସାହିତ୍ୟ-ପରମ୍ପରା ରହିଥିଲା-। ଏବଂ, ସେଥିରେ ଯାବତୀୟ ବିଚାରରେ ସଂସ୍କୃତ ହିଁ ଅଧୀଶ୍ଵର ହୋଇ ବସିଥିଲା । ଲୋକମାନେ ସତେଅବା ସେହି ବ୍ୟୂହର ବାହାରେ ନିତାନ୍ତ ଏକ ଅବର୍ଗ ସଦୃଶ ରହିଥିଲେ । ମଧ୍ୟଯୁଗରେ ସନ୍ଥ ତଥା ସ୍ଵଭାବକବିମାନେ ଲୋକଭାଷାରେ ତଥାପି କିଛି ଖୁଡ଼ୁରୁଖାଡ଼ର କରିଥିଲେ ସିନା, କିନ୍ତୁ ସେମାନଙ୍କୁ ତଥାପି ଅସଲ ସାହିତ୍ୟର ଗଣନା ମଧ୍ୟକୁ ପ୍ରବେଶାଧିକାର ପ୍ରାପ୍ତ ହୋଇ ନଥିଲା-। ସିଧା ଏହି ଅପନ୍ତରା ଭିତରେ କେତେ କ'ଣ ଅଭିନବତାର ଦୃଷ୍ଟାନ୍ତ ବହନ କରି ଅଚିରେ ଜଣାଯାଇଥିଲା ଯେ, ସେତେବେଳକୁ ଇଂଲଣ୍ଡରେ ଖାଲି କାବ୍ୟ ଓ କବିତାମାନେ ନୁହନ୍ତି, ଗଳ୍ପ ଉପନ୍ୟାସ, ପ୍ରବନ୍ଧ ତଥା ଆହୁରି କେତେ କ'ଣ ସାହସିକତାର ଭୂମିପ୍ରୟୋଗମାନ ହୋଇ ସାରିଲାଣି । ଅବଶ୍ୟ ପ୍ରଶ୍ନମାନ ପ୍ରାୟ ଏକ ସୃଜନାତ୍ମକ ଅସନ୍ତୋଷର ମନୋଭୂମି ସୃଷ୍ଟି କରି ସେତେବେଳେ ସଂକ୍ରାମିତମାନଙ୍କୁ ଆନ୍ଦୋଳିତ କରି ଦେଇଥିବ ଯେ, ଭାରତବର୍ଷର ଏହି କ୍ଷେତ୍ରରେ କ'ଣ କିଏ କେଉଁଠି ଅନ୍ତରାୟ ହୋଇ ଏପରି ଛିଡ଼ା ହେଲା ଯେ, ଏଠାରେ ଆମ ସାହିତ୍ୟ ଗୋଟିଏ ଆବଦ୍ଧ ଜଳାଶୟ ହୋଇ ରହିଗଲା ! କେବଳ ସାହିତ୍ୟରେ ନୁହେଁ, ସଂଗୀତରେ, କଳାରେ, ନୃତ୍ୟରେ, ପ୍ରାୟ ସକଳ କ୍ଷେତ୍ରରେ । ଭାରତରେ ପ୍ରାୟ ଏକ ବିଶେଷ ଅପଚକ୍ରାନ୍ତ ହେତୁ ଆଧ୍ୟାତ୍ମ ଏବଂ ସମାଜକୁ ନେଇ ଯାବତୀୟ ନୀତି-ଉପଦେଶ ପରସ୍ପରଠାରୁ ଅଲଗା ହୋଇ ରହିଥିଲା ପରି ସାହିତ୍ୟରେ ମଧ୍ୟ କବିର କଳ୍ପନାବିହାରମାନଙ୍କରୁ ଲୋକଗଣଙ୍କର ପ୍ରତ୍ୟକ୍ଷ ଜୀବନଟା ମଧ୍ୟ ବାସନ୍ଦ ହୋଇ ରହିଥିଲା-

 

ଏବଂ, ଭାଷାଟାର ମଧ୍ୟ କି ଦୁଃଖଦ ଦଶା ହୋଇନଥିଲା ! ସଂସ୍କୃତ ଭାଷାକୁ ତଥାପି ସକଳ ବ୍ୟାବହାରିକ ଅର୍ଥରେ ଗୀର୍ବାଣ ଭାଷା ଭଳି ଦେଖା ଯାଉଥିଲା, ଏବଂ ଲିଖିତ ସାହିତ୍ୟିକ ଭାଷାରେ ମଧ୍ୟ ସମ୍ଭବତଃ ସେଇଟିକୁ ସମ୍ମାନ ଦେଇ ସାଧୁଭାଷାର ନିଷ୍ଠାପର ବ୍ୟବହାର ହେଉଥିଲା-। ତତ୍‌ସମ, ତଦ୍‌ଭବ ଶବ୍ଦଗୁଡ଼ାକ ଲୋକମୁଖରେ ଆଦୌ ଚଳୁନଥିଲେ ମଧ୍ୟ ତଥାପି ସନ୍ଧି ତଥା ସମାସବାକ୍ୟ ମାନଙ୍କ ଦ୍ଵାରା କେତେ ଚାତୁର୍ଯ୍ୟର ସହିତ ଗଣ୍ଠିଗଣ୍ଠି ହୋଇ ରହିଥିଲେ-। କାହିଁ, ଇଂରାଜମାନଙ୍କର ଭାଷାରେ ତ ସେପରି କୌଣସି ସାଧୁ ତଥା ଅସାଧୁର ଅସାଧୁ ବିଭାଜନ ଦେଖିବାକୁ ମିଳିଲା ନାହିଁ । ଅର୍ଥାତ୍‌ ଯଦି ଯାବତୀୟ ଉଚିତ ସାହିତ୍ୟରେ ଭାଷାକୁ ଏକ ଅତ୍ୟାବଶ୍ୟକ ମୂଳଦୁଆ ଭାବରେ ଗ୍ରହଣ କରିବାକୁ ହେବ, ତେବେ ସର୍ବବିଧ ପ୍ରାସଙ୍ଗିକତା ସହିତ ସେହି ଭାଷାକୁ ହିଁ ଘଷି ମାଜି ଯଥାସମ୍ଭବ ଅଧିକ ସ୍ଥିତିସ୍ଥାପକ କରି ଗୋଟିଏ ଅନୁକୂଳ ମୂଳଦୁଆ ହିଁ ତିଆରି କରିବାକୁ ହେବ, ଯାହା ଉପରେ ଯଥାର୍ଥ ଲୋକାବେଦନ ସହିତ ଆଦୌ କୌଣସି ସାହିତ୍ୟ ସମ୍ଭବ କରାଯାଇ ପାରିବ । ଏବଂ, ତେଣୁ ପଣ୍ଡିତମାନଙ୍କର ଏକଚାଟିଆପଣଗୁଡ଼ିକୁ ଏକାବେଳେକେ ଏକ ଅନ୍ୟ ଶ୍ରଦ୍ଧାଦ୍ଵାରା ପ୍ରେରିତ ହୋଇ ଭାଙ୍ଗିଦେବାକୁ ପଡ଼ିବ । ହଠାତ୍ ପ୍ରାୟ ଏକ ବିଡ଼ମ୍ବନା ଭଳି ଲାଗିବ ଯେ ପଣ୍ଡିତ ବିଦ୍ୟାସାଗର ଏହି ପ୍ରୟାସଟିରେ ପ୍ରାୟ ସଭିଙ୍କଠାରୁ ଅଧିକ ସମର୍ଥତାର ପରିଚୟ ଦେଇଥିଲେ । ସିଏ ସଂସ୍କୃତ କଲେଜର ଅଧ୍ୟକ୍ଷ ଥିଲେ, ବହୁ ଦୂରରେ ଅବସ୍ଥିତ ତାଙ୍କ ଗାଆଁ ବୀରସିଂହରୁ ଏହି କଲିକତା ନଗରୀକୁ ଆସିଥିଲେ । ଆପଣା ପ୍ରଚେଷ୍ଟାରେ ଇଂରାଜୀଭାଷାକୁ କେବଳ ଶିଖି ନଥିଲେ, ସେଥିରେ ସକଳ ପ୍ରବୀଣତା ଅର୍ଜନ କରିଥିଲେ । ତେଣୁ, ଏହି ନୂତନ ଅଭିକ୍ରମଟିରେ ସିଏ ସତେଅବା ସଂପୃକ୍ତ ସମସ୍ତଙ୍କର ଆଗରେ ହିଁ ରହିଲେ, ପଥପ୍ରଦର୍ଶକ ହେଲେ-। ଅନ୍ୟମାନେ ଏଥିରେ ତାଙ୍କୁ ସ୍ଵୀକାର ମଧ୍ୟ କରି ନେଇଥିଲେ । ସୁପ୍ରଖ୍ୟାତ ଭାଷା-ଆଲୋଚକ ସୁନୀତି କୁମାର ଚଟ୍ଟୋପାଧ୍ୟାୟ ବଙ୍ଗଭାଷାକୁ ହିଁ ବିଦ୍ୟାସାଗରଙ୍କର ପ୍ରଧାନ କୀର୍ତ୍ତି ବୋଲି ଘୋଷଣା କରିଛନ୍ତି । ଏହି ମନ୍ତବ୍ୟଟିକୁ ତାଙ୍କରି ଭାଷାରେ ଅଧିକ ବିସ୍ତାରିତ କରି କହିଲେ :

 

“ବଙ୍ଗଳା ଗଦ୍ୟରେ ପ୍ରତିଭାର ପ୍ରଥମ ସ୍ଫୁରଣ ହେଉଛନ୍ତି ବିଦ୍ୟାସାଗର । ବିଭିନ୍ନ ବଙ୍ଗଳା ଗଦ୍ୟର ପରସ୍ପର ସମାବେଶଦ୍ଵାରା ଅଭିଧାନମାନଙ୍କରେ ରହିଥିବା ଅର୍ଥଗୁଡ଼ିକ ବ୍ୟତୀତ ମଧ୍ୟ ଯେ ବ୍ୟବହୃତ ଶବ୍ଦଗୁଡ଼ିକଦ୍ଵାରା ଆଉ ଏକ ଅବର୍ଣ୍ଣନୀୟ ରସର ସୃଷ୍ଟି କରାଯାଇ ପାରିବ, ସେଇ ସର୍ବପ୍ରଥମ କରି ସେହି ସତ୍ୟଟିକୁ ନିଜେ ଅନୁଭବ କରିଥିଲେ ଏବଂ ଆପଣାର ଲେଖାଗୁଡ଼ିକର ମାଧ୍ୟମରେ ସେଇଟିର ସମ୍ଭାବନାକୁ ଦେଶବାସୀଙ୍କୁ ଦେଖାଇଦେଇ ପାରିଥିଲେ ଏବଂ ତାହାରି ଫଳରେ ପରବର୍ତ୍ତୀ କାଳରେ ବଙ୍କିମଚନ୍ଦ୍ର ଓ ରବୀନ୍ଦ୍ରନାଥଙ୍କର ଆବିର୍ଭାବ ସମ୍ଭବ ହୋଇ ପାରିଲା । ପୁନଶ୍ଚ, ଭାଷାର କ୍ଷେତ୍ରରେ ବିଦ୍ୟାସାଗର କେବେହେଲେ ଗତାନୁଗତିକ ଅଥବା ପ୍ରାଚୀନପନ୍ଥୀ ହୋଇ ରହିନଥିଲେ । ଏହି ସନ୍ଦର୍ଭରେ ତାଙ୍କୁ ପ୍ରଗତିଶୀଳ ବୋଲି କହିବା ବରଂ ଉଚିତ ବୋଲି ମନେ ହେଉଛି । ସମୟ ତଥା ଶିକ୍ଷାପ୍ରସାରର ଅଗ୍ରଗତି ସଙ୍ଗେ ସଙ୍ଗେ ସେ ସୁଯୋଗ ପାଇବା ମାତ୍ରକେ ହିଁ ଭାଷାରେ ପରିବର୍ତ୍ତନ ଆଣୁଥିଲେ, ପରିମାର୍ଜନ ମଧ୍ୟ କରୁଥିଲେ । ତାଙ୍କର ଜୀବଦ୍ଦଶାରେ ହିଁ ତାଙ୍କଦ୍ଵାରା ଲିଖିତ ପୁସ୍ତକଗୁଡ଼ିକ ମଧ୍ୟରେ ପ୍ରାୟ ପ୍ରତ୍ୟେକଟିର ଏକାଧିକ ସଂସ୍କରଣ ପ୍ରକାଶ ପାଇଥିଲା । ଏବଂ, ପ୍ରତ୍ୟେକ ସଂସ୍କରଣରେ ସେ ସର୍ବଦା କିଛି କିଛି ଭାଷାଗତ ପରିବର୍ତ୍ତନ କରାଇବାରେ ମନୋଯୋଗ ଦେଇଥିଲେ । ଏବଂ ପରିଶେଷରେ, ଗଦ୍ୟ-ରଚନାର ଛନ୍ଦ ସମ୍ପର୍କରେ ସେଇ ବିଦ୍ୟାସାଗର ହିଁ ପ୍ରଥମ ଦ୍ରଷ୍ଟା ତଥା ସ୍ରଷ୍ଟାର ଭୂମିକା ଗ୍ରହଣ କରିଥିଲେ । ଗଦ୍ୟପାଠ ସମୟରେ ଧ୍ଵନିଗତ ସାମଞ୍ଜସ୍ୟ ହେତୁ ଯେ ପାଠକ ତଥା ଶ୍ରୋତା ଉଭୟେ ଆନନ୍ଦ ଲାଭ କରି ପାରିବେ, ସେହି ସୁକ୍ଷ୍ମ ଅନୁଭୂତିଟି ତାଙ୍କଠାରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ରହିଥିଲା–ଯେତେବେଳେ ବଙ୍ଗଳା ଭାଷାର ଏକ ସ୍ଵକୀୟ ପ୍ରବୃତ୍ତି ରହିଛି ବୋଲି ହୁଏତ କେହି ଚିନ୍ତା ମଧ୍ୟ କରିନଥିଲେ, ସେହି ଅନ୍ଧକାରର ଯୁଗରେ ବିଦ୍ୟାସାଗରଙ୍କର ବହୁ ବିଧିବଦ୍ଧ ଚିନ୍ତାକୁ ବଙ୍ଗଳା ଭାଷାର ଗବେଷଣାରେ ପ୍ରାୟ ସର୍ବପ୍ରଥମେ ଯେଉଁମାନେ ଗବେଷଣା କରିବାପାଇଁ ଆଗ୍ରହୀ ହୋଇଥିଲେ, ସେମାନେ ସମସ୍ତେ ସେଥିରେ ଅତୀବ ବିସ୍ମୟ ପ୍ରକାଶ ହିଁ କରିଥିଲେ । ସେହି ପରୀକ୍ଷାରେ ଯେ ବିଦ୍ୟାସାଗର ଅବଶ୍ୟ ସଫଳତା ଲାଭ କରିଥିଲେ, ତାହାର ଏକ ବାସ୍ତବ ପ୍ରମାଣ ହେଉଛି ଯେ, ସେହି ଅନ୍ତର୍ନିହିତ ଛନ୍ଦସୃଷ୍ଟିଟି ସକାଶେ ହିଁ ସେହି ସମୟର ଅଗଣିତ ପୁସ୍ତକଗୁଡ଼ିକ ମଧ୍ୟରେ ତାଙ୍କଦ୍ଵାରା ଲିଖିତ ରଚନାଗୁଡ଼ିକର ହିଁ ବଙ୍ଗସାହିତ୍ୟରେ ଏକ ସ୍ଥାୟୀ ସ୍ଥାନ ଅଧିକାର କରି ରହିପାରିଲା ।”

 

ଶ୍ରୀଯୁକ୍ତ ଚାଟାର୍ଜୀଙ୍କର ଏହି ସୁଦୀର୍ଘ ଉକ୍ତିଟି ପରେ ରବୀନ୍ଦ୍ରନାଥ ଏକଦା ବ୍ୟକ୍ତ କରିଥିବା ନିମ୍ନୋକ୍ତ କେତୋଟି ବାକ୍ୟ ସହିତ ଆମେ ଈଶ୍ଵରଚନ୍ଦ୍ରଙ୍କର ବଙ୍ଗଳା ଭାଷାକୁ ଅବଦାନ-ବିଷୟକ ସନ୍ଦର୍ଭଟିକୁ ଶେଷ କରିବା । ପ୍ରଥମେ, ଏକ ସାରାଂଶରୂପେ, ସଂକ୍ଷେପରେ ସ୍ମରଣ ରହିବା ଭଳି,–ବଙ୍ଗଳା ଗଦ୍ୟରେ କମା ଏବଂ ସେମିକଲୋନ୍‌ ଇତ୍ୟାଦିର ପ୍ରଚଳନ, ଏବଂ ବଙ୍ଗଳା ଗଦ୍ୟରେ ଛନ୍ଦର ସୃଷ୍ଟି । “ବିଦ୍ୟାସାଗର ବଙ୍ଗଳା ଭାଷାର ପ୍ରଥମ ଯଥାର୍ଥ ଶିଳ୍ପୀ ଥିଲେ । ତାଙ୍କ ପୂର୍ବରୁ ବଙ୍ଗଳା ଗଦ୍ୟସାହିତ୍ୟର କିଞ୍ଚିତ୍‌ ସୂଚନା ହିଁ ମିଳିଥଲା ସିନା, କିନ୍ତୁ ବିଦ୍ୟାସାଗର ହିଁ ସର୍ବପ୍ରଥମେ ବଙ୍ଗଳା ଗଦ୍ୟରେ କଳାନୈପୁଣ୍ୟର ଅବତାରଣା କରାଇଥିଲେ ।” ନିଜର ଗଦ୍ୟଭାଷାରେ ସ୍ଵକୀୟ ଗୋଟିଏ ଶୈଳୀର ବିବର୍ତ୍ତନ କରାଇ ଆଣିବାରେ ରବୀନ୍ଦ୍ରନାଥ ବିଦ୍ୟାସାଗରଙ୍କ ପାଖରେ ଆପଣାକୁ ଋଣୀ ବୋଲି ମଧ୍ୟ ସ୍ଵୀକାର କରିଛନ୍ତି । ଆଉଗୋଟିଏ ଉଦ୍ଧୃତି ଅନୁସାରେ: ବିଦ୍ୟାସାଗର ଗଦ୍ୟଭାଷାରେ ଯେଉଁ ରୀତିଟିର ପ୍ରବର୍ତ୍ତନ କରିଛନ୍ତି, ଗଢ଼ଣଛାଞ୍ଚଟି ହିଁ ବଙ୍ଗଳାଭାଷାରେ ଯାବତୀୟ ସାହିତ୍ୟରଚନା ଲାଗି ଏକ ନିର୍ଭରଯୋଗ୍ୟ ଭୂମିର ନିର୍ମାଣ କରିପାରିଛି । ତାଙ୍କର ସମସାମୟିକ ଆଉ କେତେଜଣ ନିଜନିଜର ଯେଉଁ ଗଦ୍ୟଶୈଳୀର ଯେଉଁ ଦୃଷ୍ଟାନ୍ତମାନ ଦେଖାଇଥିଲେ, ସେମାନଙ୍କୁ ଅନୁସରଣ କରି ସେମାନଙ୍କ ପରେ କିଛି କିଛି ଗଦ୍ୟର ରଚନା ଅବଶ୍ୟ ହୋଇଛି, କିନ୍ତୁ ସେଗୁଡ଼ିକ ବେଶୀଦିନ ଆଦୌ ତିଷ୍ଠି ପାରିନାହାନ୍ତି । ସେହି ଶୈଳୀମାନଙ୍କୁ ଆଉ କେହି ବ୍ୟବହାର କରୁନାହାନ୍ତି । ମାତ୍ର, ବିଦ୍ୟାସାଗର ଜଣେ ପୁରୋଗାମୀ ରୂପେ ଯେଉଁ ସାରଣୀଟିକୁ ଏକଦା ଦେଖାଇ ଯାଇଛନ୍ତି ତାହା ଏପର୍ଯ୍ୟନ୍ତ ମଧ୍ୟ ଅନେକ ଲେଖକଙ୍କ ଲାଗି ଅନୁକରଣୀୟ ହୋଇ ରହିଛି ଏବଂ ପ୍ରେରଣାର ଉତ୍ସରୂପେ କାର୍ଯ୍ୟ କରୁଛି ।... ବଙ୍ଗସାହିତ୍ୟରେ ମୋ'ର ଏକ ସ୍ଵତନ୍ତ୍ର ଅବଦାନ ରହିଛି ବୋଲି ଦେଶବାସୀ ଯଦି ସ୍ଵୀକାର କରୁଥାନ୍ତି, ତେବେ ମୁଁ ସର୍ବଦା ହିଁ ଅବଶ୍ୟ ସ୍ଵୀକାର କରିବି ଯେ, ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ହିଁ ମୋ' ଭିତରେ ସେହି ଦ୍ଵାରଟିର ଉଦ୍‌ଘାଟନ କରାଇଛନ୍ତି ।

 

ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ସଂସ୍କୃତ, ବଙ୍ଗଳା, ଇଂରାଜୀ ଓ ହିନ୍ଦି ଏହି ଚାରି ଭାଷାରେ ପ୍ରବୀଣ ଥିଲେ । କେବଳ ଛାତ୍ରାବସ୍ଥାରେ ବାଧ୍ୟ ହୋଇ ଯେ ସିଏ କେତୋଟି ଭାଷାକୁ ଉଦରସ୍ଥ କରିଥିଲେ, ସେକଥା ଆଦୌ ନୁହେଁ । ଭାଷାର ଲୋକାୟତ ଦିଗଟି ମଧ୍ୟ ତାଙ୍କର ସର୍ବଦା ଏକ ବୃହତ୍‌ ଆଗ୍ରହର କ୍ଷେତ୍ର ହୋଇ ରହିଥିଲା । ବଙ୍ଗନାମକ ତାଙ୍କର ନିଜ ଭୂମିଟି ବହୁକାଳରୁ ମୁସଲମାନମାନଙ୍କର ଶାସନାଧୀନ ହୋଇ ରହିଥିଲା । ତେଣୁ ରାଜଭାଷା ଉର୍ଦ୍ଦୁ ମଧ୍ୟ ତାଙ୍କ ପାଇଁ ଆଦୌ ଏକ ଅପରିଜ୍ଞାତ ଆଉ କ'ଣଟାଏ ପରି ହୋଇ ରହିନଥିବ । ପୁନଶ୍ଚ, ରାଢ଼ ମଣ୍ଡଳର ତାଙ୍କ ଜନ୍ମସ୍ଥାନ ବୀରସିଂହ ଗ୍ରାମରେ ପ୍ରଚଳିତ ଲୋକମୁଖର ଭାଷାଟିରେ ବଙ୍ଗଳା ଓ ଓଡ଼ିଆ ଦୁଇଟିଯାକ ରସାତ୍ମକତା ଏପରି ଓତଃପ୍ରୋତ ଭାବରେ ମିଶ୍ରିତ ହୋଇ ରହିଥିବ ଯେ, ଗ୍ରାମବାସୀ ପ୍ରାୟ ଅନ୍ୟ ସକଳଙ୍କ ପରି ବିଦ୍ୟାସାଗର ମଧ୍ୟ ସେହି ସହଜ ଶୈଶବଟିର କାଳରୁ ହିଁ ନିଶ୍ଚୟ ଦ୍ଵିଭାଷୀ ହୋଇ ବଢ଼ିଥିବେ । ତେଣୁ ଖୁବ୍‌ କୁହାଯାଇ କାହିଁକି ନପାରିବ ଯେ, ତାଙ୍କର ଭାଷା ଯେ ଡେଣା ପରେ ଡେଣା ଇଗାଇ ଏକ ସହଜ ବିବର୍ତ୍ତନରେ ସମସାମୟିକ ଅନ୍ୟ ଲେଖକଙ୍କର ତୁଳନାରେ ନିତାନ୍ତ ଅନ୍ୟଭଳି ହେଲା, ସମ୍ପୂର୍ଣ୍ଣ ପ୍ରକାରେ ବାରିହୋଇ ପଡ଼ିଲା ଏବଂ ଏକ ସାହିତ୍ୟିକ ସମଗ୍ର ରସାଳତାକୁ ବହନ କରି ସଂପୃକ୍ତ ମହଲଗୁଡ଼ିକର ଦୃଷ୍ଟି ଆକର୍ଷଣ କରିପାରିଲା, ସେଥିଲାଗି ସେହି ବିଶେଷ ଭିତ୍ତିଭୂମିଟିକୁ ବିଶେଷ ବାହାଦୁରି ଦେବାକୁ ପଡ଼ିବ । ବିଦ୍ୟାସାଗର ଖାଲି ସହରର ନଥିଲେ ବା ଖାଲି ଗ୍ରାମର ନଥିଲେ, ଖାଲି ସେକାଳର ନଥିଲେ କିମ୍ବା ଖାଲି ତାଙ୍କ ଚତୁର୍ଦ୍ଦିଗରେ ରାଜତ୍ଵ କରୁଥିବା ନବ୍ୟବିଳାସୀ କାଳଟିର କବଳ ଭିତରେ ପଡ଼ିଯାଇ ନଥିଲେ । ସେହି କାରଣରୁ ବ୍ୟକ୍ତିଟିଏ ଏପରି ଅନନ୍ୟ ଆକର୍ଷଣରେ ଆପଣାକୁ ଆକର୍ଷିତ କରି ନେଇ ପାରିଲା, ସେହି ଅନୁସାରେ ଭାଷା ଏପରି ଅନନ୍ୟ ମଧ୍ୟ ହେଲା, ଏବଂ ସେହି ଅନୁସାରେ ବି ସାହିତ୍ୟଟିଏ ।

 

ତିରୋଧାନ ପୂର୍ବରୁ ଶ୍ରୀଯୁକ୍ତ ବିଦ୍ୟାସାଗର ଯେଉଁ ଉତ୍ତରାଧିକାର–ସମ୍ପର୍କୀୟ ଉଇଲ୍‌ ବା ଚୁକ୍ତିପତ୍ରଟି ବିଧିବଦ୍ଧ ଭାବରେ ଲେଖିଦେଇ ଯାଇଥିଲେ, ସେଥିରୁ ଆମକୁ ତାଙ୍କ ରଚିତ ପୁସ୍ତକଗୁଡ଼ିକର ସମ୍ପୂର୍ଣ୍ଣ ତାଲିକାଟିଏ ମିଳିଯାଇ ପାରିବ । ଏଥିରେ ଅନ୍ତର୍ଭୁକ୍ତ କରା ହୋଇଛି ବଙ୍ଗଳା ପୁସ୍ତକ ୧୫ ଖଣ୍ଡ, ସଂସ୍କୃତ ପୁସ୍ତକ ଛଅ ଖଣ୍ଡ ଏବଂ ଇଂରାଜୀ ଭାଷାର ପୁସ୍ତକ ଦୁଇଖଣ୍ଡ । ସେହି ଦୁଇଖଣ୍ଡ ହେଉଛି : Poetical Selection ଏବଂ Selection from Glodsmith; ସଂସ୍କୃତ ଭାଷାରେ ଲିଖିତ ପୁସ୍ତକମାନେ ହେଲେ: ଉପକ୍ରମଣିକା, ବ୍ୟାକରଣ କୌମୁଦୀ, ତିନିଭାଗ–ବିଶିଷ୍ଟ ଋଜୁ ପାଠ, ମେଘଦୂତ, ଶକୁନ୍ତଳା ଏବଂ ଉତ୍ତର ରାମଚରିତ । ଶେଷରେ, ପନ୍ଦରଖଣ୍ଡ ବଙ୍ଗଳା ଭାଷାରେ ପ୍ରଣୀତ ବହିଗୁଡ଼ିକ ହେଉଛନ୍ତି: ବର୍ଣ୍ଣପରିଚୟ ଦୁଇଭାଗ, ଜୀବନଚରିତ, ବେତାଳ ପଞ୍ଚବିଂଶତି, ଶକୁନ୍ତଳା, ସୀତାର ବନବାସ, ଭ୍ରାନ୍ତିବିଳାସ, ମହାଭାରତ, ସଂସ୍କୃତଭାଷା ପ୍ରସ୍ତାବ ବିଧବାବିବାହ ବିଚାର, ଏବଂ ବହୁବିବାହ ବିଚାର । ପୂର୍ବରୁ ସୂଚିତ କରି ଦିଆଯାଇ ଥିବା ପରି ଲାଗୁଛି, ଏଥି ମଧ୍ୟରୁ ଗୁଡ଼ିଏ ବହି ପ୍ରଥମତଃ ପାଠ୍ୟପୁସ୍ତକ ରୂପେ ବ୍ୟବହୃତ ହେବା ନିମନ୍ତେ ଲିଖିତ ହୋଇଥିଲା । ଶିକ୍ଷାର ଜନାଧାରୀକରଣ ନିମନ୍ତେ ବିଦ୍ୟାସାଗର ଜଣେ ମୁଖ୍ୟ ପୁରୋଗାମୀ ରୂପେ ଉଭୟ ଦେଶବାସୀ ତଥା ସରକାର ଉଭୟଙ୍କର ଅନୁକୂଳ ଦୃଷ୍ଟି ଆକର୍ଷଣ କରିବାରେ ଏକ ନୂତନ ହାଉଆ ସୃଷ୍ଟି କରିଥିଲେ । କିନ୍ତୁ ସେଥିପାଇଁ ପାଠ୍ୟପୁସ୍ତକରୂପେ ଉପଯୁକ୍ତ ପୁସ୍ତକ ବା କ'ଣ ଥିଲା ? ତେଣୁ, ଖୁବ୍ ବୁଝିହେଉଛି ଯେ, ଈଶ୍ଵରଚନ୍ଦ୍ର ନିଜେ ସେହି ପ୍ରୟୋଜନଟିକୁ ପୂରଣ କରିବା ଦିଗରେ ବିଶେଷ ଭାବରେ ବ୍ରତୀ ହୋଇଥିଲେ ଏବଂ ଏକ ଉଲ୍ଲେଖଯୋଗ୍ୟ ଦୃଷ୍ଟାନ୍ତ ଦେଖାଇ ପାରିଲେ ।

 

ଏହା ବ୍ୟତୀତ ସେ ଏକାଧିକ ପୁସ୍ତକର ସମ୍ପାଦନା ମଧ୍ୟ କରିଥିଲେ । ଏକାଧିକ ମଧ୍ୟରେ ସବୁଗୁଡ଼ିକ ସଂସ୍କୃତ ଗ୍ରନ୍ଥ ଓ ବେତାଳ ପଞ୍ଚବିଂଶତିର ଗୋଟିଏ ହିନ୍ଦୀ ସଂସ୍କରଣ । ସଂସ୍କୃତ ପୁସ୍ତକମାନେ ହେଉଛନ୍ତି ରଘୁବଂଶ, କିରାତାର୍ଜୁନୀୟମ୍‌, ଶିଶୁପାଳବଧ, ମେଘଦୂତ, ଉତ୍ତର ରାମଚରିତ, ଅଭିଜ୍ଞାନଶାକୁନ୍ତଳମ୍‌, ହର୍ଷଚରିତ ପ୍ରଭୃତିର ନାମ ଉଲ୍ଲେଖ କରାଯାଇ ପାରେ । ଅଧକାଂଶ ସଂସ୍କୃତ ଗ୍ରନ୍ଥର ଭୂମିକା ବିଦ୍ୟାସାଗର ବଙ୍ଗଳା ଭାଷାରେ ଲେଖୁଥିଲେ । ଏହାସହିତ ତାଙ୍କର ପାଠମାଳା । ପାଠମାଳା ହେଉଛି ବିଶ୍ଵବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ନିମନ୍ତେ କେତୋଟି ସଂସ୍କୃତ ଏବଂ ବଙ୍ଗଳା ପୁସ୍ତକରୁ ଆନୀତ କିଛିକିଛି ଅଂଶର ସଙ୍କଳନ । ଏହାପରେ ବଙ୍ଗଳା ଭାଷାରେ ଲିଖତ ତାଙ୍କର 'ସଂସ୍କୃତ ବ୍ୟାକରଣର ଉପକ୍ରମଣିକା', ତାଙ୍କରି ଭାଷାରେ କହିଲେ, ଏହି ପୁସ୍ତକଟିରେ ଅନ୍ୟବୟସ୍କ ବାଳକମାନଙ୍କ ନିମିତ୍ତ ଶିକ୍ଷା-ଉପଯୋଗ କେତେକ ବ୍ୟାକରଣ ପ୍ରକରଣକୁ ଏକତ୍ର ସନ୍ନିବେଶିତ କରା ଯାଇଥିଲା । ନାନା ସରଳ ଉପଦେଶ ମାଧ୍ୟମରେ ବିଷୟଗୁଡ଼ିକୁ ସହଜ ଭାବରେ ଉପସ୍ଥାପିତ କରା ଯାଇଥିଲା । ପରେ ତାଙ୍କ ପାଖରେ ଏକଦା ସଂସ୍କୃତ ଭାଷା ଶିକ୍ଷା କରିଥିବା ଜଣେ କୃତଜ୍ଞ ଛାତ୍ର ପୁସ୍ତକଟିର ଇଂରାଜୀ ଅନୁବାଦ ମଧ୍ୟ ପ୍ରସ୍ତୁତ କରିଥିଲେ । କୌଣସି ଏକ ଅବସରରେ ସେ ବିଦ୍ଵାନ୍‌ମାନଙ୍କର ଗୋଟିଏ ସଭାରେ ସଂସ୍କୃତ ଭାଷା ଶିକ୍ଷା କରିବାର ଉପଯୋଗିତା ବିଷୟରେ ଉପସଂହାର କରି କହିଥିଲେ ଯେ ସଂସ୍କୃତର ଅନୁଶୀଳନ କରିବାଦ୍ଵାରା ଅନେକ ସୁଫଳଲାଭର ସର୍ବଦା ସମ୍ଭାବନା ସୁନିଶ୍ଚିତ ଭାବରେ ହିଁ ରହିଛି । କାରଣ, ତାଙ୍କରି କଥାକୁ ଉଦ୍ଧାର କରି କହିଲେ, ଭାରତବର୍ଷ ନାମକ ଏହି ଭୂମିଟିରେ ହିନ୍ଦୀ ଓ ବଙ୍ଗଳା ପ୍ରଭୃତି ଯେଉଁସବୁ ଭାଷାକୁ କଥାବାର୍ତ୍ତା ଇତ୍ୟାଦି ଲୌକିକ ପ୍ରୟୋଜନରେ ବ୍ୟବହାର କରାଯାଉଛି, ସେଗୁଡ଼ିକ ଅତ୍ୟନ୍ତ ଅବିକଶିତ ଅବସ୍ଥାରେ ହିଁ ରହିଛନ୍ତି । ପ୍ରାୟ ବିଧିନିର୍ଦ୍ଦିଷ୍ଟ ଭାବରେ ଏହି ଭାଷାମାନଙ୍କରେ ବହୁ ପରିମାଣରେ ସଂସ୍କୃତ ଭାଷାରୁ ଶବ୍ଦ ଆହରଣ କରି ପ୍ରଦେଶ ନଘଟାଇଲେ ସେଗୁଡ଼ିକର ଆଦୌ କୌଣସି ସମୃଦ୍ଧି ସମ୍ଭବ ହେବନାହିଁ । ଏହି କଥାଟିକୁ ଅବଶ୍ୟ ସ୍ଵୀକାର କରିବାକୁ ହେବ ଯେ, ଭାରତବର୍ଷର ସାଧାରଣ ଜନଗଣଙ୍କୁ ମଧ୍ୟ ଶିକ୍ଷାଲାଭଦ୍ଵାରା କ୍ରମଶଃ ଅଧିକରୁ ଅଧିକ ସମର୍ଥତା ହାସଲ କରିବାକୁ ପଡ଼ିବ ଏବଂ, ତେବେଯାଇ ସେମାନଙ୍କର ଜୀବନରେ ରହି ଆସିଥିବା ନାନା କୁସଂସ୍କାରର ଅପସାରଣ ସମ୍ଭବ ହେବ । ପୁନଶ୍ଚ, ହିନ୍ଦୀ ଓ ବଙ୍ଗଳା ପ୍ରଭୃତି ସଂପୃକ୍ତ ପ୍ରଦେଶମାନଙ୍କରେ ପ୍ରଚଳିତ ଭାଷାମାନଙ୍କୁ ମାଧ୍ୟମ ବା ଦ୍ଵାରସ୍ଵରୂପ ଗ୍ରହଣ ନକଲେ ସର୍ବସାଧାରଣ ଜନଗଣ କଦାପି ବିଦ୍ୟାଲାଭ କରିପାରିବେ ନାହିଁ । ସୁତରାଂ, ଇଉରୋପୀୟ କୌଣସି ନା କୌଣସି ଭାଷାରୁ ପଦାର୍ଥବିଦ୍ୟା କିମ୍ବା ଇତିହାସ ପ୍ରଭୃତିର ପ୍ରଚଳିତ ଏଠା ଭାଷାରେ ଅନୁବାଦ କରାଇବା ମଧ୍ୟ ଅତ୍ୟାବଶ୍ୟକ ହେବ ହିଁ ହେବ । ମାତ୍ର, ସଂସ୍କୃତ ଭାଷାରେ ଜ୍ଞାନ ଅର୍ଜନ କରିନଥିଲେ କେବଳ ଇଂରେଜୀ ଭାଷା ଶିକ୍ଷା କରି ଆମେ କଦାପି ସେହି ବୃହତ୍ ଦାୟିତ୍ଵଟିକୁ ସମ୍ପନ୍ନ କରି ପାରିବାନାହିଁ । ଆଉଗୋଟିଏ ମହତ୍ତ୍ଵପୂର୍ଣ୍ଣ କଥା ମଧ୍ୟ ହେଉଛି, ଭାରତବର୍ଷରେ ଇତିହାସ ଲେଖିବାର କିମ୍ବା ସେଥିରେ ଆବଶ୍ୟକ ଜ୍ଞାନ ଅର୍ଜନ କରିବାର ପ୍ରାୟ କୌଣସି ପରମ୍ପରା ରହିନାହିଁ-। ହଁ, ରାଜତରଙ୍ଗିଣୀ କାବ୍ୟରେ କିଛି ଇତିହାସର ସାମଗ୍ରୀ ଅବଶ୍ୟ ରହିଛି, ମାତ୍ର ସେଥିରେ ଏହି ବିରାଟ ଦେଶର କାଶ୍ମୀର ନାମକ ଗୋଟିଏ କ୍ଷୁଦ୍ର ଅଂଶର ହିଁ ଯାହାକିଛି ଇତିବୃତ୍ତ ପ୍ରଦତ୍ତ ହୋଇଛି-। ସେଥିରେ ମଧ୍ୟ ସାଧାରଣ ଜନଜୀବନର ବିଶେଷ ସଂବାଦ ପ୍ରଦତ୍ତ ହୋଇନାହିଁ-। କେଉଁ ବ୍ୟକ୍ତି କେଉଁ ସମୟରେ ସିଂହାସନ ଆରୋହଣ କରିଥିଲେ, କିଏ କେତେ ବର୍ଷ ରାଜପଦରେ ଅଧିଷ୍ଠିତ ରହି ପ୍ରଜାମାନଙ୍କୁ ଶାସନ କରିଥିଲେ, କିଏ କେବେ କିଭଳି ସିଂହାସନରୁ ବିତାଡ଼ିତ ହେଲେ, କିଏ କାହାକୁ ସିଂହାସନରୁ ବିତାଡ଼ିତ କରି ସ୍ଵୟଂ ସିଂହାସନରେ ବସିଥିଲେ, ଏହିଭଳି କେବଳ ରାଜାମାନଙ୍କର ବୃତ୍ତାନ୍ତଗୁଡ଼ିକ ସେଥିରେ ଗୁନ୍ଥି ରଖି ଦିଆଯାଇଛି । ତେଣୁ, ପ୍ରକୃତ ପୁରାତନ ଇତିବୃତ୍ତର ଅଭାବ ରହିଯାଇଥିବାରୁ ଆମକୁ ବେଦ, ସ୍ମୃତି, ଦର୍ଶନ, ପୁରାଣ, ଇତିହାସ ଏବଂ ସାହିତ୍ୟ ପ୍ରଭୃତି ଶାସ୍ତ୍ରଗୁଡ଼ିକରେ ଅବଶ୍ୟ ପ୍ରବେଶ କରିବାକୁ ପଡ଼ିବ । କାରଣ, ତା' ନହେଲେ ସେହି ପୁରାତନ ସମୟର ଭାରତବର୍ଷୀୟ ଆଚାର ବ୍ୟବହାର ସମ୍ବନ୍ଧରେ ଆମେ ପ୍ରକୃତରେ ବିଶେଷ କିଛି ହେଲେ ସ୍ପଷ୍ଟ ଭାବରେ ଜାଣି ପାରିବାନାହିଁ ।

 

ତା'ପରେ ବିଦ୍ୟାସାଗରଙ୍କର ଆଉଗୋଟିଏ ପୁସ୍ତକ–ବ୍ୟାକରଣ କୌମୁଦୀ । ଚାରୋଟି ଭାଗରେ ପୂର୍ଣ୍ଣାଙ୍ଗ ହୋଇଛି, ସଂସ୍କୃତକୁ ସୁଗମ୍ୟ ଓ ସହଜ କରି ବିଦ୍ୟାସାଗର ବଙ୍ଗଳା ଭାଷାକୁ ମଧ୍ୟ ଯୁଗପତ୍‌ ଭାବରେ ଏକାଧିକ ପ୍ରକାରେ ଏକ ସମୃଦ୍ଧି ଆଣି ଦେଇଥିଲେ । ସେତେବେଳେ ଲିଖିତ ବଙ୍ଗଳା ଭାଷାରେ ଯେଉଁ କଠୋର ଗଦ୍ୟଶୈଳୀର ବ୍ୟବହାର ହେଉଥିଲା, ସେହି ଦୃଷ୍ଟିରୁ ବିଦ୍ୟାସାଗରଙ୍କର ବଙ୍ଗଳା ଖୁବ୍‌ ଲୋକବୋଧ୍ୟ ହୋଇ ପାରିଲା ଏବଂ ବଙ୍ଗଳାରେ ଲେଖା ହେଉଥିବା ସାହିତ୍ୟ ପ୍ରତି ସାଧାରଣ ଜନମାନସକୁ ମଧ୍ୟ ଅଧିକ ଶ୍ରଦ୍ଧାବାନ୍‌ କରାଇ ପାରିଲା । ସ୍ଵତନ୍ତ୍ର ଭାବରେ ଲୋକମାନେ ତାହାକୁ ବିଦ୍ୟାସାଗରୀୟ ଶୈଳୀ ବୋଲି କହିଲେ ଏବଂ ଚିହ୍ନ ପାରିଲେ । ପୁନଶ୍ଚ, ସମ୍ଭବତଃ ସବୁଠାରୁ ବଡ଼ କଥାହେଉଛି, ସଂସ୍କୃତ ଓ ବଙ୍ଗଳା, ଶାସ୍ତ୍ରଭାଷୀ ଏବଂ ଜୀବନସ୍ତରର ଭାଷା ମଧ୍ୟରେ ପ୍ରାୟ ପରମେଶ୍ଵରଙ୍କର ବରାଦ ପରି ଯେଉଁ ଦୂରତା ରହିଥିଲା ଓ କେବଳ ସଂସ୍କୃତରେ ପାରଙ୍ଗମ ପଣ୍ଡିତମାନଙ୍କୁ ଅନାବଶ୍ୟକ ଭାବରେ ଦମ୍ଭୀ ଏବଂ ବିରାଗୀ କରି ରଖିଥିଲା, ସେଇଟି ଏକ ପ୍ରଚଣ୍ଡ ଆଘାତ ହିଁ ପାଇଲା । ରବୀନ୍ଦ୍ରନାଥ ଯେଉଁଭଳି ମନ୍ତବ୍ୟଟିଏ ଦେଇଥିଲେ: ବିଦ୍ୟାସାଗର ବଙ୍ଗଳା ଭାଷାର ପ୍ରଥମ ଶିଳ୍ପୀ ଥିଲେ । ତାଙ୍କ ପୂର୍ବରୁ ବଙ୍ଗଳା ସାହିତ୍ୟର ଏକ ପ୍ରାଥମିକ ବର୍ଣ୍ଣବୋଧ ଅବଶ୍ୟ ହୋଇଥିଲା, ମାତ୍ର ଶ୍ରୀ ବିଦ୍ୟାସାଗର ହିଁ ସର୍ବପ୍ରଥମେ ବଙ୍ଗଳା ଗଦ୍ୟରେ ଏକ ଯଥାର୍ଥ କଳାନୈପୁଣ୍ୟକୁ ଆଣି ସମ୍ଭବ କରାଇଥିଲେ । ଭାଷା ଯେ ଖାଲି କୌଣସି ନା କୌଣସି ଭାବର ଆଧାର ହିଁ ନୁହେଁ, ଭାଷାର ଅବୟବଟା ମଧ୍ୟରେ ଯେକୌଣସି ମତେ କେତେଟା ଅଭିପ୍ରେତ ବକ୍ତବ୍ୟକୁ ଆଣି ଭର୍ତ୍ତି କରିଦେଲେ ଜଣେ ନିଜର ସବୁକିଛି କର୍ତ୍ତବ୍ୟକୁ ଶେଷ କରିଦିଏ ନାହିଁ, ତାହାରି ଦୃଷ୍ଟାନ୍ତ ଦେଇ ବିଦ୍ୟାସାଗର ଏକ ଅନ୍ୟ ପ୍ରତିଶ୍ରୁତିର ଆସ୍ଥା ଦେଇ ଆମଆଗରେ ଆସି ଉପସ୍ଥିତ ହୋଇଥିଲେ । ସେ ଦେଖାଇ ଦେଇଥିଲେ ଯେ, ଆମର ବକ୍ତବ୍ୟ ବୋଲି ପ୍ରକୃତରେ ଯାହାକିଛି ଥିବ, ତାହାକୁ ସରଳ କରି ଏବଂ ସୁନ୍ଦର ତଥା ଶୃଙ୍ଖଳାଯୁକ୍ତ କରି ଅବଶ୍ୟ ବ୍ୟକ୍ତ କରିବାକୁ ହିଁ ପଡ଼ିବ ।

 

ସଂସ୍କୃତରୁ ଅନୁବାଦ କରାଯାଇଥିବା କୃତିଗୁଡ଼ିକ ମଧ୍ୟରେ ମହାଭାରତର ପ୍ରଥମ ୬୨ଟି ଅଧ୍ୟାୟର ବଙ୍ଗଳାରେ ଅନୁବାଦ ପ୍ରସ୍ତୁତ କରାଯାଇଛି । କୃତିଟିକୁ ବିଦ୍ୟାସାଗର ମହାଭାରତ, ଉପକ୍ରମଣିକା ଭାଗ ବୋଲି ନାମକରଣ କରିଛନ୍ତି । ତା'ପରେ କାଳିଦାସଙ୍କର 'ଶକୁନ୍ତଳା' ଗ୍ରନ୍ଥ ଉପାଖ୍ୟାନଭାଗ । କବି ଭବଭୂତିଙ୍କଦ୍ଵାରା ରଚିତ 'ଉତ୍ତର ରାମଚରିତ'ରୁ କେତେକ ଅଂଶ 'ସୀତାର ବନବାସ' ନାମରେ । ଏହି ଗ୍ରନ୍ଥଟିର ଗୋଟିଏ ଇଂରାଜୀ ଅନୁବାଦ,–ଜଣେ ଇଂରାଜ ଅନୁବାଦକଙ୍କଦ୍ଵାରା–ପରେ ଲଣ୍ଡନରୁ ପ୍ରକାଶିତ ହୋଇଥିଲା । ବଙ୍ଗଭାଷୀ ପରିବାରର ପିଲାମାନେ ଖୁବ୍‌ ସହଜରେ ଯେପରି ନିଜର ଭାଷାଟିକୁ ଶିଖିପାରିବେ, ସେଥିଲାଗି ବିଦ୍ୟାସାଗରଙ୍କର 'ବର୍ଣ୍ଣ ପରିଚୟ' । ଏହାପରେ ୧୮୬୨ ମସିହାରେ ପ୍ରକାଶିତ 'ଜୀବନ ଚରିତ' (୯୬ ପୃଷ୍ଠା), ଯାହାକୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷାରେ ଅନୁବାଦ କରିବାକୁ ଆବଶ୍ୟକ ବୋଲି ଅନୁଭବ କରିଥିଲେ । ଏଥିରେ ଇଉରୋପର ଆଠଜଣ ପ୍ରସିଦ୍ଧ ବ୍ୟକ୍ତିଙ୍କର ଜୀବନ ତଥା କରଣିଗୁଡ଼ିକୁ ବେଶ୍‌ ସଂକ୍ଷିପ୍ତ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି । ମନେ ରହିବା ମଧ୍ୟ ସମ୍ଭବତଃ ଉଚିତ ହେବ ଯେ, ଏହି ତାଲିକାରେ ଜଣେ ହେଲେ ଭାରତୀୟ ବ୍ୟକ୍ତିଙ୍କର ଜୀବନୀକୁ ସନ୍ନିବେଶିତ କରା ଯାଇନାହିଁ । ସେହି ମନୀଷୀମାନଙ୍କ ମଧ୍ୟରେ କେତେଜଣ ହେଲେ: ଗ୍ରୋଟିଉସ୍‌ (Grotius) ଭାଲେଣ୍ଟିନ୍‌ ଜାମେରେ ଡୁଭାଲ (Valentin Jameray Duval), ସାର୍‌ ଆଇଜାକ୍‌ ନିଉଟନ୍‌, ନିକୋଲାଉସ୍‌ କୋପର୍‌ନିକୁସ୍‌, ସାର୍‌ ଉଇଲିୟମ୍‌ ହେର୍‍ଶେଲ୍‌(Herschel), ଲିନ୍ନେ (Linne), ସାର୍‌ ଉଇଲିୟମ୍‌ ଜୋନସ୍‌, ଟମାସ୍‌ କେନ୍‌କିନସ୍ ଏବଂ ଆଉ କେତେଜଣ । ପୁସ୍ତକଟିର ଶେଷକୁ ବିଜ୍ଞାନ ତଥା ବିଦ୍ୟାଜଗତର କେତୋଟି ପାରିଭାଷିକ ଶବ୍ଦର ମଧ୍ୟ ବଙ୍ଗଳା ସମବାଚୀମାନ ବାହାର କରିବାକୁ ଉଦ୍ୟମ କରାଯାଇଛି ଭାରତୀୟ ଅନେକ ଭାଷାରେ ହୁଏତ ଏବେ ମଧ୍ୟ ବହୁକ୍ଷେତ୍ରୀୟ ବିଶେଷ ଶବ୍ଦର ସମବାଚୀଗୁଡ଼ିକୁ ସର୍ବବୋଧ୍ୟ ଭାବରେ ବାହାର କରାଯାଇ ପାରିନାହିଁ । କେତେ ନା କେତେ ଦୂରଦୃଷ୍ଟି ସହିତ ଶ୍ରୀଯୁକ୍ତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଯେ ସେହି ଦିଗରେ ପ୍ରାୟ ଏକକ ଚେଷ୍ଟାଟିଏ ଆରମ୍ଭ କରିବାକୁ ଆବଶ୍ୟକ ବୋଲି ଅନୁଭବ କରିଥିଲେ, ସେହି ଘଟଣାଟିକୁ ଆମେ ଅବଶ୍ୟ ମନେ ରଖିବା !

 

ଚଉସ୍ତରୀଟି ଶବ୍ଦର ସେହି ଦୀର୍ଘ ତାଲିକାଟି, ଏଠାରେ ସେଇଟି ମଧ୍ୟରୁ ଅଳ୍ପ କେତୋଟି ଉଦାହରଣ ଦେଲେ ଆମେ ନିଶ୍ଚୟ ସେହି ପ୍ରୟାସଟିର ପୂର୍ଣ୍ଣ ତାତ୍ପର୍ଯ୍ୟ ବିଷୟରେ କିଛି ପରିମାଣରେ ଏକ ଆଭାସ ପାଇପାରିବା : Centre–କେନ୍ଦ୍ର, Century–ଶତାବ୍ଦୀ, university–ବିଶ୍ଵବିଦ୍ୟାଳୟ, Revolution–ରାଜବିପ୍ଳବ, Ticket–ପ୍ରବେଶିକା Natural Law–ନୈସର୍ଗିକ ବିଧାନ, Equator–ବିଷୁବରେଖା, Research–ଗବେଷଣା, Prejudice–କୁସଂସ୍କାର, Milky Way–ଛାୟାପଥ, Monument–କୀର୍ତ୍ତିସ୍ତମ୍ଭ, Colonial–ଔପନିବେଶିକ, Botany–ଉଦ୍ଭିଦବିଦ୍ୟା, Astronomy–ଜ୍ୟୋତିର୍ବିଦ୍ୟା, Astrology–ନକ୍ଷତ୍ରବିଦ୍ୟା ଏବଂ, ଏଗୁଡ଼ିକ ସହିତ Metaphysics–ମନୋବିଜ୍ଞାନ, Report–ବିଜ୍ଞାପନୀ, Axis–ମେରୁଦଣ୍ଡ, Biographer–ଚରିତାଖ୍ୟାୟକ, Museum–ଚିତ୍ରଶାଳିକା, Heraldry–କୁଳାଦର୍ଶ, Theatre–ରଙ୍ଗଭୂମି, ଇତ୍ୟାଦି, ଇତ୍ୟାଦି । ଶ୍ରୀ ବିଦ୍ୟାସାଗର ଅତ୍ୟନ୍ତ ସୁଚିନ୍ତିତ ଭାବରେ କହିଛନ୍ତି ଯେ, 'ବଙ୍ଗଳା' ଭାଷାରେ ଇଂରାଜୀର ଅବିକଳ ଅନୁବାଦ କରିବା ଏକ ଅତ୍ୟନ୍ତ ଦୁରୂହ କାର୍ଯ୍ୟ । ଏହି ଦୁଇ ଭାଷାର ରୀତି ତଥା ରଚନାପ୍ରଣାଳୀ ପରସ୍ପରଠାରୁ ଏପରି ବିପରୀତ ପ୍ରକାରର ଯେ ଜଣେ ଅନୁବାଦକକୁ ବହୁତ ସାବଧାନ ଏବଂ ଯତ୍ନଶୀଳ ହୋଇ ସେହି ଉଦ୍ୟମଟିକୁ କରିବାକୁ ହିଁ ପଡ଼ିବ । ଉଭୟ ଭାଷାରେ ରୀତିମତ ବହୁତ ଭିନ୍ନତା ରହିଛି, ଅର୍ଥପ୍ରତୀତିରେ ବ୍ୟତିକ୍ରମମାନ ଭର୍ତ୍ତି ହୋଇଛି ଏବଂ ତେଣୁ ମୂଳ ଅର୍ଥଗୁଡ଼ିକର କ୍ଷେତ୍ରରେ ସର୍ବଦା ହିଁ ବହୁତ ବିଚ୍ୟୁତି ଘଟିବାର ଆଶଙ୍କା ମଧ୍ୟ ରହିଛି । ଏହି ଯାବତୀୟ ଦୋଷରୁ ଯଥାସମ୍ଭବ ଆପାଣାକୁ ମୁକ୍ତ ରଖିବି ବୋଲି ମୁଁ ଅଧିକାଂଶ ସ୍ଥାନରେ ଅବିକଳ ଅନୁବାଦ କରିବାକୁ ଆଦୌ ଇଚ୍ଛା କରିନାହିଁ ।

 

'ଜୀବନଚରିତ'ର ସମାନଧର୍ମୀ ଦ୍ଵିତୀୟ ପୁସ୍ତକଟିର ନାମ ହେଉଛି 'ଚରିତ୍ରାବଳୀ' ୧୮୬୪ ମସିହାରେ ପ୍ରକାଶିତ ହୋଇଛି । ମୋଟ ୧୧୮ ପୃଷ୍ଠାର । ଏଥିରେ ୧୯ଟି ଜୀବନବୃତ୍ତାନ୍ତ ପରିବେଷିତ ହୋଇଛି । ସମସ୍ତେ ହିଁ ଇଉରୋପର । ସମସ୍ତେ ନିଜ ନିଜ କ୍ଷେତ୍ରରେ ବହୁବିଶ୍ରୁତ । ଏଥିରେ ଯେଉଁମାନଙ୍କୁ ଆଣି ଅନ୍ତର୍ଭୁକ୍ତ କରାଯାଇଛି, ସେମାନଙ୍କ ମଧ୍ୟରେ ଜର୍ମାନୀର ଭାଷାବିଜ୍ଞାନୀ ହାଇନେ (Heyne) ଅଛନ୍ତି, ଶ୍ରୀଯୁକ୍ତ ଭିଙ୍କେଲ୍‍ମାନ୍‌ ମଧ୍ୟ ରହିଛନ୍ତି (Winchelmann) । ରୁଷିଆର କବି ଲୋମୋନୋସୋଭ୍‌ଙ୍କର ସଂକ୍ଷିପ୍ତ ଜୀବନ-ବିବରଣୀଟିଏ ସ୍ଥାନ ପାଇଛି । ବେଶ୍‌ ଜଣାପଡ଼ି ଯାଉଛି, ଯେଉଁମାନେ ପ୍ରାୟ ସମସ୍ତେ ନିତାନ୍ତ ଅନୁକୂଳ ପରିବେଶରେ ଜନ୍ମଗ୍ରହଣ କରିଥିଲେ ଏବଂ ତେଣୁ ସ୍ଵାଭାବିକ ଭାବରେ ଜୀବନରେ ସେତେ ଆଗକୁ ଯିବାର ଖୁବ୍‌ କମ୍‌ ସୁଯୋଗ ହିଁ ପାଇଥିଲେ । କିନ୍ତୁ, ସେମାନଙ୍କ ମଧ୍ୟରେ ଏକ ଅଦମ୍ୟ ଇଚ୍ଛାଶକ୍ତି ଥିଲା, ଏପରି ଏକ ଅନ୍ୟ ସହୋଦରଟିଏ ସେହି ମୂଳରୁ ହିଁ ପ୍ରଚ୍ଛନ୍ନ ହୋଇ ରହିଥିଲା, ଯାହାକି ଜନନୀପରି ଉତ୍ସାହ ଦେଲା ଏବଂ ବନ୍ଧୁ ଭଳି ପରିସ୍ଥିତିକୁ ସାମନା କରିବାର ବଳ ଯୋଗାଇ ଦେଇଥିଲା । ଯେତେ ଯାହା ପ୍ରତିକୂଳତା ରହିଥିଲେ ମଧ୍ୟ ଏକ ସକାରାତ୍ମକ ସଂଘର୍ଷର ଜିଦ୍‌ ଆଣି ଯୋଗାଇ ଦେଲା ଏବଂ ତାହାହିଁ ସେମାନଙ୍କୁ ଅବାରିତ ଭାବରେ ଅଗ୍ରସର ବିଦ୍ୟାସାଗର କରାଇ ନେଇଥିଲା । ଏଭଳି ବିଶେଷ ବ୍ୟକ୍ତିମାନଙ୍କୁ ବାଛିଥିବା ସମୟରେ ବିଦ୍ୟାସାଗର ଆପଣାର ଜୀବନରେ ସର୍ବବିଧ ସନ୍ତର୍ପଣରେ ବଳ ଦେଇ, ସ୍ଥିରଚିତ୍ତତା ଦେଇ ପହୁଣ୍ଡପରେ ପହୁଣ୍ଡ ବଢ଼ାଇ ନେଇ ଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ଶୈଶବକାଳକୁ ବହୁ ଅର୍ଥରେ ଏକ ଦର୍ପଣଭଳି ଦେଖୁଥିଲେ କି-? କିମ୍ବା, ସିଏ ଏପରି ଗୋଟିଏ ଦେଶର ତଥା ସମୟର ତରୁଣ କଅଁଳମାନଙ୍କୁ ତାଙ୍କର ସେହି ବହିରେ ପାଠକରୂପେ ଦେଖୁଥିଲେ, ଯେଉଁମାନଙ୍କ ସମ୍ମୁଖରେ ଆଗରୁ ଉପଲବ୍ଧ ହୋଇ ରହିଥିବା ସେପରି କୌଣସି ଅନୁକୂଳତା ନଥାଏ, ଯେଉଁମାନଙ୍କୁ ବହୁ ଅନ୍ଧାର ସହିତ ସଂଗ୍ରାମ କରିବାକୁ ହୋଇଥାଏ । ସେମାନଙ୍କ ଭିତରୁ ଅଧିକାଂଶ ହୁଏତ ହାରି ହିଁ ଯାଆନ୍ତି, ଏବଂ ରହି ଯାଆନ୍ତି; ଭାଗ୍ୟ ହିଁ ସର୍ବଶକ୍ତିମାନ୍‌ ବୋଲି ମାନି ନିଅନ୍ତି । ସେହିମାନଙ୍କର ସେହି ଜଡ଼ତାଗୁଡ଼ିକୁ ଭାଙ୍ଗି ସେମାନଙ୍କୁ କୌଣସି ନା କୌଣସି ମହତ୍‌ ଆଶାଯୁକ୍ତତାରେ ଉଦ୍‌ବୁଦ୍ଧ କରାଇ ନେବାଲାଗି ସେମାନଙ୍କ ବିଷୟରେ ହୁଏତ କେତେ କେତେ ଅନ୍ୟ ସ୍ଵପ୍ନ ଦେଖୁଥିବା ବିଦ୍ୟାସାଗର 'ଚରିତାବଳୀ' ପରି ବହିଟିଏ ଲେଖିବାପାଇଁ ମନ କରିଥିଲେ କି ? ତାଙ୍କ ସମସାମୟିକ ଆଉକେହି ଇଉରୋପର ଦୃଷ୍ଟାନ୍ତପୁରୁଷମାନଙ୍କ ଜୀବନୀରୁ ସାମଗ୍ରୀ ସଂଗ୍ରହ କରି ଆଣି ଭାରତବର୍ଷରେ ତଦନୁରୂପ କିଛି ପ୍ରେରଣାର ଅବତାରଣା କରାଇବାର ଶ୍ରଦ୍ଧା କରିଥିବାର କୌଣସି ଉଦାହରଣ ରହିଛି କି ନାହିଁ କେଜାଣି ? ସେହି ଦୂର ପରିବେଶଟିରେ ଯେଉଁମାନେ ନାନାବିଧ ପ୍ରତିକୂଳ ପରିସ୍ଥିତିରେ ଜନ୍ମ ହୋଇଥିଲେ, ସେମାନେ ତଥାପି ଆପଣାର ଉଦ୍ୟମ, ଆତ୍ମବିଶ୍ଵାସ ତଥା ଦୃଢ଼ସଂକଳ୍ପ ବଳରେ ବହୁ ଉଚ୍ଚତା ଏବଂ ପ୍ରଖ୍ୟାତି ଅର୍ଜନ କରି ପାରିଛନ୍ତି ସେମାନଙ୍କୁ ହୁଏତ କେବଳ ବିଦ୍ୟାସାଗର ହିଁ ସବାଆଗ ଆବିଷ୍କାର କରି ପାରିଥିବେ । ତଥ୍ୟରୁ ଜଣାଯାଉଛି ଯେ ଈଶ୍ଵରଚନ୍ଦ୍ର 'ଚରିତାବଳୀ'କୁ ଏକ ମୂଳ ଇଂରାଜୀ ପୁସ୍ତକରୁ ବଙ୍ଗଳାରେ ଅନୁବାଦ କରିଥିଲେ ।

 

ତା'ପରେ ବଙ୍ଗଳା ପ୍ରାନ୍ତର ଇତିହାସ,–ସିରାଜଉଦ୍ଦୌଲାଙ୍କର ସିଂହାସନ ଆରୋହଣ କରିବାରୁ ଆରମ୍ଭ କରି ଲର୍ଡ଼ ଉଇଲିଅମ୍‌ ବେଣ୍ଟିକ୍‌ଙ୍କର ଶାସନର ଶେଷ ପର୍ଯ୍ୟନ୍ତ, ୧୭୫୬ ମସିହାରୁ ୧୮୩୫ ପର୍ଯ୍ୟନ୍ତ । ଆଗରୁ ଜଣେ ମିଶନାରି ମାର୍ଶମାନ୍‌ ବଙ୍ଗଳାର ଯେଉଁ ଇତିହାସର ପ୍ରଣୟନ କରି ଯାଇଥିଲେ, ବିଦ୍ୟାସାଗରଙ୍କର ଏହି ରଚନାରେ ତାହାର ଏକ ମୁଣ୍ଡି ମରା ହୋଇଛି ବୋଲି କୁହାଯାଇପାରିବ । ତା'ପରେ ବିଧବା-ବିବାହର ଔଚିତ୍ୟ ବିଷୟରେ ତାଙ୍କର ତଥାକଥିତ ପ୍ରସ୍ତାବଟି,–ପ୍ରକୃତ ଶୀର୍ଷକ ହେଉଛି 'ବିଧବାବିବାହ ପ୍ରଚଳିତ ହେବା ଉଚିତ କି ନା' ଏତଦ୍‌ବିଷୟକ ପ୍ରସ୍ତାବ । ୨୨୨ ପୃଷ୍ଠାର ଏକ ବୃହତ୍‌ ବିତର୍କ ହେଉଛି ଏହି ପୁସ୍ତକଟିର ମୂଳ ସାମଗ୍ରୀ । କେଉଁ ଅତିପୁରାତନ ଅମଳରୁ ଭାରତରେ ପ୍ରଚଳିତ ହୋଇ ଆସିଥିବା ଗୋଟିଏ ନିତାନ୍ତ ନିଦାରୁଣ ପ୍ରଥା ଅନୁସାରେ ଝିଅମାନଙ୍କୁ ଏକାବେଳେକେ ସେମାନଙ୍କର ପିଲାବୟସରୁ ବିବାହ କରାଇ ଦିଆଯାଉଥିଲା । ତଥାକଥିତ ପୁରୁଷସ୍ଵାମୀଟି ଅନେକ ସ୍ଥଳରେ ହୁଏତ ତାଙ୍କ ଜୀବନର ଚତୁର୍ଥ ଅବସ୍ଥାରେ ପହଞ୍ଚି ସାରିଥିଲେ ବି ସେକଥାଟିର କୌଣସି ବିଚାର ହେଉନଥିଲା । ଏବଂ, ଅଧିକାଂଶ କ୍ଷେତ୍ରରେ ସେମାନେ ଯେତେବେଳେ ମୃତ୍ୟୁମୁଖରେ ପଡ଼ୁଥିଲେ, ସେତେବେଳେ ଏହି ନିରୀହା ଅଭାଗୀନିମାନେ ସମାଜଦ୍ଵାରା ବିଧବା ବୋଲି ଘୋଷିତ ହେଉଥିଲେ ଏବଂ ସମସ୍ତ ଜୀବନ ବିଧବା ରହି ବହୁ କଷଣ ଭୋଗ କରୁଥିଲେ । ସେମାନଙ୍କର ପୁନର୍ବିବାହ ନିମନ୍ତେ ବାଟ ଛାଡ଼ି ଦିଆଯିବା ଉଚିତ ବୋଲି ଯେଉଁ ଆନ୍ଦୋଳନଟି ଜନ୍ମଲାଭ କଲା, ସେଥିରେ ଈଶ୍ଵରଚନ୍ଦ୍ର ଜଣେ ଅଗ୍ରଣୀରୂପେ ପୁରୋଭାଗରେ ରହିଥିଲେ । ସମକାଳୀନ ସମାଜର ମାନସକୁ ସେଥିପାଇଁ ସମ୍ମତ କରି ଆଣିବାପାଇଁ ସେ ଏହି ଦୃଷ୍ଟାନ୍ତ ଦେଖାଇଥିଲେ । ତଥାପି ବୃହତ୍ତର ସମାଜର କାଳକାଳର ଏହି ନିର୍ମମତାକୁ କ୍ରମଶଃ ନମନୀୟ କରି ନଆଣିଲେ ବସ୍ତୁତଃ ଅସଲ ବାତାବରଣଟି ମୋଟେ ସମ୍ଭବ ହେବନାହିଁ ବୋଲି ବିଦ୍ୟାସାଗର ହୃଦୟଙ୍ଗମ କରିଥିଲେ ଏବଂ ଲୋକମନର ସ୍ତରରୁ ହିଁ ଏକ ଭିନ୍ନ ଚିନ୍ତନର ହାଉଆ ସୃଷ୍ଟି କରିବା ନିମନ୍ତେ ପୁସ୍ତକମାନ ରଚନା କରିଥିଲେ । ଗୋଟିଏ ବଦ୍ଧମୂଳ ଧାରଣା ରହି ଆସିଥିଲା ଯେ ପବିତ୍ର ଶ୍ରାସ୍ତ୍ର ଅନୁସାରେ ବାଲ୍ୟବିବାହ ଏବଂ ବହୁବିବାହର ପ୍ରଥା ସମାଜର ଅନୁମୋଦନ ଲାଭ କରି ହିଁ ପ୍ରଚଳିତ ହୋଇ ରହିଛି । ସେହି ଶାସ୍ତ୍ରକୁ ଘାଣ୍ଟି ଈଶ୍ଵରଚନ୍ଦ୍ର ଏକ ବିକଳ୍ପ ବାଢ଼ି ଦେଇ କହିଥିଲେ ଯେ ଶାସ୍ତ୍ରରେ ବିଧବାମାନଙ୍କର ପୁନର୍ବିବାହ ନିମନ୍ତେ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । ପୂର୍ବରୁ ଆଲୋଚିତ ହୋଇଛି ଯେ ଏହିପରି ଭାବରେ ଅନମନୀୟତାଗୁଡ଼ିକ କ୍ରମେ ହ୍ରାସ ହୋଇ ଆସିଲା ଏବଂ ରକ୍ଷଣଶୀଳତା ଉପରେ ମାନବିକତାର ଜୟ ହୋଇଥିଲା ।

 

ଏହି ପ୍ରକ୍ରିୟାଟିକୁ ସେହି କାଳର ଆଉଜଣେ ସଂସ୍କାର ଇଚ୍ଛା କରୁଥିବା ପ୍ରବୀଣ ବ୍ୟକ୍ତି ଶ୍ରୀଯୁକ୍ତ ରମେଶଚନ୍ଦ୍ର ଦତ୍ତ ବିଦ୍ୟାସାଗରଙ୍କର ଭୂମିକାଟି ବିଷୟରେ ଯାହା ଲେଖିଛନ୍ତି, ଏଠାରେ ସେଥିରୁ କିଛି କଥା ଆଣି ଆମେ ସେକାଳର ଉଦ୍‌ବେଳନଟି ସମ୍ପର୍କରେ କିଛି ଆଲୋକପାତ ନିଶ୍ଚୟ କରିପାରିବା । ବଙ୍ଗଳା ଭାଷାରେ ଲେଖା ପ୍ରବନ୍ଧଟିରେ ଅଛି, ଯେଉଁମାନେ ବର୍ତ୍ତମାନ ଚାଳିଶି ବର୍ଷର ଆୟୁକୁ ଅତିକ୍ରମ କରି ଯାଇଛନ୍ତି, ସେମାନେ ଥରେ ନିଜ ପିଲାଦିନର କଥା ମନେ ପକାନ୍ତୁ । ସେତେବେଳର ସେହି ସମାଜ ଆଦୌ ବର୍ତ୍ତମାନର ସମାଜ ପରି ନୁହେଁ, ସେକାଳର ସାହିତ୍ୟ ଆଦୌ ବର୍ତ୍ତମାନର ସାହିତ୍ୟ ପରି ନୁହେଁ । ପଠନୀୟ ତଥା ସାହିତ୍ୟ ବୋଲି ପ୍ରେରଣାଦାୟକ ସେତେବେଳେ ପ୍ରକୃତରେ କ'ଣ ଥିଲା । ସେହିପରି ଗୋଟିଏ ଭୂମିରେ ବିଦ୍ୟାସାଗର ଆପଣାର ଓଜସ୍ଵିତା ଏବଂ ଦୃଢ଼ ସଂକଳ୍ପଶକ୍ତିକୁ ନେଇ ଅବତୀର୍ଣ୍ଣ ହୋଇଥିଲେ । ଯାହା କର୍ତ୍ତବ୍ୟ, ମୁଁ ଅବଶ୍ୟ ତାହା କରିବି । ସମଗ୍ର ସମାଜ ମଧ୍ୟ ବାଧା ଦେବାଲାଗି ଚେଷ୍ଟା କରୁଥିଲେ ମଧ୍ୟ, ଈଶ୍ଵରଚନ୍ଦ୍ର ସମାଜନାମକ ସେହି ବ୍ୟୂହକୁ ଭେଦ କରି ସ୍ଵସଂକଳ୍ପର ସାଧନ କରି ପାରୁଥିଲେ । ସେତେବେଳେ ହୃଦୟଗ୍ରାହୀ ଗଦ୍ୟ ବୋଲି ବଙ୍ଗସାହିତ୍ୟରେ ପ୍ରାୟ କିଛି ନଥିଲା, ବିଦ୍ୟାସାଗର ସ୍ଵୟଂ ସେହି ଗଦ୍ୟର ସୃଷ୍ଟି କରିଥିଲେ । ସେ ତା'ପରେ ହୃଦୟଙ୍ଗମ କରିଥିଲେ ଯେ, ସଂସ୍କୃତ ନଶିଖିଲେ ବଙ୍ଗଳା ଭାଷାର ଗଦାକ୍ଷେତ୍ରରେ କୌଣସି ଉନ୍ନତି ସମ୍ଭବ ହେବନାହିଁ । ସେତେବେଳେ ତ କେବଳ ଟୋଲ୍‌ମାନଙ୍କରେ ପ୍ରାୟ ଅଧେ ଜୀବନ ବିତାଇ ସଂସ୍କୃତ ଭାଷା ଶିକ୍ଷା କରିବାକୁ ହେଉଥିଲା ଏବଂ ଯାବତୀୟ ସଂସ୍କୃତ-ଆଲୋଚନା ସେହି ଅଳ୍ପାୟତନ ଏବଂ ଅତ୍ୟନ୍ତ କୃପଣ ଗୁମ୍ଫା ଭିତରେ ହିଁ ଆବଦ୍ଧ ହୋଇ ରହିଥିଲା । ଖୁବ୍‌ ଅଳ୍ପସଂଖ୍ୟକ ମନୁଷ୍ୟଙ୍କର ଏକଚାଟିଆ ଥିଲା । ବିଦ୍ୟାସାଗରଙ୍କର ପ୍ରଚେଷ୍ଟାଦ୍ଵାରା ହିଁ ସେହି ଏକଚାଟିଆ ଦୂର ହୋଇ ପାରିଲା । ତାଙ୍କର ଲେଖନୀରୁ ସଂସ୍କୃତ ଭାଷା ଶିକ୍ଷା କରିବାର ଏପରି ପ୍ରଣାଳୀମାନ ଉଦ୍‌ଭାବିତ ହୋଇ ଆସିଲା, ଯାହାଫଳରେ କି ସଂସ୍କୃତର ମଧୁରତା ବହୁଜନଙ୍କର ଆସ୍ଵାଦ୍ୟ ହେଲା । ସ୍ଵାର୍ଥପର ବ୍ୟକ୍ତିମାନେ ତାହା ମୋଟେ ସହ୍ୟ କରି ପାରିଲେ ନାହିଁ । ଯେଉଁମାନେ ହିନ୍ଦୁଧର୍ମର ଭଣ୍ଡାମି କରି ପଇସା ଆଦାୟ କରନ୍ତି, ହିନ୍ଦୁଧର୍ମର ସନାତନ ସେହି ଦ୍ଵାରଟା ଉଦ୍‌ଘାଟିତ ହୋଇ ସର୍ବଜନଙ୍କର ପହୁଞ୍ଚ ଭିତରକୁ ଆସି ଯାଉଥିବାର ଦେଖି ହତାଶ ଏବଂ ଆତଙ୍କିତ ହୋଇ ଉଠିଥିଲେ । ଏବଂ, ବିରୋଧ କରି କହିଲେ, ସେହି ଦ୍ଵାରକୁ ବନ୍ଦ କର, ଏହି ନବ୍ୟଶିକ୍ଷିତ ଦୈଶହିତୈଷୀମାନଙ୍କୁ ପ୍ରାଚୀନ ଶାସ୍ତ୍ରଭଣ୍ଡାରରୁ ବଞ୍ଚିତ କରି ରଖ, ପୁନର୍ବାର ପୂର୍ବର ସ୍ଵାର୍ଥପରମାନଙ୍କୁ ସେହିସବୁ ଭଣ୍ଡାରର ପ୍ରହରୀରୂପେ ସ୍ଥାପନ କର, ତେବେ ଯାଇ ଏହି ବିଦ୍ୟାସାଗର ମହାଶୟଙ୍କର କାର୍ଯ୍ୟମାନଙ୍କୁ ବନ୍ଦ କରିଦେଇ ହେବ ଏବଂ ପୂର୍ବ ମାଲିକମାନଙ୍କର ମନସ୍କାମନା ମଧ୍ୟ ପୂର୍ଣ୍ଣ ହେବ । ଅସଲ ହିନ୍ଦୁଧର୍ମର ବିଲୋପ ହୋଇ ଯଦି ନାନା ଉପଧର୍ମର ଅନ୍ଧକାରଦ୍ଵାରା ଦେଶଟା ସବୁଦିନ ପରି ଆଚ୍ଛନ୍ନ ହୋଇ ରହେ, ତଥାପି କୌଣସି କ୍ଷତି ନାହିଁ । ଅନ୍ତତଃ ପୂର୍ବ ଭଣ୍ଡାରମାଲିକମାନଙ୍କର ଅର୍ଥ ଉପାୟ କରିବାର ମାର୍ଗଗୁଡ଼ିକ ତଦ୍ଦ୍ୱାରା ଖୋଲି ଯାଇ ପାରିବ ତ !

 

ଆହୁରି ଆଗକୁ : ନାଇଁ ବାବୁ, ଆଉ ସେହି ବୃଥା ଆଶା ତୁମେ ମୋଟେ କରନାହିଁ–ହିନ୍ଦୁ ଜାତି ଆପଣାର ପ୍ରାଚୀନ ସାହିତ୍ୟ, ପ୍ରାଚୀନ ବିଜ୍ଞାନ, ପ୍ରାଚୀନ ଧର୍ମକୁ ପୁନର୍ବାର ଚିହ୍ନିଲାଣି,–ସେମାନଙ୍କୁ ଆଉ ସେହି ଧନରୁ କେହି ବଞ୍ଚିତ କରି ପାରିବେନାହିଁ । ଏବଂ ତା'ପରେ, ବିଦ୍ୟାସାଗର ମହାଶୟ ସାମାଜିକ ଉନ୍ନତିସାଧନ ନିମନ୍ତେ ପଣ କରି ବାହାରି ପଡ଼ିଲେ । ଗୋଟିଏ ନିର୍ଜୀବ ଜାତିର ସାମାଜିକ ଉନ୍ନତିବିଧାନ କରିବା ଯେ କେତେ କଷ୍ଟକର, ଆମେ ଏବେ ମଧ୍ୟ ସେହି କଥାଟିକୁ ଖୁବ୍‌ ଦେଖି ପାରୁଥିବା । ହିନ୍ଦୁସମାଜରେ ନାରୀମାନଙ୍କର ସ୍ଥିତିଗୁଡ଼ିକରେ କୌଣସି ପ୍ରକାରର ପରିବର୍ତ୍ତନ ସମ୍ଭବ କରିବାକୁ ଇଚ୍ଛା କଲେ ସ୍ଵାର୍ଥପର ପୁରୁଷମାନେ ଯେ କେତେ ବାଧା ଦିଅନ୍ତି, ଆମେ ସେଇଟିର ପ୍ରମାଣ ମଧ୍ୟ ଖୁବ୍‌ ପାଇ ପାରୁଥିବା । ଯେଉଁମାନେ ନିଜକୁ ଆର୍ଯ୍ୟମାନଙ୍କର ସନ୍ତାନ ବୋଲି କହି ଗର୍ବ କରନ୍ତି ସେହିମାନେ ହିଁ ନାରୀସମାଜକୁ ଅଶିକ୍ଷିତ କରି ରଖନ୍ତି ଏବଂ ସେମାନଙ୍କୁ ଦାସୀ କରି ରଖିଥାଆନ୍ତି । ସାଧାରଣ ଲୋକମାନେ ହତାଶ ହୋଇ ସେହି ସ୍ଥିତିକୁ ମାନି ହିଁ ନେଉଥିଲେ, ମାତ୍ର ଈଶ୍ଵରଚନ୍ଦ୍ର ଆଦୌ ମାନି ନେଲେ ନାହିଁ । ଗୋଟିଏ ପଟେ ସ୍ଵାର୍ଥପରତା, ଜଡ଼ତା, ମୂର୍ଖତା ଏବଂ ଭଣ୍ଡାମି; ଅନ୍ୟପଟେ ଶ୍ରୀଯୁକ୍ତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର । ଗୋଟିଏ ପଟେ ଶହ ଶହ ବର୍ଷର କୁସଂସ୍କାର, ଏବଂ ଅନ୍ୟପଟେ ଶ୍ରୀଯୁକ୍ତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର । ସନ୍ତାନ ହେଉନଥିଲେ ହିନ୍ଦୁସମାଜରେ ପୁରୁଷଲାଗି ଏକ ଦ୍ଵିତୀୟ ସ୍ତ୍ରୀଗ୍ରହଣ ବିଧାନ ରହିଥିଲା । ଏବଂ କାଳକ୍ରମେ ମୁଖ୍ୟତଃ ଆପଣାର କାମଲାଳସାର ପୂରଣ କରିବା ଅଭିପ୍ରାୟରେ ହିଁ ପୁରୁଷମାନେ ବହୁବିବାହକୁ ଏକ ସହଜ ପ୍ରଥାରୂପେ ଖୁବ୍‌ ଗ୍ରହଣ କରି ନେଇଥିଲେ । ଧର୍ମତରଫର ଆନୁଷ୍ଠାନିକ ନ୍ୟସ୍ତସ୍ଵାର୍ଥଗୁଡ଼ିକ ସେଇଟି ସକାଶେ ଆପଣାର ସମର୍ଥନ ମଧ୍ୟ ଦେଇଥିଲେ । ପ୍ରଧାନତଃ ବିଦ୍ୟାସାଗରଙ୍କର ଅବିଶ୍ରାନ୍ତ ଚେଷ୍ଟାଦ୍ଵାରା ହିଁ ଦେଶରେ ବାଲ୍ୟବିବାହ ଏବଂ ବହୁବିବାହକୁ ନିଷିଦ୍ଧ କରି ଦେଶରେ ଆଇନ୍‌ କରାଯାଇଥିଲା ଏବଂ ବହୁ ଦୁର୍ଗତିର ଅନ୍ତ ହୋଇ ପାରିଲା ।

 

ବହୁ ବହୁ ଜିଜ୍ଞାସା, ବହୁ ସଂସ୍କାର–ଯୋଜନାର ନକ୍ସା ଓ ବହୁ ବ୍ୟାକୁଳତାର ଆକର ବିଦ୍ୟାସାଗର ଆପଣାର ବ୍ୟକ୍ତିଗତ ସଂଗ୍ରହଟିରେ ଯେତେ ଯେତେ କିସମର ପୁସ୍ତକମାନ ଆଣି ସାଇତି ରଖୁଥିଲେ, ସେଇଥିରୁ ହିଁ ତାଙ୍କ ଆଗ୍ରହ ତଥା ଜଗତଶ୍ରଦ୍ଧାର ଲମ୍ବା ଲମ୍ବା ହାତଗୁଡ଼ିକର ଏକ ପ୍ରାଞ୍ଜଳ ପରିଚୟ ଖୁବ୍ ସହଜରେ ଅବଶ୍ୟ ମିଳିଯାଉଥିଲା । କହିବା ବାହୁଲ୍ୟ, ସେହି ସମଗ୍ର ସଂଗ୍ରହଟିରେ ସଂସ୍କୃତ ପୁସ୍ତକଚୟ ହିଁ ସର୍ବାଧିକ ସଂଖ୍ୟାରେ ରହିଥିଲେ । ଯେଉଁସବୁ ପ୍ରାଚୀନ ଶାସ୍ତ୍ରର ଜୀବନମେଦିନୀଟି ସହିତ ସିଏ ଲଢ଼ି ବାହାରିଥିଲେ, ସେଗୁଡ଼ିକର ସାହିତ୍ୟ ଯାବତୀୟ କାବ୍ୟସାହିତ୍ୟ ଏବଂ ଦର୍ଶନାଦିର ଭଳି ଭଳି ଭାଷ୍ୟ ଏବଂ ବ୍ୟାଖ୍ୟାମାନ । ସେହି ସଂଗ୍ରହରେ କୋରାନ୍‌ ଥିଲା, ପାଶ୍ଚାତ୍ୟ ବସ୍ତୁବାଦୀ ଦାର୍ଶନିକମାନଙ୍କର ପୁସ୍ତକସବୁ ରଖା ହୋଇଥିଲା, ବିଭିନ୍ନ ଦେଶ ତଥା ସଭ୍ୟତାର ଇତିହାସ, ଲୋକସମାଜ ତଥା ରାଷ୍ଟ୍ରବିପ୍ଳବଗୁଡ଼ିକ ବିଷୟରେ ଲିଖିତ ପୁସ୍ତକମାନ, ଫରାସୀ ବିପ୍ଳବ ସମେତ । ହଁ, ସାର୍‌ ଆଇଜାକ୍‌ ନିଉଟନ୍‌ଙ୍କର ପ୍ରିନ୍ସପିଆ ମାଥେମେଟିକା ଏବଂ ହୁଏତ ତାହାରି କିଞ୍ଚିତ୍‌ ପାର୍ଶ୍ଵବର୍ତ୍ତୀ ହୋଇ ଇଂରାଜ କବି ଶେଲୀଙ୍କର କବିତାବଳୀର ପୂର୍ଣ୍ଣକ୍ରମ ରହିବ ବୋଲି ସିଏ ଚିଠାଟିଏ ପ୍ରସ୍ତୁତ କରିଥିଲେ, ସେଥିରେ ପଦାର୍ଥ ବିଜ୍ଞାନ, ପ୍ରକୃତି-ବିବର୍ତ୍ତନର ଇତିହାସ, ଆଧୁନିକ ଗଣିତବିଦ୍ୟା, ରାଜନୀତି ତଥା ଅର୍ଥନୀତି ତଥା ଦର୍ଶନ ଅନ୍ତର୍ଭୁକ୍ତ ହୋଇ ରହିଥିଲା । ନିଜ କଲେଜର ବିଶେଷ ପ୍ରତିଭାସମ୍ପନ୍ନ ଛାତ୍ରମାନଙ୍କୁ ଯେତେବେଳେ ସେ ଆହୁରି ଉଚ୍ଚକୁ ଯାଇ ଚିକିତ୍ସା ବିଜ୍ଞାନର ଅଧ୍ୟୟନ ଲାଗି ପରାମର୍ଶ ଦେଉଥିଲେ, ସେତେବେଳେ ସେ ବିଶେଷ ଭାବରେ ଏହି କଥାଟିକୁ ସର୍ବଦା ମନରେ ରଖୁଥିଲେ ଯେ, ସେମାନଙ୍କର ସଂସ୍କୃତ ତଥା ବଙ୍ଗଳା ଭାଷାଜ୍ଞାନର ମୂଳଦୁଆଟି ଦୃଢ଼ ହୋଇ ରହିଥିବାରୁ ସେମାନେ ସ୍ଵ-ଅଧ୍ୟୟନରେ ଆହୁରି ଆଗକୁ ଯାଇ ଶରୀରବିଜ୍ଞାନ, ରସାୟନଶାସ୍ତ୍ର, ଉଦ୍‌ଭିଦବିଦ୍ୟା ଏବଂ ପ୍ରାକୃତିକ ଇତିବୃତ୍ତର ବିଶେଷ ଶବ୍ଦଚୟର ବଙ୍ଗଳା ଭାଷାରେ ପାରିଭାଷିକ, ସମବାଚୀ ଶବ୍ଦଗୁଡ଼ିକର ଏକ ସଂକଳନ ମଧ୍ୟ ଅବଶ୍ୟ ପ୍ରସ୍ତୁତ କରି ପାରିବେ ।

 

ପୁନଶ୍ଚ, ବିଦ୍ୟାସାଗରଙ୍କର ବ୍ୟକ୍ତିଗତ ଲାଇବ୍ରେରୀଟି ବିଷୟରେ ସମସାମୟିକ ଜଣେ ବ୍ୟକ୍ତି ଯେଉଁପରି ବର୍ଣ୍ଣନାଟିଏ ପ୍ରଦାନ କରିଛନ୍ତି ଦିନେ ମୁଁ ତାଙ୍କର ଘରକୁ ଯାଇଥିବା ବେଳେ ଆଲମାରୀଗୁଡ଼ିକର କାଚ ସେପାଖରୁ ଦେଖା ଯାଉଥିବା ବହିଗୁଡ଼ିକ ଉପରେ ଦୃଷ୍ଟିପାତ କରିବାକୁ ଲାଗିଲି । ମୋ' ମନର କଥାକୁ ବୁଝି ସେ ନିଜେ ଆସି ଆଲମାରୀଗୁଡ଼ିକୁ ଗୋଟି ଗୋଟି କରି ଖୋଲି ଦେଇଥିଲେ । ଥାକ ଥାକ ବହି, ନାନା ଭାଷାର ଏବଂ ନାନା ବିଷୟର । ସବୁକିଛି ଏକ ରୁଚିସମ୍ପନ୍ନ ଶୃଙ୍ଖଳାରେ ସଜିତ ହୋଇ ରହିଥିଲେ । ଇତିହାସ, ସାହିତ୍ୟ, ଦର୍ଶନଶାସ୍ତ୍ର,–ଏହିପରି ନାନା ବିଭାଜନରେ ଅଲଗା ଅଲଗା ହୋଇ । ଏବଂ, ବଡ଼ ବିସ୍ମିତ ଲାଗିଲା ଯେ, ସବୁଯାକ ଗ୍ରନ୍ଥ ଗୋଟିଏ ପ୍ରକାରରେ ବନ୍ଧା ହୋଇଥିଲେ । ବିଦ୍ୟାସାଗର ମହାଶୟ କହିଲେ, ବିଲାତର କେତୋଟି ପୁସ୍ତକ-ବିକ୍ରେତାଙ୍କ ସହିତ ଏହିଭଳି କଥା ହୋଇଛି ଯେ, କୌଣସି ନୂଆ ବହି ବାହାରିଲେ, ସେମାନେ ସେଗୁଡ଼ିକୁ ଏହିପରି ଭାବରେ ବନ୍ଧାଇ କରି ମୋ' ନାମରେ ଏଠାକୁ ପଠାଇଦେବେ । ମୁଁ ଦେଖିଲି, ଗୋଟିଏ ବିଶେଷ ମହତ୍ତ୍ଵ ନଥିବା ପୁସ୍ତକ ମଧ୍ୟ ଅନ୍ୟ ବହୁ ଦାମିକା ତଥା ବହୁ ମହତ୍ତ୍ଵ ରହିଥିବା ପୁସ୍ତକଗୁଡ଼ିକ ସଦୃଶ ଏକା ଗୁରୁତ୍ଵର ସହିତ ବନ୍ଧାଇ ହୋଇ ରହିଛି । ବହିଟିକୁ କିଣିବାପାଇଁ ଯେତିକି ଖର୍ଚ୍ଚ କରାଯାଇଛି ସେଇଟିର ବନ୍ଧାଇ ନିମନ୍ତେ ହୁଏତ ତା'ଠାରୁ ଯଥେଷ୍ଟ ଅଧିକ ପଇସା ଲାଗିଛି । ଏହି ବହୁ ମୂଲ୍ୟବାନ୍‌ ଗ୍ରନ୍ଥଗୁଡ଼ିକର ମେଳରେ ବସି ହିଁ ବିଦ୍ୟାସାଗର ତାଙ୍କର ଅଧିକାଂଶ ସମୟ ଅତିବାହିତ କରୁଥିଲେ । ଏଡ଼େ ବଡ଼ ଜଣେ ସଂସ୍କୃତଜ୍ଞ ପଣ୍ଡିତଙ୍କର ପାଶ୍ଚାତ୍ୟ ସାହିତ୍ୟ, ଇତିହାସ ଏବଂ ଦର୍ଶନ ପ୍ରତି ଯେ କେତେ ନା କେତେ ଆଗ୍ରହ ରହିଛି, ତାଙ୍କର ଏହି ବୃହଦାକାର ପୁସ୍ତକସଂଗ୍ରହଟିକୁ ଘାଣ୍ଟି ଦେଖିଲେ ହିଁ ତାହାର ଯଥାର୍ଥ ପ୍ରମାଣ ଅବଶ୍ୟ ମିଳିଯାଏ-। ଉକ୍ତ ପରିପୂର୍ଣ୍ଣ ସଂଗ୍ରହଟି ତାଙ୍କ ନିମନ୍ତେ ଏକ ଏତେବେଶୀ ଅନୁରାଗର ସାମଗ୍ରୀ ହୋଇ ରହିଥିଲା ଯେ, ଆଉକେହି ଯେତେ ଆଗ୍ରହର ସହିତ ଇଚ୍ଛା ପ୍ରକାଶ କଲେ ମଧ୍ୟ ସିଏ କେବେହେଲେ ଏଠାରୁ ଗୋଟିଏ ବହି ମଧ୍ୟ ବାହାରକୁ ଯିବାଲାଗି ଅନୁମତି ଦେଉନଥିଲେ । ସବୁବେଳେ କହୁଥିଲେ, ନାଇଁ, ନାଇଁ, ବହିଟିଏ ବାହାରକୁ ଦେଲେ ମୋ' ପ୍ରାଣରୁ ସତେଯେପରି କ'ଣ ଖଣ୍ଡେ ଛିଣ୍ଡି ପଡ଼ିଲାପରି ଲାଗେ । ହଁ, ନିଜ ଲାଇବ୍ରେରୀରୁ ସିନା ବହିଖଣ୍ଡେ କାହାକୁ ଦେଉନଥିଲେ, କିନ୍ତୁ ସ୍ଵୟଂ ଆଉଖଣ୍ଡେ ସେହି ବହି ବାହାରୁ କିଣି ଇଚ୍ଛୁକ ବ୍ୟକ୍ତିଙ୍କୁ ଆଣି ଦେବାଲାଗି ଅନେକ ସମୟରେ ରାଜି ହୋଇ ଯାଉଥିଲେ । ଦୟାର ଅନ୍ତ ନାହିଁ, ଲୋଭର ମଧ୍ୟ ଅନ୍ତ ନାହିଁ !"

 

ବିଦ୍ୟାସାଗରଙ୍କର ଏଡ଼େ ଆପଣାର ପ୍ରିୟସମ୍ପଦ ଏହି ପୁସ୍ତକସଂଗ୍ରହଟିକୁ ଦେଖି ବହୁ ବହୁ ବ୍ୟକ୍ତି ଭାରି ଅବାକ୍‌ ହୋଇ ଯାଉଥିଲେ । ସଂଗ୍ରହଟିକୁ ମାଧ୍ୟମ କରି ସେମାନେ ସତକୁସତ କେଡ଼େ ପ୍ରାସଙ୍ଗିକତା ସହିତ ବ୍ୟକ୍ତିଟି ବିଷୟରେ ମଧ୍ୟ ଏକ ଜଳ ଜଳ ଅନ୍ଦାଜ କରିନେଇ ପାରୁଥିଲେ ଓ ଯେତେ ବିଚିତ୍ର ଲାଗିଲେ ମଧ୍ୟ ତାଙ୍କ ଆଡ଼କୁ ପ୍ରବଳ ଭାବରେ ଟାଣିହୋଇ ଯାଉଥିଲେ । ସେହିପରି ଆଉଗୋଟିଏ ବର୍ଣ୍ଣନାରୁ ମିଳୁଛି : ତାଙ୍କର ଲାଇବ୍ରେରୀଟି ଏକ ଦର୍ଶନୀୟ ବସ୍ତୁ ଥିଲା । ହଜାର ହଜାର ଟଙ୍କା ବ୍ୟୟ କରି ସେ ସେଇଟି ନିମନ୍ତେ ବହୁସଂଖ୍ୟକ ମୂଲ୍ୟବାନ୍‌ ପୁସ୍ତକ ସଂଗ୍ରହ କରିଥିଲେ । ସଂଗ୍ରହଟିକୁ ବିଦ୍ୟାସାଗର ନିଜର ପ୍ରାଣଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ । ହଁ, ବୀରସିଂହ ଗ୍ରାମରେ ତାଙ୍କର ପ୍ରକୃତ ଗୃହଟି ଅବଶ୍ୟ ରହିଛି ବୋଲି ସର୍ବଦା ଅନୁଭବ କରୁଥିଲେ ମଧ୍ୟ ସେ କଲିକତାରେ ମଧ୍ୟ ବିଶେଷ କରି ଯେ ପ୍ରଶସ୍ତ ଗୃହଟିଏ ତିଆରି ମଧ୍ୟ କରିଥିଲେ, ତାହା ହେଉଛି ମୁଖ୍ୟତଃ ନିଜର ସେହି ଗ୍ରନ୍ଥାଗାରଟି ଆବଶ୍ୟକ ହେବାରୁ । କୌଣସି ଭଡ଼ାଘରେ ସେ ଏହି ବହିଗୁଡ଼ିକୁ ଆଦୌ ମନୋମତ ଭାବେ ଖଞ୍ଜିକରି ରଖି ପାରିନଥାନ୍ତେ । ...ଏବଂ, ସେହି ଗ୍ରନ୍ଥାଗାରଟିରେ ସଂସ୍କୃତ, ବଙ୍ଗଳା ଓ ଇଂରାଜୀ ବହୁ ଗ୍ରନ୍ଥ ଭରି ହୋଇ ରହିଥିଲା । ଆହୁରି ଅନେକାନେକ ଶିକ୍ଷିତଙ୍କ ଭଳି ସେ ମୁଖ୍ୟତଃ ଗୃହଶୋଭାପାଇଁ ଇଂରାଜୀ ବହିଗୁଡ଼ିକୁ ରଖିନଥିଲେ, ସେଗୁଡ଼ିକୁ ଅଧ୍ୟୟନ ବି କରିଥିଲେ । ସେହି ସଂଗ୍ରହଟିରେ ସେକ୍‌ସପିଅର୍‌ ଥିଲେ, କବି ମିଲ୍‍ଟନ୍‌ ମଧ୍ୟ ଥିଲେ, ୱାଲ୍‌ଟର୍‌ ସ୍କଟ୍‌, ହକ୍‍ସଲେ, ଟିଣ୍ଡାଲ୍‌, ଜନ୍‌ ଷ୍ଟୁଆର୍ଟ୍‌ ମିଲ୍‌ ଏବଂ ସ୍ପେନ୍‌ସର୍‌ ସଭିଏଁ ରହିଥିଲେ । ହୋମିଓପାଥି ଚିକିତ୍ସା ସହିତ ସଂପର୍କିତ ବହୁ ପୁସ୍ତକ ଥିଲା । ସେହି ସମୟର ହିସାବ ଅନୁସାରେ ହୁଏତ ଲକ୍ଷାଧିକ ଟଙ୍କାର ବହି ।

 

ଶ୍ରୀଯୁକ୍ତ ବିଦ୍ୟାସାଗରଙ୍କର ସଂସ୍କୃତରେ ଅଗାଧ ପାଣ୍ଡିତ୍ୟ ଏବଂ ସଂସ୍କୃତ ଭାଷାପ୍ରତି ଭାରତବର୍ଷରେ ଆଗ୍ରହ ସଦାଜୀବିତ ହୋଇ ରହିଥାଉ ବୋଲି ତାଙ୍କର କେତେ ଉଦ୍ୟମ । ମାତ୍ର, ବହୁ ପଣ୍ଡିତଙ୍କ ପରି ଇଂରାଜୀ ଭାଷାପ୍ରତି ତାଙ୍କ ଭିତରେ ଆଦୌ କୌଣସି ଅନାଦର ନଥିଲା । ସେକ୍‌ସ୍‌ପିଅରଙ୍କର The Comedy of Errors ନାଟକଟିର ଅବଲମ୍ବନରେ ସେ 'ଭ୍ରାନ୍ତିବିଳାସ' ନାମରେ ବଙ୍ଗଳା ପୁସ୍ତକଟିଏ ରଚନା କରିଥିଲେ । ଇଂରାଜମାନଙ୍କଠାରେ ସେ ଏକାଧିକ ଗୁଣର ପରିଚୟ ପାଇଥିଲେ ଏବଂ ସକଳ ଅବସରରେ ଅତ୍ୟନ୍ତ କୁଣ୍ଠାରହିତ ଭାବରେ ତାହାକୁ ସ୍ଵୀକାର ମଧ୍ୟ କରୁଥିଲେ । ପୁନଶ୍ଚ, ପୋଷାକ ପରିଚ୍ଛଦରେ ସମ୍ପୂର୍ଣ୍ଣ ଭାବରେ ସ୍ଵଦେଶୀ ଥିଲେ, ତଥାପି ଏକାଧିକ ଦୈନନ୍ଦିନତାରେ ଇଂରେଜୀ ଶୈଳୀରେ ସବୁକିଛି କରିବା ପାଇଁ ସେ ପସନ୍ଦ ମଧ୍ୟ କରୁଥିଲେ । ଉଲ୍ଲେଖ ରହିଛି ଯେ, ସେ ସର୍ବଦା ଚେୟାର୍‌ ଉପରେ ହିଁ ଉପବେଶନ କରୁଥିଲେ, କେବେହେଲେ ଚଟାଣରେ ବିଛା ହୋଇଥିବା ଦରି ଉପରେ ବସୁନଥିଲେ । ତାଙ୍କ ବାସଭବନରେ ତଳେ ଚଟାଣ ଉପରେ ବସିବାର କୌଣସି ବ୍ୟବସ୍ଥା ନଥିଲା । ଏପରିକି, ଯେଉଁସବୁ ସ୍ଥାନରେ ପୂର୍ବର ନବାବୀ ଅର୍ଥାତ୍‌ ଖାନ୍‍ଦାନୀ ଅମଳ ପରି ଖୁବ୍‌ ଚମତ୍କାର ଭାବରେ ଟଟାଣ କିମ୍ବା ଗାଲିଚା ଉପରେ ବସିବାର ଆୟୋଜନ ରହିଥିଲା, ବିଦ୍ୟାସାଗର ସେଠାରେ ମଧ୍ୟ ଅନ୍ୟ ସମସ୍ତଙ୍କ ପରି ଟଟାଣ ଉପରେ ବସୁନଥିଲେ, ସବୁବେଳେ ଅନ୍ୟମାନଙ୍କ ପାଖରେ ଗୋଟିଏ ଚେୟାର୍‌ ଟାଣିନେଇ ତାହାରି ଉପରେ ବସୁଥିଲେ ।

 

ଆଗରୁ କୁହାଯାଇଛି, ବହୁସଂଖ୍ୟକ ଇଂରାଜୀ ପୁସ୍ତକ ଦୂରଦୂରାନ୍ତରୁ କିଣି ଆଣି ସେ ନିଜର ଗ୍ରନ୍ଥାଗାରରେ ରଖିଥିଲେ । ଅଧିକାଂଶ ବହିକୁ ଭାରତବର୍ଷର ବହିବନ୍ଧାଳିମାନଙ୍କ ହାତରେ ନୁହେଁ, ବିଲାତରୁ ହିଁ ବନ୍ଧାଇ ଅଣାଉଥିଲେ । ବାପା ମାଆଙ୍କର ଯେଉଁ ଆବକ୍ଷଚିତ୍ରକୁ ସେ ନିଜ ସମ୍ମୁଖରେ ରଖି କେତେ ନା କେତେ ପ୍ରେରଣା ଲାଭ କରୁଥିଲେ, ସେଗୁଡ଼ିକୁ ମଧ୍ୟ ଇଂରେଜ ଚିତ୍ରଶିଳ୍ପୀଙ୍କଦ୍ଵାରା ପ୍ରସ୍ତୁତ କରାଇଥିଲେ । ତିନିଜଣ ଉଚ୍ଚପଦସ୍ଥ ଇଂରେଜ ବ୍ୟକ୍ତି, ଯେଉଁମାନଙ୍କ ମଧ୍ୟରେ ସେ କୌଣସି ବିଶେଷ ସଦ୍‌ଗୁଣର ପରିଚୟ ପାଇ ଆପଣାର ଅନ୍ତରଙ୍ଗ ବନ୍ଧୁରୂପେ ଗ୍ରହଣ କରି ନେଇଥିଲେ, ଇଂରେଜ ଶିଳ୍ପୀଙ୍କଦ୍ଵାରା ସେମାନଙ୍କର ଚିତ୍ର ପ୍ରସ୍ତୁତ କରାଇ ସେ ସେଗୁଡ଼ିକ ନିଜ ଘରେ ଅତୀବ ଆଦରର ସହିତ ପ୍ରଦର୍ଶିତ କରି ରଖିଥିଲେ । ତାଙ୍କର ସିଡ଼ିଘରେ ଗୋଟିଏ ବିଲାତରେ ନିର୍ମିତ ଘଣ୍ଟା ହିଁ ଟଙ୍ଗା ହୋଇ ରହିଥିଲା ଏବଂ ବହୁ ଇଂରେଜ ଶିଳ୍ପୀଙ୍କଦ୍ଵାରା ଅଙ୍କିତ ନିଜ ମନପସନ୍ଦ ଛବି ତାଙ୍କର ବୈଠକଖାନାକୁ ମଣ୍ଡିତ କରି ରଖିଥିଲେ । ସେହି ବୈଠକଖାନାରେ ନିତ୍ୟ ବ୍ୟବହୃତ ଆସବାବପତ୍ର ମଧ୍ୟ ସେହି ବିଲାତରେ ହିଁ ନିର୍ମିତ ହୋଇଥିଲା । ଏବଂ, ପୂରା ସାହେବଙ୍କ ପରି ଏକ ଅନୁରୂପ ଶୈଳୀରେ ତାଙ୍କ ନିଜ ଘର ସାମନାରେ ସୁନ୍ଦର ବଗିଚାଟିଏ ମଧ୍ୟ ଥିଲା । ସାହେବମାନଙ୍କ ପରି ସେ ନିଜେ ସେହି ବଗିଚାରେ କାମ ବି କରୁଥିଲେ ।

 

କିନ୍ତୁଃ ତତ୍କାଳୀନ ବହୁ ସମ୍ଭ୍ରାନ୍ତ ଭାରତୀୟଙ୍କ ପରି ସେ ସାହେବୀ କାଇଦାମାନଙ୍କର ଗୋଲାମ ବନିନଥିଲେ । ଅନ୍ୟ ଯେଉଁଠାରେ ହେଉ ପଛକେ, ନିଜକୁ ଉତ୍ତମ ବୋଲି ଲାଗିଲେ ତାହାକୁ ଏକ ଅକାତର ସହଜତା ସହିତ ନିଜ ଜୀବନରେ ଗ୍ରହଣ କରିନେବାର ଯେଉଁ ଭଦ୍ର ମାର୍ଗଟି, ସେଇଟି ନିମନ୍ତେ ନିଜ ଭିତରୁ ମୋଟେ କୌଣସି ହୀନମନ୍ୟତାଦ୍ଵାରା ପ୍ରେରିତ ହେବାକୁ ପଡ଼ି ନଥାଏ ଓ ତେଣୁ ନିତାନ୍ତ ଭେସରା ଭାବରେ ନକଲ ବି କରିବାକୁ ପଡ଼େ ନାହିଁ । ବିବରଣୀଟିଏ ଏପରି ରହିଛି ଯେ, ଏକଦା କଲିକତା ନଗରୀରେ ଗୋଟିଏ ସୁପରିଚିତ ପାଠାଗାରରେ ମଝିରେ ମଝିରେ ସାନ ବଡ଼ ଗୋଷ୍ଠୀରେ ଆଲୋଚନାଦି ଅନୁଷ୍ଠାନମାନ ମଧ୍ୟ ହେଉଥିଲା । ସେହି ପାଠାଗାରକୁ ଆସୁଥିବା ସମ୍ବାଦପତ୍ର ଓ ପତ୍ରିକାଗୁଡ଼ିକୁ ପଢ଼ିବା ନିମନ୍ତେ ସେଠାକୁ ଯେଉଁମାନେ ଯାଉଥିଲେ, ମୁଖ୍ୟତଃ ସେହିମାନେ ହିଁ ସେଥିରେ ଅଂଶଗ୍ରହଣ କରୁଥିଲେ । ଦିନେ ସେହିପରି ଗୋଟିଏ ଅଧିବେଶନରେ ଶ୍ରୀଯୁକ୍ତ ଉମେଶଚନ୍ଦ୍ର ବନ୍ଦୋପଧ୍ୟାୟ ମଧ୍ୟ ଉପସ୍ଥିତ ଥିଲେ । ଉମେଶଚନ୍ଦ୍ର ସେହି ସମୟରେ W.CBannerjee ନାମରେ ସମସ୍ତଙ୍କ ନିକଟରେ ସୁପରିଚିତ ଏବଂ ସମସ୍ତଙ୍କର ନଜରରେ ଜଣେ ସୁପ୍ରତିଷ୍ଠିତ ବ୍ୟକ୍ତି ଥିଲେ । ୧୮୮୫ ଖ୍ରୀଷ୍ଟାବ୍ଦରେ ଭାରତୀୟ ଜାତୀୟ କଂଗ୍ରେସର ସର୍ବପ୍ରଥମ ଅଧିବେଶନରେ ସଭାପତି ହୋଇଥିଲେ । ପ୍ରସିଦ୍ଧ ବକ୍ତା ମଧ୍ୟ ଥିଲେ । ଇଂରେଜୀ ଭାଷା ଉପରେ ତାଙ୍କର ଏକ ବିଶେଷ ଦଖଲ ରହିଥିଲା, ଏବଂ ସେହି ଭାଷାରେ ସେ ଦୀର୍ଘ ସମୟଯାଏ ପରମ ନିପୁଣତା ସହିତ ଅନର୍ଗଳ ବକ୍ତୃତାମାନ ଦେଇ ପାରୁଥିଲେ । ଏପରି ଏକ କୁଶଳପ୍ରକାରର ବକ୍ତୃତା ଯେ, ସାହେବମାନେ ମଧ୍ୟ ସେଥିଲାଗି ତାଙ୍କର ବହୁତ ପ୍ରଶଂସା କରୁଥିଲେ-। ବକ୍ତୃତା ଦେଉଥିବା ସମୟରେ ଏପରି ଇଂରେଜୀ ଭଙ୍ଗ ତଥା ବିଭଙ୍ଗମାନ ବ୍ୟକ୍ତ କରୁଥିଲେ ଯେ ଶ୍ରୋତାମାନେ ସମ୍ପୂର୍ଣ୍ଣ ଭାବରେ ମୁଗ୍ଧ ହୋଇ ଯାଉଥିଲେ । ଅନ୍ୟ କୌଣସି ବଙ୍ଗଦେଶବାସୀ ଏତେ ଖାଣ୍ଟି ଭାବରେ ଇଂରେଜୀ ଧରଣଗୁଡ଼ିକର ଅନୁକରଣ କରିନଥିଲେ ବୋଲି ତାଙ୍କ ବିଷୟରେ ଏକ ସୁନାମ ମଧ୍ୟ ସର୍ବବିଦିତ ହୋଇ ରହିଥିଲା । ହାତରେ ରୁମାଲ ଧରି ସଭାରେ ନାକ ଝାଡ଼ିବାର କାଇଦାଟା ମଧ୍ୟ ପୂରାପୂରି ସେହି ଇଂରେଜୀ ଶୈଳୀରେ ଥିଲା । ପୁନଶ୍ଚ, ଏପରି ଗୋଟିଏ ସୁଅପବାଦ ତାଙ୍କ ବିଷୟରେ ରହିଥିଲା ସେ କୁଆଡ଼େ ତାଙ୍କର ଭାବୀ ସନ୍ତାନଟିଏ ଭାରତବର୍ଷରେ ନୁହେଁ, ମାତ୍ର ଇଂଲଣ୍ଡରେ ହିଁ ଭୂମିଷ୍ଠ ହେବାର ପୁଣ୍ୟଟିକୁ ଅର୍ଜନ କରୁ ବୋଲି ମନାସି ଅନୁରୂପ ଅନୁକୂଳ ନାନା ବ୍ୟବସ୍ଥା ମଧ୍ୟ କରିଥିଲେ । ସେତେବେଳେ ତ ଅଧିକାଂଶ ସମ୍ଭ୍ରାନ୍ତ ପୁରୁଷ ତ ପ୍ରକୃତରେ ସେହିସବୁ ସାଧନା ହିଁ କରୁଥିଲେ । ବିଶେଷ ବ୍ୟୁତ୍ପତ୍ତିସମ୍ପନ୍ନ ଛାତ୍ରମାନେ ସକଳ ଅବସରରେ ମୋଟେ ବଙ୍ଗଳା ଭାଷା ନୁହେଁ ଇଂରେଜୀରେ ହିଁ କଥା ହେଉଥିଲେ । ସର୍ବସାଧାରଣରେ କିଛି ଭାଷଣ ଦେବାର ଥିଲେ ଅନେକେ ଖୁବ୍ ସତର୍କତା ଅବଲମ୍ବନ କରି ବକ୍ତବ୍ୟ ବାକ୍ୟଗୁଡ଼ିକ ମୁଖସ୍ଥ କରି ହିଁ ଯାଉଥିଲେ ଓ ଅଧିକାଂଶ ସ୍ଥଳରେ କୌଣସି ବହିରୁ ହିଁ ଘୋଷି ଆପଣାକୁ ପାକଳ କରି ନେଉଥିଲେ । ଶ୍ରୋତାମାନଙ୍କ ପାଖରୁ ସେମାନଙ୍କୁ ସର୍ବଦା କେତେ ନା କେତେ ବାହା ବାହା ମିଳୁଥିଲା ।

 

ବେଶ୍ କୌଣସି ଦୁର୍ଦେବର ସଂଯୋଗବଶତଃ ସେଦିନ ଗୋଟିଏ ଅଧିବେଶନରେ ସେଠାରେ ଶ୍ରୀ ଉମେଶ ବାନାର୍ଜୀ ଜଣେ ପ୍ରମୁଖ ବକ୍ତା ଏବଂ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ହେଉଛନ୍ତି ସଭାର ସଭାପତି । ଶ୍ରୋତାମାନେ ସମସ୍ତେ ଇଂରେଜୀଭାଷାର ପ୍ରୀତିଫାଶରେ ଆବଦ୍ଧ । ବକ୍ତାମାନେ ଜଣକ ପରେ ଜଣେ ଇଂରାଜୀ ଭାଷଣମାନ ଗାଳିଦେଇ ଯାଉଥାନ୍ତି ଏବଂ ଶ୍ରୋତାବୃନ୍ଦ କରତାଳି ଦେଇ ସଭାସ୍ଥାନଟିକୁ ପ୍ରାୟ କମ୍ପାଇ ଦେଉଥାଆନ୍ତି । ସତେଅବା ଏକ ଉତ୍ସବ ଲାଗି ରହିଥାଏ । ସଭାପତି ସତେଅବା ସ୍ଥିତପ୍ରଜ୍ଞଙ୍କ ପରି ନିଜ ଆସନରେ ସମ୍ପୂର୍ଣ୍ଣ ଅବିକ୍ଷୁବ୍ଧ ଭାବରେ ଉପବିଷ୍ଟ ରହି ସମସ୍ତଙ୍କର ଭାଷଣଗୁଡ଼ିକୁ ଶୁଣୁଥାଆନ୍ତି । ସମସ୍ତେ ଚାତକଚିତ୍ତରେ ଅପେକ୍ଷା କରିଥାନ୍ତି ସଭାପତିଙ୍କର ପାଳି କେତେବେଳେ ପଡ଼ିବ ଓ ସେ ମଧ୍ୟ ନିଜର ଅଭିଭାଷଣଟିକୁ ପ୍ରଦାନ କରିବେ । ଏବଂ, ପୂରା ଆଶା ରଖିଥାଆନ୍ତି ଯେ ସିଏ ଇଂରାଜୀରେ ଭାଷଣଟିକୁ ଦେବେ । ସମସ୍ତେ ଯେତେବେଳେ ଇଂରାଜୀରେ କହୁଛନ୍ତି, ଅନ୍ତତଃ ଏକ ସଂଗତି ରକ୍ଷା କରି ତାଙ୍କୁ ଇଂରାଜୀ ଭାଷାରେ କହିବାକୁ ହିଁ ପଡ଼ିବ । କିନ୍ତୁ, ଏକାବେଳେକେ ମୂଳରୁ ହିଁ ସଭାପତି ବାତାବରଣଟାକୁ ହାଲୁକା ହିଁ କରି ଦେଇଥାନ୍ତି । ଯେତେବେଳେ ଜଣେ ବକ୍ତାଙ୍କର ବକ୍ତୃତା ଶେଷ ହୋଇ ଯାଉଥାଏ, ସେତେବେଳେ ସେ ଆଉଜଣକୁ ଉଦ୍ଦେଶ୍ୟ କରି ବଙ୍ଗଳାରେ କହୁଥାନ୍ତି, ଏଥର ତୁମେ ଆସି କିଛି କହିବଟି ବାବୁ,–ଆସ, ଏବଂ କିଛି କହ । ଏବଂ, ଏପରି ଭଙ୍ଗୀରେ ଏହି କେତୋଟି ଶବ୍ଦକୁ ସେ କହୁଥାଆନ୍ତି ଯେ, ସେଥିରେ ତୁଚ୍ଛା ଗୋଟାଏ ହାଲୁକା କରି ପକାଇବାର ପରିବେଶ ସୃଷ୍ଟି ହୋଇ ଯାଉଥାଏ ଏବଂ ଗମ୍ଭୀର ମୁହଁମାନେ ଯେ କେତେବେଳେ ଗମ୍ଭୀର୍ଯ୍ୟ ଭୁଲି କିରିକିରି ହୋଇ ହସି ଉଠୁଥାନ୍ତି, ସେମାନେ ନିଜେ ମଧ୍ୟ ସେଇଟି ବିଷୟରେ ସଜ୍ଞାନ ନଥାନ୍ତି । ବିଦ୍ୟାସାଗର ସତେଅବା ଆହୁରି ଅଧିକ କିଛି ବିନୋଦନ ସୃଷ୍ଟି କରି ନିଜ ନିମନ୍ତେ ହୁକାର ବରାଦ ବି ଦେଲେ ଏବଂ ସିଏ ସେଇଠି ନିଜର ଆସନରେ ଥାଇ ଫସଫସ୍ କରି ହୁକା ଗଣିବାକୁ ଆରମ୍ଭ କଲେ । ଦେଖଣାହାରୀ ବହୁତଙ୍କୁ କ୍ରମେ ବହୁତ ବିରକ୍ତିକର ଲାଗିବାକୁ ଆରମ୍ଭ କଲା । ପଣ୍ଡିତ ବିଦ୍ୟାସାଗରଙ୍କର ମଥା କ'ଣ ଆଜି ଖରାପ ହୋଇଗଲା ନା କ'ଣ ! ସେଇ ଗାଉଁଲି ଧୋତି ଏବଂ ଚଦରର ପରିଧାନ, ହାତରେ ହୁକାଟା ପୂର୍ଣ୍ଣ ସକ୍ରିୟ,–ତା' ଉପରେ ପୁଣି ସଭାପତି ବକ୍ତାମାନଙ୍କର ବକ୍ତୃତାଗୁଡ଼ିକୁ ଶୁଣି ଖୁବ୍ ଉପଭୋଗ କରୁଥିବା ବାଗିର୍ ଗୋଟାଏ ମଫସଲି ଅପାଂକ୍ତେୟ ପରି ମୁଣ୍ଡ ହଲାଇବାରେ ବି ଲାଗିଥାଆନ୍ତି,–ଆଉ କିଏ ଏମିତି ଅଛି ଯେ ନହସି ରହିପାରିବ । ଖୋଦ ବାବୁ ଉମେଶଚନ୍ଦ୍ର ମଧ୍ୟ ଆଉ ସମ୍ଭାଳି ରହି ପାରିଲେ ନାହିଁ । ନିପଟ ବଙ୍ଗାଳିଙ୍କ ପରି ହସିବାକୁ ଲାଗିଲେ ।

 

ଆମେ ଭ୍ରାନ୍ତିରେ ପଡ଼ି କଦାପି ଅନୁମାନ କରି ପକାଇବା ନାହିଁ ଯେ, ଇଂରାଜୀ ଭାଷାଟି ପ୍ରତି କୌଣସି ହତାଦର ରହିଥିଲା ବୋଲି ଶ୍ରୀଯୁକ୍ତ ବିଦ୍ୟାସାଗର ଉକ୍ତ ସଭାରେ ଏପରି ବୟସ୍ୟ ଭଳି ଆଚରଣ ପ୍ରଦର୍ଶନ କରିଥିଲେ । ଯିଏ ଅସଲ ପଣ୍ଡିତ, ସତକୁସତ ଜଣେ ପ୍ରଜ୍ଞାଶୀଳ ବ୍ୟକ୍ତି, ସିଏ ଗୋଟିଏ ଭାଷାରେ ତାହାର ବିଶେଷ ବ୍ୟୁତ୍ପତ୍ତି ରହିଛି ବୋଲି ଆଉଗୋଟିଏ ଭାଷାପ୍ରତି କଦାପି ଅବଜ୍ଞାଭାବ ଆଦୌ ଦେଖାଏ ନାହିଁ । ଅଧିକନ୍ତୁ, ବିଦ୍ୟାସାଗର ଇଂରାଜୀ ଭାଷା ଓ ସାହିତ୍ୟର ଜଣେ ପ୍ରବୀଣ ପ୍ରଶଂସକ ମଧ୍ୟ ଥିଲେ । ଭାରତବର୍ଷର ପିଲାଏ ସମାନ ଗୁରୁତ୍ଵ ଦେଇ ନିଜର ଭାଷା ସହିତ ଇଂରାଜୀ ଭାଷା ମଧ୍ୟ ଅବଶ୍ୟ ଶିକ୍ଷା କରନ୍ତୁ ବୋଲି ସର୍ବଦା ଦାବି କରୁଥିଲେ । ସିଏ ଆପେ କେବେ ବିଲାତ ଯାଉନଥିଲେ ସିନା, କିନ୍ତୁ ଆଉ ଯେଉଁ ଶତଶତ ବ୍ୟକ୍ତି ବିଲାତରେ ପାଠ ପଢ଼ି ଯାଇ ନିଜର ମୂଳଭୂମି, ମୂଳଭାଷା ଏବଂ ମୂଳଜୀବନପରିମଳଗୁଡ଼ିକୁ ହରାଇ ଦେଉଥିଲେ, ଈଶ୍ଵରଚନ୍ଦ୍ର ସେମାନଙ୍କଠାରୁ ଅଧିକ ଯଥାର୍ଥ ଭାବରେ ଇଂରେଜମାନଙ୍କୁ ଏବଂ ସେମାନେ ନିଜ ଶ୍ରଦ୍ଧାଚେତନାର ଗଭୀରତମ ସ୍ତରରେ ବହନ କରୁଥିବା ମୂଲ୍ୟସନ୍ତକଗୁଡ଼ିକୁ ଅଧିକ ହିଁ ବୁଝୁଥିଲେ । ସଂକ୍ଷେପରେ କହିଲେ, ସେ କୌଣସି ଅବକାଶରେ ମଧ୍ୟ କୃତ୍ରିମତାଟାକୁ କୃତ୍ରିମତା ବୋଲି କହି ବର୍ଜନ କରିବାକୁ ସଙ୍କୋଚ ହିଁ କରୁ ନଥିଲେ । ସବୁକାଳ ପରି ବିଦ୍ୟାସାଗରଙ୍କ ସେହି କାଳରେ ମଧ୍ୟ ସାହେବ ହେବେ ବୋଲି ଯେପରି ଥୋକେ ଅତ୍ୟୁତ୍ସାହୀ ନିଜ ଏନ୍ତୁଡ଼ିଶାଳର ସବୁକିଛିକୁ ଅବଜ୍ଞା ପ୍ରଦର୍ଶନ କରୁଥିଲେ, ସେହିପରି ଏପଟେ ଥୋକେ ଏଭଳି ମଧ୍ୟ ଥିଲେ ଯେଉଁମାନେ କି ନିତାନ୍ତ ରକ୍ଷଣଶୀଳ ଅତିରିକ୍ତତାରେ ସଂସ୍କୃତକୁ ହିଁ ଯାବୁଡ଼ି ରହିଥିଲେ, ଆକାରଣରେ ପ୍ରଦର୍ଶିନପ୍ରିୟ ଥିଲେ ଏବଂ ଆଉ ସବୁକିଛିକୁ ତୁଛା ନାକ ଟେକୁଥିଲେ । ଏକଦା ସ୍ଵୟଂ ବିଦ୍ୟାସାଗର ଏପରି ଏକ ଘଟଣାର ବର୍ଣ୍ଣନା କରିଥିବାର ବିବରଣୀ ରହିଛି ଯେ, ବହୁତ ମନୁଷ୍ୟ ଏପରି ମଧ୍ୟ ଥାଆନ୍ତି, ଯେଉଁମାନେ କି ଅଳ୍ପ କିଛି ସଂସ୍କୃତ ଶିଖିଯିବା ପରେ ଆପଣାକୁ ସତେଅବା କେତେକ'ଣ ବୋଲି ଭାବିବାକୁ ଆରମ୍ଭ କରି ଦିଅନ୍ତି । ସେମାନେ ସଂସ୍କୃତରେ କଥା କହିବାକୁ ମଧ୍ୟ ଆରମ୍ଭ କରିଦିଅନ୍ତି । ଘଟଣାଟି ଅନୁସାରେ, ଥରେ ଜଣେ ହିନ୍ଦୁସ୍ଥାନୀ ପଣ୍ଡିତ ତାଙ୍କ ସହିତ ସାକ୍ଷାତ କରିବାକୁ ଆସିଥିବା ସମୟରେ ତାଙ୍କ ସହିତ ସଂସ୍କୃତରେ ହିଁ କଥା କହିବାକୁ ଆରମ୍ଭ କରି ଦେଇଥିଲେ । କିନ୍ତୁ, ଶ୍ରୀଯୁକ୍ତ ବିଦ୍ୟାସାଗରର ହିନ୍ଦୀଭାଷାରେ ହିଁ ତାଙ୍କ ସଂସ୍କୃତ କଥାଗୁଡ଼ିକର ଉତ୍ତର ଦେଉଥାନ୍ତି । ଆଗନ୍ତୁକ ପଣ୍ଡିତ ଜଣଙ୍କର ଭାଷାରେ ବହୁତ ଅଶୁଦ୍ଧ ପ୍ରୟୋଗ ଓ ଭୁଲ୍ ବ୍ୟାକରଣ ରହିଥାଏ । ସେଥିରେ ହୁଏତ କିଞ୍ଚିତ୍ ବିଚଳିତ ହୋଇ ବିଦ୍ୟାସାଗର ସେହି ପଣ୍ଡିତଙ୍କ ବିପକ୍ଷରେ ଆଉ କାହା ପାଖରେ ମନ୍ତବ୍ୟଟିଏ ଦେଇଥିଲେ: ସଂସ୍କୃତ କହିବାରେ ଏଣେ ପଦେ ପଦେ କେତେ ଭୁଲ୍, ଅଥଚ ତଥାପି ହିନ୍ଦୀ କହିବାକୁ ମୋଟେ ରାଜି ନୁହନ୍ତି ।

 

ବଙ୍ଗଳା ସାହିତ୍ୟ ଏବଂ ବଙ୍ଗଳା ଭାଷାକୁ ବିଦ୍ୟାସାଗରଙ୍କ ଯେଉଁ ମହନୀୟ ଅବଦାନ ରହିଛି, ସେହି କଥାଟିକୁ ସାହିତ୍ୟର ତଥା ତତ୍କାଳୀନ ଲୋକଜୀବନର ଏକାଧିକ ଟୀକାକାର କେତେପ୍ରକାର ସ୍ଵୀକାର କରି ଯାଇଛନ୍ତି । ତଥାପି, ସିଏ ଉଭୟ ଭାଷା ଏବଂ ସାହିତ୍ୟର କ୍ଷେତ୍ରରେ ଯେଉଁସବୁ ନୂତନ ପ୍ରସାରଣ ଆଣି ଦେଇଥିଲେ, ତାହାକୁ ଯେ ସମସ୍ତେ ମସ୍ତକ ନତ କରି ମାନି ନେଇଥିଲେ, ସେକଥା ଆଦୌ ନୁହେଁ । ସାହିତ୍ୟ ସମେତ ଯାବତୀୟ କ୍ଷେତ୍ରରେ ଯେଉଁମାନେ ଗୁଳାରେ ରହି ମଧ୍ୟ ବିଶେଷ ନୈପୁଣ୍ୟର ପ୍ରଦର୍ଶନ କରନ୍ତି, ସେମାନଙ୍କୁ ହୁଏତ ଅଧିକାଂଶ ଶିବିର କେଡ଼େ ଖୁସୀ ହୋଇ ମାନି ନିଅନ୍ତି । ସେମାନଙ୍କୁ ସତେଅବା କେତେ ନା କେତେ ପ୍ରଶଂସା ବାକ୍ୟ ସହିତ ଏକାବେଳେକେ ମଥାନ ଉପରେ ନେଇ ବସାଇ ଦିଅନ୍ତି । କିନ୍ତୁ, ଅନ୍ୟ ଅନ୍ୟମତିମାନେ କୌଣସି ନୂତନ ମୋଡ଼, ନୂତନ ବାଙ୍କ, ନୂତନ ପ୍ରସାରଣ ତଥା ନୂତନ ଉତ୍ତୋଳନର ବାର୍ତ୍ତା ବହନ କରି ନିଜର ପ୍ରାୟ ଏକ ସ୍ଵତନ୍ତ୍ର ପରିଚୟ ଦିଅନ୍ତି, ସେମାନଙ୍କ ସହିତ ମଧ୍ୟ କିଛି ସମଭାବନାର ବ୍ୟକ୍ତି ରହିଥାନ୍ତି ସତ, କିନ୍ତୁ ବିରୋଧ ମଧ୍ୟ ଖୁବ୍ ହୁଏ । ସ୍ଥିତାବସ୍ଥାର ଚିହ୍ନା ମାର୍ତ୍ତଣ୍ଡମାନେ ପ୍ରମାଦ ବି ଗଣନ୍ତି-। ସତେଅବା ଆକାଶଟା ଭାଙ୍ଗି ପଡ଼ିବ ବୋଲି ଅନେକେ ଆତଙ୍କିତ ହୋଇ ଉଠନ୍ତି । ବିଦ୍ୟାସାଗର ଗାଆଁରୁ ଆପଣା ଜୀବନପ୍ରେରଣାର ଏକାବେଳେକେ ନାହାକା ଚେରଟାକୁ ନେଇ କଲିକତା ସହରକୁ ଆସିଥିଲେ ଏବଂ ଭାରି ଅଭାବନୀୟ କଥାଟିଏ ପରି ଏବେ ମଧ୍ୟ ଲାଗୁଛି ଯେ, ସହରର ଅନନ୍ୟ–ସାଧାରଣମାନେ ତାଙ୍କୁ ହୁଏତ କିମ୍ଭୂତ ବୋଲି ଅନୁମାନ କଲେ ମଧ୍ୟ ତଥାପି କୌଣସି ପ୍ରକାରେ ଟଳାଇ ପାରିନଥିଲେ । ଯଥାସମ୍ଭବ ଦୂରଛଡ଼ା ହୋଇ ରହିଲେ, ସିନା, କିନ୍ତୁ ପଥ ଓଗାଳି ପାରିଲେ ନାହିଁ । କାରଣ, ବିଦ୍ୟାସାଗର ସମ୍ଭବତଃ ସେମାନଙ୍କ ତୁଳନାରେ ଅଧିକ ଆଗକୁ ଦେଖି ପାରୁଥିଲେ,–ଯେତେ ସ୍ଥାନୀୟ କ୍ରିୟାଶୀଳତାଗୁଡ଼ିକରେ ପୂର୍ଣ୍ଣ ଉତ୍ସାହର ସହିତ ମଜ୍ଜି ରହିଥିଲେ ମଧ୍ୟକେତେ ବୃହତ୍ତର ଆୟତନର ବହୁ ସନ୍ଦର୍ଭରେ ବର୍ତ୍ତମାନଟିକୁ ଅନୁଭବ କରି ପାରୁଥିଲେ, ଭବିଷ୍ୟତର ଏକ ନକ୍ସାକୁ ମଧ୍ୟ ସେହି ବର୍ତ୍ତମାନ ମଧ୍ୟରେ ହିଁ ସମ୍ଭାବନାସଦୃଶ ରହିଛି ବୋଲି କେଡ଼େ ସହଜରେ ଅର୍ଥାତ୍ ଆଦୌ କୌଣସି କୋଳାହଳ ନକରି ଘ୍ରାଣ ବି କରୁଥିଲେ । ଆପଣାକୁ ତାହାରି ଏକ ନିମିତ୍ତ ବୋଲି ନିଜ ପାଖରେ ସ୍ଵୀକାର କରି ନେଇଥିଲେ ।

 

ଈଶ୍ଵରଚନ୍ଦ୍ରଙ୍କର ଭାଷା ଏବଂ ସାହିତ୍ୟ ତାଙ୍କର ଜୀବନରୂପକ ସମଗ୍ର ଆବେଦନଟିଠାରୁ ମୋଟେ ଅଲଗା ନଥିଲା । ଜୀବନ ପ୍ରତି ବିରାଗ ପ୍ରକାଶ କରି ସତେଅବା ଏକ ଖାସ୍ ପ୍ରକାରର କ୍ଷତିପୂରଣର ଆସ୍ପୃହାରେ ମୋଟେ ସାହିତ୍ୟକୁ ମନ କରିନଥିଲେ । ତାଙ୍କର ବୁଦ୍ଧିଦୀପ୍ତ ହୃଦୟ ନିରନ୍ତର ଏକ ପ୍ରାୟ ସ୍ଵାଭାବିକ ଆତ୍ମୀୟତାର ଚତୁର୍ଦ୍ଦିଗର ଜୀବନ-ମହାଖଣ୍ଡଟି ସହିତ ଯୁକ୍ତ ହୋଇ ରହିଥିଲା । ମଥା ହୃଦୟର ପରିଚର୍ଯ୍ୟା କରୁଥିଲା ଏବଂ ହୃଦୟ ମଧ୍ୟ ମଥାକୁ ଅଭୟ ଯୋଗାଇ ଦେଉଥିଲା । ଆଉପ୍ରକାରେ କହିଲେ, ଜୀବନପ୍ରତି, ଏପରିକି ତଥାକଥିତ ନିଜର ଜୀବନ ପ୍ରତି ତାଙ୍କର ମର୍ଯ୍ୟାଦାବୋଧ ତାଙ୍କ ସାହିତ୍ୟ ବିଚରଣକୁ ମର୍ଯ୍ୟାଦାବନ୍ତ କରି ରଖିଥିଲା ଏବଂ ତାଙ୍କର ସାହିତ୍ୟ–ବିଚରଣର ମର୍ଯ୍ୟାଦା ମଧ୍ୟ ତାଙ୍କର ଜୀବନନାମକ ସଦାପ୍ରସାରଣର ସ୍ଵଧର୍ମଟିକୁ ମଧ୍ୟ ମର୍ଯ୍ୟାଦାବନ୍ତ କରୁଥିଲା । ଜୀବନ ସହିତ ସାହିତ୍ୟର ଏକ ପ୍ରାୟ ସ୍ଵଇଚ୍ଛାକୃତ ବ୍ୟବଧାନକୁ ହିଁ ଏକ ଆମୋଦବତ୍ ଅନୁଭବ କରିବା, ଅନେକ ଲେଖକଙ୍କର ସତେଅବା ତାହାହିଁ ଅସଲ ଶ୍ରମଟିଏ ହୋଇ ରହିଥାଏ । ସେମାନେ ବେଳେବେଳେ ଏଠୁ ଅନ୍ତତଃ ଅନ୍ତର୍ଗତ ଭାବରେ ଘଡ଼ିଏ ନିର୍ବାସିତ କରିନେଇ ଆଉ କେଉଆଡ଼େ ପଳାଇଯିବାକୁ ଖୁବ୍ ମନ କରନ୍ତି, ଏବଂ ସେତିକିବେଳେ ସାହିତ୍ୟ କରନ୍ତି । ଏବଂ କେତେଘଡ଼ି ପରେ ପୁର୍ନବାର ଏହି ଆଠପହରୀଟାକୁ ଲେଉଟି ଆସନ୍ତି । ସେହି ତେଣେ ରହିଥିବା ସମୟରେ କଳା କରନ୍ତି, ସାହିତ୍ୟାଦି କରନ୍ତି, ଏପରିକି ନିଜେ ବୁଝିଲାଭଳି ସଂସ୍କୃତିଟିଏବି ବଞ୍ଚନ୍ତି । ଜୀବନ ଏବଂ ସାହିତ୍ୟ ମଧ୍ୟରେ କଳ୍ପିତ ସକଳ ବ୍ୟବଧାନକୁ ଦୂର କରି ଗୋଟିଏ ହୋଇ ବଞ୍ଚିବା, ଯୁକ୍ତ ହୋଇ ରହିବା,–ସାହିତ୍ୟ ତଥା ସାହିତ୍ୟେତର ସକଳ ଆହ୍ଵାନର କ୍ଷେତ୍ରରେ ଗୋଟାଏ ମମତାପୂର୍ଣ୍ଣ ଆନୁଗତ୍ୟରେ ଆପେ ଆପେ ବାନ୍ଧି ହୋଇ ରହିବା,–ଆଧୁନିକତାର ଅସଲ ବାର୍ତ୍ତାଟି କହିଲେ ସର୍ବଦା ତାହାହିଁ ବୁଝାଇବା ଉଚିତ । ସେହି ବିଦ୍ୟାସାଗରଙ୍କର ଭାଗବତ ମେଦିନୀଟି ଅନୁସାରେ କହିଲେ, ବହୁତଙ୍କ ମଧ୍ୟରେ ନିଜକୁ କୌଣସି ନା କୌଣସି ଅର୍ଥରେ ବିଶିଷ୍ଟ କରି ରଖିବା–ତାହା ଆଦୌ ଆଧୁନିକତା ନୁହେଁ । ତେଣୁ, ଇଉରୋପୀୟ ନୂତନ ସନ୍ଦେଶ ଓ ନୂତନ ଉନ୍ମେଷଣାମାନ ଏଠି ଆମ ନିଜ ଚେତନାଗ୍ରାମଟିକୁ ସଂକ୍ରାମିତ ହୋଇ ଆସିବ ଏବଂ ଆମକୁ ଏକ ବ୍ୟାଧିତ ଓ ଖଣ୍ଡିତ ଅର୍ଥରେ elite କରି ରଖିବ, ସେଇଟି ମୋଟେ ଆଧୁନିକତା ନୁହେଁ, ସମଗ୍ର ଭାରତବର୍ଷର ଲୋକ-ଜୀବନ ଅର୍ଥାତ୍ ଲୋକବାସ୍ତବଟି ହିଁ ସୁସ୍ଥ ଭାବରେ ଅଳପ ମଧ୍ୟରୁ ଅଧିକରୁ ଅଧିକକୁ ସଂପ୍ରସାରିତ ହୋଇ ଆସିବ, ଶ୍ରୀ ବିଦ୍ୟାସାଗର ତାହାକୁ ପ୍ରକୃତ ଆଧୁନିକତା ବୋଲି ବୁଝୁଥିଲେ । ଏବଂ ନିଜର ସାହିତ୍ୟକୁ ମଧ୍ୟ ସେଥିପାଇଁ ନିୟୋଜିତ କରି ରଖିଥିଲେ ।

 

ଏହି ଅଧ୍ୟାୟଟିର ପ୍ରକରଣଟି ଶେଷ ହେବା ପୂର୍ବରୁ ଆମେ ଏଠାରେ ଆଉ ଏକ ପ୍ରସଙ୍ଗ ବର୍ତ୍ତମାନ ପକାଇବା ଯାହା ହୁଏତ ବାହାରୁ ବିଚାର କଲେ ସମ୍ଭବତଃ ଟିକିଏ ଅପ୍ରାସଙ୍ଗିକ ପରି ଲାଗିବ । ଏହି ଅଧ୍ୟାୟର ମୂଳ ବିଷୟଟି ସହିତ ମିଶୁନଥିଲା ପରି ମନେହେବ । ତଥାପି, ଆଦୌ ଅବାନ୍ତର ମନେ ହେବନାହିଁ । ସେହି ପ୍ରସଙ୍ଗଟି ହେଉଛି ବିଦ୍ୟାସାଗରଙ୍କ ସହିତ ସମକାଳୀନ ଶ୍ରୀରାମକୃଷ୍ଣ ପରମହଂସଙ୍କର ଏକ ସାକ୍ଷାତକାରର ବର୍ଣ୍ଣନା । ଭାରତୀୟ ଜୀବନଅଧ୍ୟାୟର ଏକ ବିଶେଷ ଆଲେଖ୍ୟରୂପେ ଶ୍ରୀ ରାମକୃଷ୍ଣ ପରମହଂସଙ୍କର କଥାମୃତର ସାହିତ୍ୟସମ୍ପଦଟିକୁ ରଚନା କରି ଆମ ସମସ୍ତଙ୍କୁ ଧନ୍ୟ କରିଥିବା ଶ୍ରୀ 'ମ' ଅର୍ଥାତ୍ ଶ୍ରୀମହେନ୍ଦ୍ରନାଥ ଗୁପ୍ତଙ୍କର ନିଜ ଭାଷାରେ:

 

''ଠାକୁର ରାମକୃଷ୍ଣ ଦେବଙ୍କର ଜନ୍ମଗ୍ରାମ କାମାରଠୁକୁର ଗ୍ରାମର ଖୁବ୍ ନିକଟରେ ବିଦ୍ୟାସାଗରଙ୍କ ନିଜ ଗ୍ରାମ ବୀରସିଂହ । ସେ ନିଜେ ବାଲ୍ୟକାଳରୁ ହିଁ ବିଦ୍ୟାସାଗରଙ୍କର ଅସାଧାରଣ ଦୟାର କାହାଣୀମାନ ଶୁଣିଥିଲେ । ପରବର୍ତ୍ତୀ କାଳର ଦକ୍ଷିଣେଶ୍ଵର କାଳୀମନ୍ଦିରକୁ ଆସି ଅବସ୍ଥାନ କରୁଥିବା ସମୟରେ ସେ ବହୁତ ସମୟରେ ତାଙ୍କର ପାଣ୍ଡିତ୍ୟ ଓ ଦୟାର କଥାମାନ ଅନେକଙ୍କଠାରୁ ଶୁଣିବାକୁ ମଧ୍ୟ ପାଉଥିଲେ । ସ୍ଵୟଂ ମାଷ୍ଟର (ମହେନ୍ଦ୍ରନାଥ ଗୁପ୍ତ) ବିଦ୍ୟାସାଗରଙ୍କଦ୍ଵାରା ପରିଚାଳିତ ବିଦ୍ୟାଳୟରେ ଶିକ୍ଷକତା କରନ୍ତି ଜାଣି ଦିନେ ସେ ତାଙ୍କୁ କହିଥିଲେ, ମୋତେ ତୁମେ ଥରେ ବିଦ୍ୟାସାଗରଙ୍କ ପାଖକୁ ନେଇ ଯାଆନ୍ତନାହିଁ ? ଦେଖିବାକୁ ଖୁବ୍ ଇଚ୍ଛା ହେଉଛି । ମାଷ୍ଟର ଦିନେ ସେକଥା ବିଦ୍ୟାସାଗରଙ୍କୁ ଯାଇ ସେହିକଥା କହିଥିଲେ ଏବଂ ବିଦ୍ୟାସାଗର ଅତ୍ୟନ୍ତ ଆନନ୍ଦିତ ହୋଇ କୌଣସି ଶନିବାର ଉପରବେଳା ତାଙ୍କୁ ସାଙ୍ଗରେ ନେଇ ସେଠାକୁ ଆସିବା ନିମନ୍ତେ କହିଥିଲେ । କେବଳ ସଂକ୍ଷେପରେ ପଚାରିଥିଲେ, ପରମହଂସ ପ୍ରକୃତରେ କେଉଁପରି ବ୍ୟକ୍ତି ? ସିଏ କ'ଣ ଗେରୁଆ ବସ୍ତ୍ର ପରିଧାନ କରନ୍ତି ? ମାଷ୍ଟର ଉତ୍ତର ଦେଇ କହିଥିଲେ, ''ନାହିଁ ଆଜ୍ଞା, ସିଏ ଜଣେ ଖୁବ୍ ବିଚିତ୍ର ପୁରୁଷ: ନାଲି ଧଡ଼ିର ଲୁଗା ପିନ୍ଧନ୍ତି, ଜାମା ପିନ୍ଧିଥାଆନ୍ତି, ଗୋଡ଼ରେ ଚକଚକ ଦେଖା ଯାଉଥିଲା ଚଟି । ଗୋଟିଏ ସାନ ଘରେ ରହନ୍ତି, ସେଠାରେ ତକ୍ତପୋଷ ପଡ଼ିଥାଏ,–ତା' ଉପରେ ବିଛଣା ହୁଏ, ମଶାରି ବି ଟଙ୍ଗାଥାଏ । ସେ ତାହାରି ଉପରେ ଶୁଅନ୍ତି । ବାହ୍ୟ କୌଣସି ଚିହ୍ନ କିମ୍ବା ସନ୍ତକ ନାହିଁ । କିନ୍ତୁ ଈଶ୍ଵର ବ୍ୟତୀତ ଆଉ କିଛି ବି ଜାଣନ୍ତି ନାହିଁ । ପ୍ରତି ମୁହୂର୍ତ୍ତରେ ତାଙ୍କରି ଚିନ୍ତାରେ ମଗ୍ନ ହୋଇ ରହିଥାଆନ୍ତି ।''

 

ଆଉ ଜାଗାଏ ଶ୍ରୀଯୁକ୍ତ ଗୁପ୍ତ ବିଦ୍ୟାସାଗରଙ୍କ ରହିବା ସ୍ଥାନଟିର ଏକ ପ୍ରାୟ ଚାକ୍ଷୁଷ ବର୍ଣ୍ଣନା ପ୍ରଦାନ କରିଛନ୍ତି : ଦୁଇମହଲାର ଘରଟିଏ, ସାହେବୀ ଢଙ୍ଗର । ହତା ମଝିରେ ଘରଟି,–ଚାରିପାଖରେ ପାଚେରୀ ଅଛି । ପଶ୍ଚିମ ଦିଗକୁ ଫାଟକ ଓ ଘରେ ପ୍ରବେଶ କରିବାର ପ୍ରଧାନ ଦୁଆରଟି । ମଝିରେ ମଝିରେ ହତାଯାକ ଫୁଲଗଛ ସବୁଲଗା ହୋଇଛି । ସିଡ଼ି ବାଟ ଦେଇ ଉପରକୁ ଯିବାକୁ ହୁଏ । ବିଦ୍ୟାସାଗର ସେହିଠାରେ ଉପର ମହଲାରେ ରହନ୍ତି । ...କୋଠରୀଗୁଡ଼ିକ ବହିରେ ଭର୍ତ୍ତି ହୋଇଥାଏ । ଭାରି ସୁନ୍ଦର ବନ୍ଧେଇ । ଆଉ ଗୋଟିଏ ଲମ୍ବା କକ୍ଷପରି କୋଠରୀ । ସେଠାରେ ଗୋଟିଏ ପାଖକୁ ଚେୟାର୍ ଟେବୁଲ୍ ପଡ଼ିଥାଏ । ବିଦ୍ୟସାଗର ତାହାରି ଉପରେ ବସି ପଶ୍ଚିମକୁ ମୁହଁ କରି କାମ କରୁଥାନ୍ତି । ଯେଉଁମାନେ ତାଙ୍କୁ ସାକ୍ଷାତ କରିବାକୁ ଆସନ୍ତି, ସେମାନେ ମଧ୍ୟ ଟେବୁଲ ଚାରି ପାଖରେ ଚେୟାର୍ ଉପରେ ବସନ୍ତି । ଟେବୁଲ୍‍ଟି ଉପରେ ଲେଖିବାର ଉପକରଣମାନ–କାଗଜ, କଲମ, ଦୁଆତ, ଛାପା କାଗଜ । ବହୁସଂଖ୍ୟକ ଚିଠିପତ୍ର, ହିସାବ ଲେଖା ହୋଇଥିବା ବନ୍ଧା ଖାତା କେତୋଟି । ତାଙ୍କର ପରିବେଶଟିକୁ ମଧ୍ୟ ଶ୍ରୀ ମ ଖୁବ୍ ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି : ଯେଉଁସବୁ ଚିଠି ଟେବୁଲ ଉପରେ ଗଦା ହୋଇ ରଖା ହୋଇଛି, ସେଥିରେ ପ୍ରକୃତରେ କ'ଣ ସବୁ ଲେଖା ହୋଇଥିବ ? ସମ୍ଭବତଃ ଜଣେ ବିଧବା ଲେଖିଛନ୍ତି, ମୋ ଅନାଥ ପିଲାଟିକୁ ଦେଖିବାକୁ କେହି ନାହାନ୍ତି । ଆପଣ ତା' ବିଷୟରେ ନିଶ୍ଚୟ କିଛି କରିବେ । ଆଉକେହି ଲେଖିଛନ୍ତି, ଆପଣ ବାହାରକୁ ଚାଲି ଯାଇଥିଲେ, ତେଣୁ ଆମେ ମାସିକ ପ୍ରାପ୍ୟଟି ଠିକ୍ ସମୟରେ ପାଇ ପାରିଲୁନାହିଁ, ଖୁବ୍ କଷ୍ଟ ଭୋଗ କରିବାକୁ ହେଲା । ଆଉଜଣେ ଗରିବ କେହି ଲେଖିଛି, ମୁଁ କୌଣସି ପଇସା ନଦେଇ ଆପଣଙ୍କର ସ୍କୁଲରେ ଭର୍ତ୍ତି ହୋଇଛି, କିନ୍ତୁ ମୋ'ର ବହି କିଣିବାକୁ ସାମର୍ଥ୍ୟ ନାହିଁ ।

 

ପୁଣି, ସେହି ବର୍ଣ୍ଣନାକ୍ରମରେ ବିଦ୍ୟାସାଗରଙ୍କର ଅନେକ ଅନେକ ଗୁଣ । ସର୍ବପ୍ରଥମେ, ତାଙ୍କ ବିଦ୍ୟାନୁରାଗ । ଦିନେ ସେ ମାଷ୍ଟରଙ୍କ ପାଖରେ ଏହି କଥା କହୁ କହୁ ପ୍ରକୃତରେ କାନ୍ଦି ପକାଇଥିଲେ: ମୋ'ର ସବୁବେଳେ କେତେ ଇଚ୍ଛା ରହିଥିଲା ଯେ, ମୁଁ ଖୁବ୍ ପଢ଼ାଶୁଣା କରିବି । କିନ୍ତୁ ତା' କୋଉଠୁ ବା ହୋଇପାରିଲା । ସଂସାର ଭିତରେ ପଡ଼ିଯାଇ ସମୟ ହିଁ ପାଇଲି ନାହିଁ । ଦ୍ଵିତୀୟତଃ, ଜୀବନମାତ୍ରକେ ସମସ୍ତଙ୍କ ପ୍ରତି ଦୟା । ବିଦ୍ୟାସାଗର ହେଉଛନ୍ତି ଦୟାର ସାଗର । ବିଚରା ବାଛୁରିମାନେ ମାଆ ଗାଈର କ୍ଷୀର ପାଉନାହାନ୍ତି ବୋଲି ଲକ୍ଷ୍ୟ କରି ଆପେ ହିଁ ଏକଦା ଲଗାତାର କେତେବର୍ଷ ଧରି କ୍ଷୀର ଛାଡ଼ି ଦେଇଥିଲେ । ଶେଷରେ ଦେହଟା ଖୁବ୍ ଅସୁସ୍ଥ ହୋଇ ପଡ଼ିଯିବାରୁ ବହୁଦିନ ପରେ ଯାଇ କ୍ଷୀର ବ୍ୟବହାର କଲେ । ଗାଡ଼ିରେ ଚଢ଼ି ବି କେଉଁଠାକୁ ଯାଉନଥିଲେ । କହୁଥିଲେ, ବିଚରା ଘୋଡ଼ାର ଶକ୍ତି କାହିଁ, ନିଜର କଷ୍ଟକୁ ଆଉ କାହା ଆଗରେ ପ୍ରକାଶ କରି ପାରିବ । ଦିନେ ଦେଖିବାକୁ ପାଇଲେ ଯେ, ଜଣେ କୁଲି ବିସୂଚିକାରେ ଆକ୍ରାନ୍ତ ହୋଇ ରାସ୍ତାଉପରେ ପଡ଼ିଛି,–ସିଏ ବୋହି ନେଉଥିବା ବୋଝଟା ମଧ୍ୟ ତା ପାଖରେ ସେଇଠି ପଡ଼ିଛି । ଏକଥା ଦେଖି ବିଦ୍ୟାସାଗର ସେହି ଅସହାୟ ମନୁଷ୍ୟଟିକୁ ନିଜେ ବୋହି ନିଜ ଘରକୁ ନେଇ ଆସିଲେ ଓ ତାହାର ସେବା ଶୁଶ୍ରୂଷା କରିଥିଲେ । ତାଙ୍କର ତୃତୀୟ ଗୁଣ ହେଉଛି, ସେ ସର୍ବଦା ସ୍ଵାଧୀନତାକୁ ଶ୍ରଦ୍ଧା କରୁଥିଲେ । କର୍ତ୍ତୃପକ୍ଷଙ୍କ ସହିତ ମତପାର୍ଥକ୍ୟ ହେବା ମାତ୍ରକେ ସେ ସଂସ୍କୃତ କଲେଜର ପ୍ରଧାନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଚାଲି ଆସିଥିଲେ । ଚତୁର୍ଥ କଥାଟି ହେଲା, ଲୋକମାନେ କ'ଣ କହିବେ, ହୁଏତ ସେଥିଲାଗି କେବେହେଲେ ଅପେକ୍ଷା କରୁନଥିଲେ । ଏକଦା ଜଣେ ଶିକ୍ଷକଙ୍କୁ ଖୁବ୍ ଭଲ ପାଉଥିଲେ । ତାଙ୍କ ଝିଅର ବିବାହ ସମୟରେ ନିଜେ ତା'ଲାଗି କିଣିଥିବା ଶାଢ଼ିଟିକୁ କାଖତଳେ ଜାକି ବିବାହୋତ୍ସବରେ ଯାଇ ପହଞ୍ଚି ଯାଇଥିଲେ । ବିଦ୍ୟାସାଗରଙ୍କର ପଞ୍ଚମ ଗୁଣଟି ହେଲା ତାଙ୍କର ମାତୃଭକ୍ତି ଏବଂ ମନର ବଳ । ମାଆ କହିଥିଲେ, ଈଶ୍ଵର, ଯଦି ତୁ ସାନଭାଇର ବିବାହକୁ ଗ୍ରାମକୁ ନଆସିବୁ, ତେବେ ମୁଁ ଭାରି ମନ କଷ୍ଟ ହିଁ କରିବି । ଏବଂ, କଥିତ ଅଛି, ମାଆଙ୍କର କଥା ରଖିବେ ବୋଲି ଈଶ୍ଵରଚନ୍ଦ୍ର କଲିକତାରୁ ବୀରସିଂହର ଦୀର୍ଘପଥକୁ ପାଦରେ ଚାଲି ଚାଲି ଆସି ଗ୍ରାମରେ ପହଞ୍ଚି ଯାଇଥିଲେ । ବାଟରେ ଭରା ନଦୀ ପଡ଼ିଲା ଏବଂ ଲୋକମୁଖରେ ସର୍ବତ୍ର ଶୁଣିବାକୁ ମିଳେ ଯେ ସିଏ ପହଁରି ପହଁରି ନଈଟାକୁ ପାରି ହୋଇ ଏପାଖକୁ ଚାଲି ଆସିଥିଲେ । ....ହଁ । ବିଦ୍ୟାସାଗର ଏହିପରି ଜଣେ ବ୍ୟକ୍ତି ଥିଲେ । ଜୀବନକୁ ଭଲ ପାଇ ସକଳ ଆନନ୍ଦ ତଥା ଦୁଃଖ ଭିତରେ ନିଜ ଜୀବନଟିକୁ ଅତିବାହିତ କରିଥିଲେ । ଏହି ପୃଥିବୀରେ ଏତେ ଏତେ ସୂତ୍ରରେ ଆପଣାକୁ ବାନ୍ଧି ରଖି ନିଜର ଜୀବନଟିକୁ ବଞ୍ଚୁଥିଲେ ଯେ, ପରଲୋକରେ ତାଙ୍କର କ'ଣ ହେବ ବା ନହେବ, ସେହି କଥାକୁ ନେଇ ବ୍ୟସ୍ତ ହେବା ନିମନ୍ତେ କୌଣସି ସମୟ ପାଉନଥିଲେ । ଏବଂ, ଅପର ପକ୍ଷରେ ଶ୍ରୀ ରାମକୃଷ୍ଣ ପରମହଂସ । ସିଏ ମଧ୍ୟ ଜୀବନକୁ ଭଲ ପାଉଥିଲେ । କିନ୍ତୁ ସେହି ଜୀବନକୁ ସିଏ ଏକ ଅନନ୍ତ ଜୀବନର ଗୋଟିଏ ଅଂଶମାତ୍ର ବୋଲି ଅନୁଭବ କରୁଥିଲେ ।

 

ରାମକୃଷ୍ଣ ଏବଂ ବିଦ୍ୟାସାଗର ପରସ୍ପରର ମୁହାଁମୁହିଁ ହୋଇ ବସିଥାନ୍ତି । ସେହି ସମୟରେ ବିଦ୍ୟାସାଗରଙ୍କର ବୟସ ବାଷଠି କିମ୍ବା ତେଷଠି ହେବ । ଶ୍ରୀରାମକୃଷ୍ଣଙ୍କଠାରୁ ଷୋଳ ସତରବର୍ଷ ବଡ଼ ହେବେ । ବିଦ୍ୟାସାଗର ଧୋତି ପିନ୍ଧିଛନ୍ତି, ଗୋଡ଼ରେ ଚଟି, ଦେହରେ ଜାମାଟିଏ । ମୁଣ୍ଡଟି ଲଣ୍ଡା, ପୂରା ଖିଅର ହୋଇ ଲଣ୍ଡା କରି ରଖିଛନ୍ତି । କଥା କହିବା ସମୟରେ ଦାନ୍ତଗୁଡ଼ିକ ଚକଚକ ହୋଇ ଦିଶି ଯାଉଛନ୍ତି । ଅସଲ ଦାନ୍ତ ଗୋଟିଏ ହେଲେ ନାହିଁ, ସବୁଗୁଡ଼ିକ ପରେ ବନ୍ଧା ହୋଇଛି । ମୁଣ୍ଡଟି ବେଶ୍ ବୃହଦାକାର । ଉନ୍ନତ ଲଲାଟ,–ଟିକିଏ ଗେଡ଼ା ଆକୃତିର ଶରୀରଟିଏ । ସିଏ ବ୍ରାହ୍ମଣ, ତେଣୁ କାନ୍ଧରେ ପଇତା ଅଛି । ବିଦ୍ୟାସାଗରଙ୍କ ଆଡ଼କୁ ଚାହିଁ ଦେଖୁ ଦେଖୁ ରାମକୃଷ୍ଣ ସତେ ଯେପରି ଭାବଲୀନ ହୋଇ ଯାଇଥିଲେ । ତଥାପି, ଆପଣାକୁ ନିୟନ୍ତ୍ରଣରେ ରଖିବାପାଇଁ କହୁଛନ୍ତି, ଟିକିଏ ପାଣି ପିଇବି । କ୍ଷଣକ ମଧ୍ୟରେ ଘରର ପିଲା ଏବଂ ଆତ୍ମୀୟସ୍ୱଜନମାନେ ଆସି ପହଞ୍ଚିଗଲେ । ସେମାନେ ସମସ୍ତେ ଛିଡ଼ା ହୋଇ ରହିଥାଆନ୍ତି । ବ୍ୟସ୍ତ ହୋଇ ବିଦ୍ୟାସାଗର କାହାକୁ ପାଣି ଆଣି ଦେବାକୁ କହିଲେ ଓ ମାଷ୍ଟରଙ୍କୁ ପଚାରିଲେ, କିଛି ଖାଇବା ଆଣି ଦେଲେ ଇଏ ଖାଇବେ ତ ? ହଁ, ଚଳିବ । ବିଦ୍ୟାସାଗର ଘର ଭିତରକୁ ଯାଇ କିଛି ମିଠାଇ ଆଣି ବାଢ଼ିଦେଲେ ଓ କହିଲେ, ଏସବୁ ବର୍ଦ୍ଧମାନରୁ ଆସିଛି । କିଛି ମିଠାଇ ଗ୍ରହଣ କରିବା ପରେ ପ୍ରଥମେ ରାମକୃଷ୍ଣ ହିଁ ତୁଣ୍ଡ ଖୋଲିଲେ । ସାଧାରଣତଃ ସମସ୍ତେ ରାମକୃଷ୍ଣ ଦେବଙ୍କ ପାଖକୁ ଯାଆନ୍ତି ତାଙ୍କୁ ଭେଟିବା ପାଇଁ ଏବଂ ତାଙ୍କର କଥା ଶୁଣିବା ପାଇଁ । ଏପରି ଏକ ବ୍ୟତିକ୍ରମ କ୍ଵଚିତ୍ ଘଟେ ଯେ ସ୍ଵୟଂ ରାମକୃଷ୍ଣ ହିଁ ନିଜଆଡ଼ୁ ଇଚ୍ଛା ପ୍ରକାଶ କରି କାହାପାଖକୁ ଯିବାପାଇଁ ଆଗ କହିଥାନ୍ତି ।

 

ହଁ, କଥୋପକଥନ ଆରମ୍ଭ ହେଲା । ରାମକୃଷ୍ଣ ଦେବ କହିଲେ, ଆଜି ସାଗରସାକ୍ଷାତ ନିମନ୍ତେ ଏଠାକୁ ଆସିଲି । ଆଜିଯାଏ ତ ଖାଲ, ବିଲ, ହ୍ରଦ ଏବଂ ନଦୀ ହିଁ ଦେଖିଛି । ଏଥର ପ୍ରକୃତରେ ସାଗରକୁ ଦେଖିଲି । ଉପସ୍ଥିତ ସମସ୍ତେ ହସି ଉଠିଥିଲେ । ବିଦ୍ୟାସାଗର ଉତ୍ତର ଦେଇ କହିଥିଲେ, ତେବେ କିଛି ଲୁଣିଆ ପାଣି ନେଇ ଯିବେ । ରାମକୃଷ୍ଣ କହିଥିଲେ, ନାଇଁ ଗୋ । ଲୁଣିଆ ପାଣି ନେବି କାହିଁକି ? ତୁମେ ତ ଅବିଦ୍ୟାର ସାଗର ନୁହଁ, ତୁମେ ବିଦ୍ୟାର ସାଗର । ତୁମେ କ୍ଷୀରସମୁଦ୍ର । ବିଦ୍ୟାସାଗର ଯେତେ ହାଲୁକା ବାତାବରଣର ରଙ୍ଗରହସ୍ୟ ଭିତରେ ରହିଥାନ୍ତୁ ପଛକେ, ସିଏ କେବେହେଲେ ଆଦୌ କୌଣସି କୃତ୍ରିମ ବିନୟ ଭାବର ପ୍ରଦର୍ଶନ କରିବାକୁ ଚେଷ୍ଟା କରୁନଥିଲେ । ସେ ପୁଣି କହିଲେ, ତୁମର ସକଳ କର୍ମ ହିଁ ସାତ୍ତ୍ଵିକ କର୍ମ । ସତ୍ତ୍ଵଦ୍ଵାରା ପ୍ରେରିତ ରଜଃ-। ସତ୍ତ୍ଵଗୁଣ ଥିଲେ ଦୟା ଉଦ୍ରେକ ହୋଇଥାଏ । ଦୟା ନିମନ୍ତେ ଯେଉଁ କର୍ମମାନ କରାଯାଏ, ତାହା ଅବଶ୍ୟ ରାଜସିକ କର୍ମ, ମାତ୍ର ସେଥିରେ ଥିବା ରଜୋଗୁଣଟି ହେଉଛି ସତ୍ୱଦ୍ୱାରା ପ୍ରେରିତ ହେଉଥିବା ରଜୋଗୁଣ । ସେଥିରେ ଦୋଷ ନଥାଏ । ତୁମେ ବିଦ୍ୟାଦାନ କରୁଛ, ଅନ୍ନଦାନ ମଧ୍ୟ କରୁଛ । ଏଗୁଡ଼ିକ ମଧ୍ୟ ଭଲ । କାମନାରହିତ ହୋଇ କରିପାରିଲେ ଏଥିରେ ମଧ୍ୟ ଭଗବତପ୍ରାପ୍ତି ସମ୍ଭବ ହୁଏ । କେହି ନାମ ପାଇଁ କର୍ମ କରନ୍ତି, ପୁଣ୍ୟର ଅର୍ଜନ ପାଇଁ କର୍ମ କରନ୍ତି । ସେମାନଙ୍କର କର୍ମରେ କାମନା ରହିଥାଏ । ଏବଂ, ତୁମେ ତ ସିଦ୍ଧିଲାଭ ମଧ୍ୟ କରିସାରିଛି । ବିଦ୍ୟାସାଗର ପଚାରିଥିଲେ, ଆଜ୍ଞା, ଏକଥା ପୁଣି କିପରି ? ରାମକୃଷ୍ଣ ଉତ୍ତର ଦେଲେ, ଆଳୁ ଓ ପୋଟଳ ସିଝିଯିବା ପରେ ନରମ ହୋଇଯାଏ । ଏବଂ, ତୁମେ ତ ଢେର ନରମ । ତୁମର ତ କେତେ ନା କେତେ ଦୟା ।

 

ବିଦ୍ୟାସାଗର ସମ୍ଭବତଃ ରାମକୃଷ୍ଣ ଆହୁରି କିଛି କହନ୍ତୁ ବୋଲି ଇଚ୍ଛା କରୁଥିଲେ । ତେଣୁ ଈଷତ୍ ହସି ତା' ପରେ କହିଥିଲେ, ଆଜ୍ଞା ବିରିକୁ ବାଟି ସିଦ୍ଧ କରିଦେଲେ ତାହା ଟାଣ ହିଁ ହୋଇଯାଏ । ରାମକୃଷ୍ଣ ଅଧିକ ନିକଟକୁ ଆସି ଛୁଇଁଦେବା ପରି ଉତ୍ତର ଦେଇଥିଲେ, ନାଇଁ ଗୋ, ତୁମେ ମୋଟେ ସେଭଳି ନୁହଁ । ଯେଉଁମାନେ କେବଳ ପଣ୍ଡିତ, ସେମାନେ ହେଉଛନ୍ତି ଦରକଞ୍ଚା । ଏ ପଟର ନୁହନ୍ତି କିମ୍ବା ସେପଟର ନୁହନ୍ତି । ଶାଗୁଣାଟା ବି ଉଡ଼ି ଉଡ଼ି କେତେ ଉର୍ଦ୍ଧ୍ଵକୁ ନଯାଏ,–ତଥାପି ନଜରଟା ଖାଲି ମଢ଼ ଉପରେ ରହିଥାଏ । ସେମାନେ ଖାଲି ପଣ୍ଡିତ, ମାତ୍ର ସେମାନଙ୍କ ଭିତରେ କାମିନୀକାଞ୍ଚନର ଆସକ୍ତି–ଶକୁନି ପରି ସଢ଼ା ମଢ଼କୁ ହିଁ ଖୋଜିବାରେ ଲାଗିଥାନ୍ତି । ଏହିପରି ଭାବର ବିନିମୟ ଅବ୍ୟାହତ ଭାବରେ ଚାଲିଥିଲା । ଅଧିକାଂଶତଃ ବିଦ୍ୟାସାଗର ଶୁଣୁଥିଲେ ଏବଂ ରାମକୃଷ୍ଣ କହୁଥିଲେ । ଶ୍ରୀ ମଙ୍କଠାରୁ ଶ୍ରୀ ପରମହଂସ ପୂର୍ବରୁ ହିଁ ଜାଣିଥିଲେ ଯେ, ବିଦ୍ୟାସାଗର କେବେ କାହାକୁ ହେଲେ ଧର୍ମ ବିଷୟରେ ଶିକ୍ଷା ଦେଉନଥିଲେ । ସିଏ ଦର୍ଶନଆଦି ବହୁ ଗ୍ରନ୍ଥ ଅଧ୍ୟୟନ କରିଥିଲେ । ହଁ, ବିଦ୍ୟାସାଗର କେବେ ଆଗରୁ ମଧ୍ୟ ଶ୍ରୀ ମଙ୍କୁ କହିଥିଲେ ଯେ, ଈଶ୍ଵରଙ୍କୁ ଜାଣିବାର ଶକ୍ତି କୌଣସି ମନୁଷ୍ୟର ନାହିଁ । ତେବେ ଜଣେ ମନୁଷ୍ୟର କର୍ତ୍ତବ୍ୟ କ'ଣ ହେବା ଉଚିତ ? ନିଜର ଏକ ମତବ୍ୟକ୍ତ କରି ଈଶ୍ଵରଚନ୍ଦ୍ର କହିଥିଲେ ଯେ, ଆମ କର୍ତ୍ତବ୍ୟ ହେଉଛି, ଆମେ ନିଜେ ପ୍ରକୃତରେ ଏପରି ହୋଇଥିବା ଉଚିତ ଯେ, ଯଦି ସମସ୍ତେ ମଧ୍ୟ ସେହିପରି ସେହିପରି ହେବେ, ତେବେ ଏହି ପୃଥିବୀ ଏକ ସ୍ଵର୍ଗରେ ହିଁ ପରିଣତ ହେବ । ଯେପରିକି ଜଗତର ମଙ୍ଗଳ ହେବ, ପ୍ରତ୍ୟେକ ମନୁଷ୍ୟ ନିରନ୍ତର ସେହିଭଳି ହିଁ ଚେଷ୍ଟା କରିବା ଉଚିତ । ଧର୍ମ ବିଷୟରେ, ଈଶ୍ଵରଙ୍କ ବିଷୟରେ ଶ୍ରୀ ରାମକୃଷ୍ଣ ବିସ୍ତାରିତ ଭାବରେ ନିଜର ଉପଲବ୍ଧିଗୁଡ଼ିକୁ ବ୍ୟକ୍ତ କରି କହିଥିଲେ: ବ୍ରହ୍ମ ତ ବିଦ୍ୟା ଓ ଅବିଦ୍ୟା ଦୁଇଟିଯାକର ଅତୀତ । ସେ ମାୟାର ଅତୀତ । ଏହି ପୃଥିବୀରେ ବିଦ୍ୟାମାୟା ମଧ୍ୟ ରହିଛି-। ଜ୍ଞାନ ଓ ଭକ୍ତି ଅଛି, କାମିନୀକାଞ୍ଚନ ବି ରହିଛି । ଭଲ ଅଛି, ମନ୍ଦ ମଧ୍ୟ ରହିଛି । ମାତ୍ର ବ୍ରହ୍ମ ହେଉଛନ୍ତି ନିର୍ଲିପ୍ତ । ଭଲ ଏବଂ ମନ୍ଦ ଜୀବର ଦୃଷ୍ଟିରେ, ସତ୍ ଅସତ୍ ସେହି ଜୀବନର ଦୃଷ୍ଟିରେ-। ଏସବୁରେ ବ୍ରହ୍ମର କିଛି ମଧ୍ୟ ଯାଏନାହିଁ କିମ୍ବା ଆସେନାହିଁ । ''ଯେପରି ଦୀପଟିଏ ଜଳି କେହି ଭାଗବତ ପାଠ କରେ, କେହି ହୁଏତ ଜାଲ ବି ବୁଣୁଛି । କିନ୍ତୁ ଦୀପ ନିର୍ଲିପ୍ତ ହିଁ ରହିଛି । ସୂର୍ଯ୍ୟ ମଧ୍ୟ ଶିଷ୍ଟ ଦୁଷ୍ଟ ଉଭୟଙ୍କୁ ଆଲୋକ ପ୍ରଦାନ କରୁଛି । '' ପୁନଶ୍ଚ, ବ୍ରହ୍ମ ଯେ ବସ୍ତୁତଃ କ'ଣ, ସେକଥା ମୁଖ ସାହାଯ୍ୟରେ ପ୍ରକାଶ କରି ହୁଏନାହିଁ । ଏହି ଯେତେ ଯାହା ଦୃଷ୍ଟିଗୋଚର ହେଉଛି, ସବୁକିଛି ଉର୍ଦ୍ଦିଷ୍ଟ ହିଁ ହୋଇଯାଇଛି । ବେଦ, ପୁରାଣ, ତନ୍ତ୍ର, ଷଡ଼ଦର୍ଶନ ସବୁ କିଛି । ମୁଖ ସାହାଯ୍ୟରେ ପଠିତ ହୋଇଛି, ମୁଖ ସାହାଯ୍ୟରେ ଉଚ୍ଚାରଣ କରାଯାଇଛି, ତେଣୁ ଅଇଁଠା ହୋଇ ଯାଇଛି-। କେବଳ ଗୋଟିଏ ଦ୍ରବ୍ୟ ଅଇଁଠା ହୋଇନାହିଁ,–ସେହି ଦ୍ରବ୍ୟଟି ହେଉଛି ବ୍ରହ୍ମ ।

 

ସେହି ଶେଷାଂଶର କଥାଗୁଡ଼ିକ ଶୁଣି ବିଦ୍ୟାସାଗର ଅତ୍ୟନ୍ତ ଖୁସୀ ହୋଇ ଯାଇଥିଲେ । କହିଲେ, ବାଃ, ଏଇଟି ତ ବେଶ୍ ଭଲ କଥାଟିଏ । ମୁଁ ଆଜି ଗୋଟିଏ ନୂଆ କଥା ଶିକ୍ଷା କଲି । ସେଦିନ ପରମହଂସ ଦେବଙ୍କର ମୁହଁରୁ ପ୍ରାୟ ଅନର୍ଗଳ ଉତ୍ସାହରେ କଥାଗୁଡ଼ିକ ଉଚ୍ଚାରିତ ହେବାରେ ଲାଗିଥାଏ, ଭଲ ପାଇ ପାରିବାର ସେହି ସ୍ଵାଭାବିକ ଜୀବନଟିର କଥା ମଧ୍ୟ ସେ କହିବାକୁ ଲାଗିଲେ: ପୂଜା, ହୋମ, ଯାଗଯଜ୍ଞ, ଏସବୁ କିଛି ନୁହେଁ । ଯଦି ସବାବଡ଼ ହୋଇ ଭଲ ପାଇବାର ଗୁଣଟି ରହିଥାଏ, ତେବେ ଏହିସବୁ ଯାବତୀୟ କର୍ମର ବେଶୀ ଆବଶ୍ୟକତା ନଥାଏ । ହଁ, ଯେତେବେଳେ ପର୍ଯ୍ୟନ୍ତ ପବନ ନଥାଏ, ସେପର୍ଯ୍ୟନ୍ତ ପଙ୍ଖା ଦରକାର ହୁଏ, ଯଦି ଦକ୍ଷିଣ ଦିଗରୁ ପବନ ବୋହୁଥାଏ, ତେବେ ପଙ୍ଖାଟିକୁ ରଖିଦେବାକୁ ହୁଏ । ରାମକୃଷ୍ଣ ଦେବ ବାରମ୍ବାର ମାତୃ-ଉପାସନାର କଥାଟି ମଧ୍ୟ ଆଲୋଚନା ମଧ୍ୟକୁ ଆଣୁଥାଆନ୍ତି ଏବଂ ସେହି କଥାରେ ମାତୃଭକ୍ତ ବିଦ୍ୟାସାଗରଙ୍କର ମନରେ ବହୁ ଶିହରଣ ସୃଷ୍ଟି କରୁଥାଆନ୍ତି । ଶେଷରେ କହିଲେ, ଯାହାକୁ ବେଦରେ ବ୍ରହ୍ମ ବୋଲି କୁହାଯାଇଛି, ମୁଁ ତାହାକୁ ହିଁ ମାଆ ବୋଲି ଡାକୁଛି । ...ମାଆ କଥାଟି ହିଁ ଭଲ ପାଇବାର ଜାଗୃତି ଆଣିଦିଏ । ଈଶ୍ଵରଙ୍କୁ ଭଲ ପାଇପାରିଲେ ହିଁ ତାଙ୍କୁ ପାଇ ହୁଏ । ସେହି ଅବସରରେ ବିଦ୍ୟାସାଗରଙ୍କ ଆଗରେ ଶ୍ରୀରାମକୃଷ୍ଣ ଚାରିଗୋଟି ଗୀତ ମଧ୍ୟ ଗାଇଥିଲେ ଏବଂ ପରମ ଭାବାବେଶର ଏକ ମୁଦ୍ରାରେ ପ୍ରବିଷ୍ଟ ହୋଇଥିଲେ । ଉପସ୍ଥିତ ସମସ୍ତେ ସ୍ଥିରଚକିତ ଭାବରେ ସେହି ସବୁକିଛିକୁ ଦେଖିବାରେ ଲାଗିଥାନ୍ତି । ତା' ପରେ, ସେ ବିଦ୍ୟାସାଗରଙ୍କୁ କହିଥିଲେ, ତୁମେ ଯେଉଁସବୁ କର୍ମ କରୁଅଛ, ସେହି ସବୁଗୁଡ଼ିକ ସତ୍‍କର୍ମ । ଯଦି 'ଏଗୁଡ଼ିକୁ ମୁଁ କରୁଛି' ବୋଲି ଅହଙ୍କାରଟିକୁ ତ୍ୟାଗ କରି କାମନାରହିତ ଭାବରେ କରିପାର, ତେବେ ତାହା ଅବଶ୍ୟ ଅତ୍ୟୁତ୍ତମ ହେବ । ଏହିପରି କାମନାମୁକ୍ତ ହୋଇ କର୍ମ କରୁ କରୁ ଈଶ୍ଵରଲାଭ ମଧ୍ୟ ସମ୍ଭବ ହୋଇଯାଏ ।

 

ଏହିପରି ଏକ ସରସ ସାକ୍ଷାତର ମାଧ୍ୟମରେ ସେଦିନ ବିଦ୍ୟାସାଗରଙ୍କର ଘରେ ପାଞ୍ଚଘଣ୍ଟା କଟି ଯାଇଥିଲା । ଏବଂ, ସବାଶେଷରେ,''ଏଇ ଯେ ଯାହାସବୁ ମୁଁ ଆଜି ତୁମକୁ କହିଲି, ସେଗୁଡ଼ିକ ତୁମେ ଉତ୍ତମରୂପେ ହିଁ ଜାଣିଛ । ହଁ, ଜାଣିଛ, କିନ୍ତୁ ଖବର ରଖିନାହଁ । ବରୁଣଙ୍କର ଭଣ୍ଡାରରେ କେତେ ନା କ'ଣ ରତ୍ନ ରହିଥାଏ, କିନ୍ତୁ ତାଙ୍କ ଖବର ନଥାଏ ।’’ ତା'ପରେ ଏକ ଆମନ୍ତ୍ରଣ ଜଣାଇ କହିଲେ: ଥରେ ରାଣୀ ରାସମମଣିଙ୍କର ବଗିଚା ଦେଖିବାକୁ ଆସିବ । ଖୁବ୍ ସୁନ୍ଦର ଜାଗା, ତୁମକୁ ନିଶ୍ଚୟ ଭଲ ଲାଗିବ । ବିଦ୍ୟାସାଗର ଉତ୍ତର ଦେଇ କହିଥିଲେ: ହଁ, ନିଶ୍ଚୟ ଯିବି । ଆପଣ ଏଠାକୁ ଆସିଲେ, ଆଉ ମୁଁ ଯିବିନାହିଁ ! ରାମକୃଷ୍ଣ କହିଲେ, ମୋ' ପାଖକୁ ଯିବ ? ଛି ଛି ! ବିଦ୍ୟାସାଗର କହିଲେ, ଏପରି କଥା ଆପଣ କାହିଁକି କହୁଛନ୍ତି । ମୋତେ ଟିକିଏ ବୁଝାଇ ଦିଅନ୍ତୁ । ଏବଂ, ରାମକୃଷ୍ଣ ଈଷତ୍ ହସି ବୁଝାଇ ମଧ୍ୟ ଦେଇଥିଲେ: ଆମେ ହେଲୁ ହୁଲିଡଙ୍ଗା,–ଖାଲ, ବିଲ, ସାନ ବଡ଼ ନଈ, ସବୁକୁ ଯାଇପାରୁ । ମାତ୍ର ଆପଣ ହେଉଛନ୍ତି ଜାହାଜ । କିଏ ଜାଣିଛି, ଗଲେ ହୁଏତ ପଠାରେ ଯାଇ ଲାଗିଯିବେ ।

 

ସାଧାରଣ ଅର୍ଥରେ ଲୋକେ ଯେଉଁସବୁ ଆଚାର ତଥା ଆଚରଣକୁ ଧର୍ମ ବୋଲି କହନ୍ତି, ଶ୍ରୀ ବିଦ୍ୟାସାଗରଙ୍କ ଜୀବନରେ ସେଗୁଡ଼ିକର ସେପରି କୌଣସି ସ୍ଥାନ ନଥିଲା । ହଁ, ବ୍ରାହ୍ମଣର ସର୍ବପ୍ରଧାନ ପରିଚାୟକ ପଇତା ଥିଲା ସତ, ମାତ୍ର ସେ କୌଣସି ପୂଜାପାଠ କିମ୍ବା ସନ୍ଧ୍ୟା-ଆହ୍ନିକ କରୁନଥିଲେ । ଲୋକମାନଙ୍କ ସହିତ ବସିବା ସମୟରେ ଉଚ୍ଚନୀଚ ବାରୁ ନ ଥିଲେ, ସ୍ପୃଶ୍ୟ ଅସ୍ପୃଶ୍ୟ ବି ବାରୁନଥିଲେ । ବିଦ୍ୟାସାଗର ଜାତି ମାନୁନଥିଲେ । ହଁ, ନିଜଦ୍ୱାରା ଲିଖିତ ପାଠ୍ୟପୁସ୍ତକମାନଙ୍କରେ ସେ ଧର୍ମ ବିଷୟରେ ନିର୍ଦ୍ଦିଷ୍ଟ କିଛି ଉଲ୍ଲେଖ କରୁନାହାନ୍ତି ବୋଲି ସେତେବେଳର ବହୁତ ବ୍ୟକ୍ତି ଏକ ଆପତ୍ତି ମଧ୍ୟ ଉଠାଇଥିଲେ । 'ବୋଧୋଦୟ' ନାମକ ତାଙ୍କର ରଚିତ ଏକ ପୁସ୍ତକରେ ସେ ନିର୍ଦ୍ଦିଷ୍ଟ ଭାବରେ ଏକାଧିକ ଅତିପରିଚିତ ଶବ୍ଦର ସଂଜ୍ଞା-ନିରୂପଣ କଲାଭଳି ବହୁତ କିଛି ଲେଖିଥିଲେ ମଧ୍ୟ ଈଶ୍ଵର ଶବ୍ଦଟିକୁ କାହିଁକି ଛାଡ଼ିଗଲେ ବୋଲି ଖୁବ୍ ଅଭିଯୋଗ ହୋଇଥିଲା । ସମ୍ଭବତଃ ସେହିଭଳି ବ୍ୟକ୍ତିମାନଙ୍କୁ ଏକ ଉତ୍ତର ଦେବାର ଅଭିପ୍ରାୟରେ ଶ୍ରୀଯୁକ୍ତ ବିଦ୍ୟାସାଗର ସେହି ପୁସ୍ତକର ଦ୍ଵିତୀୟ ସଂସ୍କରଣରେ ଈଶ୍ଵର ବିଷୟରେ କେଇ ଧାଡ଼ି ଏହିପରି ଭାବରେ ବ୍ୟକ୍ତ କରିଥିଲେ : ''ଈଶ୍ଵର ଚେତନ ଅଚେତନ, ଉଦ୍ଭିଦ ଇତ୍ୟାଦି ସକଳ ପଦାର୍ଥର ସୃଷ୍ଟି କରିଛନ୍ତି । ସେହି କାରଣରୁ ଈଶ୍ଵରଙ୍କୁ ସୃଷ୍ଟିକର୍ତ୍ତା ବୋଲି କୁହାଯାଏ । ଈଶ୍ଵର ହେଉଛନ୍ତି ନିରାକାର, ଚୈତନ୍ୟ ସ୍ୱରୂପ । ଈଶ୍ଵରଙ୍କୁ କେହି ଦେଖି ପାରେନାହିଁ, ମାତ୍ର ସେ ସର୍ବଦା ଓ ସର୍ବତ୍ର ବିଦ୍ୟମାନ ରହିଥାନ୍ତି । ଆମେ ଯେତେବେଳେ ଯାହାକିଛି କରୁ, ସେଗୁଡ଼ିକୁ ସେ ଦେଖିପାରନ୍ତି । ଆମେ ଯାହାକିଛି ଭାବୁ, ତାହା ଜାଣିପାରନ୍ତି । ଈଶ୍ଵର ହେଉଛନ୍ତି ପରମ ଦୟାଳୁ । ସିଏ ସକଳ ଜୀବପ୍ରାଣୀଙ୍କର ଆହାରଦାତା ଏବଂ ରକ୍ଷାକର୍ତ୍ତା ।''

 

ସ୍ଵାମୀ ବିବେକାନନ୍ଦ ଶ୍ରୀ ବିଦ୍ୟାସାଗରଙ୍କୁ ଜାଣିଥିଲେ । ଭଗିନୀ ନିବେଦିତା ତାଙ୍କର ଏକ ସଂସ୍କରଣରରେ ବିଦ୍ୟାସାଗରଙ୍କ ବିଷୟରେ ସ୍ଵାମୀଜୀଙ୍କର ଗୋଟିଏ ଉକ୍ତିର ଉଦ୍ଧାର କରିଛନ୍ତି । ସେହି ସ୍ଵାମୀଜୀଙ୍କ ଭାଷାରେ : ରାମକୃଷ୍ଣ ପରେ ମୁଁ ହେଉଛି ବିଦ୍ୟାସାଗରଙ୍କର ଅନୁବର୍ତ୍ତୀ । ଏହି କଥାଟିକୁ ସେ ମୃତ୍ୟୁର ମାତ୍ର ଦୁଇଦିନ ପୂର୍ବେ କହିଥିଲେ । ବିଦ୍ୟାସାଗର ବହୁ ଅବସରରେ ସେ ଈଶ୍ଵରଙ୍କ ବିଷୟରେ ଆଦୌ କିଛି ବୁଝି ପାରନ୍ତିନାହିଁ ବୋଲି ମନ୍ତବ୍ୟ କରୁଥିଲେ । ସେହି ସମ୍ପର୍କରେ ନିଜର ମତ ବ୍ୟକ୍ତ କରି ସ୍ଵାମୀ ବିବେକାନଦ ଏକଦା କହିଥିବାର ଉଲ୍ଲେଖ ରହିଛି : ଈଶ୍ଵରଙ୍କ ସମ୍ପର୍କରେ ଯେଉଁ ବ୍ୟକ୍ତି କିଛି ବୁଝିନାହିଁ, ସିଏ ପୁଣି ଦୟା ଏବଂ ପରୋପକାରକୁ କିପରି ବୁଝିପାରିଲା-? ସ୍କୁଲ ବିଷୟରେ ବା କିପରି ବୁଝିଲା ? ସେ କିପରି ବୁଝିଲା ଯେ, ସ୍କୁଲ ଖୋଲି ପିଲାମାନଙ୍କୁ ଲେଖାପଢ଼ା ଶିଖାଇବାକୁ ହେବ ! ଯିଏ ଗୋଟିଏ କଥାକୁ ଠିକ୍ ଭାବରେ ବୁଝନ୍ତି, ସିଏ ସବୁକଥାକୁ ମଧ୍ୟ ଅବଶ୍ୟ ବୁଝିପାରନ୍ତି ।

☆☆☆

 

-୭-

Unknown

ବହୁ ସାଗରର ସମାହାର

 

କୌଣସି ପତ୍ରିକାରେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ଅସମ୍ପୂର୍ଣ୍ଣ 'ଆତ୍ମଜୀବନ ଚରିତ' ପ୍ରକାଶିତ ହେବା ପରେ ତାହାକୁ ପାଠ କରି ରବୀନ୍ଦ୍ରନାଥ ସେହି ସମୟରେ ଲେଖିଥିଲେ: ବିଦ୍ୟାସାଗର ମହାଶୟଙ୍କର ଆତ୍ମଜୀବନଚରିତର କିଛି ପୃଷ୍ଠା ଏବେ ପ୍ରକାଶ ପାଇଛି । ଏଥିରେ ଅଳଙ୍କାର ବାହୁଲ୍ୟ କିମ୍ବା ଆଡ଼ମ୍ବରର ଲେଶମାତ୍ର ମଧ୍ୟ ଦେଖିବାକୁ ମିଳିବନାହିଁ ! ପୂଜନୀୟ ବିଦ୍ୟାସାଗର ସମଗ୍ର ଗ୍ରନ୍ଥଟିକୁ ସମ୍ପୂର୍ଣ୍ଣ କରି ଲେଖି ପାରିନାହାନ୍ତି ବୋଲି ପାଠକର ମନରେ ବଡ଼ ଆକ୍ଷେପ ହିଁ ଜାତ ହେଉଛି । ଏହି ଗ୍ରନ୍ଥଟି ସମ୍ପୂର୍ଣ୍ଣ ଭାବରେ ଲିଖିତ ହୋଇଥିଲେ ବଙ୍ଗବାସୀ ଆମ ସମସ୍ତଙ୍କର ପକ୍ଷରେ ବହୁତ ଶିକ୍ଷାର ଉତ୍ସଟିଏ ହୋଇ ପାରିଥାନ୍ତା । ପ୍ରଥମତଃ, ବଙ୍ଗଳା ସାହିତ୍ୟରେ ଗୋଟିଏ ଅକୃତ୍ରିମ ମହତ୍ତ୍ଵର ଆଦର୍ଶ ଚିରଜୀବନ ଲାଭ କରି ବିରାଜିତ ରହିଥାଆନ୍ତା ଏବଂ ଦ୍ଵିତୀୟତଃ ଆପଣାର ଜୀବନକଥାଟିକୁ ପ୍ରକୃତରେ କିପରି ଭାବରେ ଲେଖିବାକୁ ହୁଏ, ଆମେ ଏହି ବଙ୍ଗବାସୀ ସମସ୍ତେ ତାହାକୁ ଶିଖି ମଧ୍ୟ ପାରିଥାନ୍ତୁ । ବଙ୍ଗଳାରୁ ଲେଖକଗଣ ନିଜର ଜୀବନପ୍ରସଙ୍ଗ ଲେଖୁଥିବା ସମୟରେ ସାଧାରଣତଃ ଅତିଶୟ ପକ୍ଷପାତ ଦେଖାଇ ଗୋଟିଏ ଆଡ଼କୁ ଢଳି ପଡ଼ିବାର ପ୍ରାଣପଣ ପ୍ରୟାସ ହିଁ କରନ୍ତି, ପ୍ରାୟ ପଦେ ପଦେ ହୃଦୟାବେଶଗୁଡ଼ିକୁ ପ୍ରାୟ ଉଛୁଳାଇ ଦେଇଥାନ୍ତି । 'ଆତ୍ମଜୀବନ ଚରିତ' ଲେଖାଟି ଯେତିକି ପରିମାଣରେ ପ୍ରକାଶ ପାଇଛି, ସେଥିରେ ଏକ ଅତି ସଂଯତ ସହୃଦୟତା ହିଁ ପ୍ରତିଭାତ ହୋଇ ଉଠିଛି । ଏକ ନିରହଙ୍କାର ସତ୍ୟ ପ୍ରାଞ୍ଜଳ ହୋଇଛି । ଲେଖକ ମହାଶୟ ସ୍ତ୍ରୀଜାତି ପ୍ରତି ଯେଉଁ ଭକ୍ତି ପ୍ରକାଶ କରିଛନ୍ତି, ତାହା ବସ୍ତୁତଃ ଅତ୍ୟନ୍ତ ସରଳ, ସମୂଳକ ଏବଂ ଅକୃତ୍ରିମ ହୋଇଛି । ସଂପ୍ରତି ଯେଉଁମାନେ ସ୍ତ୍ରୀଜାତି ଉପରେ ଦେବତ୍ଵର ଆରୋପ କରି ବହୁ ବାକ୍‍ଚାତୁର୍ଯ୍ୟର ଆଶ୍ରୟ ନିଅନ୍ତି, ସେମାନଙ୍କ ସହିତ ବିଦ୍ୟାସାଗରଙ୍କର ଆକାଶ ପାତାଳ ପ୍ରଭେଦ ହିଁ ରହିଛି ।

 

ତାଙ୍କର ପରବର୍ତ୍ତୀ କାଳରେ ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କୁ ସମୀକ୍ଷକ ତଥା ପ୍ରଶଂସକମାନେ ନାନା ନାମରେ ସମ୍ବର୍ଦ୍ଧିତ ଏବଂ ସମ୍ବୋଧିତ କରିଛନ୍ତି । କିଏ ଋଷି ବୋଲି କହିଛନ୍ତି ତ ଆଉକିଏ ନରଦେବତା ବୋଲି । ଶ୍ରୀଯୁକ୍ତ ରାମକୃଷ୍ଣ ପରମହଂସ ଦେବ ତାଙ୍କ ମୁହଁରେ ତ ତାଙ୍କୁ କ୍ଷୀରର ସାଗର ବୋଲି ବର୍ଣ୍ଣନା କରି କହିଥିଲେ । ବିଦ୍ୟାସାଗରଙ୍କର ତ ତାଙ୍କର ସେହି ସଂସ୍କୃତ କଲେଜ ବେଳରୁ ହିଁ ତାଙ୍କର ଅସାଧାରଣ ପାଣ୍ଡିତ୍ୟରେ ସଂପୃକ୍ତ ସମସ୍ତେ ଅଭିଭୂତ ହୋଇ ପଡ଼ିଥିଲେ । ସିଏ ପୁଣି ଦୟାସାଗର ଓ କରୁଣାର ସାଗର । ସାହିତ୍ୟର ପ୍ରବୀଣ ସମୀକ୍ଷକମାନଙ୍କ ଆଖିରେ ସିଏ ପୁଣି ରସସାଗର । ଗୋଟାପଣେ ସାହେବୀ ଚମତ୍କାର ମଧ୍ୟରେ ଚଳପ୍ରଚଳ ହେଉଥିବା ବଙ୍ଗୀୟ ମାଇକେଲ ମଧୁସୂଦନ ବି ବିଦ୍ୟାସାଗରଙ୍କୁ କରୁଣାସାଗର ବୋଲି କହି ଯାଇଛନ୍ତି । ଏହି କୌଣସିଟି କଥାକୁ ଆମେ କଦାପି ଅତିରଞ୍ଜନ ବୋଲି କହି ପାରିବାନାହିଁ । ବରଂ, ବିଦ୍ୟାସାଗରଙ୍କୁ ଆମେ ଯେତେ ଯେତେ ଅଧିକ ନିବିଡ଼ ଭାବରେ ଚିହ୍ନିବାକୁ ଆରମ୍ଭ କରିବା, ସେତିକି ସେତିକି ଏହି ଯାବତୀୟ ବିଶେଷ ଗୁଣଗତ ଅଭିଧାନଗୁଡ଼ିକଠାରୁ ସିଏ, ଯଥେଷ୍ଟ ଅଧିକ ଥିଲେ ବୋଲି ଅନୁଭବ କରୁଥିବା । ସିଏ ଦୟାଳୁ ଥିଲେ, ଶିକ୍ଷା-ଅର୍ଜନ ଓ ଶିକ୍ଷା-ବିତରଣ ଉଭୟ କ୍ଷେତ୍ରରେ ହିଁ ସମକାଳୀନ ସମସ୍ତଙ୍କଠାରୁ ଅଗ୍ରଣୀ ଥିଲେ, ସମସ୍ତଙ୍କ ସହିତ ରହିଥିଲେ ଏବଂ ତଥାପି ଆଉକିଛି ଅଧିକ ବୋଲି ବାରି ହୋଇ ପଡ଼ୁଥିଲେ । ତେଣୁ, ସିଏ ଇତ୍ୟାଦି ଇତ୍ୟାଦି ଗୁଣସାମର୍ଥ୍ୟର ଜଣେ ବିରଳ ଅଧିକାରୀ ତଥା ଏଗୁଡ଼ିକର ଏକ ମହୀୟାନ୍ ସମନ୍ଵୟ ଥିଲେ ବୋଲି କହିବା ପରେ ମଧ୍ୟ ତଥାପି ଆମେ ତାଙ୍କ ବିଷୟରେ ସବୁକିଛି କହିପାରିଲୁ ବୋଲି ମୋଟେ ଆପଣାକୁ ବୁଝାଇଦେଇ ପାରିବାନାହିଁ । ଜଣେ ଅସଲ ମଣିଷ କେବଳ ତା' ଭିତରେ ପରିଲିକ୍ଷିତ ହୋଇ ପାରୁଥିବା ଗୁଣମାନଙ୍କର ଏକ ସମଷ୍ଟି ନୁହେଁ, ଏପରିକି ଏକ ସମନ୍ଵୟ ମଧ୍ୟ ନୁହେଁ । ଅର୍ଥାତ୍, ତା' ଭିତରେ ଏପରି କ'ଣ ଗୋଟିଏ ଉପାଦାନ ରହିଥାଏ, ଯାହା ଏହି ଏକକ ପରିଦୃଶ୍ୟମାନ୍ ଗୁଣଲକ୍ଷଣଗଡ଼ିକୁ ଏକତ୍ର ଗୋଟିଏ ବ୍ୟକ୍ତିତ୍ଵରେ ହିଁ ଏକତ୍ର ବଳି ଦେଇଥାଏ । ତେଣୁ, ତା'ର ଦୟା, ତା'ର ବିଦ୍ଵତ୍ତା, ଏପରିକି ତା'ର ସକଳ ଋଷିପଣ ଏବଂ ଦେବତ୍ଵର ମହିମା ମଧ୍ୟ ସେହି ବ୍ୟକ୍ତିତ୍ଵଟିର ସମଗ୍ର ପରିଚୟରେ ଖୁବ୍ ସ୍ପଷ୍ଟ ଭାବରେ ଚିହ୍ନି ହୋଇ ଯାଉଥାଏ ।

 

ବିଦ୍ୟାସାଗର ସମ୍ଭବତଃ ସବୁଠାରୁ ଅଧିକସଂଖ୍ୟକ ଆମ ସମସ୍ତଙ୍କ ପାଇଁ ଦୟାର ସାଗର ଥିଲେ, କରୁଣାର ଏକ ଅବତାର ଥିଲେ । ନିତାନ୍ତ ଅଯାଚିତ ଭାବରେ ଜଗତର ହିତରେ ସଦାପ୍ରେରିତ ଏବଂ ସଦାନିୟୋଜିତ ହୋଇ ରହିଥିଲେ । ତାଙ୍କୁ ମଝିରେ ରଖି ପ୍ରାୟ ସେହିକାଳରୁ ପ୍ରଚଳିତ ରହି ଆସିଥିବା କାହାଣୀ ବୋଧହୁଏ ତାଙ୍କର ଦୟା ଦେଖାଇଥିବା ଅର୍ଥାତ୍ ଅନ୍ୟର କାମରେ ଲାଗିଥିବା ଦୃଷ୍ଟାନ୍ତଗୁଡ଼ିକୁ ନେଇ । ଆପେ ନିଦାରୁଣ ଦାରିଦ୍ର୍ୟ ଭିତରେ ନିଜର ଜୀବନଟିକୁ ଏକ ନିର୍ଦ୍ଦିଷ୍ଟ ନକ୍ସା ଦେଇ ଗଢ଼ି ଆଣିବାର ସେହି ଶୈଶବ-ଅବସ୍ଥାରେ ସିଏ ତ ଆସୁମାରି ଦୁରବସ୍ଥା ଏବଂ ପ୍ରତିକୂଳତାର ସମ୍ମୁଖୀନ ହୋଇଥିଲେ । ତେଣୁ, ଏକ ସାଧାରଣ ସମର୍ଥତା ଆସିଯିବା ମାତ୍ରକେ ସିଏ ସେହି ଯାବତୀୟ ଅତୃପ୍ତିର ପ୍ରାୟ ଏକ କ୍ଷତିପୂରଣ କରିବାର ନାନାବିଧ ଉପାୟରେ ତତ୍ପର ହିଁ ରହିଥାଆନ୍ତେ ଓ ସେଥିରୁ ଏକ ଆନଦ ବି ଅବଶ୍ୟ ଲାଭ କରିଥାଆନ୍ତେ । ମାତ୍ର ବିଦ୍ୟାସାଗର କ'ଣ ସବୁ ଅନ୍ୟ ନିର୍ଦ୍ଦେଶନା,–ନିଜ ଭିତରୁ ଏବଂ ନିଜ ବାହାରୁ ଏହି ପୃଥିବୀଟାରୁ ପାଇଲେ କେଜାଣି, ମୁଖ୍ୟତଃ ଅନ୍ୟମାନଙ୍କର ହିଁ ପାଖରେ ଯାଇ ଠିଆ ହେଲେ, ସାଧ୍ୟମତେ ସେମାନଙ୍କର ସହାୟତା କରିଥିଲେ; ଏପରିକି ଯୋଗ୍ୟ ଅଯୋଗ୍ୟ ଅର୍ଥାତ୍ ପାତ୍ର ଅପାତ୍ର ବାରିବାକୁ ମଧ୍ୟ ଆଦୌ ଆବଶ୍ୟକ ଅନୁଭବ କରିନଥିଲେ । ଏହି ସମ୍ବନ୍ଧରେ ଆମେ ଆଗରୁ ବହୁତ ଉଦାହରଣ ସହିତ ପରିଚିତ ହୋଇ ସାରିଥିଲେ ମଧ୍ୟ ତଥାପି ଆଉଗୋଟିଏ କାହାଣୀ ତଥାପି ଜାଣି ରଖିବା: ଦିନେ ସନ୍ଧ୍ୟା ହୋଇ ସାରିଥାଏ, ବରଷା ବି ପଡ଼ୁଥାଏ । ଏବଂ, ଗ୍ରାହକର ପ୍ରତ୍ୟାଶାରେ ଜଣେ ସେହି ବୃତ୍ତିରେ ଜୀବନର ଭରଣା କରୁଥିବା ଝିଅଟିଏ ରାସ୍ତାର ପାର୍ଶ୍ଵରେ ଛିଡ଼ା ହୋଇ ରହିଥାଏ । ବର୍ଷାରେ ପ୍ରାୟ ଅଧା ଓଦା ହୋଇଗଲାଣି । ଶ୍ରୀଯୁକ୍ତ ବିଦ୍ୟାସାଗର ସଂଯୋଗବଶତଃ ସେହି ରାସ୍ତାଟି ଦେଇ ଅକସ୍ମାତ୍ ଚାଲି ଯାଉଥିଲେ । ଅପେକ୍ଷାମାଣା ଝିଅଟିର ହରକତଟିକୁ ଦେଖି କ'ଣ ଭାବିଲେ କେଜାଣି, ତା' ପାଖକୁ ଯାଇ ତା' ହାତରେ କେତୋଟି ମୁଦ୍ରା ଧରାଇଦେଇ କହିଲେ, ଯାଅ ଝିଅ, ଆଉ ବର୍ଷାରେ ଓଦା ହେବାକୁ ପଡ଼ିବନାହିଁ । ଏତକ ପଇସାରେ ଅନ୍ତତଃ କିଛି ପରିମାଣରେ ତ ନିର୍ବାହ ହୋଇଯାଇ ପାରିବ ! ପଇସାତକ ଦେଇ ବିଦ୍ୟାସାଗର ପୁନର୍ବାର ନିଜ ବାଟରେ ଚାଲି ଯାଇଥିଲେ । ଏହା କ'ଣ କେବଳ ଦୟା, କେବଳ ଦୟା ଓ ଦାକ୍ଷିଣ୍ୟ, କେବଳ ଏକ କରୁଣା-ପ୍ରଦର୍ଶନ ! ନ ଏକ ଦାୟିତ୍ଵବୋଧ; ମୋର ଏହି ସମାଜରେ ଯାହା କିଛି ଅସଜଡ଼ା କିମ୍ବା ଅସୁନ୍ଦର ରହିଛି, ସେଥିରେ ମୁଁ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ହୋଇ ରହିନଥିଲେ ତଥାପି ଦାୟୀ । ତଥାକଥିତ ନୈତିକତା କଦାପି ସେତେଯାଏ ସାହସ କରି ପାରିବନାହିଁ । କେବଳ ଏକ ଅଙ୍ଗୀକାରବଦ୍ଧତା ଅର୍ଥାତ୍ ସୁସ୍ଥଚେତନ ସଂପୃକ୍ତ ହିଁ ତାହା କରିପାରିବ । କେବଳ ନାକ ଟେକିବନାହିଁ, କେବଳ ଆ-ହା- ବୋଲି କହି କାମ ସାରି ଦେବନାହିଁ ।

 

ବିଦ୍ୟାସାଗରୀୟ ଦୟା ବିଷୟରେ ଶ୍ରୀ ରବୀନ୍ଦ୍ରନାଥ କୌଣସି ସନ୍ଦର୍ଭରେ କହିଛନ୍ତି: ବିଦ୍ୟାସାଗରଙ୍କର ଦୟାର ଦୃଷ୍ଟାନ୍ତମାନ ଶ୍ରବଣ କରି ଆମ ହୃଦୟ ଯେ ବେଳେବେଳେ ଉଲ୍ଲସିତ ହୋଇ ଉଠିଥାଏ, ତାହା ବିଦ୍ୟାସାଗରଙ୍କର ସେହି ଅତୁଳ ଦୟାକୁ ଅନୁଭବ କରି ନୁହେଁ, କିନ୍ତୁ ତାଙ୍କର ସର୍ବବିଧ ଦୟା ମଧ୍ୟରେ ଯେଉଁ ନିଃସଙ୍କୋଚ ଏବଂ ବଳିଷ୍ଠ ମନୁଷ୍ୟତ୍ଵଟି ପରିସ୍ଫୁଟ ହୋଇ ଉଠିଥାଏ, ତାହାରି ଏକ ପରିଚୟ ଲାଭ କରି ଆମର ଏହି ନାନା ଅସହାୟ ଜୀବନସ୍ଥିତିଗୁଡ଼ିକ ମଧ୍ୟରେ ପଡ଼ି ରହିଥିବା ମନୁଷ୍ୟମାନଙ୍କ ପ୍ରତି ଆମ ଭିତରେ ରହିଥିବା ସକଳ ଘୃଣାଭାବ ସତ୍ତ୍ୱେ ଆମ୍ଭମାନଙ୍କ ମନ ତଥାପି ଏକ ମାନବଗୁଣଯୁକ୍ତ ଭକ୍ତିରେ ହିଁ ସତେଅବା ସ୍ଵତଃପ୍ରବୃତ୍ତ ଭାବରେ ଆକର୍ଷିତ ଓ ଆଦ୍ର ହୋଇ ଯାଇଥାଏ । ପୁନଶ୍ଚ, ବହୁତ ବହୁତ ମହାଐଶ୍ଵର୍ଯ୍ୟଶାଳୀ ରାଜା ଏବଂ ରାୟବାହାଦୁରମାନେ ପ୍ରଚୁର କ୍ଷମତାର ଅଧିକାରୀ ହୋଇ ମଧ୍ୟ ଯେଉଁ ଉପାଧି ଲାଭ କରି ପାରିନାହାନ୍ତି, ଜଣେ ଦରିଦ୍ର ପିତାଙ୍କର ଏହି ଦରିଦ୍ର ହିଁ ସେହି 'ଦୟାର ସାଗର' ନାମରେ ବଙ୍ଗଦେଶରେ ଚିରଦିନ ସକାଶେ ବିଖ୍ୟାତ ହୋଇ ରହିଗଲେ । ବିଧବାବିବାହ ନିମନ୍ତେ ତାଙ୍କର ଯେଉଁ ଶକ୍ତିଶାଳୀ ଆନ୍ଦୋଳନ, ବାଲ୍ୟବିବାହ ଓ ବହୁବିବାହ-ପ୍ରଥାର ବିରୋଧ କରି ତାହାକୁ ବନ୍ଦ କରାଇବା ଉଦ୍ଦେଶ୍ୟରେ ସରକାରଙ୍କୁ କ୍ରିୟାଶୀଳ କରାଇବା ଲାଗି ଲୋକମନରେ ମଧ୍ୟ ସେଥିଲାଗି ଏକ ଅନୁକୂଳ ଭୂମିକୁ ଗଢ଼ି ଆଣିବାର ଯେଉଁ କ୍ଳାନ୍ତିହୀନ ପ୍ରୟାସ,–ଏଗୁଡ଼ିକୁ ଆମେ ନିର୍ଦ୍ଦିଷ୍ଟ ଭାବରେ ସେହି ବିଦ୍ୟାସାଗରୀୟ ବିଶେଷ ଅର୍ଥରେ ହିଁ ଗୋଟିଏ ଗୋଟିଏ ଦୟାର କାର୍ଯ୍ୟ ବୋଲି କହିପାରିବା-। ଏକ ପୁରୋଗାମୀ ଦୟାଳୁ ମାନବମିତ୍ରର କାର୍ଯ୍ୟ । ଏକ ନୂତନ ସମୟ ହିଁ ଆସି ପହଞ୍ଚି ଯାଉଥିବା ପରି ଲାଗୁଥିଲା ଏବଂ ଯେଉଁ ଆଖି ଥିବା ଅଗ୍ରଣୀମାନେ ହିଁ ତାହାର ସଙ୍କେତ ପାଉଥିଲେ ଓ ସେହି ଅନୁସାରେ ଆପଣାକୁ ସତେଅବା କେଉଁ ଯୁଗବିଧାତାର ନିର୍ଦ୍ଦେଶକୁ ଅନ୍ତରଭିତରୁ ପାଇ ସମକାଳୀନ ସ୍ଥିତିଟି, ଭିତରେ ପ୍ରବେଶ କରିବାକୁ ଏକ ସ୍ଥାୟୀ ନିଷ୍ପତ୍ତି ଗ୍ରହଣ କରୁଥିଲେ, ଶ୍ରୀ ବିଦ୍ୟାସାଗରଙ୍କୁ ଆମେ ତାହାରି ଭିତରେ ହିଁ ଗଣନା କରିବା । ଏବଂ ତେବେଯାଇ ତାଙ୍କୁ ବୁଝିବା-

 

ସେହିପରି, ତାଙ୍କ ବ୍ୟତୀତ ଆଉ କିଏ ଏତେ ଅଧିକ ସମର୍ପିତ ଭାବରେ ଶିକ୍ଷାକୁ ମନ କରି ପାରିଥିଲା ? ନିଜ ଗାଆଁ ପାଠଶାଳାରୁ ସେହି ପୁରୁଣା ହିସାବରେ ତାଙ୍କର ଶିକ୍ଷାଲାଭ ଆରମ୍ଭ ହୋଇଥିଲା, ବହୁ ପ୍ରତିକୂଳତା ମଧ୍ୟରେ କଲିକତା ସହରରେ ସେହି କ୍ରମରେ ଆଗକୁ ସେତୁଟିଏ ପଡ଼ିଥିଲା । ତାଙ୍କର ବାପା ନିଜେ ବି ତ ଦାରୁଣ କୃଚ୍ଛକଷ୍ଟରେ କଲିକତା ସହରରେ ଆପଣା ଜୀବନର ଆଦ୍ୟଦିନଗୁଡ଼ିକ କଟାଇଥିଲେ, ନାନା ମିହନ୍ତ ଭିତରେ ଯେକୌଣସି ପ୍ରକାରରେ କେଉଁଠାରେ ହେଲେ ଦୁଇଗୋଡ଼କୁ ଠାକି ରଖି ଘରର ଗୁଜରାଣ ପାଇଁ କିଛି ଅର୍ଥର ଉପାୟ ଖୋଜି ବୁଲୁଥିଲେ ଏବଂ ହୁଏତ ଯେତେ ଇଚ୍ଛା ରହିଥିଲେ ମଧ୍ୟ ଆପେ କୌଣସି ବିଦ୍ୟାଲାଭ ନିମନ୍ତେ ବନ୍ଦୋବସ୍ତ କରି ପାରିନଥିଲେ । ତେଣୁ, ନିଜର ବଡ଼ପୁଅଟିକୁ ପାଖକୁ ଆଣି ଯେତେ ଜୀବନସଂଘର୍ଷର ମଧ୍ୟଦେଇ ହେଉ ପଛକେ, ଅନ୍ତତଃ ଔପଚାରିକ ଭାବରେ ଦି'ଅକ୍ଷର ପାଠ ପଢ଼ିବା ସକାଶେ କେଉଁଠାରେ ହେଲେ ହାବୁଡ଼ାଇ ଦେଇ ପାରିଲେ, ସେତିକିକୁ ମଧ୍ୟ କୌଣସିମତେ କମ୍ ବୋଲି ମୋଟେ କହି ହେବନାହିଁ । ବାଟଟିଏ ପାଇ ଶ୍ରୀ ବିଦ୍ୟାସାଗର ନିଜପାଇଁ ଆଗଟିକୁ ଫରଚା କରି କରି ଏପରି ଏକ ଅନ୍ତର୍ଗତ ଲୟ ସହିତ ଖୋଜ ବଢ଼ାଇ ଚାଲିପାରିଲେ ଯେ, ତାଙ୍କର ଆଗ୍ରହଟି ତାଙ୍କୁ ସତେଅବା ସାରା ଜୀବନଯାକ ବିଦ୍ୟାର୍ଜନର ଏକ ବାତାବରଣ ମଧ୍ୟରେ ସରଳ କରି ରଖି ପାରିଥିଲା । ବୟସ ପରିପକ୍ଵ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଜିଜ୍ଞାସା ବଢ଼ିଲା, ତୃଷାମାନେ ବଢ଼ିଲେ ଏବଂ ତାଙ୍କ ଭିତରର ଅଙ୍ଗୀକାରବଦ୍ଧ ବିଦ୍ୟାର୍ଥୀଟି କେତେ କୁଆଡ଼କୁ ପ୍ରସାରିତ ହୋଇ ଯାଇଥିଲା । ବିଦ୍ୟାର କେତେ କେତେ ସାଗର ଭିତରକୁ କେଡ଼େ ଆଗ୍ରହର ସହିତ ମନ ବି କରିଥିଲା । ଏବଂ, ଏକ ବହୁ ମହତ୍ତ୍ଵପୂର୍ଣ୍ଣ ସଂଯୋଗର କଥା ଯେ, ସେତେବେଳେ ତାଙ୍କୁ କେତେକ ଏପରି ଇଂରାଜ ଆଗ୍ରହୀ ପୁରୁଷଙ୍କର ପରିଚୟ ଲାଭ କରିବାର ସୁଯୋଗ ବି ମିଳିଲା, ଯେଉଁମାନେ କି ତାଙ୍କର ଅନନ୍ୟତାଗୁଡ଼ିକ ଦୃଷ୍ଟିରୁ ସେମାନେ ଏଠାରେ ଶାସକର ନାନା ପଦରେ ରହିଥିଲେ ମଧ୍ୟ ତାଙ୍କୁ ଆଦୌ ଜଣେ ଅଧିନସ୍ଥ ଅନୁଗ୍ରହପ୍ରାର୍ଥୀ ରୂପେ ନଦେଖି ଜଣେ ସମାସ୍କନ୍ଧର କଦର ଦେଇ ଦେଖିଥିଲେ । ତେଣୁ, ଜ୍ଞାନଗ୍ରହର କ୍ଷେତ୍ରରେ ତାଙ୍କୁ ପ୍ରତ୍ୟାଶା ମୁତାବକ ସୁଯୋଗଗୁଡ଼ିକ ମିଳିଗଲା ଏବଂ ସିଏ ମଧ୍ୟ ପୂର୍ଣ୍ଣ ସହଯୋଗ ସହିତ ହିଁ ଭରି ଅଗ୍ରସର ହୋଇ ଯାଇଥିଲେ ।

 

ସଂସ୍କୃତ କଲେଜରେ ସରକାରୀ ଅଧ୍ୟକ୍ଷପଦରେ ନିଯୁକ୍ତ ହେବାର ସମୟଟିରେ ମଧ୍ୟ ସିଏ ଯେ ଗୋଟିଏ ଶିକ୍ଷାନୁଷ୍ଠାନରେ ରହି କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କର ସେହି କାଳର ପରିପ୍ରେକ୍ଷୀଟି ଉପରେ ସମଗ୍ର ଭାରତବର୍ଷୀୟ ଭୂମିଟିକୁ ନେଇ ଶିକ୍ଷାବିତରଣର ଚିନ୍ତା କରୁଛନ୍ତି, ସେହି କଥାଟି କ୍ରମେ ଖୁବ୍ ସ୍ପଷ୍ଟ ହୋଇ ଆସୁଥିଲା । ସେହି କଳ୍ପନାର ଭାରତବର୍ଷ ନାମକ ଭୂମିରେ, ଆହୁରି ଅନେକେ ବଡ଼ଆଖିଆ ସମ୍ଭ୍ରାନ୍ତ ଭାରତୀୟ ଯେପରି ସ୍ଵପ୍ନ ଦେଖୁଥିଲେ, ସେଥିରେ କେବଳ କଲିକତା ସହର ନଥିଲା, ବୀରସିଂହ ଗାଆଁଟି ମଧ୍ୟ ରହିଥିଲା । ସିଏ ଯେଉଁ ମାଟିରେ ଜନ୍ମଗ୍ରହଣ କରିଛନ୍ତି ଏବଂ ଯେଉଁ ଭୂଇଁର ଚେରଗୁଡ଼ିକ ତାଙ୍କ ଜୀବନରେ ନିର୍ଭରଶୀଳ ରୂପେ କାର୍ଯ୍ୟ କରି ତାଙ୍କୁ ଗଢ଼ିଛନ୍ତି, ସେଇଟିର ପ୍ରୟୋଜନଟି ବିଷୟରେ, ସେହି ଦେଶରେ ଶିକ୍ଷାର ଯୋଜନା ଏବଂ ବ୍ୟବସ୍ଥା କିପରି ହେବ ଅଥବା ନହେବ, ସେହି ସମ୍ବନ୍ଧରେ ତାଙ୍କ ଅପେକ୍ଷା ଜଣେ ବା କେତେଜଣ ସାହେବ, ସେମାନେ ଶାସନକ୍ଷେତ୍ରରେ ଯେଡ଼େ ଉଚ୍ଚପଦମାନଙ୍କରେ ରହିଥିଲେ ମଧ୍ୟ ଅଧିକ ବୁଝିବେ ଏବଂ ଅଧିକ ଉତ୍ତମ ନିଷ୍ପତ୍ତିଟିଏ ଗ୍ରହଣ କରିପାରିବେ, ବିଦ୍ୟାସାଗର ଏଥିରେ କଦାପି ବିଶ୍ଵାସ କରନ୍ତେ ନାହିଁ । ତେଣୁ, କିଞ୍ଚିତ୍ ମତଭେଦ ଘଟିବାରୁ ସେ ନିଜର ପଦଟିକୁ ପରିତ୍ୟାଗ କରି ବାହାରି ଆସିଥିଲେ ଏବଂ କ୍ରମେ ପ୍ରଧାନତଃ ନିଜ ପ୍ରୟାସରେ ହିଁ ମନୋମତ ପ୍ରୟୋଗଗୁଡ଼ିକରେ ମନୋନିବେଶ କରିପାରିଲେ । ନିଜ ଅସଲ ସାମର୍ଥ୍ୟଗୁଡ଼ିକର ପ୍ରମାଣ ଦେଇପାରିଲେ । ସାଥିମାନେ ଅବଶ୍ୟ ମିଳିଥାନ୍ତେ, ତେଣୁ ମିଳି ଯାଇଥିଲେ । ନିଜର ଲେଖା ବହିଗୁଡ଼ିକରୁ ରୋଜଗାର କରୁଥିବା ଅର୍ଥରାଶିକୁ ଏଣିକି ସିଏ ନିଜର ଏହି ନାନା ବ୍ୟସ୍ତବାୟନର ସାଧନାରେ ପୂର୍ଣ୍ଣ ସନ୍ତର୍ପଣରେ ଖଟାଇ ପାରିଲେ । ଗୋଟିଏ କଥାରେ କହିଲେ, ଏଣିକି ସେ ପ୍ରକୃତରେ ଆପଣାର ପୂର୍ଣ୍ଣ ପ୍ରତିଭାଗୁଡ଼ିକର ପରିଚୟ ଦେଇ ପାରିଲେ । ସ୍ଵାଧୀନ ଭାବରେ ନିଜର ବଳସାମର୍ଥ୍ୟ ଉପରେ ଆସ୍ଥା ରଖି ସମଗ୍ର ଭାରତୀୟ ଭୂମିକୁ କ୍ଷେତ୍ରରୂପେ ବ୍ୟବହାର କରି ଶିକ୍ଷାର ଏତେ ଏତେ ବିକଳ୍ପ ତଥା ସମାଧାନକୁ ନାନାଭଳି ମୂର୍ତ୍ତରୂପ ଦେଇ ପାରିଥିଲେ ।

 

ସେହି ଊନବିଂଶ ଶତାବ୍ଦୀରେ ବିଦ୍ୟାସାଗରଙ୍କର ଜଣେ ପୂର୍ବଗାମୀ ରାମମୋହନ ରାୟ, ଭାରତବର୍ଷରେ ବହୁତଙ୍କର ତୁଣ୍ଡରେ ରାଜା ରାମମୋହନ ରାୟ । କେତେକ ଦୃଷ୍ଟିରୁ ତାଙ୍କୁ ବିଦ୍ୟାସାଗରଙ୍କର ସମକାଳୀନ ବୋଲି କୁହା ଯାଇପାରେ । ରାମମୋହନ ମନସ୍ଵୀ ଥିଲେ, ବହୁ ଭାଷାରେ ପ୍ରବୀଣ ଥିଲେ ଏବଂ ବ୍ରାହ୍ମଧର୍ମର ପ୍ରଥମ ପ୍ରବର୍ତ୍ତକ ଥିଲେ । ଈଶ୍ଵରଚନ୍ଦ୍ର କଲିକତାରେ ଅଧ୍ୟୟନ ତଥା ଅଧ୍ୟାପନା କରୁଥିବା ସମୟରେ କଲିକତାରେ ପ୍ରାୟ ଯାବତୀୟ ସଚଳତାର ଆକାଶରେ ରାମମୋହନ ବସ୍ତୁତଃ ଏକ ବହୁବୃହତ୍ ଜ୍ୟୋତିଷ୍କ ହୋଇ ଜଳୁଥିଲେ । ଅବଶ୍ୟ ତାଙ୍କ ଅମଳଟି ବେଳକୁ ବ୍ରାହ୍ମ ଧର୍ମରେ ଏକାଧିକ ଅଧାକାନ୍ଥିମାନ ଉଠି ସାରିଥିଲା ଏବଂ ତଦୁର୍ଦ୍ଧ୍ଵ ତଥା ଆହୁରି ତଦୁର୍ଦ୍ଧ୍ଵମାନେ ଅଲଗା ଅଲଗା ଧର୍ମଧୀଷଣା ସହିତ ବ୍ରାହ୍ମମାର୍ଗଟିର ନିଜସ୍ଵ ଭାଷ୍ୟଗୁଡ଼ିକର କେତନମାନ ଧରି ଦାଣ୍ଡମାନଙ୍କରେ ନିଜର ପରିଚୟ ଦେଉଥିଲେ । ବିସ୍ମିତ ଲାଗେ ଯେ ସେହି ସମୟରେ ଖାସ୍ ସେହି ପେଣ୍ଠଟାରେ ନିଜର ଏକ ସ୍ଵତନ୍ତ୍ର ନେତ୍ର ଲାଭ କରିବାର କ୍ରିୟାଶୀଳତା ମଧ୍ୟରେ ପୂର୍ଣ୍ଣନିଷ୍ଠ ହୋଇ ରହିଥିବା ବିଦ୍ୟାସାଗର ରାମମୋହନ କିମ୍ବା ତାଙ୍କର ଉତ୍ସପ୍ରେରଣାରୁ ଜନ୍ମଲାଭ କରିଥିବା ବ୍ରାହ୍ମଧର୍ମ ସମ୍ପର୍କରେ ପ୍ରାୟ କିଛିହେଲେ ଲେଖିନାହାନ୍ତି । ଏବଂ, ସେହି କଥାଟିକୁ କଦାପି ଆକସ୍ମିକ ବୋଲି ଆଦୌ କୁହାଯାଇ ପରିବନାହିଁ । ସୁତରାଂ, ପ୍ରକୃତରେ କିଞ୍ଚିତ୍ ବିଚିତ୍ର ମଧ୍ୟ ଲାଗେ ଯେ, ବିଦ୍ୟାସାଗରଙ୍କର ବହୁ ଆଲୋଚକ ତାଙ୍କ ବିଷୟରେ କୌଣସି ଆକଳନ କରୁଥିବା ସମୟରେ ରାଜା ରାମମୋହନଙ୍କୁ ଆଣି ଚର୍ଚ୍ଚାରେ ଭର୍ତ୍ତି କରି ଦିଅନ୍ତି । ଅସଲ ଫରକଗୁଡ଼ିକୁ ଦର୍ଶାନ୍ତିନାହିଁ, ତଥାପି କ'ଣସବୁ ପୂର୍ବାନୁମାନଦ୍ଵାରା ବାଧ୍ୟ ହୋଇ ସେହିପରି କରନ୍ତି । ଏହି ଉଭୟ ବ୍ୟକ୍ତିତ୍ଵ ମଧ୍ୟରେ ରହିଥିବା ପାର୍ଥକ୍ୟଗୁଡ଼ିକୁ ସେମାନେ ଜାଣି ଏବଂ ଦେଖି ମଧ୍ୟ ତଥାପି ଏଡ଼ାଇ ଯାଇଥାନ୍ତି କାହିଁକି କେଜାଣି ?

 

ବ୍ରାହ୍ମସମାଜର ପ୍ରବର୍ତ୍ତକ ରାମମୋହନ ମୃତ୍ୟୁ ପର୍ଯ୍ୟନ୍ତ ବ୍ରାହ୍ମଣର ବର୍ଣ୍ଣଚିହ୍ନ ଯଜ୍ଞୋପବୀତ ଧାରଣ କରୁଥିଲେ । ବ୍ୟକ୍ତିଗତ ଜୀବନରେ ସେ ଜାତିଭେଦ ପ୍ରଥାର ବାଡ଼ଗୁଡ଼ିକୁ ମାନିକରି ଚଳୁଥିଲେ । ବ୍ରାହ୍ମଣଲାଗି ନିଷିଦ୍ଧ କୌଣସି ଖାଦ୍ୟ ଗ୍ରହଣ କରୁନଥିଲେ, ଅନ୍ୟ ଧର୍ମାବଲମ୍ବୀ ବା ଅନ୍ୟ ଜାତିଭୁକ୍ତ ଲୋକମାନଙ୍କ ସହିତ ଏକତ୍ର ଆହାର ମଧ୍ୟ କରୁନଥିଲେ । ଆଉଜଣେ ତାଙ୍କ ଜୀବନୀର ଟୀକାକାର ଉଲ୍ଲେଖ କରିଛନ୍ତି, ରାମମୋହନ କିମ୍ବା ଏପରିକି ମହର୍ଷି ଦେବେନ୍ଦ୍ରେନାଥ ଠାକୁର ମଧ୍ୟ ସେମାନଙ୍କର ପାଲିଙ୍କିକୁ କାନ୍ଧେଇ ନେଉଥିବା ବେହେରାମାନଙ୍କୁ ବ୍ରାହ୍ମସମାଜରେ ଗ୍ରହଣ କରିବାର କଥା କେବେହେଲେ ଚିନ୍ତା ହିଁ କରିନଥିବେ । ଆହୁରି କେତେ ଅନ୍ୟ କ୍ଷେତ୍ରକୁ ଦୃଷ୍ଟିପାତ କରିପାରିଲେ ଆମେ ଈଶ୍ଵରଚନ୍ଦ୍ର ଏବଂ ରାମମୋହନଙ୍କର ଦୃଷ୍ଟିକୋଣରେ ସ୍ପଷ୍ଟତଃ ଖୁବ୍ ଫରକ ରହିଥିଲା ବୋଲି ଅବଶ୍ୟ ଜାଣିପାରିବା । ଏବଂ, ସେଗୁଡ଼ିକୁ କେବଳ ରାଜନୀତିକ ପ୍ରସଙ୍ଗ ବୋଲି କହି ଗୌଣ କରି ପକାଇବା ନାହିଁ: ଇଂରେଜ ବ୍ୟାପାରୀମାନଙ୍କର ସ୍ଵାର୍ଥରକ୍ଷା ନିମନ୍ତେ ହିଁ ରାମମୋହନ ରାୟ ଇଂରେଜ କର୍ତ୍ତୃପକ୍ଷଙ୍କୁ ଆବେଦନ କରିଥିଲେ; ତତ୍କାଳୀନ ବଙ୍ଗଳାର ଲବଣ ପ୍ରସ୍ତୁତ କରିବା ଶିଳ୍ପକୁ ବନ୍ଦ କରି ଇଂଲଣ୍ଡରୁ ଲବଣ ଆମଦାନୀ କରିବା ସକାଶେ ଅନୁରୋଧ କରିଥିଲେ । ପୁନଶ୍ଚ, ନୀଳଚାଷୀମାନଙ୍କ ଉପରେ ଇଂରେଜ ମାଲିକମାନଙ୍କର ନାନା ଅତ୍ୟାଚାର ହେଉଥିବା ସମୟରେ ରାମମୋହନ ଭାରତବର୍ଷରେ ନୀଳଚାଷର ସମୃଦ୍ଧି କାମନାକରି ନୀଳଚାଷର ମାଲିକମାନଙ୍କର ପ୍ରଶଂସା କରିଥିଲେ ।

 

ସେତେବେଳେ ଭାରତବର୍ଷ ବହୁ ଅରାଜକତା ମଧ୍ୟରେ ବହୁବିଧ ଅନିଶ୍ଚୟତା ମଧ୍ୟରେ ସଂଶୟାଚ୍ଛନ୍ନ ହୋଇ ରହିଥିଲା । ମୋଗଲ ସାମ୍ରାଜ୍ୟଟା ଭାଙ୍ଗି ସାରିଥିଲା । କେବଳ ସ୍ଥାନୀୟ ସତ୍ରାପମାନେ ହିଁ ମୋଗଲଗିରିର କେତେଟା ନିକୃଷ୍ଟ ନମୁନାର ନିଦର୍ଶନ ହୋଇ ରହିଥିଲେ । ବଙ୍ଗଳା ନାମକ ବିଦ୍ୟାସାଗରଙ୍କର ସେହି ନିଜ ଭୂମିଟିରେ ମଧ୍ୟ ଦୀର୍ଘଦିନର ମୁସଲମାନ ରାଜତ୍ଵ ପରେ ମୋଗଲ ଅବଶେଷର ଏକାଧିକ ଅସ୍ତକାଳୀନତାକୁ ବହନ କରି ଏକ ତଥାକଥିତ ଶାସନ ପୂରା ଟଳଟଳ ହେବାରେ ଲାଗିଥିଲା । ଇଷ୍ଟି ଇଣ୍ଡିଆ କମ୍ପାନୀ ଆସିଲେ, ବାଣିଜ୍ୟିକ ସୁଯୋଗ କିଛି ଅକ୍ତିଆର କରିବା ନିମନ୍ତେ କେତେକ ସ୍ଥାନରେ ସୈନ୍ୟବଳର ପ୍ରୟୋଗ କରିଥିଲେ ଏବଂ ପ୍ରାୟ ଆଶାତୀତ ଅବଲୀଳା ସହିତ ଅବକ୍ଷୟରୁ କେତେ ଭଳି ଅସମର୍ଥତାକୁ ବହନ କରି ପ୍ରଜାପୀଡ଼ନରେ ମତ୍ତ ହୋଲି ରହିଥିବା ସାନ ସାନ ମାନୀମାନଙ୍କୁ ପରାଜିତ କରି ପାରିଲେ । ଶାସନକୁ, ସାମ୍ରାଜ୍ୟକୁ ବି କ୍ରମେ ମନ ବଳାଇଲେ । କଲିକତା ହିଁ ଏହିସବୁ କାୟାବଦଳ ଏବଂ ନବସଂସ୍ଥାନର ମୁଖ୍ୟ କେନ୍ଦ୍ର ହୋଇ ରହିଥିଲା । ଫୋର୍ଟ ଉଇଲିୟମ୍‍ରୁ ନୂଆ ନାନା ବିକଳ୍ପର ସଙ୍କେତ ବହନ କରି ସତେଅବା ମୂଳଦୁଆଟିଏ ପଡ଼ିଲା । ଯେତେ ଅପରିଚିତ ବୋଲି ମନେ ହେଉଥିଲେ ମଧ୍ୟ ତଥାପି ନିଦା ହୋଇ କ'ଣଟିଏ ତିଆରି ହେଉଥିବାର ଏକ ପ୍ରତୀତି ମଧ୍ୟ ଆଣି ଦେଉଥିଲା । ବିଶେଷତଃ, ଯେଉଁମାନେ ସେହି ସାମ୍ରାଜ୍ୟ-ଲୟ ଏବଂ ସାମ୍ରାଜ୍ୟ-ବିଜୟର କୋଳାହଳଗୁଡ଼ିକର ବାହାରେ ଥିଲେ, ଆଗ ଲୋକମାନଙ୍କୁ ଦେଖି ଭାରତବର୍ଷର ବିମୋଚନ ନିମନ୍ତେ କୌଣସି ବାଟ ଆଦୌ ଅଛି କି ନାହିଁ, ତାହାରି କିଛି ସକାରାତ୍ମକ ସଙ୍କେତର ହୁଏତ ଅପେକ୍ଷା କରୁଥିଲେ, ଏହି ନୂତନ ସଂସ୍ଥାପନାଟିକୁ ସେମାନେ ଖୁବ୍ ସମୀଚୀନ ଭାବରେ ଏକ ଆଶ୍ଵାସନାପ୍ରଦ ଉତ୍ତମ ଆରମ୍ଭ ବୋଲି ଅନୁଭବ କରିବାକୁ ଲାଗିଲେ । ସେହି ପର୍ଯ୍ୟାୟର ଜଣେ ପ୍ରତିନିଧିସ୍ଥାନୀୟ ବ୍ୟକ୍ତି, ପରେ ଆଲିଗଡ଼ ବିଶ୍ୱବିଦ୍ୟାଳୟର ସ୍ଥାପୟିତା ସାର୍ ସୟଦ ଅହମ୍ମଦ ଖାଁ ସେତେବେଳେ ଯେଉଁ ମନୋଭାବଟିକୁ ଏକଦା ବ୍ୟକ୍ତ କରିଥିଲେ: ଇଂରେଜ ଶାସନର ପ୍ରତିଷ୍ଠା ସମୟରେ ଭାରତ ଗୋଟିଏ ବିଧବା ପରି ହୋଇ ରହିଥିଲା । ସେତେବେଳେ ଜଣେ ସ୍ଵାମୀର ପ୍ରୟୋଜନ ଥିଲା । ତେଣୁ ସିଏ ଇଂରେଜ ଜାତିକୁ ନିଜର ସ୍ଵାମୀରୂପେ ବରଣ କରିଥିଲା । ରାଜ ରାମମୋହନ ମଧ୍ୟ ସେହିପରି ପ୍ରାୟ ଏକ ଆଶ୍ଵସ୍ତି ଅନୁଭବ କରି ଏକାଧିକ ଅବସରରେ ସେହିଭଳି ମନ୍ତବ୍ୟମାନ ପ୍ରଦାନ କରିଛନ୍ତି । ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ମଧ୍ୟ ଆପଣାର କର୍ମଗତ ଭୂମିକାମାନଙ୍କରେ ସେହିଭଳି ପ୍ରତିକ୍ରିୟାର ପରିଚୟ ଦେଇଛନ୍ତି । ମାତ୍ର ତାଙ୍କର ମତଗୁଡ଼ିକ ଇଂରେଜମାନଙ୍କୁ ଶାସକରୂପେ ଦେଖି ଯେତେଦୂର ବ୍ୟକ୍ତ ହୋଇନଥିଲା, ବରଂ ଖାସ୍ କେତେଜଣ ଇଂରେଜ ଉଚ୍ଚପଦସ୍ଥମାନଙ୍କର ଅନ୍ତରଙ୍ଗ ସମ୍ପର୍କକୁ ଆଧାର କରି ହିଁ କ୍ରମଶଃ ଗଠିତ ହୋଇ ଆସିଥିଲା । ଭାରତବର୍ଷ ଏବଂ ତାହାର ଲୋକଭାଗ୍ୟ କହିଲେ ସେତେବେଳେ ଏହି ପୁରୋଗାମୀମାନେ ଭିନ୍ନ ଭିନ୍ନ ଅଗ୍ରାଧିକାର ଦେଇ ନିଜ ଚିତ୍ରଗୁଡ଼ିକୁ ତିଆରି କରୁଥିଲେ ସତ, କିନ୍ତୁ ସମସ୍ତେ ପ୍ରାୟ ଏକା ଚିତ୍ରଟିଏ ଦେଖୁଥିଲେ ।

 

ହଁ, ଆମେ ବିଦ୍ୟାସାଗରଙ୍କର ଶିକ୍ଷାକ୍ଷେତ୍ରୀୟ ଅନନ୍ୟ ଉଦ୍ୟମର କୃତି ତଥା କୀର୍ତ୍ତିଗୁଡ଼ିକର ଚର୍ଚ୍ଚାକୁ ଫେରି ଆସିବା । ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ରଙ୍କର ଉକ୍ତି ଅନୁସାରେ ଉଚ୍ଚଶିକ୍ଷାକୁ ମାଧ୍ୟମିକ ଶିକ୍ଷା ପରି ସୁଲଭ କରିବାର ପ୍ରଚେଷ୍ଟା । ସମଗ୍ର ଭାରତବର୍ଷରେ ବିଦ୍ୟାସାଗର ସେଥିରେ ସର୍ବପ୍ରଥମ ଥିଲେ । ସେ ଅଦ୍ଭୁତପୂର୍ବ ସାହସିକତା ଦେଖାଇ ଯେଉଁ ମେଟ୍ରୋପୋଲିଟାନ୍ କଲେଜଟିକୁ ପ୍ରତିଷ୍ଠା କରିଥିଲେ, ତାହାକୁ ଇଂରେଜମାନଙ୍କଦ୍ଵାରା ପ୍ରଶାସିତ ବିଶ୍ୱବିଦ୍ୟାଳୟର ସହବନ୍ଧନ ମିଳି ପାରିଥିଲା । ସେମାନେ ପୂର୍ବରୁ କୌଣସି କଲେଜକୁ ଏପରି ଏକ ସ୍ଵୀକୃତି ଦେଇନଥିଲେ ଏବଂ ଯେତେବେଳେ ଦେଶରେ ଆଉ କେହିହେଲେ ସେଭଳି ଉଦ୍ୟମ କରିନଥିଲେ-। ଏବଂ, ନିଜର ଉତ୍କର୍ଷ ପ୍ରଦର୍ଶନ କରି ଏହି ଘରୋଇ କଲେଜ ଉଭୟ ଛାତ୍ରସଂଖ୍ୟାରେ ଓ ପରୀକ୍ଷାରେ ଛାତ୍ରମାନେ ଉତ୍ତୀର୍ଣ୍ଣ ହେବାର ଅନୁପାତରେ ସରକାରୀ ପ୍ରେସିଡ଼େନ୍‍ସି କଲେଜକୁ ମଧ୍ୟ ଟପି ଯାଇଥିଲା । ଘରୋଇ କଲେଜଟି ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଉଦ୍‍ଯୋଗ ତଥା ଅର୍ଥଦ୍ଵାରା ପରିଚାଳିତ ହେଉଥିଲା । ସେଠାରେ ସବୁଯାକ ଅଧ୍ୟାପକ ଭାରତୀୟ ହିଁ ଥିଲେ ଅଧ୍ୟକ୍ଷ ମଧ୍ୟ ସେହି ଭାରତୀୟ ଥିଲେ । ତାହାକୁ ନିର୍ବିବାଦରେ ହିଁ ଆମ ଦେଶର ସର୍ବପ୍ରଥମ ଜାତୀୟ ବିଦ୍ୟାଳୟ ବୋଲି କୁହାଯାଇ ପାରିବ । ପୁନଶ୍ଚ, ସେହି ଶିକ୍ଷାୟତନରେ ଧର୍ମନିର୍ବିଶେଷରେ ସବୁ ଛାତ୍ରଙ୍କର ପ୍ରବେଶ କରିବାର ସୁଯୋଗ ରହିଥିଲା । ତଥାପି ବାଧମାନ ଖୁବ୍ ଥିଲା ଏବଂ ରକ୍ଷଣଶୀଳ ଗୁରୁଜନମାନଙ୍କ ଜିଦ୍ ପାଖରେ ବିଦ୍ୟାସାଗରଙ୍କୁ ବେଳେବେଳେ ମୁଣ୍ଡ ନୁଆଁଇବାକୁ ମଧ୍ୟ ହେଉଥିଲା । ବିଦ୍ୟାସାଗର ସଂସ୍କୃତ କଲେଜର ଅଧ୍ୟକ୍ଷପଦରେ ରହିଥିବା ସମୟରେ ସେହି ଶିକ୍ଷାନୁଷ୍ଠାନରେ ସବୁ ବର୍ଣ୍ଣର ଛାତ୍ରମାନଙ୍କୁ ଅଧ୍ୟୟନ କରିବାର ସୁଯୋଗ ପ୍ରଦାନ କରିବା ବିଷୟରେ ରକ୍ଷଣଶୀଳ ହିନ୍ଦୁମାନଙ୍କ ପକ୍ଷରୁ ପ୍ରବଳ ବିରୋଧ ପ୍ରକାଶ ପାଇବାରୁ ସେ ନିଜର ସକଳ ଇଚ୍ଛା ସତ୍ତ୍ୱେ ସେହିଭଳି ପ୍ରସ୍ତାବଟିଏ କର୍ତ୍ତୃପକ୍ଷଙ୍କୁ ଦେଇ ପାରିନଥିଲେ । ଯେଉଁ ପ୍ରସ୍ତାବଟି ଦେଇଥିଲେ, ସେଥିରେ କାୟସ୍ଥମାନଙ୍କ ପର୍ଯ୍ୟନ୍ତ ଅନୁମତି ଦିଆଯାଉ ବୋଲି ଅନୁରୋଧ କରା ଯାଇଥିଲା । ଅର୍ଥାତ୍, ନିମ୍ନବର୍ଣ୍ଣର ଛାତ୍ରମାନଙ୍କୁ ଏଠାରେ ଅଧ୍ୟୟନ କରିବାର ଅଧିକାର ମିଳି ନଥିଲା । ପୁନଶ୍ଚ, ୧୮୪୭ ମସିହାରେ କାଲ୍‍କାଟା ଫିମେଲ୍ ସ୍କୁଲରେ ବିଦ୍ୟାସାଗର ନିୟମ କରି ଦେଇଥିଲେ ଯେ, କେବଳ ଉଚ୍ଚ ଶ୍ରେଣୀର ଧନିକ ହିନ୍ଦୁ ପରିବାର ମଧ୍ୟରେ ହିଁ ସ୍ତ୍ରୀ-ଶିକ୍ଷା ସୀମାବଦ୍ଧ ହୋଇ ରହିବ ।

 

ଶ୍ରୀ ବିଦ୍ୟାସାଗରଙ୍କର ବ୍ୟକ୍ତିତ୍ଵ ତଥା ସମସାମୟିକ ସମୟଟିକୁ ତାଙ୍କର ଅବଦାନ ବିଷୟରେ ନାନାବିଧ ଆକଳନ କରାଯାଇ ପରବର୍ତ୍ତୀ ଚରିତକାରମାନଙ୍କର ବହୁ ବର୍ଣ୍ଣନାମାନ ରହିଛି-। ସେଗୁଡ଼ିକୁ ଏକାଠି କରି ଆମେ ବହୁ ପରିମାଣରେ ସେହି ଉଜ୍ଜ୍ଵଳ ପ୍ରତିଭାଟି ବିଷୟରେ ଏକ ସମଗ୍ର ଅବଲୋକନ ତଥା ଅବଧାରଣା ଅବଶ୍ୟ କରିପାରିବା । ବଙ୍ଗ ସାହିତ୍ୟ ତଥା ସାମାଜିକ କ୍ରମଗଠନର ଜଣେ ବିଦ୍ଵାନ୍ ଛାତ୍ର ତଥା ଆପଣା ଛାତ୍ରାବସ୍ଥାରେ ଏକଦା ବିଦ୍ୟାସାଗରଙ୍କର ଅନୁକମ୍ପା ପ୍ରାପ୍ତ ଶ୍ରୀଯୁକ୍ତ ନବୀନଚନ୍ଦ୍ର ସେନ ପରବର୍ତ୍ତୀ କୌଣସି ସମୟରେ ଏହିପରି ଉଲ୍ଲେଖ କରିଛନ୍ତି : ହେ ଭଗବାନ୍ ! ଖ୍ୟାତନାମା ବିଦ୍ୟାସାଗର କ'ଣ ପ୍ରକୃତରେ ଠିକ୍ ଏହିପରି-? ଏହି ଖର୍ବାକୃତି ମନୁଷ୍ୟଟି, ଚକ୍ରାକାରେ ମୁଣ୍ଡିତମସ୍ତକ, ନିମଜ୍ଜିତ ତୀକ୍ଷ୍‍ଣ ନେତ୍ର, ଦୃଢ଼ ପ୍ରତିଜ୍ଞାବ୍ୟଞ୍ଜକ ଅଧରଭଙ୍ଗୀ, ଗଗନୋପମ ଉଚ୍ଚ ପ୍ରଶସ୍ତ ଲଲାଟ, ପ୍ରଶସ୍ତ ବକ୍ଷଦେଶ, ବଳିଷ୍ଠ ଶରୀର, କୃଷ୍ଣବର୍ଣ୍ଣ ଦରିଦ୍ର ବ୍ରାହ୍ମଣ ବ୍ୟକ୍ତିଟି କ'ଣ ପ୍ରକୃତରେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ? ପାଦରେ ଚଟି, ପରିଧାନରେ ସାମାନ୍ୟ ଧୋତି, ଗଳାରେ ବିଶଦ ଅମଳଧବଳ ମୁକ୍ତାହାର-ସନ୍ନିଭ ଯଜ୍ଞୋପବୀତ, ହସ୍ତରେ କ୍ଷୁଦ୍ର ରଜତନଳସଂଯୁକ୍ତ ଗୋଟିଏ ମାମୁଲି ହୁକା, ମୁଖମଣ୍ଡଳରେ ସର୍ବଦା ହସ, ମୂର୍ତ୍ତିଟି ଉପରେ ସର୍ବଦା ହିଁ ଶାନ୍ତି, ଏବଂ ହୃଦୟରେ ଅମୃତରାଶି,–ଆମ ଭଳି ନିତାନ୍ତ ବାଳକମାନଙ୍କ ସାଙ୍ଗରେ ମଧ୍ୟ ଜଣେ ଚିରପରିଚିତ ଆତ୍ମୀୟ ପରି ସସ୍ନେହ ଆଳାପ ମଧ୍ୟ କରିପାରନ୍ତି,–ତେବେ ଇଏ କ'ଣ ପ୍ରକୃତରେ ସେହି ବିଦ୍ୟାସାଗର ? କଥିତ ଅଛି ଯେ ବିଦ୍ୟାସାଗରଙ୍କୁ ସର୍ବପ୍ରଥମ ଥର ଦର୍ଶନ କରି ଶ୍ରୀ ନବୀନଚନ୍ଦ୍ର ନିଜର ପ୍ରତିକ୍ରିୟାଟିକୁ ଏହି ଶବ୍ଦଗୁଡ଼ିକଦ୍ଵାରା ପ୍ରକାଶ କରିଛନ୍ତି ।

 

ବିଦ୍ୟାସାଗରଙ୍କର ଧର୍ମ ଅର୍ଥାତ୍ ଧର୍ମଜୀବନର ଧାରଣଗୁଡ଼ିକର ସମ୍ବନ୍ଧରେ ଅତ୍ୟନ୍ତ କୋଳାହଳପୂର୍ଣ୍ଣ ଭାବରେ ଆପଣାକୁ ଧର୍ମସ୍ଥ ବୋଲି ବିଚାର କରୁଥିବା ବ୍ୟକ୍ତିମାନେ ବହୁ ପ୍ରହେଳିକାରେ ଯାଇ ପଡ଼ି ଯାଇଛନ୍ତି । ସେମାନେ ନ୍ୟାୟତଃ ଆପଣାର ଦର୍ପଣ ଉପରେ ବିଦ୍ୟାସାଗରଙ୍କୁ ଦେଖିଛନ୍ତି ବୋଲି ସମ୍ବବତଃ ତାଙ୍କୁ ପ୍ରାୟ ଦେଖି ମଧ୍ୟ ଦେଖି ପାରିନାହାନ୍ତି । ଶ୍ରୀଯୁକ୍ତ ଶଙ୍କରୀପ୍ରସାଦ ବସୁଙ୍କର ଏକ ଦୀର୍ଘ ମୂଲ୍ୟାୟନ ଅନୁସାରେ; ଜଣେ ବ୍ୟକ୍ତିକୁ ଈଶ୍ଵରଙ୍କର ମାର୍ଗରେ ମଜ୍ଜିତ ବୋଲି କହିଲେ ସାଧାରଣ ଅର୍ଥରେ ଯାହା ବୁଝାଇଥାଏ, ଈଶ୍ଵରଚନ୍ଦ୍ର ସେଭଳି ନଥିଲେ । ସିଏ ଈଶ୍ଵରବିଶ୍ଵାସୀ ନଥିଲେ ବୋଲି କହିଲେ ସେଇଟିଦ୍ଵାରା ମଧ୍ୟ ଆଦୌ ସତ ପ୍ରକୃତ କଥାଟି କୁହାଗଲା ବୋଲି କହି ହେବନାହିଁ । ଈଶ୍ଵରଚନ୍ଦ୍ର ଧର୍ମ ଓ ଦର୍ଶନ ବିଷୟରେ ପ୍ରାୟ ସ୍ଵଭାବପ୍ରେରିତ ଭାବରେ ଉଦାସୀନ ରହିଥିଲେ । ..ହଁ, ସେ ମନୁଷ୍ୟକୁ ଗଭୀର ଭାବେ ଭଲ ପାଉଥିଲେ; ସର୍ବଦା ଲୋକକଲ୍ୟାଣରେ ରତ ହୋଇ ରହିଥିଲେ । ବିଦ୍ୟାସାଗର ନିଜର ସ୍ଵଭାବକ୍ଷେତ୍ରରେ ମଙ୍ଗଳମୟ ଭଗବାନଙ୍କର ଅବଶ୍ୟ ଧାରଣା କରି ପାରୁଥିଲେ, ମାତ୍ର ପୃଥିବୀଟା ଏତେ ଏତେ ଅମଙ୍ଗଳରେ ପୂର୍ଣ୍ଣ ହୋଇ ରହିଥିବାର ନିଜ ଆଖିରେ ଦେଖି ସମ୍ଭବତଃ ନିଜର ଅନ୍ତସ୍କରଣ ମଧ୍ୟରେ ଅଭିଯୋଗ କରି ମଧ୍ୟ ଉଠିଥିଲେ,–ଯଦି ଈଶ୍ଵର ସତକୁସତ ମଙ୍ଗଳମୟ, ତେବେ ଏହି ଜଗତରେ କ'ଣ ପାଇଁ ଏତେ ଏତେ ଅବିଚାର ଏବଂ ଅନ୍ୟାୟ ଭର୍ତ୍ତି ହୋଇ ରହିଛି ? ମୂର୍ତ୍ତିପୂଜାରେ ତାଙ୍କର କୌଣସି ବିଶ୍ଵାସ ନଥିଲା । ତେଣେ ଶଙ୍କରାଚାର୍ଯ୍ୟଙ୍କର ମାୟାବାଦକୁ ମଧ୍ୟ ସେ ଗ୍ରହଣ କରି ପାରିନଥିଲେ । ଏହି କ୍ଷେତ୍ରରେ ସେ ପ୍ରକୃତରେ ଜଣେ ବାଳକର ଅନ୍ତର୍ସ୍ୱଭାବକୁ ନିଜ ଭିତରେ ବଞ୍ଚାଇ ରଖିଥିଲେ । ଶ୍ରୀଯୁକ୍ତ ଶଙ୍କରୀପ୍ରସାଦ ତା'ପରେ ଯାହା କହିଛନ୍ତି :

 

ମାୟାବାଦ ହେଉଛି ମିଥ୍ୟା, ଜଗତ ହେଉଛି ସର୍ବମୂଳ ପରମସତ୍ୟ, ଆପଣାର ସେହି ଅତିପ୍ରିୟ ଜଗତଟିର ମାଡ଼ ଖାଇ ଖାଇ ସେ ଯନ୍ତ୍ରଣାରେ ଅଧୀର ହୋଇ ବୈରାଗ୍ୟ ଅବଲମ୍ବନ କରିଛନ୍ତି । ବାରମ୍ବାର ସବୁରି ଚହିତ ଥାଇ ମଧ୍ୟ ନିର୍ଜନବାସ କରିଛନ୍ତି । ତଥାପି ସର୍ବବିଧ ବୈରାଗ୍ୟ ମଧ୍ୟରେ ବି ପୃଥିବୀକୁ ମାୟା ବୋଲି କହି ଫୋପାଡ଼ି ଦେବାକୁ କେବେହେଲେ ମନ କରିନାହାନ୍ତି । ଏବଂ ତେଣେ ଈଶ୍ଵରଙ୍କୁ ପରମ ଶରଣ ବୋଲି ବରଣ ମଧ୍ୟ କରିନେଇ ପାରିନାହାନ୍ତି । ଅର୍ଥାତ୍, ସତେଅବା ଦୁଇଆଡ଼କୁ ହିଁ ଟାଣି ହୋଇ କଷ୍ଟ ଭୋଗ କରିଛନ୍ତି । ପିଲାମାନଙ୍କର ସାନିଧ୍ୟ ଲୋଡ଼ି ସାନ୍ତ୍ଵନା ଲାଭ କରିଛନ୍ତି । ଯେଉଁମାନଙ୍କର ଅନ୍ତରରାଜ୍ୟଟି ଶିଶୁମାନଙ୍କ ସଦୃଶ, ସେହି ସ୍ଵଭାବଖୁସୀ ଆଦିମ ନିଦା ମନୁଷ୍ୟମାନଙ୍କର ସାନ୍ନିଧ୍ୟ । ତାଙ୍କର ସମଗ୍ର ଅନ୍ତର ଏକ ନିଷ୍କପଟ ଭକ୍ତିଭାବଦ୍ଵାରା ଅତୀବ ସକାରାତ୍ମକ ଭକ୍ତି ଭାବରେ ସଦାସଚଳ ହୋଇ ରହିଥିଲା । ସେହି ଭକ୍ତି ଜଣେ ଆର୍ତ୍ତର ଭକ୍ତି ନୁହେଁ, ଅର୍ଥାର୍ଥୀ ଜଣେ ମନୁଷ୍ୟର ତ ମୋତେ ନୁହେଁ, ପୂରାପଣେ ଏକ ଜିଜ୍ଞାସୁ ଭକ୍ତି । ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ, ଭଗିନୀ ନିବେଦିତାଙ୍କୁ ସ୍ଵାମୀ ବିବେକାନନ୍ଦ କୌଣସି ପ୍ରସଙ୍ଗରେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ବିଷୟରେ ଯାହା କହିଥିଲେ, ମନୁଷ୍ୟଠାରେ ଯାହାଙ୍କର ଏତେ ମମତା, ସିଏ ହେଉଛନ୍ତି ଯଥାର୍ଥ ଧାର୍ମିକ । ଯଥାର୍ଥ ଧର୍ମସ୍ଥ,–ଈଶ୍ଵରସ୍ଥ ବୋଲି ମଧ୍ୟ କାହିଁକି କୁହାନଯିବ ?

 

ତାଙ୍କ ବିଷୟରେ ରବୀନ୍ଦ୍ରନାଥଙ୍କର ତଥାପି ଆଉଗୋଟିଏ ଉକ୍ତି : ଜନ୍ମରେ ବଙ୍ଗାଳି ହଲେ ମଧ୍ୟ ଧର୍ମରେ ଓ କର୍ମରେ ସେ ବଙ୍ଗାଳି ନଥିଲେ । ଖୁବ୍ ସମ୍ଭବ ତା'ର ପୂର୍ବରୁ ହିଁ ଆପଣାର ଗୋଟିଏ କବିତାରେ ଭଗବାନଙ୍କୁ ସମ୍ବୋଧନ କରି ବଙ୍ଗାଳି କରି ରଖିଛନ୍ତି ସିନା, ମାତ୍ର ମନୁଷ୍ୟ କରିନାହାନ୍ତି । ସମ୍ଭବତଃ ସତ୍ୟକଥାଟି ହେଉଛି ଯେ ସର୍ବପ୍ରକାର ସନ୍ଦର୍ଭରେ ମୁଁ ଜଣେ ମନୁଷ୍ୟ ହୋଇପାରିଲେ ଯୁଗପତ୍ ଭାବରେ ଜଣେ ବଙ୍ଗାଳି ମଧ୍ୟ ହୋଇପାରିବି । ଅର୍ଥାତ୍, ବଙ୍ଗଳାରେ ବଙ୍ଗାଳି ହୋଇପାରିବି, ଓଡ଼ିଶାରେ ଓଡ଼ିଆ ବି ହୋଇପାରିବି । ଯେଉଁମାନେ ଆଗ ମଣିଷ ନହୋଇ ଆମକୁ ବଙ୍ଗଳାରେ ବଙ୍ଗାଳି ଅଥବା ଓଡ଼ିଆରେ ଓଡ଼ିଆ ହେବାଲାଗି ଉଦ୍‍ବୋଧନମାନ ଦେଉଥାଆନ୍ତି, ସେମାନେ ମନରେ କ'ଣସବୁ ପାଞ୍ଚି ସେପରି କହନ୍ତି କେଜାଣି ? ଏବଂ, ଅପର ପକ୍ଷରେ, ଯିଏ ବା ଯେଉଁମାନେ ବଙ୍ଗଳାରେ ବଙ୍ଗାଳି ଏବଂ ଓଡ଼ିଶାରେ ଓଡ଼ିଆ ହେବାଲାଗି ଆଗ ପାଗ ବାନ୍ଧି ବାହାରି ପଡ଼ନ୍ତି, ସେମାନେ ସଚରାଚର ସେଇଟିର ବଳରେ ମୋଟେ ମଣିଷ ହୋଇ ପାରନ୍ତିନାହିଁ । ଖାଲି ଏହି ସାରା ପୃଥିବୀଟା ପାଇଁ ନୁହେଁ, ନିଜର ଦେଶ ବା ଭୂମିଟା ନିମନ୍ତେ ସମସ୍ୟା ହୋଇ ରହିଥାନ୍ତି । କୌଣସି ବ୍ୟକ୍ତି ଜନ୍ମରୁ ହିଁ ମନୁଷ୍ୟ ହୋଇ ସିଆଡ଼ୁ କେଉଁଠୁ ଆଦୌ ଏଠାକୁ ଆସିନଥାଏ । ଏଠାରେ ଯେଉଁ ଭୂମିଟି ସହିତ ସେ ସବାଆଗ ପରିଚିତ ହୁଏ, ଦୁଇପତ୍ରରୁ ଚାରିପତ୍ର ହୁଏ, ସେହି ଭୂମିଟି ହିଁ ତାକୁ ଜଣେ ଜଣେ ମନୁଷ୍ୟ ହୋଇ ପାରିବାର ଖୋରାକଗୁଡ଼ିକୁ ଯୋଗାଇଦିଏ । କିନ୍ତୁ, ସଂପୃକ୍ତ ସେହି ପ୍ରାଣୀଟି ଯଦି ତା'ର ନାହି କଟାହେଉ ବୋଲି ଇଚ୍ଛା କରୁନଥାଏ, ଯଦି ଗୁଡ଼ାଏ କାନ୍ଥ ତିଆରି କରି ତା'ରି ଭିତରେ ଦୁର୍ଦ୍ଧର୍ଷ ହୋଇ ମୁଁ ମୁଁ ବୋଲି ରଡ଼ି କରି ନାଚିବାକୁ ମନ କରୁଥାଏ, ସିଏ ସେତିକି ଗଉଁ ଭିତରେ ହିଁ ଗାଲ ଫୁଲାଇ ରହିଯାଏ,–କେବଳ ବଙ୍ଗାଳି ହୁଏ କିମ୍ବା କେବଳ ଓଡ଼ିଆ ହୁଏ । ଗୋଟାଏ ମିଛ ବିଶେଷତ୍ଵର ଫନ୍ଦି ନିର୍ମାଣ କରି ଆପଣାକୁ ଅଲଗା କରି ରଖିଥାଏ ।

 

ତେଣୁ, ଖୁବ୍ ସହଜରେ ବୁଝିହେବ, ଈଶ୍ଵରଚନ୍ଦ୍ର ବିଦ୍ୟାସାଗର କେବଳ ବଙ୍ଗାଳି ନଥିଲେ-। ଜଣେ ଜାଗ୍ରତ ମନୁଷ୍ୟ ଥିଲେ ଏବଂ ତେଣୁ ସକଳ ବଳିଷ୍ଠତା ସହିତ ସମୁଚିତ ଭାବେ ଜଣେ ସମ୍ମାନିତ ବଙ୍ଗାଳି ବି ଅବଶ୍ୟ ଥିଲେ । ଯାବତୀୟ ହୀନମନ୍ୟତାରୁ ମୁକ୍ତ ଥିଲେ । ନିଜର ମୂଳଦୁଆକୁ ଭଲ ପାଉଥିଲେ, ସମଗ୍ର ପୃଥିବୀଟାକୁ ବଞ୍ଚିବା ପାଇଁ ନିଜର ସର୍ବବିଧ ପୂର୍ଣ୍ଣପରିମଳରେ ସେହି ମୂଳଦୁଆଟି ଉପରେ ଠିଆ ହୋଇ ପାରିବାକୁ ଅସଲ ସୁସ୍ଥତା ତଥା ଅସଲ ଭଦ୍ରତା ବୋଲି ଗ୍ରହଣ କରିନେଇ ପାରିଥିଲେ । ସେତେବେଳ ଇଂରେଜୀ ଶାସନ ସହିତ ଇଉରୋପୀୟ ଜୀବନଦୃଷ୍ଟି ତଥା ଇଉରୋପୀୟ ଜୀବନପ୍ରୟାସଗୁଡ଼ିକର ଯେଉଁ ବହୁ ଉଦ୍‍ବେଳନକାରୀ ସନ୍ଦେଶମାନେ ସବାଆଗ କଲିକତାକୁ ଆସି ଯେଉଁପରି ଚହଳ ପକାଇ ଦେଉଥିଲେ, ବିଦ୍ୟାସାଗର ଆମର ଏହି ଘର ଏବଂ ଏହି ଭୂମିଟି ନିମନ୍ତେ ତାହାକୁ ଏକ ଅଦ୍ଭୂତପୂର୍ବ ସୁଯୋଗରୂପେ ଅନୁଭବ କରିଥିଲେ । ସିଏ ଆପେ ସମ୍ପୂର୍ଣ୍ଣ ଗ୍ରହଣଶୀଳ ଜଣେ ବ୍ୟକ୍ତିରୂପେ ତାହାର ସନ୍ଧାନ ପାଇଥିଲେ ଏବଂ ସେହି ଅନୁସାରେ ଆମର ଏହି ଭୂମି ଉପରେ ଦଣ୍ଡାୟମାନ ତଥା କ୍ରିୟାଶୀଳ ଜଣେ ପୁରୋଗାମୀ ଭାବରେ ଆପଣାକୁ ସଚେତନ କରି ନେଇପାରିଲେ । ଗୋଲାମ ହେବା ତାଙ୍କର ଜାତକରେ ନଥିଲା; ଆମର ଯାହାକିଛି ଅଛି, ସେତିକିରେ ଆବଦ୍ଧ ହୋଇ ନୂଆ ହାୱାଟାକୁ କେବଳ ଏକ ଅନିଷ୍ଟକାରୀ ଆଉ କ'ଣ ବୋଲି କହିବାର କୌଣସି ସ୍ପର୍ଶକାତରତା ପଣ୍ଡିତ ବିଦ୍ୟାସାଗରଙ୍କ ଭିତରେ ନଥିଲା । ତେଣୁ, କେବେ ଇଉରୋପର ମାଟିକୁ ମାଡ଼ିନଥିଲେ ମଧ୍ୟ ସିଏ ଉକ୍ତ ସୁଯୋଗଟିର ଯୋଗ୍ୟ ହୋଇ ପାରିଲେ-। କେବଳ ଭାରତବର୍ଷ ଏବଂ ଇଂଲଣ୍ଡ ନୁହେଁ, ଅଭାବନୀୟ ନାନା ସଂପର୍କସ୍ଥାପନ ତଥା ପାରସ୍ପରିକତାର ଆହ୍ଵାନରୂପେ ସମ୍ମୁଖରେ ଛିଡ଼ା ହୋଇ ନିଦ ଭଙ୍ଗାଇ ଦେଉଥିବା ଏହି ଉପାଦାନଗୁଡ଼ିକ ଯେ ସମଗ୍ର ପୃଥିବୀ ଲାଗି ଏକ ବହୁସମ୍ଭାବନାମୟ କାଳଟିଲାଗି କ୍ଷେତ୍ର ପ୍ରସ୍ତୁତ କରି ଆଣିବାକୁ ଜାଗରୂକ ହୋଇ ଆସିଲେଣି, ବିଦ୍ୟାସାଗର ତାହାରି ଏକ ଉତ୍ତେଳନକାରୀ ଆଘ୍ରାଣ ଅବଶ୍ୟ ପାଇ ପାରିଥିଲେ । ଏବଂ ତାଙ୍କୁ ତାହାହିଁ ତାଙ୍କର ନିଜ ପଥଟିର ସନ୍ଧାନ ଆଣି ଦେଇ ଯାଇଥିଲା ।

 

ଅଧ୍ୟାପକ ହୀରେନ୍ଦ୍ରନାଥ ମୁଖାର୍ଜୀ ତ ସେହି ସନ୍ଦର୍ଭରେ ବିଦ୍ୟାସାଗରଙ୍କୁ India's only European ବୋଲି ବର୍ଣ୍ଣନା କରିଛନ୍ତି । ସେହି କଥାଟିର ମର୍ମଟିକୁ କିଞ୍ଚିତ୍ ଅଧିକ ସ୍ପଷ୍ଟ କରି ବ୍ୟାଖ୍ୟା କରିଦେଇ ସେ କହିଛନ୍ତି: ଏହି ବ୍ୟକ୍ତି ପୁରୁଷଟି, ଯିଏକି ଆପଣାର ଶିରା ଏବଂ ଅନୁଶିରାରେ ସମ୍ପୂର୍ଣ୍ଣ ଭାବରେ ଜଣେ ଭାରତୀୟ ହିଁ ଥିଲେ, ଏହି ବଙ୍ଗଳା ନାମକ ସ୍ଥାନୀୟ ଭୂଇଁର ଜଣେ ବ୍ରାହ୍ମଣ ପଣ୍ଡିତର ପାରମ୍ପରିକ ସରଳ ରୀତି ତଥା ଆଚାରଗୁଡ଼ିକୁ ସେ ଆଦୌ ବର୍ଜନ କରିନଥିଲେ, ଏପରିକି ସ୍ଵୟଂ ବଡ଼ଲାଟଙ୍କ ସହିତ ଡାକରା ପାଇ ତାଙ୍କର ସାକ୍ଷାତ କରିବାକୁ ଗଲାବେଳେ ମଧ୍ୟ ଯିଏ ତଥାପି ନିଜର ସ୍ଵତନ୍ତ୍ର ପରିଧାନଗତ ପରିଚୟଟିକୁ କେବେହେଲେ ଛାଡ଼ୁନଥିଲେ, ଏବଂ ଆପଣା ଦେଶବାସୀଙ୍କର କଲ୍ୟାଣସାଧନ ତଥା ଅଗ୍ରଗତି ହିଁ ଯାହାଙ୍କ ଜୀବନର ଅନୁକ୍ଷଣ କର୍ତ୍ତବ୍ୟ ହୋଇ ରହିଥିଲା, ସିଏ ବସ୍ତୁତଃ ଏକ ଅନନ୍ୟସାଧାରଣ ସାହସିକତା ଓ ସହନଶକ୍ତି ସହିତ ନିଜକୁ ନିଦା କରି ଗଢ଼ିଆଣି ପାରିଥିଲେ: ବର୍ଷ ବର୍ଷର ଗତିହୀନତା ଓ ଦୀନତା ଫଳରେ ସେହି ଗୁଣଚୟରୁ ଭାରତବର୍ଷ ପ୍ରକୃତରେ ବଞ୍ଚିତ ହୋଇ ହିଁ ରହିଥିଲା । ସିଏ ସକଳ ଅର୍ଥରେ ଆପଣା ଦେଶର ଏକ ଗୌରବ ହୋଇ ରହିଥିଲେ । ସେହି ତୁଳନାରେ ତଥାକଥିତ ଭାରତବର୍ଷୀ ଅଂଗ୍ରେଜୀମାନେ ତ ସେମାନଙ୍କର ଆଦର୍ଶରୂପେ ସେମାନଙ୍କୁ ଆଚ୍ଛନ୍ନ କରି ରହିଥିବା ଇଂଲଣ୍ଡ ଦେଶର ଉପକୂଳଗୁଡ଼ିକୁ ନିରନ୍ତର ଝୁରି ହିଁ ହେଉଥିଲେ । ବିଦ୍ୟାସାଗର ଇଉରୋପୀୟମାନଙ୍କଠାରେ ଯେଉଁସବୁ ଗୁଣର ପରିଚୟ ପାଇଥିଲେ, ସେଗୁଡ଼ିକୁ ଅଜ୍ଞତାରେ ଗ୍ରହଣ କରି ନେଇଥିଲେ । ସେଗୁଡ଼ିକ ପ୍ରତି କୌଣସି ଭୃତ୍ୟଭାବ ପ୍ରକଟ କରୁନଥିଲେ, ଯାବତୀୟ କପଟଣକୁ ସର୍ବଦା ଘୃଣା ବି କରୁଥିଲେ । ତୁଚ୍ଛା ଆଳସ୍ୟ ବା ସମ୍ଭ୍ରାନ୍ତପଣ ଦେଖାଇ ସେ ସେଗୁଡ଼ିକ ବିଷୟରେ କୌଣସି ଉଚ୍ଚ ଉଚ୍ଚ ବୟାନମାନ କରୁନଥିଲେ, ବରଂ ସତକୁ ସତ ନିଜର କର୍ମଗୁଡ଼ିକ ମଧ୍ୟକୁ ହିଁ ସେଗୁଡ଼ିକ ଗ୍ରହଣ କରି ନେଉଥିଲେ । ଏକ ଅନିଶ୍ଚିତ ଏବଂ ଅଜ୍ଞାତ ସ୍ଵର୍ଗରାଜ୍ୟ ଅପେକ୍ଷା ଏହି ଧରାତଳର ପ୍ରକୃତ ଜୀବନ ସହିତ ହିଁ ଅନୁକ୍ଷଣ ନିଜକୁ ସଂପୃକ୍ତ କରି ରଖିଥିଲେ । କାରଣ, ତାହାର ସର୍ବପ୍ରଧାନ ଯଥାର୍ଥ କାରଣଟି ହେଉଛି ଯେ, ତାଙ୍କରି ଗୋଡ଼ଗୁଡ଼ିକୁ ଏହି ଆଖିସାମନାରେ ତାଙ୍କୁ ବେଷ୍ଟନ କରି ରହିଥିବା ନିଜ ମାଟିଟିରେ ହିଁ ଟାଣ ହୋଇ ରହିଥିଲା ଏବଂ, ତାହାରି ବଳରେ ହିଁ ବହିରାଗତ ସକଳ ପ୍ରଭାବକୁ ସେ ଜଣେ ବୀର ସଦୃଶ ସାମନା କରି ପାରିଲେ ଏବଂ ଯଥାସମ୍ଭବ ଅଧିକ ନିପୁଣ ନିଷ୍ଠାର ସହିତ ସେଇଟିକୁ ନିଜସ୍ୱ କରି ନେଇଥିଲେ । ଏହି କ୍ଷେତ୍ରରେ ଆମେ ଶ୍ରୀ ରବୀନ୍ଦ୍ରନାଥଙ୍କର ଆଉ ଗୋଟିଏ ଉକ୍ତିକୁ ମଧ୍ୟ ଏଠାରେ ଉଦ୍ଧାର କରି ପାରିବା: ବିଦ୍ୟାସାଗର ପାଶ୍ଚତ୍ୟ ଓ ପ୍ରାଚ୍ୟ ବିଦ୍ୟା ଭିତରେ ଏକ ସେତୁଭଳି ରହି ସମ୍ମିଳନଟିଏ ସମ୍ଭବ କରି ପାରିଥିଲେ । ...ଯାହାକିଛି ପାଶ୍ଚାତ୍ୟ, ତାହା ଅଶୁଦ୍ଧ ଏବଂ ତେଣୁ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କେବେହେଲେ ବିଚାର କରିନାହାନ୍ତି । ବିଦ୍ୟାର କ୍ଷେତ୍ରରେ ପୂର୍ବ ଓ ପଶ୍ଚିମ ବୋଲି ଆଦୌ କୌଣସି ଦିଗ୍‍ବିରୋଧ ନାହିଁ ବୋଲି ସେ ଉତ୍ତମରୂପେ ଜାଣିଥିଲେ । ସିଏ ଆପେ ସଂସ୍କୃତଶାସ୍ତ୍ରରେ ଅପାର ପାରଦର୍ଶିତା ଲାଭ କରିଥିଲେ ଏବଂ ଏଣେ ୟୁରୋପୀୟ ବିଦ୍ୟାଗୁଡ଼ିକ ଆଡ଼କୁ ଛାତ୍ରମାନଙ୍କର ଅଗ୍ରଗତି ବିଷୟରେ ମଧ୍ୟ ଜଣେ ପ୍ରଧାନ ଉଦ୍‍ଯୋଗୀ ହୋଇ କାର୍ଯ୍ୟ କରିଥିଲେ ।

 

ଶ୍ରୀ ଅରବିନ୍ଦ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ସମ୍ପର୍କରେ କୌଣସି ସ୍ଵତନ୍ତ୍ର ବିଷୟର ରୂପ ଦେଇ କିଛି ଲେଖିନାହାନ୍ତି । ଋଷି ବଙ୍କିମଚନ୍ଦ୍ରଙ୍କର ଆଲୋଚନା କରି ତାଙ୍କର ଯେଉଁ ଦୀର୍ଘ ପ୍ରବନ୍ଧଟିଏ ରହିଛି, କେବଳ ତାହାରି ଭିତରେ ହିଁ ତିନୋଟି ଜାଗାରେ ତାଙ୍କ ବିଷୟରେ କିଛି କିଛି ଆକଳନ କରିଛନ୍ତି । ତାଙ୍କୁ ଜଣେ ମହା ବିଦ୍ଵାନ୍, ବିବେକବାନ୍ ମନୀଷୀ ବୋଲି କହିଛନ୍ତି । ଏକ ନୂତନ ବଙ୍ଗଳା ଭାଷା ଓ ନୂତନ ବଙ୍ଗଳା ସମାଜ ସୃଷ୍ଟି କରିବାରେ ସେ ପ୍ରାୟ ଏକ ଦୈତ୍ୟର ଅତୁଳନୀୟ ଶକ୍ତିରେ ବହୁ କାର୍ଯ୍ୟ ମଧ୍ୟ କରି ଯାଇଛନ୍ତି । ପୁନଶ୍ଚ, ଶ୍ରୀ ଅରବିନ୍ଦଙ୍କର ଭାଷାରେ, ବିଦ୍ୟାସାଗର ମୁଷ୍ଟିମେୟ ଅନ୍ୟ ବ୍ୟକ୍ତି ଗଭୀର ଦୂରଦୃଷ୍ଟି ତଥା ଦେଶ ପ୍ରୀତିର ଭାବନା ରଖି ନାନା ମିଥ୍ୟାଦର୍ଶଦ୍ଵାରା ପ୍ରକୃତ ପଥରୁ ହୁଡ଼ି ଯାଉଥିବା ଏକ ଯୁଗମୁହୂର୍ତ୍ତରେ ବହୁ ଉଦ୍ୟମ ସହିତ ସେହି ସ୍ରୋତଟିରେ ଏକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ମଧ୍ୟ ବହୁତ ବହୁତ କାର୍ଯ୍ୟ କରିଛନ୍ତି । ସେତେବେଳେ ଇଂରେଜୀ ଶିକ୍ଷାର ଯେପରି ପ୍ରଚଳନ ହେଉଥିଲା, ତଦ୍ଦ୍ଵାରା ଇଂଲିଶ୍ ଅର୍ଥାତ୍ ବିଲାତୀ ଛାଞ୍ଚଟିଏ ରହିଥିବା ଯାବତୀୟ ସବୁକିଛି ଲାଗି ଆଖିବୁଜା ଅବିବେକିତା ସହିତ ଏକ ଆସକ୍ତି ସୃଷ୍ଟି କରିବାର ଏବଂ ନିଜ ଭୂମିର ସବୁକିଛି ପ୍ରତି ନିତାନ୍ତ ମୂର୍ଖ ଭାବରେ ଏକ ଅବଜ୍ଞା ଜନ୍ମାଇବାର ଖୁବ୍ ମନ୍ଦଚେଷ୍ଟା ହିଁ କରାଯାଉଥିଲା । ଏବଂ ବିଦ୍ୟାସାଗର ସେହି ପ୍ରବୃତ୍ତିଟି ସହିତ ଏକ ଶକ୍ତିମନ୍ତ୍ର ସଂଗ୍ରାମରେ ଅବତୀର୍ଣ୍ଣ ହୋଇଥିଲେ । ଶେଷରେ ପ୍ରାୟ ବିଦ୍ୟାସାଗରଙ୍କର ସେହି ସବୁକିଛି ଅବଦାନକୁ ଗୋଟିଏ କଥାରେ ଆପଣାର ସ୍ଵୀକୃତି ଦେଇ ଶ୍ରୀ ଅରବିନ୍ଦ ତାଙ୍କୁ the great Vidyasagar ବୋଲି କହିଛନ୍ତି ।

 

ମହାନ୍ ପଣ୍ଡିତ ଶ୍ରୀଯୁକ୍ତ ଶିବନାଥ ଶାସ୍ତ୍ରୀଙ୍କର ଏକ ମନ୍ତବ୍ୟରେ ଆମେ ସେହି ସ୍ପଷ୍ଟ ସ୍ଵୀକାରଗୁଡ଼ିକୁ ଦେଖିବାକୁ ପାଇବା । ଶ୍ରୀ ଶାସ୍ତ୍ରୀ ଲେଖିଛନ୍ତି: ବିଦ୍ୟାସାଗର ପ୍ରତୀଚ୍ୟ ସଭ୍ୟତାର ସକଳ ବିଭାଗଗୁଡ଼ିକୁ ଅତ୍ୟନ୍ତ ମନୋନିବେଶ ସହିତ ଅନୁଶୀଳନ କରିଥିଲେ । ଏବଂ, ପ୍ରତୀଚ୍ୟ ଜଗତରେ ସେ ଯାହାକିଛି ଜୀବନାଦର୍ଶର ପରିଚୟରେ ଆସିଥିଲେ, ତାହାକୁ ସିଏ ପ୍ରାଚ୍ୟ ଭାବ ଏବଂ ପ୍ରାଚ୍ୟ ଜୀବନର ଭିତ୍ତି ଉପରେ ହିଁ ପ୍ରତିଷ୍ଠିତ କରିବାଲାଗି ଇଚ୍ଛା କରୁଥିଲେ । ପ୍ରାଚ୍ୟ ପ୍ରୀତିଭାବନା ତଥା ଭକ୍ତିର ମୂଳଦୁଆ ଉପରେ ସେ ପାଶ୍ଚାତ୍ୟର କର୍ମସଚଳତାର ସ୍ଥାପନା କରାଇବା ନିମନ୍ତେ ପ୍ରୟାସ ହିଁ କରିଥିଲେ । ପୁନଶ୍ଚ, ସେହି କଥାଟିର ଅନୁସରଣ କରି, 'ବିଦ୍ୟାସାଗର ମାନବଚରିତ୍ରର ଆଦର୍ଶଟି ମଧ୍ୟରେ ପ୍ରାଚ୍ୟ ତଥା ପ୍ରତୀଚ୍ୟର ସମାବେଶ କରାଇ ଏକ ନବଚରିତ୍ର ଓ ନବସମାଜ ଗଠନ କରିବାପାଇଁ ସର୍ବଦା ଆଗ୍ରହୀ ହୋଇ ରହିଥିଲେ ।

 

ବିଦ୍ୟାସାଗର-ବ୍ୟକ୍ତିତ୍ଵର ସକଳ ତଥା ସ୍ଵତନ୍ତ୍ର ଗୁଣଲକ୍ଷଣଗୁଡ଼ିକୁ ଏକ ସମ୍ପୂର୍ଣ୍ଣ ସମନ୍ଵୟର ଭାବଆକୃତି ପ୍ରଦାନ କରି ତାଙ୍କୁ ନିକଟ ପରିଚୟମାନଙ୍କରେ ଦେଖିଥିବା ଏବଂ କଳନା କରିଥିବା ସେହି ସମୟର ବହୁପ୍ରଖ୍ୟାତ କବି ମାଇକେଲ ମଧୁସୂଦନ ଦତ୍ତ ଆମ ସମସ୍ତଙ୍କର ଯାବତୀୟ ଅବଧାରଣା ହୋଇ ପାରିବାଭଳି କେଡ଼େ ଚମତ୍କାର ପୂର୍ଣ୍ଣବ୍ୟଞ୍ଜନାରେ ଯେପରି କହିଛନ୍ତି, ଆମେ ସେଇଟିକୁ ହେତୁ କରିପାରିଲେ ନାହିଁ ହୁଏତ ବିଦ୍ୟାସାଗରଙ୍କୁ ସତକୁସତ ନିଛକ ଭାବରେ ଅନୁଭବ କରିପାରିବା ଏବଂ ତାଙ୍କର କେଡ଼େ ପାଖରେ ଥାଇ ତାଙ୍କୁ ଦେଖିପାରିବା । ତାଙ୍କୁ ଦର୍ପଣ କରି ତାଙ୍କର କାଳଟିକୁ ତଥା ସେହି କାଳର ପରିପ୍ରେକ୍ଷୀରେ ତାଙ୍କର ସମୁଦାୟ ଜୀବନଟିକୁ ଅନ୍ଦାଜ କରିପାରିବା ଏବଂ ଆହୁରି ଅଧିକ ମହତ୍ତ୍ଵପୂର୍ଣ୍ଣ କଥାଟି ହେଉଛି ଯେ, ସିଏ ଏକ ପରିପୂର୍ଣ୍ଣ ପ୍ରାସଙ୍ଗିକତା ସହିତ ଆମର ଏକାଳରେ ମଧ୍ୟ ଆମର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ରହିଥିବାର ବି ପ୍ରତ୍ୟକ୍ଷ କରିବା । ମୂଳ ଇଂରାଜୀ ଭାଷାରେ ଶ୍ରୀ ମାଇକେଲ୍‍ ମଧୁସୂଦନଙ୍କର ସେହି ଉକ୍ତିଟି ହେଉଛି : Vidyasagar had the genius and wisdom of an ancient sage, the eneragy of an Englishman, and the heart of a Bengali mother;–ଆମ ଭାଷାରେ କାଥାଟିକୁ କହିଲେ: ବିଦ୍ୟାସାଗରଙ୍କଠାରେ ଜଣେ ପ୍ରାଚୀନ ମନୀଷୀଙ୍କର ପ୍ରତିଭା ଏବଂ ପ୍ରଜ୍ଞା ରହିଥିଲା, ଜଣେ ଇଂରାଜର ଶକ୍ତିମନ୍ତତା ଥିଲା, ଜଣେ ଆମର ଏହି ବଙ୍ଗଳା ପରିବାରର କୋମଳ ମାତୃହୃଦୟ ମଧ୍ୟ ଅବସ୍ଥାନ କରୁଥିଲା । ସେହି ବିଦ୍ୟାସାଗରଙ୍କର ସମୟରେ ପ୍ରଚଣ୍ଡ ପ୍ରଜ୍ଞା ତଥା ପ୍ରତିଭାର ଆଉ ଆଉ ଏକାଧିକ ଅଧିକାରୀ ରହିଥିଲେ; ଆହୁରି କେତେ ଥିଲେ, ଯେଉଁମାନେ ଅତ୍ୟନ୍ତ ବିଚକ୍ଷଣତା ସହିତ ଶକ୍ତିମତ୍ତାରେ ଜଣେ ଇଂରାଜର ଖୁବ୍ ସମକକ୍ଷ ଥିଲେ ଓ କୋମଳ ଏକ ମାତୃହୃଦୟକୁ ବହନ କରି ବଙ୍ଗଳା ଓ ସମୁଦାୟ ଭାରତବର୍ଷର ଏହି ଭୂମିରେ କେତେ କେତେ ମାଆ ଅବଶ୍ୟ ରହିଥିଲେ । କିନ୍ତୁ, ସେହି ତିନୋଟିଯାକ ସାମର୍ଥ୍ୟକୁ ଏକତ୍ର ଗୋଟିଏ ବ୍ୟକ୍ତିତ୍ଵ ମଧ୍ୟରେ ଫେଣ୍ଟି ଏକାଧାରରେ ଏତେ ପ୍ରତିଭା ଓ ପ୍ରଜ୍ଞା, ଏତେ ଶକ୍ତିମତ୍ତା ଏବଂ ଏତେ ମମତାକୁ ବଞ୍ଚୁଥିବା ବିଦ୍ୟାସାଗରଙ୍କ ବ୍ୟତୀତ ଜଣେ ଦ୍ଵିତୀୟ ଅତିପାଖର ଜଣେ ମଣିଷ ଆଉ କିଏ ରହିଥିଲେ ?

 

୧୮୮୫ ମସିହାରେ ବମ୍ବେଠାରେ ଭାରତୀୟ ଜାତୀୟ କଂଗ୍ରେସର ସର୍ବପ୍ରଥମ ଅଧିବେଶନ ବସିଥିଲା । ପରବର୍ଷ ଅର୍ଥାତ୍‍ ୧୮୮୬ରେ କଲିକତାରେ ଦ୍ଵିତୀୟ ଅଧିବେଶନ ଶ୍ରୀ ଦାଦାଭାଇ ନାରୋଜୀଙ୍କର ସଭାପତିତ୍ଵରେ । ସେହି ଅଧିବେଶନରେ ଯୋଗ ଦେବାଲାଗି ଅନୁରୋଧ ଜଣାଇ ଆୟୋଜକମାନେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ପାଖକୁ ଲୋକ ପଠାଇଥିଲେ । ବିଦ୍ୟାସାଗର ସେମାନଙ୍କୁ ଏହିପରି ଗୋଟିଏ ପ୍ରଶ୍ନ ପଚାରି ଥିବାର ଉଲ୍ଲେଖ ରହିଛି–'ଦେଶର ସ୍ଵାଧୀନତା ଲାଭ କରିବାକୁ ହେଲେ ଶେଷରେ ଯଦି ପ୍ରୟୋଜନ ହୁଏ, ତେବେ ତୁମେମାନେ କ'ଣ ତରବାରୀ ହାତରେ ଯୁଦ୍ଧ କରିପାରିବ ?' ମିମନ୍ତ୍ରଣ ଜଣାଇବାକୁ ଆସିଥିବା ସେହି ବ୍ୟକ୍ତିମାନେ ବିଦ୍ୟାସାଗରଙ୍କଠାରୁ ଏଭଳି ଏକ ପ୍ରଶ୍ନ ଆସିବ ବୋଲି ପ୍ରତ୍ୟାଶା ହିଁ କରିନଥିବେ । ତେଣୁ ସେମାନେ ଖୁବ୍ ବିବ୍ରତ ହୋଇ ପଡ଼ିଥିଲେ । ବିଦ୍ୟାସାଗର ସେମାନଙ୍କୁ ତା'ପରେ କହିଥିଲେ, 'ମୋତେ ଏହି କାର୍ଯ୍ୟଟିରୁ ବାଦ୍‍ଦେଇ ତୁମେମାନେ କାର୍ଯ୍ୟ କରିଯାଅ' ସେତେବେଳେ ସେହି ସଦ୍ୟ ଗଠିତ ହୋଇଥିବା କଂଗ୍ରେସ ଅନୁଷ୍ଠାନଟିରେ ସଂଗ୍ରାମର ଅର୍ଥାତ୍ ଆଦୌ କୌଣସି ସଂଗ୍ରାମ ମାଧ୍ୟମରେ ଭାରତବର୍ଷକୁ ବିଦେଶୀ ଶାସନକୁ ହଟାଇ ସ୍ଵାଧୀନ କରିବାର କୌଣସି ଚର୍ଚ୍ଚା ହିଁ ଆରମ୍ଭ ହୋଇନଥିଲା । ସେହି ସମୟର ନଜିରଗୁଡ଼ିକରୁ ସ୍ପଷ୍ଟ ହୋଇ ଯାଉଛି ଯେ କେତୋଟି ଦେଶଭକ୍ତ ଯୁବସଂଗଠନ ହିଁ ସେତେବେଳେ ବୋମା ପକାଇ ସାହେବ ଉଚ୍ଚପଦସ୍ଥମାନଙ୍କୁ ହତ୍ୟା କରିବାର ନାନା ଉଦ୍ୟମ କରିବାର ମାଧ୍ୟମରେ ଭାରତବାସୀଙ୍କର ମାନସକୁ ବିଦେଶୀ ଶାସନତନ୍ତ୍ର ସହିତ ସଂଗ୍ରାମଟିର ଲଢ଼ିବା ବିଷୟରେ ସଚେତନ କରିବାର ଅଭିପ୍ରାୟରେ ଯାହାକିଛି ସକ୍ରିୟତାର ପରିଚୟ ଦେଉଥିଲେ । ଇତିହାସ କହୁଛି ଯେ ସେହି ଚରମପନ୍ଥୀମାନଙ୍କ ଆଡ଼ୁ ଲୋକମାନଙ୍କର ନଜରକୁ ଅନ୍ୟଆଡ଼େ ଆକୃଷ୍ଟ କରି ଆଣିବାକୁ ହିଁ ପ୍ରଧାନତଃ ବିଦେଶୀ ଉଦ୍ୟମରେ ହିଁ ଜାତୀୟ କଂଗ୍ରେସର ପ୍ରତିଷ୍ଠା କରାଯାଇଥିଲା । କଂଗ୍ରେସରେ ଆପଣାକୁ ସଂଯୁକ୍ତ କରିଥିବା ସମ୍ଭ୍ରାନ୍ତ ତଥା ବୃହତ୍‍ମାନେ ବାର୍ଷିକ ଏକ ସମାବେଶରେ ଏକାଠି ହୋଇ ଦେଶ ତରଫରୁ ମୁଖ୍ୟତଃ ଗୋଟିଏ ଗୋଟିଏ ପ୍ରତିବେଦନର ଶୈଳୀରେ ବ୍ରିଟିଶ୍ ସରକାରଙ୍କୁ କେତୋଟି ଅଭାବ ତଥା ଦୁଃଖ ଜଣାଇବା ନିମନ୍ତେ ପ୍ରାୟ ଯାହାକିଛି କରୁଥିଲେ । ସେହି ଅନୁଷ୍ଠାନଟିରେ ପରାଧୀନତାକୁ ମୁକ୍ତ ହେବାର କୌଣସି ଆଲୋଚନା ହେଉନଥିଲା, କୌଣସି ରାଜନୀତି ହିଁ ନଥିଲା ।

 

ଅର୍ଥାତ୍, ଏସବୁ ଆନୁଷ୍ଠାନିକତାରେ ବିଦ୍ୟାସାଗରଙ୍କର ହୁଏତ କୌଣସି ଭାବସଂପୃକ୍ତି ନଥିଲା । ଅବଶ୍ୟ ଏହି କଥାଟିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ଭାରତବର୍ଷ ଏବଂ ଭାରତବାସୀଙ୍କୁ କେନ୍ଦ୍ରରେ ରଖି ସେହି ଭୂମିଟି ଉପରେ ହିଁ ସେ ସ୍ୱ-ଆନୁଗତ୍ୟର ବେଦିକାଟିକୁ ଠାବ କରି ନେଇଥିଲେ ଓ ସେଇଟିର ଦୁଃଖମୋଚନ ଲାଗି ନିଜକୁ ସମର୍ପିତ କରି ରଖିଥିଲେ, ମାତ୍ର ତୁମ ଆମ ବୁଝିବା ଅନୁସାରେ ସେ ଆଦୌ କୌଣସି ରାଜନୀତିରେ ନଥିଲେ । ସେ ଏକଦା ଦେଇଥିବା ଗୋଟିଏ ମନ୍ତବ୍ୟ ଅନୁସାରେ, 'ହଁ, ବାବୁମାନେ କଂଗ୍ରେସ କରୁଛନ୍ତି, ବକ୍ତୃତା ପ୍ରଦାନ କରୁଛନ୍ତି, ଭାରତବର୍ଷକୁ ଉଦ୍ଧାର କରୁଛନ୍ତି । ଦେଶର ହଜାର ମନୁଷ୍ୟ ପ୍ରତ୍ୟେକ ଦିନ ଅନାହାରରେ ମରୁଛନ୍ତି, ତେଣେ କାହାରିହେଲେ ଅନିସା ନାହିଁ । ତେଣୁ, ରାଜନୀତିକୁ ନେଇ କ'ଣ ବା ହେବ ? ଯେଉଁ ଦେଶରେ ମନୁଷ୍ୟମାନେ ଏତେ ଏତେ ସଂଖ୍ୟାରେ ଅନ୍ନାଭାବରେ ମରନ୍ତି, ସେହି ଦେଶରେ ପୁଣି କି ରାଜନୀତି କାହିଁକି ହେବ ?’ ସକଳ ପ୍ରକାରର ଲୋକହିତ ନିମନ୍ତେ ବିଦ୍ୟାସାଗର ଆପଣାର ଜୀବନକୁ ଉତ୍ସର୍ଗୀକୃତ କରି ରଖିଥିଲେ । ଜନହିତର ସାଧନଦ୍ଵାରା ହିଁ ଜନଭାଗ୍ୟର ପରିବର୍ତ୍ତନ,–ବିଦ୍ୟାସାଗର ତାହାକୁ ସକଳ ଅର୍ଥରେ ଆପଣା ଜୀବନର ସବାମୂଳ ମୀମାଂସାରୂପେ ଗ୍ରହଣ କରିଥିଲେ । ସେତେବେଳେ, ତାଙ୍କ ସମୟରେ ରାଜନୀତି କହିଲେ ଯେତିକି ବୁଝାଉଥିଲା, ସେଥିରେ ଏଇଟି ପାଇଁ କୌଣସି ଅବକାଶ ନଥିଲା । ବିଦ୍ୟାସାଗର-ହୃଦୟର ଏକ ବାସ୍ତବ ପରିଚୟ ଦେବାକୁ ଯାଇ ଏହିପରି ଗୋଟିଏ ଅଭିମତ ଖୁବ୍ ସମୁଚିତ ଭାବରେ କହିଛି : 'ସ୍ଵଦେଶୀ ହେଉ, ବିଦେଶୀ ହେଉ, ବ୍ରାହ୍ମ ହେଉ ଅବା ଖ୍ରୀଷ୍ଟିଆନ୍ ହେଉ, ହିନ୍ଦୁ ବା ମୁସଲମାନ ଯାହା ହେଉ, ସାହାସୀ, ସାଧୁ, ସରଳ ତଥା ସତ୍ୟାନ୍ୱେଷୀ ପ୍ରତ୍ୟେକ ବ୍ୟକ୍ତି ହିଁ ବିଦ୍ୟାସାଗରଙ୍କର ହୃଦୟକୁ ଅଧିକାର କରି ନେଉଥିଲେ । ଯିଏ ଯୋଉ ମାର୍ଗରେ ଯାଉଥାଆନ୍ତୁ ପଛକେ, ଦେଶର ହିତକାମନା ତଥା ହିତସାଧନ ହିଁ ଜଣେ କାହାରି ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ବୋଲି ବୁଝିନେବା ମାତ୍ରକେ ବିଦ୍ୟାସାଗର ତାହାକୁ ଶ୍ରଦ୍ଧା କରୁଥିଲେ, ସ୍ଵୀକୃତି ଦେଉଥିଲେ ଏବଂ ସତେଅବା ଜଣେ ସମଧର୍ମୀ ବୋଲି ଗ୍ରହଣ କରି ପାରୁଥିଲେ ।'

 

ଅସଲ ରାଜନୀତି କେବେହେଲେ କେବଳ ରାଜନୀତି ହୋଇ ରହି ପାରେନାହିଁ । ରାଜନୀତିର ଗୁଳାଟିକୁ ଗ୍ରହଣ କରି ଯେଉଁମାନେ ମନୁଷ୍ୟର ଦୁଃଖମୋଚନ କରିବେ ବୋଲି ବାହାରି ଥାଆନ୍ତି, ସେମାନେ କେଉଁଠାରେ କ'ଣସବୁ ବିଗିଡ଼ିଯାଏ ଅଥବା ଆପେ ହିଁ କ'ଣସବୁ ପ୍ରକାରେ ବିଗିଡ଼ି ଯାଆନ୍ତି କେଜାଣି, ସେମାନଙ୍କର ଆୟତ୍ତ ମଧ୍ୟକୁ ଆସି ରାଜନୀତିଟା ହିଁ ଅଧିକରୁ ଅଧିକ ଚଣ୍ଡ ହେବାରେ ଲାଗିଥାଏ ସିନା, କିନ୍ତୁ ଜନଦୁଃଖରୁ ମୋଚନ ନାନା କାରଣରୁ ପଛରେ ରହିଯାଏ, ହୁଏତ ବେଳେ ବେଳେ ପାସୋରି ହୋଇଯାଏ । ଆଲୁଅମାନେ କେଡ଼େ ଦର୍ପରେ ଜଳୁଥାଆନ୍ତି ପଛକେ, ଅନ୍ଧାରଗୁଡ଼ାକ ତଥାପି ରହିଥାଆନ୍ତି । ଏହିସବୁ ଅପଘଟଣ ପୃଥିବୀରେ ଏବେ ମଧ୍ୟ ରହିଛି, ଆପଣାକୁ ଦୁର୍ଦ୍ଦାନ୍ତପ୍ରାୟ କରି ମନୁଷ୍ୟମାନଙ୍କ ଉପରେ ଘୋଡ଼ା ଚଢ଼ିଛନ୍ତି । ଖୁବ୍ ସମ୍ଭବତଃ ବିଦ୍ୟାସାଗରଙ୍କ କାଳରେ ସେପରି କମ୍ ଦୃଷ୍ଟିଗୋଚର ହେଉଥିଲା, ଏବେ ପ୍ରବଳ ଦୌରାତ୍ମ୍ୟର ସହିତ ସେମାନେ ଭୁବନସାରା ହିଁ ମାତିଛନ୍ତି । ଅନ୍ଧାରଟା ଆଲୋକଗୁଡ଼ିକୁ, ଆଶାଗୁଡ଼ିକୁ, ଦେବତ୍ଵର ନାନା ସ୍ଵପ୍ନକୁ ସମ୍ପୂର୍ଣ୍ଣ ଭାବରେ, ଅନ୍ତରାଳ ଏବଂ ଏପରିକି ବାଛନ୍ଦପ୍ରାୟ କରି ରଖିଛନ୍ତି । ଶ୍ରୀଯୁକ୍ତ ବିଦ୍ୟାସାଗର ସେହି ରାଜନୀତିଦ୍ଵାରା ପୃଥିବୀରେ ବସ୍ତୁତଃ ବେଶୀ କିଛି ହୋଇପାରିବ ବୋଲି ମୋଟେ ବିଶ୍ଵାସ କରୁନଥିଲେ । ମନୁଷ୍ୟର ଅନାହାର, ଅବମାନନା ଇତ୍ୟାଦିକୁ ଆଖି ବୁଜିଦେଇ ତାଙ୍କ ଭାଷାରେ ବାବୁମାନଙ୍କର ଯେଉଁ ରାଜନୀତି, ସିଏ ତାହାରିଠାରୁ ହିଁ ନିରନ୍ତର ଦୂରରେ ରହିଥିଲେ । ସେହି ରାଜନୀତିଟା କାଳେ କାଳେ ମନୁଷ୍ୟମାନଙ୍କୁ ସେମାନଙ୍କର ଅସଲ ଗୃହ ତଥା ଅସଲ ମୂଳଗୁଡ଼ିକରୁ ହୁଡ଼ାଇ ନେଇଯାଏ ଅଥବା, ସେହି ଏକା କଥାଟିକୁ କିଞ୍ଚିତ୍ ଅନ୍ୟପ୍ରକାରେ ବଙ୍କାଇ କହିଲେ, ସମାଜର ନିତାନ୍ତ ଅଳପ ମଣିଷ ଅନେକଙ୍କଠାରୁ ନିଜକୁ ସମ୍ପୂର୍ଣ୍ଣ ନିଆରା ବୋଲି ଭାବନ୍ତି ଏବଂ ରାଜନୀତିକ ସଂସ୍ଥାନଯନ୍ତ୍ରଗୁଡ଼ିକୁ ଏପରି କେବଳ ସେଇମାନଙ୍କର ଲାଳସାଗୁଡ଼ାକୁ ଅଧିକ ଏବଂ ଆହୁରି ଅଧିକ ମୋଟା କରି ରଖିବେ ବୋଲି କାଳର ରାଜନୀତିଟାକୁ ଦୋଚାରୁଣୀ କରି ପକାନ୍ତି । ଆଗ ମଣିଷ, ତା'ର ଉଦୟ, ତା'ର ଯାବତୀୟ ଅଭାବକୁ ଦୂର କରିବା, ତା'ଲାଗି ମନୁଷ୍ୟଯୋଗ୍ୟ ସର୍ବବିଧ ସମ୍ମାନ ଓ ସ୍ଵୀକୃତି, ତାହାରି ହାତରେ କ୍ଷମତାର ଚାବିକାଠି, ସେହି ଅନୁସାରେ ଶିକ୍ଷା ତଥା ନୈତିକତା,-ଏଥିରେ ବିଦ୍ୟାସାଗର ମୋଟେ ଦ୍ଵିମତ ହେବେନାହିଁ । ଅସଲ ରାଜନୀତି ସବାଆଗ ଏହିଗୁଡ଼ିକ ସକାଶେ ଲଢ଼ିବ ତଥା ସେହି ମହାପ୍ରୟାସରେ ପୃଥିବୀଯାକର ମଣିଷଙ୍କୁ ଏକାଠି କ୍ରିୟାଶୀଳ କରି ଆଣିବ,–ସାନ ବୀରସିଂହ ଗ୍ରାମଟିର ଶ୍ରୀ ଈଶ୍ଵରଚନ୍ଦ୍ର ଏହି କଥାଟିକୁ କଦାପି ବାହାର ହୋଇ ନଥାନ୍ତେ । ଆଜି ମଧ୍ୟ ମହଜୁଦ ଥିଲେ ସେ ନିଶ୍ଚୟ ଆମ ସହିତ ଏକାଠି ହୋଇ ବାହାରନ୍ତେ,–ରାଜନୀତି ବୋଲି କହି ଆଦୌ ପଳାଇ ଯାଆନ୍ତେ ନାହିଁ ।

 

ବିଦ୍ୟାସାଗର ଭାରତବର୍ଷର ଗୋଟିଏ ଗାଆଁରେ ଜନ୍ମଗ୍ରହଣ କରିଥିଲେ, ସେହି ତଥାକଥିତ ଗ୍ରାମସମାଜକୁ ଆଖିଟିଏ ପାଇ ସେ ବୃହତ୍ତର ପୃଥିବୀ ମଧ୍ୟକୁ ପ୍ରବେଶ କରିଥିବେ । କିନ୍ତୁ ସେହି ଗ୍ରାମସମାଜ ସମ୍ପୂର୍ଣ୍ଣ ଭାବରେ ଥାକ ଥାକ ନାନା ସୋପାନ । ଗାଆଁରୁ, ସେହି ଗ୍ରାମୀଣ ତାତ୍କାଳିକତାଗୁଡ଼ିକର ଯେତେବେଳେ ସିଏ ବଡ଼ ସହର କଲିକତାକୁ ଆସିଲେ, ଏକ ସର୍ବପ୍ରଥମ ପ୍ରତିକ୍ରିୟା ରୂପେ ସିଏ ନିଶ୍ଚୟ କେତେ ନା କେତେ ଖୁସୀ ହୋଇ ଯାଇଥିବେ । ଏତେ ଏତେ ଅନ୍ୟ କଦରର ଜୀବନର ବ୍ୟବସ୍ଥାମାନ, ଏତେ ମଣିଷ ପ୍ରାୟ ଦେହଘଷା ହୋଇ ନିତି କାରବାର ହେଉଛନ୍ତି: ବେପାର ବଣିଜ, ସାହେବମାନେ ଏବଂ ସେମାନଙ୍କର ଅଲଗା ସଂସ୍କାର, ପୃଥିବୀ ବିଷୟରେ ନାନା ଅନ୍ୟ ଧାରଣା,-ଜାତି ନାହିଁ, ମଣିଷକୁ ମଣିଷ ବୋଲି ଦେଖିବାର ଏକ ଏକାବେଳେକେ ଅନ୍ୟ ଅନ୍ଦାଜ । ସେମାନେ ସେହିଭଳି ଶିକ୍ଷା ପାଇଥିବେ ବୋଲି ସିନା ଏପରି ଭିନ୍ନ ଭାବ ଏବଂ ଭିନ୍ନ ଆଖିରେ ଅନ୍ୟମାନଙ୍କୁ ଦେଖି ପାରୁଛନ୍ତି । ଏହିଭଳି ଗୋଟିଏ ଅନ୍ତର୍ପ୍ରତ୍ୟୟ ପାଇ କର୍ମଜୀବନରେ ସେ ଖୁବ୍ ସକାରାତ୍ମକ ନାନା ଆଗ୍ରହ ନେଇ ସେହି ଶିକ୍ଷାର କ୍ଷେତ୍ରରେ ହିଁ ନିଜକୁ ସକ୍ରିୟ କରି ରଖିଲେ । ନିଶ୍ଚୟ ଖୁବ୍ ଆଶାବାଦୀ ହୋଇ । ଖାଲି ସହରରେ ନୁହେଁ, ଗାଆଁ ଲାଗି ମଧ୍ୟ ସେହି ଆଧୁନିକ ଛାଞ୍ଚରେ ସାର୍ବଜନୀନ ଶିକ୍ଷାର ଚିନ୍ତା କରିଥିଲେ । ଭାରତୀୟ ପରିବାରଗୁଡ଼ିକର ଛୁଆମାନେ ଉଚ୍ଚଶିକ୍ଷା ଲାଭକରି କେଡ଼େ ସାଫା ଓ ତୋରା ଦେଖାଗଲେ, ଆପଣାର ଯୋଗ୍ୟତା ବଳରେ କେତେଭଳି ପଦରେ ରହିଲେ ଓ ଅଧିକ ଉପାର୍ଜନ ବି କରିପାରିଲେ-। ଏବଂ, ପୁରା ଶିକ୍ଷାବର୍ଜିତଙ୍କ ପରି ଦେଶକୁ ଭୁଲିଗଲେ; ଯେଉଁମାନଙ୍କ ନିମନ୍ତେ ସେମାନଙ୍କ ସର୍ବାଧିକ ଦାୟିତ୍ଵବୋଧ ରହିବା କଥା, ସେମାନଙ୍କୁ ଭୁଲିଗଲେ । ଆପଣାକୁ ଉଚ୍ଚ ଶ୍ରେଣୀର ବୋଲି ଅନୁଭବ କଲେ ଏବଂ ଅନ୍ୟ ସଭିଙ୍କୁ ନିମ୍ନ ବୋଲି ଦେଖି ହତାଦାର କରିଥିଲେ । ବିଦ୍ୟାସାଗର ଗଭୀର ବେଦନା ହିଁ ଅନୁଭବ କରିଥିବେ, ସମ୍ଭବତଃ ହାରିଗଲା ପରି ମ୍ରିୟମାଣ ବି ହୋଇଥିବେ-। ସେହି ସମୟର ତାଙ୍କର ଗୋଟିଏ ଉକ୍ତି: ଏହି ନିମ୍ନ ଶ୍ରେଣୀର ଜନଗଣଙ୍କର ସତରେ କେବେ ଉନ୍ନତି ହେବ କି ? ଆମେ ଯେଉଁମାନଙ୍କୁ ପଶୁଙ୍କ ପରି ଦେଖୁଛୁ, ସେମାନଙ୍କୁ ଆମ ସ୍ଵାର୍ଥସାଧନ ନିମନ୍ତେ ଗୋଟିଏ ଗୋଟିଏ, ସାଧନମାତ୍ର ବୋଲି ଭାବୁଛୁ, ସେମାନଙ୍କର ଗତି ଆଦୌ କେବେହେଲେ ଫେରିବ କି ? ଇଂରେଜ ସାହେବମାନେ ଆମକୁ ଘୃଣା କରନ୍ତି ବୋଲି ଆମେ କେତେ ନା କେତେ ଆକ୍ଷେପ ଏବଂ ଅଭିଯୋଗ କରୁଛୁ, କିନ୍ତୁ ଆମେ ନିଜେ ବି ନିମ୍ନଶ୍ରେଣୀର ମନୁଷ୍ୟମାନଙ୍କୁ ପଶୁମାନଙ୍କଠାରୁ ମଧ୍ୟ ଅଧିକ ଘୃଣାର ଦୃଷ୍ଟିରେ ଦେଖୁଛୁ ! ହାୟରେ, ଆମ ଶିକ୍ଷିତ ଏମାନଙ୍କର ପୁଣି ଏତେ ଅହଂକାର ଓ ଏତେ ଅଭିମାନ ! ଯେଉଁମାନେ ଆମ ଦେଶର ଅସଲ ଶକ୍ତି, ଯେଉଁମାନେ ଆଶା ଏବଂ ଭରସାର ପ୍ରଧାନତମ ସ୍ଥଳ, ସେମାନଙ୍କୁ ଆମେ ମନୁଷ୍ୟରେ ଗଣା କରିବାକୁ ମଧ୍ୟ କୁଣ୍ଠା ହିଁ ବୋଧ କରୁଛୁ । ହାୟ ହାୟ, ଏହି ପଶୁ ହୋଇ ରହିଥିବା ପଶୁମାନଙ୍କର ସତରେ କେବେ ଉନ୍ନତି ହୋଇ ପାରିବ ? ଏହି ବାକ୍ୟଗୁଡ଼ିକୁ ଆମେ କ'ଣ କେବଳ ବିଦ୍ୟାସାଗରଙ୍କର ଦୟାଳୁତା ବୋଲି କହିବା, ନା ଏଥିରେ ମଧ୍ୟ ଏକ ରାଜନୀତିକ ଅନ୍ୟ ଚିତ୍ର ରହିଛି ବୋଲି ଆବିଷ୍କାର କରିବାଲାଗି ସମର୍ଥ ବି ହେବା ? ଏବଂ, ଆଉଗୋଟିଏ ଅବସରରେ ସେଥିଲାଗି ବିଦ୍ୟାସାଗର ଏପରି କଥାଟିଏ ମଧ୍ୟ କହିଥିଲେ; ଆମ ଦେଶର ନିମ୍ନଶ୍ରେଣୀଗୁଡ଼ିକର ଦୁର୍ଗତିରେ ପରିବର୍ତ୍ତନ ନହେଲେ ଦେଶର ଦୁର୍ଗତିରେ ମଧ୍ୟ କଦାପି ପରିବର୍ତ୍ତନ ହେବନାହିଁ । ଯାହା ମନେ ହେଉଛି ଓ ଦେଖାଯାଉଛି, ନିମ୍ନ ଶ୍ରେଣୀର ମନୁଷ୍ୟମାନଙ୍କର ଗତି କେବେ ବି ଫେରିବ ନାହିଁ ଓ ତେଣୁ ଦେଶର ମଧ୍ୟ କୌଣସି ମଙ୍ଗଳ ହେବନାହିଁ ।

 

ବିଦ୍ୟାର୍ଣ୍ଣବ, ବିଦ୍ୟାରଣ୍ୟ, ବିଦ୍ୟାମାର୍ତ୍ତଣ୍ଡ ଓ ବିଦ୍ୟାସାଗର–ସେମାନେ ସବୁ ଯୁଗରେ ଥିଲେ, ଆମ ଏଯୁଗରେ ମଧ୍ୟ ଅଛନ୍ତି । ସେମାନେ ସମସ୍ତେ କେତେ କେତେ ରଥରେ ଆସୀନ ହୋଇ ରହିଛନ୍ତି ଏବଂ କେତେ କେତେ ଉଚ୍ଚତାକୁ ଆରୋହଣ କରିଛନ୍ତି । ଆଗେ ତ ତଥାକଥିତ ଯାବତୀୟ ସାଧନାରେ ପ୍ରାୟ ଏକପାଖିଆ ହୋଇ ଏକ ଆରୋହଣର ପ୍ରକ୍ରିୟା ହିଁ ଲାଗି ରହିଥିଲା । ଘରୁ ଅରଣ୍ୟ ମଧ୍ୟକୁ ଓ ସଂସାରରୁ ସନ୍ନ୍ୟାସକୁ । ଆମର ଏହି ଚତୁର୍ଦ୍ଦିଗସ୍ଥ କାଳଟିରେ ମଧ୍ୟ ପାଠୁଆମାନେ କ'ଣ କମ୍ ଉଚ୍ଚଯାଏ ଯାଉଛନ୍ତି ? ମାତ୍ର, କେତେଜଣ ଅବତରଣ କରି ପାରୁଛନ୍ତି ? ବୈକୁଣ୍ଠପୁରରେ ସେମାନେ ବଡ଼ରୁ ଆହୁରି ବଡ଼ ତହସିଲଦାର ଭାବେ ଅଭିଷିକ୍ତ ହୋଇ ପାରୁଛନ୍ତି । ମାତ୍ର ଅବତରଣକୁ ସତକୁସତ କେତେ କିଏ ମନ ବି କରୁଛନ୍ତି ? ଉତ୍ସାହଟା କେବଳ ଉପରକୁ ଏବଂ ସେଠାରେ ପହଞ୍ଚି ତୁଚ୍ଛା ଉଦାସୀନତା; ପ୍ରଚଣ୍ଡ ଉତ୍ସାହ ଏବଂ ପ୍ରଚଣ୍ଡ ଉଦାସୀନତା । ବୀରସିଂହର ବିଦ୍ୟାସାଗର ସେହି ଅବତରଣର ବିଦ୍ୟାଟିକୁ ମଧ୍ୟ ଜାଣିଥିଲେ;–ଯେତିକି ଆନୁଗତ୍ୟ ସହିତ ଆରୋହଣ, ସେତିକି ଉତ୍ସାହର ସହିତ ଅବତରଣ । ଅବତରଣଦ୍ଵାରା ଯାବତୀୟ ଆରୋହଣକୁ ସାର୍ଥକ କରିବାର ସେହି ବିରଳ ବିଦ୍ୟାଟିକୁ । ଏବଂ, ଖାସ୍ ସେହି କାରଣରୁ ହିଁ ବିଦ୍ୟାସାଗର ଆମର ଏହି କାଳଟିରେ ମଧ୍ୟ ଏତେ ପ୍ରାସଙ୍ଗିକ । ଅବତରଣ ନକରି ପାରିବାରୁ ହିଁ ସର୍ବବିଧ ଦୁର୍ଗତି । କେବଳ ଶିକ୍ଷାର ସେହି ଗୋଟିଏ କ୍ଷେତ୍ରରେ ନୁହେଁ,–ଶାସନରେ ଏବଂ ସେବାକ୍ଷେତ୍ରରେ, ଅଧ୍ୟାପକର ଅଧ୍ୟାପନାରେ, ଜ୍ଞାନୀମାନଙ୍କର ଜ୍ଞାନରେ ଏବଂ ରାଜନୀତିକ ଆହ୍ଵାନଗୁଡ଼ିକର ଯାବତୀୟ ସମ୍ମୁଖୀନ ହେବାର ଅବସରରେ । ଏହି ଦେଶର ସର୍ବବିଧ ପୁନନିର୍ମାଣ ତଥା ନବବିଧାନରେ । ଏହି ସକଳ ପଥଚାରଣାରେ ବିଦ୍ୟାସାଗର ଆମକୁ ଅବଶ୍ୟ ପ୍ରେରଣା ଦେଉଥିବେ, ଆମ ସାଙ୍ଗରେ ସତକୁସତ ବାଟ ଚାଲୁଥିବା ପରି ଦେଖା ଯାଉଥିବେ । ଆମକୁ ଆଖି ଯୋଗାଇ ଦେଉଥିବେ । ସିଏ ଆପେ ଏଡ଼େ ବଡ଼ ବୋଲି ଧାରଣାଟାଏ ଦେଇ ଆମକୁ ଆଦୌ ପଛରେ ପକାଇ ଚାଲି ଯାଉନଥିବେ । ଅସଲ ପଥପ୍ରଦର୍ଶକ ତ ସେଇ, ସିଏ ନିରନ୍ତର ଆମର ପାଖେ ପାଖେ ରହିଥାଏ । ଠିକ୍ ଜଣେ ବନ୍ଧୁପରି ।

☆☆☆

 

-୮-

Unknown

ଜୀବନର ଶେଷ ଚରଣରେ

 

ବାପା ଠାକୁରଦାସଙ୍କର ସାତ ପୁଅ । ଝିଅମାନେ ତ ବିଭା ହୋଇ ନିଜ ନିଜର ଗାର୍ହସ୍ଥ୍ୟ ମଧ୍ୟକୁ ଚାଲି ଯାଇଥିଲେ । ପୁଅମାନଙ୍କ ଭିତରୁ ବି ପୂର୍ବରୁ ଦୁଇଜଣଙ୍କର ଅକାଳ ବିୟୋଗ ହୋଇ ଯାଇଥିଲେ । ଈଶ୍ଵରଚନ୍ଦ୍ର ସବା ବଡ଼, ସିଏ କଲିକତାରେ ରହୁଥିଲେ । ଅବଶ୍ୟ ତାଙ୍କର ଅସଲ ନାଡ଼ଟି ଗାଆଁରେ, ପିତାମାତାଙ୍କ ସହିତ ଲାଗି ରହିଥିଲା । ଆଉ କେତୋଟି ଭାଇ ସଂସ୍କୃତ ଅଧ୍ୟୟନଦ୍ଵାରା ଉପାଧିମାନ ମଧ୍ୟ ଅର୍ଜନ କରିଥିଲେ । କ୍ରମେ ଏମାନେ ମଧ୍ୟ ସଂସାରୀ ହେଲେ,–ବହୁ ସଂସାରକୁ ଏକାଠି ଗୋଟିଏ ପରିବାରାର ଭାବାକୃତିଟିଏ ଦେଇ କାଳେ କାଳେ ଭାରତୀୟ ପରମ୍ପରାରେ ଯୌଥ ପରିବାର ବୋଲି ହିଁ କୁହାଯାଇଛି । ଏବଂ ହୁଏତ ସେହିଠାରୁ ହିଁ ଗୃହର ପିତାଙ୍କ ନିମନ୍ତେ ଏକ ଅସଲ ପରଖ-ସମୟର ଆରମ୍ଭ । ନୂଆ ନୂଆ ଦୂରତା ଓ ନୂଆ ନୂଆ ଭୁଲବୁଝାବଣା । ଓ ସେହି ଅନୁସାରେ ନୂଆ ନୂଆ ମୋହଭଙ୍ଗ । ଗୋଟିଏ ପ୍ରକାରର ବୈରାଗ୍ୟର ଅନୁପ୍ରବେଶ । ଠାକୁର ଦାସଙ୍କୁ ମଧ୍ୟ ସେହିସବୁ ଆନ୍ତର୍ଜଞ୍ଜାଳ ବେଶ୍ ଘାରି ଘାରି ଆସିଥିବ । ବହୁ ଦୁର୍ବଳ ଚିନ୍ତା ଆସି ମାଡ଼ି ବି ବସିଥିବ । କଥିତ ଅଛି, ସେହି ସମୟରେ ସିଏ ଖାସ୍ ସ୍ଵପ୍ନଟିଏ ଦେଖିଥିଲେ ।

 

ଠାକୁରଦାସ ବନ୍ଦୋପାଧ୍ୟାୟ ସ୍ଵପ୍ନରେ ଦେଖିଥିଲେ ଯେ, ତାଙ୍କର ଏହି ପୈତୃକ ଗୃହସଂସାରଟି କ୍ରମେ ଶ୍ମଶାନରେ ପରିଣତ ହେବ । ଅତ୍ୟନ୍ତ ଅସ୍ଥିର ହୋଇ ସେ ନାହାକଙ୍କୁ ଡକାଇ ନିଜର କୋଷ୍ଠୀ ଦେଖାଇଥିଲେ । ନାହାକ ଖଡ଼ି ପକାଇ କହିଲେ ଯେ, ହଁ, ଗୋଟିଏ ଅଶୁଭ ସମୟ ହିଁ ଆସୁଛି । ବଡ଼ପୁଅ ଈଶ୍ଵରଚନ୍ଦ୍ରଙ୍କୁ ଶନିଦଶା ପଡ଼ିବ ଏବଂ ସେ ବହୁ ବିଚ୍ଛେଦ ଓ ଦୁଃଖର ସମ୍ମୁଖୀନ ହେବେ । ବାପା ଠାକୁରଦାସ ବ୍ୟସ୍ତ ହୋଇ ଉଠିଲେ । ଏହି ଗାଆଁଟିର ମାୟାଟି ମଧ୍ୟ ତାଙ୍କୁ ଛାଡ଼ିଯିବା ପରି ମନେ ହେଲା । ତେଣୁ, ଏଥର କାଶୀବାସ । ସମ୍ବାଦ ପାଇ ବିଦ୍ୟାସାଗର ଘରକୁ ଆସିଲେ, ବାପାଙ୍କୁ ଏପରି ଏକ ସଂକଳ୍ପରୁ କ୍ଷାନ୍ତ ହେବା ସକାଶେ କେତେ ବୁଝାଇଲେ । ତଥାପି ବାପାଙ୍କୁ ତାଙ୍କର ସେହି ନିଷ୍ପତ୍ତିକୁ ଟଳାଇ ପାରିନଥିଲେ । ଅଗତ୍ୟା ସମ୍ମତ ହେବାକୁ ପଡ଼ିଲା । ବାପାଙ୍କର ଜ୍ୟେଷ୍ଠ ପୁଅ ହିସାବରେ ତାଙ୍କଦ୍ଵାରା ଗାଆଁରେ ସପରିବାର ରହୁଥିବା ଭାଇମାନଙ୍କ ନିମନ୍ତେ ଅଲଗା ଅଲଗା ବ୍ୟବସ୍ଥା ହୋଇ ଯାଇଥିଲା । ଅଲଗା ଅଲଗା ଖଞ୍ଜା ଅଲଗା ଅଲଗା ସଂସ୍ଥାନ । ନିଜର ପୁଅ ନାରାୟଣଙ୍କ ଲାଗି ମଧ୍ୟ ସ୍ଵତନ୍ତ୍ର ସଂସାରଟିଏ । ଯେପରି ଏହି କୌଣସିଟିକୁ ନେଇ ଏକଦା ଗୋଟିଏ ସଂସାରରୂପେ କାଳତିପାତ କରି ଆସିଥିବା ଏମାନଙ୍କୁ ନେଇ ଆଦୌ କୌଣସି ଅଶାନ୍ତି ନହୁଏ । ମାଆ ମଧ୍ୟ ବୀରସିଂହପୁରଠାରେ ରହିଲେ । କହିବା ବାହୁଲ୍ୟ, ଈଶ୍ଵରଚନ୍ଦ୍ର ପିତା ଓ ମାତା ଉଭୟଙ୍କ ପାଇଁ ମାସିକ ପୂରା ଖର୍ଚ୍ଚଗୁଡ଼ିକୁ ନିୟମିତ ପଠାଇ ଦେଉଥିଲେ-। ଗ୍ରାମରେ ବସବାସ କରୁଥିବା ଅନ୍ୟ ଭାଇମାନଙ୍କ ଲାଗି ମଧ୍ୟ ତାଙ୍କର ମାସିକ ସହାୟତା ଅବାରିତ ହୋଇ ରହିଥିଲା ।

 

ତଥାପି, ଏହାପରେ ମାନସିକ ଦୂରତାମାନେ ତଥାପି ବଢ଼ିବାକୁ ଆରମ୍ଭ କଲେ କି ? ବଡ଼ଭାଇଙ୍କର କେତେ ବାବତକୁ କେତେ ଆୟ,–ଛାପାଖାନା, ତାଙ୍କଦ୍ଵାରା ରଚିତ ବହିପତ୍ରରୁ ମଧ୍ୟ ହଜାର ହଜାର ଟଙ୍କାର ଉପାର୍ଜନ । ଏବଂ, ଏଣେ ପାରିବାରିକ ସଂସ୍ଥାନଟି ଯଦି ଗୋଟିଏ ରହିଛି, ତେବେ ଆଇନ୍ ଅନୁସାରେ ସେଗୁଡ଼ିକରେ ମଧ୍ୟ ଅନ୍ୟ ଭାଇମାନଙ୍କର କାହିଁକି ଭାଗ ନ ରହିବ ? ତେଣେ ଈଶ୍ଵରଚନ୍ଦ୍ରଙ୍କର କେତେ ଖ୍ୟାତି, କେବେ ସମ୍ମାନ ଏବଂ ସ୍ଵୀକୃତି,–ସେଇଟି ମଧ୍ୟ ଆନୁଷଙ୍ଗିକ ରୂପେ କିଞ୍ଚିତ୍ ଅସୂୟାଭାବକୁ ପ୍ରଶ୍ରୟ ଦେଇଥିବ । ତା'ପରେ ପାରିବାରିକ ଆନୁଗତ୍ୟ କ୍ରମେ ଗୌଣ ହୋଇ ଆସିଥିବ ଏବଂ ଭାଇମାନେ ଆପଣାକୁ ଏହିସବୁ ଦୃଷ୍ଟିରୁ ଜ୍ୟେଷ୍ଠଭ୍ରାତାଙ୍କଦ୍ଵାରା ପ୍ରଚାରିତ ହେଉଥିବା ପରି କ୍ରମଶଃ ଅନୁଭବ ବି କରିଥିବେ । ଏବଂ, ଗାଆଁମାନଙ୍କରେ ସଚରାଚର ଯେପରି ଘଟିଥାଏ, ଗ୍ରାମବାସୀମାନେ ମଧ୍ୟ ଏହି ବ୍ୟାପାରଟିଏ ବେଶ୍ ଈନ୍ଧନ ମଧ୍ୟ ଯୋଗାଇ ଦେଉଥିବେ । ସତେ ଯେପରି ପ୍ରକୃତରେ ମେଳ ନାହିଁ ଏବଂ ବାହାରେ ଆମେ ତୁଚ୍ଛାଟାରେ ଏକାଠି ହୋଇ ରହିଛୁ ବୋଲି ଦେଖାଇ ହେଉଛୁ, ସେହିପରି ଲାଗିଥିବ । ଅଭିମାନଗୁଡ଼ିକ ବଢ଼ିବାରେ ଲାଗିଥିବେ । ଏବଂ, ସେଇଟିଦ୍ଵାରା ଉତ୍ତେଜିତ ହୋଇ ଜଣେ ଜଣେ ଭାଇ ବିଦ୍ୟାସାଗର ଦେଉଥିବା ମାସିକ ଅର୍ଥରାଶି ଗ୍ରହଣ କରିବାକୁ ବି ଅନିଚ୍ଛା ପ୍ରକାଶ କରିଥିଲେ । ଆଉଜଣେ ଭାଇ ଛାପାଖାନା ଉପରେ ତାଙ୍କର ଅଧେ ଅଂଶ ଦାବୀ ରହିଛି ବୋଲି ମଧ୍ୟ କାହାକୁ କାହାକୁ କହିବାକୁ ଆରମ୍ଭ କରି ଦେଇଥିଲେ । ଏଥିସହିତ ଆଉକିଛି ତାତ୍କାଳିକ ଘଟଣା ମଧ୍ୟ ଘଟିଥିଲା, ଯାହା ଫଳରେ କି ଈଶ୍ଵରଚନ୍ଦ୍ର ଆଉ ଗ୍ରାମକୁ ଆସିବେନାହିଁ ବୋଲି ସ୍ଥିର କରିଥିଲେ । ଦେଶତ୍ୟାଗୀ ହେଲେ । ଏହି ଘଟଣାଟି ପରେ ସେ ଆହୁରି କୋଡ଼ିଏ ବର୍ଷ ଜୀବଦ୍ଦଶାରେ ଥିଲେ ସିନା, ମାତ୍ର ଆଉ ଥରକ ସକାଶେ ମଧ୍ୟ କେବେ ଗ୍ରାମକୁ ଆସିନାହାନ୍ତି ।

 

ଗାଆଁ ଛାଡ଼ିବା ବିଷୟରେ ବିଦ୍ୟାସାଗର ଗୋଟିଏ ଚିଠିରେ ମାଆ ଭଗବତୀ ଦେବୀଙ୍କୁ ଲେଖି ଜଣାଇଛନ୍ତି: ନାନା କାରଣରୁ ମୋ'ର ଏକ ସମ୍ପୂର୍ଣ୍ଣ ବୈରାଗ୍ୟଭାବ ଜାତ ହୋଇଛି ଏବଂ ତେଣୁ ବର୍ତ୍ତମାନ ଆଉ ଗୋଟିଏ ମୁହୂର୍ତ୍ତ ସକାଶେ ମଧ୍ୟ ଆଦୌ କୌଣସି ବିଷୟରେ ଲିପ୍ତ ହୋଇ ରହିବାକୁ କିମ୍ବା କାହାରି ସହିତ କୌଣସି ସଂପର୍କ ରଖିବାକୁ ଇଚ୍ଛା ହେଉନାହିଁ । ବିଶେଷ କରି, ବର୍ତ୍ତମାନ ମୋ' ମନର ଓ ଶରୀରର ଯେଉଁପରି ଅବସ୍ଥାଟିଏ ପ୍ରକୃତରେ ହୋଇଛି, ସେହି ଦୃଷ୍ଟିରୁ ପୂର୍ବଭଳି ନାନା ବିଷୟରେ ସଂଶ୍ଳିଷ୍ଟ ହୋଇ ରହିଲେ ମୁଁ ଆଉ ଅଧିକ ଦିନ ବଞ୍ଚି ପାରିବି ବୋଲି ମୋଟେ ମନେ ହେଉନାହିଁ । ସେଥିପାଇଁ ମୁଁ ସ୍ଥିର କରିଛି ଯେ, ମୁଁ ଯେତେଦୂର ପାରିବି, ସେତେଦିନ ପର୍ଯ୍ୟନ୍ତ ନିଶ୍ଚିନ୍ତ ହୋଇ ମୋ' ଜୀବନର ଅବଶିଷ୍ଟ ଭାଗଟିକୁ ନିଭୃତ ଭାବରେ ହିଁ ଅତିବାହିତ କରିବି-। ଏବଂ, ବର୍ତ୍ତମାନ ସେଥିଲାଗି ଆପଣଙ୍କର ଶ୍ରୀଚରଣରୁ ମୋ'ର ଏହି ଜନ୍ମଟି ପାଇଁ ବିଦାୟ ନେଉଛି-। ପୁନଶ୍ଚ, ବାପା ଠାକୁରଦାସଙ୍କ ପାଖକୁ ମଧ୍ୟ ବିଦ୍ୟାସାଗର ଚିଠି ଲେଖି ଏହିଭଳି ଉଲ୍ଲେଖ କରିଥିଲେ: ସାଂସାରିକ ବ୍ୟାପାରଗୁଡ଼ିକର କ୍ଷେତ୍ରରେ ମୋ' ଭଳି ଜଣେ ହତଭାଗ୍ୟ ସମ୍ଭବତଃ କେହିହେଲେ ନଥିବେ । ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସକାଶେ ମୁଁ ପ୍ରାଣପଣ ଚେଷ୍ଟା କରି ଆସିଛି, ମାତ୍ର ପରିଶେଷରେ ବୁଝି ପାରିଲି ଯେ, ମୁଁ ସେହି ବିଷୟରେ କୌଣସି ସାମାନ୍ୟ ଅଂଶରେ ମଧ୍ୟ କୃତକାର୍ଯ୍ୟ ହୋଇ ପାରିନାହିଁ । ...ସଂସାରର ମନୁଷ୍ୟଗଣ ଯେଉଁ ବ୍ୟକ୍ତିମାନଙ୍କ ପାଖରୁ ସାଧାରଣତଃ ଦୟା ତଥା ସ୍ନେହ ପାଇବାର ଆକାଂକ୍ଷା ପୋଷଣ କରିଥାନ୍ତି, ସେମାନଙ୍କ ଭିତରୁ ଜଣେ ବ୍ୟକ୍ତିର ଅନ୍ତରରେ ମଧ୍ୟ ମୋ' ପାଇଁ ଯେ ଦୟା କିମ୍ବା ସ୍ନେହର ଲେଶମାତ୍ର ନାହିଁ, ବର୍ତ୍ତମାନ ମୋ' ମନର ଅଣୁମାତ୍ର ହିଁ ସନ୍ଦେହ ନାହିଁ । ଏବଂ, ପତ୍ନୀ ଦୀନମୟୀଙ୍କ ପାଖକୁ ଲେଖିଥିଲେ: ବର୍ତ୍ତମାନ ମୁଁ ଏହି ଜନ୍ମଟି ନିମନ୍ତେ ତୁମ ପାଖରୁ ବିଦାୟ ନେଉଛି, ଏବଂ ବିନୟର ସହିତ ଅନୁରୋଧ କରୁଛି ଯେ, ଯଦି ମୁଁ କୌଣସି ସମୟରେ ମଧ୍ୟ କୌଣସି ଦୋଷ କିମ୍ବା ଅସନ୍ତୋଷକର କାର୍ଯ୍ୟ କରିଥିବି, ତେବେ ତୁମେ ମୋତେ ଅବଶ୍ୟ କ୍ଷମା କରିବ । ...ଶେଷରେ ବିଶେଷ ଭାବରେ ଏହି ଅନୁରୋଧ କରୁଛି ଯେ ସର୍ବବିଧ ବିଷୟରେ ତୁମେ ଅବଶ୍ୟ କିଞ୍ଚିତ୍ ଧୈର୍ଯ୍ୟ ଅବଲମ୍ବନ କରି ଚଳିବ, ନହେଲେ ନିଜେ ହିଁ ଖୁବ୍ କ୍ଳେଶ ପାଇବ ଏବଂ ଅନ୍ୟମାନଙ୍କ ନିମନ୍ତେ ମଧ୍ୟ ବହୁ କ୍ଳେଶର କାରଣ ହେବ । ଭାଇମାନଙ୍କ ପାଖକୁ ମଧ୍ୟ ସେ ସେହି ମର୍ମରେ ପତ୍ର ଲେଖି ପଠାଇଥିଲେ । ତାଙ୍କର ଏହି ଗୃହତ୍ୟାଗଦ୍ଵାରା ସେ କଦାପି କାହାରିହେଲେ ଦୁଃଖର କାରଣ ହେବେନାହିଁ ବୋଲି ସ୍ପଷ୍ଟ ଭାବରେ ପ୍ରତିଶ୍ରୁତି ଦେଇଥିଲେ । ସେମାନଙ୍କ ଲାଗି ଉଦ୍ଦିଷ୍ଟ ନିୟମିତ ଅର୍ଥସହାୟତାକୁ ମଧ୍ୟ କେବେହେଲେ ବନ୍ଦ କରିନଥିଲେ । ପୁନଶ୍ଚ, ଗ୍ରାମ ତ୍ୟାଗକରିବା ପୂର୍ବରୁ ତାଙ୍କଦ୍ଵାରା ଆରମ୍ଭ କରା ଯାଇଥିବା ବିଦ୍ୟାଳୟ, ଡାକ୍ତରଖାନା, ଗାଈଆଳ ପିଲାଙ୍କର ସ୍କୁଲ ଓ ବାଳିକା ସ୍କୁଲ, ପ୍ରତ୍ୟେକଟି ନିମନ୍ତେ ସ୍ଥାୟୀ ବ୍ୟବସ୍ଥାମାନ କରିବାକୁ ବିଦ୍ୟାସାଗର ଆଦୌ ଭୁଲିଯାଇ ନଥିଲେ ।

 

ସାନଭାଇମାନେ ଜ୍ୟେଷ୍ଠ ବିଦ୍ୟାସାଗରଙ୍କ ପାଖରେ ତାଙ୍କର ପ୍ରାୟ ସବୁ କଥାରେ ରାଜି ହୋଇ ଯାଉଥିଲେ ସିନା, ମାତ୍ର ତାଙ୍କର ସବୁକିଛି ମତ ଏବଂ ମୀମାଂସାକୁ ଯେ ନିଜ ନିଜ ଅନ୍ତର ଭିତରେ ସ୍ଵୀକାର କରୁଥିଲେ ଅଥବା ମାନି ନେଉଥିଲେ, ସେକଥା କଦାପି କୁହାଯାଇ ପାରିବନାହିଁ । ଉପରେ ଭରସି କରି କିଛି କହୁନଥିଲେ, ତଥାପି ଭିତରେ ଅପ୍ରସନ୍ନତାମାନ ରହି ଯାଉଥିଲା । ଉଦାହରଣ ସ୍ୱରୂପ, ବିଦ୍ୟାସାଗର-ପୁତ୍ର ନାରାୟଣ ଜଣେ ବିଧବାକୁ ପତ୍ନୀରୂପେ ଗ୍ରହଣ କରିବାକୁ ବାହାରିଗଲେ ଏବଂ ବିଦ୍ୟାସାଗର ସେହି ପଦକ୍ଷେପଟିକୁ ଏକ ଯଥାର୍ଥ ପଦକ୍ଷେପ ବୋଲି ଘୋଷଣା କଲେ, ସେତେବଳେ କଥାଟିକୁ କକାମାନେ ପ୍ରକୃତରେ ହଜମ କରି ପାରିନଥିଲେ । ସେମାନେ ସମ୍ଭବତଃ ବିଧବାବିବାହକୁ ଏକ ଉଚିତ ସଂସ୍କାରମୂଳକ ଆନ୍ଦୋଳନ ବୋଲି ଖୁବ୍ ବୁଝୁଥିଲେ, କିନ୍ତୁ ନିଜ ପରିବାରରେ ମଧ୍ୟ ତାହାର ଏକ ପ୍ରୟୋଗ ହେବ, ସେମାନେ ତାହାକୁ କାମ୍ୟ ବା ଉଚିତ ବୋଲି ଗ୍ରହଣ କରୁନଥିଲେ । ହୁଏତ ସେହି ଅସନ୍ତୋଷଟି ଭାଇମାନଙ୍କ ଭିତରେ ପରୋକ୍ଷ ପ୍ରକାରେ ରହି ଯାଇଥିଲା, ଯାହାକି ପରବର୍ତ୍ତୀ କାଳରେ ପରିବାରର ଭାରସାମ୍ୟଟିରେ ବ୍ୟାଘାତ ସୃଷ୍ଟି ମଧ୍ୟ କରିଥିବ । ଏବଂ ସମ୍ପର୍କଗତ ଦୂରତାମାନ ବଢ଼ି ବଢ଼ି ଯିବାରେ ସାହାଯ୍ୟ ମଧ୍ୟ କରିଥିବ । ତଥାପି ବିଦ୍ୟାସାଗର ତ କେବଳ ମଥାର ମନୁଷ୍ୟଟିଏ ନଥିଲେ, ଏକ କୋମଳ ହୃଦୟ ହିଁ ତାଙ୍କ ପରିଚୟର ଆଉଗୋଟିଏ ବହୁତଶକ୍ତିଶାଳୀ ସ୍ଵଭାବଲକ୍ଷଣ ହୋଇ ରହିଥିଲା । ତେଣୁ ଗ୍ରାମସହିତ କେତେମନ୍ତେ ଲାଗିଥିବା ନାଡ଼ଗୁଡ଼ିକୁ ସିଏ କଦାପି କାଟି ସେହି ଅତୀତ ଭିତରକୁ ଫଙ୍ଗିଦେଇ ପାରିନଥିବେ । ପରିଣାମତଃ, ସିଏ ଗାଆଁକୁ ଅନୁକ୍ଷଣ ଝୁରି ହିଁ ହେଉଥିଲେ ।

 

ପୁଅ ନାରାୟଣଙ୍କର ବହୁତ ଦୋଷ ରହିଥିଲା । ମାଆ ଦୀନମୟୀ ବହୁ ବ୍ରତ ପାଳନ କରି ପୁତ୍ରସନ୍ତାନଟିଏ ବିବାହର ବହୁବର୍ଷ ପରେ ଲାଭ କରିଥିଲେ । ତା'ପରେ ପରିବାରରେ ଚାରୋଟି କନ୍ୟାଙ୍କର ଆବିର୍ଭାବ ବି ଘଟିଥିଲା, କିନ୍ତୁ ମାଆଙ୍କର ବିଶେଷ ମମତା ପୁଅଙ୍କଠାରେ ହିଁ ରହିଥିଲା । ପୁଅଙ୍କ ପାଖରେ ପ୍ରକୃତରେ କେଉଁସବୁ ଦୋଷ ରହିଥିଲା, ବିଦ୍ୟାସାଗରଙ୍କର ଜୀବନୀଲେଖକମାନେ ସେ ବିଷୟରେ କିଛି ସ୍ପଷ୍ଟ କରି ଲେଖିନାହାନ୍ତି । ବାପା ବିଦ୍ୟାସାଗର ନିଜ ଜୀବନର ଉଚ୍ଚ ମଡ଼େଲଟିକୁ ସମ୍ମୁଖରେ ରଖି ପୁଅ ବିଷୟରେ ଅତିରିକ୍ତ ନାନା ଆଶା କରି ପକାଉଥିଲେ ଏବଂ ସେଥିଲାଗି ମନୋମତ ପ୍ରତିଫଳନଗୁଡ଼ିକୁ ନଦେଖି ବାରମ୍ବାର ନିରାଶ ହେଉଥିଲେ କି ? ନିରାଶାମାନ ଏକାଠି ହୋଇ ହୁଏତ କ୍ରମେ ଗୋଟାଏ ପର୍ବତରେ ପରିଣତ ହେବାରେ ଲାଗୁଥିଲେ । ଏବଂ, ମୃତ୍ୟୁର ପନ୍ଦର ବର୍ଷ ପୂର୍ବରୁ ସିଏ ଯେତେବେଳେ ନିଜ ସମ୍ପତ୍ତି ଇତ୍ୟାଦିର ପରବର୍ତ୍ତୀ ଉତ୍ତରାଧିକାରୀମାନଙ୍କର ଦୀର୍ଘ ଗୋଟିଏ ତାଲିକା ମାଧ୍ୟମରେ ଔପଚାରିକ ଉଇଲ୍ ବା ଘୋଷଣାପତ୍ରଟିକୁ ପ୍ରସ୍ତୁତ କଲେ, ସେତେବେଳେ ପୁଅଟି ବିଷୟରେ ଖୁବ୍ କଠୋର ହୋଇ ଏହିପରି ଲେଖିଥିଲେ; 'ମୋ'ର ପୁତ୍ର ବୋଲି ପରିଚିତ ଶ୍ରୀଯୁକ୍ତ ନାରାୟଣ ବନ୍ଦୋପାଧ୍ୟାୟ ସୀମାତୀତ ଭାବରେ ଯଥେଚ୍ଛାଚାରୀ ଏବଂ କୁପଥଗାମୀ ହୋଇଥିବାରୁ ଏବଂ ଆହୁରି ଏକାଧିକ ଗୁରୁତର କାରଣ ହେତୁ ତାହା ସହିତ ମୋ'ର ସର୍ବବିଧ ସମ୍ପର୍କକୁ ପରିତ୍ୟାଗ କରିଅଛି ।'

 

ସେହି ଗୁରୁତର କାରଣ ତଥା ମାର୍ଗବିଚ୍ୟୁତି ମଧ୍ୟରୁ କୌଣସି ଗୋଟିକର ମଧ୍ୟ ଉଇଲ୍‍ରେ ଉଲ୍ଲେଖ କରା ଯାଇନଥିଲା । ନାରାୟଣ ଚନ୍ଦ୍ରଙ୍କୁ ସେ ତ୍ୟାଜ୍ୟପୁତ୍ର ବୋଲି ବୋଲି ଘୋଷଣା କରିଥିଲେ । ତାଙ୍କ ପୁଅ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ରୂପେ ପରିଚିତ ହୋଇ ପାରିବନାହିଁ ବୋଲି ସିଧା ଉଲ୍ଲେଖ କରି ଦେଇଥିଲେ । ନିଜର ଏକମାତ୍ର ପୁତ୍ରକୁ ବର୍ଜନ କରିଥିବା ହେତୁ ପତ୍ନୀ ଦୀନମୟୀଙ୍କର ମଧ୍ୟ ସ୍ଵାମୀଙ୍କ ସହିତ ବହୁତ ବାଦବିବାଦ ହୋଇଥିବ । ତା'ପରେ ପାରିବାରିକ ସଦ୍‍ଭାବଟି ମଧ୍ୟ ନିଶ୍ଚୟ ତୁଟି ଯାଇଥିବ । ମାଆ ବହୁ ଅବସରରେ ଗୋପନରେ ପୁଅକୁ ଆର୍ଥିକ ସହାୟତା ଦେଉଥିଲେ । ଏପରିକି ଆବଶ୍ୟକ ହେଲେ ନିଜର ଅଳଙ୍କାରକୁ ବନ୍ଧା ଦେଇ ପୁଅପାଇଁ ଅର୍ଥ ଯୋଗାଡ଼ କରୁଥିଲେ । ବାପା ବିଦ୍ୟାସାଗର କ'ଣ ସେଥିପାଇଁ କମ୍ ବିରକ୍ତ ହେଉଥିବେ ? ଦୀନମୟୀ ଦେହତ୍ୟାଗ କରିବା ସମୟରେ ପୁଅକୁ ତା'ର ପରିବାର ସହିତ କଲିକତାରେ ନିଜ ପାଖରେ ନେଇ ରଖିବାକୁ ସ୍ଵାମୀଙ୍କ ନିକଟରେ ଅତ୍ୟନ୍ତ ବ୍ୟାକୁଳ ହୋଇ ଅନୁରୋଧ କରି ବି ଯାଇଥିଲେ ଏବଂ ବିଦ୍ୟାସାଗର ତାଙ୍କର ସେହି ଅନ୍ତିମ ଅନୁରୋଧଟିକୁ ଏକଦା ରକ୍ଷା ମଧ୍ୟ କରିଥିଲେ । ମାତ୍ର ପୁଅ ସହିତ ପୁନର୍ବାର ଏକ ସ୍ଵାଭାବିକ ସମ୍ପର୍କ ଆଉ ଆଦୌ ସ୍ଥାପିତ ହୋଇ ପାରିନଥିଲା । ମାଆ ଭଗବତୀ ଦେବୀ ୧୮୭୧ ମସିହା ଏପ୍ରିଲ ମାସରେ ଦେହତ୍ୟାଗ କରିଥିଲେ । ଠାକୁରଦାସ ସେହି କାଶୀରେ ହିଁ ଠିକ୍ ପାଞ୍ଚବର୍ଷ ପରେ । ନିଜର ଅନ୍ତିମ ଏକ ଇଚ୍ଛାପତ୍ର ପ୍ରସ୍ତୁତ କରି ସେ ବିଦ୍ୟାସାଗରଙ୍କର ହାତରେ ଯେପରି ଦେଇ ଯାଇଥିଲେ, ସେଥିରେ ଲେଖାଥିଲା: ମୋ'ର ଶେଷ ସମୟରେ ମୋ' ଜ୍ୟେଷ୍ଠ ପୁଅ ପାଖରେ ହିଁ ଥିବ, ଦାହାଦି କାର୍ଯ୍ୟ ସମ୍ପାଦନ କରି ସେ କାଶୀରେ ହିଁ ଆଦ୍ୟଶ୍ରାଦ୍ଧ କରିବ । ସେହି ଅବସରରେ ସେ ମହାରାଷ୍ଟ୍ରୀୟ ବେଦଜ୍ଞ ବ୍ରାହ୍ମଣମାନଙ୍କୁ ଡାକି ଭୋଜନ କରାଇବ । ଏବଂ ତା'ପରେ ସ୍ଵୟଂ ଗୟାକୁ ଯାଇ ବିହିତ ଗୟାକୃତ୍ୟ ମଧ୍ୟ ସମ୍ପନ୍ନ କରିବ ।

 

ବିଦ୍ୟସାଗର ବୀରସିଂହ ଓ ସେଠାରେ ଥିବା ନିଜର ପରିବାରରୂପୀ ସୂତ୍ରଟିକୁ ଛାଡ଼ି କଲିକତା ଚାଲିଆସିବା ପରେ ଉପରକୁ ତ ଅବଶ୍ୟ ଖୁବ୍ ସିଦ୍ଧସଂକଳ୍ପ ଏବଂ ଆପ୍ତକାମ ପରି ଅବଶ୍ୟ ଦେଖା ଯାଉଥିବେ, ମାତ୍ର ଭିତରର ସତେଅବା କେଡ଼େବଡ଼ ଘାଆଟିଏ ତାଙ୍କୁ ଖୁବ୍ ଯନ୍ତ୍ରଣା ମଧ୍ୟ ଦେଉଥିବ । ବାହାର ଜୀବନଟାରୁ ସେହି ଯନ୍ତ୍ରଣାଟାକୁ ଘୋଡ଼ାଇ ରଖିବାପାଇଁ ସେ ହୁଏତ ସମସ୍ତଙ୍କର ଦେଖିବାକୁ ଆପଣାକୁ ଅଧିକ କର୍ମନିମଗ୍ନ ତଥା କର୍ମତତ୍ପର ହୋଇ ରହିବାକୁ ପ୍ରଚେଷ୍ଟା କରୁଥିବେ, କିନ୍ତୁ ତଥାପି ସେହି ହେତୁ ନିଜ ଭିତରେ ଅଧିକ ଆଘାତ ପାଉଥିବେ । ଭିତରେ କେଉଁଠି କ'ଣ ମୂଳଦୁର୍ବଳତାଟିଏ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ରହିଥାଏ, ଯାହାକୁ କି ପ୍ରଖରରୁ ପ୍ରଖରତର ପାଣ୍ଡିତ୍ୟ ମଧ୍ୟ ଚପାଇ ଦେଇ କେବେହେଲେ ରଖି ପାରେନାହିଁ । ଭାଇମାନେ ସିନା ଧୋକା ଦେଲେ, ପତ୍ନୀଙ୍କ ସହିତ ସିନା ପଦେ ପଦେ ମନୋମାଳିନ୍ୟ ଘଟିଲା, କିନ୍ତୁ ଏଡ଼େ ଆପଣାର ମାଆଙ୍କଠାରୁ ତ ସେହି କାରଣରୁ ବିଚ୍ଛିନ୍ନ ହୋଇ ରହିବାକୁ ପଡ଼ିଲା ! ମାଆ ଗାଆଁରେ ହିଁ ରହିଲେ ଏବଂ କଲିକତାରେ ଆପଣାର ସ୍ଵାଭିମାନୀ ପୁଅଟି ପ୍ରବଳ ଅଭିଳାଷ ରହିଥିଲେ ମଧ୍ୟ ତାଙ୍କଠାରୁ ଦୂରବର୍ତ୍ତୀ ହୋଇ ରହିଲେ । ପଣ୍ଡିତ ଈଶ୍ଵରଚନ୍ଦ୍ର ମାଆ ଭଗବତୀ ଦେବୀଙ୍କୁ ପ୍ରକୃତରେ ଭାରି ଝୁରି ହୋଇଥିବେ । ମାତ୍ର, ଗାଆଁକୁ ଆଉ ଫେରିବେ ନାହିଁ ବୋଲି ଘୋଷଣା କରି ଯେତେବେଳେ ସେ ସେଠାରୁ ଚାଲି ଆସିଛନ୍ତି, ସେତେବେଳେ ଗାଆଁକୁ କିପରି ଯାଇପାରିବେ ଯେ ସେଠାରେ ମାଆଙ୍କୁ ମଧ୍ୟ ସାକ୍ଷାତ କରିପାରିବେ ! ତଥାକଥିତ ଆପଣାର କେତେଟା ନୀତିରେ ତଥା ନିଷ୍ପତ୍ତିରେ ଯେଉଁ ବ୍ୟକ୍ତି ଯେତେ ଯାହା ଅନ୍ୟ ଅତ୍ୟାବଶ୍ୟକତା ରହିଥିଲେ ମଧ୍ୟ ତଥାପି ଅଟଳ ରହିବାକୁ ହିଁ ସବା ଆଗ ଧର୍ମରୂପେ ମାନୁଥାଏ, ସିଏ ସମ୍ଭବତଃ ଏହିପରି ହିଁ ଦହିହେବାରେ ଲାଗିଥାଏ । ପଣ୍ଡିତ ଈଶ୍ଵରଚନ୍ଦ୍ରଙ୍କର ପରବର୍ତ୍ତୀ ଦିନଗୁଡ଼ିକରେ ଆମେ ପ୍ରଧାନତଃ ସେହିପରି ଏକ ନିତ୍ୟକଷଣ ଭୋଗର ନଜିର ଦେଖିବାକୁ ପାଇଥାଉ ।

 

ଗାଆଁରୁ ମନୁଷ୍ୟମାନେ ଅବଶ୍ୟ କଲିକତା ଆସୁଥିବେ । ସେମାନଙ୍କ ତୁଣ୍ଡରୁ ଗ୍ରାମର ବହୁ ଚୂନା ଖବର ଖୁବ୍ ଶୁଣିବାକୁ ମଧ୍ୟ ମିଳୁଥିବ । ଖୁବ୍ ଅନୁମାନ କରାଯାଇଛି ଯେ, ସେମାନେ ବିଦ୍ୟାସାଗରଙ୍କର ସେହି ମୂଳ ଜ୍ଵାଳାଗୁଡ଼ିକୁ ଆହୁରି ଅଧିକ ଉସ୍‍କାଇ ଦେଇ ନାରାୟଣଚନ୍ଦ୍ରଙ୍କର ନାମରେ ମଧ୍ୟ କେତେ କ’ଣ କହୁଥିବେ । ଅବଶ୍ୟ ନାନାବିଧ ଅତିରଞ୍ଜନର ଆଶ୍ରୟ ନିଆ ଯାଉଥିବ ଏବଂ ଜଣେ ବାପାର ତାପିତ ହୃଦୟ ସମ୍ଭବତଃ ସେଗୁଡ଼ିକୁ ନିଶ୍ଚୟ ସତ୍ୟ ହୋଇଥିବ ବୋଲି ତତ୍‍କ୍ଷଣାତ୍ ଗ୍ରହଣ ହିଁ କରି ନେଉଥିବ । ତେଣୁ ପୂର୍ବର ସୌହାର୍ଦ୍ଦ୍ୟ ମଧ୍ୟକୁ ଫେରିଯିବାର ସମ୍ଭାବନାଟି ମଧ୍ୟ ସେହିପରି ସୁଦୂରପରାହତ ହୋଇ ରହୁଥିବ । ସେହିଭଳି ଏକ ଆନ୍ଦୋଳିତ କାଳରେ ପୁଅ ପାଖରୁ ଏକ ଦୀର୍ଘ ପତ୍ର ଆସି ବିଦ୍ୟାସାଗରଙ୍କ ହାତରେ ଆସି ପହଞ୍ଚିଥିଲା । ସତକୁସତ ଏକ ଦୀର୍ଘ ପତ୍ର । ଜଣେ ପ୍ରକୃତରେ ଆଜ୍ଞାଲଂଘନକାରୀ ଏବଂ ବିପଥଗାମୀ ପୁଅର ପ୍ରେରିତ ପତ୍ର ପରି ଆଦୌ ଲାଗିବ ନାହିଁ, ପତ୍ରଟିକୁ ଆମେ ଏଠାରେ ଯଥାସମ୍ଭବ ସମ୍ପୂର୍ଣ୍ଣ ଭାବରେ ଉଦ୍ଧାର କରିବା: ଶ୍ରୀ ଚରଣାରବିନ୍ଦେଷୁ–ପ୍ରଣତି ପୂର୍ବକଂ ନିବେଦନମ୍–

 

''ଆପଣାଙ୍କର ଚରଣକୃପା ବଳରେ ମୋ'ର ଜୀବନରେ ସର୍ବଦା ସବୁକିଛି ସମ୍ଭବ ହୋଇଛି । ଯେପରି ହେଉ ପଛକେ, ମୁଁ ପାଞ୍ଚପଇସା ଉପାର୍ଜନ କରିପାରୁଛି; ସମ୍ମାନର ମଧ୍ୟ ଅଭାବ ନାହିଁ, ବାହାରୁ ଦେଖିଲେ ମୁଁ ପ୍ରକୃତରେ ପରମ ସୁଖରେ ହିଁ କାଳଯାପନ କରୁଛି । କିନ୍ତୁ ଅନ୍ତର ଭିତରେ ଏକ ବିଷମ କୀଟ ହିଁ ମୋତେ ଅହରହ ଦଂଶନ କରିବାରେ ଲାଗିଛି । ମୁଁ ନିଜର ସ୍ଵାଭାବିକ ବେଶଭୂଷା ଇତ୍ୟାଦି ପରିତ୍ୟାଗ କରିଛି, ମୋ'ର ମନରେ ଅନ୍ୟ କୌଣସି କାମନା ବର୍ତ୍ତମାନ ଉଦୟ ହେଉନାହିଁ, କେବଳ ଆପଣଙ୍କର ଚରଣସେବା ହିଁ ଏହି ଦାସଟିର ମନଟିକୁ ଅଧିକାର କରି ରହିଛି । ମୁଁ ପୂର୍ବରୁ କରିଥିବା ପାପଗୁଡ଼ିକ ମନେ ପଡ଼ିଯାଉଛି ଏବଂ ସେହି କାରଣରୁ ମନଟା ମଧ୍ୟ ଅନୁତାପରେ ଅତ୍ୟନ୍ତ ବିକୃତ ହୋଇ ଯାଉଛି । କେବଳ ଏହି ଗୋଟିଏ ମାତ୍ର କଥା ମନେପଡ଼ୁଛି: ଯଦି ମୁଁ ସେହି ଯାବତୀୟ ପାପକାର୍ଯ୍ୟ କରି ପିତୃଚରଣରେ ଅପରାଧୀ ହୋଇନଥାନ୍ତି, ତେବେ ମୋ'ଲାଗି ତାହା ପ୍ରକୃତରେ କେଡ଼େ ଭାଗ୍ୟର କଥା ନହୋଇଥାନ୍ତା । ଯେଉଁଭଳି ପାପ ମୁଁ କରିଥିଲି, ମୋତେ ଠିକ୍ ସେହିପରି ହିଁ ପ୍ରତିଫଳ ଭୋଗ କରିବାକୁ ପଡ଼ୁଛି । ଯଦି ବର୍ତ୍ତମାନ ଆପଣଙ୍କର ଚରଣତଳେ ରହିଥାନ୍ତି, ତେବେ ମୁଁ ସତକୁସତ କ'ଣ ବୋଲି ଗଣା ହେଉଥାନ୍ତି ଏବଂ ବର୍ତ୍ତମାନ ପ୍ରକୃତରେ କି ଦୁରବସ୍ଥା ମଧ୍ୟରେ ରହିବାକୁ ବାଧ୍ୟ ନହେଉଛି ! ଜନସମାଜରେ ଅତ୍ୟନ୍ତ ହେୟ ହୋଇ ରହିଛି । ମୁଁ ଏହି ସବୁକିଛିକୁ ଅବଶ୍ୟ ଆଦରି ନେଇ ପାରିଛି, ମାତ୍ର ଆପଣଙ୍କର ଏହି ବୟସରେ ମୁଁ ଆପଣଙ୍କ ପାଖରେ ରହି ଆପଣଙ୍କର ଚରଣସେବା କରି ପାରିଲିନାହିଁ, ଏହାଠାରୁ ବଳି ମୋ'ପାଇଁ ବଡ଼ ଦୁର୍ଭାଗ୍ୟ ଆଉ କ'ଣ ହୋଇପାରେ ?

 

''ମୁଁ ବର୍ତ୍ତମାନ ଆପଣଙ୍କ ପାଖକୁ ଯିବାପାଇଁ ଇଚ୍ଛା କରୁନାହିଁ । ଆପଣ ଯେତେବେଳେ ଏହି ଅଧମର ମୁହଁ ଦେଖିବାକୁ ଇଚ୍ଛା କରୁନାହାନ୍ତି, ସେତେବେଳେ ମୁଁ ବା ପ୍ରକୃତରେ ଆଉ କେଉଁ ସାହସରେ ଯାଇ ଆପଣଙ୍କ ସମ୍ମୁଖରେ ଠିଆ ହୋଇ ପାରିବି ? ତେଣୁ, ଏହିପରି ଅନ୍ତରାଳ ହୋଇ ରହିବି । ଭୃତ୍ୟ ଆବଶ୍ୟକ ହେଲେ ଭୃତ୍ୟ ଡାକି ଆଣିବି, ଆପଣ କେଉଁଠାକୁ ଯିବାପାଇଁ ଆଦେଶ ହେଲେ ଭୃତ୍ୟବତ୍ ସେଠାକୁ ଯିବି । ହଁ, ଭୃତ୍ୟ ସଦୃଶ ଥିବି ଏବଂ କ୍ରମେ ଅନୁଗ୍ରହ ହେଲେ, ଅନୁମତି ହେଲେ ନିକଟକୁ ଯିବି । ନହେଲେ, ସମ୍ପୂର୍ଣ୍ଣ ଭାବରେ କୁକୁର ପରି ରହିଥିବି । ମୁଁ ଯାହା ବା ଯେପରି ହେଉ ପଛକେ, ତଥାପି ଆପଣଙ୍କର ପୁତ୍ର । ମୁଁ ମଧ୍ୟ ଅଧା ବୟସରେ ଆସି ପହଞ୍ଚି ଗଲିଣି । ଯେଉଁଭଳି ହୋଇଥାଉ ପଛକେ, ବର୍ତ୍ତମାନ ଆପଣଙ୍କର ଗୋଟିଏ ନାତି ରହିଛି । ଯଦି ସେ ବଞ୍ଚିଥିବ, ତେବେ ନିଶ୍ଚୟ ଆପଣଙ୍କର ନାତି ବୋଲି ପରିଚୟ ଦେବ । ଯଦି ଆପଣ ନିଜ ପୁତ୍ରକୁ ପାଦରେ ଠେଲି ଦେଇ ଚାଲିଗଲେ, ତେବେ ପୁଅର ସେହି ପୁଅଟି ଜନସମାଜରେ ଆଉ କ'ଣ ବୋଲି କହି ନିଜର ପରିଚୟ ଦେଇ ପାରିବ ଏବଂ ଆପଣାର ମୁହଁ ଦେଖାଇବ ! ତେବେ, ଆପଣ ଯେପରି ମୋ' ଗଳାରେ ପଦପ୍ରହାର କରିଛନ୍ତି, ସେହିପରି ତା' ଗଳାରେ ମଧ୍ୟ ପଦପ୍ରହାର କରି ତାକୁ ମାରିଦିଅନ୍ତୁ । ଏହି ଧିକ ଜୀବନ ନେଇ ବଞ୍ଚିବା ଅପେକ୍ଷା ମୃତ୍ୟୁ ହିଁ ଭଲ । ଏତେଦିନ ତ ମୁଁ ସେହି ମୃତ୍ୟୁର ଆଶ୍ରୟଟିକୁ ଗ୍ରହଣ କରିଥିଲି, ତଥାପି ମଧୁରଭାଷିଣୀ ଆଶା ହିଁ ମୋତେ ବଞ୍ଚାଇ ରଖିଆସିଛି । ନିଜର ବାପା ଓ ମାଆଙ୍କଠାରୁ କେବେ ନା କେବେ କ୍ଷମା ପାଇବାର ଆଶାକୁ ଛାଡ଼ି ହୁଏନାହିଁ । ନିଜ ଜୀବନକାଳରେ ତ ମୋତେ ଏହିପରି ଦଶାର ସମ୍ମୁଖୀନ ହେବାକୁ ପଡ଼ିଲା, ମାତ୍ର ମୋ'ର ପରକାଳର ପଥଟିକୁ ଆପଣ ଦୟା କରି ବନ୍ଦ କରି ଦେବେନାହିଁ । ଯଦି ମୁଁ ଆପଣଙ୍କର ପଦସେବା କରି ପାରିବାର ସୁଯୋଗ ନପାଇଲି, ତେବେ ଆଉ କିପରି ଭାବରେ ପରକାଳରେ ଉଦ୍ଧାର ପାଇ ପାରିବି ? ଆପଣ ଦୟା କରି ମାତ୍ର ଗୋଟିଏ ଥର ସକାଶେ ରାଗଦ୍ଵେଷ–ବର୍ଜିତ ଚିତ୍ତରେ ଆପଣାର ଋଷିତୁଲ୍ୟ ମଧୁରତା ତଥା ମାନସିକ ଉଚ୍ଚତାର ଆସନରେ ସ୍ଥିର ହୋଇ ରହି ଟିକିଏ ଭାବି କରି କହିଲେ, ନିଜର ଏହି ଅଧମ ସନ୍ତାନଟିକୁ ଭସାଇଦେଲେ ଆପଣଙ୍କ ତୁଲ୍ୟ ଜଣେ ମହାତ୍ମାଙ୍କର ପୃଥିବୀବ୍ୟାପୀ ସୁନାମରେ ତଥାପି କିଞ୍ଚିତ୍ ହେଲେ ମଧ୍ୟ ଏକ କଳଙ୍କ ଲାଗିବ କି ନାହିଁ-। ଯେଉଁ ବ୍ୟକ୍ତି ସହିଷ୍ଣୁତାର ଗୋଟିଏ ଆଧାର, ଯାହାର ମନ ମଧ୍ୟ କ୍ଷମାର ଗୋଟିଏ ଆବାସସ୍ଥାନ ସ୍ୱରୂପ, ଯାହାଙ୍କ ଦେହରେ ମାୟାଦେବୀ ଚିରବିରାଜିତା, ଆଉ କାହାରି ...କାହାଣୀ ଶୁଣି ଯାହାଙ୍କ ଚକ୍ଷୁଦୁଇରୁ ଅବିରଳ ଅଶ୍ରୁଜଳ ବିଗଳିତ ହୋଇଆସେ, ସେହି ମହାଦୟାବାନ୍ ମହାପୁରୁଷ ନିଜର ହତଭାଗ୍ୟ, ଅନୁତାପରୂପୀ ଅନଳଦ୍ଵାରା ଦଗ୍ଧ, ଭଗ୍ନହୃଦୟ ଏକମାତ୍ର ପୁତ୍ରକୁ ଏପରି ସଙ୍କୋଚରହିତ ଭାବରେ ଯେ ଭସାଇ ଦେବାକୁ ମନ କରିବେ, ସେହି କଥାଟିକୁ ଭ୍ରମରେ ମଧ୍ୟ ଆପଣାର ମନ ଭିତରେ ସ୍ଥାନ ଦେବା ନିମନ୍ତେ ପ୍ରକୃତରେ ଇଚ୍ଛା ହିଁ ହୁଏନାହିଁ ।

 

''ପିତୃଦେବ, ଅନ୍ତତଃ ଗୋଟିଏ ଦିନ ପାଇଁ ମୋ'ର ଜୀବନ ସାର୍ଥକ ହୋଇ ପାରିଛି । ମୋ' ବିବାହର ସମାପନ ପରେ ଆପଣ ନିଜ ତୃତୀୟ ସହୋଦରଙ୍କ ନିକଟକୁ ତାଙ୍କର ଏକ ପତ୍ରର ଉତ୍ତର ଦେଇ ଲେଖିଥିଲେ,-ନାରାୟଣ ସ୍ଵତଃପ୍ରବୃତ୍ତ ହୋଇ ଏହି ବିବାହଟିଦ୍ଵାରା ମୋ'ର ମୁଖ ଉଜ୍ଜ୍ଵଳ କରିଛି ଏବଂ, କହିବା ବାହୁଲ୍ୟ ଯେ ନାରାୟଣର ଏହି ବିବାହଟିକୁ କରାଇ ମୁଁ ପ୍ରକୃତରେ ଚରିତାର୍ଥ ହିଁ ହୋଇଛି । ମାନନୀୟ ପିତୃଦେବ, ଏହି ଜନ୍ମରେ ମୋ'ର ଏଇଟି ଅପେକ୍ଷା ଆଉ କ'ଣ ପ୍ରକୃତରେ ସୁଖ ତଥା ସୌଭାଗ୍ୟର ବିଷୟ ହୋଇଥାନ୍ତା ? ମୁଁ ଏହାଠାରୁ ଆଉ କ'ଣ ଅଧିକ ଆଶା ମଧ୍ୟ ରଖି ପାରିଥାନ୍ତା ? ଆପଣ ରାଜାଧିରାଜ୍ୟ, ଜଗତ୍‍ମାନ୍ୟ ମୋ'ର ପିତୃଦେବ, ଏବଂ ମୁଁ ଆପଣଙ୍କ କୀଟାନୁକୀଟ ସଦୃଶ ପୁଅ: ନିଜର ଗୋଟିଏ କାର୍ଯ୍ୟଦ୍ଵାରା କ୍ଷଣକ ନିମିତ୍ତ ହେଲେ ମଧ୍ୟ ଯଦି ମୁଁ ମହାନ୍ ଆତ୍ମାଙ୍କର ମନରେ ଅଣୁମାତ୍ର ସନ୍ତୋଷ ଏକଦା ଜନ୍ମାଇ ପାରିଥିଲି, ସେଇଟି ହିଁ ମୋ'ର ପରମ ସୌଭାଗ୍ୟ, ମୋ'ର ବହୁ ତପସ୍ୟାର ଫଳ । ହେ ପିତୃଦେବ, ଏହି ... ଯେ ବାରମ୍ବାର ମୁଁ ପିତା ବୋଲି ଆପଣଙ୍କୁ ସମ୍ବୋଧନ କରି ପାରୁଛି, ଏତିକିରେ ମଧ୍ୟ ମୋ'ର ରୋମାଞ୍ଚ-ଜାତ ମଧୁର ଶବ୍ଦ କିନ୍ତୁ, ବାବା' ବୋଲି ଡାକିବା ଆଉ ଏହି ଭାଗ୍ୟହୀନଟିର ଜୀବନରେ ସମ୍ଭବ ହେଲାନାହିଁ । ମୋ'ର ପୁତ୍ର ପ୍ୟାରୀ...ଯେତେବେଳେ 'ବାବା' ବୋଲି ଡାକେ, ସେତେବେଳେ ମୋ' ହୃଦୟ ଆନନ୍ଦରେ ହିଁ ମାତି ଉଠିଥାଏ, ଏବଂ ଠିକ୍ ପରମୁହୂର୍ତ୍ତରେ ହିଁ ସେହି ଆନନ୍ଦ ଗୋଟିଏ ବିଷାଦ-ସାଗରରେ ପରିଣତ ହୋଇଯାଏ । ତତ୍‍କ୍ଷଣାତ୍ ମୋ'ର ମଧ୍ୟ ମୋ'ପୁଅ ପରି 'ବାବା' ବୋଲି ଡାକିବାପାଇଁ ଇଚ୍ଛା ହୋଇଥାଏ । ମାତ୍ର ସେପରି ଡାକି ପାରିବାର ସୌଭାଗ୍ୟ ହିଁ କାହିଁ,–ସେକଥା କେବଳ ବୃଥା ଆଶା ବୋଲି ଭାବି ମୁଁ ସେତେବେଳେ ମୃତବତ୍ ଅନୁଭବ କରିବାକୁ ଲାଗେ-। ଏବଂ, ପୁଣି ଭାବେ, ଯଦି ମୁଁ ଭାଗ୍ୟହୀନଟା ଆପଣଙ୍କର ପୁତ୍ର ନହୋଇ ଆପଣଙ୍କର ମନୋମତ ଆଉ କେହି ଆପଣଙ୍କର ପୁଅ ହୋଇଥାନ୍ତା, ତେବେ ସିଏ ମଧ୍ୟ ପ୍ୟାରୀମୋହନ ପରି 'ବାବା' ବୋଲି ଡାକିଲେ ଆପଣଙ୍କର ମଧ୍ୟ କେତେ ଆନନ୍ଦ ନହୁଅନ୍ତା ! ମୁଁ ଏପରି ହତଭାଗ୍ୟଟାଏ ଆପଣଙ୍କ ପାଇଁ ଜନ୍ମିଲି ଯେ, ଆପଣଙ୍କର ସର୍ବବିଧ ସୁଖରେ କେବଳ ବ୍ୟାଘାତ ହିଁ ସୃଷ୍ଟି କଲି-। ଏବଂ, ଯଦିବା ଜନ୍ମିଥିଲି, ତେବେ କ'ଣ ପାଇଁ ମରି ବି ଗଲିନାହିଁ !

 

''ମହାଶୟ, ଆପଣ ବଡ଼ ଏକାକୀ ହୋଇ ରହିଲେ ଏବଂ ଦୁଃଖ ଭୋଗ କଲେ । ...ପରିବାର ମଧ୍ୟରେ ଏତେ ଏତେ ରହିଥିଲେ ମଧ୍ୟ ଆପଣ ଏକାକୀ । ପୁଅ, ଜ୍ଵାଇଁ, ଭାଇ, ଯଦି ଜଣେ ମଧ୍ୟ ଆପଣଙ୍କର ମନକୁ ପାଇଲାଭଳି ହୋଇଥାଆନ୍ତେ, ତେବେ ତା' ଉପରେ ଦାୟିତ୍ଵ ଦେଇ ଆପଣ ଅସୁସ୍ଥତା ସମୟରେ ଆଠ ବା ଦଶଦିନ ନିଭୃତ ଭାବରେ ନିଶ୍ଚିତ ହୋଇ କଟାଇ ପାରୁଥାନ୍ତେ । ଯେତେବେଳେ ମଧ୍ୟ ଆପଣଙ୍କର ଶୀର୍ଣ୍ଣ ଦେହ, ଶୁଷ୍କ ମୁଖମଣ୍ଡଳ ଓ ଅତି କ୍ଷୀଣ ସ୍ଵରରେ କଥା କହିବା ଆଦିକୁ ମୁଁ ନିଜ ମାନସପଟରେ କଳ୍ପନା କରେ, ଏବଂ ତଥାପି ଆପଣ ସର୍ବବିଧ ଝିନ୍‍ଝଟ ତୁଲାଉଛନ୍ତି ବୋଲି ଭାବେ ଅଥବା ପୀଡ଼ିତ ହେବାରୁ ଆପଣ ନିଜର ଜଣେମାତ୍ର ଭୃତ୍ୟକୁ ସାଙ୍ଗରେ ଧରି କର୍ମାଟାଡ଼ ଯାଆନ୍ତି ବୋଲି ଚିନ୍ତା କରିବାରେ ଲାଗେ, ସେତେବେଳେ ମୁଁ ଭାବୁଥାଏ, ମୁଁ ପ୍ରକୃତରେ ତଥାପି ବଞ୍ଚି ରହିଛି କ'ଣ ପାଇଁ କେଜାଣି ! ଏବଂ, ସେତେବେଳେ ଆପଣାର କର୍ମଦୋଷଟାକୁ ମନେ ପକାଇ ମୁଁ ନିଜର ଜିହ୍ଵାକୁ ଟାଣି ପକାଇ ମରି ଯିବାପାଇଁ ହିଁ ଇଚ୍ଛା କରୁଥାଏ ।

 

ଏକଦା ଯେଉଁ ମହାନ୍ ପୁରୁଷ, ଯେଉଁ ଏତେ ଏତେ ଧୈର୍ଯ୍ୟଗୁଣର ଆଧାର, ଯେଉଁ great peerless man (ଅତୁଳନୀୟ ମହାପୁରୁଷ ତଥା ଯେଉଁ Demigod (ମାନବ-ଦେବତା) ଆହାର ସମୟରେ ଗୋଟିଏ ଅସରପାକୁ ଚୋବାଇ ଗିଳିଦେଇ ଏବଂ ତଦ୍ଦ୍ଵାରା ନିଜର ଅସାଧାରଣ ସହିଷ୍ଣୁତାର ପ୍ରମାଣ ଦେଇଥିଲେ, କାରଣ ଆହାରରେ ଅସରପା ପଡ଼ିଯାଇଛି ବୋଲି ଜାଣିଲେ ଅନ୍ୟମାନେ ସେହି ଖାଦ୍ୟକୁ ଆଦୌ ଖାଇବେ ନାହିଁ ଏବଂ ଉପାସ ରହିବେ, ସେହି ମହାନ୍ ବ୍ୟକ୍ତି ଏଭଳି ଅତିମାନୁଷିକ ଶକ୍ତିକୁ ଧାରଣ କରି ମଧ୍ୟ ନିଜର ପୁଅକୁ ତଥାପି କ୍ଷମା କରି ପାରିଲେ ନାହିଁ । ପୁଅଟାର ଦୋଷ ଯେତେ ଗୁରୁତର ହୋଇଥାଉ ପଛକେ, କ୍ଷମାର ସମ୍ମୁଖରେ ତ ସବୁକିଛି ହିଁ ସାମାନ୍ୟ ପରି ଦେଖା ଯାଇଥାଆନ୍ତା । ଏବଂ, ସେହି ଦୋଷକୁ ପୁଅ ଆପଣାର ବାପା ଓ ମାଆଙ୍କ ପାଖରେ ହିଁ କରିଥିଲା । ଆପଣ ମୋତେ ସ୍ଵଚରଣରେ ଆଶ୍ରୟ ଦେଲେ କେହି ଆପଣଙ୍କୁ ଦୋଷ ଦେବନାହିଁ, ବରଂ ସେଥିରୁ ଆପଣଙ୍କର ଜଣେ ମହାନ୍‍ ପୁରୁଷ ବୋଲି ପରିଚୟଟି ହିଁ ପ୍ରମାଣିତ ହୋଇଯିବ । ଆପଣଙ୍କୁ ମୁଁ ଆଉ ଏହାଠାରୁ ଅଧିକ କ’ଣ ବା ଜଣାଇବି; ଆଉଥରେ ଦୟା କରନ୍ତୁ, ଆପଣାର ସାଧାରଣ ମନୁଷ୍ୟର ଦୁର୍ଲଭ ଉଦାରତା ଗୁଣର ପରିଚୟ ଦେଇ ଆପଣଙ୍କର ହତଭାଗ୍ୟ ପୁତ୍ରଟିକୁ ନିଜର ଚରଣସେବାରେ ନିଯୁକ୍ତ କରନ୍ତୁ; ତେବେ ଅବଶ୍ୟ ଦେଖିବାକୁ ପାଇବେ, ମୁଁ ସର୍ବବିଧ ପ୍ରକାରେ ଆପଣା ପିତୃଦେବଙ୍କର ମନୋମତ ପ୍ରକୃତରେ ହୋଇପାରୁଛି କି ନାହିଁ । ପୁନଶ୍ଚ, ମୁଁ ଭଲ ହୋଇଥାଏ ବା ମନ୍ଦ ହୋଇଥାଏ, ଆପଣଙ୍କର ସମ୍ବନ୍ଧ-ସଂସାରରେ ଏହି ହତଭାଗ୍ୟ ହେଉଛି ସବାଆଗ । ଆପଣ କାହାପାଇଁ କ'ଣ ବା ନକରିଛନ୍ତି,-ମୋ' ପାଇଁ ଥରେ ଶେଷ ପରୀକ୍ଷାଟିଏ କରନ୍ତୁ । ଏବଂ, ମୁଁ ସାହସର ସହିତ ନିଶ୍ଚୟ କହିବି ଯେ, ମୁଁ ଗୋଟିଏ କ୍ଷଣ ସକାଶେ ମଧ୍ୟ, କୌଣସି ବିଷୟରେ ସାମାନ୍ୟ ଅଣୁପରିମାଣରେ ମଧ୍ୟ କଦାପି ଆପଣଙ୍କର ଅସନ୍ତୋଷ ହେଲାଭଳି କୌଣସି କାର୍ଯ୍ୟ କରିବିନାହିଁ । ଏହି ସଂସାରର ସକଳ ସୁଖକୁ ଜଳାଞ୍ଜଳି ଦେଇ ମୁଠାରେ ଆହାର ଗ୍ରହଣ କରି ଆପଣଙ୍କର ଚରଣସେବା ନିମନ୍ତେ ଜୀବନ ଧାରଣ କରୁଥିବି-। ଯେଉଁପରି ଗୋଟିଏ କୁକୁର ମୁଠାଏ ଅନ୍ନ ଖାଇ ନିରନ୍ତର ନିଜ ପ୍ରଭୁଙ୍କର ଅନୁବର୍ତ୍ତୀ ହୋଇ ରହିଥାଏ, ଏହି ହତଭାଗ୍ୟଟି ମଧ୍ୟ କୁକୁରଠାରୁ ଅଧିକ ଅଧମ ହୋଇ ନିଜ ପ୍ରଭୁଙ୍କର ଚରଣତଳେ ପଡ଼ି ରହିଥିବ ।'' ପରବର୍ତ୍ତୀ ଘଟଣାରୁ ଏକ ସୂଚନା ଅବଶ୍ୟ ମିଳୁଛି ଯେ ନାରାୟଣଙ୍କର ସେହି ପତ୍ରଟିକୁ ପାଠ କରି ଶ୍ରୀଯୁକ୍ତ ବିଦ୍ୟାସାଗର ନିଜ ଏକମାତ୍ର ପୁତ୍ର ପ୍ରତି ସଦୟ ହୋଇ କିଛିଦିନ ସକାଶେ ତାଙ୍କୁ ସପରିବାରେ କଲିକତାକୁ ଆଣି ନିଜପାଖରେ ରଖିଥିଲେ । ଏବଂ, ତା'ପରେ ଆହୁରି ଥରେ ନିଜର ଶେଷ ଅସୁସ୍ଥତା ସମୟରେ ତାଙ୍କୁ ନିଜ ପାଖରେ ରହି ସକଳ ପରିଚର୍ଯ୍ୟା କରିବା ନିମନ୍ତେ ଡକାଇ ଆଣିଥିଲେ ।

 

୧୮୮୮ ମସିହା ଅଗଷ୍ଟ ମାସରେ ବିଦ୍ୟାସାଗର-ପତ୍ନୀ ଦୀନମୟୀଙ୍କର ଜୀବନାବସାନ ଘଟିଥିଲା । ନାନାବିଧ ଗୃହ-ପ୍ରସଙ୍ଗରେ ପତ୍ନୀଙ୍କ ସହିତ ବିଦ୍ୟାସାଗରଙ୍କର ମତଗତ ପାର୍ଥକ୍ୟ ଘଟିଥିବା ହେତୁ ସେ ପତ୍ନୀଙ୍କଠାରୁ ଯଥାସମ୍ଭବ ଦୂରରେ ହିଁ ରହୁଥିଲେ । କିନ୍ତୁ, ପତ୍ନୀଙ୍କର ଏହି ଶେଷ ଅସୁସ୍ଥତା ସମୟରେ ସେ ତାଙ୍କର ଯଥେଷ୍ଟ ଶୁଶ୍ରୂଷା କରିଥିଲେ ଓ ତାଙ୍କର ବିୟୋଗରେ ଅତିଶୟ ମ୍ରିୟମାଣ ହୋଇ ପଡ଼ିଥିଲେ । ମାଆଙ୍କର ଦେହାନ୍ତ ହେବାର ପ୍ରାୟ ଗୋଟିଏ ମାସ ପରେ ନାରାୟଣ ପିତାଙ୍କ ନିକଟକୁ ପତ୍ରରେ ଲେଖିଥିଲେ: ଶ୍ରୀଚରଣାରବିନ୍ଦେଷୁ, ପ୍ରଣତି ପୂର୍ବକଂ ନିବେଦନମ୍–ପିତୃଦେବ,...ସ୍ନେହମୟୀ ଜନନୀଦେବୀଙ୍କୁ ଏହି ଜନ୍ମରେ ସବୁଦିନ ସକାଶେ ହରାଇ ବସି ସତକୁସତ ଏହି ସଂସାରରେ ମୁଁ ସମ୍ପୂର୍ଣ୍ଣରୂପେ ଅସହାୟ ହୋଇ ପଡ଼ିଥାନ୍ତି ଏବଂ ଜଣେ ମାଆ ହରାଇଥିବା ସନ୍ତାନ ପରି ମୋତେ କେବଳ କାନ୍ଦି କାନ୍ଦି ବୁଲିବାକୁ ମଧ୍ୟ ହୋଇଥାନ୍ତା । କେବଳ ଏତେ ଦୟାର ଆକାର ନିଜ ପିତୃଦେବଙ୍କର ମୋ'ପ୍ରତି ସଦୟ ବ୍ୟବହାର ଫଳରେ ମୁଁ ପ୍ରକୃତିସ୍ଥ ହୋଇ ରହିପାରିଲି । ମହାଭାଗଙ୍କର ଚରଣ ପାର୍ଶ୍ଵରୁ ବଞ୍ଚିତ ହୋଇଯିବା ପରଠାରୁ ଏ ପର୍ଯ୍ୟନ୍ତ ମୁଁ ମାତୃଦେବୀଙ୍କର ଚରଣାଶ୍ରିତ ହୋଇ ହିଁ କାଳଯାପନ କରୁଥିଲି, କେଡ଼େ ମଧୁର ସେହି 'ମାଆ' ଡାକଟିଦ୍ଵାରା ନିଜର ତାପିତ ପ୍ରାଣକୁ ଶୀତଳ କରୁଥିଲି । କିନ୍ତୁ ଯେତେବେଳେ ମୋ'ର ସେହି ମାଆ ନିଜର ହତଭାଗ୍ୟ ପୁତ୍ରଟିକୁ ଆଶ୍ରୟରୁ ବଞ୍ଚିତ କରି ସ୍ଵର୍ଗାରୋହଣ କଲେ, ସେତେବଳେ ମୁଁ ଏହି ସଂସାରକୁ କେବଳ ଅନ୍ଧକାରମୟ ପରି ଦେଖିବାକୁ ଲାଗିଲି । ଏବଂ, ସେହି ଦୁଃସମୟରେ ଆପଣ ପିତୃଦେବ କୃପା ବିତରଣ କରି ହତଭାଗ୍ୟ ସନ୍ତାନକୁ ନିଜ ଚରଣତଳେ ଆଶ୍ରୟ ପ୍ରଦାନ କରିଥିଲେ-। କେବଳ ଆପଣଙ୍କର ସେହି କୃପାଟି ହେତୁ ହିଁ ଭାଗ୍ୟହୀନ ପୁତ୍ରଟି ମାତୃନିଧନର ଶୋକକୁ ସହ୍ୟ କରି ପାରିଲା । ଆପଣ ସେହି ହତଭାଗ୍ୟ ପ୍ରତି ଯେ ସେହି କୃପାଟିକୁ ପ୍ରଦର୍ଶନ କଲେ, ସେକଥା କ'ଣ ମୁଁ ସ୍ଵପ୍ନରେ ସୁଦ୍ଧା କଲ୍ପନା କରି ପାରିଥିଲି ? ମୁଁ ତ ବରଂ ଧରି ନେଇଥିଲି ଯେ ଅନ୍ତତଃ ଏହି ଜନ୍ମଟି ଲାଗି ହତଭାଗ୍ୟ ପୁତ୍ରଟିର ଭାଗ୍ୟଦୀପ ନିଭି ହିଁ ଯାଇଛି ! ବର୍ତ୍ତମାନ ତ ସାହସ କରି ମୁଁ ଛିଡ଼ାହୋଇ ପାରିଛି, ...ଭରସା କରି ବି ମହାଶୟଙ୍କ ସହିତ ଦୁଇ ପଦ କଥା କହି ପାରିଛି-। ...ଆପଣଙ୍କର କୃପାଦୃଷ୍ଟି ଫଳରେ ଏହି ହତଭାଗ୍ୟ କୃତାର୍ଥ ହୋଇଛି । ତା'ର ଅନ୍ତର ଭିତରେ ଏକ ଅନିର୍ବଚନୀୟ ଆନନ୍ଦର ଆବିର୍ଭାବ ହୋଇଛି; ଯାହାକୁ intoxicated with joy ବୋଲି କୁହାଯାଏ, ମୋ'ର ତାହାହିଁ ହୋଇଛି । ବହୁଦିନ ଅନାହାରରେ କଟାଇବା ପରେ ଉପାଦେୟ ଆହାର ପାଇଲେ ଜଣେ ବ୍ୟକ୍ତି ଯେଉଁଭଳି ଏକ ଅନିର୍ବଚନୀୟ ତୃପ୍ତିଭାବ ଅନୁଭବ କରିଥାଏ, ଚଉଦ ବର୍ଷ ପରେ ମହାଭାଗଙ୍କର ଶ୍ରୀମୁଖରୁ ନିଃସୃତ ବଚନାମୃତକୁ ପାନ କରି ହତଭାଗ୍ୟର ଅନ୍ତରାତ୍ମା ପର୍ଯ୍ୟନ୍ତ ସବୁକିଛି ପରିତୃପ୍ତି ଲାଭ କରିଛି । ଗୋଟିଏ ପରେ ଗୋଟିଏ କୃପାର ପରିଚୟ ପାଇଛି ଏବଂ ଆନନ୍ଦାଶ୍ରୁ ବିବର୍ଜନ କରିଛି । ଏବଂ, ସେହି ସମୟରେ କେବଳ ଏହି ଗୋଟିଏ କଥା ଭାବି ହୃଦୟ ବିଦୀର୍ଣ୍ଣ ହୋଇ ଯାଉଛି ଯେ, ଯଦି ଏହି ଦୃଶ୍ୟଗୁଡ଼ିକୁ ମୋ'ର ଦୁଃଖିନୀ ମାଆ ମଧ୍ୟ ଦେଖିବାକୁ ପାଇଥାନ୍ତେ, ତେବେ ମୋ' ଜୀବନ ପ୍ରକୃତପଣେ ସାର୍ଥକ ହିଁ ହୋଇଥାନ୍ତା-। ମାଆ, ତୁମେ ଥରେ ମାତ୍ର ଚାହିଁ ଦେଖ ମାଆ, ତୁମର ହତଭାଗ୍ୟ ପୁତ୍ର ନାରାୟଣ ପିତୃଚରଣରେ ଆଶ୍ରୟ ଲାଭ କରିପାରିଛି । ...ଦୟାମୟ କର୍ତ୍ତା ତୁମର ଅନ୍ତିମ ଅନୁରୋଧଟିକୁ ରକ୍ଷା କରୁଛନ୍ତି-। ମାଆ, ଥରେ ଚାହିଁକରି ଦେଖ, ବାପା ତୁମ ଲାଗି କେତେ ବ୍ୟାକୁଳ ହେଉଛନ୍ତି । ସେହି ଜନନୀଙ୍କର ସ୍ନେହକୁ ଯେତେ ଅଧିକ ସ୍ମରଣ କରୁଛି, ମୋ' ହୃଦୟଟି ସେତିକି ଶେଳବିଦ୍ଧ ହୋଇଯାଉଛି-

 

''ଆପଣ ମୋ' ପ୍ରତି କୃପାର ପ୍ରଦର୍ଶନ କରିଅଛନ୍ତି, ସେତିକିରେ ମୁଁ ଚିରକୃତାର୍ଥ ହୋଇ ରହିବି । ମୃତ୍ୟୁ ସମୟରେ ଯେତେବେଳେ ସଂସାରରୁ ବିଦାୟ ନେଇଯିବି, ସେତେବେଳେ କେବଳ ଏତିକିମାତ୍ର ଭାବୁଥିବି ଯେ, ମୋ'ର ପିତୃଦେବ ତାଙ୍କର ଅପରାଧୀ ଏହି ଅନୁତପ୍ତ ସନ୍ତାନଟିକୁ କ୍ଷମା ପ୍ରଦାନ କରିଛନ୍ତି । ସେହି କ୍ଷମାଟିକୁ ଲାଭ କରିବି ବୋଲି ହିଁ ମୁଁ ଭିକାରି ହୋଇ ରହିଥିଲି ଏବଂ ଆପଣଙ୍କର ଚରଣତଳେ ପଡ଼ି କାନ୍ଦିବାର ବାସନା ମଧ୍ୟ ମୁଁ କେତେ ନା କେତେ ଥର ଅବଶ୍ୟ କରିଥିବି । କିନ୍ତୁ, ଆପଣ ସ୍ଵୟଂ ଶୋକସନ୍ତପ୍ତ ହୋଇ ରହିଥିବେ ବୋଲି ସେପରି କେବେ ସାହସ ହିଁ କରିନାହିଁ । ମୁଁ ବର୍ତ୍ତମାନ କେବେହେଲେ ମଧ୍ୟ ସେହି ଚରଣଯୁଗଳକୁ ଛାଡ଼ି ପାରିବିନାହିଁ । ମୋ' ହୃଦୟରୁ ଯେଉଁ ଭାବଟି ସମ୍ପୂର୍ଣ୍ଣ ଭାବରେ ଶୁଷ୍କ ହୋଇ ଯାଇଥିଲା, ଆପଣଙ୍କର କୃପାଦୃଷ୍ଟିଟି ପଡ଼ିବା ପରେ ସେହି ଭାବଟି ବର୍ତ୍ତମାନ ପୁନର୍ବାର ଉଜ୍ଜୀବିତ ହୋଇଛି । ଆଉ କେବେହେଲେ କ'ଣ ପାଦକୁ ଛାଡ଼ିପାରିବି ? ଆପଣଙ୍କୁ ଆଦୌ କୌଣସି ପ୍ରକାରେ ବିରକ୍ତ କରିବିନାହିଁ । କର୍ତ୍ତୃତ୍ଵ ଅଥବା ଧନ ମୋ'ର କିଛି ହେଲେ ଆବଶ୍ୟକ ନାହିଁ । କେବଳ ଆପଣଙ୍କର ପାଦତଳେ ହିଁ ପଡ଼ି ରହିଥିବି । ଆପଣଙ୍କ ପାଇଁ ହୁକା ସଜାଡ଼ିଦେବି, ବିଛଣା ବିଛାଇ ଦେବି, ଆପଣଙ୍କର ଜୋତାକୁ ସଫା କରିଦେବି-। ଆପଣ ବାହାରକୁ ଗଲେ କୁଲି ହୋଇ ଆପଣଙ୍କର ସାମଗ୍ରୀ ସରଞ୍ଜାମ ବୋହିବି-। ଆପଣଙ୍କର ଏବଂ ସ୍ଵର୍ଗୀୟ ମାତୃଦେବୀଙ୍କର ପାଦକୁ ସ୍ମରଣ କରି ବର୍ତ୍ତମାନ ଆପଣଙ୍କ ପାଖରେ ନିବେଦନ କରୁଛି, ମୋ'ର ମନ ଭିତରେ ପ୍ରକୃତରେ ଆଉ ଅନ୍ୟ କୌଣସି କାମନା ହିଁ ନାହିଁ । ଆପଣଙ୍କର ନିତ୍ୟଭୃତ୍ୟ ହୋଇ ହିଁ ମୁଁ ସୁଖୀ ରହିବି । ଆପଣଙ୍କର ଏହି ଦିବ୍ୟସଂସ୍ଥାନରେ ଯାହାକିଛି ହେଉ ପଛକେ, ମୋତେ କେହି ଯାହାକିଛି ଲାଞ୍ଛନା କିମ୍ବା ଉର୍ତ୍ସନା କରୁ ପଛକେ, ସେଗୁଡ଼ାକରେ ଆଦୌ କାନ ଦେବିନାହିଁ, କୌଣସି ଭ୍ରୂକ୍ଷେପ କରିବିନାହିଁ । ମାଆ ମୋତେ କାଙ୍ଗାଳି କରି ଚାଲି ଯାଇଛନ୍ତି, ମୁଁ ସେହି କାଙ୍ଗାଳି ବେଶରେ ହିଁ ରହିଛି, ଏବଂ ସେହି ବେଶରେ ସବୁଦିନ ପାଇଁ ରହିବି-। ଆପଣଙ୍କର ପାଦର ସେବା କରିବାଲାଗି ସବୁକିଛି ତ୍ୟାଗ କରିବି, ସର୍ବବିଧ ସୁଖରେ ଜଳାଞ୍ଜଳି ଦେବି, ମୋ'ର ପୂର୍ବକୃତ ସକଳ ପାପର ପ୍ରାୟଶ୍ଚିତ ନିମନ୍ତେ ଆପଣାର ଦେହ ଓ ମନକୁ ଆପଣଙ୍କ ପାଖରେ ଉତ୍ସର୍ଗ କରି ରଖିଥିବି ।

 

''ଆପଣଙ୍କ ପାଖରେ ତଥାପି ଆଉ ଗୋଟିଏ ନିବେଦନ କରିବାକୁ ରହିଛି । ଆପଣ ଯଦି ବର୍ତ୍ତମାନ ମୋତେ ସମ୍ପୂର୍ଣ୍ଣ ଭାବରେ ନିଜ ପାଖରେ ରଖିବା ପାଇଁ ଇଚ୍ଛା ନକରୁଥାନ୍ତି, ତେବେ ଆପାତତଃ ଅନ୍ୟମାନଙ୍କ ଭଳି ମୋତେ ସ୍କୁଲରେ କୌଣସି ନା କୌଣସି କର୍ମରେ ନିଯୁକ୍ତ କରାଇ ଦିଅନ୍ତୁ । ମୋ'ର କର୍ମପରାୟଣତା, ଆଚରଣ ଓ ଚରିତ୍ର ଆଦିକୁ ଦେଖି ଯଦି ଆପଣଙ୍କର ସନ୍ତୋଷ ହୁଏ, ତେବେ ତା'ପରେ ଯାଇ ଚରଣସେବା ନିମିତ୍ତ ଅନୁମତି ପ୍ରଦାନ କରିବେ । ତେବେ ମୁଁ ଅନ୍ତତଃ ପ୍ରତ୍ୟହ ଦୁଇ ଓଳି ଆପଣଙ୍କର ଶ୍ରୀଚରଣ ଦର୍ଶନ କରିବାର ସୁଯୋଗ ଲାଭ କରି ପାରିବି । ବାସ୍ତବ କଥାଟି ହେଉଛି ଯେ, ଆପଣଙ୍କୁ ମୋତେ ନିଜ ଚରଣପାରୁଶରେ ଗୋଟିଏ ସ୍ଥାନ ଦେବାକୁ ହିଁ ପଡ଼ିବ । ମୁଁ ଏଥିପୂର୍ବରୁ ଦୁଇଦୁଇଟି କର୍ମରେ ନିଯୁକ୍ତ ରହି ବିଦେଶ କର୍ତ୍ତାଗଣଙ୍କର ମନରେ ମଧ୍ୟ ପୂର୍ଣ୍ଣ ସନ୍ତୋଷ ଜନ୍ମାଇ ପାରିଛି ଯେତେବେଳେ, ବର୍ତ୍ତମାନ ଦୟାର ଆକର ସ୍ଵପିତୃଦେବଙ୍କର ଚିତ୍ତରେ ସନ୍ତୋଷ ଜନ୍ମାଇ ପାରିବି ନାହିଁ ? ଆଉ ନିଷ୍କର୍ମ ହୋଇ ରହିବାପାଇଁ ମୋଟେ ସାହସ ହେଉନାହିଁ । ଆପଣଙ୍କୁ ଛାଡ଼ି କରି ମଧ୍ୟ ରହିବା ସକାଶେ ସମ୍ଭବ ହେଉନାହିଁ । ଇତି । ହତଭାଗ୍ୟ ଭୃତ୍ୟ–ଶ୍ରୀ ନାରାୟଣ ଶର୍ମଣଃ । '' ପିତା ବା ପୁତ୍ର, ଉଭୟଙ୍କ ମଧ୍ୟରୁ କିଏ ପ୍ରକୃତରେ ଜିତିଲେ ଓ ତେଣୁ ଆଉଜଣକ ହାରିଲେ ? ସହିବା ଲୋକ ହାରେ ନା ଦଣ୍ଡ ଦେଉଥିବା ଲୋକଟି ହରିଥାଏ ? କିନ୍ତୁ, ସେକଥାଟି ଯାହା ହୋଇଯାଉ ପଛକେ, ଶ୍ରୀ ବିଦ୍ୟାସାଗରଙ୍କର ମୃତ୍ୟୁ ପରେ କଲିକତା ଉଚ୍ଚନ୍ୟାୟାଳରେ ଗୋଟିଏ ମୋକଦ୍ଦମା ଦାଏର୍ ହୋଇଥିଲା ଓ ସେହି ମୋକଦ୍ଦମାରେ ବିଦ୍ୟାସାଗର ପୁତ୍ର ନାରାୟଣ ବନ୍ଦୋପାଧ୍ୟାୟ ଜୟଲାଭ କରିଥିଲେ ।

 

ସ୍ଵଜୀବନର ଶେଷ ପର୍ବରେ ବିଦ୍ୟାସାଗର ଛାଡ଼ି ଆସିଥିବା ନିଜର ସେହି ବୀରସିଂହ ନାମକ ଗ୍ରାମଟିକୁ ଅତ୍ୟନ୍ତ ଭାବପ୍ରବଣ ହୋଇ ସ୍ମରଣ କରୁଥିଲେ । ସ୍ମରଣ କରିବା ମାତ୍ରକେ ତାଙ୍କର ଆଖିଦୁଇଟି ଅଶ୍ରୁରେ ଆର୍ଦ୍ର ହୋଇ ଆସୁଥିଲା । ସେହି ସମୟରେ ଦିନେ ଡାକରେ 'ବୀରସିଂହ ଜନନୀର ପତ୍ର' ନାମରେ ପୁସ୍ତିକାଟିଏ ଶ୍ରୀଯୁକ୍ତ ବିଦ୍ୟାସାଗରଙ୍କର ହାତରେ ଆସି ପହଞ୍ଚିଥିଲା । ସେହି ପୁସ୍ତିକାରେ କୌଣସି ଲେଖକଙ୍କର ନାମ ନଥିଲା । ପତ୍ରରେ ଥିଲା : ''ପରମ କଲ୍ୟାଣୀୟ ପ୍ରାଣାଧିକ ଶ୍ରୀଯୁକ୍ତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଜ୍ୟେଷ୍ଠପୁତ୍ର ବାବୁଜୀଉ ଚିରଞ୍ଜୀବିଷୁ । କଲିକତା । ଶ୍ରୀ ଶ୍ରୀ ଦୁର୍ଗା ଶରଣଂ । ଶୁଭାଶୀର୍ବାଦ ବିଜ୍ଞାପନଞ୍ଚ ବିଶେଷ । ବାବା ଈଶ୍ଵରଚନ୍ଦ୍ର, ତୁମେ କ'ଣ ପ୍ରକୃତରେ ସକଳ ସ୍ନେହ ଓ ମମତାକୁ ଜଳାଞ୍ଜଳି ଦେଇ ଏହି ଅଭାଗିନୀକୁ ସମ୍ପୂର୍ଣ୍ଣ ଭାବରେ ପାସୋରି ଦେଲ ? ବାବୁରେ, ଏକଥାଟିକୁ ଭାବି ପକାଇବା ମାତ୍ରେ ହିଁ ମୋ'ର ଛାତିଟା ଫାଟି ଯାଉଛି । ବାବୁ ଈଶ୍ଵର, ଆଉ ମୁଁ ଚାତକିନୀ ପ୍ରାୟ ତୋ'ର କୋଲକୋତାଠାରୁ ଆସିବାର ପଥଟିଆଡ଼କୁ ଚାହିଁ ମୋଟେ ରହି ପାରୁନାହିଁ । ଆଜିକୁ ୧୮-୧୯ ବର୍ଷ ହେଲା ତୁମେ ମୋତେ ପାସୋରି ଦେଇ ତେଣେ ଯାଇ ରହିଛ । ଆଜିକୁ ୧୮-୧୯ ବର୍ଷ ହେଲା ତେଣୁ ତୁମର ଚନ୍ଦ୍ରମୁଖଟିକୁ ମୁଁ ଆଉ ଦେଖି ପାରିନାହିଁ । ବାବା, ସମସ୍ତେ କହୁଛନ୍ତି ବିଦ୍ୟାସାଗର ଆଉ କେବେହେଲେ ଗାଆଁକୁ ଆସିବେ ନାହିଁ । ତେବେ କ'ଣ ବାବୁ, ମୋତେ ତୁମେ ପ୍ରକୃତରେ ଭୁଲି ଯାଇଛ ? ଈଶ୍ଵର, ମୋ', ପ୍ରାଣରଟି ଧନଟି, ତେବେ ମୁଁ କ'ଣ ସତରେ ତୁମକୁ ହରାଇ ବସିଲି ? ମୋ' ବାପାରେ, ଏତେଦିନ ତ ମୁଁ ତୋ' ବିଷୟରେ ଏତେସବୁ କଥା ଶୁଣିବା ପରେ ମୁଁ ଆଉ ପ୍ରାଣ ଧରି ରହି ପାରୁନାହିଁରେ ବାପ ! ଈଶ୍ଵର, ମୋ' ବାପଟି, ବର୍ତ୍ତମାନ ଥରେ ହେଲେ ମୋ କୋଳକୁ ଆ' । ମୋ' ମନୋବାସନା ପୂର୍ଣ୍ଣ ହେଉ, ମୋ' ଦୁଇଟିଯାକ ଆଖିକୁ ଭରାଇ ତୋ' ମୁହଁଟିକୁ ମୁଁ ଥରେ ଦେଖିବାକୁ ପାଏ,–ମୋ' ବାପ ଈଶ୍ଵରରେ–

 

‘‘ବାପ, ତୋ' ଦୁଃଖିନୀ ଏହି ମାଆର କ'ଣ ଏପରି ଦୋଷ ତୁ ଦେଖିଲୁ ଯେ ଏପରି ନିର୍ଦ୍ଦୟ ହୋଇ ଭୁଲି ରହିଗଲୁ ! ଈଶ୍ଵର, କୌଣସି ପୁଅ ନିଜ ମାଆର ଦୋଷକୁ ଏପରି ଧରିବସିବା ପାଇଁ କେବେ ମନ କରିବ କି ? ତୋ'ପରି ଜଣେ ଦିଗ୍‍ବିଜୟୀ ପୁଅ ଯଦି ମାଆର ଦୋଷକୁ ଦୋଷ ବୋଲି ଘେନା କରି ଏପରି ରାଗ କରି ବସିବ, ତେବେ ଅନ୍ୟ ଯେଉଁମାନେ ନିତାନ୍ତ ସାମାନ୍ୟ ସମ୍ବଳ ନେଇ ଘରସଂସାର କରୁଛନ୍ତି, ସେମାନଙ୍କର ପୁଣି କି ଦଶା ହେବ କହିଲୁ ! ବାପ, ତୁମେ ହିଁ ତ କୋଉ ବହିରେ ଲେଖି ଲୋକମାନଙ୍କୁ ଶିକ୍ଷା ଦେଇଛ, ଜଣେ ଦିଗ୍‍ବିଜୟୀ କେଉଁ ରାଜା, କାଳେ ନିଜ ମାଆଙ୍କର ଆଖିରୁ ଲୋତକ ଝରି ଆସିବ, ସେଥିଲାଗି ସେ ନିଜର ମନ୍ତ୍ରୀଙ୍କର ମନ୍ତ୍ରଣାଗୁଡ଼ିକୁ ମଧ୍ୟ କେତେବଳେ ମଧ୍ୟ କାନ ଦେଉନଥିଲେ । ତୁମେ ତ ବାପ, ସେହି ଦିଗ୍‍ବିଜୟୀମାନଙ୍କଠାରୁ ଅଧିକ ନାନା ଗୁଣର ଅଧିକାରୀ ହୋଇ ପାରିଛ !

 

‘‘ହାୟ, ହାୟ, ବର୍ତ୍ତମାନ ତ ମୁଁ କେବଳ ତୁମରି ପାଇଁ ହିଁ ଆଖିରୁ ଲୁହ ଗଡାଇବାରେ ଲାଗିଛି ଏବଂ ପୂର୍ବରୁ ସବୁ ଯାକ କଥାକୁ ସ୍ମରଣ କରୁଛି । ବାବୁ, ତୁମେ ଏକଦା ମୋତେ ପ୍ରକୃତରେ କେତେ ନା କେତେ ସୁଖୀ କରି ରଖିନଥିଲ ! କ'ଣ ଆଗରୁ ଥିଲି ଏବଂ ତୋ'ଲାଗି କ'ଣ ବା ହୋଇ ନପାରିଲି ! ସମସ୍ତଙ୍କ ପରି ଯେତେ ଯେତେ ଦୁଃଖ ରହିଥାଏ, ମୋ'ର ମଧ୍ୟ ସେହି ସବୁକିଛି ରହିଥିଲା ଏବଂ ଈଶ୍ଵର ମୋ'ର ସେହି ସବୁଯାକ ଦୁଃଖକୁ ଘୁଞ୍ଚାଇ ନେଇ ଯେପରି ପ୍ରକୃତରେ ସୁଖୀ କରିବାକୁ ହୁଏ, ତାହା କରି ପାରିଥିଲି । ମୋ' ପାଖରେ ତ ପିନ୍ଧିବାର ଲୁଗାଖଣ୍ଡେ ପର୍ଯ୍ୟନ୍ତ ମଧ୍ୟ ନଥିଲା, ମୋ' ଈଶ୍ଵର ହିଁ ମୋ' ଦେହରେ ଆଣି ସର୍ବବିଧ ଅଳଙ୍କାରକୁ ମଣ୍ଡନ କରି ଦେଇ ପାରିଲା । ମୋ'ର ସେହି ଈଶ୍ଵର ପ୍ରକୃତରେ ଚିରଞ୍ଜୀବୀ ହୋଇ ରହିଥାଉ । କିନ୍ତୁ, ମୁଁ ତ ଅଭାଗିନୀଟାଏ, ତେଣୁ ସେହି ସୁଖ ମୋ'ର କପାଳରେ ପ୍ରକୃତରେ କେତେ ଦିନ ବା ରହି ପାରିଥାନ୍ତା ? ତେଣୁ, ପ୍ରଥମେ ଯେପରି କାଙ୍ଗାଳିନୀ ଥିଲି, ବର୍ତ୍ତମାନ ଠିକ୍ ସେହିପରି କାଙ୍ଗାଳିନୀ ହିଁ ହେଇଗଲି । ବାବୁ ଈଶ୍ଵର, ତୋ'ର ମନେ ପଡ଼ୁଛି–ପ୍ରଥମେ ଦିନେ ତୁ ମୋତେ ଗୋଟିଏ ବହୁତ ଦାମ୍‍ର ଅଳଙ୍କାର ଆଣି ଦେଇଥିଲୁ,–ତା'ର କଦର ଆଉ ତା'ର ଗୁଣ ତ କେତେ ନା କେତେ । ଦେଶଯାକ ରାଷ୍ଟ୍ର ହୋଇଗଲା ଏବଂ କେତେ ଲୋକ, କେତେ ସାହେବ, କେତେ ଜମିଦାର,–ସମସ୍ତେ ଦେଖିବାକୁ ଆସି ପହଞ୍ଚି ଯାଇଥିଲେ । ମୋ' ଶରୀରଟା ତ ଖାଲି ଆନନ୍ଦରେ ଫାଟି ଗଲାପରି ମନେ ହେଉଥିଲା । ଗ୍ରାମର ସ୍ତ୍ରୀ ଲୋକମାନେ ସେହି ଗହଣାଟିର ନାଆଁ କ'ଣ ବୋଲି ମୋତେ ଆସି ପଚାରିଥିଲେ । ମୁଁ ବା କି ଉତ୍ତର ଦେଇଥାଆନ୍ତି । ଆଗରୁ ତ ଏହି ଗହଣାଟିକୁ ଦେଶରେ କେହି ମଧ୍ୟ ଦେଖିନଥିଲେ । ତୁମେ ହିଁ ସେଥିରୁ ଗୋଟିଏ ଆଣି ସର୍ବପ୍ରଥମେ ଦେଇଥିଲ । ଗହଣାଟିର ନାମ ହେଉଛି ସ୍କୁଲ । ଈଶ୍ଵର, ମାଆର ମସ୍ତକରେ ତୁ ଇସ୍କୁଲ ନାମକ ଯେଉଁ ଉଜ୍ଜ୍ଵଳ ମୁକୁଟଟିଏ ଆଣି ପିନ୍ଧାଇ ଦେଇଥିଲୁ, ତାହାରି ଗର୍ବରେ ହିଁ ମୁଁ ଏହି ସମଗ୍ର ଅଞ୍ଚଳଟାରେ ନିଜ ମୁଣ୍ଡକୁ କେଡ଼େ ଉଚ୍ଚ କରି ଠିଆ ହୋଇ ପାରିଲି । ଏହି ଅଞ୍ଚଳଗୋଟାକର ସବୁ ମଣିଷ ମୋ' ମୁହଁକୁ ଅନାଇ ରହିଥିଲେ । ଏବଂ, ତା'ପରେ ବାବା ଅଳ୍ପ କେତେବର୍ଷ ପରେ ଦୁଇ ହାତରେ ଦୁଇଟା ଗହଣା ନେଇ ତୁ ପହଞ୍ଚି ଯାଇଥିଲୁ । ଗୋଟିକର ନାଆଁ ଡାକ୍ତରଖାନା ଏବଂ ଆଉ ଗୋଟିକର ନାମ ବାଳିକା ସ୍କୁଲ । ସମସ୍ତେ କହିଲେ, ବୀରସିଂହର ନାମ ଏଥର ସାର୍ଥକ ହିଁ ହେଲା । ଦିଗ୍‍ବିଜୟୀ ପୁତ୍ରଟି ମୋ'ର, ତା'ପରେ ପୁଣି ରାତ୍ରିରେ ମଧ୍ୟ ସ୍କୁଲ ଚାଲିଥିଲା । ଏହିପରି କେତେ କ'ଣ ଅଳଙ୍କାର ମୋ' ଦେହକୁ ଆସି ମଣ୍ଡନ କରିଥିଲା । ପୁଅ ମୋ'ର, ସିଏ ପ୍ରକୃତରେ ଯେଉଁ ସମୟଟି ଥିଲା, ସିଏ ବର୍ତ୍ତମାନ ଏପରି ଭାବରେ କାହିଁକି ଅନ୍ୟପ୍ରକାର ହୋଇଗଲା ? ଗୋଟିଏ ସମୟ ଏପରି ଥିଲା, ଯେତେବେଳେ କି ଧାନ ଅମଳ କରୁ କରୁ ଏଠି ଚାଷୀକୁଳ ସଂସ୍କୃତ ନାନା ଶ୍ଳୋକର ବ୍ୟାଖ୍ୟା କରି ଜଣେ ଆଉଜଣକୁ ଶୁଣାଇ କେତେ ଆନନ୍ଦ ଲାଭ କରୁଥିଲେ,–ଘର ଘର ପାଠ ପଢ଼ୁଥିବା ପିଲାଙ୍କର ଭିଡ଼ ଲାଗି ରହିଥିଲା । ଯୁଆଡ଼େ ଦେଖିବ, ଖାଲି ପାଠପଢ଼ାର ହିଁ ଚର୍ଚ୍ଚା । ସତେ ଯେପରି ଚତୁର୍ଦ୍ଦିଗରେ ହିଁ ମାଆ ଦୁର୍ଗାଙ୍କ ପାଖରେ ମନ୍ତ୍ରଉଚ୍ଚାରଣ ହେବାରେ ହିଁ ଲାଗିଛି । ଡାକ୍ତର, ମାଷ୍ଟର, ପଣ୍ଡିତ ଖାଲି ହାଉହାଉ ହେଉଥିଲେ । ଆଉ ବର୍ତ୍ତମାନ ଗୋଟାସୁଦ୍ଧା ଅନ୍ଧାର । ମୋ' ଈଶ୍ଵର ଗାଆଁ ଛାଡ଼ି ଚାଲିଗଲା ଓ ସବୁକିଛି ମଧ୍ୟ ଉଭେଇଗଲା । ଯେଉଁସବୁ ଅନ୍ୟ ଗାଆଁ ସେତେବଳେ ମୋ'ର ସେହି ସୁଖର ଅବସ୍ଥାକୁ ଦେଖିଥିଲେ, ମୋ'ର ଅଳଙ୍କାର ଏବଂ ଏତେ ଏତେ ବସନ ଓ ଭୂଷଣ ଦେଖି ହିଂସାରେ ତମ ତମ ହୋଇ ଉଠୁଥିଲେ, ଯେଉଁମାନଙ୍କ ଆଗରେ ମୁଁ ନିଜର ମୁଣ୍ଡକୁ କେଡ଼େ ସିଧା କରି ଛିଡ଼ା ହୋଇ ପାରୁଥିଲି, ସେମାନେ ଏବେ ମୋ'ର ଏହି ଦୁଃଖଦଶାକୁ ଦେଖି କେତେ କ'ଣ ଛିଗୁଲେଇ କରି କହୁଛନ୍ତି । ଶୁଣିବାକୁ ମିଳୁଛି, ଆଜି ସେମାନଙ୍କର ପିଲାମାନେ କେତେ ଯୋଗ୍ୟ ହେଲେଣି, ଦୁଇଟଙ୍କା ଉପାର୍ଜନ କରି ଜାଣିଲେଣି,–ସେମାନଙ୍କ ଶରୀରରେ କେତେ ଭଳି ଗହଣା ଓ ଅହଙ୍କାର ମଧ୍ୟ ଦେଖିବା ସମ୍ଭବ ହେଲାଣି । ଏବଂ, ମୋ' ହାତଟା ପୂରା ଖାଲି, ମୁଁ ଛିଣ୍ଡା ଲୁଗା ପିନ୍ଧିଛି । ସମସ୍ତେ ପରିହାସ କରି କେତେ କ'ଣ କହୁଛନ୍ତି: କହୁଛନ୍ତି, ତୋ' ପୁଅ ଈଶ୍ଵର ତ ବର୍ତ୍ତମାନ ଆଗ ଅପେକ୍ଷା ଆହୁରି କେଡ଼େ ବଡ଼ ମନୁଷ୍ୟ ହେଲାଣି । ତା' ହାତରେ ତ ଯେତେ ଇଚ୍ଛା କରିବ ସେତେ ଟଙ୍କା । ତେବେ, ତୋ'ର କାହିଁକି ଏପରି ଦଶା ହୋଇଛି ? ସେମାନଙ୍କର କଥା ଶୁଣି ମୋ'ର ହୃଦୟ ଖାଲି ବିଦୀର୍ଣ୍ଣ ହୋଇ ଯାଉଛି ।

 

''ମୋ' ବାପ ଈଶ୍ଵର, ତୋ'ର ମୋ'ଠାରେ ତ ସେତେବେଳେ କେତେ ଭକ୍ତି ରହିଥିଲା । ମୋ'ର ପ୍ରକୃତରେ କପାଳଦୋଷ ଯେ ମୁଁ ତୋତେ ହରାଇ ବସିଲି । ହଁ, ମୋ' କପାଳ ଦୋଷ ବ୍ୟତୀତ ଏକଥା ଆଉ କ'ଣ ହୋଇପାରେ ? ତୁ ଯେଉଁମାନଙ୍କର ଉତ୍ପୀଡ଼ନ ହେତୁ ମୋତେ ଅଭାଗିନୀ କରି ଛାଡ଼ି ଚାଲିଗଲୁ, ସେମାନେ ତ ଏବେ ମଧ୍ୟ ତୋ' ପାଖକୁ ଯାଉଛନ୍ତି ଓ ଆସୁଛନ୍ତି । ପଇସା ଆଣୁଛନ୍ତି, ଲୁଗାପଟା ଆଣୁଛନ୍ତି ଏବଂ ସବୁକିଛି ପାଇ ଖୁବ୍ ଆନନ୍ଦରେ ଅଛନ୍ତି–ତେବେ ତୁ କ'ଣ କେବଳ ଏହି ହତଭାଗିନୀ ତୋ' ମାଆଟାକୁ ହିଁ କନ୍ଦାଇ କରି ଚାଲିଗଲୁ ? ତୁ ନିଜର ଭାଇ ଏବଂ ଭଗିନୀମାନଙ୍କ ପ୍ରତି ଯେ ସ୍ନେହମମତା ରଖିଲୁ, ସେଥିପାଇଁ ମୁଁ ଆଦୌ କୌଣସି ଦୁଃଖ କଦାପି କରିବି ନାହିଁ,–ବରଂ ସେହିମାନଙ୍କୁ ନେଇ ତ ମୁଁ ତଥାପି ବଞ୍ଚିରହିଛି । କାରଣ, ତୁ ସେମାନଙ୍କର ପ୍ରତିପାଳନ ନକରୁଥିଲେ ତ ସେମାନଙ୍କୁ ନେଇ ପୂରା ଅଚଳ ହୋଇ ଯାଆନ୍ତିଣି ! ଈଶ୍ଵର, ତୋତେ ଗର୍ଭରେ ଧାରଣ କରି ମୁଁ ପ୍ରକୃତରେ ଧନ୍ୟ ହିଁ ହୋଇଛି । ସେହି କାରଣରୁ ତ ବେଳେ ବେଳେ କେଡ଼େ ବଡ଼ ବଡ଼ ସାହେବମାନେ ତୋ'ର ଏହି ଅଭାଗିନୀ ମାଆକୁ ଦେଖିବା ପାଇଁ ଏଠାରେ ଆସି ପହଞ୍ଚି ଯାଉଛନ୍ତି । ମୋ'ର ଏହି ଶୋକାକୁଳ ଜୀର୍ଣ୍ଣଶୀର୍ଣ୍ଣ କଳେବରଟାକୁ ଦେଖିବାପାଇଁ ଆସୁଛନ୍ତି । ବାବୁ, ତୁ ମଧ୍ୟ ଥରେ ଆସନ୍ତୁନାହିଁ, ମୁଁ ତୋତେ ଆଉଥିରେ ନିଜ କୋଳ ଉପରେ ବସାଇ ବଡ଼ ସାନ ସମସ୍ତଙ୍କୁ ସେହି ଦୃଶ୍ୟଟିକୁ ଦେଖାଇ ପାରନ୍ତି, କେଡ଼େ ଖୁସୀ ନହୁଅନ୍ତି !

 

''ବାବୁରେ, ଏଠାରେ ଯେଉଁ ସ୍କୁଲଘରେ ଦିନେ ବେଦପାଠ ହେଉଥିଲା, ବଗିଚାରେ ଫୁଲ ଫୁଟି ସ୍କୁଲ ଆଗଟି ଝଲମଲ ଦିଶୁଥିଲା, କେତେ ସାହେବ ହାକିମ ଯାହାକୁ ଦେଖବାପାଇଁ ଆସୁଥିଲେ, ନିଜର ସରିସା କେତେ କେତେ ଲୋକଙ୍କୁ ନେଇ ତୁ ଏକଦା ଯେଉଁ ଥାନଟିକୁ ଆଲୋକିତ କରି ରଖିଥିଲୁ, ଆଜି ସେହି ଜାଗାଟା ମଣିଷଙ୍କର ବିଷ୍ଠା ଏବଂ ଗୋବରଦ୍ଵାରା ଭର୍ତ୍ତି ହୋଇ ରହିଛି । ସେଠାରେ ଯେଉଁ ବାରଣ୍ଡା-ଗୃହରେ ତୁ ମୋ'ର ଦରବାର ଖୋଲିଦେଇ ବସୁଥିଲୁ, ଯେଉଁଠାରେ ଶହ ଶହ ମନୁଷ୍ୟଙ୍କୁ ଆକାତର ଭାବରେ ଅନ୍ନଦାନ କରୁଥିଲୁ, ଯେଉଁଠାରେ ତୋ'ର ପିତା ଜଗଦ୍ଧାତ୍ରୀ ପୂଜାର ମହୋତ୍ସବ ଅନୁଷ୍ଠାନ କରାଉଥିଲେ, ସେହି ଜାଗାରେ ଆଜି ତ ଖାଲି ବବୁଲ ଗଛ ଅରମା କରି ଭର୍ତ୍ତି ହୋଇଛି ।

 

''ବାପା, ମୁଁ ଶୁଣିବାକୁ ପାଉଛି, ବୀରସିଂହ ମାଆଟିର ନାମୋଚ୍ଚାରଣ କରୁ କରୁ ହିଁ ତୋ' ଆଖିଗୁଡ଼ିକ ଲୋତକପୂର୍ଣ୍ଣ ହୋଇ ଉଠୁଛନ୍ତି । ସେକଥା ଶୁଣି ତୋ'ର ଏହି କାଙ୍ଗାଳିନୀ ମାଆର ପ୍ରାଣ କେଡ଼େ ଶୀତଳ ବି ହୋଇ ଯାଉଛି ! ତେବେ ମୋ' ଈଶ୍ଵର ମୋତେ ଏବେ ମଧ୍ୟ ଭୁଲିନାହିଁ ! ବାବୁରେ, ଏତେ ଦିନଯାଏ ତ ମୁଁ ଖାଲି ନୀରବରେ କାନ୍ଦିବାରେ ହିଁ ଲାଗିଥିଲି, କିଛିହେଲେ କାହାକୁ କହି ନଥିଲି । ତଥାପି ମାଆର ପ୍ରାଣ ତ ! ମୁଁ ଶୁଣିଛି, ପେଟ ବେରାମରେ ତୁ ଖୁବ୍ କଷ୍ଟ ପାଉଛୁ, ଖାଇବା ବିନା ଖୁବ୍ ଝଡ଼ିଗଲୁଣି, ମୁହଁଟି ମଧ୍ୟ ଗୋଟାସୁଦ୍ଧା ଶୁଖିଗଲାଣି । ସବୁଯାକ ମାୟା ଛାଡ଼ିଦେଇ ଥରେ ମୋ'ର କୋଳକୁ ତୁ ଚାଲି ଆ' ବାପ ! ସେଠାରେ ଯେତେ ବେଶୀ ଆଦର ହେଉଥାଉ ପଛକେ, ମାଆଠାରୁ ବଳି ଆଉ କେଉଁଠି କିଏ ଅଛି ଯିଏ ତୋ'ର ଯତ୍ନ ନେଇପାରିବ ? ଥରେ ଚାଲି ଆ' ବାବୁ, ଏଠି ମୋ' ପାଖରେ ଦଶଟା ଦିନ ଆସି ରହିଲେ ତୋ'ର ବେରାମ ବହୁତ ପରିମାଣରେ ଅବଶ୍ୟ ଦୂର ହୋଇଯିବ । ନିଜର ମାଆ ତା' ପିଲାର ଧାତୁ ଓ ନାଡ଼ୀକୁ ଯେଉଁ ପ୍ରକାରେ ଜାଣିବ, କଲିକତାରେ ଆଉ କେଉଁ ମାଉସୀ ବା ପିଉସୀ ତାହା କରିପାରିବ ?

 

''ବାପ, ଈଶ୍ଵର, ତୁ ଯେ ଏଠାକୁ ଆସିଲେ ଏ ପୋଖରୀ ସେ ପୋଖରୀ ହୋଇ ସବୁଆଡ଼େ ବୁଲି ଦେଖିବାରେ ଲାଗିଥାଉ, ଏ ଗଛତଳେ ଘଡ଼ିଏ ବସି ପୁଣି ସେ ଗଛତଳେ ଯାଇ ବସିବୁ ବୋଲି ଦଉଡ଼ିଯାଉ, ଏବେ ମଧ୍ୟ ରହିଛି । ବାବୁ ମୋ'ର ରାମଚନ୍ଦ୍ର, ତୋ'ର ସେହି ଅଯୋଧ୍ୟାପୁରୀ ତୋ' ବ୍ୟତୀତ ଅନ୍ଧାର ହୋଇ ପଡ଼ିଛି;–ଆଉ କାହିଁକି ତୁ ବସବାସ କରୁଥିବା ପରି ତେଣେ ସେହିଆଡ଼େ ରହିଛୁ–ଚଉଦ ବରଷ ପୂରିତ ଦେଖୁଁ ଦେଖୁଁ ଆସି ୧୮/୧୯ ବର୍ଷ ହେବାକୁ ବସିଲା । ବର୍ତ୍ତମାନ ତୁ ଫେରିଆରେ ବାପ, ପୁଣିଥରେ ତୋ' ଅକ୍ଷମ ଓ ଅକୃତଜ୍ଞ ଭାଇମାନଙ୍କୁ ନିଜ ସାଙ୍ଗରେ ନେଇ ଏକାଠି ବ'ସ,–ଦେଖିଲେ ମୋ'ର ଚକ୍ଷୁ ସତକୁସତ ସାର୍ଥକ ହିଁ ହୋଇଯିବ ! ବାପରେ, ଦଶରଥଙ୍କର ତ ଭାଗ୍ୟଟା ପ୍ରକୃତରେ ଭଲ ଯେ ସିଏ ପୁତ୍ର ବନକୁ ଚାଲିଯିବାରୁ ପ୍ରାଣତ୍ୟାଗ ମଧ୍ୟ କରିଥିଲେ,–ମାତ୍ର ପାଷାଣୀ କୌଶଲ୍ୟା କ'ଣ ମରି ପାରିଲା, ଏପରିକି ପରିଶୋକକୁ ପାସୋରି ନିଜ ପୁଅର ମୁହଁ ପୁନର୍ବାର ଦେଖିବାଲାଗି ବଞ୍ଚି ରହିଥିଲା । ବାପା ତୁ କହିଲୁ, ମୁଁ ତେବେ କେଉଁ ପାପ କେବେ କରିଥିଲି ଯେ, ତୋ' ମୁଖଟିକୁ ମୋଟେ ଦେଖି ପାରିଲିନାହିଁ !

 

''ମୋ'ର ଜଣେ ନାରୀର ମନ ତ, ତେଣୁ ମୋଟେ ଚୁପ୍ କରି ରହିପାରିଲିନାହିଁ । ସତରେ କହିଲୁ ବାପ, ତୋ'ର ସେହି କଲିକତା ମାଉସୀକୁ କୁଆଡ଼େ ତୁ ଗୋଟାଏ ଭାରି କେଡ଼େ ବଢ଼ିଆ ଅଳଙ୍କାରଟାଏ ଗଢ଼ି ଦେଇଛୁ । ତା'ର ନାଆଁ କଲେଜ ବୋଲି ଏଠି ସମସ୍ତେ କହୁଛନ୍ତି । ଭାରି ଭଲ କାମ କରିଛୁ ବାପ । ଯାହାକିଛି କଲେ ତୁ ଖୁସୀରେ ରହିବୁ, ମୋ'ର ମଧ୍ୟ ସେଥିରେ ସୁଖୀ । ଏବଂ, ଯିଏ ତ ଯେପରି ତପସ୍ୟା କରିଥିବ, ତାହାର ଫଳ ନିଶ୍ଚୟ ବି ପାଇବ । ମୁଁ କେବଳ ତେଣୁ କହୁଛି, ତୋ'ର ଏହି କାଙ୍ଗାଳିନୀ ମାଆଟାକୁ ମଧ୍ୟ କ'ଣ ଦି'ପଟ ଶଙ୍ଖା କିଣିଦେଇ ନଥାନ୍ତୁ ! ବାବୁରେ, ତୁ ତ କେଡ଼େ ବଡ଼ ପଣ୍ଡିତ, ତୋ'ଠାରୁ ପାରାମର୍ଶ ନେବା ସକାଶେ ତ ଲୋକମାନେ ତୋ ପାଖକୁ ଦେଶବିଦେଶରୁ ବି ଆସୁଛନ୍ତି । ତୁ ତ ଜାଣିଛୁ ବାପ, ସେଇ ଗୋଟିଏ ମାଆର ଗର୍ଭରୁ କେତେ ଭଳି ପ୍ରକୃତିର ସନ୍ତାନମାନେ ଜନ୍ମଗ୍ରହଣ କରନ୍ତି; କେହି ଦେବତା ପରି ହୁଏ କେହି କେହି ନିତାନ୍ତ ଅଧମ ଗୋଟାଏ ପଶୁଭଳି ମଧ୍ୟ ହୋଇଥାଏ । ପୁଣି, ଭାଇ ଭାଇ ବିବାଦ ଚିରକାଳ ଲାଗି ହିଁ ରହିଥାଏ । ତେବେ କହିଲୁ ବାପ, କୋଉ ପୁଅ କେଉଁ କାଳରେ ଭାଇମାନଙ୍କ ଉପରେ ରାଗ କରି ମାଆଟାକୁ ଏପରି ଭାବରେ ଛାଡ଼ି ଚାଲିଯାଏ ? ତୋ' ସମାନ ପଣ୍ଡିତ ତ ସାରା ବଙ୍ଗଳା ଦେଶରେ କେହିହେଲେ ନଥିବେ । ଜନନୀ ଏବଂ ଜନ୍ମଭୂମି ସ୍ଵର୍ଗଠାରୁ ମଧ୍ୟ ଅଧିକ ବଡ଼ ବୋଲି ତୁମେମାନେ ହିଁ ସର୍ବଦା କହିଥାଅ !

 

''ବାପ ଈଶ୍ଵର, କହୁ କହୁ ମୁଁ ପାଗଳୀଙ୍କ ପରି କେତେ କ'ଣ କହି ପକାଇଲିଣି । ତୁ ଜମାରୁ ରାଗ କରିବୁ ନାହିଁ । ତୋ' କଥା ଭାବି ଭାବି ମୋ'ର ଆଉ ସାମାନ୍ୟ ସାଧାରଣ ଉଚିତ-ଅନୁଚିତ ଭାବନା ମଧ୍ୟ ଏତେ ଟିକିଏ ହେଲେ ନାହିଁ । ମୋ' ଭାଗ୍ୟରେ ଯାହା ରହିଥାଉ ପଛକେ, ତୁ ତୋ' ଭାଇ ଏବଂ ଭଗିନୀମାନଙ୍କର ମଧ୍ୟ ପରିପାଳନ ଯେ କରୁଛୁ, ସିଏ ମୋ'ର ପ୍ରକୃତରେ ଏକ ପରମ ଭାଗ୍ୟ । ବର୍ତ୍ତମାନ ବାପରେ, ଥରେ ଏଠାକୁ ଆସିବୁ ଏବଂ ମୁଁ ତୋତେ ଦେଖିବାକୁ ପାଇବି । ଏହି ବର୍ତ୍ତମାନ ହିଁ ସମୟଟିଏ ଦେଖି ଆସିବୁ । ପରେ ଆସିଲେ ହୁଏତ ମୁଁ ତୋତେ ଦେଖିବାକୁ ହିଁ ପାଇବି ନାହିଁ । ତୋ' ପାଇଁ କାନ୍ଦି କାନ୍ଦି ବର୍ତ୍ତମାନ ମଧ୍ୟ ମୁଁ ଭଲ କରି ଦେଖି ପାରୁନାହିଁ । ଯେଉଁ ସ୍ତ୍ରୀ ତୋ'ପରି ଜଣେ ଦିଗ୍‍ବିଜୟୀ ପୁତ୍ରକୁ ନିଜର ଗର୍ଭରେ ଧାରଣ କରିଛି, ସେହି ଅଭାଗିନୀଟିକୁ ହିଁ ବର୍ତ୍ତମାନ ପୁଅ ନିମନ୍ତେ କାନ୍ଦିବାକୁ ହେଉଛି । ସୁନୀତି ମାଆ ତା' ପୁଅ ଧ୍ରୂବପାଇଁ କାନ୍ଦିଥିଲା, କୌଶଲ୍ୟା ରାମଙ୍କ ପାଇଁ ବି । ଏବଂ, ମୋତେ ବର୍ତ୍ତମାନ ତୋ' ପାଇଁ କାନ୍ଦିବାକୁ ହେଉଛି । ସେମାନଙ୍କର ପୁଅମାନେ ନିଜ ମାଆକୁ ଚିରଦିନ ପାଇଁ ବିସର୍ଜନ କରି ଆଦୌ କନ୍ଦାଇ ନାହାନ୍ତି । ସେହି ମାଆମାନଙ୍କର ତନୟମାନେ ତ ନିଜ ବାପାମାଆମାନଙ୍କର କଥାକୁ ମୋଟେ ଅଗ୍ରାହ୍ୟ କରିନାହାନ୍ତି । ତେଣୁ ପୁଅରେ, ମୋ'ର ଏହି ଗୋଟିଏ କଥା ନିଶ୍ଚୟ ରଖିବୁ, ଥରେ ଏଠାକୁ ଆସିବୁ, ମୋତେ ଦେଖିବୁ । ମୁଁ ତୋତେ ମୋଟେ କୌଣସି ଅଳଙ୍କାର ମାଗି କଦାପି ହଇରାଣ କରିବିନାହିଁ । କେବଳ ତୋତେ କୋଳକୁ ନେଇ ମୋ'ର ଏହି ପ୍ରାଣଟିକୁ ଶୀତଳ କରିବି ।

 

''ହେ ଜଗତର ଈଶ୍ଵର, ମୋ' କପାଳରେ ତୁମେ ଯାହା ମନ ତାହା ଦିଅ ପଛକେ, ମୋ' ପ୍ରାଣସମ ଈଶ୍ଵରକୁ ଚିରଞ୍ଜୀବୀ କରି ରଖ । କଲ୍ୟାଣମିତି । – ଶୁଭାକାଙ୍‌କ୍ଷୀନୀ ତୋ'ର ବୀରସିଂହ ଜନନୀ ।''

 

ଏହି ପତ୍ରଟିକୁ କୌଣସି ଅଭାଗିନୀ ମୋଟେ ଲେଖି ନଥିବେ । ବୀରସିଂହ ଗ୍ରାମରେ ତ ସଂସ୍କୃତବିତ୍ କୁଶଳୀମାନଙ୍କର ସେତେବେଳେ ଆଦୌ କୌଣସି ଅଭାବ ନଥିବ । ଏପରିକି, ବିଦ୍ୟାସାଗରଙ୍କର ନିଜ ପରିବାରରେ ମଧ୍ୟ ସଂସ୍କୃତପ୍ରବୀଣ ବ୍ୟକ୍ତିଙ୍କର କୌଣସି ଅଭାବ ନଥିବ । ତାଙ୍କର ସେହି ପରିବାରଟି ଭିତରୁ କେହି ଏପରି ବ୍ୟାକୁଳତାଭର୍ତ୍ତି ଛଦ୍ମପତ୍ରଟିକୁ ଲେଖିବାକୁ କ'ଣ ସବୁ କାରଣରୁ ମନ କରିଥିଲେ କି ? ପତ୍ରଟିରେ ଯେ କେବଳ ବିଶେଷ ଶବ୍ଦଚାତୁରୀମାନେ ରହିଛି ତା' ନୁହେଁ, ଭୁରି ଭୁରି ଭାବଚାତୁରୀ ମଧ୍ୟ ରହିଛି । ବ୍ୟାକୁଳତା ବ୍ୟକ୍ତ କରାଯାଇଛି, ଶ୍ଳେଷଗୁଡ଼ିକୁ ବି ପ୍ରକାଶ କରାଯାଇଛି । ଅର୍ଥାତ୍ ବିଦ୍ୟାସାଗରଙ୍କର ଗୃହ ତଥା ଗ୍ରାମକୁ ବର୍ଜନ କରିବାର ପଦକ୍ଷେପଟିକୁ ଆଦୌ ସମୁଚିତ ବୋଲି ସ୍ଵୀକାର କରାଯାଇନାହିଁ । ଏଭଳି ଏକ କଠୋର ନିଷ୍ପତ୍ତିଟିଏ ଗ୍ରହଣ କରିବା ସମୟରେ ବିଦ୍ୟାସାଗର ବାପା ଓ ମାଆଙ୍କୁ ଏବଂ ନିଜର ପତ୍ନୀଙ୍କୁ ପତ୍ରଦ୍ଵାରା ଜଣାଇ ଦେଇଥିଲେ । ପ୍ରତ୍ୟେକ ପତ୍ରରେ ନିତାନ୍ତ ଔପଚାରିକ ଭାବରେ ପ୍ରାୟ ସେହି ଗୋଟିଏ କଥା । ନିଷ୍ପତ୍ତିଟିକୁ ସିଏ ପୂର୍ବରୁ ହିଁ କରି ସାରିଥିଲେ । ଶ୍ରୀ ଈଶ୍ଵରଚନ୍ଦ୍ର ନିଜର ଜୀବନରେ କୌଣସି ନିଷ୍ପତ୍ତି ଗ୍ରହଣ କରିବା ଆଗରୁ କାହାରି ପରାମର୍ଶ ଲୋଡ଼ିଥିବାର ପ୍ରକୃତରେ କୌଣସି ନଜିର ହୁଏତ ମିଳିବନାହିଁ । ନିଜକୁ ନେଇ ଯିଏ ସର୍ବଦା ଏତେ ଅଧିକ ପରିମାଣରେ ଦୃଢ଼ନିଶ୍ଚିତ ହୋଇ ରହିଥାଏ, ସିଏ ନିଜ ଭିତରେ ସମ୍ଭବତଃ ଭାରି ଦୁଃଖ ବି ପାଏ । ବାହାରେ ଦୃଢ଼ 'ମୁଁ' ଟାକୁ ସତକୁସତ ଦୃଢ଼ ବୋଲି ପ୍ରତିପାଦିତ କରିବାକୁ ଯାଇ ନିଜଭିତରେ ନିତାନ୍ତ କୋମଳ ଆଉ କ'ଣଟିକୁ ହୁଏତ ଭାରି ଦୁଃଖୀ କରି ରଖିଥାଏ ।

 

....ତଥାପି ନିଜ ପିତୃଦେବଙ୍କ ନିକଟକୁ ଲେଖା ହୋଇଥିବା ଚିଠିଟିରେ କିଞ୍ଚିତ୍ ୟାଡୁସାଡୁ ମଧ୍ୟ ଲେଖିହୋଇ ଯାଇଛି ଏବଂ ସେଥିରୁ ବହୁତ ବହୁତ ଅସ୍ପଷ୍ଟ ଆଡ଼କୁ କିଞ୍ଚିତ୍ ଫର୍ଚ୍ଚା ହୋଇ ଦେଖିହୋଇ ଯାଉଥିବା ପରି ବୋଧ ହେଉଛି । ଆମ ଭିତରୁ ଯିଏ ଯେତେ ଆପଣାର ଜଣେ ଏକାନ୍ତ ନିକଟସ୍ଥ ପୁରୋଗାମୀ ମହାନ୍ ବ୍ୟକ୍ତି ବୋଲି ଗ୍ରହଣ କରୁଥିବ, ହୁଏତ ସିଏ ଚିଠିର ଏହିସବୁ ବାକ୍ୟଗୁଡ଼ିକୁ ପାଠ କରିଥିବା ସମୟରେ ଦଣ୍ଡେ ଅଟକିଯିବା ପରି ସେତେ ଅଧିକ ପ୍ରଲୋଭିତ ହେବ-। ''ପୂଜ୍ୟପାଦ ଶ୍ରୀମତ୍ ପିତୃଦେବ ଶ୍ରୀଚରଣାରବିନ୍ଦେଷୁ,–ପ୍ରଣତିପୂର୍ବକଂ ନିବେଦନମ୍–ନାନାପ୍ରକାର କାରଣରୁ ମୋ'ର ମନ ଭିତରେ ସମ୍ପୂର୍ଣ୍ଣ ବୈରାଗ୍ୟ ଜନ୍ମିଛି ଏବଂ ମୋ'ର ବର୍ତ୍ତମାନ କ୍ଷଣକାଳ ନିମନ୍ତେ ମଧ୍ୟ ସଂସାରର କୌଣସି ବିଷୟରେ ଲିପ୍ତ ରହିବାକୁ ଅଥବା କାହା ସହିତ କୌଣସି ସଂସ୍ରବ ରଖିବାକୁ ଇଚ୍ଛା ହେଉନାହିଁ । ବିଶେଷ କରି ସଂପ୍ରତି ମୋ' ମନର ଓ ଶରୀରର ଯେଉଁଭଳି ଏକ ଅବସ୍ଥା ଆସି ଉପସ୍ଥିତ ହୋଇଛି, ସେହି ଦୃଷ୍ଟିରୁ ସାଂସାରିକ କୌଣସି ବିଷୟରେ ସଂଶ୍ଳିଷ୍ଟ ହୋଇ ରହିଲେ ମୁଁ ପ୍ରକୃତରେ ଅଧିକ ଦିନ ବଞ୍ଚିପାରିବି ବୋଲି ଆଦୌ ଅନୁମାନ ହେଉନାହିଁ-। ମୁଁ ସେଥିପାଇଁ ସ୍ଥିର କରିଛି, ଯେତେଦୂର ପାରିବି, ସମ୍ପୂର୍ଣ୍ଣ ନିଶ୍ଚିନ୍ତ ହୋଇ ନିଜ ଜୀବନର ଅବଶିଷ୍ଟ ଦିନଗୁଡ଼ିକୁ ନିଭୃତ ଭାବରେ ଅତିବାହିତ କରିବି । ...ସାଂସାରିକ ବିଷୟରେ ମୋ'ପରି ଜଣେ ହତଭାଗ୍ୟ ଆଦୌ ଦେଖିବାକୁ ମିଳିବନାହିଁ । ସମସ୍ତଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ମୁଁ ପ୍ରାଣପଣେ ଯତ୍ନ କରିଛି, ମାତ୍ର ଶେଷରେ ବର୍ତ୍ତମାନ ବୁଝି ପାରିଛି ଯେ, ସେହି ବିଷୟରେ ମୁଁ ଆଦୌ କୌଣସି ପ୍ରକାରେ କୃତକାର୍ଯ୍ୟ ହୋଇ ପାରିନାହିଁ । 'ଯେଉଁ ବ୍ୟକ୍ତି ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ, ସିଏ ପ୍ରକୃତରେ କାହାକୁ ଜଣକୁ ମଧ୍ୟ ସନ୍ତୁଷ୍ଟ କରି ପାରେନାହିଁ,'–ଏହି ପୁରାତନ କଥାଟି କୌଣସି ଅର୍ଥରେ ମଧ୍ୟ ମିଥ୍ୟା ନୁହେଁ । ସଂସାରର ମନୁଷ୍ୟମାନେ ଯେଉଁମାନଙ୍କଠାରୁ ଦୟା ଏବଂ ସ୍ନେହର ଆକାଂକ୍ଷା ରଖିଥାନ୍ତି, ସେଥିରୁ ଜଣେ ବ୍ୟକ୍ତିର ଅନ୍ତର ଭିତରେ ଯେ ମୋ' ପ୍ରତି ଦୟା ଓ ସ୍ନେହଭାବ ଲେଶମାତ୍ର ମଧ୍ୟ ନାହିଁ, ସେହି ବିଷୟରେ ମୋ' ମନରେ ବର୍ତ୍ତମାନ ଆଦୌ କୌଣସି ସନ୍ଦେହ ନାହିଁ-। ଏବଂ, ଏପରି ଏକ ସ୍ଥିତିରେ ସଂସାର ସଂପର୍କରେ ବିଷୟଚୟରେ ଲିପ୍ତ ହୋଇ ରହି କ୍ଳେଶ ଭୋଗ କରିବାକୁ କେବଳ ଏକ ମୂର୍ଖରୁ କାର୍ଯ୍ୟ ବୋଲି କହିବାକୁ ହେବ । ଯେଉଁସବୁ କାରଣ ହେତୁ ମୋ'ର ମନ ଭିତରେ ବର୍ତ୍ତମାନ ଏଭଳି ଭାବଟିଏ ଜାତ ହୋଇଛି, ଆଉ ତାହାର କୌଣସି ଉଲ୍ଲେଖ କରିବାର ପ୍ରୟୋଜନ ହିଁ ନାହିଁ ।'' ଏବଂ ଏହାପରେ, ଜ୍ଞାତ ବା ଅଜ୍ଞାତରେ ବାପାଙ୍କ ପାଖରେ ନାନା ଅବସରରେ ସେ କରିଥିବା ଅପରାଧଗୁଡ଼ିକ ଲାଗି ପ୍ରାୟ ସେହି ଔପଚାରିକ ଭାବରେ କ୍ଷମାପ୍ରାର୍ଥନା ଏବଂ, ପିଲାଙ୍କ ନିକଟକୁ ପୁଅ ମାସିକ ଯେଉଁ ଆର୍ଥିକ ସାହାଯ୍ୟ ପଠାଉଥିଲେ ତାହା ତାଙ୍କର ବଞ୍ଚିଥିବା ଯାଏ ଅବଶ୍ୟ ଅବ୍ୟାହତ ରହିବ ବୋଲି ଏକ ପ୍ରତିଶ୍ରୁତି ମଧ୍ୟ-

 

ହଁ, ନେଇଥିବା ସେହି ଶପଥଟି ଅନୁସାରେ ଈଶ୍ଵରଚନ୍ଦ୍ର ବୀରସିଂହରୁ ନିଜର ରଜ୍ଜୁଗୁଡ଼ିକୁ କାଟି ପକାଇ ନିଜକୁ ପ୍ରତ୍ୟାହୃତ କରି ପାରିଲେ, ମାତ୍ର ମୃତ୍ୟୁ ପର୍ଯ୍ୟନ୍ତ ସୁନିଶ୍ଚିତ ଭାବରେ ଗୋଟିଏ ଦିନ ସକାଶେ ମଧ୍ୟ ବୀରସିଂହକୁ ନିଜର ମନଃପଟରୁ ପୋଛି ଦେଇ ନଥିବେ । ସିଏ ବୀରସିଂହକୁ ପରିତ୍ୟାଗ କରି ପାରୁନଥିଲେ ଅଥବା ବୀରସିଂହ ତାଙ୍କୁ ପରିତ୍ୟାଗ କରି ପାରୁନଥିଲା, ସେକଥା କିଏ କିପରି ଅଲଗା ଅଲଗା କରି କହିଦେଇ ପାରିବ ? ସଚରାଚର ଯାବତୀୟ ମାୟା ଏପଟୁ ଲାଗେନାହିଁ କିମ୍ବା ସେପଟୁ ମଧ୍ୟ ଲାଗେନାହିଁ । ମାୟା ଲାଗି ହିଁ ଯାଏ । ମନୁଷ୍ୟ ଦୈବବଶତଃ ଏକ ସଚେତନ ପ୍ରାଣୀ ହୋଇଥିବାରୁ ହିଁ ସିଏ ନିଜେ ମାୟା ଲଗାଇ ଦେଉଛି ବୋଲି ଅନେକ ସମୟରେ ଅନ୍ଦାଜ କରିପକାଏ,–ନିଜର ସେହିପରି କୌଣସି ସଚେତନ ବୁଦ୍ଧିମତ୍ତା ବଳରେ ସେଇଟି ପଛରେ ଥିବା ବିଶେଷ କାରଣଗୁଡ଼ିକୁ ମଧ୍ୟ ଆବିଷ୍କାର କରେ । ସେହି ତଥାକଥିତ କାରଣଗୁଡ଼ିକ ଅନୁସାରେ ନିକଟ ଓ ଦୂରର, ଏପରିକି ଆପଣା ଓ ପରର ମଧ୍ୟ କଳନା କରୁଥାଏ । କଳନା କରି ଖୁସୀ ବି ହୁଏ-। ତା'ପରେ ସେହି ବୁଦ୍ଧିଟାର ହିସାବ ଅନୁସାରେ କ'ଣ ସବୁ କେଉଁଠି ବିଗିଡ଼ିଯାଏ ଅଥବା ମନଟାକୁ ବିଗାଡ଼ିଦିଏ, ଯେଉଁଥିଲାଗି ମାୟାଟା ତୁଟି ମଧ୍ୟ ଯାଏ,–ପ୍ରାୟ ଶପଥ କରିଥିବା ପରି ପାସୋରି ପକାଇବାର ଭଳି ଭଳି ମିହନ୍ତ ଲାଗି ରହିଥାଏ । କିନ୍ତୁ ଭିତରଟାରୁ ତଥାପି ପୋଛିଦେଇ ହୁଏନାହିଁ-। ବୈରାଗ୍ୟର କୌଣସି ଗମ୍ଭୀର ଦର୍ଶନ ମଧ୍ୟ ହଟିଯାଏ । ତେଣୁ, ଭିତରେ ବଡ଼ କଷ୍ଟ ପାଉଥାଏ,–ଭିତରେ କିଏ ଭାରି ଖୋଜି ବି ହେଉଥାଏ ।

 

ଅର୍ଥାତ୍, ଶ୍ରୀ ବିଦ୍ୟାସାଗର ବୀରସିଂହର ମାୟାକୁ ପରିତ୍ୟାଗ କରି ପାରିନଥିଲେ । ଭିତରେ ଖୋଜି ହେଉଥିଲେ । ସେହିପରି ଦିନେ ଘରକୁ ଫେରି ସିଏ ଗୋଟିଏ ପୁସ୍ତିକା ତାଙ୍କ ନାମରେ ଆସି ପହଞ୍ଚିଥିବାର ଦେଖିବାକୁ ପାଇଲେ, ବୀରସିଂହ ଜନନୀ ତାଙ୍କ ପାଖକୁ ପଠାଇଥିଲେ-। ଅତ୍ୟନ୍ତ କାତର ହୋଇ କେତେ ଗଭୀର ବ୍ୟାକୁଳତା ସହିତ ଲିଖିତ ସେହି ପତ୍ରଟି ! ପଢ଼ୁ ପଢ଼ୁ ତାଙ୍କର ଆଖିରୁ ଧାର ଧାର ଲୁହ ଅଜାଡ଼ି ହୋଇ ପଡ଼ୁଥାଏ । ତଥାପି ନିଜର ଶପଥଟିକୁ ସ୍ମରଣ କରି ସେ ଆପଣାକୁ ଯଥାସମ୍ଭବ ଟାଣ କରି ରଖିବାକୁ ନିଶ୍ଚୟ ଚେଷ୍ଟା କରିଥିବେ । ଏକ ନିଶ୍ଚିତ ଆଭାସ ରହିଛି ଯେ, ମୃତ୍ୟୁର ଖୁବ୍ ଅଳ୍ପଦିନ ପୂର୍ବରୁ ବିଦ୍ୟାସାଗର ବୀରସିଂହ ଯିବା ନିମନ୍ତେ ଅତିଶୟ ଆଗ୍ରହୀ ହୋଇ ଉଠିଥିଲେ । ଏବଂ, ସେହି ମର୍ମରେ ଗ୍ରାମରେ ଥିବା ନିଜ ସାନଭାଇଙ୍କ ପାଖକୁ ଚିଠିଟିଏ ମଧ୍ୟ ଲେଖିଲେ । ଆଉ ସାତ ଆଠଦିନ ପରେ ସିଏ ବୀରସିଂହ ଯିବାପାଇଁ ଠିକ୍ କରିଛନ୍ତି ବୋଲି ଜଣାଇ ଦେଇଥିଲେ । କିନ୍ତୁ ଆଉ ଯିବା ସମ୍ଭବ ହୋଇ ପାରିନାହିଁ ।

 

ସେଇ ମଣିଷ ଶପଥ କରେ, ପୁଣି ସେଇ ମଣିଷ ଶପଥକୁ ଭାଙ୍ଗେ । ମଣିଷ ଭିତରେ ପ୍ରାଜ୍ଞମାନଙ୍କର ମତ ଅନୁସାରେ କୁଆଡ଼େ ଦୁଇଟା ଉପାଦାନ,–ଗୋଟିଏ ତା'ର ବୁଦ୍ଧି ଓ ଆଉଗୋଟିଏ ତା'ର ହୃଦୟ । କମ୍ ଲୋକେ ସାଧାରଣତଃ ହୃଦୟଦ୍ଵାରା ପରିଚାଳିତ ହୁଅନ୍ତି ଏବଂ ବୁଦ୍ଧିମାନ୍ ମାନେ ହୃଦୟଟାକୁ ଖୁବ୍ କାଇଦା କରି ସାବଧାନ ହୋଇ ରହିଥାଆନ୍ତି ବୋଲି ଗୋଟାଏ ଭାରି ପରିଚିତ ମତ ମଧ୍ୟ ସର୍ବଦା ରହି ଆସିଛି । ବିଦ୍ୟାସାଗର ...କ'ଣ ତାଙ୍କ ମନ ହୃଦୟଠାରୁ ଅଧିକ ପାରିବାର ଥିଲା ? ପଣ୍ଡିତ ବ୍ୟକ୍ତିମାନେ ପ୍ରାୟ ସେହିପରି ବୋଲି ଆମେ ...ସାଧାରଣମାନେ ଖୁବ୍ ଅନୁମାନ କରୁ ଏବଂ ତେଣୁ ସେଥିରୁ କିଞ୍ଚିତ୍ ମାତ୍ରାରେ ହୃଷ୍ଟ ମଧ୍ୟ ହେଉ । ବୁଦ୍ଧି କମ୍ ବୋଲି ଆମର ହୃଦୟପକ୍ଷଟା ଅଧିକ ଅଛି ବୋଲି ଭାବିନେଇ ଆମେ ତଦ୍ଦ୍ଵାରା କିଞ୍ଚିତ୍ ଫୁଲାଇ ହେବାକୁ ବେଳେ ବେଳେ ମନ କରୁ କି ? ତେଣୁ, ସମ୍ଭବତଃ ଅଧିକ ହକିକତଟା ହେଉଛି ଯେ, ଶପଥ କଲାବେଳେ ଓ ଶପଥ ଭାଙ୍ଗିବାବେଳେ ଆମ ପ୍ରତ୍ୟେକଙ୍କ ଭିତରେ ବୁଦ୍ଧି ତଥା ହୃଦୟ ଉଭୟେ ବିଦ୍ୟମାନ ଥାଆନ୍ତି । ଉଭୟେ ନିଷ୍ପତ୍ତି ନିଅନ୍ତି, ଉଭୟେ ହିଁ ନିଷ୍ପତ୍ତି ଭାଙ୍ଗନ୍ତି ।

 

ବର୍ତ୍ତମାନର ସାନ୍ତାଳପ୍ରଗଣା ଜିଲ୍ଲାର କର୍ମାତାଡ଼ ନାମରେ ମୁଖ୍ୟତଃ ସାନ୍ତାଳବସତିଟିଏ । ସେହି ଗାଆଁବାଟେ ମୁଖ୍ୟ ରେଲଲାଇନ୍ ଟିଏ ଯାଇଛି । ସେହି ନାମରେ ଷ୍ଟେସନ୍‍ଟି ମଧ୍ୟ କର୍ମାତାଡ଼ ରୂପେ ପରିଚିତ ରହି ଆସୁଥିଲା । ଏବଂ, ସେଇଟିର ନୂତନ ନାମକରଣ ହେଉଛି 'ବିଦ୍ୟାସାଗର' । ଆହୁରି ଅନେକ ଅବସ୍ଥାପନ୍ନ ବଙ୍ଗାଳିଙ୍କ ପରି, ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ସେଠାରେ ଘରଟିଏ ଥିଲା । କିମ୍ବଦନ୍ତୀ ରହି ଆସିଛି ଯେ, ଏକଦା କରମା ନାମକ ଜଣେ ସାନ୍ତାଳ ସେଠାରେ ବାସ କରୁଥିଲା, ସମ୍ପୂର୍ଣ୍ଣ ନାମ କରମା ମାଝି । ତାହାର ଟାଡ୍ ଅର୍ଥାତ୍ ବେଶ୍ ଉଚ୍ଚ ହୋଇ ଖଣ୍ଡେ ଜମି ଥିଲା । ବର୍ଷାଦିନ ନଦୀବଢ଼ି ସମୟରେ ମଧ୍ୟ କେବେହେଲେ ବୁଡ଼ି ଯାଉନଥିଲା । ୧୮୭୮ ମସିହା ସମୟରେ ସେଠାରେ ଶ୍ରୀ ବିଦ୍ୟାସାଗରଙ୍କର ପକ୍କା ବଙ୍ଗଳାଟିଏ ମଧ୍ୟ ରହିଥିଲା । ସେଥିରେ ଦୁଇଟା ବଡ଼ ବଡ଼ କକ୍ଷ, ଚାରି ବଖରା ଘର ଏବଂ ଦୁଇଟା ବାରଣ୍ଡା । ଗୃହଟିର ଚାରି ପାର୍ଶ୍ଵରେ ପ୍ରାୟ ଚାରି ପାଞ୍ଚ ବିଘା ଜମି–ସେଥିରେ ପ୍ରଶସ୍ତ ବଗିଚାଟିଏ । ବିଦ୍ୟାସାଗର ନାନା ଜାଗାରୁ କଲମୀ ତାଡ଼ ଆଣି କେତୋଟି ଆମ୍ବଗଛ ଲଗାଇଥିଲେ । ଲତା ପରି ମାଡ଼ୁଥିବା କେତୋଟି ଆମ୍ବଜାତି ମଧ୍ୟ ରହିଛି । ନିଜେ ସେଗୁଡ଼ିକର ଯତ୍ନ ନିଅନ୍ତି,–ବଗିଚାରେ ଆହୁରି କେତେ ପ୍ରକାରର ଗଛ, କେତୋଟି ପୁରୁଣା ଅଶ୍ଵତ୍‍ଥ ଗଛ ସମେତ । ସ୍ଥାନଟିର ଜଳବାୟୁ ଖୁବ୍ ଭଲ, ଅର୍ଥାତ୍ ସ୍ଵାସ୍ଥ୍ୟକର, ସ୍ୱାସ୍ଥ୍ୟପ୍ରଦ । ପାହାଡ଼ିଆ ପଥୁରିଆ ଭୂମି, ସବୁଜିମାରେ ପରିପୂର୍ଣ୍ଣ । ଶ୍ରୀଯୁକ୍ତ ଈଶ୍ଵରଚନ୍ଦ୍ର ଛୁଟି ପାଇଲେ ହିଁ କଲିକତାରୁ ଏଠାକୁ ଚାଲି ଆସୁଥିଲେ । ପ୍ରତିବେଶୀ ସାନ୍ତାଳମାନେ ହିଁ ସେଠି ତାଙ୍କର ସର୍ବୋତ୍ତମ ପ୍ରତିବେଶୀ । ଆଧୁନିକ କଲିକତାର ପାଠୁଆମାନଙ୍କ ପରି କୃତ୍ରିମ ନୁହନ୍ତି । ଅଳପ ମଧ୍ୟରେ ଥାଆନ୍ତି, ତେଣୁ ସଚ୍ଚୋଟ ଥାଆନ୍ତି । ବଙ୍କା କଥା କହି ପାରନ୍ତିନାହିଁ । ବାବୁମାନେ ବିଭିନ୍ନ ଅବସରରେ ବଙ୍କା ହେବାର ଦେଖିଲେ ବରଂ ସେମାନଙ୍କୁ ଧରା ପକାଇ ଦିଅନ୍ତି ।

 

ଜୀବନର ଶେଷ ଚରଣରେ ଯହୁଁ ଶାରୀରିକ ଅସୁସ୍ଥତା ଅଧିକ କଷ୍ଟ ଦେଲା ଏବଂ ବିଶେଷତଃ ଯେବେଠାରୁ ପରିବାର ଓ ବୀରସିଂହ ସହିତ ବିଦ୍ୟାସାଗର ଆପଣାର ସଂଯୋଗଗୁଡ଼ିକ କାଟି ଦେବାଲାଗି ମନସ୍ଥ କଲେ, ସେତେବେଳେ ଟିକିଏ ଚିନ୍ତାମୁକ୍ତ ହୋଇ ସେ ସତେଅବା ସ୍ଵାଭାବିକ ଭାବରେ ଏକ ଅନ୍ୟଭଳି ଜୀବନ ଅର୍ଥାତ୍ ଅନ୍ୟଭଳି ସଂସର୍ଗର ଆସ୍ୱାଦନ ଲାଭ କରିବା ସକାଶେ କଲିକତାକୁ କର୍ମାଟାଡ଼୍ ଚାଲି ଆସୁଥିଲେ । ସାଙ୍ଗରେ ଜଣେ ଦୁଇଜଣ ପରିକର ଅବଶ୍ୟ ଥିଲେ ସତ, କିନ୍ତୁ ମୁଖ୍ୟତଃ ସ୍ଥାନୀୟ ମାଝିମାନଙ୍କର ନିଷ୍କପଟ ଗହଣାମାନଙ୍କରେ ହିଁ ତାଙ୍କର ସମୟ ବ୍ୟତୀତ ହୋଇ ଯାଉଥିଲା । ଏହାଦ୍ଵାରା ତାଙ୍କୁ ବସ୍ତୁତଃ କୌଣସି କ୍ଷତିପୂରଣର ଖାସ୍ ଆନନ୍ଦଟିଏ ସେଠାରେ ମିଳୁଥିଲା କି ? ତେବେ ହୁଏତ ଅପେକ୍ଷାକୃତ ଅଧିକ ଆନନ୍ଦଦାୟକ ହିଁ ହେଉଥିବ । ସେହିସବୁ ଅବସରରେ ତାଙ୍କର ସୁପରିଚିତ ପ୍ରଖ୍ୟାତମାନେ ତାଙ୍କ ସହିତ ସାକ୍ଷାତ କରିବାକୁ ତଥା କିଛି ସମୟ ଏକାଠି କଟାଇବାକୁ କର୍ମୀଟାଡ଼୍‍ରେ ଯାଇ ପହଞ୍ଚି ଯାଉଥିଲେ, ସେମାନେ ରଖି ଯାଇଥିବା ସଂସ୍କରଣଗୁଡ଼ିକରୁ ଆମକୁ ବିଦ୍ୟାସାଗରଙ୍କର ସେହି ପର୍ଯ୍ୟାୟର ଜୀବନଟିର କିଞ୍ଚିତ୍ ଝଲକ ବେଶ୍ ମିଳି ଯାଉଥିଲା । ସବୁ ବିବରଣ ପ୍ରାୟ ନିୟମତଃ ସ୍ଥାନୀୟ ସାନ୍ତାଳମାନଙ୍କ ସହିତ ତାଙ୍କର ରହିଥିବା ସହଜ ଅର୍ଥାତ ସଙ୍କୋଚରହିତ ସମ୍ପର୍କଗୁଡ଼ିକ ସମ୍ବନ୍ଧରେ ।

 

କେତେ ସ୍ଵାଭାବିକ ଶ୍ରଦ୍ଧାଦ୍ଵାରା ସର୍ବଦା ସିକ୍ତ ସେହି ସମ୍ବନ୍ଧଗୁଡ଼ିକ । କେବଳ ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ଗଭୀର ପାଣ୍ଡିତ୍ୟଶକ୍ତି ହିଁ ସେହି ସମ୍ପର୍କଗୁଡ଼ିକୁ ସମଗ୍ର ଭାବରେ ଏକ ଅନ୍ତରଙ୍ଗ ବୋଧଦ୍ୱାରା ବୁଝି ପାରିଥିବ, ଏହି ଆଭରଣମୁକ୍ତ ସିଧା ମନୁଷ୍ୟମାନେ ଆଧୁନିକତାର ଆଲୋକ ମଧ୍ୟକୁ ଆସିନାହାନ୍ତି ବୋଲି ପରିସ୍ଥିତିର ସେହି ଅଳ୍ପତା ହେତୁ ସେମାନଙ୍କୁ ଏପରି ନିରୀହ କରି ରଖିଛି ବୋଲି ଭ୍ରମଟାଏ କରି କଦାପି କୌଣସି ସାନ୍ତ୍ଵନା ପାଇବା ସକାଶେ ସେ ମୋଟେ ଚେଷ୍ଟା କରିନଥିବ । କାହାଣୀଟିଏ କହୁଛି: ଥରେ କେତେଜଣ ସ୍ଥାନୀୟ ସାନ୍ତାଳ ଅଧିବାସୀଙ୍କୁ ଶ୍ରୀଯୁକ୍ତ ବିଦ୍ୟାସାଗର ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ସାଧାରଣତଃ ସାନ୍ତାଳମାନେ ବାବୁମାନଙ୍କ ଘରେ ଆହାର କରନ୍ତି ନାହିଁ, ଜାତି ଚାଲିଯିବାର ଭୟରେ । ତେଣୁ, ବିଦ୍ୟାସାଗରଙ୍କ ନିମନ୍ତ୍ରଣକୁ ରକ୍ଷା କରିବା ଉଚିତ କି ନୁହେଁ, ସେକଥା ନିଷ୍ପତ୍ତି କରିବା ସକାଶେ ସେମାନଙ୍କର ପଞ୍ଚାଏତ ଡକା ହେଲା ଏବଂ ଏହି ବିଦ୍ୟାସାଗର ଖୁବ୍ ଭଲଲୋକ ବୋଲି ସମସ୍ତଙ୍କର ମତ ପ୍ରକାଶ ପାଇବାରୁ ସେମାନେ ଅନୁମତି ପ୍ରଦାନ କରିଥିଲେ । ବିଦ୍ୟାସାଗର ଖୁବ୍ ଭଲ ଭଲ ଖାଦ୍ୟପ୍ରକାରର ଆୟୋଜନ କରିଥିଲେ । ସାନ୍ତାଳ ବିଚରାମାନେ ତ ସବୁଦିନେ ମଧ୍ୟ ସାମାନ୍ୟ ଭାତ ମଧ୍ୟ ଖାଇବାକୁ ପାଇ ପାଆନ୍ତିନାହିଁ । ତେଣୁ ଏପରି ଏଡ଼େ ଭଲ ଖାଦ୍ୟସାମଗ୍ରୀମାନ ପତରରେ ବଢ଼ା ହେଉଥିବାର ଦେଖି ସେମାନେ କେତେ କ'ଣ ଖୁସୀ ହୋଇ ଯାଇଥିଲେ ଏବଂ ଭୋଜନ ପରେ ବିଦ୍ୟାସାଗରଙ୍କୁ ଘେରିଯାଇ ଖୁବ୍ ହୃଷ୍ଟ ହୋଇ କହିଥିଲେ,–ତୁ ତ ଜଣେ ମହାପୁରୁଷରେ ବିଦ୍ୟାସାଗର । ସେଥିପାଇଁ ସିନା ଆମ ଦୁଃଖକୁ ତୁ ବୁଝି ପାରିଲୁ ! ଏବଂ ସେମାନେ ବିଦ୍ୟାସାଗରଙ୍କୁ ମଧ୍ୟ ଦିନେ ସେମାନଙ୍କର ପଡ଼ାକୁ ଭୋଜନ କରି ଯିବାଲଗି ନିମନ୍ତ୍ରଣ କରିଥିଲେ । ସିଏ ନିମନ୍ତ୍ରଣ ଖାଇବା ସକାଶେ ଜଣେ ସାନ୍ତାଳ ବୁଢ଼ୀର କୁଡ଼ିଆରେ ଯାଇ ପହଞ୍ଚି ଯାଇଥିଲେ । ତା'ପରେ ଆଖି ପିଛୁଳାକେ ଦଳ ଦଳ ସାନ୍ତାଳମାନେ ମଧ୍ୟ ସେଠାରେ ଆସି ରୁଣ୍ଡ ହୋଇଗଲେ । ଖୁସୀ ଏବଂ ହସରେ କେତେ କଥା ପଡ଼ିଥିଲା । ସେଠାରୁ ଫେରିବା ସମୟରେ ସାନ୍ତାଳ ବୁଢ଼ୀଟି କେତୋଟି କଞ୍ଚା କଦଳୀ ଏବଂ ଆଉ କିଛି କିସମର ବଣରୁ ତୋଳା ହୋଇ ଆସିଥିବା ଫଳକୁ ତାଙ୍କ ଚଦରରେ ପୁଡ଼ା କରି ବାନ୍ଧି ତାଙ୍କୁ ଆଣି ଦେଇଥିଲା । ସେତେବେଳେ ପରସ୍ପର ଆଡ଼କୁ ଚାହିଁ ଉଭୟ ପକ୍ଷର ଆଖିଗୁଡ଼ିକ ହିଁ ଅଶ୍ରୁପୂର୍ଣ୍ଣ ହୋଇ ଯାଇଥିଲା ।

 

ସାନ୍ତାଳ ବସିତିଟିରେ ବିଦ୍ୟାସାଗର ପ୍ରାୟ ପ୍ରତ୍ୟେକ ପରିବାରଟି ସହିତ ଏକାଧିକ ସମ୍ବନ୍ଧରେ ବାନ୍ଧି ହୋଇ ବି ଯାଇଥିଲେ । କେଉଁଠାରେ ଭାଇ, କେଉଁଠି କକା ଆଉ କେଉଁଠାରେ ସେହିପରି ଆଉକିଛି । ସେମାନଙ୍କର ଭୋକବେଳେ ଅନ୍ନ ଯୋଗାଡ଼ କରୁଥିଲେ, ଶୀତକଷ୍ଟରେ ଶୀତବସ୍ତ୍ର ଦେଉଥିଲେ, ରୋଗ ସମୟରେ ଔଷଧ । ଦିନେ ଦୁଇଜଣ ସାନ୍ତାଳୀ ଝିଅ ଆସି ବିଦ୍ୟାସାଗରଙ୍କ ପାଖରେ ପହଞ୍ଚିଥିଲେ । ସେମାନଙ୍କ ଭିତରୁ ଜଣେ ତାଙ୍କ ଆଡ଼କୁ ଉଦ୍ଦେଶ୍ୟ କରି କହିଲା, ବିଦ୍ୟାସାଗର, ଏଇ ଝିଅଟି ମୋ'ର ଭଉଣୀ । ତୁ ତାକୁ ଗୋଟିଏ ପିନ୍ଧିବା ଲୁଗା ଦେବୁ ବୋଲି ତୋ' ପାଖକୁ ସାଙ୍ଗରେ ନେଇ ଆସିଛି । ବିଦ୍ୟାସାଗର ଟିକିଏ ରହସ୍ୟ କରି ଉତ୍ତର ଦେଇଥିଲେ, ଝିଅ, ମୋ' ପାଖରେ ଲୁଗା କୁଆଡ଼ୁ ଆସିବ ? ସଙ୍ଗେ ସଙ୍ଗେ ଝିଅଟି ତାଙ୍କର ସେହି କଥାଟିକୁ ମାଡ଼ି ବସି କହିଲା; ତୋ' ପାଖରେ ଲୁଗା ନାହିଁ ? ଚାଲିଲୁ, ତୋ'ର ସିନ୍ଦୂକଟା ଫିଟାଇ ଦେଖିବା ଲୁଗା ଅଛି କି ନାହିଁ ? ବିଦ୍ୟାସାଗର ସିନ୍ଦୂକଟାକୁ ଖୋଲି ଦେଇଥିଲେ । ସିନ୍ଦୂକରେ ସିନ୍ଦୂକଭର୍ତ୍ତି ଲୁଗା । ଝିଅଟି ପୁଣି କହିଲା, ଦେଖିଲୁ ତ, ତୋ' କଥାଟି ସତ ନୁହେଁ ବୋଲି ଜଣା ପଡ଼ିଗଲା । ବିଦ୍ୟାସାଗର ସତେଅବା କିଞ୍ଚିତ୍ ଛଳ କରି ଉତ୍ତର ଦେଇଥିଲେ : ତୁମମାନେ ଏଠାକୁ ଆସି ତ ମିଛକଥା କହି ଶିଖିଛ ! ଝିଅଟି ଛାଡ଼ିବାର ଜନ୍ତୁ ନୁହେଁ,–ତେଣୁ ସମ୍ପୂର୍ଣ୍ଣ ସିଧାଭାବେ ଜବାବ ଦେଲା, ଆମେ ଏଠି କେତେବେଳେ ହେଲେ ମିଛ କହୁନାହିଁ, କେତେବଳେ ବି ନୁହେଁ ।

 

ପୁନଶ୍ଚ, ଯେତେବେଳେ ବିଦ୍ୟାସାଗର କର୍ମାଟାର୍‍ଠାରେ ତାଙ୍କର ଏହି ଘରଟିକୁ ତିଆରି କରୁଥିଲେ, ସେହି ସମୟରେ ଅନେକ ଅବସରରେ କଲିକତା ଯାଇ ତାଙ୍କୁ ଆବଶ୍ୟକ ନାନା ସାମଗ୍ରୀ ସରଞ୍ଜାମ ଆଣିବାକୁ ବି ପଡ଼ୁଥିଲା । ରେଲଗାଡ଼ିରେ କଲିକତାରୁ ଆସି ଓହ୍ଲାଇବା ମାତ୍ରକେ ହିଁ ସାନ୍ତାଳୀ ପିଲାମାନେ,–ପୁଅ ଓ ଝିଅ ଉଭୟେ ସେଠାରେ ବହୁସଂଖ୍ୟାରେ ଆସି ପହଞ୍ଚି ଯାଉଥିଲେ ଓ ଏକାବେଳେକେ ଏଡ଼େ ପାଟିରେ କହୁଥିଲେ, ଦାଦା, ତୁ ଏଥର କଲିକତାରୁ ଆମପାଇଁ କ'ଣସବୁ ଆଣିଛୁ ! ଅର୍ଥାତ୍, ବିଦ୍ୟାସାଗର କଲିକତା ଯାତ୍ରା କରିବା ସମୟରେ ସେମାନେ ସେମାନଙ୍କ ସକାଶେ ଅମୁକ ବା ସମୁକଟାଏ ଆଣିବାପାଇଁ ଫରମାସମାନ ଦେଉଥିଲେ ଏବଂ ସେହିସବୁ ଦ୍ରବ୍ୟ ନିଶ୍ଚୟ ଆସିଥିବ ବୋଲି ସମ୍ପୂର୍ଣ୍ଣ ଭାବରେ ବିଶ୍ଵାସ ବି ରଖୁଥିଲେ । କିଏ କହୁଥିବ, ମୋ' ପାନିଆ କାହିଁ ଏବଂ ଆଉକିଏ ମୋ' ବନ୍-ସୀଛଡ଼ କାହିଁ ବୋଲି କେଡ଼େ ପାଟି କରି କହୁଥିବ, ଇତ୍ୟାଦି, ଇତ୍ୟାଦି । ଏବଂ, ବିଦ୍ୟାସାଗର ମଧ୍ୟ କେଡ଼େ ଥିର ଆତ୍ମୀୟତା ସହିତ ଉତ୍ତର ମଧ୍ୟ ଦେଉଥିବେ । ପ୍ରତ୍ୟେକର ଜିନିଷ ପ୍ରତ୍ୟେକକୁ ଅଚିରେ ମିଳିଯିବ । ତା'ପରେ ବିଦ୍ୟାସାଗରଙ୍କର ଘରଯାଏ ପ୍ରାୟ ଗୋଟିଏ ଶୋଭାଯାତ୍ରା ହିଁ କେତେ ସ୍ପୂର୍ତ୍ତି ସହିତ ଯିବାକୁ ଆରମ୍ଭ କରିବ । ଘରେ ପହଞ୍ଚି ନିଜ ହତା ଭିତର ବଗିଚାରୁ ଫୁଲଗୁଡ଼ିକୁ ତୋଳି ସେ ନିଜ ହାତରେ ହିଁ ଝିଅମାନଙ୍କର ମୁଣ୍ଡରେ ବା କାନରେ ନେଇ ଖୋସି ଦେଉଥିବେ ।

 

ତଥାପି ଆହୁରି ଗୋଟିଏ କାହାଣୀ । କାହାଣୀ ତ ନୁହେଁ, ମନୁଷ୍ୟ ମନୁଷ୍ୟର ସଂପର୍କ-କ୍ଷେତ୍ରରେ ସତକୁସତ ଘଟିଥିବା ଘଟଣାଟିଏ । ଦିନକର ସେଠାରେ ଉପସ୍ଥିତ ଥିବା ଜଣେ ବିଖ୍ୟାତ ବ୍ୟକ୍ତି ଯାହା ନିଜ ଆଖିରେ ଦେଖିଛନ୍ତି, ତାହାରି ବର୍ଣ୍ଣନା କରି କହିଛନ୍ତି : ସେଦିନ ସକାଳେ ଖରା ଭଲ କରି ପଡ଼ିନଥାଏ, ଜଣେ ସାନ୍ତାଳ ଆସି ସେଠାରେ ପହଞ୍ଚି ଯାଇଥିଲା । ତା' ହାତରେ ପାଞ୍ଚଛଅଟା ମକ୍କା ଫଳ,–ନିଜ ବାରିରୁ ତୋଳି ଆଣିଥିଲା । ତାକୁ କହିଲା, ବିଦ୍ୟାସାଗର ମୋ'ର ସଙ୍ଗେ ସଙ୍ଗେ ପାଞ୍ଚଅଣା ପଇସା ଦରକାର । ପୁଅର ବେରାମ, ଏତିକି ପଇସା ନହେଲେ ତା'ର ଚିକିତ୍ସା ହୋଇ ପାରିବିନାହିଁ । ତୁ ଏଇ ମକ୍କା କେତୁଟା ରଖ ଓ ମୋତେ ପାଞ୍ଚଗଣ୍ଡା ପଇସା ଦେ' । ବିଦ୍ୟାସାଗର ସଙ୍ଗେ ସଙ୍ଗେ ପଇସା ଆଣି ତାକୁ ଦେଇଥିଲେ ଓ ମକ୍କାଗୁଡ଼ିକୁ ନେଇ ପିଣ୍ଡା ଉପରେ ରଖିଦେଲେ । ତା' ବାଡୀରେ ମଧ୍ୟ ବହୁତ ମକ୍କା ଫଳିଛି । ବିଦ୍ୟାସାଗରଙ୍କୁ କହିଲା, ମୋ'ର ଆଠଅଣା ପଇସା ସଙ୍ଗେ ସଙ୍ଗେ ଦରକାର । ବିଦ୍ୟାସାଗର ତାକୁ ଆଠଗଣ୍ଡା ପଇସା ଆଣି ତତ୍‍କ୍ଷଣାତ୍ ଗଣିଦେଲେ–ଏହି ମକ୍କାଫଳଗୁଡ଼ିକୁ କିଣି ନେଇଥିଲେ । କଲିକତାର ଅତିଥିଜଣକ ଚକିତ ହୋଇ ଘଟଣାଗୁଡ଼ିକୁ ଲକ୍ଷ୍ୟ କରୁଥାଆନ୍ତି । ସେ ବିଦ୍ୟାସାଗରଙ୍କୁ କହି ପକାଇଲେ: କିଣିବାବାଲା ଆପଣ ସିନା ଦରଦାମ୍ ଛିଣ୍ଡାଉ ଥାଆନ୍ତେ ! ବିକିବାବାଲା ଯେଉଁ ଦର କହୁଛି, ଆପଣ ତାକୁ ସେତିକି ପଇସା ଦେଇ ଦେଉଛନ୍ତି ! ବିଦ୍ୟାସାଗର କୌଣସି ଉତ୍ତର ଦେଲେ ନାହିଁ, କେବଳ ମୁରୁକି ମୁରୁକି ହସୁଥାନ୍ତି ।

 

ଏମିତି ମକ୍କା ନେଇ ଆହୁରି କେତେଜଣ ବି ଆସିଥିଲେ,–ସେଗୁଡ଼ିକୁ ବଦଳ ଦେଇ ଆପଣାର ଦରକାର ଅନୁସାରେ ପଇସା ନେଇ ବିଦା ହୋଇ ଯାଉଥାଆନ୍ତି । ଆସି ଆଠଟା ବାଜିଲା, ମକ୍କାରେ ଥାକଗୁଡ଼ିକ ଭର୍ତ୍ତି ବି ହୋଇଗଲା । ତଥାପି ମକ୍କା ଆସିବାରେ ବିରାମ ନାହିଁ । ଅତିଥି ପ୍ରଶ୍ନ କଲେ, ଏତେଗୁଡ଼ିଏ ମକ୍କା ନେଇ ଆପଣ ପ୍ରକୃତରେ କ'ଣ କରିବେ ? ବିଦ୍ୟାସାଗର ଥିର ହୋଇ ଉତ୍ତର ଦେଲେ, ଅପେକ୍ଷା କର, ସବୁ ଦେଖିବାକୁ ପାଇବ । ହଁ, ମଝିରେ ଟିକିଏ ଫୁରସତ ପାଇ ଶ୍ରୀଯୁକ୍ତ ବିଦ୍ୟାସାଗର ପାଖର କୌଣସି ଗ୍ରାମକୁ ପାଦରେ ଚାଲି ବି ଯାଇଥିଲେ ଗୋଟିଏ ସାନ୍ତାଳ ପିଲାର କ'ଣ ଦେହ ଖରାପ ହୋଇଥିଲା ତାକୁ ଦେଖିବା ସକାଶେ । ସେଠାରେ କିଛି ଉପଚାର କରାଇ ଘରକୁ ଫେରି ଦେଖିବାକୁ ପାଇଲେ, ତାଙ୍କ ଦୁଆରେ କେତେ ନା କେତେ ମଣିଷଙ୍କର ଭିଡ଼ । ସେହି ସାନ୍ତାଳ ବସତିର ସମସ୍ତେ, ପୁରୁଷ, ସ୍ତ୍ରୀ, ପିଲା, ବୁଢ଼ା ସମସ୍ତେ । ସେମାନେ ଗୋଟିଏ ଗୋଟିଏ ଦଳ ବାନ୍ଧି ବସି ରହିଥାଆନ୍ତି–କେଉଁ ଦଳରେ ପାଞ୍ଚ ଜଣ, ଆଉ କେଉଁଟିରେ ଆଠ ବା କେଉଁଟିରେ ଦଶ । ସେମାନେ ଶୁଖିଲା ପତ୍ର ଆଉ କାଠ ମଧ୍ୟ ସାଉଁଟି ଆଣିଥାଆନ୍ତି । ଗୃହକର୍ତ୍ତାକୁ ଦେଖିବା କ୍ଷଣି ପ୍ରାୟ ସମସ୍ତେ ଏକାଠି ଗୋଟିଏ ସ୍ଵରରେ କହିବାକୁ ଲାଗିଲେ, ବିଦ୍ୟାସାଗର, ତୁ ଆମକୁ କ'ଣ ଖାଇବାକୁ ଦେ । ବାସ୍, ତା'ପରେ ବିଦ୍ୟାସାଗର ସାଇତା ହୋଇ ରହିଥିବା ମକ୍କାଗୁଡ଼ିକୁ ସେମାନଙ୍କ ମଧ୍ୟରେ ଯାଇ ବିତରଣ କରି ଦେଇଥିଲେ । ତା'ପରେ ଦଳ ଅନୁସାରେ ଅଲଗା ଅଲଗା ଶୁଖିଲା ପତ୍ର ଓ କାଠଦ୍ଵାରା ମନ୍ଦା ମନ୍ଦା ନିଆଁ ଜଳାଗଲା ଓ ସମସ୍ତେ ମକ୍କାଗୁଡ଼ିକୁ ସେଥିରେ ସେକି ଖାଇବାକୁ ଆରମ୍ଭ କରିଦେଲେ । କି ଆନନ୍ଦ ସେମାନଙ୍କର ! ଆବଶ୍ୟକ ଅନୁସାରେ ଆହୁରି ମକ୍କା ମାଗି ମଧ୍ୟ ନେଉଥାନ୍ତି । ଜଣେ ଜଣେ ତିନି ଚାରିଟା ମଧ୍ୟ ଉଦରସ୍ଥ କରି ନେଇଥିଲେ । ଖାଇସାରି ଆନନ୍ଦଧ୍ୱନି କରି ସେଠାରୁ ପ୍ରସ୍ଥାନ କରିଥିଲେ । ବିଦ୍ୟାସାଗର ମୁଗ୍ଧ ହୋଇ ସେହି ପ୍ରତିବେଶୀମାନଙ୍କର ସ୍ଵତଃସ୍ଫୁର୍ତ୍ତ ଆନନ୍ଦଟିକୁ ଅବଲୋକନ କରୁଥିଲେ ।

 

ଯେଉଁମାନେ ସମାଜରେ ପ୍ରାୟ ତଳ ପାହାଚରେ ରହିଥାଆନ୍ତି, ସେମାନଙ୍କ ସହିତ ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଏପରି ଏକ ଭାବସହଜତା ସହିତ ମିଶି ଯାଉଥିଲେ, ତଥାକଥିତ ତଳସ୍ଥମାନେ ସିଏ ପ୍ରକୃତରେ ଏତେ ବଡ଼ ଓ ଏତେ ମଧ୍ୟ ଉପରେ–ବିଦ୍ୟାରେ, ମାନରେ ଏବଂ ପଦରେ–ବୋଲି ମୋଟେ ସଚେତନ ହୋଇ ରହି ପାରୁନଥିଲେ । ସାନ୍ନିଧ୍ୟ ଦେଉଥିବା ପକ୍ଷଟିର ମନୋମୁଦ୍ରାଟି ଯେଉଁ ସ୍ତରରେ, ତାକୁ ସଚରାଚର ତାହାରି ଅନୁରୂପ ସାନ୍ନିଧ୍ୟଟି ଅନ୍ୟମାନଙ୍କଠାରୁ ପ୍ରାପ୍ତ ହୋଇଥାଏ । ମୁଁ ଦୂରତାକୁ ଜଗୁଥିଲେ ମୁଁ ବାହ୍ୟତଃ ଯେତେ ମିଛ ନୈକଟ୍ୟର ପ୍ରତାରଣା ଦେଖାଇବାରେ ଲାଗିଥିଲେ ମଧ୍ୟ ତଥାପି ଅନ୍ୟମାନେ ମଧ୍ୟ କ'ଣ ଘ୍ରାଣ କରି ପାରନ୍ତି ବୋଲି ମୋ'ଠାରୁ ଦୂର ହୋଇ ରହିଥାନ୍ତି ଏବଂ ମୁଁ କେଡ଼େ ଆଳଙ୍କାରିକ ଛଦ୍ରମରେ ସେହି ଅପର ପକ୍ଷଟାକୁ ହିଁ ଉକ୍ତ ଦୂରତା ସକାଶେ ଦାୟୀ କରିବାରେ ଲାଗିଥାଏ । ତାଙ୍କର ଚରିତଟିକୁ ବର୍ଣ୍ଣନା କରିଥିବା ସମସ୍ତେ ହିଁ କେଡ଼େ ସିଧା ଭାବରେ କହିଛନ୍ତି ଯେ ଈଶ୍ଵରଚନ୍ଦ୍ର ନିମ୍ନ ବର୍ଣ୍ଣର ମନୁଷ୍ୟମାନଙ୍କ ସହିତ ଖୁବ୍ ସହଜରେ ମିଶି ପାରୁଥିଲେ । ତାଙ୍କର ସମ୍ବନ୍ଧଗୁଡ଼ିକରେ ଏକ ସହଜ ଆନ୍ତରିକତାର ସ୍ପଷ୍ଟ ସ୍ପର୍ଶ ରହିଥିଲା । ବର୍ଣ୍ଣଟାରୁ ମଣିଷକୁ ନଦେଖି ସିଧା ମଣିଷଟିକୁ ଦେଖି ପାରୁଥିଲେ ପୃଥିବୀରେ ପ୍ରାୟ ନିୟମତଃ ସେହିପରି ହିଁ ହୋଇଥାଏ । ତେଣୁ, ସମ୍ପର୍କରେ ଆସୁଥିବା ସମସ୍ତଙ୍କୁ ହିଁ ସେ ନିଜର ଖୁବ୍ ପାଖକୁ ଟାଣିନେଇ ପାରୁଥିଲେ । ସେମାନେ ମଧ୍ୟ ବ୍ୟବଧାନମାନଙ୍କୁ ଭୁଲି ତାଙ୍କର କେଡ଼େ ନଜିକ୍‍କୁ ଚାଲିଆସି ପାରୁଥିଲେ । ଖୁବ୍ ସମ୍ଭବ ଏପରି ମଧ୍ୟ ହେଉଥିବ ଯେ, ତଥାକଥିତ ସେହି ନୀଚବର୍ଣ୍ଣମାନଙ୍କୁ ସବାଆଗ କେହି ମଣିଷ ପରି ଦେଖିବାର ସୁଯୋଗଟିଏ ପାଇଲେ ସେମାନେ ମଧ୍ୟ ନିଜକୁ ଜଣେ ଜଣେ ମନୁଷ୍ୟବତ୍ ଅନୁଭବ କରୁଥିଲେ ଏବଂ ଗୋଟିଏ ନିର୍ଦ୍ଦିଷ୍ଟ ସମାଜରେ କୌଣସି କାରଣରୁ ସେମାନେ ନିମ୍ନ ବର୍ଣ୍ଣ ହୋଇ ରହିଛନ୍ତି ବୋଲି ପାସୋରି ଯାଉଥିଲେ ।

 

କର୍ମାତାଡ଼ର ସାନ୍ତାଳମାନଙ୍କୁ ବିଦ୍ୟାସାଗର ଖୁବ୍ ଭଲ ପାଉଥିଲେ । ସେମାନଙ୍କ ଭିତରେ ସିଏ ନିଜ ଭିତରର ଏକାବେଳେକେ ସ୍ଵଭାବଗତ ଗୁଣଟିଏ ଏକ ଅପୂର୍ବ ସାମଞ୍ଜସ୍ୟ ସହିତ ହୁଏତ ଦେଖି ପାରୁଥିଲେ । କହୁଥିଲେ, ଏମାନଙ୍କ ସହିତ କଥାବାର୍ତ୍ତା ହୋଇ ମୁଁ ଅତ୍ୟନ୍ତ ଆନନ୍ଦ ପାଏ । ସେମାନଙ୍କ ପାଖରେ ଆମେ ସଭ୍ୟତା ବୋଲି କହୁଥିବା ଏସବୁ ପ୍ରାୟ କିଛି ନାହିଁ ସତ, ମାତ୍ର ସେମାନେ ସରଳ, ସବୁବେଳେ ସିଧା ଏବଂ ସତ୍ୟବାଦୀ । ସେ କ୍ରମେ ଆପଣାକୁ ସେହିମାନଙ୍କର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ରହିଥିବା ଜଣେ ବ୍ୟକ୍ତି ପରି ହିଁ ଅନୁଭବ କଲେ, ସେମାନଙ୍କର ନିତ୍ୟଜୀବନର ଅନ୍ୟ ବହୁତ ଦିଗ ମଧ୍ୟ ତାଙ୍କ ନଜରକୁ ଆସି ପାରିଥିଲା । ସେହି କର୍ମାତାଡ଼ରେ ଆଉ କେତେ ବଙ୍ଗାଳିଙ୍କର ମଧ୍ୟ ବାସଗୃହ ରହିଥିଲା । ଏକଦା ଜଣେ ବଙ୍ଗାଳି ଭଦ୍ରଲୋକ ଚତୁରତା କରି ସାନ୍ତାଳ ପ୍ରଗନାରେ କିଛି ଜମି କ୍ରୟ କରି ପାଖରେ ଥିବା ଆହୁରି କେତେଜଣଙ୍କର ଜମିକୁ ମଧ୍ୟ ହଡ଼ପ କରି ତା' ସହିତ ମିଶାଇ ନେବାକୁ ଉଦ୍ୟମ ଆରମ୍ଭ କରି ଦେଇଥିଲେ । ଫଳରେ ତାହାରି ପ୍ରତିବାଦରେ କଚେରୀରେ ଗୋଟିଏ ମୋକଦ୍ଦମା ମଧ୍ୟ ହେଲା । ବଙ୍ଗାଳି ବାବୁଜଣକ ବହୁତ ପ୍ରଲୋଭନ ଦେଖାଇ ଜଣେ ବୃଦ୍ଧ ସାନ୍ତାଳକୁ ନିଜ ପକ୍ଷରେ ସାକ୍ଷ୍ୟ ଦେବାଲାଗି ନେଇ ସେଠାରେ ଛିଡ଼ା କରାଇଥିଲେ । ସେଠାରେ ଥିବା ଗୋଟାଏ ଶିମିଳିଗଛ ପାଖରୁ ବାବୁଙ୍କର ଜମି ସୀମାଟା ଆରମ୍ଭ ହୋଇଛି ବୋଲି ସିଏ କଚେରିରେ କହିବ, ଏହିପରି କଥାଟିଏ ସ୍ଥିର ହୋଇଥିଲା । ମୋକଦ୍ଦମା ସମୟରେ ଯେତେବେଳେ ହାକିମ ତାକୁ ସେହି ବିଷୟରେ ପ୍ରଶ୍ନ କଲେ, ସେତେବେଳେ ସିଏ ତାକୁ ଶିଖାଇ ଦିଆ ଯାଇଥିବା ମୁତାବକ ଉତ୍ତରଟିଏ ସିନା ଦେଲା, ମାତ୍ର ଠିକ୍ ପରବର୍ତ୍ତୀ ମୁହୂର୍ତ୍ତରେ ହିଁ ସତକଥାଟିକୁ ଆଦୌ ଚାପି ରଖି ପାରିଲାନାହିଁ ଏବଂ ଠିକ୍ ଠିକ୍ କହି ପକାଇଲା । ତେଣୁ, ସବୁ ଓଲଟି ହିଁ ଯାଇଥିଲା । ବିଦ୍ୟାସାଗର ଅନେକ ସମୟରେ ସେହି ଘଟଣାଟିକୁ ବର୍ଣ୍ଣନା କରି ଏହି ଲୋକମାନେ କେତେ ସିଧା ଏବଂ ମୋଟେ କୌଣସି କଥାକୁ ଗୋପନ ରଖି ପାରନ୍ତିନାହିଁ ବୋଲି କହୁଥିଲେ ।

 

ବିଦ୍ୟାସାଗର ବେଳେ ବେଳେ ସାନ୍ତାଳମାନଙ୍କର ନାଚ ଦେଖୁଥିଲେ ଓ ଖୁବ୍ ଆନନ୍ଦ ଅନୁଭବ କରୁଥିଲେ । ପୁନଶ୍ଚ, ସାନ୍ତାଳ ପିଲାମାନେ ପଢ଼ାଲେଖା ଶିଖି ପାରିବେ, ସେଥିନିମନ୍ତେ କର୍ମାତାଡ଼ରେ ସେ ସମସ୍ତ ବ୍ୟୟ ସ୍ଵୟଂ ବହନ କରି ଗୋଟିଏ ସ୍କୁଲ ମଧ୍ୟ ଖୋଲିଥିଲେ । ସେଥିରେ ମାସକୁ କୋଡ଼ିଏ ଟଙ୍କା ଖରଚ ହେଉଥିଲା । ବିଦ୍ୟାସାଗର କର୍ମାତାଡ଼ରେ ଆସି ପହଞ୍ଚିବା ମାତ୍ରେ ହିଁ ସେମାନଙ୍କର ବସ୍ତିଟା ଖୁସୀରେ ପୂର୍ଣ୍ଣ ହୋଇ ଉଠୁଥିବ । ବେଳେ ବେଳେ ସେମାନେ ତାଙ୍କୁ ଉପହାର ସ୍ୱରୂପ ଦେବେ ବୋଲି ନିଜ ଘରୁ କିଛି ପଦାର୍ଥ ସାଙ୍ଗରେ ଆଣି ମଧ୍ୟ ଆସୁଥିଲେ । ବେଶୀ ସମୟ ବାଡ଼ିର ପାରିବାଟାଏ ଅଥବା ଶାଗରୁ ପୁଳାଏ । କଥିତ ଅଛି, ଜଣେ ଗୋଟିଏ କୁକୁଡ଼ା ଛୁଆ ଦେବାକୁ ସାଙ୍ଗରେ ନେଇ ଆସିଥିଲା । ନିଜ ପଇତାକୁ ଦେଖାଇ ବିଦ୍ୟାସାଗର ତାକୁ କହିଲେ, ଭାଇ, ମୁଁ ଏହି ପଦାର୍ଥଟିକୁ ତ କେବେହେଲେ ଗ୍ରହଣ କରି ପାରିବି ନାହିଁ । ସାନ୍ତାଳ ଲୋକଟି ସେକଥା ଶୁଣି କଇଁ କଇଁ କାନ୍ଦିବାକୁ ଲାଗିଲା । ବିଦ୍ୟାସାଗର ମୋଟେ ସହି ପାରିଲେ ନାହିଁ ଓ କୁକୁଡ଼ାକୁ ଗ୍ରହଣ କରିଥିଲେ । ସେମାନଙ୍କ ଭିତରୁ କାହାରି ଦୁଃଖ ଦେଖିଲେ ସେ ଖୁବ୍ ଅସ୍ଥିର ହୋଇ ପଡ଼ୁଥିଲେ । ଦିନେ ସକାଳଓଳି କର୍ମାତାଡ଼ରେ ମେହେନ୍ତର କାମ କରୁଥିବା ଜଣେ ଲୋକ କାନ୍ଦି କାନ୍ଦି ଆସି କହିଲା, ତା'ଘରେ ସ୍ତ୍ରୀକୁ ହଇଜା ହୋଇଛି । ସେ କେଡ଼େ ବିକଳ ହୋଇ ତେଣୁ ଏଠାକୁ ଦଉଡ଼ି ଆସିଛି । କହିଲା: ବାବୁ, ତୁମେ କିଛି ନକଲେ ମୋ'ର ଆଉ କୌଣସି ଉପାୟ ନାହିଁ-। ବିଦ୍ୟାସାଗର ସେହି ମୁହୂର୍ତ୍ତରେ ସେହି ରୋଗୀଟିକୁ ଦେଖିବାପାଇଁ ବାହାରି ଗଲେ-। ରୋଗୀପାଖରେ ଦିନସାରା ରହିଲେ, ବିଧାନମତେ ଚିକିତ୍ସା କରିଥିଲେ । ରୋଗୀ କିଞ୍ଚିତ୍ ସୁସ୍ଥ ଅନୁଭବ କରିବାପରେ ଯାଇ ସନ୍ଧ୍ୟାଆଡ଼କୁ ଫେରିଲେ ।

 

କର୍ମାତାଡ଼ରେ ରହଣି ସମୟରେ ବିଦ୍ୟାସାଗରଙ୍କର ସାଧାରଣ ପ୍ରତ୍ୟେକ ଦିନର ଚର୍ଯ୍ୟାକ୍ରମଟି ବିଷୟରେ ଏକ ସଂସ୍କରଣରେ ତାଙ୍କର ଜଣେ ସାନଭାଇ ଲେଖିଛନ୍ତି: ଦାଦା ସକାଳ ସମୟରୁ ଦଶଟାଯାଏ ସାନ୍ତାଳ ରୋଗୀମାନଙ୍କୁ ହୋମିଓପାଥି ମତରେ ଚିକିତ୍ସା କରନ୍ତି । ରୋଗୀମାନଙ୍କର ପଥି ହିସାବରେ ନିଜ ତରଫରୁ ହିଁ ସାଗୁ, ଲେମ୍ବୁ ଓ ମିଶ୍ରି ପ୍ରଭୃତି ସେମାନଙ୍କୁ ପ୍ରଦାନ କରନ୍ତି । ସକାଳ ଜଳଖିଆ ପରେ ବଗିଚାକୁ ଯାଇ କିଛି କାମ କରନ୍ତି,–ଚାରାଗଛ ସବୁ ଲଗାନ୍ତି ଏବଂ ଘାସଗୁଡ଼ାକୁ ସଫା କରି ଦିଅନ୍ତି । ତା'ପରେ ବହି ଲେଖିବାରେ ପୂରା ସମୟ କଟାନ୍ତି-। ଉପରଓଳି ବାହାର ରୋଗୀମାନଙ୍କୁ ଦେଖିବା ସକାଶେ ବସତିମାନଙ୍କୁ ଯାଆନ୍ତି । ସାନ୍ତାଳମାନେ କେଡ଼େ ଆଦରରେ ତାଙ୍କୁ ଭିତରକୁ ସ୍ଵାଗତ କରି ନେଇଯାଆନ୍ତି । ଏକଥାଟି ବିଦ୍ୟାସାଗରଙ୍କୁ ସର୍ବଦା କେତେ ନା କେତେ ଭଲ ଲାଗେ । ସିଏ କହନ୍ତି: ବଡ଼ଲୋକମାନଙ୍କର ଘରକୁ ଯିବା ଅପେକ୍ଷା ଏମାନଙ୍କର କୁଡ଼ିଆଘରଗୁଡ଼ିକୁ ଯିବାକୁ ମୋତେ ଅଧିକ ଭଲ ହିଁ ଲାଗେ; ଏମାନଙ୍କର ସ୍ଵଭାବ ଅତ୍ୟନ୍ତ ଭଲ, ସେମାନେ କେବେହେଲେ ମିଛ କହନ୍ତି ନାହିଁ । ଇତ୍ୟାଦି, ଇତ୍ୟାଦି ।

 

ତଥାକଥିତ ସଭ୍ୟ, ଶିକ୍ଷିତ ଏବଂ ସମ୍ଭ୍ରାନ୍ତ ସଂସାରଟା ବିଷୟରେ ବିଦ୍ୟାସାଗରଙ୍କର ବହୁ ତିକ୍ତ ଅଭିଜ୍ଞତା ରହିଥିଲା । ନିଜର ରଚନାରେ ମଧ୍ୟ ତାଙ୍କର ସେହି ମନୋଭାବଟି ନାନାସ୍ଥାନରେ ଅଭିବ୍ୟକ୍ତ ହୋଇଥିବାର ଏକାଧିକ ଉଦାହରଣ ମିଳିଥାଏ : ''ମନୁଷ୍ୟମାନେ ଅତ୍ୟନ୍ତ କୁତ୍ସାପ୍ରିୟ । ଲୋକମାନଙ୍କର ନିନ୍ଦା ରଟନା କରିବାର ଅଭିପ୍ରାୟରେ ସେମାନେ ନିଜ ମନରୁ ହିଁ କେତେ କେତେ କଥା ଫାନ୍ଦ ପକାନ୍ତି, କେତେମନ୍ତେ ନାନା ଅଳଙ୍କାର ଯୋଡ଼ି ଅନ୍ୟର ଚର୍ଚ୍ଚା କରି ସତେଅବା ବହୁତ ଆନନ୍ଦ ଲାଭ କରନ୍ତି । ହୁଏତ ଜଣେ ମନୁଷ୍ୟର ପ୍ରଶଂସା କରିବା ନିମନ୍ତେ ହଜାରଟା କାରଣ ରହିଥାଏ, କିନ୍ତୁ ଅଧିକସଂଖ୍ୟକ ମନୁଷ୍ୟ ଭୁଲରେ ମଧ୍ୟ ତେଣେ ଆଦୌ ଦୃଷ୍ଟିପାତ କରନ୍ତିନାହିଁ । ମାତ୍ର, ନିନ୍ଦା କରିବାର ଏତେ ଟିକିଏ ଅବକାଶ ମିଳିଯିବା ମାତ୍ରକେ ପରମ ପୁଲକର ସହିତ ସେଇଥିରେ ହିଁ ମାତି ଯାଆନ୍ତି । ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ନିଜ ଜୀବନରେ ଅଗଣିତ ଲୋକଙ୍କ ନିମନ୍ତେ ନାନାବିଧ ସହାୟତାର ହାତ ସର୍ବଦା ହିଁ ପ୍ରସାରିତ କରି ଦେଇଛନ୍ତି । ଉପକୃତ ସମସ୍ତେ ଯେ ସେଥିଲାଗି ତାଙ୍କ ପାଖରେ କୃତଜ୍ଞ ହୋଇ ରହିଛନ୍ତି, ସେକଥା ଆଦୌ ନୁହେଁ । ତାଙ୍କୁ ଅବଶ୍ୟ ଆଘାତ ଲାଗିଥିବ ଏବଂ ତଥାକଥିତ ସାଧାରଣ ମନୁଷ୍ୟଙ୍କର ଏହି ଚଳନ୍ତି ସଂସାରଟା ବିଷୟରେ ସେ ନିଶ୍ଚୟ ଅନ୍ତତଃ ସେହି ସମୟଟି ଲାଗି ଟିକିଏ ବୀତଶ୍ରଦ୍ଧ ହୋଇ ଉଠୁଥିବେ । ମାତ୍ର, ତଥାପି ଆପଣାର ଧର୍ମ ଛାଡ଼ି ପାରିନଥିବେ, ସହାୟତା କରିବାର ଖୋଇଟା ତାଙ୍କୁ ପ୍ରକୃତରେ କେବେ ବି ଛାଡ଼ି ପାରିନଥିଲା ।

 

ବିଦ୍ୟାସାଗର–ଜୀବନର ଜଣେ ସମୀକ୍ଷକଙ୍କର ଗୋଟିଏ ମନ୍ତବ୍ୟ ଅନୁସାରେ: ବସ୍ତୁତଃ ଶ୍ରୀ ବିଦ୍ୟାସାଗର ମନୁଷ୍ୟକୁ ନ୍ୟାୟତଃ ଜଣେ ଦେବତାରୂପେ ଦେଖୁନଥିଲେ ଅଥବା କୌଣସି ଶୁଦ୍ଧ ବ୍ରାହ୍ମଣତ୍ଵର ଅଧିକାରୀ ବୋଲି ଦେଖୁ ନଥିଲେ । ସିଏ ପ୍ରତ୍ୟେକ ମନୁଷ୍ୟକୁ ମନୁଷ୍ୟ ହିସାବରେ ହିଁ ତା'ର ସେହି ଅନୁରୂପ ମହନୀୟତାରେ ଦେଖିବାକୁ ଇଚ୍ଛା କରିଥିଲେ ଏବଂ ସେହିଭଳି ଇଛାଟିଏ ପୋଷଣ କରିଥିଲେ ବୋଲି ଆମର ଏହି ଗୁରୁଦ୍ଵାରା ଏବଂ ପିତୁଳା-ଉପାସନାଦ୍ଵାରା ପ୍ରପୀଡ଼ିତ ଦେଶରେ ତାଙ୍କୁ ଅସୀମ ଲାଞ୍ଛନା ଭୋଗ କରିବାକୁ ହୋଇଥିଲା । କେତେ ନା କେତେ ନିର୍ମମ ଆଘାତ ସହି ସହି ତାଙ୍କ ଭିତରର କୋମଳ ପ୍ରାଣସ୍ଥାନଟି ମଧ୍ୟ ବେଳେ ବେଳେ ବେଶ୍ ଶକ୍ତ ହୋଇ ପଡ଼ୁଥିଲା । ଏବଂ ହୁଏତ ସେତିକିବେଳେ ସିଏ ମନୁଷ୍ୟଙ୍କୁ ସନ୍ଦେହ ଏବଂ ଅବିଶ୍ଵାସ ମଧ୍ୟ କରି ପକାଇଛନ୍ତି । ତଥାପି ଏହି ନିପୀଡ଼ିତ ଏବଂ ବହୁ ଅସହାୟତାପୂର୍ଣ୍ଣ ସମାଜର କଲ୍ୟାଣ ନିମନ୍ତେ ନିରତ ନିଜକୁ ନିୟୋଜିତ କରି ରଖିବାରେ ସେ କେବେହେଲେ ଅନିଚ୍ଛା ପ୍ରକାଶ କରିନାହାନ୍ତି । ତାଙ୍କ ଜୀବନର ତଥା ଚେତନାର ସବୁଯାକ ପରସ୍ତରେ ତାଙ୍କର ସେହି ମାନବପ୍ରୀତି ହିଁ ସର୍ବଦା ସବାଆଗରେ ରହିଆସିଛି । ଅର୍ଥାତ୍, ବାହାରେ ଯେତେ ଯାହା ଆଘାତ ତଥା ଲାଞ୍ଛନା ପାଇଥିଲେ ମଧ୍ୟ ସିଏ ନିଜର ଅନ୍ତରତମ ଗଭୀରରେ ମନୁଷ୍ୟ ଲାଗି ରହିଥିବା ନିଜ ବିଶ୍ଵାସରୁ ଟଳିଯାଇ ନାହାନ୍ତି-। ବାହାରର ନାନା ପରାକ୍ରମୀ ପରିସ୍ଥିତି ମନୁଷ୍ୟକୁ ପ୍ରାୟ ଏକ ଅପସଂସ୍କାର ମଧ୍ୟରେ ଭାରି ଅସମର୍ଥ କରି ରଖିଛି, ତଥାପି ଅସଲ ସମ୍ଭାବନାଗୁଡ଼ିକ ଭିତରେ ଅପେକ୍ଷା କରି ରହିଛନ୍ତି ବୋଲି ତାଙ୍କର ସେହି ସତ୍ୟବୋଧଟି ତାଙ୍କୁ କେବେହେଲେ ହୁଏତ ପରିତ୍ୟାଗ କରି ପଳାଇ ଯାଇନଥିବ-। ଏବଂ, ସବାବଡ଼ ଅକାଟ୍ୟ କଥାଟା ହୁଏତ ହେଉଛି ଯେ, ନିଜଭିତରେ ସେହି ମଣିଷଟି ଉପରେ ବିଶ୍ଵାସ ରଖି ପରମ ଭରସା ସହିତ ବାହାରର ବୃହତ୍ତର ସଂସାର ଭିତରେ ଜୀବନ ବଞ୍ଚୁଥିବା ଜଣେ ମଣିଷ କିପରି ବା ଅନ୍ୟ ମଣିଷମାନେ ମଧ୍ୟ ସେହି ମହିମାର ଅଧିକାରୀ ଅବଶ୍ୟ ହେବେ ବୋଲି ନିଜର ଦ୍ଵିତୀୟ ପ୍ରତ୍ୟୟଟିକୁ ଆଦୌ ପରିତ୍ୟାଗ ବି କରିପାରିବ ? ବିଦ୍ୟାସାଗର ନିଜ ଜୀବନରେ ଅତ୍ୟନ୍ତ ଆକୁଳତା ସହିତ ହୁଏତ ସେଇଥିପାଇଁ ଏପରି କଥାଟିଏ ମଧ୍ୟ ବହୁ ସମୟରେ କହୁଥିଲେ : ଏହି ଦେଶର ଉଦ୍ଧାର ହେବାପାଇଁ ଆହୁରି ବହୁ ବିଳମ୍ବ ରହିଛି । ପୁରାତନ ପ୍ରକୃତି ଏବଂ ପ୍ରବୃତ୍ତିଗୁଡ଼ାକର ଏହି ମନୁଷ୍ୟଗଣଙ୍କର ଖେତରୁ ଆଗ ସାତ ପରସ୍ତ ମାଟିକୁ ଖୋଳି ବାହାରକୁ ଫିଙ୍ଗି ଦେଇ ଏକ ନୂଆ ମଣିଷର ଆବାଦ କରିପାରିଲେ ଯାଇ ଏହି ଦେଶର ମଙ୍ଗଳ ସମ୍ଭବ ହେବ ।

 

ଜୀବନର ପ୍ରାୟ ଏକ ଶେଷ ଚରଣରେ । ଶ୍ରୀଯୁକ୍ତ ବିଦ୍ୟାସାଗର କଲିକତାରେ ଥାଆନ୍ତି-। ଶରୀରଟା ଗୋଟାସୁଦ୍ଧା ଅସମର୍ଥ ପ୍ରାୟ । ଦିନେ ଦି'ପ୍ରହରରେ ସିଏ ନିଜ ଘରେ ଏକୁଟିଆ ବସି ରହିଥାନ୍ତି, ତାଙ୍କର ଜଣେ ବନ୍ଧୁ ତାଙ୍କୁ ଦେଖିବାଲାଗି ଆସି ପହଞ୍ଚିଲେ । ସ୍ଥାନୀୟ ହାଇକୋର୍ଟ୍‍ର ଜଣେ ଓକିଲ । ବର୍ତ୍ତମାନ କିପରି ଅଛନ୍ତି ବୋଲି ପଚାରିଲେ । ଉତ୍ତର ଆସିଲା,–ନାଇଁ, ମୋଟେ ଭଲ ନାହିଁ । କ୍ରମଶଃ ଅସୁସ୍ଥତା ବଢ଼ିଯାଉଛି । ତା' ଉପରେ ଏଠାରେ ପୁଣି ବହୁତ କାମ-। ସୁସ୍ଥ ହେବାର ଉପାୟ ନାହିଁ । ଓକିଲ ବନ୍ଧୁ ତା'ପରେ କହିଥିଲେ, କର୍ମାତାଡ଼ରେ ରହିଥିବା ସମୟରେ ଆପଣ ବେଶ୍ ଭଲ ଥାଆନ୍ତି । ଅସୁସ୍ଥତା କମିଯାଏ । ସେଠାରେ ଯଥେଷ୍ଟ ବିଶ୍ରାମ ମଧ୍ୟ ମିଳେ-। ଏବେ ଆପଣ ସେଠାରେ ଯାଇ ରହିଲେ ହୁଅନ୍ତା ନାହିଁ ? ସମ୍ଭବତଃ ନିଜେ ବିଦ୍ୟାସାଗର ମଧ୍ୟ ସେହି କଥାଟିକୁ ଭଲ ଭାବରେ ବୁଝୁଥିଲେ । କିନ୍ତୁ ଉତ୍ତର ଦେଇ ସେ ତା'ପରେ କହିଲେ, ବର୍ତ୍ତମାନ ମୋ' ଲାଗି ସବୁ ସମାନ । ସେଠାରେ ମଧ୍ୟ ହୁଏତ ମୋଟେ ବିଶେଷ ଭଲ ରହି ପାରିବିନାହିଁ-। ଏତିକି କହି ବିଦ୍ୟାସାଗର କିଛି ସମୟ ପର୍ଯ୍ୟନ୍ତ ଚୁପ୍ ରହିଲେ ଏବଂ ଗୋଟିଏ ଦୀର୍ଘ ନିଃଶ୍ଵାସ ତ୍ୟାଗକରି ତା'ପରେ କହିଲେ: ମୋ'ର ତେଡ଼େ ଭାଗ୍ୟ କିପରି ହେବ କହିଲେ ! କର୍ମାତାଡ଼୍ ଗଲେ ମୁଁ ଅବଶ୍ୟ ଅଧିକ ସୁସ୍ଥ ଥାଏ । ଯଦି ମୋ'ର ଅପର୍ଯ୍ୟାପ୍ତ ଧନ ଥାଆନ୍ତା, ତେବେ ମୁଁ ସେଠାକୁ ଯାଇ ଅବଶ୍ୟ ରହିପାରନ୍ତି । ମୋ'ର ଶରୀର ଏବଂ ମନ ଦୁଇଟିଯାକ ଭଲ ରହନ୍ତେ । କିନ୍ତୁ ମୋ'ର ସେଡ଼େ ଭାଗ୍ୟ ପ୍ରକୃତରେ କାହିଁ ? ମୋ'ର ସେତେ ଧନସାମର୍ଥ୍ୟ କାହିଁ ? ଦେଖନ୍ତୁ, ସେହି କର୍ମାତାଡ଼ରେ ଯେଉଁ ମଣିଷଟି ପୂରା ସେରେ ଚାଉଳର ଭାତ, ଅଧସେର ଓଜନର ହରଡ଼ ଡାଲି, ଅଧସେର ଆଳୁ ଏବଂ ସେରେ ମାଉଁସ ଅନାୟାସରେ ଭୋଜନ କରିପାରେ, ତାକୁ ତ ଆଜିକାଲି ମୋଟେ ପାଏ ମକ୍କାର ଛତୁ ଖାଇ ରହିବାକୁ ପଡ଼ୁଛି, ତା'ର ଭାଗ୍ୟକୁ ତା'ଠାରୁ ଅଧିକ ଆହାର କେବେ ମଧ୍ୟ ଜୁଟି ପାରୁନାହିଁ । ଆଉ ମୁଁ ସେଠାକୁ ଯାଇ ଦିବ୍ୟ ଦ୍ରବ୍ୟମାନ ଭୋଜନ କରୁଥିବି,–ମୁଁ ସେକଥା କଦାପି ସାହି ପାରିବି ନାହିଁ । -ଏତିକି କହି ବିଦ୍ୟାସାଗର ଆକୁଳ ହୋଇ କ୍ରନ୍ଦନ କରି ଉଠିଲେ ।

 

କର୍ମାତାଡ଼ର ସାନ୍ତାଳ-ବସତି ଶ୍ରୀଯୁକ୍ତ ବିଦ୍ୟାସାଗରଙ୍କର ଜୀବନମଣ୍ଡଳ ଭିତରେ କ'ଣ ଏତେ ନିବିଡ଼ ଅର୍ଥାତ୍ ବାସ୍ତବ ଭାବରେ ଅନ୍ତର୍ଗତ ହୋଇ ରହିଥିଲା ! ଆହୁରି ନିର୍ଭୁଲ ଭାବରେ କହିଲେ, ସେହି ବସତିର ଭାବସମଗ୍ର ଆବେଦନଟି ତାଙ୍କର ଜୀବନ ମଧ୍ୟକୁ ପ୍ରସାରିତ ହୋଇ ଯାଇଥିଲା । ସେହି ମଣିଷମାନେ ଏତେ ଭଲ ଲାଗୁଥିଲେ, ତେଣୁ ସେହି ସ୍ଥାନର ପ୍ରକୃତି ତଥା ସେହି ସ୍ଥାନରେ ତାଙ୍କର ରହଣିଟି । ନାଇଁ, ସେଇ ମଣିଷମାନେ ନାନାଭାବେ ଏତେ ଏତେ ଅଳ୍ପତା ମଧ୍ୟରେ ବାଧ୍ୟ ହୋଇ ରହିବେ ଓ ସିଏ ଆପେ ଏତେ ଏତେ ସମ୍ପନ୍ନତା ଭିତରେ ସୁରକ୍ଷିତ ହୋଇ ରହିଥିବେ ! ନାଇଁ, ସେକଥା ଆଦୌ ହୋଇ ପାରିବନାହିଁ । ପିଲାଦିନେ ତାଙ୍କ ଜନ୍ମସ୍ଥାନ ବୀରସିଂହ ଗାଆଁଟି ମଧ୍ୟ ତାଙ୍କ ନିଜ ଜୀବନଠାରୁ କେଡ଼େ ଅଭିନ୍ନବତ୍‍ ବୋଧ ହୋଇଥିବ । ସେତେବେଳେ ଆପଣା ଜୀବନର ଏନ୍ତୁଡ଼ିଶାଳ ବୋଲି ହିଁ ସିଏ ଗାଆଁଟି ସହିତ କେଡ଼େ ଘନିଷ୍ଠ ହୋଇ ରହିଥିବେ । ଦୂରତା ହିଁ ନଥିବ । କର୍ମାତାଡ଼ର ମଣିଷମାନେ ତାଙ୍କୁ କେଉଁ ଅନ୍ୟ ମମତାମୟତାର ପରିଚୟ-ସନ୍ଦେଶ ଆଣି ଦେଇ ପାରିଥିଲେ ବୋଲି ସିନା ସିଏ ତାହାରିଦ୍ଵାରା ଆପଣା ହୃଦୟ ମଧ୍ୟରେ ସଂକ୍ରାମିତ ହୋଇ ରହିଥିଲେ-! ହଁ, ସେହି ଅଭିନ୍ନତା, ସେହି ଆତ୍ମୀୟତା, ସେହି ମମତାମୟତା,–ତାହାହିଁ ତ ଏକ ଅନିର୍ବଚନୀୟ ସାର୍ଥକବୋଧରେ ଅନୁକ୍ଷଣ ଧନ୍ୟ କରି ରଖିଥାଏ ଏବଂ ପୃଥିବୀଟା ଯାକ ସତେଅବା ଗୋଟିଏ ଘର ବୋଲି ଲାଗୁଥାଏ ।

 

ବିଦ୍ୟାସାଗର କଲିକତାରେ ହିଁ ରହିଲେ । ନିର୍ଜନତା ମଧ୍ୟରେ ରହିଲେ । ଅସୁସ୍ଥତାକୁ ସ୍ଵୀକାର କରି ନେଇଥିଲେ । ଏବଂ, ଅପେକ୍ଷା କରୁଥିବା ମୁହୂର୍ତ୍ତଟିକୁ ସତେଅବା ଅନୁମତି ମିଳି ଯାଇଥିଲା ।

 

୧୮୯୧ ମସିହା ଜୁଲାଇ ୨୯ ତାରିଖ ଦିନ ଈଶ୍ଵରଚନ୍ଦ୍ର ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ।

 

+ + + +

 

ସାନ ବୀରସିଂହ ଗାଆଁରେ ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ଜନ୍ମ । ପ୍ରଥମ ପାଠପଢ଼ା ସେହିଠାରେ ଅବଧାନଙ୍କ ପାଖରେ । ତା'ପରେ କଲିକତା ନାମକ ତତ୍କାଳୀନ ସମ୍ଭବତଃ ଏକମାତ୍ର ସହରରେ ଆହୁରି ଆଗକୁ ଅଧ୍ୟୟନ,–ଏବଂ ତା'ପରେ ଅଧ୍ୟାପନା । ଇଉରୋପର ଅନ୍ୟ ହାୱାଟି ସହିତ ସେହିଠାରେ ମୁଖ୍ୟତଃ ଇଂରେଜମାନଙ୍କର ସହେଚର୍ଯ୍ୟ-ମାଧ୍ୟମରେ ଏକ ଅନ୍ୟଭଳି ପରିଚୟ-। ଏବଂ, ପରବର୍ତ୍ତୀ ଆଉ ଯାବତୀୟ ପ୍ରୟାସ ସେହି ସହରରେ । ଅଥଚ ଶେଷ ନିଃଶ୍ଵାସ ତ୍ୟାଗ କରିବାଯାଏ ତାଙ୍କର ଚେରଗୁଡ଼ିକ ବୀରସିଂହ ଗ୍ରାମଟି ସହିତ ଲାଗି ରହିଥିଲା । ବୀରସିଂହ ନାମକ ଗ୍ରାମ ଅର୍ଥାତ୍ ବୃହତ୍ତର ତଥା ସମଗ୍ରତର ଏହି ଭାରତବର୍ଷ । ବିଦ୍ୟାସାଗର ନିଜର ଜୀବନରେ ଏପରି ସମ୍ଭବତଃ କୌଣସିଥିରେ ନଥିଲେ, ଯାହାର ଆବେଦନମାନେ ସେହି ବୃହତ୍ତର ଭାରତୀୟ ମୂଳ ନିୟତିଟି ମଧ୍ୟକୁ ପ୍ରସାରିତ ହୋଇ ରହିନଥିଲା ।

 

ସେତେବେଳେ ତାଙ୍କ ସହରଟା ନାନା ଆନ୍ଦୋଳନକୁ ନେଇ ଖାଲି ଟକଟକ ହୋଇ ଫୁଟିବାରେ ହିଁ ଲାଗିଥିଲା । ରାଜା ରାମମୋହନଙ୍କଠାରୁ ଇଂରେଜୀ ମଡ଼େଲ ହେନେରୀ ଡିରୋଜିଓଙ୍କ ପର୍ଯ୍ୟନ୍ତ । କିନ୍ତୁ ସମସ୍ତେ ସେହି ସହରଟାର ବେଢ଼ା ଭିତରେ । ସେପରି କୌଣସି ଅପରାଧ ନକରି ଆମେ ସେହି କାଟର ପ୍ରାୟ ସମସ୍ତଙ୍କୁ ହୁଏତ ଜଣେ ଜଣେ ମିଶନାରି ଭଳି କଳ୍ପନା କରିପାରିବା । ସେମାନେ ସତେଅବା ଗୋଟିଏ ତୁଚ୍ଛା ଶୂନ୍ୟ ଉପରେ ଏକ ନୂଆ ମୂଳଦୁଆ ପକାଇ ନିଜର କ'ଣସବୁ ଟାଉଟାଉ କରି ଗଢ଼ି ପକାଇବାକୁ ଇଚ୍ଛା କରୁଥିଲେ । ମୁଖ୍ୟତଃ ସହରର ମନୁଷ୍ୟମାନଙ୍କୁ ପୋଷାହାତୀ ସଦୃଶ ଦୀକ୍ଷା ଅଥବା ଶିକ୍ଷା ଦେଇ ଭାରତନାମକ ବଣହାତୀଟାକୁ ସତେଅବା ବାନ୍ଧି ପକାଇ କଲିକତା ସହରକୁ ନେଇଯିବାର କ୍ଷାତ୍ରଧର୍ମ ପାଳନ କରିବାରେ ବ୍ୟସ୍ତ ହୋଇ ରହିଥିଲେ । ଏବଂ, ସେମାନଙ୍କ ପାଖରେ ସେମାନଙ୍କ ଆଖିରେ ଆମ ଈଶ୍ଵରଚନ୍ଦ୍ର ନ୍ୟାୟତଃ ବଡ଼ ଖର୍ବ ହୋଇ ହିଁ ଦିଶିଥିବେ । ସେହି ପୁରୁଣା ସଂସ୍କୃତ ଭାଷାରେ କ'ଣସବୁ ପଢ଼ିଛି, ବିଲାତର ମାଟିକୁ ସ୍ପର୍ଶ ହିଁ କରିନାହିଁ । ପୁରୁଣା ସେହି ମରହଟ୍ଟୀଙ୍କ ଭଳି ବେଶ ଏବଂ ପୋଷାକ । ସେମାନଙ୍କୁ ବିଚିତ୍ର ଭଳି ବି ଲାଗିଥିବ । ଏପରିକି ସମସାମୟିକ ଋଷି ବଙ୍କିମଚନ୍ଦ୍ରଙ୍କୁ ମଧ୍ୟ ବିଦ୍ୟାସାଗର ସେତେବେଶୀ ଜଣେ ପସନ୍ଦର ମନୁଷ୍ୟ ବୋଲି ବେଳେ ବେଳେ ମନେ ହେଉନଥିଲେ ।

 

ମାତ୍ର, ବିଚିତ୍ର କଥାଟିଏ ହେଉଛି ଯେ ତାଙ୍କ ତିରୋଧାନର ଦଶଟା ବର୍ଷ ନଯାଉଣୁ ବିଦ୍ୟାସାଗର ସାରା ଭାରତର ସତକୁସତ ଏକାଧିକ ଉଦ୍‍ବେଳନର ଆକାଶରେ କେତେ ଚଟ୍ କରି ଜଣେ ନିଦା ନକ୍ଷତ୍ରରୂପେ ବାରି ହୋଇ ପଡ଼ିଥିଲେ । ତାଙ୍କର କୃତି ଓ କାରଣଗୁଡ଼ିକୁ ନେଇ ମହାରାଷ୍ଟ୍ରରେ ଆଲୋଚନା ହେଲା, ସୁଦୂର ଦକ୍ଷିଣ ଆଫ୍ରିକାରେ ଏକ ଅଭିନବ ସଂଗ୍ରାମରେ ସଂପୃକ୍ତ ଥିବା ମୋହନଦାସ କରମଚାନ୍ଦ ଗାନ୍ଧୀ ମଧ୍ୟ ନିଜ କାଗଜରେ ତାଙ୍କ ବିଷୟରେ ଲେଖାଟିଏ ଲେଖି ପ୍ରକାଶ କରିଥିଲେ । ଭାରତବର୍ଷୀୟ ସାଂପ୍ରତିକ ସଂକ୍ରମଣଗୁଡ଼ିକର ଇତିହାସରେ ଏହାର କୌଣସି ଦ୍ଵିତୀୟ ଦୃଷ୍ଟାନ୍ତଟିଏ ହୁଏତ କେଉଁଠିହେଲେ ମିଳିବନାହିଁ । ଏବଂ, ଖୁବ୍ ସ୍ପଷ୍ଟ କଥା ଯେ ବିଦ୍ୟାସାଗରଙ୍କର ବିଦ୍ୟାର ସେହି ଆକର୍ଷଣର ଆଦୌ ପ୍ରଧାନ କାରଣ ନୁହେଁ । କୋଉ କାଳରେ ବିଦ୍ୟାର ଖାସ୍ ସେହି ଦରବାରରେ ତୁଙ୍ଗ ଏବଂ ଉତ୍ତୁଙ୍ଗ ଅସାଧାରଣମାନେ ନଥିଲେ ଯେ ବିଦ୍ୟାସାଗରଙ୍କର ପରି ନିତାନ୍ତ ଜନୈକ ଗାଉଁଲି ପଣ୍ଡିତବ୍ୟକ୍ତି ଦେଶର ଚାରିଆଡ଼େ ବହୁତ ଆଗକୁ ଦେଖି ପାରୁଥିବା ଏକାଧିକଙ୍କ ଲାଗି ସତକୁସତ ଏକକ ଆକର୍ଷକ ହୋଇ ପାରିଲେ । ବର୍ତ୍ତମାନ ଏହି ଅବାଗିଆ ହୁଣ୍ଡା କାଳଟାରେ ମଧ୍ୟ ଭାରତବର୍ଷରେ ବିଦ୍ୟାବାରିଥିମାନଙ୍କର ଆଦୌ କୌଣସି ଅଭାବ ଅଛି ? ବିଦ୍ୟା ଅର୍ଜନ କରିଥିବା ପ୍ରବୀଣମାନେ ବି ଏଠି କି ସାବଲୀଳତା ସହିତ ଖାଲି ହୁଣ୍ଡା ନୁହନ୍ତି, ହୃଦୟହୀନ ବି ହୋଇ ପାରୁଛନ୍ତି ! ପୁନଶ୍ଚ, କେତେ ଚରିତକାର ବହୁ ଶ୍ରଦ୍ଧାରେ ତାଙ୍କୁ ଦୟାର ସାଗର ବୋଲି ମଧ୍ୟ କହିଛନ୍ତି । ସମ୍ଭବତଃ ପ୍ରଧାନତଃ ସେହିପରି ଏକ ଦୃଷ୍ଟିଦ୍ଵାରା ପରିଚାଳିତ ହୋଇ ଆମ ଭକ୍ତକବି ମଧୁସୂଦନ ମଧ୍ୟ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ସକାଶେ ସାହିତ୍ୟବହି ଲେଖିଲାବେଳେ ବିଦ୍ୟାସାଗରଙ୍କୁ ଦୟାର ସାଗରରୂପେ ପରିଚିତ କରାଇ ଲେଖାଟିଏ ଲେଖିବାପାଇଁ ଉଚିତ ମଣିଥିଲେ ! ପ୍ରଚଣ୍ଡ ପରିମାଣର ଦୟାଳୁ ବ୍ୟକ୍ତି ଆମର ଏହି ଭୂମିଟିରେ ପ୍ରକୃତରେ କେଉଁ ଯୁଗରେ ନଥିଲେ ! ସେମାନେ ଏବେ ମଧ୍ୟ ରହିଛନ୍ତି । ଆମର ଏହି ଅରକ୍ଷିତ ଜଙ୍ଗଲଟାରେ ଶ୍ଵାପଦରାଜ ସିଂହ ଭଳି ଶୋଭାମୟ ଦିଶୁଛନ୍ତି । ଯୋଉ ଭଗବାନ ହୁଅନ୍ତୁ ପଛକେ, ତାଙ୍କରି କରୁଣାରୁ ସେମାନେ ଏତେ ଏତେ ବିତ୍ତର ଅଧିକାରୀ ହୋଇଛନ୍ତି ଏବଂ ଶତହସ୍ତ ହୋଇ ଦୟାପ୍ରଦର୍ଶନ କରୁଛନ୍ତି । ସେମାନେ ଆମ ସଂସ୍କୃତିର ରକ୍ଷଣାବେକ୍ଷଣ କରୁଛନ୍ତି । ଦୟାଳୁତାର ଆଦୌ କୌଣସି ବିବେଚନା କରୁଥିବା ସମୟରେ ଆମେ ନିତାନ୍ତ ଅତିବେଶୀ ନହୋଇଥିଲେ ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟସାଗରଙ୍କୁ କେବେହେଲେ ବି ସେହି କାଟର ଦୟାବାନମାନଙ୍କର ଧାଡ଼ିରେ ଏକାଠି ନେଇ ବସାଇ ଦେବାକୁ ଇଚ୍ଛା ହିଁ କରିବାନାହିଁ ।

 

ବୀରସିଂହ ବିଦ୍ୟାସାଗର ଜୀବନ-ଅନ୍ୱେଷଣର ପ୍ରାୟ ସେହିକାଳର ଗୋଟିଏ ସାଧାରଣ ପ୍ରକ୍ରିୟାରେ ସୁଅରୁ କଲିକତାଯାଏ ଆସିଲେ । କଲିକତା ସହିତ ପୁଣି ଏକ ପରବର୍ତ୍ତୀ କାଳରେ କର୍ମାତାଡ଼ର ସାନ୍ତାଳବସ୍ତିକୁ ଯୋଡ଼ିଲେ । ତାଙ୍କ ଅନ୍ତିମକାଳର ଏକ ମୁହୂର୍ତ୍ତରେ ଯେତେବେଳେ ଏକ ପରାମର୍ଶ ଦେଇ ଜଣେ ତାଙ୍କୁ କର୍ମାତାଡ଼ରେ ଯାଇ ରହିବାକୁ କହିଲେ, ସେତେବେଳେ ତାହାର ଆବଶ୍ୟକତାକୁ ଖୁବ୍ ଉପଲବ୍ଧି କରୁଥିଲେ ମଧ୍ୟ ଈଶ୍ଵରଚନ୍ଦ୍ର ସେଥିରେ ସମ୍ମତ ହୋଇ ନଥିଲେ । କର୍ମାତାଡ଼ରେ ସେହି ଲୋକମାନେ ଯେତେବେଳେ ସତକୁସତ ଗୋଟାଏ ବକ୍ତରେ ଏତେ ଚାଉଳ, ଏତେ ଡାଲି ଆଉପୂରା ସେରେ ମାଉଁସ ଖାଇ ପାରୁଥାନ୍ତେ, ସେତେବେଳେ ସେମାନେ ମାତ୍ର ପାଏ ମକ୍କାଚୂନାରେ ଉଦରଶାନ୍ତି କରିବାପାଇଁ ବାଧ୍ୟ ହେଉଥିବା ବେଳେ ସିଏ ସେଠାରେ ଜଣେ ଗେଲବସର ଅନନ୍ୟ ସଦୃଶ ପରିପୂର୍ଣ୍ଣ ହେପାଜାତରେ ରହିବେ,–ନାଇଁ, ନାଇଁ, ଏକଥା କଦାପି ହୋଇ ପାରିବନାହିଁ । ତାଙ୍କର ରକ୍ତମାଂସର ଶରୀରଟା ସେହି କର୍ମାତାଡ଼ର ବଞ୍ଚିତ ମଣିଷଙ୍କର ରକ୍ତ ଏବଂ ମାଂସ ସହିତ ସେଭଳି କୌଣସି ଆତ୍ମିକ ବିରାଦରୀ ଅବଶ୍ୟ ରହିଛି ବୋଲି ନିତାନ୍ତ ବାସ୍ତବ ଭାବରେ ଉପଲବ୍ଧି କରି ପାରୁଥିଲା ବୋଲି ସିନା ବିଦ୍ୟାସାଗର ସେପରି କଥାଟିଏ କହିପାରିଲେ । ଦୟାଳୁ, ତଥାକଥିତ ସେହି ଦୟାନାମକ ଶିବିରରେ ପୂରା ଶୁଖିଲାପାଚିଲା ଭିତରେ ଆତଯାତ ହେଉଥିବା ବାବୁମାନେ କେବେହେଲେ ସେତେ ପର୍ଯ୍ୟନ୍ତ ଯାଇ ପାରନ୍ତେ ନାହିଁ । ସେହି ସିନ୍ଦୂରା ଫାଟୁଥିବାର ପ୍ରଥମ ଉନ୍ମେଷକାଳରେ ବିଦ୍ୟାସାଗର ସାରା ପୃଥିବୀଲାଗି ବିଧାତାଙ୍କଦ୍ଵାରା ପ୍ରସ୍ତୁତ ହେଉଥିବା ଏକ ଅନ୍ୟ ଉନ୍ମୋଚନର ବାଣୀକୁ ଆପଣାର ଅନ୍ତରେନ୍ଦ୍ରିୟଗୁଡ଼ିକର ସ୍ତରରେ ସତକୁସତ ଶୁଣି ବି ପାରିଥିଲେ କି ? ଏବଂ, ସସ୍ତୁତଃ ସେଇଥିରେ ହିଁ ସକଳ ଯଥାର୍ଥ ବିଦ୍ୟାର ସବୁଯାକ ଗୌରବ ନିହିତ ହୋଇ ରହିଥାଏ ।

 

ଆମ ପୃଥିବୀରେ ଆମେ ଦୂରଦୂରର ମଣିଷମାନେ ଯହୁଁ ଯହୁଁ କ୍ରମେ ଅଧିକରୁ ଅଧିକ ପରସ୍ପରର ନିକଟବର୍ତ୍ତୀ ହୋଇ ଆସୁଛୁ, ତହୁଁ ତହୁଁ ଅଧିକ ଏକ ନିଷ୍ଠାପର ଅଙ୍ଗୀକାରବୋଧ ସହିତ ଆମ ଆଗରେ ଚେତନା ନାମକ ସେହି ନୂଆ ଆହ୍ଵାନଟି ସଂପ୍ରସାରିତ ହୋଇଯିବାରେ ଲାଗିଛି । ଧର୍ମଚେତନା, ସଦାଚାର-ଚେତନା, ନାଗରିକ-ଚେତନା, ପୃଥ୍ଵୀ-ଚେତନା, ମାନବ-ଚେତନା,–ଏହିପରି କେତେ କେତେ ଚେତନାର ହିଁ କଥା । ସତେଅବା ସେହି ଗୋଟିଏ ଚେତନାର ହିଁ କଥା, ବହୁପ୍ରକାର ନାମରେ । ଏବଂ, ଏହି ସକଳ ଅବକାଶରେ ଅସଲ ସତକଥାଟି ବି ହେଉଛି ଯେ,–ପୃଥିବୀନାମକ ଏହି ଭୂମିଟି ଉପରେ ଜଣେ ମନୁଷ୍ୟ ହିସାବରେ ମୋ'ର ଅବଶ୍ୟ କିଛି ଅଧିକାର ରହିଛି । ମୋ'ର ଅଧିକାର ରହିଛି, ତେଣୁ ସମସ୍ତଙ୍କର ଅଧିକାର ରହିଛି; ସମସ୍ତଙ୍କର ଅଧିକାର ରହିଛି, ତେଣୁ ମୋ’ର ଅଧିକାର ରହିଛି, ମଣିଷମାତ୍ରକେ ଆମ ସମସ୍ତଙ୍କର, ବୀରସିଂହରୁ କଲିକତା ଏବଂ କଲିକତାରୁ କର୍ମାତାଡ଼୍ । ମୋ' ଦେଶରେ ତଥା ମୋ' ଗାଆଁରେ ମଧ୍ୟ । ଏହି ପଥଟି ପ୍ରକୃତରେ କ'ଣ ସର୍ବତ୍ର ବୀରସିଂହରୁ ଆରମ୍ଭ ହୋଇ କଲିକତା ବାଟ ଦେଇ କର୍ମାତାଡ଼୍ ଯାଏ ଅର୍ଥାତ୍ ବୀରସିଂହଯାଏ ପଡ଼ିଛି କି ? କେବଳ ସହରଟାର ସଂସ୍କୃତ କଲେଜ ଅଥବା ମେଟ୍ରୋପୋଲିଟାନ୍ ଏଇଟା ବା ସେଇଟା ନୁହେଁ, ବୀରସିଂହ ଗାଆଁଟା ନିମନ୍ତେ ବି ସ୍କୁଲ ଏବଂ ଗାଈ ଜଗୁଥିବା ପିଲାଙ୍କ ସକାଶେ ରାତିରେ ସ୍କୁଲ, କର୍ମାତାଡ଼ରେ ମଧ୍ୟ ସାନ୍ତାଳମାନଙ୍କ ନିମନ୍ତେ ରାତିରେ ପାଠ ପଢ଼ିବାର ଅର୍ଥାତ୍ ଆଖି ଖୋଲି ସମଗ୍ର ପୃଥିବୀଟିକୁ ଦେଖି ପାରିବାର ବ୍ୟବସ୍ଥା । ଆଖି ଆଗ ନଖୋଲିଲେ ତଥାକଥିତ ହୃଦୟଟା ମଧ୍ୟ ପୁଣି ଖୋଲିବ କିପରି । କଲିକତାରେ ଥାଇ ମଧ୍ୟ ଶ୍ରୀ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଏକ ସହୃଦୟତାପୂର୍ଣ୍ଣ ପ୍ରସାରଣଦ୍ଵାରା ବୀରସିଂହ ଏବଂ କର୍ମାତାଡ଼କୁ ମଧ୍ୟ ଯେ ଦେଖି ପାରିଥିଲେ ଅର୍ଥାତ୍ ନିତାନ୍ତ ସ୍ଵାଭାବିକ ଭାବରେ ସ୍ଵୀକାର କରିନେଇ ପାରିଥିଲେ, ସୁନିଶ୍ଚିତ ଭାବରେ ସେଇଟି ହିଁ ତାଙ୍କର ଅନନ୍ୟତା । ସେତେବେଳର ତାଙ୍କ ପରିଚୟରେ ଆସିଥିବା ପଦସ୍ଥ ଇଂରାଜମାନେ ଯେ ଏତେ ସମ୍ମାନ ଏବଂ ସ୍ଵୀକୃତି ଦେଇ ବିଦ୍ୟାସାଗରଙ୍କୁ ଚିହ୍ନି ପାରିଲେ, ଆମେ ଏଇଟିକୁ ହିଁ ତା'ର ଏକ ବିଶେଷ କାରଣ ବୋଲି ଅନୁମାନ କରି ପାରିବା କି ?

 

ବିଦ୍ୟାସାଗର ସମ୍ମାନ ଚାହିନଥିଲେ, ସେ ସମ୍ମାନ ପାଇଥିଲେ । ସମ୍ମାନ ଚାହିନଥିଲେ ବି ସିଏ ଏତେ ସମ୍ମାନ ପ୍ରକୃତରେ ପାଇଥିଲେ କି ? ସମ୍ମାନ ନଚାହୁଥିବା ଓ ସମ୍ମାନ ଦାବୀ ନକରୁଥିବା ଜଣେ ବ୍ୟକ୍ତି ହିଁ ସଚରାଚର ଏତେ ସମ୍ମାନର ଭାଜନ ହୋଇଥାଏ । ଅଧିକ ଦିନପାଇଁ ଅଧିକ ମନୁଷ୍ୟଙ୍କର ମନେ ରହିପାରେ । ଆଗ ସମ୍ମାନ ଚାହୁଥିବା ଓ ଲୋଡ଼ୁଥିବା ଖାସ୍ ମଣିଷମାନେ ଭାରି ସହଜରେ ଧରା ପଡ଼ିଯାଆନ୍ତି । ସମସାମୟିକ ସଂସାରଟି ଲାଗି ସେମାନଙ୍କର ପ୍ରାୟ କୌଣସି ସ୍ଥାୟୀ ଅବଦାନ ନଥାଏ । ଚାର୍ଲସ୍ ଡାରଉଇନ୍ ପ୍ରାୟ ଦେଢ଼ଶହ ବର୍ଷ ତଳେ ବିବର୍ତ୍ତନବାଦର କଥା କହିଥିଲେ । ସିଏ ସେହି ପ୍ରକ୍ରିୟାଟି ବିଷୟରେ ନିଜର ବ୍ୟାଖ୍ୟାମାନଙ୍କରେ ଜୀବମାନଙ୍କର ଏହି ଜଗତ ନାନା ଅନୁକୂଳ ତଥା ପ୍ରତିକୂଳ ପରିବେଶମାନଙ୍କର ସଦା ଆହ୍ଵାନମୟ ଆହବଟି ମଧ୍ୟରେ ବହୁ ପରଶର ସମ୍ମୁଖୀନ ହୋଇ, କେତେବେଳେ ସ୍ଵୀକୃତ ତଥା ପୁଣି କେତେବେଳେ ପ୍ରତ୍ୟାଖ୍ୟାତ ହୋଇ କିପରି ଏଯାଏ ଆସି ପାରିଛି, ଡାର୍‍ଉଇନ୍ ତାହାକୁ ଯଥାସମ୍ଭବ ଏକ ବୈଜ୍ଞାନିକ ଛାଞ୍ଚ ଭିତରେ ପକାଇ କହିବାକୁ ପ୍ରାୟସ କରିଛନ୍ତି । ତା'ପରେ ମଣିଷମାନେ ଆସୁ ଆସୁ ଏକ ସମାଜର ଭିତ୍ତି ଉପରେ ବିବର୍ତ୍ତନ ଧାରାଟି ଆଗକୁ ଯାଇଛି । ପୁରୁଣା ନୂଆର ସଂଘାତ ଲାଗି ରହିଛି ଏବଂ ଏକ ସଚେତନ ଅସ୍ତିତ୍ଵ ହିସାବରେ ମଣିଷ ବି ତାକୁ ଏକ ବିଶେଷ ଗତି ଆଣି ଦେଇଛି, ଦିଗଗୁଡ଼ିକୁ ମଧ୍ୟ ଯୋଗାଇ ଦେଇଛି, ତଥାପି ବିବର୍ତ୍ତନ ଲାଗିରହିଛି । ସେଥିରେ ଆଉ କେତେ ବାଟ ବାକି ରହିଛି ବୋଲି କେହି ଏକ ପ୍ରଶ୍ନ ପଚାରିଲେ ତାହା ମୋଟେ ପ୍ରାସଙ୍ଗିକ ହେବନାହିଁ । କିନ୍ତୁ ସ୍ଵପ୍ନମାନେ ସର୍ବଦା ରହିଛନ୍ତି । ଏହି ଭୂମିକୁ ନେଇ ସ୍ଵପ୍ନ, କୌଣସି ଏକ ସ୍ଵର୍ଗକଳ୍ପନାକୁ ଭୂମିଯାଏ ଅବତୀର୍ଣ୍ଣ କରାଇଆଣି ସାକାର କରିବାର ସ୍ୱପ୍ନ,–ଭଗବତ୍‍କଳ୍ପନାରୁ ଆରମ୍ଭ କରି ଭାଗବତ କଳ୍ପନାଯାଏ ଭଳି ଭଳି ବିବିଧ ସ୍ଵପ୍ନମାନ । ବ୍ୟକ୍ତିକୁ ଅର୍ଥାତ୍ ନିଜକୁ ନେଇ ସ୍ଵପ୍ନ; ସମାଜକୁ, ଦେଶକୁ ତଥା ସବୁ ମଣିଷଙ୍କୁ ନେଇ ସ୍ଵପ୍ନ । ବ୍ୟକ୍ତିକୁ ନେଇ ସମାଜର ସ୍ଵପ୍ନ ତଥା ସମାଜକୁ ନେଇ ବ୍ୟକ୍ତିର ମଧ୍ୟ ସ୍ଵପ୍ନ । ବିପୁଳ ସମବେତ ସହଯାତ୍ରାରେ ଆମେ ସମସ୍ତେ,–କିଏ ନାୟକ, ପୁଣି ଆଉ କିଏ ଖଳନାୟକ; କିଏ ସହାୟକ ଏବଂ କିଏ ପୁଣି ପ୍ରତିବନ୍ଧକ । ସ୍ଵାର୍ଥ, ପରାର୍ଥ ଏବଂ ନ୍ୟସ୍ତସ୍ଵାର୍ଥ କେତେ କଅଣ । ଆମେ ଯିଏ ବି ଯେଉଁ ତାରାଟିକୁ ଦୃଷ୍ଟି ସମକ୍ଷରେ ରଖି ସେହି ଯାତ୍ରାରେ ବାହାରିଥାଉ ପଛକେ, ଇଚ୍ଛା କରିବା ମାତ୍ରକେ ଆପଣାର ପଥ ଉପରେ ବିଦ୍ୟାସାଗରଙ୍କୁ ଗୋଟିଏ ମାଇଲଷ୍ଟୋନ୍ ହୋଇ ରହିଥିବାର ଅବଶ୍ୟ ଦେଖିବାକୁ ପାଇବା । ବିଶେଷ କରି ଆମ ଭାରତବର୍ଷରେ ଆମେ ସମସ୍ତେ ।

 

ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ମାୟାବାଦୀ ନଥିଲେ । ଆମ ଚତୁର୍ଦ୍ଦିଗର ଏହି ଚଳନ୍ତି ପୃଥ୍ଵୀଜୀବନର ଯାବତୀୟ ଚର୍ଚ୍ଚା ତଥା ବିଚାରଣାର କ୍ଷେତ୍ରରେ ମାୟାବାଦୀମାନଙ୍କୁ ଜଣେ ଜଣେ ନିର୍ଧୂମ ନାସ୍ତିକ ବ୍ୟତୀତ ପ୍ରକୃତରେ ଆଉ କ'ଣ ବୋଲି ବା କୁହାଯାଇ ପାରିବ ? ଏଇଥିରୁ ହିଁ ବୁଝିହେବ, ତତ୍କାଳୀନ ସଂସ୍କୃତ କଲେଜର ପାଠ୍ୟକ୍ରମରୁ ମାୟାବାଦଦ୍ଵାରା ଆକ୍ରାନ୍ତ ହୋଇ ରହିଥିବା ବେଦାନ୍ତ-ଦର୍ଶନକୁ ବାଦ୍ ଦିଆଯାଉ ବୋଲି ବିଦ୍ୟାସାଗର କାହିଁକି ଏତେ ଗୁରୁତ୍ଵ ପ୍ରଦାନ କରିଥିଲେ-! ଏବଂ, ସେଇଟିକୁ ନେଇ କର୍ତ୍ତାମାନଙ୍କ ସହିତ ରାଜି ହୋଇ ନପାରିବାରୁ ସିଏ ବହୁତ ବେତନ ମିଳୁଥିବା ନିଜର ପଦଟିକୁ ପରିତ୍ୟାଗ କରି ବାହାରି ମଧ୍ୟ ଆସିଥିଲେ । ଏହି ଦୃଷ୍ଟାନ୍ତଟି କେବଳ ବିଦ୍ୟାସାଗରଙ୍କର ଜୀବନରେ ହିଁ ସମ୍ଭବ ହୁଅନ୍ତା । ଏହିପରି ଏକ ଜୀବନକୁ ଆମେ ସଂଘର୍ଷ ବୋଲି କହିବା ନା ଏକ ଯଥାର୍ଥ ଶ୍ରଦ୍ଧା ବୋଲି କହିବା ? ଆଉକିଛି ଅଧିକ ପାଇଁ ଶ୍ରଦ୍ଧା, ତେଣୁ ଯେତିକି ଯେପରି ଅଛି, ତାକୁ ସେତିକି ମଧ୍ୟରେ ହିଁ ଘେରାଇ ରଖିବାକୁ ଏବଂ ଆଉ ଆଗକୁ ବାଟ ନଛାଡ଼ୁଥିବା ସେମାନଙ୍କ ସହିତ ସଂଘର୍ଷ । ପୃଥିବୀର ଇତିହାସରେ ଯେଉଁମାନେ ସତକୁସତ ନୂତନଗୁଡ଼ିକ ନିମନ୍ତେ ବାଟମାନଙ୍କୁ ଖୋଲିଦେବାକୁ ହିଁ ନିଜ ଜୀବନର ଯଥାର୍ଥ ଶ୍ରଦ୍ଧା ବୋଲି ଗ୍ରହଣ କରିଛନ୍ତି, ବାହାରେ ବାହାରେ ରହିଥିବା ଆମ ବହୁତଙ୍କ ଆଖିକୁ ସେମାନେ ମୁଖ୍ୟତଃ ସତେଅବା ନିତାନ୍ତ ଏକପାଖିଆ ଭାବରେ ଜଣେ ଜଣେ ସଙ୍ଘର୍ଷର ମନୁଷ୍ୟବତ୍ ପ୍ରତୀତ ହୋଇ ଆସିଛନ୍ତି-। ବିଦ୍ୟାସାଗର ଜଣେ ଶ୍ରଦ୍ଧାର ମଣିଷ ଥିଲେ,–ଏବଂ ତେଣୁ ସାହସ କରି ପାରିଲେ । ଆପଣାର ସକଳ ପଦକ୍ଷେପ ନିମନ୍ତେ ସେ ସତେଅବା ନିଜର ଭିତରୁ ହିଁ ଆବଶ୍ୟକ ପ୍ରତ୍ୟୟଟିକୁ ପାଇ ଯାଉଥିଲେ । ବାହାରେ ବହୁ ବହୁ କ୍ଷେତ୍ରରୂପେ ବିଦ୍ୟମାନ ରହିଥିବା ଆମର ଏହି ତାତ୍କାଳିକତାଗୁଡ଼ିକୁ କେଡ଼େ ଶ୍ରଦ୍ଧା ଅର୍ଥାତ୍ ଆତ୍ମୀୟତା ସହିତ ଦେଖିଲେ ଯେ ଭିତରୁ ପ୍ରତ୍ୟୟଟି ମିଳିଯାଏ, ଆମ ସକଳଙ୍କ ନିମନ୍ତେ ଶ୍ରୀଯୁକ୍ତ ବିଦ୍ୟାସାଗର ସେହି ସତ୍ୟଟିର ଏକ ନିତ୍ୟଦୃଷ୍ଟାନ୍ତ ହୋଇ ରହିଥିବେ । ବାହାରଟି ସହିତ ଏକ କପଟରହିତ ଅଙ୍ଗୀକାରବଦ୍ଧତା ହିଁ ଆମ ଭିତରେ ଅସଲ ଜୁଆରଟିକୁ ଆସି ଖୋଲି ଦେଇଯାଏ ।

☆☆☆

 

Unknown

ପରିଶିଷ୍ଟ

-୧-

ଈଶ୍ଵରଚନ୍ଦ୍ର ବିଦ୍ୟାସାଗର

ମଧୁସୂଦନ ରାଓ (୧୮୫୩-୧୯୧୨)

 

ଲୋକେ ମନେ କରନ୍ତି ଯେ ସେହି ବଡ଼ଲୋକ, ଯାହାର ବହୁ ଧନ, କୋଠାବାଡ଼ି, ଯାନବାହନ, ଏବଂ ବହୁ ଆଜ୍ଞାକାରୀ ଭୃତ୍ୟ ଅଛନ୍ତି; କିନ୍ତୁ ପ୍ରକୃତ ବଡ଼ଲୋକ, ଯଥାର୍ଥ ବଡ଼ଲୋକ ସେହି, ଯେ ନିଜର ଜ୍ଞାନ, ସାଧୁଚରିତ୍ର ଓ ସଦ୍‍ଗୁଣଦ୍ଵାରା ପୃଥିବୀର ହିତସାଧନ କରେ । ତାହାର ଟଙ୍କାକଉଡ଼ି, କୋଠାବାଡ଼ି, ଗାଡ଼ିଘୋଡ଼ା ଏବଂ ଦାସଦାସୀ ନଥିଲେ ସୁଦ୍ଧା ସେ ଅତି ଦରିଦ୍ର ହୋଇଥିଲେ ହେଁ; ସେ ପ୍ରକୃତ ବଡ଼ଲୋକ, ସେ ପୃଥିବୀର ଅଳଙ୍କାରସ୍ୱରୂପ, ସେ ମନୁଷ୍ୟ ହୋଇ ସୁଦ୍ଧା ଦେବତାତୁଲ୍ୟ ଭକ୍ତିଭାଜନ । ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ସେହିଭଳି ବଡ଼ଲୋକ । ଈଶ୍ଵରଚନ୍ଦ୍ର ଜଣେ ଦରିଦ୍ର ବ୍ରାହ୍ମଣର ଗୃହରେ ଗୋଟିଏ କ୍ଷୁଦ୍ର କୁଟୀରରେ ଜନ୍ମଗ୍ରହଣ କରିଥିଲେ । ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ବୀରସିଂହ ଗ୍ରାମରେ ଖ୍ରୀଷ୍ଟାବ୍ଦ ୧୮୨୦ ସାଲରେ ତାହାଙ୍କର ଜନ୍ମ ହୋଇଥିଲା । ଶୈଶବକାଳରେ ସେ ବଡ଼ ଚଞ୍ଚଳ ଓ ଅମାନିଆ ଥିଲେ; କିନ୍ତୁ ତାଙ୍କର ବୁଦ୍ଧି ଓ ସ୍ମରଣଶକ୍ତି ଯେ ଅସାଧାରଣ ଥିଲା, ତାହା ସେହି ସମୟରୁ ଜଣା ପଡ଼ିଥିଲା । ସେ ପାଞ୍ଚବର୍ଷ ବୟସରେ ବିଦ୍ୟାରମ୍ଭ କରି, ଦୁଇ ତିନିବର୍ଷ ମଧ୍ୟରେ ପାଠଶାଳାରେ ଯେଉଁ ସବୁ ବିଷୟରେ ଶିକ୍ଷା ହୁଏ, ସେସବୁ ଶିଖି ପକାଇଲେ । ଏହି ସମୟରେ ତାଙ୍କ ପିତା ଠାକୁରଦାସ ବନ୍ଦୋପାଧ୍ୟାୟ କଲିକତା ନଗରରେ ଦଶଟଙ୍କା ବେତନରେ କାର୍ଯ୍ୟ କରୁଥିଲେ । ଗ୍ରାମ୍ୟ ପାଠଶାଳାର ଶିକ୍ଷକ ତାଙ୍କୁ ଦିନେ କହିଲେ, ''ଆପଣଙ୍କ ପୁତ୍ରର ପାଠଶାଳା ଶିକ୍ଷା ଶେଷ ହୋଇଅଛି । ସେ ବଡ଼ ବୁଦ୍ଧିମାନ୍ ଓ ମେଧାବୀ । ତାହାକୁ କଲିକତାରେ ଇଂରାଜୀ ଶିଖାଉନ୍ତୁ ।'' ଠାକୁର ଦାସ ତାଙ୍କର ଆୟ ଦଶଟଙ୍କା ମଧ୍ୟରୁ ପାଞ୍ଚଟଙ୍କା ଗ୍ରାମକୁ ଘର ଖର୍ଚ୍ଚ ପାଇଁ ପଠାଇ ଅବଶିଷ୍ଟ ପାଞ୍ଚଟଙ୍କାରେ ପିତାପୁତ୍ର ଉଭୟେ ଚଳିବେ, ଏହି ବିଚାର କରି ପୁତ୍ରକୁ ସଙ୍ଗରେ ନେଇ କଲିକତା ଯାତ୍ରା କଲେ ।

 

ସେତେବେଳେ ଈଶ୍ଵରଚନ୍ଦ୍ରଙ୍କ ବୟସ ପ୍ରାୟ ୯ ବର୍ଷ । ପିତା ତାହାଙ୍କୁ ସଂସ୍କୃତ କଲେଜ ନାମକ ସଂସ୍କୃତ ଶିକ୍ଷାର ବଡ଼ ବିଦ୍ୟାଳୟରେ ସଂସ୍କୃତ ବ୍ୟାକରଣ ଶିକ୍ଷାର ତଳ ଶ୍ରେଣୀରେ ବସାଇ ଦେଇ ଆସିଲେ । ଈଶ୍ଵରଚନ୍ଦ୍ର ଅଳ୍ପକାଳ ମଧ୍ୟରେ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ପାଞ୍ଚଟଙ୍କାର ମାସିକ ବୃତ୍ତି ପାଇଲେ । କଲିକତାରେ ସେ ଯେଉଁ ଘରେ ଥିଲେ, ତାହା ଗୋଟିଏ ଅତି କ୍ଷୁଦ୍ର କୁଟୀର । ବିଦ୍ୟାଶିକ୍ଷା କରିବାକୁ ଆସି ସେହିଠାରେ ନାନା ଦୁଃଖ କ୍ଳେଶ ମଧ୍ୟରେ ତାହାଙ୍କୁ ବାଲ୍ୟକାଳ ଯାପନ କରିବାକୁ ହୋଇଥିଲା । ନବମବର୍ଷ ଦିନୁ ତାହାଙ୍କୁ ରାନ୍ଧିବା, ବାସନ ଧୋଇବା, ପରିବା କାଟିବା, ଘର ଝାଡ଼ିବା ପ୍ରଭୃତି କାର୍ଯ୍ୟ କରିବାକୁ ହେଉଥିଲା । ତାଙ୍କ ପଢ଼ାଶୁଣା ପ୍ରତି ପିତାଙ୍କର ବିଶେଷ ଦୃଷ୍ଟି ଥିଲା । ସେ ପ୍ରତିଦିନ ଏକପ୍ରହର ରାତ୍ରି ସମୟରେ କାର୍ଯ୍ୟ ସ୍ଥାନରୁ ଫେରିଆସି ପୁତ୍ରଠାରୁ ସେଦିନର ସମଗ୍ର ପଢ଼ା ନେଉଥିଲେ । ସମୁଦାୟ ପାଠ ଘୋଷି ଓ ପଇଟାଇ ପିତାଙ୍କ ନିକଟରେ ପ୍ରତିଦିନ ପୁତ୍ରକୁ ପାଠର ଆବୃତ୍ତି କରିବାକୁ ହେଉଥିଲା । ଆବୃତ୍ତି କରିବାରେ ଟିକିଏ ଭୁଲ୍ ହେଲେ, କିମ୍ବା ପଢ଼ୁ ପଢ଼ୁ ଶୋଇପଡ଼ିଲେ ପିତା ପୁତ୍ରକୁ ପ୍ରହାରଦ୍ଵାରା ଶାସନ କରୁଥିଲେ, ଏବଂ ପାହାନ୍ତି ରାତ୍ର ସମୟରେ ପୁତ୍ରକୁ ଉଠାଇ ସଂସ୍କୃତ ଶ୍ଳୋକ ଶିଖାଉଥିଲେ । ଏହିପରି କଠୋର ଶାସନରେ ଈଶ୍ଵରଚନ୍ଦ୍ର କ୍ରମେ କ୍ରମେ ବିଦ୍ୟାର୍ଜନ କରିବାକୁ ଲାଗିଲେ । ବ୍ୟାକରଣ ଶ୍ରେଣୀରୁ କାବ୍ୟଶ୍ରେଣୀକୁ, କାବ୍ୟଶ୍ରେଣୀରୁ ଅଳଙ୍କାରଶାସ୍ତ୍ରର ଶ୍ରେଣୀକୁ, ଅଳଙ୍କାର ଶ୍ରେଣୀରୁ ସୃତି ନ୍ୟାୟବେଦାନ୍ତ ପ୍ରଭୃତି କଠିନ ଶାସ୍ତ୍ର ଶିକ୍ଷାର ଶ୍ରେଣୀକୁ ଉନ୍ନୀତ ହୋଇ, ସେସବୁ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଉଚ୍ଚତର ବୃତ୍ତି ଓ ପୁରସ୍କାରମାନ ପାଇବାକୁ ଲାଗିଲେ । ପିତା ପୁତ୍ରଦ୍ୱୟଙ୍କର ବିବାହ ଯୋଗୁଁ ଋଣଗ୍ରସ୍ତ ହୋଇଥିବାରୁ ଈଶ୍ଵରଚନ୍ଦ୍ରଙ୍କ ଅର୍ଜିତ ବୃତ୍ତି ଓ ପୁରସ୍କାର ଟଙ୍କା ପରିଶୋଧ କରିବାରେ ବ୍ୟୟିତ ହୋଇଯାଉଥିଲା; ତେଣୁ ତାଙ୍କ ଖାଇବାର ବ୍ୟବସ୍ଥା ପୂର୍ବପରି କଷ୍ଟକର ରହିଥିଲା । ଈଶ୍ଵରଚନ୍ଦ୍ର ଏହିପରି ବାଲ୍ୟ ଓ ଯୌବନରେ ବହୁ ଦୁଃଖ କ୍ଳେଶ ସହି, ପ୍ରଫୁଲ୍ଲଚିତ୍ତରେ ବାସଗୃହର ସବୁ କାର୍ଯ୍ୟ ନିଜ ହସ୍ତରେ କରି ଏବଂ ପ୍ରଗାଢ଼ ପରିଶ୍ରମ ସହକାରେ କଠିନ ଶାସ୍ତ୍ରମାନ ଆୟତ୍ତ ଏବଂ ବ୍ୟାକରଣ କାବ୍ୟ ପ୍ରଭୃତି ସବୁ ବିଷୟରେ ଅସାଧାରଣ ପାଣ୍ଡିତ୍ୟ ଲାଭ କରି କଲେଜର ଶେଷ ପରୀକ୍ଷାରେ ବହୁ ପ୍ରଶଂସା ସହିତ ଉତ୍ତୀର୍ଣ୍ଣ ହୋଇ 'ବିଦ୍ୟାସାଗର' ଉପାଧିରେ ଭୂଷିତ ହେଲେ ଏବଂ 'ଫୋର୍ଟ ଉଇଲିଅମ୍ କଲେଜର ପ୍ରଧାନ ପଣ୍ଡିତ ପଦରେ ନିଯୁକ୍ତ ହେଲା । ସେତେବେଳେ ତାହାଙ୍କର ବୟସ ୨୧ ବର୍ଷ । ଶେଷୋକ୍ତ ବିଦ୍ୟାଳୟରେ କାର୍ଯ୍ୟ କରିବା ସମୟରେ ସେ ବୁଝିପାରିଲେ ସେ ତାଙ୍କର ଇଂରାଜୀ ଶିକ୍ଷାକରିବା ଆବଶ୍ୟକ । ସେ ବେଶି ବୟସରେ ଇଂରାଜୀ ଶିକ୍ଷା ଆରମ୍ଭ କରି ଏପରି ମନଯୋଗ ଓ ଯତ୍ନସହିତ ଇଂରାଜୀ ଅଧ୍ୟୟନ କରିବାକୁ ଲାଗିଲେ ଯେ ଦୁଇ ତିନି ବର୍ଷ ମଧ୍ୟରେ ସେ ଇଂରାଜୀ ଭାଷାରେ ନିପୁଣତା ଲାଭ କରିଥିଲେ ।

 

ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ନିଜ କର୍ତ୍ତବ୍ୟ ସାଧନରେ ଯେପରି ନିପୁଣ, ସେହିପରି ପରିଶ୍ରମୀ ଥିଲେ । ସମସ୍ତେ ତାଙ୍କର କାର୍ଯ୍ୟର ପ୍ରଶଂସା କରିବାକୁ ଲାଗିଲେ ଏବଂ ସେ କ୍ରମେ କ୍ରମେ ଉଚ୍ଚତର ପଦମାନଙ୍କରେ ପ୍ରତିଷ୍ଠିତ ହେବାକୁ ଲାଗିଲେ । ସେ ଶେଷରେ ସଂସ୍କୃତ କଲେଜର ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇ ସେହି ବିଦ୍ୟାଳୟର ବିବିଧ ଉନ୍ନତି ସାଧନ କଲେ ଏବଂ କେତେକ ଜିଲ୍ଲାର ବିଦ୍ୟାଳୟମାନ ପରିଦର୍ଶନ କରିବାର ଭାରପ୍ରାପ୍ତ ହୋଇ ବାଳକ ଓ ବାଳିକାମାନଙ୍କ ଶିକ୍ଷା ନିମିତ୍ତ ଅନେକ ନୂତନ ବିଦ୍ୟାଳୟ ସ୍ଥାପନ କରାଇଲେ । ୧୮୫୮ ସାଲରେ ସରକାରୀ ଶିକ୍ଷା ବିଭାଗରେ ଡିରେକ୍ଟର ସାହେବଙ୍କ ସଙ୍ଗେ ବିଦ୍ୟାସାଗରଙ୍କର ମତବିରୋଧ ଘଟିଲା । ବିଦ୍ୟାସାଗର ଅଧିନସ୍ଥ କର୍ମଚାରୀ ଥିବାରୁ ସାହେବ ତାଙ୍କୁ ନାନା ଆଦେଶ ଦେଉଥିଲେ;–କିନ୍ତୁ ସେ କେତେକ ଆଦେଶକୁ ଅବୈଧ ଥିବାର ଦେଖି ତାହା ପାଳନ କରିବାକୁ ଅସମ୍ମତ ହେଲେ ଏବଂ ତାଙ୍କ ପଦର ସମ୍ମାନ ରକ୍ଷା କରିବା ଉଚିତ ମଣି ପାଞ୍ଚଶତ ଟଙ୍କା ବେତନର ଉଚ୍ଚପଦ ତ୍ୟାଗ କଲେ । ଅନେକ ସାହେବ ଓ ପ୍ରସିଦ୍ଧ ଦେଶୀୟ ଲୋକେ ତାହାଙ୍କୁ ଏପରି ଉଚ୍ଚପଦ ପରିତ୍ୟାଗ କରିବାକୁ ନିଷେଧ କରିଥିଲେ; କିନ୍ତୁ ସେ ଉତ୍ତର କଲେ, ''ମୁଁ ପବିତ୍ର ଆତ୍ମମର୍ଯ୍ୟାଦାକୁ ଧନ ଓ ସାଂସାରିକ ମାନମର୍ଯ୍ୟାଦା ଅପେକ୍ଷା ଅଧିକ ମଣେ ।''

 

ବିଦ୍ୟାସାଗର ସଂସ୍କୃତ ଶିକ୍ଷାର ପଥକୁ ସୁଗମ କରିବା ନିମିତ୍ତ ଏବଂ ବଙ୍ଗଳା ଭାଷାର ସାହିତ୍ୟର ଉନ୍ନତି ନିମିତ୍ତ ଅନେକ ଗୁଡ଼ିଏ ଗ୍ରନ୍ଥ ପ୍ରଣୟନ କରିଥିଲେ । ଉପକ୍ରମଣିକା ବ୍ୟାକରଣ, କୌମୁଦୀ ବ୍ୟାକରଣ, ଶକୁନ୍ତଳା ଉପାଖ୍ୟାନ, ସୀତାର ବନବାସ, ବେତାଳ ପଞ୍ଚବିଂଶତି, ବୋଧୋଦୟ, ବର୍ଣ୍ଣପରିଚୟ ପ୍ରଭୃତି ଅନେକ ଗ୍ରନ୍ଥ ସାଦରେ ଲୋକ ସମାଜରେ ଗୃହୀତ ଓ ବିଦ୍ୟାଳୟମାନଙ୍କରେ ପ୍ରଚଳିତ ହୋଇଥିଲା ଏବଂ ଏହିସବୁ ପୁସ୍ତକରୁ ତାଙ୍କର ପ୍ରାୟ ୫୦,୦୦୦ ଟଙ୍କା ବାର୍ଷିକ ଆୟ ହେଉଥିଲା ।

 

ବିଦ୍ୟାସାଗର ମହାପଣ୍ଡିତ, ମହାକର୍ମୀ ଏବଂ ସଦା ପରୋପକାରୀ ମହାତ୍ମା ଥିଲେ । ପରଦୁଃଖମୋଚନ ତାଙ୍କ ଜୀବନର ପରମ ବ୍ରତ ଥିଲା । ଶତ ଶତ ଦରିଦ୍ର ପରିବାରକୁ ଅନ୍ନବସ୍ତ୍ର ଦାନ ଓ ଅର୍ଥଦାନ ଏବଂ ଦୁର୍ଭିକ୍ଷପୀଡ଼ିତ ଅସହାୟ ଲୋକମାନଙ୍କ ପାଇଁ ଅନ୍ନଛତ୍ର ପ୍ରତିଷ୍ଠା, ଶତ ଶତ ଦରିଦ୍ର ଛାତ୍ରମାନଙ୍କୁ ସାହାଯ୍ୟଦାନ, ରୋଗୀର ସେବା, ବିପନ୍ନ ଲୋକର ଉଦ୍ଧାର, ଏହିପ୍ରକାର ଅଜସ୍ର ଦାନଦ୍ଵାରା ବିଦ୍ୟାସାଗର ଦୟାର ଅବତାର ଓ ଦୟାର ସାଗର ବୋଲି ବିଖ୍ୟାତ ହୋଇଥିଲେ । ପରର ଦୁଃଖ ଦେଖିଲାକ୍ଷଣି ତାଙ୍କର ହୃଦୟ ବିଗଳିତ ହେଉଥିଲା ଏବଂ ତାଙ୍କ ନୟନରୁ ଅଶ୍ରୁଧାରା ପ୍ରବାହିତ ହେଉଥିଲା । ହିନ୍ଦୁ ବାଳବିଧବାମାନଙ୍କର ଦୁଃଖରେ ତାହାଙ୍କର ପ୍ରାଣ ଗଭୀର ବେଦନାରେ ବ୍ୟଥିତ ହୋଇଥିଲା ଏବଂ ସେମାନଙ୍କ ଦୁଃଖ ନିବାରଣ କରିବା ପାଇଁ, ସେ ହିନ୍ଦୁ ଶାସ୍ତ୍ରର ବିଧାନ ଅନୁସାରେ ବାଳବିଧବାର ପୁନର୍ବିବାହ ହୋଇପାରେ, ଏହା ପ୍ରମାଣ କରି ସମଗ୍ର ଭାରତବର୍ଷରେ ମହାକୀର୍ତ୍ତି ରଖିଯାଇଅଛନ୍ତି । ବିଧବା-ବିବାହ ପ୍ରଚଳିତ କରାଇ ସେ ଯେ କେତେ କଷ୍ଟ, ଅପମାନ ଓ ଲୋକନିନ୍ଦା ସହିଥିଲେ ତାହା କହିହେବ ନାହିଁ; କିନ୍ତୁ କ୍ଳେଶ ଓ ଭୟ ମଧ୍ୟରେ ସେ ବୀରୋଚିତ ଧୈର୍ଯ୍ୟସହକାରେ ନିଜର କର୍ତ୍ତବ୍ୟ ସାଧନ କରିଥିଲେ ।

 

ବିଦ୍ୟାସାଗର ଯେପରି ମହାଦୟାଳୁ ମହାତ୍ମା ଥିଲେ, ସେହିପରି ସେ ପ୍ରକୃତ ସ୍ଵଦେଶହିତୈଷୀ ଓ ସ୍ଵଦେଶହିତସାଧକ ଥିଲେ । ଦେଶୀୟମାନଙ୍କ ମଧ୍ୟରେ ସେ ସର୍ବପ୍ରଥମ କଲିକତା ମହାନଗରୀରେ ନିଜ ଯତ୍ନରେ ଇଂରାଜୀ କଲେଜ ସ୍ଥାପନ କରିଥିଲେ । ପରେ ତାଙ୍କରି ଦୃଷ୍ଟାନ୍ତ ଅନୁସରଣ କରି କେତେକ ଦେଶହିତୈଷୀ ଦେଶୀୟ କଲେଜ ସ୍ଥାପନ କରିଅଛନ୍ତି । ଏହାଛଡ଼ା ବିଦ୍ୟାସାଗର ଅନେକ ବାଳକ ବିଦ୍ୟାଳୟ ଓ ବାଳିକା ବିଦ୍ୟାଳୟର ପ୍ରତିଷ୍ଠା କରାଇଥିଲେ ଏବଂ ନିଜ ଜନ୍ମଗ୍ରାମରେ ଦାତବ୍ୟ ଚିକିତ୍ସାଳୟ ସ୍ଥାପନ କରିଥିଲେ ।

 

ଈଶ୍ଵରଚନ୍ଦ୍ରଙ୍କର ପିତାମହ ଓ ପିତା ଦରିଦ୍ର ଥିଲେ ହେଁ, ସେମାନେ ସଚ୍ଚରିତ୍ର ଓ ତେଜସ୍ଵୀପୁରୁଷ ଥିଲେ । ତାଙ୍କର ଜନନୀ ଭଗବତୀ ଦେବୀ ଯେପରି ପୁଣ୍ୟବତୀ ଓ ତେଜସ୍ଵିନୀ, ସେହିପରି ଦୟାବତୀ ଓ ପରୋପକାରିଣୀ ଥିଲେ । କାହାରି ଦୁଃଖ କ୍ଳେଶ ଦେଖିଲେ ତାଙ୍କର ହୃଦୟ ଦ୍ରବୀଭୂତ ହେଉଥିଲା । ତାଙ୍କର ଆଦେଶ ଅନୁସାରେ ବିଦ୍ୟାସାଗର ବାଳବିଧବାମାନଙ୍କର ବିବାହ ନିମିତ୍ତ ଏତେ ଯତ୍ନ କରିଥିଲେ । ଈଶ୍ଵରଚନ୍ଦ୍ର ପିତାମାତାଙ୍କର ପରମ ଭକ୍ତ ଥିଲେ । ସେ ବାରମ୍ବାର କହିଅଛନ୍ତି, ମୁଁ ଜନକଜନନୀ ରୂପ ଦେବଦେବୀଙ୍କର ଭକ୍ତ ଓ ସେବକ । ସେମାନଙ୍କର ଚରଣପୂଜା ମୋର ପରମ ଧର୍ମ । ବିଦ୍ୟାସାଗର ୭୦ ବର୍ଷ ବୟସରେ ୧୮୯୧ ଖ୍ରୀଷ୍ଟାବ୍ଦରେ ଜୁଲାଇ ମାସ ୨୯ ତାରିଖରେ ପରଲୋକଗମନ କଲେ ।

 

-୨-

ବିଦ୍ୟାସାଗର–ଚରିତ

ରବୀନ୍ଦ୍ରନାଥ ଠାକୁର (୧୮୬୧-୧୯୪୧ )

 

ବିଦ୍ୟାସାଗରଙ୍କର ଚରିତ୍ରରେ ସର୍ବପ୍ରଧାନ ଗୁଣଟି ହେଉଛି ଯେ, ପଲ୍ଲୀ-ଆଚାରର କ୍ଷୁଦ୍ରତା ଏବଂ ବଙ୍ଗାଳି-ଜୀବନର ଜଡ଼ତା ଉଭୟଟିକୁ ନିଜ ବଳରେ ଭେଦ କରି କେବଳ ଆପଣାର ଗତିରେ ହିଁ କଠିନ ପ୍ରତିକୂଳତା ମଧ୍ୟରେ–ହିନ୍ଦୁତ୍ଵ ଆଡ଼କୁ ନୁହେଁ, ସାମ୍ପ୍ରଦାୟିକତା ଆଡ଼କୁ ନୁହେଁ,–କରୁଣାର ଅଶ୍ରୁବାରିଦ୍ଵାରା ପୂର୍ଣ୍ଣ ଉନ୍ମୁକ୍ତ ଓ ଅପାର ମନୁଷ୍ୟତ୍ଵ ଆଡ଼କୁ ହିଁ ନିଜର ଦୃଢ଼ନିଷ୍ଠ ଏକାଗ୍ର ଏକକ ଜୀବନଟିକୁ ପ୍ରବାହିତ କରି ନେଇଯାଇ ପାରିଥିଲେ । –ତାଙ୍କର ଜୀବନ-ବୃତ୍ତାନ୍ତଟିକୁ ଆଲୋଚନା କରି ଦେଖିଲେ ଏହି କଥାଟି ବାରମ୍ବାର ଦୃଷ୍ଟିଗୋଚର ହୋଇ ଆସିଥାଏ ଯେ, ବିଦ୍ୟାସାଗର ସମସ୍ତେ ଯେଉଁଭଳି ବୁଝନ୍ତି, ସେହି ଅନୁସାରେ ଜଣେ ବଙ୍ଗାଳି ବଡ଼ ମଣିଷ ନଥିଲେ, ଜଣେ ଶହେ ପ୍ରତିଶତ ହିନ୍ଦୁ ମଧ୍ୟ ନଥିଲେ,–ସେସବୁ ତୁଳନାରେ ସିଏ ବହୁତ ଅଧିକ ବଡ଼ ଥିଲେ,–ସିଏ ଜଣେ ଯଥାର୍ଥ ମଣିଷ ଥିଲେ । ତାଙ୍କର ଜୀବନୀ ମଧ୍ୟରେ ଏହି ଅନନ୍ୟସୁଲଭ ମନୁଷ୍ୟପଣର ପ୍ରାଚୁର୍ଯ୍ୟଟି ହେଉଛି ପ୍ରକୃତରେ ସର୍ବୋଚ୍ଚ ଗୌରବର କଥା ।

 

...ବଙ୍ଗଳା ଭାଷାର ପ୍ରଥମ ଯଥାର୍ଥ ଶିଳ୍ପୀ ଥିଲେ ବିଦ୍ୟାସାଗର । ତାଙ୍କ ପୂର୍ବରୁ ବଙ୍ଗଳା ଗଦ୍ୟସାହିତ୍ୟର କିଞ୍ଚିତ୍ ସୂଚନା ମାତ୍ର ପ୍ରକାଶ ପାଇଥିଲା, ମାତ୍ର ସେଇ ସର୍ବପ୍ରଥମେ ବଙ୍ଗଳା ଭାଷାର ଗଦ୍ୟରେ କଳାନୈପୁଣର ଅବତାରଣା କରାଇଥିଲେ । ଗୋଟିଏ ଭାଷା ଯେ କେବଳ କିଛି ଭାବର ଆଧାରମାତ୍ର ନୁହେଁ, ଏବଂ ସେଥିରେ ଯେକୌଣସି ପ୍ରକାରେ ବକ୍ତବ୍ୟ କେତୋଟି ବିଷୟକୁ ଭର୍ତ୍ତି କରିଦେଇ ପାରିଲେ ହିଁ ଯେ କର୍ତ୍ତବ୍ୟ-ସମାପନ ହୋଇ ଯାଏନାହିଁ, ଆପଣାର ଦୃଷ୍ଟାନ୍ତଦ୍ଵାରା ବିଦ୍ୟାସାଗର ତାହା ପ୍ରମାଣ କରି ଦେଇଥିଲେ । ସେ ଦେଖାଇ ଦେଇଥିଲେ ଯେ, ଯାହାକିଛି କହିବାର ଅଛି, ତାହାକୁ ସରଳ, ସୁନ୍ଦର ଏବଂ ସୁଶୃଙ୍ଖଳ କରି ହିଁ ପ୍ରକାଶ କରିବାକୁ ହେବ । ଆମର ଏହି ବର୍ତ୍ତମାନ ସମୟରେ ଏହି କାର୍ଯ୍ୟଟି ସେତେ ମହତ୍ତ୍ଵପୂର୍ଣ୍ଣ ବୋଲି ହୁଏତ ମନେ ହୋଇ ନପାରେ, କିନ୍ତୁ ମନୁଷ୍ୟତ୍ଵର ବିକାଶ ନିମନ୍ତେ ଏକ ସମାଜର ବନ୍ଧନ ଯେପରି ଅତ୍ୟାବଶ୍ୟକ, ସେହିଭଳି ଭାଷାକୁ ମଧ୍ୟ କଳାର ବନ୍ଧନଦ୍ଵାରା ସୁନ୍ଦର ଭାବରେ ସଂଯମିତ ନକଲେ ସେହି ଭାଷାରୁ କଦାପି ପ୍ରକୃତ ସାହିତ୍ୟର ଉଦ୍‍ଭବ ସମ୍ଭବ ହେବନାହିଁ । ଏକ ସେନାବାହିନୀ ରହିଥିଲେ ଯାଇ ଯୁଦ୍ଧଟିଏ କରିହେବ,–କେବଳ ଗୁଡ଼ାଏ ମଣିଷ ମହଜୁଦ ରହିଥିଲେ ତାହା କେବେହଲେ ହୋଇ ପାରିବନାହିଁ । ଗୁଡ଼ିଏ ମଣିଷ ତ ସର୍ବଦା ନିଜକୁ ହିଁ ନିଜେ ଖଣ୍ଡିତ ଏବଂ ପ୍ରତିହତ କରି ଦେଇଥାନ୍ତି । ତେଣୁ ସେମାନଙ୍କର ଚାଳନା କରିବା ଖୁବ୍ କଠିନ ହୋଇପଡ଼େ । ବିଦ୍ୟାସାଗର ବଙ୍ଗଳା ଗଦ୍ୟଭାଷାର ଉତ୍‍ଶୃଙ୍ଖଳ ଜନତାକୁ ସୁବିଭକ୍ତ, ସୁବିନ୍ୟସ୍ତ, ସୁପରିଚ୍ଛନ୍ନ ଏବଂ ସୁସଂଯତ କରି ତାହାକୁ ଏକ ସହଜ ଗତି ଓ କର୍ମକୁଶଳତା ପ୍ରଦାନ କରିଛନ୍ତି । ଏବଂ ବର୍ତ୍ତମାନ ତାହାରି ସକାଶେ ହିଁ ଅନେକ ସେନାପତି ଭାବପ୍ରକାଶର ବହୁ ବାଧାକୁ ପରାହତ କରି ସାହିତ୍ୟରେ ନୂତନ ନାନା କ୍ଷେତ୍ରର ଅବଶ୍ୟ ଆବିଷ୍କାର କରିପାରିବେ । କିନ୍ତୁ, ଯିଏ ସେହି ସେନାବାହିନୀକୁ ରଚନା କରିଛନ୍ତି, ଆମେ ତାହାଙ୍କୁ ହିଁ ସର୍ବପ୍ରଥମେ ଯୁଦ୍ଧଜୟର ଯଶୋଭାଗଟିକୁ ଅବଶ୍ୟ ପ୍ରଦାନ କରିବା ।

 

ବଙ୍ଗଳା ଭାଷାକୁ ପୂର୍ବରୁ ପ୍ରଚଳିତ ସମାସାଡ଼ମ୍ବର ବୋଝରୁ ମୁକ୍ତ କରି ପଦଗୁଡ଼ିକରେ ଅଂଶଯୋଜନାର ସୁନିୟମଟିକୁ ସ୍ଥାପନ କରି ବିଦ୍ୟାସାଗର ବଙ୍ଗଳା ଭାଷାକୁ ଯେ କେବଳ ସବୁଭଳି କ୍ଷେତ୍ରରେ ବ୍ୟବହାର-ଯୋଗ୍ୟ କରାଇ ସେତିକିରେ କ୍ଷାନ୍ତ ହୋଇଗଲେ ତାହା ଆଦୌ ନୁହେଁ, ସେ ତାହାକୁ ସର୍ବଦା ଶୋଭନ କରିବା ସକାଶେ ମଧ୍ୟ ଚେଷ୍ଟା କରୁଥିଲେ । ଗଦ୍ୟରେ ଥିବା ପଦଗୁଡ଼ିକ ମଧ୍ୟରେ ଗୋଟିଏ ଧ୍ୱନି-ସାମଞ୍ଜସ୍ୟ ସ୍ଥାପନ କରି ତାହାର ଗତିଶୀଳତାରେ ଏକ ଅନତିଲକ୍ଷ୍ୟ ଛନ୍ଦଃସ୍ରୋତର ରକ୍ଷା କରିଥିଲେ; ସୌମ୍ୟ ତଥା ସରଳ ଶବ୍ଦଗୁଡ଼ିକୁ ଚୟନ କରି ବିଦ୍ୟାସାଗର ବଙ୍ଗଳା ଗଦ୍ୟକୁ ସୌନ୍ଦର୍ଯ୍ୟ ଏବଂ ପରିପୂର୍ଣ୍ଣତା ଆଣି ଦେଇଥିଲେ । ଗ୍ରାମ୍ୟ ପାଣ୍ଡିତ୍ୟ ଏବଂ ଗ୍ରାମ୍ୟ ବର୍ବରତା,–ଉଭୟର କବଳରୁ ହିଁ ଏହି ଭାଷାକୁ ଉଦ୍ଧାର କରି ସେ ଏହାକୁ ପୃଥିବୀର ଭଦ୍ରସଭାର ଉପଯୋଗୀ ଏକ ଆର୍ଯ୍ୟଭାଷା ରୂପେ ଗଠିତ କରି ଆଣିଥିଲେ । ତା' ଆଗରୁ ବଙ୍ଗଳା ଭାଷା ଯେଉଁ ଅବସ୍ଥାରେ ଥିଲା, ତାହାର ଆଲୋଚନା କରି ଦେଖିଲେ ଭାଷାଗଠନର ଏହି କ୍ଷେତ୍ରରେ ବିଦ୍ୟାସାଗରଙ୍କର ଶିଳ୍ପପ୍ରତିଭା ଓ ସୃଷ୍ଟିକ୍ଷମତାର ପ୍ରଚୁର ପରିଚୟ ପ୍ରକୃତରେ ମିଳିଯାଏ ।

 

....ବିଦ୍ୟାସାଗରଙ୍କର ଅନନ୍ୟତନ୍ତ୍ର ପ୍ରତିଭା ନଥିଲା ବୋଲି ଅନେକ ବ୍ୟକ୍ତି ବେଳେ ବେଳେ ଆଭାସ ଦେଇଥାଆନ୍ତି ସତ, କିନ୍ତୁ ସେମାନେ ଜାଣନ୍ତି ଯେ, କେବଳ ସାହିତ୍ୟରେ ଏବଂ ଶିଳ୍ପରେ, ବିଜ୍ଞାନରେ ଏବଂ ଦର୍ଶନରେ ହିଁ ଅନନ୍ୟତନ୍ତ୍ର ପ୍ରକାଶିତ ହୋଇଥାଏ । ଏହି ଅକୃତକୀର୍ତ୍ତି ଅକିଞ୍ଚିତ୍‍କର ବଙ୍ଗସମାଜ ମଧ୍ୟରେ ବିଦ୍ୟାସାଗର ଆପଣାର ଚରିତ୍ରକୁ ଏକ ମନୁଷ୍ୟତ୍ଵର ଆଦର୍ଶରୂପେ ପ୍ରସ୍ଫୁଟିତ କରି ଆଣି ଯେପରି ଅନନ୍ୟତନ୍ତ୍ରତ୍ଵର ଦୃଷ୍ଟାନ୍ତ ଦେଖାଇଛନ୍ତି, ବଙ୍ଗର ଇତିହାସରେ ତାହା ଏକାନ୍ତ ବିରଳ ହୋଇ ହିଁ ରହିଛି ।

 

...ଏହି ନିଜସ୍ୱପ୍ରଭାବର କ୍ଷେତ୍ରରେ ମହାନ୍ ବ୍ୟକ୍ତିମାନେ ଗୋଟିଏ ଦିଗ ବିଚାର କରି ଦେଖିଲେ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର ତଥା ଏକକ ହୋଇ ରହିଥାଆନ୍ତି ଏବଂ ଅନ୍ୟ ଦିଗରେ ସମଗ୍ର ମାନବଜାତିର ହିଁ ସବର୍ଣ୍ଣ ଏବଂ ସହୋଦର ହୁଅନ୍ତି । ଆମ ଦେଶରେ ରାମମୋହନ ରାୟ ଏବଂ ବିଦ୍ୟାସାଗର ଉଭୟଙ୍କର ଜୀବନରେ ହିଁ ତାହାର ପରିଚୟ ମିଳିଥାଏ । ସେମାନେ ଗୋଟିଏ ଦିଗରୁ ଯେପରି ଭାରତବର୍ଷର, ଅପର ଦିଗରୁ ଠିକ୍ ସେହିପରି ୟୁରୋପୀୟ ପ୍ରକୃତିଟି ସଙ୍ଗେ ସେମାନଙ୍କ ଚରିତ୍ରର କେତେ ନା କେତେ ନିକଟସାଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ । ମାତ୍ର, ତାହାକୁ ଆଦୌ ଗୋଟିଏ ଅନୁକରଣଗତ ସାଦୃଶ୍ୟ ବୋଲି କହି ହୁଏନାହିଁ । ବେଶଭୂଷାରେ ଓ ଆଚାର-ବ୍ୟବହାରରେ ସେମାନେ ସମ୍ପୂର୍ଣ୍ଣ ଭାବରେ ବଙ୍ଗବାସୀ ହିଁ ଥିଲେ; ସ୍ଵଜାତିର ଶାସ୍ତ୍ରମାନଙ୍କରେ ଜ୍ଞାନ ଅର୍ଜନ କରିଥିବାର କ୍ଷେତ୍ରରେ କେହି ସେମାନଙ୍କର ସମତୁଲ ନଥିଲେ । ସେହିମାନେ ହିଁ ଆପଣାର ସେହି ଜାତିକୁ ମାତୃଭାଷାରେ ଶିକ୍ଷାଦାନ କରିବାର ମୂଳଦୁଆଟିକୁ ପକାଇ ଯାଇଛନ୍ତି: ଅଥଚ ନିର୍ଭୀକ ବଳିଷ୍ଠତା, ସତ୍ୟଚାରିତା, ଲୋକହିତୈଷିତା, ଦୃଢ଼ପ୍ରତିଜ୍ଞା ଏବଂ ଆତ୍ମନିର୍ଭରତାରେ ସେମାନେ ବିଶେଷ ଭାବରେ ଇଉରୋପୀୟ ମହାନ୍ ବ୍ୟକ୍ତିମାନଙ୍କ ସହିତ ତୁଳନୀୟ ହୋଇ ରହିଛନ୍ତି । ଇଉରୋପୀୟମାନଙ୍କର ତୁଚ୍ଛ ବାହ୍ୟ ଅନୁକରଣମାନ କରିବା ବିଷୟରେ ସେମାନେ ଯେଉଁ ଅବଜ୍ଞାଭାବ ପ୍ରକାଶ କରିଛନ୍ତି, ସେଥିରେ ମଧ୍ୟ ସେମାନଙ୍କର ଇଉରୋପୀୟସୁଲଭ ଗଭୀର ଆତ୍ମସମ୍ମାନବୋଧର ପରିଚୟ ସ୍ପଷ୍ଟ ଭାବରେ ହିଁ ପ୍ରକଟ ହୋଇଥାଏ । ଏବଂ, କେବଳ ୟୁରୋପୀୟ ସୁଲଭ ନୁହନ୍ତି, ସରଳ ସତ୍ୟପ୍ରିୟ ସାନ୍ତାଳମାନେ ମଧ୍ୟ ଯେଉଁ ପରିମାଣରେ ମନୁଷ୍ୟତ୍ଵ-ଗୁଣଟିର ବାହକ ହୋଇ ରହିଛନ୍ତି, ସେହି କ୍ଷେତ୍ରଟିରେ ବିଦ୍ୟାସାଗର ନିଜ ଜାତିର ବଙ୍ଗବାସୀମାନଙ୍କର ତୁଳନାରେ ଉକ୍ତ ସାନ୍ତାଳମାନଙ୍କ ସହିତ ହିଁ ନିଜର ଅନ୍ତରର ଯଥାର୍ଥ ଐକ୍ୟଟିକୁ ସର୍ବଦା ଅନୁଭବ କରି ପାରୁଥିଲେ ।

 

...ବିଦ୍ୟାସାଗର ତାଙ୍କଦ୍ଵାରା ଲିଖିତ 'ବର୍ଣ୍ଣପରିଚୟ' ପୁସ୍ତକର ପ୍ରଥମ ଭାଗରେ ଗୋପାଳ ନାମକ ଜଣେ ସୁବୋଧ ବାଳକର ଉଦାହରଣ ପ୍ରଦାନ କରିଛନ୍ତି: ତାକୁ ତା'ର ବାପା ମାଆ ଯାହାକିଛି କହନ୍ତି, ବାଳକଟି ସବୁବେଳେ ତାହାହିଁ ପାଳନ କରିଥାଏ । ମାତ୍ର ଈଶ୍ଵରଚନ୍ଦ୍ର ସ୍ଵୟଂ ରାଖାଲ ନାମକ ସେହି ପିଲାଟିର ସମବୟସୀ ଥିବା ସମୟରେ ବେଶ୍ କେତେକ କ୍ଷେତ୍ରରେ ଦୁଷ୍ଟପିଲାଟି ସହିତ ହିଁ ତାଙ୍କର ଅଧିକତର ସାମଞ୍ଜସ୍ୟ ରହିଥିଲା ପରି ମନେ ହୋଇଥାଏ । ବାପାଙ୍କ କଥା ଅନୁସାରେ ସବୁ କାର୍ଯ୍ୟ କରିବା ଦୂରରେ ଥାଉ, ସିଏ ସବୁ ସମୟରେ ତାହାର ଠିକ୍ ଓଲଟା କାମଗୁଡ଼ିକୁ ହିଁ କରୁଥିଲେ ।

 

...ଆମର ଏହି ନିରୀହ ବଙ୍ଗଦେଶରେ ଗୋପାଳ ପରି ସୁବୋଧ ପିଲାମାନଙ୍କର ଆଦୌ କୌଣସି ଅଭାବ ନଥାଏ । ଏହି କ୍ଷୀଣତେଜ ଆମ ରାଇଜଟିରେ ରାଖାଲ ଓ ତା'ଜୀବନୀଲେଖକ ଈଶ୍ଵରଚନ୍ଦ୍ରଙ୍କ ପରି ଦୁର୍ଦ୍ଧର୍ଷ ପିଲାମାନଙ୍କର ଆବିର୍ଭାବ ହେବାକୁ ଆରମ୍ଭ କଲେ ସମ୍ଭବତଃ ଏହି ବଙ୍ଗାଳି ଜାତିର ଶୀର୍ଣ୍ଣ ଚରିତ୍ରର ଅପବାଦଟା ଘୁଞ୍ଚି ବି ଯାଇ ପାରନ୍ତା । ସୁବୋଧ ପିଲାମାନେ ତ ପାଠ ପଢ଼ି ପରୀକ୍ଷାରେ ପାସ୍ କରି ଚାକିରି-ବାକିରି କରନ୍ତି ଏବଂ ବିବାହ ସମୟରେ ପ୍ରଚୁର ଯୌତୁକ ମଧ୍ୟ ସ୍ଵଦେଶ ସକାଶେ ବହୁତ କିଛି ଅବଶ୍ୟ ଆଶା କରା ଯାଇପାରେ । ବହୁକାଳ ପୂର୍ବେ ନବଦ୍ଵୀପର ଜଣେ ମାଆ ଶଚୀଦେବୀଙ୍କର ଜଣେ ସେହିପରି ପ୍ରବଳ ଓ ଦୁରନ୍ତ ପୁତ୍ର ସେହି ଆଶାଟିକୁ ପୂର୍ଣ୍ଣ କରିଥିଲେ ।

 

କିନ୍ତୁ ଅନ୍ତତଃ ଗୋଟିଏ ବିଷୟରେ ରାଖାଲ ସହିତ ତା' ଜୀବନଚରିତ ଲେଖକଙ୍କର ସତକୁସତ କୌଣସି ସାଦୃଶ୍ୟ ନଥିଲା । ପାଠ ପଢ଼ିବାପାଇଁ ଇସ୍କୁଲ ଯିବା ବାଟରେ ରାଖାଲ ଖେଳରେ ମାତି ରହେ, ଜାଣି ଜାଣି ଡେରି କରେ; ସମସ୍ତଙ୍କ ପରେ ହିଁ ବିଦ୍ୟାଳୟରେ ପହଞ୍ଚେ । କିନ୍ତୁ ପାଠ ପଢ଼ିବାର କ୍ଷେତ୍ରରେ ବାଳକ ଈଶ୍ଵରଚନ୍ଦ୍ରଙ୍କର ମୋଟେ କୌଣସି ଶିଥିଳତା ନଥିଲା । ଯେଉଁପରି ପ୍ରବଳ ଜିଦ୍‍ଖୋର ଭାବରେ ସେ ପିତାଙ୍କ ଆଦେଶ ଏବଂ ନିଷେଧର ବିପରୀତ କାର୍ଯ୍ୟଗୁଡ଼ିକୁ କରିଥିଲେ, ସେହି ଦୁର୍ଦମ ଜିଦରେ ହିଁ ସେ ପାଠ ପଢ଼ିବାକୁ ଯାଉଥିଲେ । ଏବଂ, ବହୁ ପ୍ରତିକୂଳ ଅବସ୍ଥା ମଧ୍ୟରେ ସେ ଆପଣାର ଏହି ଜିଦ୍‍ଟିକୁ ଅତୁଟ ରଖିଥିଲେ । ଏହି ସାନ ଏକବାଗିଆ ପିଲାଟି ମୁଣ୍ଡ ଉପରେ ଗୋଟିଏ ଏଡ଼େବଡ଼ ଛତା ମେଲାଇ ଧରି ସେମାନଙ୍କର ବଡ଼ବଜାର ବସାରୁ ପଟଳଡ଼ଙ୍ଗାର ସଂସ୍କୃତ କଲେଜକୁ ଚାଲି ଚାଲି ଯାଉଥିଲେ । ସତେଅବା ଗୋଟାଏ ଛତା ଚାଲି ଚାଲି ଯାଉଛି ବୋଲି ଲୋକମାନେ ଭ୍ରମ କରୁଥିଲେ । ଏହି ଦୁର୍ଜୟ ବାଳକର ବେଶ୍ ଗେଡ଼ୁ ଦେହଟି,–ବଡ଼ ପତଳା ଏବଂ ଏଡ଼େବଡ଼ ମୁଣ୍ଡଟାଏ,–ଇସ୍କୁଲରେ ପିଲାମାନେ ତାକୁ ସେଥିପାଇଁ ଥଟ୍ଟା କରି ଭାରି ଚିଡ଼ାଉଥିଲେ । ହଁ, ସେତେବେଳେ କଥା କହିଲାବେଳେ ପିଲାଟିର ପାଟି ଲାଗୁଥିଲା ଏବଂ ସେହି କାରଣରୁ ସେମାନଙ୍କର କଥା ଶୁଣି ତା'ର ଖୁବ୍ ରାଗ ହେଉଥିଲେ ମଧ୍ୟ ସିଏ ମୁହଁ ଖୋଲି କିଛି କହି ବି ପାରୁନଥିଲା ।

 

...ଯେଉଁ ଅବସ୍ଥାରେ ଥିଲେ ଜଣେ ମନୁଷ୍ୟ ନିଜପାଖରେ ନିଜେ ହିଁ ସବାଆଗ ଦୟାର ପାତ୍ର ହୋଇ ରହିଥାଆନ୍ତା, ସେହି ଅବସ୍ଥାରେ ଈଶ୍ଵରଚନ୍ଦ୍ର ଅନ୍ୟମାନଙ୍କୁ ହିଁ କେତେ ଦୟା କରିଛନ୍ତି । ତାଙ୍କ ଜୀବନରେ ମୂଳରୁ ହିଁ ଏଭଳି ଦେଖିବାକୁ ମିଳିଛି ଯେ ଯାବତୀୟ ପ୍ରତିକୂଳ ଅବସ୍ଥାର ବିରୁଦ୍ଧରେ ଅବିଚ୍ଛିନ୍ନ ଭାବରେ ଯୁଦ୍ଧ କରି ତାଙ୍କର ଚରିତ୍ର ବିଜୟୀ ହୋଇ ପାରିଛି । ତାଙ୍କ ଅବସ୍ଥାର ଆଉଜଣେ ଛାତ୍ର ନିମନ୍ତେ ବିଦ୍ୟାଲାଭ କରିବା ଅତ୍ୟନ୍ତ ଦୁଃସାଧ୍ୟ, ଏହି ଗ୍ରାମ୍ୟବାଳକଟି ଆପଣାର ଜୀର୍ଣ୍ଣଶୀର୍ଣ୍ଣ, ଅତି ଖର୍ବ ଦେହ ଏବଂ ପ୍ରକାଣ୍ଡ ମୁଣ୍ଡଟିକୁ ନେଇ ଆଶ୍ଚର୍ଯ୍ୟ ଖୁବ୍ ଅଳ୍ପକାଳ ମଧ୍ୟରେ ହିଁ 'ବିଦ୍ୟାସାଗର' ଉପାଧିଟିକୁ ଲାଭ କରି ପାରିଥିଲେ । ତାଙ୍କ ପରି ଦରିଦ୍ର ଅବସ୍ଥାରେ ଥିବା ଜଣେ ଲୋକ ପକ୍ଷରେ ଦାନ କରିବା, ଦୟା କରିବା ପ୍ରକୃତରେ ବଡ଼ କଠିନ, କିନ୍ତୁ ସିଏ ଯେତେବେଳେ ଯେଉଁ ଅବସ୍ଥାରେ ଜୀବନଯାପନ କରୁଥିଲେ ମଧ୍ୟ, ଆପଣାର କୌଣସି ପ୍ରକାରର ଅସଚ୍ଛଳତା ସତ୍ତ୍ୱେ ସିଏ ଅନ୍ୟର ଉପକାର କରିବାକୁ କେବେ ମଧ୍ୟ ବିରତ ହୋଇନାହାନ୍ତି ଏବଂ, ବହୁସଂଖ୍ୟକ ମହାଐଶ୍ଵର୍ଯ୍ୟଶାଳୀ ରାଜା ଓ ରାୟବାହାଦୁରମାନେ ପ୍ରଚୁର କ୍ଷମତାରେ ରହିଥିଲେ ମଧ୍ୟ ଯେଉଁ ଉପାଧି ଲାଭ କରି ନାହାନ୍ତି, ଏହି ଦରିଦ୍ର ପିତାର ଦରିଦ୍ର ସନ୍ତାନ ସେହି 'ଦୟାର ସାଗର' ଉପାଧିଟି ସହିତ ହିଁ ବଙ୍ଗଦେଶରେ ଚିରକାଳ ନିମନ୍ତେ ବିଖ୍ୟାତ ହୋଇ ରହିଛନ୍ତି ।

 

...ଆମ ଦେଶରେ ପ୍ରାୟ ବହୁତ ଏପରି ବ୍ୟକ୍ତି ରହିଛନ୍ତି, ଯେଉଁମାନେ କି ନିଜର ତଥା ନିଜ ଦେଶର ମର୍ଯ୍ୟାଦାକୁ ନଷ୍ଟ କରି ଇଂରାଜମାନଙ୍କର ଅନୁଗ୍ରହ ପାଇଛନ୍ତି । କିନ୍ତୁ ବିଦ୍ୟାସାଗର କୌଣସି ସାହେବ ହାତରୁ ଶିରିପା ନେବା ନିମନ୍ତେ କେବେହେଲେ ମୁଣ୍ଡ ନୂଆଁଇବାକୁ ବିଚାରି ନାହାନ୍ତି । ଆମ ଦେଶର ଇଂରେଜର ପ୍ରସାଦଲାଭଦ୍ଵାରା ଗର୍ବିତ ସାହେବାନୁଜୀବୀମାନଙ୍କ ପରି ସେ ଆପଣାର ଅବମାନନା କରାଇ କଦାପି ସମ୍ମାନ କ୍ରୟ କରିବାକୁ ଚେଷ୍ଟା କରିନାହାନ୍ତି ।

 

....ବିଦ୍ୟାସାଗର ନିଜ ସ୍ଵଭାବତଃ ଜଣେ ସ୍ଵାଧୀନଚେତା ବ୍ୟକ୍ତି ଥିଲେ । ଆପଣାର ସ୍ଵକୀୟ ବିଚାର ଅନୁସାରେ ହିଁ ଅବାଧ ଭାବରେ କାର୍ଯ୍ୟ କରିବାର ଅନୁକୂଳ ପରିସର ମଧ୍ୟରେ ହିଁ ସେ କାର୍ଯ୍ୟ କରି ପାରୁଥିଲେ । ଉପରିସ୍ଥ କର୍ତ୍ତୃପକ୍ଷଙ୍କର ଅନ୍ୟମତଦ୍ଵାରା ପ୍ରତିଘାତ ପାଇଲେ ସେ ଆପଣାର ସଂକଳ୍ପଟିକୁ କେବେହେଲେ ବଦଳାଇ ପାରୁନଥିଲେ । ଆପଣା କର୍ମସାଧନର ନିୟମ ଅନୁସାରେ ସେ ସେପରି କରିବାକୁ ଆଦୌ ପ୍ରଶଂସନୀୟ ବୋଲି ବିଚାରି ପାରୁନଥିଲେ । ବିଧାତା ସମ୍ଭବତଃ ତାଙ୍କୁ ଏକାଧିପତ୍ୟ କରିବା ନିମନ୍ତେ ହିଁ ପଠାଇଥିଲେ, କାହାର ଅଧୀନରେ ରହି କାର୍ଯ୍ୟ କରିବାର ଗୁଣଗୁଡ଼ିକୁ ଆଦୌ ପ୍ରଦାନ କରିନଥିଲେ । ଏହି ବଙ୍ଗଦେଶରେ ଅତ୍ୟନ୍ତ ଉପଯୁକ୍ତ ଅଧିନସ୍ଥ କର୍ମଚାରୀ ତ ଯଥେଷ୍ଟ ଅଛନ୍ତି ଏବଂ ତେଣୁ ବିଦ୍ୟାସାଗରଙ୍କୁ ସେହିପରି କରି ସେମାନଙ୍କର ସଂଖ୍ୟାବୃଦ୍ଧି କରିବାକୁ ହୁଏତ ବିଧାତା ଆଦୌ ଆବଶ୍ୟକ ଓ ସଂଗତିଯୁକ୍ତ ବୋଲି ଭାବିନାହାନ୍ତି ।

 

....ବଙ୍ଗପ୍ରଦେଶରେ ବିଦ୍ୟାସାଗର ତାଙ୍କର ଅକ୍ଷୟ ଏବଂ ଅପାର ଦୟା ସକାଶେ ସୁବିଖ୍ୟାତ ହୋଇ ରହିଛନ୍ତି । କାରଣ ଦୟାର ଦୃଷ୍ଟାନ୍ତଗୁଡ଼ିକ ଆମ ଅଶ୍ରୁପାତପ୍ରବଣ ବଙ୍ଗବାସୀମାନଙ୍କର ହୃଦୟକୁ ଯେତେ ସତ୍ଵରତା ସହିତ ବିଚଳିତ କରିଦେଇ ପାରେ, ଆଉ ଆଦୌ କିଛି ମଧ୍ୟ ତାହା କରି ପାରେନାହିଁ । ମାତ୍ର, ବିଦ୍ୟାସାଗରଙ୍କ ଦୟାରେ କେବଳ ବଙ୍ଗାଳୀ-ସୁଲଭ ହୃଦୟ ଭିତରେ କୋମଳତାଟି ଯେ ପ୍ରକାଶ ପାଏ ସେକଥା ନୁହେଁ, ସେଥିରେ ବଙ୍ଗାଳୀମାନଙ୍କ ଜୀବନରେ ସାଧାରଣତଃ ଦୁର୍ଲଭ ହୋଇ ରହିଥିବା ଚରିତ୍ରଗତ ଗୋଟିଏ ବଳଶାଳିତାର ମଧ୍ୟ ପରିଚୟ ମିଳି ଯାଇଥାଏ । ତାଙ୍କର ଦୟାଭାବଟିକୁ କେବଳ ଗୋଟିଏ ପ୍ରବୃତ୍ତିଗତ ଉତ୍ତେଜନା ବୋଲି ଆଦୌ କହି ହେବନାହିଁ; ସେଥିରେ ସର୍ବଦା ହିଁ ଏକ ସଦାଉଦ୍ୟମଶୀଳ ଆତ୍ମଶକ୍ତି ବିରାଜିତ ରହିଥାଏ ବୋଲି ହିଁ ତାହା ଏପରି ମହିମାମୟ ବୋଧ ହୁଏ । ସେହି ଦୟା ଆଉ ଜଣକର ଦୁଃଖର କଷ୍ଟକୁ ହ୍ରାସ କରି ଆଣିବାର ଚେଷ୍ଟାରେ ନିଜକୁ ବହୁ ବହୁ କଷ୍ଟରେ ନେଇ ପକାଇ ଦେବାକୁ ଆଦୌ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ କୁଣ୍ଠା ପ୍ରକାଶ କରିନଥାଏ ।

 

...ଦୟାଳୁ ବିଶେଷ ଭାବରେ ଜଣେ ନାରୀର ଗୁଣ ବୋଲି କହି ହେବନାହିଁ; ବସ୍ତୁତଃ ଦୟା ହେଉଛି ଜଣେ ଯଥାର୍ଥ ପୁରୁଷର ହିଁ ଧର୍ମ । ସେହି ଦୟାର ବିଧାନଟିକୁ ଯଥାର୍ଥ ପ୍ରକାରେ ପାଳନ କରିବାକୁ ହେଲେ ଦୃଢ଼ ଶକ୍ତି ଏବଂ କଠିନ ଅଧ୍ୟବସାୟ ଥିବା ଆବଶ୍ୟକ ଏବଂ ସେଥିରୁ ଏକ ଦୀର୍ଘ ସମୟ ନିମନ୍ତେ ଏକ ସମୁଚିତ କର୍ମପ୍ରଣାଳୀକୁ ଗ୍ରହଣ କରି ଚାଲିବାକୁ ହୋଇଥାଏ । କେବଳ କ୍ଷଣକ ପାଇଁ ପ୍ରବୃତ୍ତିର ଏକ ଉଚ୍ଛ୍ୱାସକୁ ବ୍ୟକ୍ତକରି ଦେଇ ହୃଦୟ ଭିତରେ କିଞ୍ଚିତ୍ ଉଶ୍ଵାସ ଅନୁଭବ କରିବାରେ ଆଦୌ କର୍ତ୍ତବ୍ୟ ଶେଷ ହୋଇ ଯାଏନାହିଁ, ମାତ୍ର ଦୀର୍ଘ କାଳ ଧରି ନାନା ଉପାୟ ଅବଲମ୍ବନ କରି ଓ ନାନା ବାଧାକୁ ଅତିକ୍ରମ କରି ଆପଣାର ଅଭିଳାଷଗୁଡ଼ିକୁ ପୂରଣ କରିବାର ଅପେକ୍ଷା ମଧ୍ୟ ରଖିଥାଏ ।

 

....ବିଦ୍ୟାସାଗର ଯେଉଁ କରୁଣାଦ୍ଵାରା ପ୍ରେରିତ ହୋଇ ରହିଥିଲେ, ତାହା ବଳିଷ୍ଠ ତାହା ପୁରୁଷୋଚିତ । ସେହି କାରଣରୁ ହିଁ ସରଳ ଏବଂ ବିକାରମୁକ୍ତ । କେବେହେଲେ କୌଣସି ସୂକ୍ଷ୍ମ ତର୍କର ଅପେକ୍ଷା ରଖେନାହିଁ, ନାସିକାକୁଞ୍ଚନ କରେନାହିଁ, ନିଜର ପରିହିତ ବସନଟିକୁ ଟେକି ଧରି ରଖିବାକୁ ଇଚ୍ଛା କରୁନଥାଏ । ସମ୍ପୂର୍ଣ୍ଣ ଭାବରେ ଆପଣାକୁ ଗତିଶୀଳ କରି ରଖିଥାଏ, ସିଧା ଚାଲେ–ଯାବତୀୟ ଶଙ୍କା ଓ ସଙ୍କୋଚନରୁ ମୁକ୍ତ ରହିଥାଏ । ରୋଗ କାଳେ ମୋତେ ମଧ୍ୟ ଧରିବ ବୋଲି ଆଶଙ୍କା ନେଇ ତାହା କେବେହେଲେ ରୋଗୀ ପାଖକୁ ଯାଏନାହିଁ । ଏପରି ଘଟଣାଟିଏ ରହିଛି ଯେ ଦୂର ଗ୍ରାମାଞ୍ଚଳରେ ଜଣେ ମେହେନ୍ତର ଘରର ସ୍ତ୍ରୀଲୋକ ଓଲାଉଠା ରୋଗରେ ଆକ୍ରାନ୍ତ ହେବାରୁ ବିଦ୍ୟାସାଗର ନିଜେ ଘଟଣାସ୍ଥଳକୁ ଯାଇ ନିଜ ହାତରେ ହିଁ ରୋଗୀର ସେବା କରିଥିଲେ । ବର୍ଦ୍ଧମାନ ସହରରେ ବାସ କରୁଥିବା ସମୟରେ ସେ ପ୍ରତିବେଶୀ ମୁସଲମାନ ପରିବାରଗୁଡ଼ିକର ମଧ୍ୟ ଯତ୍ନ ନେଉଥିଲେ ।

 

....ଆମ ଦେଶରେ ଆମେ ଯେଉଁମାନଙ୍କୁ ଭଲ ଏବଂ ଅମାୟିକ ପ୍ରକୃତିର ମନୁଷ୍ୟ ବୋଲି କହି ପ୍ରଶଂସା କରିଥାଉ, ସେମାନଙ୍କ ଭିତରେ ବହୁ ପରିମାଣରେ ଏକ ଚକ୍ଷୁଲଜ୍ଜା ମଧ୍ୟ ରହିଥାଏ । ଅର୍ଥାତ୍, ସେମାନେ କର୍ତ୍ତବ୍ୟର କ୍ଷେତ୍ରରେ କାହାରି ମନରେ ହିଁ କୌଣସି କଷ୍ଟ ଦେବାକୁ ଇଚ୍ଛା କରନ୍ତି ନାହିଁ । ବିଦ୍ୟାସାଗରଙ୍କର ଦୟାରେ ସେହି କାପୁରୁଷତା କେବେହେଲେ ନଥିଲା ।

 

...ବିଦ୍ୟାସାଗରଙ୍କର ହୃଦୟବୃତ୍ତିରେ ଯେଉଁ ବଳିଷ୍ଠତାର ପରିଚୟ ମିଳୁଥିଲା, ତାଙ୍କର ବୁଦ୍ଧିକ୍ଷେତ୍ରରେ ମଧ୍ୟ ତାହାର ସମ୍ପୂର୍ଣ୍ଣ ପ୍ରଭାବଟି ପରିଲକ୍ଷିତ ହେଉଥିଲା । ବଙ୍ଗବାସୀମାନେ ସାଧାରଣତଃ ଅତ୍ୟନ୍ତ ସୂକ୍ଷ୍ମବୁଦ୍ଧି । ସେମାନେ କେଶଟିଏ ପାଇଲେ ସେଥିରୁ ଶିରା କାଢ଼ିବାରେ ଲାଗିଯାଆନ୍ତି ସତ, ମାତ୍ର ବଡ଼ ବଡ଼ ଗଣ୍ଠିମାନଙ୍କୁ କାଟି ଛିଣ୍ଡାଇ ଦେଇ ପାରନ୍ତି ନାହିଁ । ସେମାନେ ସୁନିପୁଣ, କିନ୍ତୁ ଆଦୌ ସବଳ ନୁହନ୍ତି । ...ବିଦ୍ୟାସାଗର ବ୍ରାହ୍ମଣ ଥିଲେ ଓ ନ୍ୟାୟଶାସ୍ତ୍ରର ଅବଶ୍ୟ ସୁଅଧ୍ୟୟନ କରିଥିଲେ ସତ, କିନ୍ତୁ ତାଙ୍କ ଭିତରେ ପ୍ରଚୁର ପରିମାଣରେ କାଣ୍ଡଜ୍ଞାନ ଅର୍ଥାତ୍ ବାସ୍ତବଜ୍ଞାନ ମଧ୍ୟ ରହିଥିଲା । ଯଦି ସେଇଟି ପ୍ରକୃତରେ ନଥାନ୍ତା, ତେବେ ଯିଏ ଏକଦା ବୁଟ ଚୋବାଇ ପାଠ ପଢ଼ିଥିଲେ ସିଏ ଆଉ ଏକ ସମୟରେ ପୂର୍ଣ୍ଣ ନିଃଶଙ୍କ ଭାବରେ ଚାକିରି ଛାଡ଼ିଦେଇ ଓ ସ୍ଵାଧୀନ ଜୀବିକା ଅବଲମ୍ବନ କରି ଜୀବନର ମଧ୍ୟବୟସରେ ସ୍ଵଚ୍ଛଳ ତଥା ସ୍ଵଚ୍ଛନ୍ଦ ଭାବରେ କଦାପି ଅଗ୍ରସର ହୋଇ ପାରିନଥାନ୍ତେ । ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ଯେ, ଦୟାଭାବଦ୍ଵାରା ପରିଚାଳିତ ହୋଇ ଯିଏ ବହୁତ ବହୁତ ସ୍ଵାର୍ଥତ୍ୟାଗ କରିଛନ୍ତି, ଯିଏ ସ୍ଵସ୍ଵାର୍ଥର ଅନୁରୋଧରେ ମୁହୂର୍ତ୍ତକ ସକାଶେ ବି ଆତ୍ମସମ୍ମାନର ହାନି ଘଟାଇ ନାହାନ୍ତି, ଆପଣା ନ୍ୟାୟସଂକଳ୍ପର ସିଧା ଗାରଟି ଉପରୁ ସିଏ କୌଣସି ପ୍ରଲୋଭନରେ ପଡ଼ି କେବେହେଲେ ଡାହାଣ ଅଥବା ବାମକୁ ଏତେ ଟିକିଏହେଲେ ଦୋହଲି ଯାଇନାହାନ୍ତି, ସିଏ ସ୍ଥିର ବୁଦ୍ଧି ତଥା ଦୃଢ଼ ପ୍ରତିଜ୍ଞା ବଳର ତଥାପି ସହସ୍ର ମନୁଷ୍ୟଙ୍କ ନିମନ୍ତେ ଆଶ୍ରୟ ପ୍ରଦାନ କରିଛନ୍ତି । କୌଣସି ପାହାଡ଼ର ଶୁଷ୍କ ଶିଖରଦେଶରେ ରହିଥିବା ଦେବଦାରୁ ଗଛଟିଏ ଯେପରି ତୁଚ୍ଛା ପଥରମାନଙ୍କ ଭିତରୁ ଅଙ୍କୁରିତ ହୋଇଉଠି, ମଥାଉପରେ କେତେ କେତେ ତୁଷାର ବୃଷ୍ଟିକୁ ସହି ନିଜ ଭିତରେ ଥିବା କଠିନ ଶକ୍ତିମନ୍ତତାଦ୍ଵାରା ଆପଣାକୁ ପ୍ରାଚୁର୍ଯ୍ୟପୂର୍ଣ୍ଣ ସରସ-ଶାଖାପଲ୍ଲବ-ସମ୍ପନ୍ନ ସରଳ ମହିମାରେ ଉଚ୍ଚ ଆକାଶ ମଧ୍ୟକୁ ଭେଦି ଛିଡ଼ା ହୋଇ ରହିଥାଏ, ଠିକ୍ ସେହିପରି ଏହି ବ୍ରାହ୍ମଣତନୟ ଜନ୍ମରୁ ହିଁ ଦରିଦ୍ର ହୋଇ ମଧ୍ୟ ନାନା ପ୍ରତିକୂଳତା ସତ୍ତ୍ୱେ କେବଳ ଆପଣା ଭିତରର ଅଜସ୍ର ବୁଦ୍ଧି ଏବଂ ବଳଦ୍ଵାରା ପ୍ରେରିତ ହୋଇ କି ଅନାୟାସରେ ହିଁ ଏଭଳି ସରଳ, ସମୁନ୍ନତ ଏବଂ ସର୍ବସମ୍ପଦଯୁକ୍ତ କରି ଗଢ଼ି ନେଇ ପାରିଥିଲା ।

 

ସିଏ ଯେ ମେଟ୍ରୋପଲିଟାନ୍ ବିଦ୍ୟାଳୟକୁ ସର୍ବବିଧ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ପ୍ରାୟ ଏକାକୀ ଗୌରବର ସହିତ ବିଶ୍ଵବିଦ୍ୟାଳୟ ମଧ୍ୟକୁ ଗୁନ୍ଥି ନେଇ ପାରିଥିଲେ, ଏଥିରେ ବିଦ୍ୟାସାଗରଙ୍କର କେବଳ ଲୋକହିତୈଷଣା ଏବଂ ଅଧ୍ୟବସାୟର ନିଦର୍ଶନ ମିଳିଯାଏ ତାହା ନୁହେଁ, ସେଥିରୁ ତାଙ୍କର ସଦାଜାଗ୍ରତ-ସଦୃଶ କର୍ମବୁଦ୍ଧିଟି ମଧ୍ୟ ପ୍ରତିପାଦିତ ହୋଇଥାଏ । ସେହି ବୁଦ୍ଧି ହେଉଛି ଜଣେ ଯଥାର୍ଥ ପୁରୁଷର ବୁଦ୍ଧି । ସେହି ବୁଦ୍ଧି କେବେହେଲେ ବହୁଦୂରକୁ କଳ୍ପନା କରା ଯାଉଥିବା ନାନା ବାଧାବିଘ୍ନ ଓ ଫଳାଫଳ ବିଷୟରେ ସୂକ୍ଷ୍ମ ଏବଂ ଅତିସୂକ୍ଷ୍ମ ବିଚାରଜାଲ ମଧ୍ୟରେ ଆପଣାକୁ ପ୍ରାୟ ଏକ ନିରୁପାୟ ଅକର୍ମଣ୍ୟତା ଭିତରରେ କଦାପି ଜଡ଼ କରି ରଖିବାକୁ ଇଚ୍ଛା କରେନାହିଁ । ସେହି ବୁଦ୍ଧି କେବଳ ସୂକ୍ଷ୍ମଭାବରେ ନୁହେଁ, ମାତ୍ର ଅତ୍ୟନ୍ତ ପ୍ରଶସ୍ତ ଭାବରେ, ସମଗ୍ର ଭାବରେ କର୍ମ ତଥା କର୍ମକ୍ଷେତ୍ରର ପୂର୍ଣ୍ଣ ପରିସରଟିକୁ ଦୃଷ୍ଟିସମକ୍ଷରେ ରଖି ଆଦୌ କୌଣସି ଦ୍ଵିଧାରେ ନପଡ଼ି ଅବିଳମ୍ବେ ଉପସ୍ଥିତ ବାଧାଟିର ପ୍ରତିବିଧାନ ହିଁ କରେ,–ବୀର ପରି କାର୍ଯ୍ୟ କରି ଯାଉଥାଏ । ଏହି ଯାବତୀୟ କର୍ମବୁଦ୍ଧି ଜଣେ ବଙ୍ଗାଳିର ଜୀବନରେ ବିରଳ ହୋଇ ରହିଥାଏ ।

 

...ବିଦ୍ୟାସାଗର ବାଳବିଧବାବିବାହର ଔଚିତ୍ୟ ବିଷୟରେ ଯେଉଁ ପ୍ରସ୍ତାବ କରିଛନ୍ତି, ସେଇଟିକୁ ମଧ୍ୟ ଅତ୍ୟନ୍ତ ସହଜ ବୋଲି କୁହାଯିବ ।

 

ରମଣୀର ଦେବତ୍ଵ ଓ ବାଳିକାର ବ୍ରହ୍ମଚର୍ଯ୍ୟମାହାତ୍ମ୍ୟ ବିଷୟରେ ବିଦ୍ୟାସାଗର ଆକାଶଗାମୀ ଆଦୌ କୌଣସି ଭାବୁକତାର ଅଜସ୍ରପରିମାଣ ସଜଳ ବାଷ୍ପ ସୃଷ୍ଟି କରିବା ନିମନ୍ତେ ଚେଷ୍ଟା କରିନାହାନ୍ତି । ଆପଣାର ପରିଷ୍କାର ସବଳ ବୁଦ୍ଧି ତଥା ସରଳ ସହୃଦୟତାକୁ ସଙ୍ଗରେ ନେଇ ସମାଜର ବାସ୍ତବ ଅବସ୍ଥା ଓ ପ୍ରକୃତ ବେଦନାଟି ଉପରେ ଏକ କରୁଣାପ୍ରେରିତ ହସ୍ତକ୍ଷେପ ହିଁ କରିଛନ୍ତି । ...ଦୁଃଖର ଏକ ଦୃଷ୍ଟାନ୍ତ ଚକ୍ଷୁସମକ୍ଷକୁ ଆସିବା ମାତ୍ରକେ ହିଁ ଦୟା ଆପେ ଆପେ ସେହିଆଡ଼କୁ ଆକର୍ଷିତ ହୋଇ ଯାଇଥାଏ । ବିଦ୍ୟାସାଗର ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖିଛନ୍ତି ଯେ, ...ବିଧବା ହେବା ମାତ୍ରକେ ହିଁ ଜଣେ ବାଳିକା ତତ୍‍କ୍ଷଣାତ୍ ଆଦୌ ଜଣେ ଦେବୀରେ ପରିଣତ ହୋଇ ଯାଏନାହିଁ । ଏବଂ ଆମେ ମଧ୍ୟ ତାହାର ଚାରିପଟେ ମୋଟେ କୌଣସି ନିଷ୍କଳଙ୍କ ଦେବଲୋକଟିଏ ସୃଷ୍ଟି କରି ରଖୁନାହିଁ । ଏବଂ, ଏହିଭଳି ଏକ ଅବସ୍ଥାରେ ସେହି ବାଳକଟି ଦୁଃଖ ପାଏ, ସମାଜର ମଧ୍ୟ ବହୁତ ଅମଙ୍ଗଳ ଘଟେ,–ଏହି କଥାଟି ତ ପ୍ରତ୍ୟେକ ଦିନ ହିଁ ଘଟିବାରେ ଲାଗିଥାଏ ।

 

...ଆପଣାର ଆହାର ଏବଂ ବସ୍ତ୍ରରେ ବିଦ୍ୟାସାଗର ଅତୀବ ସରଳ ଏବଂ ସହଜ ଥିଲେ-। ଏବଂ, ସେହି ସରଳତା ମଧ୍ୟରେ ହିଁ ନିଜ ଦୃଢ଼ ଇଚ୍ଛାଶକ୍ତିର ପରିଚୟ ଦେଇଥିଲେ-। ...ଆମ୍ଭେମାନେ ତ ସାଧାରଣତଃ ପ୍ରବଳ ସାହେବୀ ଅଥବା ବହୁ ପରିମାଣର ନବାବୀ କଦରଗୁଡ଼ିକୁ ଦେଖାଇ ସଂପୃକ୍ତ ଅନ୍ୟମାନଙ୍କ ଆଖିରେ ସମ୍ମାନାସ୍ପଦ ହୋଇ ଦେଖାଯିବା ନିମନ୍ତେ ଖୁବ୍ ଚେଷ୍ଟାକରୁ । କିନ୍ତୁ ବିଦ୍ୟାସାଗରଙ୍କର ଉନ୍ନତ ତଥା ଯଥାର୍ଥ ଆତ୍ମସମ୍ମାନକୁ ସେହିସବୁ ଆଡ଼ମ୍ବରର ଚପଳତା କେବେହେଲେ ସ୍ପର୍ଶ କରୁନଥିଲା । ଏକ ଭୂଷଣହୀନ ସରଳତା ହିଁ ତାଙ୍କ ଜୀବନରେ ରାଜଭୂଷଣ ହୋଇ ରହିଥିଲା । ...ଜଣେ ବ୍ରାହ୍ମଣପଣ୍ଡିତ ଯେଉଁ ଚଟିଜୋତା ଏବଂ ମୋଟା ଧୋତି ଓ ଚଦର ପିନ୍ଧି ସବୁଠାରେ ସମ୍ମାନ ଲାଭ କରିଥାନ୍ତି, ବିଦ୍ୟାସାଗର ରାଜାଙ୍କର ସାମୀପ୍ୟରେ ମଧ୍ୟ ତାହାକୁ ପରିତ୍ୟାଗ କରିବାର କୌଣସି ପ୍ରୟୋଜନ ରହିଥିବାର ଅନୁଭବ କରିନଥିଲେ-। ତାଙ୍କର ନିଜ ସମାଜ ମଧ୍ୟରେ ଯଦି ଏହା ହିଁ ଭଦ୍ର ପରିଧାନ ବୋଲି ସ୍ଵୀକୃତ ହୋଇ ଆସିଛି, ତେବେ ସେ ଅନ୍ୟ କୌଣସି ସମାଜରେ ଅନ୍ୟ ବେଶଟିଏ ପରିଧାନ କରି ନିଜର ସମାଜ ଓ ନିଜର ଅବମାନନା କରିବା ଲାଗି କେତେବେଳେ ବି ଇଚ୍ଛା କରିନଥିଲେ । ଧଳା ଧୋତି ଏବଂ ଧଳା ଚାଦରକୁ ବିଦ୍ୟାସାଗର ଯେଉଁ ଗୌରବ ପ୍ରଦାନ କରିଥିଲେ, ଆମ ସଂପ୍ରତିକାଳର ରାଜାମାନଙ୍କର ଛଦ୍ମବେଶ ପିନ୍ଧି ଆମେ ନିଜକୁ କଦାପି ସେହି ଗୌରବ ଦେଇ ପାରିବାନାହିଁ । ବରଂ, ଆମର ଏହି କୃଷ୍ଣ ଚର୍ମଟି ଉପରେ ତଦ୍ଦ୍ଵାରା ଦ୍ଵିଗୁଣ ପରିମାଣର କୃଷ୍ଣକଳଙ୍କ ଲେପନ କରିବା ହିଁ ସାର ହେବ । ନାନା ପ୍ରକାର ଅପମାନ ସହିତ ବାସ କରୁଥିବା ଆମର ଏହି ଦେଶରେ ଜଣେ ଈଶ୍ଵରଚନ୍ଦ୍ରଙ୍କ ସଦୃଶ ଏପରି ଅଖଣ୍ଡ ପୌରୁଷର ଆଦର୍ଶ କିପରି ଯେ ଜନ୍ମଗ୍ରହଣ କଲା, ମୁଁ ସେକଥା କହି ପାରିବିନାହିଁ । କାକ ବସାରେ କୋଇଲି ଯାଇ ଡିମ୍ବ ଦେଇ ଆସେ,–ମାନବ-ଇତିହାସର ବିଧାତା ସମ୍ଭବତଃ ସେହିପରି କୌଣସି ଗୋପନ କୌଶଳରେ ବଙ୍ଗଦେଶ ଉପରେ ବିଦ୍ୟାସାଗରଙ୍କୁ ମଣିଷ କରିବା ଦାୟିତ୍ଵଟିକୁ ଆଣି ନ୍ୟସ୍ତ କରି ଦେଇଥିଲେ ।

 

ଏବଂ ତାହାରି ସକାଶେ ହିଁ ବିଦ୍ୟାସାଗର ଏହି ଭୂମିରେ ଏକକ ହୋଇ ରହିଥିଲେ । ସତେଯେପରି ଏଠାରେ ତାଙ୍କର ସ୍ଵଜାତି ଓ ସୋଦର ହୋଇ କେହି ବି ନଥିଲେ । ଆପଣାର ସହଯୋଗ୍ୟ ଜଣେ ସହଯୋଗୀର ଅଭାବ ହେତୁ ସେ ନିଜ ମୃତ୍ୟୁ ପର୍ଯ୍ୟନ୍ତ ହିଁ ସତେଅବା ଏକ ନିର୍ବାସନ-ଦଣ୍ଡ ଭୋଗ କରି ଏଠାରୁ ଗଲେ । ସିଏ ଆଦୌ ସୁଖୀ ନଥିଲେ । ନିଜ ଭିତରେ ସେ ଯେଉଁ ଅକୃତ୍ରିମ ମନୁଷ୍ୟତ୍ଵର ଅନୁଭବ କରୁଥିଲେ, ନିଜ ଚତୁର୍ଦ୍ଦିଗରେ ରହିଥିବା ମନୁଷ୍ୟମେଳ ମଧ୍ୟରେ ସିଏ ତାହାର କୌଣସି ଆଭାସ ହିଁ ଦେଖି ପାରୁନଥିଲେ । । ହଁ, ବହୁ ମନୁଷ୍ୟଙ୍କର ଉପକାର କରି ସେମାନଙ୍କର କୃତଜ୍ଞତା ଲାଭ କରିଛନ୍ତି, କିନ୍ତୁ ସ୍ଵକର୍ମର କ୍ଷେତ୍ରଗୁଡ଼ିକରେ ସହାୟତା ପାଇ ପାରିନାହାନ୍ତି । ପ୍ରତ୍ୟହ ଦେଖିଛନ୍ତି,–ଆମେ କାର୍ଯ୍ୟଟିଏ ଆରମ୍ଭ କରୁ, ମାତ୍ର ତାହାକୁ ଶେଷ କରି ପାରୁନାହିଁ; ଆଡ଼ମ୍ବର କରୁ ସିନା, କିନ୍ତୁ କାର୍ଯ୍ୟ କରୁନାହିଁ । ଯାହା କାର୍ଯ୍ୟ ବୋଲି ହୁଏତ କରୁ, ତାକୁ ବିଶ୍ଵାସ କରି ପାରୁନାହିଁ; ଯାହା ବିଶ୍ଵାସ କରୁ, ତାହା ପାଳନ କରୁନାହିଁ । ଭୁରି ପରିମାଣର ବାକ୍ୟ ରଚନା କରି ପାରୁ ସତ, କିନ୍ତୁ ତିଳ ପରିମାଣର ଆତ୍ମତ୍ୟାଗ କରି ପାରୁନାହିଁ । ଆମେ ଗୁଡ଼ାଏ ଅହଙ୍କାର ଦେଖାଇ ପରିତୃପ୍ତି ପାଉ, ଯୋଗ୍ୟତାଲାଭର କୌଣସି ଚେଷ୍ଟା କରୁନାହିଁ । ସକଳ କାର୍ଯ୍ୟରେ ଅନ୍ୟର ପ୍ରତ୍ୟାଶା କରୁ, ଅଥଚ ଅନ୍ୟର ତ୍ରୁଟିଟିଏ ଦେଖିଲେ ଆକାଶକୁ ବିଦୀର୍ଣ୍ଣ କରିଦେଉ । ପରର ଅନୁକରଣ କରିବାରେ ଗର୍ବ ଅନୁଭବ କରୁଥାଉ, ପରଠାରୁ ଅନୁଗ୍ରହ ପାଇଲେ ସମ୍ମାନରେ ଗଦ୍‍ଗଦ ହେଉ; ପରର ଆଖିକୁ ଧୂଳି ନିକ୍ଷେପ କରିବାକୁ ଆମେ ପଲିଟିକ୍‍ସ୍ ବୋଲି କହୁ ଏବଂ ନିଜର ବାକ୍‍ଚାତୁରୀଦ୍ଵାରା ନିଜେ ମୁଗ୍ଧ ହୋଇ ନିଜପ୍ରତି ଭକ୍ତିବିହ୍ଵଳ ହୋଇପଡ଼ିବା ହିଁ ଆମ ଜୀବନର ପ୍ରଧାନ ଉଦ୍ଦେଶ୍ୟ ହୋଇ ରହିଥାଏ । ଏହି ଦୁର୍ବଳ, ନିମ୍ନମତି, ହୃଦୟହୀନ, କର୍ମହୀନ, ଦାମ୍ଭିକ ଏବଂ ତାର୍କିକ ଜାତିଟି ପ୍ରତି ବିଦ୍ୟାସାଗରଙ୍କର ମନରେ ଏକ ସୁଗଭୀର ଧିକ୍କାର ରହିଥିଲା । କାରଣ, ସେ ସକଳ ବିଷୟରେ ହିଁ ଏମାନଙ୍କର ବିପରୀତ ଥିଲେ ।

 

....ଏବେ ତ ଆମେ ବିଦ୍ୟାସାଗରଙ୍କୁ କେବଳ ବିଦ୍ୟା ଓ ଦୟାର ଆଧାର ବୋଲି ଜାଣିଛୁ; ଏହି ବୃହତ୍ ପୃଥିବୀଟିର ସଂସ୍ରବରେ ଆସି ଆମେ ଯହୁଁ ଯହୁଁ ଅଧିକ ତାତ୍ପର୍ଯ୍ୟ ସହିତ ମନୁଷ୍ୟ ହୋଇ ପାରିବା, ପୁରୁଷ ସଦୃଶ ନିଜର ଏହି ଦୁର୍ଗମବିସ୍ତୀର୍ଣ୍ଣ କର୍ମକ୍ଷେତ୍ରରେ ଯେତେ ଅଗ୍ରସର ହେଉଥିବା, ବହୁବିଧ ଶୌର୍ଯ୍ୟ, ବ୍ୟର୍ଯ୍ୟ ତଥା ମହତ୍ତ୍ଵସହିତ ଆମର ଯେତିକି ଯେତିକି ପ୍ରତ୍ୟକ୍ଷ ପରିଚୟ ହୋଇ ପାରୁଥିବ, ଆପଣାର ଅନ୍ତର ମଧ୍ୟରେ ଆମେ ସେତିକି ଅନୁଭବ ମଧ୍ୟ କରୁଥିବା ଯେ, ଦୟା ନୁହେଁ, ବିଦ୍ୟା ନୁହେଁ, ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ଜୀବନରେ ପ୍ରଧାନତମ ଗୌରବ ହେଉଛି ତାଙ୍କର ଅଜେୟ ପୌରୁଷ, ତାଙ୍କର ସେହି ଅକ୍ଷୟ ମନୁଷ୍ୟତ୍ଵ ।

 

–ମୂଳ ବଙ୍ଗଳାରୁ ଅନୁବାଦ

 

-୩-

ଈଶ୍ଵରଚନ୍ଦ୍ର ବିଦ୍ୟାସାଗର

ମୋହନଦାସ କରମଚାନ୍ଦ ଗାନ୍ଧୀ

 

ଏହି ପତ୍ରିକାର ସ୍ତମ୍ଭମାନଙ୍କରେ ଆମେ ଆଗରୁ କେତେଜଣ ଇଉରୋପୀୟ ଉତ୍ତମ ବ୍ୟକ୍ତିଙ୍କର ସଂକ୍ଷିପ୍ତ ଜୀବନ-ବିବରଣଗୁଡ଼ିକୁ ପ୍ରକାଶିତ କରିଆସିଛୁ । ଏପରି କରିବା ପଛରେ ଆମର ଉଦ୍ଦେଶ୍ୟ ହେଉଛି, ପାଠକମାନେ ଉକ୍ତ ବିଶେଷ ବ୍ୟକ୍ତିମାନଙ୍କ ସମ୍ପର୍କରେ କିଛି ଅବଗତ ହେବେ ଏବଂ ସେମାନଙ୍କଦ୍ଵାରା ଅନୁପ୍ରାଣିତ ହୋଇ ନିଜ ଜୀବନଗୁଡ଼ିକୁ ମଧ୍ୟ ଅଧିକତର ସାର୍ଥକତା ଦେଇପାରିବେ ।

 

ଇଂଲଣ୍ଡରେ ତିଆରି ହୋଇ ଆମ ଦେଶକୁ ଆସୁଥିବା ଦ୍ରବ୍ୟଗୁଡ଼ିକୁ ବୟକଟ କରିବା ନିମନ୍ତେ ବର୍ତ୍ତମାନ ବଙ୍ଗପ୍ରଦେଶରେ ଯେଉଁ ଶକ୍ତିଶାଳୀ ଆନ୍ଦୋଳନଟି ଚାଲିଛି, ତାହାର ମହତ୍ତ୍ଵଟିକୁ ଆମେ କଦାପି ହାଲୁକା ଭାବରେ ଗ୍ରହଣ କରିବାନାହିଁ । ସେଠାରେ ଏପରି ଏକ ଆନ୍ଦୋଳନ ଯେ ସମ୍ଭବ ହେଲା ତାହାର କାରଣ ହେଉଛି ଯେ ସେଠାରେ ଶିକ୍ଷାର ଅପେକ୍ଷାକୃତ ଅଧିକ ପ୍ରସାର ଘଟିଛି, ଏବଂ, ଭାରତବର୍ଷର ଅନ୍ୟ ଅଞ୍ଚଳଗୁଡ଼ିକର ତୁଳନାରେ ସେଠା ଅଧିବାସୀମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି ହୋଇ ପାରିଛି । ସାର୍ ହେନ୍‍ରୀ କଟନ୍ ଏପରି ମତଟିଏ ବ୍ୟକ୍ତ କରିଛନ୍ତି ଯେ, କଲିକତାଠାରୁ ପେଶାବାର ପର୍ଯ୍ୟନ୍ତ ବଙ୍ଗଦେଶ ହିଁ ଲୋକଜୀବନର ଦିକ୍‍ନିର୍ଣ୍ଣୟ କରୁଛି । ଏପରି କିଭଳି ସମ୍ଭବ ହୋଇଛି, ତାହାର କାରଣ ଜାଣିବା ମଧ୍ୟ ଆବଶ୍ୟକ ।

 

ଯେକୌଣସି ଜାତିର ଉତ୍‍ଥାନ ଏବଂ ପତନ ଯେ ତାହାର ବଡ଼ ବଡ଼ ମଣିଷମାନଙ୍କ ଉପରେ ନିର୍ଭର କରିଥାଏ, ଏହା କହିବା କେବଳ ଏକ ବାହୁଲ୍ୟ ମାତ୍ର । ଯେଉଁ ଜାତି ଉତ୍ତମ ବ୍ୟକ୍ତିମାନଙ୍କୁ ଜନ୍ମ ଦିଏ, ତାହା ସେହିମାନଙ୍କଦ୍ଵାରା ହିଁ ଅବଶ୍ୟ ପ୍ରଭାବିତ ହୋଇଥାଏ । ସଂପ୍ରତି ବଙ୍ଗଦେଶରେ ଆମେ ଏହି ଦିଗରୁ ଏତେ ଏତେ ବିଶେଷ ଦୃଷ୍ଟାନ୍ତମାନ ଯେ ଦେଖିବାକୁ ପାଉଛୁ, ତାହାର ପ୍ରଧାନ କାରଣ ହେଉଛି ଯେ, ବିଗତ ଶତାବ୍ଦୀରେ ସେଠାରେ ବହୁସଂଖ୍ୟକ ମହାନ୍ ବ୍ୟକ୍ତି ପ୍ରକୃତରେ ଜନ୍ମଗ୍ରହଣ କରିଛନ୍ତି । ଶ୍ରୀ ରାମମୋହନ ରାୟଙ୍କଠାରୁ ଆରମ୍ଭ କରି, ଏକାଧିକ ସଂଖ୍ୟକ ବୀର ଅଗ୍ରଗଣ୍ୟ ବ୍ୟକ୍ତି ସେହି ଭୂମିରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ନିଜର ସେହି ଭୂମିକୁ ଅନ୍ୟ ପ୍ରଦେଶଗୁଡ଼ିକର ତୁଳନାରେ ଏକ ଉଚ୍ଚତର ସ୍ଥାନକୁ ନେଇ ପାରିଛନ୍ତି । ଏବଂ, ଏହି ସନ୍ଦର୍ଭରେ ଅବଶ୍ୟ କୁହାଯିବ ଯେ ଶ୍ରୀଯୁକ୍ତ ଈଶରଚନ୍ଦ୍ର ବିଦ୍ୟାସାଗର ସେହି ପରିମାପକଟି ଅନୁସାରେ ପ୍ରକୃତରେ ଶୀର୍ଷତମ ସ୍ଥାନରେ ହିଁ ରହିଛନ୍ତି । ବିଦ୍ୟାସାଗରର ଅର୍ଥ ହେଉଛି ବିଦ୍ୟାର ସାଗର । ଏଇଟି ହେଉଛି ଈଶ୍ଵରଚନ୍ଦ୍ର ସଂସ୍କୃତ ଶିକ୍ଷାରୁ ପାଇଥିବା ଗୋଟିଏ ଉପାଧି, ଯାହାକୁ ସେ ଆପଣାର ଗଭୀର ସଂସ୍କୃତବିଦ୍ୟାରେ ନୈପୁଣ୍ୟ ହେତୁ କଲିକତାରୁ ପଣ୍ଡିତମାନଙ୍କଠାରୁ ପାଇଥିଲେ । ମାତ୍ର, ଈଶ୍ଵରଚନ୍ଦ୍ର କେବଳ ବିଦ୍ୟାର ସାଗର ନଥିଲେ, ସେ କରୁଣାର ସାଗର ମଧ୍ୟ ଥିଲେ । ଉଦାରତାର ତଥା ଆହୁରି ଅନେକ ଅନେକ ମହାନ୍ ଗୁଣର ସାଗର ଥିଲେ । ସେ ଜଣେ ହିନ୍ଦୁ ଥିଲେ, ଜଣେ ବ୍ରାହ୍ମଣ ମଧ୍ୟ ଥିଲେ । ମାତ୍ର, ତାଙ୍କ ଲାଗି ବ୍ରାହ୍ମଣ ଏବଂ ଶୂଦ୍ର, ହିନ୍ଦୁ ବା ମୁସଲମାନ ସମସ୍ତେ ଅଭିନ୍ନ ହୋଇ ହିଁ ଦେଖା ଯାଉଥିଲେ । ସିଏ ଆପଣାର ଜୀବନକାଳରେ ଯେତେ ଯେତେ ଉତ୍ତମ କାର୍ଯ୍ୟର ସମ୍ପାଦନ କରିଥିଲେ, ସେଥିରେ ଆଦୌ କୌଣସି ଉଚ୍ଚ ନୀଚର ଭେଦ ହିଁ ରଖୁନଥିଲେ । ଥରେ ତାଙ୍କର ଜଣେ ଅଧ୍ୟାପକ ଯେତେବେଳେ ବିସୂଚିକାରେ ଆକ୍ରାନ୍ତ ହେଲେ, ସେତେବେଳେ ଈଶ୍ଵରଚନ୍ଦ୍ର ନିଜେ ତାଙ୍କର ସେବା ଶୁଶ୍ରୂଷା କରିବାକୁ ପହଞ୍ଚି ଯାଇଥିଲେ । ଚିକିତ୍ସା ପାଇଁ ସେହି ଅଧ୍ୟାପକଙ୍କର ଯଥେଷ୍ଟ ଧନ ନଥିଲା ଏବଂ ଈଶ୍ଵରଚନ୍ଦ୍ର ଆପଣା ଖରଚରେ ହିଁ ଯାଇ ଡାକ୍ତରମାନଙ୍କୁ ଡାକି ଆଣିଲେ-। ନିଜ ହାତରେ ହିଁ ରୋଗୀର ମଳ ଆଦି ପରିଷ୍କାର କରିଥିଲେ ।

 

ଚନ୍ଦନନଗରରେ ଅବସ୍ଥାନ କରୁଥିବା ସମୟରେ ସେ ଲସି ଓ ଦହି କିଣି ଦରିଦ୍ର ମୁସଲମାନ ପ୍ରତିବେଶୀଙ୍କର ଆପ୍ୟାୟନ କରୁଥିଲେ । ଅଭାବଗ୍ରସ୍ତମାନଙ୍କୁ ଅର୍ଥଦାନ କରୁଥିଲେ । ଜଣେ ଖଞ୍ଜ କିମ୍ବା ଦୁରବସ୍ଥାରେ ରହିଥିବା ବ୍ୟକ୍ତି ଦେଖିଲେ ତାହାକୁ ରାସ୍ତାଉପରୁ ନିଜ ଘରକୁ ନେଇ ଯାଉଥିଲେ ଏବଂ ବ୍ୟକ୍ତିଗତ ଭାବରେ ତାହାର ଉଚିତ ଶୁଶ୍ରୂଷାଦି କରୁଥିଲେ । ଅନ୍ୟମାନଙ୍କର ଦୁଃଖରେ ଓ ସୁଖରେ ସୁଖୀ ହେଉଥିଲେ ।

 

ଆପେ ଅତ୍ୟନ୍ତ ସରଳ ଜୀବନଯାପନ କରୁଥିଲେ । ପରିଧାନ କହିଲେ ଗୋଟିଏ ମୋଟା ଧୋତି, ଦେଶରେ ପଡ଼ିଥିବା ଖଣ୍ଡେ ଚାଦର ଏବଂ ହଳେ ଚଟି, ସେହି ପୋଷାକରେ ସେ ଗଭର୍ଣ୍ଣରମାନଙ୍କ ସହିତ ସାକ୍ଷାତ କରିବାକୁ ଯାଉଥିଲେ ଏବଂ ସେହି ପୋଷାକରେ ମଧ୍ୟ ଦରିଦ୍ର ମନୁଷ୍ୟମାନଙ୍କର ମେଳରେ ଯାଇ ବସୁଥିଲେ । ସେ ବସ୍ତୁତଃ ଜଣେ ଫକୀର ହିଁ ଥିଲେ, ଜଣେ ସନ୍ନ୍ୟାସୀ ଏବଂ ଯୋଗୀ ଥିଲେ । ତାଙ୍କ ଜୀବନଟି ବିଷୟରେ ଅନ୍ତରଙ୍ଗ ଭାବରେ ବିଚାର କଲେ ଆମେ ଖୁବ୍ ଲାଭବାନ୍ ହୋଇ ପାରିବା ।

 

ବଙ୍ଗଦେଶର ମେଦିନୀପୁର ତାଲୁକାରେ ଗୋଟିଏ ଛୋଟ ଗାଆଁରେ ବାସ କରୁଥିବା ଦରିଦ୍ର ପରିବାରରେ ଈଶ୍ଵରଚନ୍ଦ୍ରଙ୍କର ଜନ୍ମ । ତାଙ୍କର ମାଆ ଜଣେ ସନ୍ୟାସିନୀ ପରି ଜୀବନଯାପନ କରୁଥିଲେ । ଈଶ୍ଵରଚନ୍ଦ୍ର ସେହି ମାଆଙ୍କର ବହୁତ ଗୁଣକୁ ଆପେ ମଧ୍ୟ ସତେଅବା ଉତ୍ତରାଧିକାର ସୂତ୍ରରେ ଲାଭ କରିଥିଲେ । ସେହି ପୁରାତନ କାଳଟିରେ ମଧ୍ୟ ବାପା କିଛି ଇଂରାଜୀ ଜାଣିଥିଲେ ଓ ନିଜର ପୁଅଟିର କିଛି ଉତ୍ତମ ଶିକ୍ଷାର ସୁଯୋଗ ଦେବାକୁ ସ୍ଥିର କରିଥିଲେ । ପାଞ୍ଚବର୍ଷ ବୟସରେ ପୁଅର ଶିକ୍ଷା ଆରମ୍ଭ ହୋଇଥିଲା । ଆଠବର୍ଷ ବୟସରେ ଦୀର୍ଘ ଷାଠିଏ ମାଇଲ ବାଟ ପାଦରେ ଚାଲି ଚାଲି ସେ ବାପାଙ୍କ ସହିତ କଲିକତା ଗଲେ ଏବଂ ସେଠାରେ ସଂସ୍କୃତ କଲେଜରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ତାଙ୍କର ସ୍ମରଣଶକ୍ତି ଅତୁଳନୀୟ ଥିଲା ଏବଂ ଗ୍ରାମରୁ କଲିକତା ଯାଏ ଯିବାର ପ୍ରାୟ ଦୁଇଦିନର ରାସ୍ତାରେ ମାଇଲ୍‍ସୂଚକ ପଥରଗୁଡ଼ିକୁ ଦେଖି ଦେଖି ସେ ସେହି ବାଟରେ ହିଁ ଇଂରାଜୀ ସଂଖ୍ୟାଗୁଡ଼ିକୁ ଶିଖି ନେଇଥିଲେ । ଷୋଳ ବର୍ଷ ବୟସରେ ସଂସ୍କୃତରେ ପାରଙ୍ଗମତା ଅର୍ଜନ କରି ପାରିଲେ ଏବଂ ଜଣେ ସଂସ୍କୃତ ଶିକ୍ଷକରୂପେ ନିଯୁକ୍ତି ପାଇଥିଲେ । ଏହିପରି ସୋପାନ ପରେ ସୋପାନ ଆରୋହଣ କରି ଈଶ୍ଵରଚନ୍ଦ୍ର ସେହି ସଂସ୍କୃତ କଲେଜରେ ଅଧ୍ୟକ୍ଷ ମଧ୍ୟ ହେଲେ । ଯେଉଁଠାରେ ଶିକ୍ଷାରମ୍ଭ କରିଥିଲେ, ତାହାରି ସର୍ବୋଚ୍ଚ ପଦରେ ଯାଇ ରହି ପାରିଲେ । ସରକାର ତାଙ୍କୁ ବହୁତ ସମ୍ମାନର ସହିତ ଦେଖୁଥିଲେ । ମାତ୍ର, ନିଜ ସ୍ଵଭାବରେ ଓ ଚିନ୍ତାରେ ଅତ୍ୟନ୍ତ ସ୍ଵାଧୀନଚେତା ହୋଇଥିବାରୁ ଶିକ୍ଷା ବିଭାଗର ସରକାରୀ ନିର୍ଦ୍ଦେଶକଙ୍କର ପ୍ରସ୍ତାବନାମା ଅନୁସାରେ କାର୍ଯ୍ୟ କରି ପାରିଲେନାହିଁ ଏବଂ ନିଜର ପଦରୁ ଇସ୍ତଫା ଦେଇଥିଲେ । ବଙ୍ଗଳାର ତତ୍କାଳୀନ ଲାଟ୍ ସାହେବ ସାର୍ ଫ୍ରେଡ଼େରିକ୍ ହାଲିଡ଼େ ତାଙ୍କୁ ତଥାପି ଡକାଇ ପଠାଇଲେ ଓ ଇସ୍ତଫାପତ୍ରକୁ ପ୍ରତ୍ୟାହାର କରିନେବା ପାଇଁ ଅନୁରୋଧ ମଧ୍ୟ କଲେ, କିନ୍ତୁ ଈଶ୍ଵରଚନ୍ଦ୍ର ତଥାପି ନିଜ ନିଷ୍ପତ୍ତିରେ ଅଟଳ ରହିଲେ ।

 

ଚାକିରିଟିକୁ ପରିତ୍ୟାଗ କରି ଚାଲିଆସିବା ପରେ ଯାଇ ବିଦ୍ୟାସାଗରଙ୍କର ମହନୀୟତା ଏବଂ ମାନବବିକତାର ଅଧିକତର ପରିଚୟ ମିଳି ପାରିଲା । ସିଏ ଅତି ସ୍ପଷ୍ଟ ଭାବରେ ହୃଦୟଙ୍ଗମ କଲେ ଯେ ବଙ୍ଗଳା ହେଉଛି ଗୋଟିଏ ଅତ୍ୟନ୍ତ ପୋଖତ ଭାଷା; ମାତ୍ର ସେହି ସମୟର ଆବଶ୍ୟକତା ଅନୁସାରେ ନୂଆ ସେତେ ପରିମାଣର ପୁସ୍ତକ ଛାପା ହୋଇ ପାରିନାହିଁ । ଈଶ୍ଵରଚନ୍ଦ୍ର ବଙ୍ଗଳା ଭାଷାରେ ବହି ଲେଖିବା ଆରମ୍ଭ କରିଦେଲେ । ଅତ୍ୟୁତ୍ତମ ବହୁ ପୁସ୍ତକ ରଚନା କଲେ ଏବଂ, ସମସ୍ତେ ଏବେ ମଧ୍ୟ ସ୍ଵୀକାର କରିବେ ଯେ, ବିଦ୍ୟାସାଗରଙ୍କ ସକାଶେ ହିଁ କ୍ରମେ ବଙ୍ଗଳା ଭାଷାର ଏତେ ବିକାଶ ସମ୍ଭବ ହେଲା ଏବଂ ସମଗ୍ର ଭାରତବର୍ଷରେ ମଧ୍ୟ ତାହାର ପ୍ରସାର ହୋଇ ପାରିଲା ।

 

ମାତ୍ର, ସେ ଏକଥାଟିକୁ ମଧ୍ୟ ହୃଦୟଙ୍ଗମ କରିଥିଲେ ଯେ, କେବଳ ବହିଗୁଡ଼ିକ ଲେଖିଦେଲେ ଆଦୌ ଯଥେଷ୍ଟ ହେବନାହିଁ । ତେଣୁ, ସିଏ ଅଧିକ ବିଦ୍ୟାଳୟର ପ୍ରତିଷ୍ଠା ଦିଗରେ ମନୋନିବେଶ କରିଥିଲେ । ବିଦ୍ୟାସାଗର ହିଁ କଲିକତାରେ ମେଟ୍ରୋପଲିଟାନ୍ କଲେଜର ସ୍ଥାପନା କରିଥିଲେ । ସମ୍ପୂର୍ଣ୍ଣ ଭାବରେ ଭାରତୀୟମାନଙ୍କଦ୍ଵାରା ହିଁ ଅନୁଷ୍ଠାନଟିର ପ୍ରତିଷ୍ଠା ହୋଇଥିଲା ।

 

ଉଚ୍ଚସ୍ତରୀୟ ଶିକ୍ଷା ସହିତ ପ୍ରାଥମିକ ଶିକ୍ଷା ମଧ୍ୟ ଏକାନ୍ତ ଆବଶ୍ୟକ ବୋଲି ଶ୍ରୀଯୁକ୍ତ ବିଦ୍ୟାସାଗର ଉପଲବ୍ଧି କରିଥିଲେ । ଦରିଦ୍ର ପରିବାରର ପିଲାମାନଙ୍କ ପାଇଁ ସେ ପ୍ରାଥମିକ ବିଦ୍ୟାଳୟମାନ ବସାଇଥିଲେ । ଏଇଟି ଆଦୌ ଏକ ସାମାନ୍ୟ କାର୍ଯ୍ୟ ନଥିଲା ଓ ସେଥିପାଇଁ ବିଦ୍ୟାସାଗର ସରକାରୀ ସହାୟତାକୁ ଆବଶ୍ୟକ ମନେ କରିଥିଲେ । ପ୍ରଦେଶର ଲାଟ ତାଙ୍କୁ ଆଶ୍ଵାସନା ଦେଇଥିଲେ ଯେ ସରକାର ଅବଶ୍ୟ ଏହି ବାବତର ସକଳ ବ୍ୟୟ ବହନ କରିବେ । ମାତ୍ର ଭାରତର ବଡ଼ଲାଟ ଲର୍ଡ଼ ଏଲେନ୍-ବରୋ ତାହାର ବିରୋଧ କରିଥିଲେ ଏବଂ ତେଣୁ ବିଦ୍ୟାସାଗର ସରକାରଙ୍କୁ ଦେଇଥିବା ଖର୍ଚ୍ଚର ହିସାବଗୁଡ଼ିକୁ ମଞ୍ଜୁରି ପାଇଲାନାହିଁ । ପ୍ରଦେଶର ଲାଟ ଏଥିରେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ଏବଂ ଈଶ୍ଵରଚନ୍ଦ୍ର ଏହି ସଂକ୍ରାନ୍ତରେ କୋର୍ଟରେ ତାଙ୍କ ବିରୋଧରେ ନାଲିଶ୍ କରନ୍ତୁ ବୋଲି ତାଙ୍କ ଆଗରେ ପ୍ରସ୍ତାବଟିଏ ମଧ୍ୟ ବାଢ଼ିଥିଲେ । ମାତ୍ର ସାହସୀ ଈଶ୍ଵରଚନ୍ଦ୍ର ଉତ୍ତର ଦେଇଥିଲେ, ''ମହାଭାଗ, ମୋ' ନିଜପାଇଁ ନ୍ୟାୟ ମାଗି ମୁଁ କେବେହେଲ କୌଣସି କୋର୍ଟକଚେରିକୁ କେବେହେଲେ ଯାଇନାହିଁ । ତେଣୁ ମୁଁ ଆପଣଙ୍କର ବିରୋଧରେ ମଧ୍ୟ ମକଦ୍ଦମା କରିବା ନିମନ୍ତେ କିପରି ସେଠାକୁ ଯିବି ?'' ସେହି ସମୟରେ ବିଦ୍ୟାସାଗରରଙ୍କ କାର୍ଯ୍ୟରେ ବହୁ ସମୟରେ ସାହାଯ୍ୟ କରି ଆସିଥିବା ଅନ୍ୟ ଇଉରୋପୀୟ ଭଦ୍ରବ୍ୟକ୍ତିମାନେ ଉତ୍ତମ ପରିମାଣର ଅର୍ଥସହାୟତା କରିବାକୁ ଅଗ୍ରସର ହୋଇ ଆସିଥିଲେ । ଈଶ୍ଵରଚନ୍ଦ୍ର ତ ନିଜେ ସେତେ ଧନୀ ନଥିଲେ, ତେଣୁ, ବିପନ୍ନ ଅବସ୍ଥାରେ ଅନେକ ଅନେକ ଅନ୍ୟଙ୍କୁ ସାହାଯ୍ୟ କରି ସିଏ କ୍ରମେ ଋଣଗ୍ରସ୍ତ ହୋଇ ପଡ଼ିଥିଲେ । ତଥାପି, ତାଙ୍କୁ ବ୍ୟକ୍ତିଗତ ଭାବରେ ସାହାଯ୍ୟ କରିପାରିବା ଲାଗି ସାଧାରଣଙ୍କଠାରୁ କିଛି ଅର୍ଥ ଆଦାୟ କରିବାର ଏକଦା ଯେତେବେଳେ ଗୋଟିଏ ପ୍ରସ୍ତାବ ହୋଇଥିଲା, ସେତେବେଳେ ସେ ସେଥିରେ ମୋଟେ ରାଜି ହୋଇନଥିଲେ ।

 

ଏହିପରି ଭାବରେ ଉଚ୍ଚତର ଏବଂ ପ୍ରାଥମିକ ଶିକ୍ଷାକୁ ଏକ ନିଶ୍ଚିତ ଭିତ୍ତି ଉପରେ ପ୍ରତିଷ୍ଠିତ କରିସାରିବା ପରେ ମଧ୍ୟ ଈଶ୍ଵରଚନ୍ଦ୍ର ତଥାପି ପୂର୍ଣ୍ଣ ସନ୍ତୋଷ ଲାଭ କରିନଥିଲେ । ସିଏ ଖୁବ୍ ସ୍ପଷ୍ଟ ଭାବରେ ଦେଖି ପାରିଥିଲେ ଯେ, ବାଳିକାମାନେ ମଧ୍ୟ ପାଠ ପଢ଼ି ସ୍କୁଲକୁ ନଆସିଲେ, କେବଳ ପୁଅମାନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରିଦେଲେ ତାହା କଦାପି ଯଥେଷ୍ଟ ହେବନାହିଁ । ସିଏ ମନୁ-ସଂହିତା ଗ୍ରନ୍ଥରୁ ଗୋଟିଏ ଶ୍ଳୋକର ଆବିଷ୍କାର କରିଥିଲେ, ଯେଉଁଠି କୁହା ଯାଇଥିଲା ଯେ, ନାରୀମାନଙ୍କୁ ଶିକ୍ଷା ପ୍ରଦାନ କରିବା ହେଉଛି ଏକ ସମାଜର କର୍ତ୍ତବ୍ୟ । ଈଶ୍ଵରଚନ୍ଦ୍ର ସେହି ପ୍ରୟୋଜନଟି ବିଷୟରେ ବହିଟିଏ ଲେଖିଲେ ଏବଂ ଶ୍ରୀଯୁକ୍ତ ବେଥୁନ୍ ସାହେବଙ୍କ ସହିତ ପରାମର୍ଶ କରି ନାରୀମାନଙ୍କର ଶିକ୍ଷା ନିମନ୍ତେ ବେଥୁନ୍ କଲେଜରେ ସ୍ଥାପନ କରିଥିଲେ । ମାତ୍ର, କଲେଜଟିଏ ସିନା ଆରମ୍ଭ କରିଦେଲେ, କିନ୍ତୁ ସେଥିଲାଗି ଛାତ୍ରୀ ଯୋଗାଡ଼ କରି ଆଣିବା ବେଶ୍ ଏକ ସମସ୍ୟା ହୋଇ ଦେଖା ଦେଇଥିଲା । ଈଶ୍ଵରଚନ୍ଦ୍ର ଜଣେ ଶୁଦ୍ଧ ସନ୍ଥ ଭଳି ଜୀବନଯାପନ କରୁଥିଲେ ଏବଂ ମହାପଣ୍ଡିତ ଥିଲେ । ତେଣୁ ଲୋକମାନେ ତାଙ୍କୁ ସର୍ବଦା ଅଜସ୍ର ସମ୍ମାନର ଚକ୍ଷୁରେ ଦେଖୁଥିଲେ । ସେ ସ୍ଵୟଂ ପ୍ରଧାନ ବ୍ୟକ୍ତିମାନଙ୍କୁ ଯାଇ ଭେଟିଥିଲେ ଏବଂ ସେମାନେ ସେମାନଙ୍କର କନ୍ୟାବର୍ଗଙ୍କୁ ପାଠ ପଢ଼ିବା ସକାଶେ କଲେଜକୁ ପଠାନ୍ତୁ ବୋଲି ପ୍ରବର୍ତ୍ତାଇ ଥିଲେ । ଏବଂ, ଏହିପରି ଭାବରେ ଉକ୍ତ କଲେଜକୁ ଛାତ୍ରୀମାନେ ବିଦ୍ୟାଶିକ୍ଷା ନିମନ୍ତେ ଆସିଲେ । ବର୍ତ୍ତମାନ ସେହି ଅନୁଷ୍ଠାନରେ ବହୁସଂଖ୍ୟକ ମହିଳା ବିଦ୍ୟାଲାଭ କରୁଛନ୍ତି ଏବଂ ସେମାନଙ୍କର ଚରିତ୍ରରେ ଆଦୌ କୌଣସି କଳଙ୍କ ଲାଗିବାର ଆଶଙ୍କା ନାହିଁ । ସେମାନେ ତ ସ୍ଵୟଂ ହିଁ ସେହି କଲେଜରେ ପରିଚାଳନାର ବ୍ୟବସ୍ଥାକୁ ଅବଶ୍ୟ ବହନ କରି ପାରିବେ ।

 

ବିଦ୍ୟାସାଗର ତଥାପି ସନ୍ତୋଷ ଲାଭ କରିନଥିଲେ ଏବଂ ସାନ ସାନ ଶିଶୁକନ୍ୟାଙ୍କ ନିମନ୍ତେ ପ୍ରାଥମିକ ବିଦ୍ୟାଳୟମାନ ମଧ୍ୟ ଖୋଲି ଦେଇଥିଲେ । ଏହିସବୁ ସ୍କୁଲରେ ଝିଅମାନଙ୍କୁ ନିଃଶୁକ୍କରେ ଆହାର, ପରିଧାନ ଏବଂ ପୁସ୍ତକାଦି ଯୋଗାଇ ଦିଆ ଯାଉଥିଲା । ଏହିସବୁ ବ୍ୟବସ୍ଥାରେ ଫଳସ୍ଵରୂପ କଲିକତାରେ ଆଜି ହଜାର ହଜାର ଶିକ୍ଷିତା ରମଣୀ ଅବଶ୍ୟ ଦେଖିବାକୁ ମିଳିବେ ।

 

ଶିକ୍ଷକମାନଙ୍କର ଆବଶ୍ୟକତା ମେଣ୍ଟାଇବା ସକାଶେ ସେ ଗୋଟିଏ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ମଧ୍ୟ ଆରମ୍ଭ କରିଥିଲେ ।

 

ନିଜ ଆଖିଆଗରେ ହିନ୍ଦୁ ବିଧବାମାନଙ୍କର ଦୟନୀୟ ଅବସ୍ଥାକୁ ଦେଖି ଈଶ୍ଵରଚନ୍ଦ୍ର ସେମାନଙ୍କର ପୁନର୍ବିବାହ ନିମନ୍ତେ ମଧ୍ୟ ଏକ ଅନୁକୂଳ ହାଉଆ ସୃଷ୍ଟି କରିବା ଲାଗି ଅଭିଯାନ ଆରମ୍ଭ କରିଥିଲେ । ପୁସ୍ତକ ଲେଖିଲେ ଓ ଭାଷଣମାନ ଦେଲେ । ବଙ୍ଗଦେଶର ବ୍ରାହ୍ମଣମାନେ ତାହାର ବିରୋଧ କଲେ । ମାତ୍ର ସିଏ ସେଥିରେ ଆଦୌ ହଟି ଗଲେନାହିଁ । ବିଧବାବିବାହକୁ ବୈଧ ବୋଲି ଘୋଷଣା କରି ସରକାରଙ୍କ ତରଫରୁ ଗୋଟିଏ ଆଇନ୍ ପ୍ରଣୟନ କରାଇଥିଲେ । ଏଥିଲାଗି ବହୁ ପୁରୁଷଙ୍କୁ ରାଜି କରାଇଥିଲେ ଏବଂ ବହୁତ ବଡ଼ ବଡ଼ ଘରର ବାଳବିଧବା ଝିଅଙ୍କର ପୁନର୍ବିବାହ କରାଇ ପାରିଥିଲେ । ତାଙ୍କର ନିଜର ପୁଅଙ୍କୁ ମଧ୍ୟ ଜଣେ ଦରିଦ୍ର ବିଧବାଙ୍କୁ ବିବାହ କରିବା ନିମନ୍ତେ ଉତ୍ସାହ ପ୍ରଦାନ କରିଥିଲେ ।

 

ସମାଜରେ କୁଳୀନ ବ୍ରାହ୍ମଣମାନେ ବହୁପତ୍ନୀଗ୍ରହଣ କରିପାରିବେ ବୋଲି ଏକ ସଂସ୍କାର ରହି ଆସିଥିଲା । କୋଡ଼ିଏ ପର୍ଯ୍ୟନ୍ତ ପତ୍ନୀ ଗ୍ରହଣ କରି ମଧ୍ୟ ସେମାନେ ଲଜ୍ଜିତ ଅନୁଭବ କରୁନଥିଲେ । ଏହି ରମଣୀମାନଙ୍କର ଦୁଃଖଗୁଡ଼ିକୁ ଦେଖି ଈଶ୍ଵରଚନ୍ଦ୍ର ଅଶ୍ରୁସମ୍ବରଣ କରି ପାରୁନଥିଲେ । ଏବଂ, ସେହି ନିର୍ମମ ସଂସ୍କାରଟିର ବିଲୋପସାଧନ ଦିଗରେ ସେ ନିଜର ମୃତ୍ୟୁ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଥିଲେ ।

 

ଥରେ ବର୍ଦ୍ଧମାନ ଜିଲ୍ଲାରେ ହଜାର ହଜାର ଦରିଦ୍ର ମନୁଷ୍ୟ ମେଲେରିଆରୁ ଦାରୁଣ କଷ୍ଟ ଭୋଗ କରୁଥିବାର ଦେଖି ଈଶ୍ଵରଚନ୍ଦ୍ର ହାତରୁ ପଇସା ଖର୍ଚ୍ଚ କରି ଜଣେ ଡାକ୍ତରଙ୍କୁ ସେଠାରେ ନିଯୁକ୍ତ କରିଥିଲେ ଏବଂ ନିଜେ ଘରେ ଘରେ ବୁଲି ଔଷଧ ବିତରଣ କରିଥିଲେ । ଦରିଦ୍ର ପୀଡ଼ିତମାନଙ୍କର ଗୃହକୁ ଯାଇ ଆବଶ୍ୟକ ସକଳ ସାହାଯ୍ୟ ପ୍ରଦାନ କରିଥିଲେ । ଏହିପରି ଭାବରେ ଦୁଇବର୍ଷ କାଳ ଅନବଚ୍ଛିନ୍ନ ଭାବରେ କାର୍ଯ୍ୟ କରିଥିଲେ; ସରକାରଙ୍କଠାରୁ ସାହାଯ୍ୟ ପାଇ ଅଧିକସଂଖ୍ୟକ ଡାକ୍ତର ଯୋଗାଡ଼ କରି ପାରିଲେ ।

 

ସେହି ରୋଗୀମାନଙ୍କର ଶୁଶ୍ରୂଷା କରୁଥିବା ସମୟରେ ଔଷଧ ସମ୍ବନ୍ଧରେ ଆବଶ୍ୟକ ଜ୍ଞାନ ରହିଥିବା ଉଚିତ ବୋଲି ଉପଲବ୍ଧି କରି ସେ ହୋମିଓପାଥି ବିଜ୍ଞାନର ଅଧ୍ୟୟନ କରିଥିଲେ, ଏବଂ ସେଥିରେ ନିପୁଣତା ହାସଲ ମଧ୍ୟ କରିପାରିଲେ । ଏବଂ, ତା'ପରେ ପୀଡ଼ିତମାନଙ୍କ ଲାଗି ନିଜେ ବି ଔଷଧ ନିର୍ଣ୍ଣୟ କରିବାକୁ ସମର୍ଥ ହୋଇଥିଲେ । ଦରିଦ୍ରମାନଙ୍କର ସହାୟତା ଲାଗି ଦୂରଦୂରାନ୍ତକୁ ଯିବା ସମୟରେ ସେ କେବେ କୌଣସି କୁଣ୍ଠାବୋଧ କରୁନଥିଲେ ।

 

ବଡ଼ ବଡ଼ ରାଜାମାନଙ୍କୁ ମଧ୍ୟ ସେମାନେ କୌଣସି ସମସ୍ୟା ବା ସଙ୍କଟରେ ପଡ଼ିଥିବା ସମୟରେ ଈଶ୍ଵରଚନ୍ଦ୍ର ସେମାନଙ୍କୁ ସାହାଯ୍ୟ କରିବାଲାଗି ଆଗଭର ହୋଇ ଯାଉଥିଲେ ? ଯଦି ସେମାନଙ୍କ ମଧ୍ୟରୁ କାହାପ୍ରତି ଅନ୍ୟାୟ କରା ଯାଉଥିଲା କିମ୍ବା ସେମାନେ ଦରିଦ୍ର ହୋଇ ଯାଉଥିଲେ, ଈଶ୍ଵରଚନ୍ଦ୍ର ନିଜର ପ୍ରଭାବ ପକାଇ, ସ୍ଵଜ୍ଞାନର ପ୍ରୟୋଗ କରି ବା ଅର୍ଥସାହାଯ୍ୟ କରି ସାହାଯ୍ୟ କରୁଥିଲେ ତଥା ଦୁଃଖର ଲାଘବ କରୁଥିଲେ ।

 

ଏହିଭଳି ନାନା କାର୍ଯ୍ୟରେ ସର୍ବଦା କ୍ରିୟାଶୀଳ ହୋଇ ରହି ବିଦ୍ୟାସାଗର ୧୮୯୧ ଖ୍ରୀଷ୍ଟାବ୍ଦରେ ଇହଲୀଳା ସମ୍ବରଣ କଲେ । ତାଙ୍କୁ ସେତେବେଳେ ସତୁରି ବର୍ଷ ହୋଇଥିଲା । ତାଙ୍କ ଭଳି ଜଣେ ମନୁଷ୍ୟ ଏହି ପୃଥିବୀରେ କ୍ଵଚିତ୍ ହିଁ ଦେଖିବାକୁ ମିଳିବେ । ଏପରି କଥିତ ଅଛି ଯେ, ଯଦି ଈଶ୍ଵରଚନ୍ଦ୍ର କୌଣସି ୟୁରୋପୀୟ ସମାଜରେ ଜନ୍ମଗ୍ରହଣ କରିଥାନ୍ତେ, ତେବେ ତାଙ୍କର ସ୍ମୃତିରେ ନେଲ୍‍ସନ୍‍ଙ୍କର ସ୍ମୃତିରେ ଇଂରେଜମାନେ ନିର୍ମାଣ କରିଥିବା ସ୍ତମ୍ଭପରି ତାଙ୍କଲାଗି ସେହିପରି ଭବ୍ୟ ସ୍ମୃତିସ୍ତମ୍ଭଟିଏ ଅବଶ୍ୟ ନିର୍ମିତ ହୋଇଥାଆନ୍ତା । ଅବଶ୍ୟ ଏଥିରେ କୌଣସି ସନ୍ଦେହ ନାହିଁ ଯେ ତାଙ୍କର ସମ୍ମାନରେ ବଙ୍ଗଳାର ବଡ଼ ଓ ସାନ, ଧନୀ ଓ ନିର୍ଦ୍ଧନ କୋଟି କୋଟିଙ୍କର ହୃଦୟରେ ଏକ ସ୍ତମ୍ଭ ପୂର୍ବରୁ ହିଁ ନିର୍ମିତ ହୋଇ ରହିଛି । ଏବଂ ବର୍ତ୍ତମାନ ସ୍ପଷ୍ଟ ହୋଇଯିବ ଯେ, ବଙ୍ଗଦେଶ ଭାରତବର୍ଷର ସବୁ ଅଞ୍ଚଳର ମନୁଷ୍ୟମାନେ ଅନୁପ୍ରେରଣା ଲାଭ କରିବେ ବୋଲି ସର୍ବଦା ହିଁ ଏକ ଦୃଷ୍ଟାନ୍ତ ପ୍ରଦାନ କରିଥାଏ ।

 

(ମୂଳ ଗୁଜୁରାଟୀ ଭାଷାରେ ଲିଖିତ: ତାହାର ଇଂରାଜୀ ଅନୁବାଦ ପ୍ରକାଶିତ ହୋଇଥିଲା 'indian opinion' ପତ୍ରିକାରେ,–ତାହାର ୧୯୦୫ ମସିହା ସେପ୍ଟେମ୍ବର ୧୬ ତାରିଖ ସଂଖ୍ୟାରେ)

Image